Unknown

 

 

 

 

 

 

 

 

 

୫୯ ତମ ସଂଖ୍ୟା କୋଣାର୍କ ଏପ୍ରିଲ ୧, ୧୯୮୬

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ବିଶେଷାଙ୍କ ସମ୍ପାଦକ :

ସୁରେନ୍ଦ୍ର ମହାନ୍ତି

ପରିଚାଳନା ସମ୍ପାଦକ :

ସୁରେନ୍ଦ୍ର ନାଥ ଶତପଥୀ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର

 

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର-୭୫୧୦୧୪

 

 

ଏ ସଂଖ୍ୟାର ଲେଖା ଓ ଲେଖକ

 

ସମ୍ପାଦକୀୟ

ଓଡ଼ିଶା ପ୍ରଦେଶ ଗଠନର ଇତିହାସ :

ଏକ ସିଂହାବଲୋକନ

ଶ୍ରୀ ସୁରେନ୍ଦ୍ର ମହାନ୍ତି

୨.

ଓଡ଼ିଶା ପ୍ରଦେଶ ଗଠନରେ

ସମ୍ବଲପୁରର ଅବଦାନ

ଡକ୍ଟର ଶ୍ରଦ୍ଧାକର ସୂପକାର

୩.

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ

ପାରଳାଖେମୁଣ୍ଡି ମହାରାଜାଙ୍କ ଭୂମିକା

ଡକ୍ଟର ହରିହର କାନୁନଗୋ

୪.

ଓଡ଼ିଶା ପ୍ରଦେଶ ଗଠନ ଓ

ଗଞ୍ଜାମର ଅବଦାନ

ଡକ୍ଟର ସତ୍ୟନାରାୟଣ ରାଜଗୁରୁ

୫.

ସ୍ୱତନ୍ତ୍ର ଉତ୍କଳ ଗଠନରେ

ଗୋପବନ୍ଧୁଙ୍କ ଭୂମିକା

ଶ୍ରୀ ସର୍ବେଶ୍ୱର ଦାଶ

୬.

ସ୍ୱତନ୍ତ୍ର ପ୍ରଦେଶ ଗଠନରେ

ପଣ୍ଡିତ ନୀଳକଣ୍ଠଙ୍କ ଅବଦାନ

ଶ୍ରୀ ବନମାଳୀ ମିଶ୍ର

୭.

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ

ଗୋଦାବରୀଶଙ୍କ ଭୂମିକା

ଡକ୍ଟର ଶ୍ୟାମସୁନ୍ଦର ମିଶ୍ର

୮.

ସ୍ୱତନ୍ତ୍ର ଓଡ଼ିଶା ଓ ଗୋପବନ୍ଧୁ

ଶ୍ରୀ ରାଧାମୋହନ ଗଡ଼ନାୟକ

୯.

ଜାତୀୟଗୌରବ ମଧୁସୂଦନ ଓ ଜାତୀୟଜୀବନ

ଶ୍ରୀ କାର୍ତ୍ତିକେଶ୍ୱର ପାତ୍ର

୧୦.

ସ୍ୱତନ୍ତ୍ର ଉତ୍କଳ ଗଠନରେ

ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଭୂମିକା

ଶ୍ରୀ ଅମରେନ୍ଦ୍ର ବୋଷ

୧୧.

ସ୍ୱତନ୍ତ୍ର ଓଡ଼ିଶା ଗଠନରେ

ମଧୁସୂଦନଙ୍କ ସାହିତ୍ୟର ପ୍ରେରଣା

ଶ୍ରୀ ଶଇଳେନ୍ଦ୍ର ଲେଙ୍କା

୧୨.

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ

ଓଡ଼ିଆ ଭାଷାର ଭୂମିକା

ଡକ୍ଟର ବଂଶୀଧର ମହାନ୍ତି

୧୩.

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରବର୍ତ୍ତୀ

ଓଡ଼ିଆ ଉପନ୍ୟାସ : ଏକ ଦୃଷ୍ଟିପାତ

ଶ୍ରୀ ବୈଷ୍ଣବ ଚରଣ ସାମଲ

୧୪.

ପଚାଶ ବର୍ଷର ଓଡ଼ିଆ ଗଳ୍ପ-ସାହିତ୍ୟ

ଶ୍ରୀ ଶତ୍ରୁଘ୍ନ ପାଣ୍ଡବ

୧୫.

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ

ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିତା

ଡକ୍ଟର ନିତ୍ୟାନନ୍ଦ ଶତପଥୀ

୧୬.

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର

ପରବର୍ତ୍ତୀ ଓଡ଼ିଆ ସାହିତ୍ୟ : ନାଟକ

ଡକ୍ଟର ହେମନ୍ତ କୁମାର ଦାସ

୧୭.

ଓଡ଼ିଆ ସାହିତ୍ୟ ସମାଲୋଚନା-

୧୯୩୬ ରୁ ୧୯୮୬

ଶ୍ରୀ ଦାଶରଥି ଦାସ

୧୮.

କାମପାଳ ମିଶ୍ରଙ୍କ ସାହିତ୍ୟରେ

ସ୍ୱତନ୍ତ୍ର-ଉତ୍କଳ ଭାବନା

ଡକ୍ଟର ବାଉରୀବନ୍ଧୁ କର

 

ଲେଖକ ପରିଚିତି

 

Image

 

ସମ୍ପାଦକୀୟ

‘‘ଉଚ୍ଚ ହେବାପାଇଁ ଯେବେ କର ଆଶା....’’

 

ଓଡ଼ିଶା ପ୍ରଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀ, ଆଧୁନିକ ଓଡ଼ିଶାର ଇତିହାସରେ ଏକ ସ୍ମରଣୀୟ ଦିବସ । ଆଜକୁ ଅର୍ଦ୍ଧଶତାବ୍ଦୀ ପୂର୍ବେ, ୧୯୩୬ ମସିହା ପହିଲା ଅପ୍ରେଲ ଦିନ, ବହୁ ଘାତ-ପ୍ରତିଘାତ, ଆଶା-ନିରାଶାର ଦ୍ୱନ୍ଦ୍ୱ ମଧ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଏହା ଥିଲା ଊନବିଂଶ ଶତାବ୍ଦୀର ତୃତୀୟ ପାଦରୁ ଆରମ୍ଭ ହୋଇଥିବା ଓଡ଼ିଶାରେ ନବଜାଗରଣର ଚୂଡ଼ାନ୍ତ ଫଳଶ୍ରୁତି । ସାଙ୍କେତିକ ଭାବରେ ଏହା ଥିଲା ପୁଣି ବିଶ୍ୱରେ ଓଡ଼ିଶାର କୀର୍ତ୍ତି-ସମୁଜ୍ଜ୍ୱଳ ଅନନ୍ୟତା ଓ ସ୍ୱକୀୟତାର ଘୋଷଣା । ଅନ୍ତତଃ, ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କ ଏକତ୍ରୀକରଣ ଆନ୍ଦୋଳନର ଭଗୀରଥ ମଧୁସୂଦନ ଓ ତାଙ୍କ ସହକର୍ମୀମାନଙ୍କ ଦୃଷ୍ଟିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଥିଲା ଇତିହାସରେ ବିଡ଼ମ୍ବିତ, ଉପେକ୍ଷିତ ଓ ନିଷ୍ପେଷିତ ଓଡ଼ିଆ ଜାତିର ଅଭ୍ୟୁଦୟର ପ୍ରତୀକ । ଯେଉଁମାନଙ୍କର କୃଚ୍ଛ୍ର ସାଧନା, ସଙ୍କଳ୍ପ ଓ ସଂଗ୍ରାମ ଫଳରେ ଏହା ସେଦିନ ସମ୍ଭବ ହୋଇପାରିଥିଲା, ଆଜି ଅର୍ଦ୍ଧଶତାବ୍ଦୀ ପରେ, ଆମ୍ଭେମାନେ ସେମାନଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ନିବେଦନ କରୁଅଛୁ ।

 

୧୯୩୬ ମସିହା ଅପ୍ରେଲ ପହିଲା ଦିନ, ଯେଉଁ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା, ତାହା ଥିଲା ମାତ୍ର ଛଅଗୋଟି ଜିଲ୍ଲା, ଯଥା—କଟକ, ପୁରୀ, ଗଞ୍ଜାମ, କୋରାପୁଟ, ସମ୍ବଲପୁର ଓ ବାଲେଶ୍ୱରର ସମଷ୍ଟି—ଏହାର ମୋଟ କ୍ଷେତ୍ରଫଳ ଥିଲା ୩୨, ୧୯୮ ବର୍ଗମାଇଲ । କିନ୍ତୁ ୧୯୪୮ ମସିହା ପହିଲା ଜାନୁଆରୀ ଦିନ, ମୟୂରଭଞ୍ଜକୁ ଛାଡ଼ି ପଚିଶ ଗୋଟି ଗଡ଼ଜାତ ଓଡ଼ିଶାରେ ମିଶ୍ରଣ-ଚୁକ୍ତି ଫଳରେ ଆସି ମିଶିଲେ ।

 

ମାତ୍ର ୧୯୪୮ ମସିହା ମେ ମାସ ୧୮ ତାରିଖ ଦିନ, ଯେପରି ଭାବରେ ଷଢ଼େଇକଳା ଓ ଖରସୁଆଁ ପରି ଦୁଇଟି ଖାଣ୍ଟି ଓଡ଼ିଆଭାଷୀ ଗଡ଼ଜାତକୁ ଓଡ଼ିଶାରୁ ଛିଣ୍ଡାଇନେଇ ବିହାର ସାଙ୍ଗରେ ଯୋଡ଼ିଦିଆଗଲା, ତାହା ସବୁ ଲାଭ ଓ ପ୍ରାପ୍ତିକୁ ଏକ ଗ୍ଲାନିପୂର୍ଣ୍ଣ ବିଡ଼ମ୍ବନାରେ ପରିଣତ କରିଦେଲା । ଏହାପରେ ୧୯୪୯ ମସିହା ଜାନୁଆରୀ ପହିଲା ଦିନ, ମୟୂରଭଞ୍ଜ ଓଡ଼ିଶାରେ ଆସି ମିଶିଲା । ତା’ପରେ ଓଡ଼ିଶାର ମୋଟ କ୍ଷେତ୍ରଫଳ ହେଲା, ୬୦,୧୨୭ ବର୍ଗମାଇଲ; ଅର୍ଥାତ୍‌ ପ୍ରାକ୍‌-ମିଶ୍ରଣ କ୍ଷେତ୍ରଫଳର ପ୍ରାୟ ଦୁଇଗୁଣରୁ ସାମାନ୍ୟ କିଛି କମ ।

 

କିନ୍ତୁ ଇତିହାସର ଏହି ପ୍ରକ୍ରିୟା ମଧ୍ୟରେ ଏକ ସୁବିସ୍ତୀର୍ଣ୍ଣ ଓଡ଼ିଆଭାଷୀ ଅଞ୍ଚଳ ଓଡ଼ିଶାରୁ ଆଜି ସୁଦ୍ଧା ଯେପରି ବିଚ୍ଛିନ୍ନ ହୋଇ ରହିଛି, ତାହା ଆଜିର ଏହି ଐତିହାସିକ ଲଗ୍ନରେ ସ୍ମରଣ କରିବାର କଥା । ୧୯୦୩ ମସିହାରେ ଜି.ଏ. ଗ୍ରୀୟରସନ, ଆଇ. ସି. ଏସ, ‘ଲିଙ୍ଗୁଇଷ୍ଟିକ୍‌ ସର୍ଭେ ଅଫ୍‌ ଇଣ୍ଡିଆ’, VOL-V, Part-II ରେ ଓଡ଼ିଆଭାଷୀ ଅଞ୍ଚଳମାନଙ୍କର ବିସ୍ତାର ସମ୍ପର୍କରେ ସୂଚନା ଦେଇ ଲେଖିଥିଲେ:–

 

‘‘The Orissa country is not confined to the Division which now bears that name, It includes a portion of the district of Midnapore in the north, which, together with part of Balasore, was the ‘Orissa’ of the phrase ‘Bengal, Bihar and Orissa’, met in the regulations framed by the Government in the last decades of the 18th century. Oriya is also the language of most of the district of Singhbhum, belonging to the Division of Chota Nagpur and of several neighbouring Native States which fall politically within the same Division. On the west it is the language of the greater part of the district of Sambalpur and of a small portion of the district of Raipur in the Central Provinces, and also of the number of Native States which lie between these districts and Orissa proper. On the south, it is the language of the north of the Madras district of Ganjam, with its connected Native States, and of the Jeypore Agency of Vizagapatam. It is thus spoken in three Governments of British India, viz, in the Lower provinces of Bengal, in the Central Privinces and in the Madras Presidency.

(Page 367)

 

ସେଇବର୍ଷ ଲର୍ଡ଼ କର୍ଜନ ଭାରତର ଗଭର୍ଣ୍ଣର ଜେନେରାଲ ଥିବାବେଳେ, ଭାରତ ସରକାରଙ୍କର ହୋମ୍‌ ଡିପାର୍ଟମେଣ୍ଟରୁ ଯେଉଁ ପ୍ରସିଦ୍ଧ ରିସ୍‌ଲେ ସର୍କୁଲାର ପ୍ରକାଶ ପାଇଥିଲା, ମୋଟାମୋଟି ଭାବରେ ସେଥିରେ ଗ୍ରୀୟରସନ୍‌ଙ୍କ ରିପୋର୍ଟକୁ ଭିତ୍ତି କରି, ଓଡ଼ିଆ-ଭାଷାଭାଷୀ ଅଞ୍ଚଳମାନଙ୍କର ସୀମା ନିର୍ଦ୍ଦେଶ କରାଯାଇ, ସେସବୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶରେ ସାମିଲ ହେବା ଉଚିତ ବୋଲି ସେ ସୂଚନା ଦେଇଥିଲେ । ମାତ୍ର ପ୍ରତିବେଶୀମାନଙ୍କ ଚାପରେ ୧୯୩୬ ମସିହା ପହିଲା ଅପ୍ରେଲ ଦିନ ଯେଉଁ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା, ସେଥିରୁ ବହୁ ବିସ୍ତୀର୍ଣ୍ଣ ଓଡ଼ିଆଭାଷୀ ଅଞ୍ଚଳ ବାଦ ପଡ଼ିଯାଇଥିଲା । ଦକ୍ଷିଣ ପଶ୍ଚିମ ମେଦିନୀପୁର ଜିଲ୍ଲା ଊନବିଂଶ ଶତାବ୍ଦୀରେ, ଯେପରି ଚକ୍ରାନ୍ତ ଫଳରେ ଓଡ଼ିଶାରୁ ଅଲଗା ହୋଇଗଲା, ଆଗ୍ରହୀ ପାଠକମାନେ ଫକୀରମୋହନ ସେନାପତିଙ୍କ ଆତ୍ମଚରିତରୁ ତାହାର ଶୋଚନୀୟ ବିବରଣୀ ପାଇପାରିବେ । ସ୍ୱାଧୀନତା ପରେ, ଚାହୁଁ ଚାହୁଁ ଆକ୍ଷି ଆଗରୁ ଷଢ଼େଇକଳା-ଖରସୁଆଁ ପରି ଦୁଇଟି ଖାଣ୍ଟି ଓଡ଼ିଆ ରାଜ୍ୟକୁ ମଧ୍ୟ ଓଡ଼ିଶାରୁ ଛଡ଼ାଇ ନିଆଗଲା । ଅତୀତରେ ସୀମା ପ୍ରଶ୍ନ ସମ୍ପର୍କରେ ଓଡ଼ିଶା ଉପରେ ଯେତେସବୁ ଅବିଚାର ଲଦି ଦିଆଯାଇଥିଲା, ଏହା ଥିଲା ତାହାର ଯେପରି ଚୂଡ଼ାନ୍ତ !

 

କିନ୍ତୁ ଇତିହାସର ଶତ ଘାତପ୍ରତିଘାତ ମଧ୍ୟରେ ସେଇ ବିଚ୍ଛିନ୍ନାଞ୍ଚଳମାନଙ୍କରେ ଓଡ଼ିଆଭାଷୀ ଜନତା ଓଡ଼ିଆ ଭାଷା ଓ ସଂସ୍କୃତିକୁ କିଛି କିଛି ପରିମାଣରେ ତଥାପି ବଞ୍ଚାଇରଖିଛନ୍ତି । ସମ୍ବିଧାନରେ ସଂଖ୍ୟାଲଘୁ ଭାଷାଭାଷୀମାନଙ୍କର ସାଂସ୍କୃତିକ ସ୍ୱାର୍ଥରକ୍ଷା, ରାଷ୍ଟ୍ରର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଲି ଘୋଷିତ ହୋଇଥିଲେହେଁ, ଏହି ବିଚ୍ଛିନ୍ନାଞ୍ଚଳମାନଙ୍କରେ ସେମାନେ ସେମାନଙ୍କର ସାଂସ୍କୃତିକ ଐତିହ୍ୟ ଓ ଉତ୍ତରାଧିକାରରୁ ବଞ୍ଚିତ ହୋଇ ଦ୍ୱିତୀୟ ଶ୍ରେଣୀର ନାଗରିକ ରୂପେ ଦିନାତିପାତ କରୁଅଛନ୍ତି । ମୋର ମନେହୁଏ, ଆଜି ସୁବର୍ଣ୍ଣଜୟନ୍ତୀର ଏହି ଉତ୍ସବମୁଖର ମୁହୂର୍ତ୍ତରେ ସେମାନଙ୍କୁ ସର୍ବପ୍ରଥମେ ସ୍ମରଣ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ହେବା ଆବଶ୍ୟକ । ସେମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଚେତନାକୁ ବଞ୍ଚାଇରଖିବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ଫେରାଇଆଣିବା ଦିଗରେ କର୍ତ୍ତବ୍ୟ ନିର୍ଦ୍ଧାରଣ ଆମ୍ଭମାନଙ୍କର ଧ୍ୟେୟ ହେବା ବାଞ୍ଛନୀୟ-

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିନୁ ଇତିମଧ୍ୟରେ କୃଷି, ଜଳସେଚନ, ବିଦ୍ୟୁତ୍‌ ଉତ୍ପାଦନ, ଶିଳ୍ପୋଦ୍ୟୋଗ ଓ ବିଶ୍ୱବିଦ୍ୟାଳୟ ଶିକ୍ଷା ପ୍ରଭୃତି — ଆଉରି ବହୁ ବିଭିନ୍ନ କ୍ଷେତ୍ରରେ ବହୁ ବିକାଶ ସାଧିତ ହୋଇପାରିଅଛି । ଭାଷା, ସାହିତ୍ୟ ଓ ସଂସ୍କୃତି ଚର୍ଚ୍ଚାରେ ମଧ୍ୟ ଭୂୟୋବିକାଶ ସାଧିତ ହୋଇପାରିଅଛି ।

 

ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଉପରେ ଗୁରୁତ୍ୱ ଆରୋପ କରି ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଥିଲା । ସମ୍ମିଳନୀର ପରବର୍ତ୍ତୀ ଅଧିବେଶନମାନଙ୍କରେ ଏକାଧିକବାର ତାହାର ପୁନରାବୃତ୍ତି ମଧ୍ୟ ହୋଇଛି । ଇତିମଧ୍ୟରେ, ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଆଗ୍ରହ ଫଳରେ ଓଡ଼ିଆ ଭାଷା ସରକାରୀ ଭାଷା ମଧ୍ୟ ହୋଇପାରିଛି । ଓଡ଼ିଶାର ତିନିଗୋଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଉପାଧ୍ୟୁତ୍ତର ବିଭାଗ ମଧ୍ୟ ଖୋଲିଛି । କିନ୍ତୁ ଏସବୁ ପ୍ରଚେଷ୍ଟା ମଧ୍ୟରେ ଓଡ଼ିଆ ଭାଷା ଚର୍ଚ୍ଚା ଓ ଅନୁଶୀଳନର ସ୍ତର କ୍ରମେ ଯେପରି କମି କମି ଯାଉଛି, ତାହା ପର୍ଯ୍ୟବେକ୍ଷକମାନଙ୍କ ପକ୍ଷରେ ଗଭୀର ଚିନ୍ତା ଓ ଉଦ୍‍ବେଗର କାରଣ ହେଲାଣି । କ୍ଵଚିତ୍ ଏବର ବିଶ୍ୱବିଦ୍ୟାଳୟ- ଶିକ୍ଷିତ ଯୁବକମାନେ ଶୁଦ୍ଧ ଓଡ଼ିଆରେ ଧାଡ଼ିଏ ଲେଖିପାରୁଛନ୍ତି କିମ୍ବା ଶୁଦ୍ଧ ଉଚ୍ଚାରଣରେ ପଦେ କହିପାରୁଛନ୍ତି । ମୋର ମନେହୁଏ, ଆମର ବିଶ୍ୱବିଦ୍ୟାଳୟମାନଙ୍କରେ ଉପାଧ୍ୟୁତ୍ତର ଓଡ଼ିଆ ବିଭାଗମାନ ବର୍ତ୍ତମାନ ପ୍ରକୃତରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର କେବଳ ରକ୍ଷକ ନୁହନ୍ତି, ପରିବର୍ଦ୍ଧକ ମଧ୍ୟ; ସେମାନେ ଏ ଦିଗରେ କେଉଁ ପରିମାଣରେ ଦାୟିତ୍ୱ ନିର୍ବାହ କରୁଛନ୍ତି, ତାହା ସେମାନେ ମୋଠାରୁ ଆଉରି ଭଲ ଭାବରେ ଜାଣିଥିବେ । ମାତ୍ର ମୋର ନମ୍ର ବକ୍ତବ୍ୟ ହେଉଛି, ଏ ଦିଗରେ ସେମାନଙ୍କର ବହୁ କାର୍ଯ୍ୟ ତଥାପି କରିବାର ଅଛି । ଆଜି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ତାହା ସମସ୍ତଙ୍କୁ ସ୍ମରଣ କରାଇଦେବା, ଜଣେ ଓଡ଼ିଆ ହିସାବରେ ମୁଁ ଚେତାଇଦେଲେ, ତାହା ମୋର ଧୃଷ୍ଟତା ହେବ ନାହିଁ ବୋଲି ମୁଁ ଆଶାପୋଷଣ କରୁଅଛି ।

 

ଓଡ଼ିଶାରେ ଇଂରାଜୀ ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ଓଡ଼ିଶା ସରକାର ଗୋଟିଏ ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନ କରୁଥିବା, ଏକ ସୁସମ୍ବାଦ । ଇଂରାଜୀ ଭାଷା ଆଜି ବିଶ୍ୱର ବାତାୟନରେ ପରିଣତ ହୋଇଛି । ଏହାକୁ ରୁଦ୍ଧ କରିଦେବା କଦାପି ଉଚିତ ହେବ ନାହିଁ । କିନ୍ତୁ ସେଥି ସଙ୍ଗେ ସଙ୍ଗେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଚର୍ଚ୍ଚା ପାଇଁ ଓଡ଼ିଶାରେ ଓଡ଼ିଶା ସାହିତ୍ୟ ଅକାଦମୀ ଆନୁକୂଲ୍ୟରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓରିଶାନ ଷ୍ଟଡ଼ିଜ ନାମରେ ଗୋଟିଏ ଅନୁଷ୍ଠାନର ସ୍ଥାପନା ପାଇଁ ୧୯୮୨ ମସିହାରେ ଅକାଦମୀର ରଜତ ଜୟନ୍ତୀ ପରେ ମୁଁ ଓଡ଼ିଶା ସରକାରଙ୍କୁ ଗୋଟିଏ ସୁବିସ୍ତୃତ ପ୍ରସ୍ତାବ ଦେଇଥିଲି । ମୁଖ୍ୟମନ୍ତ୍ରୀ ତାହାପ୍ରତି ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ତାଙ୍କର ଶୁଭେଚ୍ଛା ସତ୍ତ୍ୱେ ପ୍ରସ୍ତାବଟି ସେହିପରି ଅଟକି ପଡ଼ିଛି । ମୋର ନିବେଦନ, ଆଜି ସୁବର୍ଣ୍ଣଜୟନ୍ତୀ ଅବକାଶରେ ସେ ଦିଗରେ ବିଚାର ଫିଟିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଚର୍ଚ୍ଚାର ପରିସର ଅଧିକ ବ୍ୟାପକ ଓ ବର୍ଦ୍ଧିଷ୍ଣୁ ହୋଇପାରନ୍ତା । ଏପ୍ରକାର ଏକ ଅନୁଷ୍ଠାନର ଆବଶ୍ୟକତା ଆଜି ପ୍ରତ୍ୟେକ ଓଡ଼ିଆ ବୁଦ୍ଧିଜୀବୀ ଅନୁଭବ କରୁଅଛନ୍ତି ।

 

ଜାତି ବଞ୍ଚେ ତାର ଭାଷା ଓ ସାହିତ୍ୟ ମଧ୍ୟରେ । ଭାଷା ଓ ସାହିତ୍ୟ ଜାତିର ଅନ୍ତରାତ୍ମା; ଅନ୍ୟସବୁ ବାହ୍ୟ । ସେଥିରେ ଶରୀରର ପରିପୁଷ୍ଟି ହୁଏ ସତ୍ୟ, ମାତ୍ର ତାହାର ଆତ୍ମାକୁ ଉଜ୍ଜୀବିତ କରିପାରେ କେବଳ ତାର ମାତୃଭାଷା ଓ ସାହିତ୍ୟ । ମୋର ମନେହୁଏ, କବି ଗଙ୍ଗାଧରଙ୍କର ସେହି ଉକ୍ତି ଆଜିସୁଦ୍ଧା ପ୍ରତ୍ୟେକ ଓଡ଼ିଆ ପକ୍ଷରେ ବୀଜମନ୍ତ୍ର ରୂପେ ମନନ ଓ ଉଚ୍ଚାରଣ କରିବାର ପ୍ରୟୋଜନ ରହିଛି :

 

‘‘ଉଚ୍ଚ ହେବା ପାଇଁ ଯେବେ କର ଆଶା

ଉଚ୍ଚ କର ଆଗେ ନିଜ ମାତୃଭାଷା । ”

 

ଜୟ ଉତ୍କଳ, ଜୟ ଜଗନ୍ନାଥ !

 

ସୁରେନ୍ଦ୍ର ମହାନ୍ତି

***

 

୧୮୦୩ ଖ୍ରୀ: ଅ:ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର କରିବାବେଳକୁ, ଭାରତରେ ଶାସନ ବ୍ୟବସ୍ଥାର ଭିତ୍ତି ଥିଲା, ଭାଷାଭିତ୍ତିକ ପ୍ରଦେଶ ନୁହେଁ, ବହୁ ଭାଷାଭାଷୀ ଅଞ୍ଚଳମାନଙ୍କୁ ମିଶାଇ ଗୋଟିଏ ଗୋଟିଏ ବଡ଼ ପ୍ରେସିଡେନ୍‌ସୀ । ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନକୁ ଓଡ଼ିଶା ଆସିବା ପରେ, ଓଡ଼ିଆଭାଷୀ ଗଞ୍ଜାମ ଜିଲ୍ଲା ପ୍ରଭୃତି ଅଞ୍ଚଳ ରହିଥିଲା, ମାନ୍ଦ୍ରାଜ ପ୍ରେସିଡେନ୍‌ସୀରେ । ଉପକୂଳବର୍ତ୍ତୀ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ଯୋଡ଼ାଗଲା ବଙ୍ଗଳା ପ୍ରେସିଡେନ୍‌ସୀର କାନିଗଣ୍ଠିରେ । ସମ୍ବଲପୁର ଜିଲ୍ଲା ରହିଗଲା ମଧ୍ୟପ୍ରଦେଶରେ । ଓଡ଼ିଶାର ଏହି ଖଣ୍ଡବିଖଣ୍ଡିତ ଅବସ୍ଥାକୁ ଲକ୍ଷ୍ୟକରି, ‘ଉତ୍କଳ-ଦୀପିକା’ର ସମ୍ପାଦକ ଗୌରୀଶଙ୍କର ଓଡ଼ିଶାକୁ ‘ତିନି ଥେଣ୍ଟିଆ କାକୁଡ଼ି ବାଡ଼ି’ ସହିତ ତୁଳନା କରିଥିଲେ ।

 

ଓଡ଼ିଶା ପ୍ରଦେଶ ଗଠନର ଇତିହାସ :

ଏକ ସିଂହାବଲୋକନ

ସୁରେନ୍ଦ୍ର ମହାନ୍ତି

 

ଓଡ଼ିଶା ସହିତ ସୁଗମ ସ୍ଥଳପଥର ସଂଯୋଗ ନଥିବା ସୁଦୂର କଲିକତାରୁ ଓଡ଼ିଶା ଡିଭିଜନ୍‌ ଶାସିତ ହେଉଥିଲା । ବର୍ଷକୁ ବର୍ଷ ଇଷ୍ଟ ଇଣ୍ଡିଆ କମ୍ପାନୀ ସେଟଲ୍‌ମେଣ୍ଟ ଚଳାଇ କ୍ରମବର୍ଦ୍ଧିତ ରାଜସ୍ୱର ଭାରରେ ଓଡ଼ିଶାର ଜନସମାଜକୁ ତଳିତଳାନ୍ତ କରି ଦେଉଥିଲେ । ଓଡ଼ିଶାର ବଡ଼ ବଡ଼ ଭୂମ୍ୟାଧିକାରୀ, ଓଡ଼ିଆ ଜମିଦାରମାନଙ୍କର ମାହାଲ୍‌, ଇଲାକା ଓ ଜମିଦାରୀ ସବୁ ସୁଦୂର କଲିକତାରେ ସୂର୍ଯ୍ୟାସ୍ତ ଆଇନ୍ ବଳରେ ନିଲାମ୍‌ ହୋଇ ଯାଉଥିଲା ବେଳେ, ଓଡ଼ିଶାରେ ସେମାନଙ୍କ ନିକଟରେ ତାହାର ଖବର ସୁଦ୍ଧା ପହଞ୍ଚି ପାରୁନଥିଲା । ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଜୀବନକୁ ଏହା ଯେ ସଂପୂର୍ଣ୍ଣ ଭାବରେ ତଳିତଳାନ୍ତ କରି ଦେଇଥିଲା, ତାହା ଏଠାରେ ଉଲ୍ଲେଖ କରିବା ନିଷ୍ପ୍ରୟୋଜନ । ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ଶାସନ ସଂସ୍ଥା ନ ଥିବାରୁ, ଶୋଷିତ, ଲାଞ୍ଛିତ ଓ ନିପୀଡ଼ିତ ଓଡ଼ିଆ ଜାତିର ଚିତ୍କାର ସେତେବେଳେ ଏକ ମୌନ ଆର୍ତ୍ତନାଦରେ ପରିଣତ ହୋଇଥିଲା ।

 

ଏହି ପୃଷ୍ଠଭୂମିରେ, ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଓଡ଼ିଆ ଜାତିର ଅଣ୍ଟାରେ ହାଣିଲା ଚରମ ଆଘାତ । ତତ୍କାଳୀନ ବଙ୍ଗଳା ପ୍ରେସିଡେନ୍‌ସୀ ଶାସନର ଉଦାସୀନତା, ଦୂରଦୃଷ୍ଟିହୀନତା ଓ ଅବହେଳା ଫଳରେ ଦୁର୍ଭିକ୍ଷରେ ଓଡ଼ିଶା ଗୋଟାଏ ମଶାଣିପଦାରେ ପରିଣତ ହୋଇଥିଲା । ସବୁଆଡ଼େ କେବଳ କଙ୍କାଳ.......ଆଉ କଙ୍କାଳ । ନଅଙ୍କ ଦୁର୍ଭିକ୍ଷର ଏହି ଲୋମହର୍ଷଣକାରୀ ବିଭୀଷିକା ମଧ୍ୟରୁ ପ୍ରଥମେ ଜନ୍ମଲାଭ କରିଥିଲା, ଓଡ଼ିଆଭାଷୀ ଜନସାଧାରଣଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନର ଭାବନା ।

 

ସେତେବେଳେ ସେକ୍ରେଟେରୀ ଅଫ୍‌ ଷ୍ଟେଟ୍‌ସ ଫର ଇଣ୍ଡିଆ ବା ବିଲାତରେ ଭାରତ ସଚିବ, ସାର୍‌ ଷ୍ଟ୍ରାଫୋର୍ଡ଼ ନର୍ଥକୋଟ୍‌ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ ଅନୁସନ୍ଧାନ କରିବା ପରେ, କଳିକତାରେ ଥିବା ବଙ୍ଗଳା ପ୍ରେସିଡେନ୍‌ସୀ ସରକାର ଓଡ଼ିଶାର ସମସ୍ୟା ଓ ସଙ୍କଟ ପ୍ରତି ଦୃଷ୍ଟି ଦେଇ ପାରୁନଥିବା ଫଳରେ, ନଅଙ୍କ ଦୁର୍ଭିକ୍ଷ ଭଳି ଏକ ଲୋମହର୍ଷଣକାରୀ ଘଟଣା ଓଡ଼ିଶାରେ ଘଟିଗଲା ବୋଲି, ତାଙ୍କର ହୃଦ୍‌ବୋଧ ହୋଇଥିଲା । ଏହି ଉପଲବ୍‌ଧିରୁ ଓଡ଼ିଶା ପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଓ ସ୍ୱତନ୍ତ୍ର ପ୍ରାଦେଶିକ ସରକାର ଗଠନର ଆବଶ୍ୟକତା ସମ୍ପର୍କରେ ସେ ପ୍ରଶାସନିକ ସ୍ତରରେ ସୂଚନା ଦେଇଥିଲେ । ମାତ୍ର ଓଡ଼ିଶାରେ ସେତେବେଳେ ଶିକ୍ଷିତ ଜନମତ ବୋଲି କିଛି ନ ଥିବାରୁ ସାର୍‌ ଷ୍ଟ୍ରାଫୋଡ଼ଙ୍କ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୂଚନା ପ୍ରତି ଓଡ଼ିଶାରେ କାହାର ଦୃଷ୍ଟି ପଡ଼ିନଥିଲା । ଆଉ କମ୍ପାନୀ ସରକାର ସେଥିରେ ମୁଣ୍ଡ ଖେଳାନ୍ତେ ବା କାହିଁକି ?

 

ଏହାର ଗୋଟିଏ ଦଶନ୍ଧିପରେ, ୧୮୭୫ ଖ୍ରୀ:ଅ:ରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେ, ଓଡ଼ିଶାର ତତ୍କାଳୀନ ଜଣେ ଦେଶବ୍ରତୀ ବିଚିତ୍ରାନନ୍ଦ ଦାସ, ବଙ୍ଗଳାର ଲେଫଟ୍‌ନାଣ୍ଟ ଗଭର୍ଣ୍ଣର ଓଡ଼ିଶା ଆସିଥିବାବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ତାଙ୍କୁ ଗୋଟିଏ ସ୍ମାରକପତ୍ର ଦେଇଥିଲେ । କିନ୍ତୁ, ସ୍ମାରକପତ୍ର ବା ଆବେଦନ ପଛରେ ସଂଗଠିତ ଆନ୍ଦୋଳନ ନଥିଲେ, ସେସବୁ କାହାରି ଉପରେ କୌଣସି ରେଖାପାତ କରେନାହିଁ । ଏହି ସ୍ମାରକପତ୍ର କ୍ଷେତ୍ରରେ ମଧ୍ୟ ତାହାହିଁ ଘଟିଲା । ଓଡ଼ିଶାରେ ସେତେବେଳେ କୌଣସି ରାଜନୈତିକ ମଞ୍ଚ ନଥିଲା । ଓଡ଼ିଆ ଭାଷାରକ୍ଷା ଆନ୍ଦୋଳନବେଳେ ଯେଉଁ କେତୋଟି ସଂଗଠନ ଗଢ଼ି ଉଠିଥିଲା, ଭାଷା ସଂକଟର ସମାଧାନ ପରେ କ୍ରମେ ସେସବୁ ନିସ୍ତେଜ ହୋଇ ଆସିଥିଲା । ଏ ପରିସ୍ଥିତିରେ ଖଣ୍ଡବିଖଣ୍ଡିତ ଓଡ଼ିଶା ପ୍ରଦେଶକୁ ଏକାଠି ମିଶାଇ, ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାପାଇଁ, ସ୍ମାରକପତ୍ର ବା ଆବେଦନ, ଲେଫଟ୍‌ନାଣ୍ଟ ଗଭର୍ଣ୍ଣରଙ୍କ ଅଳିଆ କାଗଜ ଟୋକେଇ ଭିତରକୁ ଯିବାପାଇଁ ବିଶେଷ ବିଳମ୍ବ ଲାଗି ନଥିଲା ।

 

ଏହାର କେତେବର୍ଷ ପରେ, ୧୮୮୨ ଖ୍ରୀ:ଅ:ରେ ମଧୁସୂଦନ ଦାସ, ପତ୍ନୀ ବିୟୋଗପରେ କଲିକତାରୁ କଟକ ଚାଲିଆସି, ଓକିଲାତି ବ୍ୟବସାୟ ଆରମ୍ଭ କଲେ । ସେ କଲିକତାରେ ଥିବାବେଳେ ଓଡ଼ିଶାରେ ସାଧାରଣ ରାଜନୈତିକ ଜୀବନର ଭିତ୍ତି ସ୍ଥାପନ ପାଇଁ ଚିନ୍ତା କରୁଥିଲେ । ଏବେ ଘଟଣାକ୍ରମେ, ସେ ଓଡ଼ିଶାକୁ ଆସିବା ପରେ, ତାଙ୍କୁ ସେଥିପାଇଁ ଗୋଟିଏ ସ୍ୱର୍ଣ୍ଣ ଅବକାଶ ମିଳିଗଲା । ସେତେବେଳେ ଓଡ଼ିଶାର ପ୍ରଥମ ବିଧିବଦ୍ଧ ସମ୍ବାଦପତ୍ର ‘ଉତ୍କଳ -ଦୀପିକା’ର ସ୍ୱନାମଧନ୍ୟ ସମ୍ପାଦକ ଗୌରୀଶଙ୍କର ରାୟଙ୍କ ଉଦ୍ୟମରେ କଟକରେ ସାଧାରଣ କ୍ଷେତ୍ରରେ କିଛି କିଛି କାର୍ଯ୍ୟ ଚାଲୁଥିଲା । ମଧୁସୂଦନ ତାଙ୍କରି ସାହଚର୍ଯ୍ୟ ଓ ସହଯୋଗିତାରେ ୧୮୮୨ ଖ୍ରୀ:ଅ:ରେ ସ୍ଥାପନ କଲେ, ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ ‘ଉତ୍କଳ ସଭା’ ବା ‘ଓଡ଼ିଶା ଆସୋସିଏସନ୍’ ।

 

ସମ୍ବଲପୁରରୁ ଓଡ଼ିଆଭାଷାର ବିଲୋପ-

ଏହାର କେତେବର୍ଷ ପରେ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟଣା ଘଟିଲା । ୧୮୯୫ ଖ୍ରୀ:ଅ: ଜାନୁୟାରୀ ୧୫ ତାରିଖ ଦିନ ସେଣ୍ଟ୍ରାଲ୍ ପ୍ରଭିନ୍‌ସେସ୍‌ର ଚିଫ୍‌କମିଶନର ସମ୍ବଲପୁର କୋର୍ଟ କଚୀରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରବର୍ତ୍ତନ କଲେ । ସମ୍ବଲପୁରବାସୀ ଓଡ଼ିଆ ଭାଷା ଉପରେ ଏହି ଅବାଞ୍ଛିତ ଆକ୍ରମଣ ଫଳରେ ଆନ୍ଦୋଳିତ ଓ ବିକ୍ଷୁବ୍‌ଧ ହୋଇ ଉଠିଲେ-। ସମଗ୍ର ଓଡ଼ିଶାରେ ମଧ୍ୟ ଏହା ତୀବ୍ର ଅସନ୍ତୋଷ ସୂତ୍ରପାତ କରିଥିଲା । ସେତେବେଳେ ଲର୍ଡ଼ ଏଲ୍‌ଗିନ୍‌ ଥିଲେ ଭାରତର ଭାଇସ୍‌ରାୟ । ସମ୍ବଲପୁରରୁ ଓଡ଼ିଆ ଭାଷା ଉଚ୍ଛେଦର ପ୍ରତିବାଦରେ ଲର୍ଡ଼ ଏଲ୍‌ଗିନ୍‌ଙ୍କ ନିକଟକୁ ‘‘ଉତ୍କଳ ସଭା’’ ପକ୍ଷରୁ ଯେଉଁ ପ୍ରତିବାଦ ଲିପି ପ୍ରେରିତ ହୋଇଥିଲା, ସେଥିରେ କୁହାଯାଇଥିଲା:–‘Denial to the people of the use of their mother-tongue is the worst form of gagging and is yet unknown even in the most despotic form of government.’ । ଅର୍ଥାତ୍ ଜନସାଧାରଣଙ୍କୁ ସେମାନଙ୍କ ମାତୃଭାଷାରୁ ବଞ୍ଚିତ କରିବାର ଅର୍ଥ ହେଉଛି, ସେମାନଙ୍କର ଜିଭକାଟି, ସେମାନଙ୍କୁ ନୀରବ କରାଇଦେବା । ପ୍ରବଳ ସ୍ୱେଚ୍ଛାଚାରୀ ଏକନାୟକତନ୍ତ୍ର ଶାସନରେ ସୁଦ୍ଧା ଏପରି ହୁଏନାହିଁ !

 

ଏହା ପରେ ପରେ କ୍ରମାଗତ ଭାବରେ ସମ୍ବଲପୁରରୁ ଓଡ଼ିଆ ଭାଷା ଉଚ୍ଛେଦର ବିରୋଧ କରି ଉତ୍କଳ-ସଭା ପକ୍ଷରୁ କଟକରେ ସଭାସମିତିମାନ ଆରମ୍ଭ ହୋଇଗଲା । କିନ୍ତୁ ଭାରତ ସରକାର ବା ସେଣ୍ଟ୍ରାଲ୍ ପ୍ରଭିନ୍‌ସେସ୍‌ ସରକାରଙ୍କ ଉପରେ ସେସବୁ କୌଣସି ରେଖାପାତ କରିବାରେ ସଫଳ ନହେଲେ ହେଁ ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନ ଅଞ୍ଚଳମାନଙ୍କର ଏକତ୍ରୀକରଣ ପାଇଁ ଓଡ଼ିଶାବାସୀଙ୍କ ସଂକଳ୍ପକୁ ଏହା ଦୃଢ଼ତର କରିଦେଲା ।

 

ଏହାପରେ ସମ୍ବଲପୁରର କେତେକ ପ୍ରତିନିଧିସ୍ଥାନୀୟ ବ୍ୟକ୍ତି, ସମ୍ବଲପୁରର ମହନ୍ତ ବିହାରୀ ମହାରାଜଙ୍କ ନେତୃତ୍ୱରେ ସିମ୍‌ଳା ଯାତ୍ରା କରିଥିଲେ । ଏହି ପ୍ରତିନିଧି ଦଳରେ ସମ୍ବଲପୁରର ଅନ୍ୟ ଯେଉଁ ଭଦ୍ରବ୍ୟକ୍ତିମାନେ ଯାଇଥିଲେ. ସେମାନେ ହେଉଛନ୍ତି ବ୍ରଜମୋହନ ପଟ୍ଟନାୟକ, ଶ୍ରୀପତି ମିଶ୍ର ଓ ମଦନମୋହନ ପଟ୍ଟନାୟକ । ସେତେବେଳକୁ ଲର୍ଡ଼ ଏଲ୍‌ଗିନ୍‌ଙ୍କ ପରେ ଲର୍ଡ଼ କର୍ଜନ ଭାରତର ଭାଇସ୍‌ରାୟ ପଦରେ ଅଧିଷ୍ଠିତ ଥାଆନ୍ତି । ସିମ୍‌ଳାରେ ସେତେବେଳେ ଅନୁଷ୍ଠିତ ହେଉଥିବା ଶିକ୍ଷା ସମ୍ମିଳନୀ ଉପଲକ୍ଷରେ ସେଣ୍ଟ୍ରାଲ୍ ପ୍ରଭିନ୍‌ସେସ୍‌ର ଚିଫ୍‌ କମିଶନର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସମ୍ବଲପୁରର ପ୍ରତିନିଧି ଦଳ ସିମ୍‌ଳାରେ ଉଭୟ ଲର୍ଡ଼ କର୍ଜନ ଓ ଚିଫ୍‌ କମିଶନର ଫ୍ରେବର୍‌ଙ୍କୁ ସାକ୍ଷାତ କରିବା ଅଭିପ୍ରାୟ ପୋଷଣ କରିଥିଲେ । ମଧୁସୂଦନ ସେତେବେଳେ ସିମ୍‌ଳାଠାରେ ଉପସ୍ଥିତ ରହି ଯୋଗାଯୋଗ କରାଇବା କଥା ସ୍ଥିର ହୋଇଥିଲା । ମଧୁସୂଦନ ଏଥିପାଇଁ ଲର୍ଡ଼ କର୍ଜନଙ୍କ ସହିତ ସାକ୍ଷାତ୍‌ ଉଦ୍ଦେଶ୍ୟରେ ତାଙ୍କ ସେକ୍ରେଟାରୀଙ୍କ ଠାରୁ ନିର୍ଦ୍ଦିଷ୍ଟ ସମୟ ଓ ତାରିଖ ପାଇଁ ଅନୁରୋଧ ଜଣାଇ ପତ୍ର ମଧ୍ୟ ଲେଖିଥିଲେ । କିନ୍ତୁ ସେତେବେଳେ ଲର୍ଡ଼ କର୍ଜନଙ୍କ ସେକ୍ରେଟାରୀଙ୍କ ଠାରୁ କୌଣସି ଉତ୍ତର ମିଳି ନଥିବାରୁ, ସେ ଆଉ ସିମ୍‌ଳା ଗଲେନାହିଁ । ସମ୍ବଲପୁରର ପ୍ରତିନିଧି ଦଳ ମଧ୍ୟ ଲର୍ଡ଼ କର୍ଜନ କିମ୍ବା ଚିଫ୍‌ କମିଶନର ଫ୍ରେବର୍‌ କାହାରି ସହିତ ସାକ୍ଷାତ୍‌ କରି ନପାରି, ସମ୍ବଲପୁର ବାହୁଡ଼ି ଆସିଲେ । ଏହାପରେ ଅବଶ୍ୟ ମଧୁସୂଦନ ଲର୍ଡ଼ କର୍ଜନଙ୍କ ସହିତ ସାକ୍ଷାତ୍‌ କରି, ତାଙ୍କୁ ସମ୍ବଲପୁରରୁ ଓଡ଼ିଆ ଭାଷା ଉଚ୍ଛେଦର ସମସ୍ୟା ସମ୍ପର୍କରେ ଅବହିତ କରାଇବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରିକରଣର ବହୁପୋଷିତ ଦାବୀ ସମ୍ପର୍କରେ ଅନୁଯୋଗ କରିଥିଲେ । ସେତେବେଳେ ଭାଷା ଭିତ୍ତିରେ ପ୍ରଦେଶମାନଙ୍କର ପୁନର୍ଗଠନ ପ୍ରସଙ୍ଗ, ଭାରତ ସରକାର ପରୀକ୍ଷା କରି ଦେଖୁଥିଲେ । ଏହି ସମୟରେ ଭାଇସ୍‌ରାୟ ସମ୍ବଲପୁରରୁ ଓଡ଼ିଆ ଭାଷାର ଉଚ୍ଛେଦ ଓ ଲର୍ଡ଼ କର୍ଜନଙ୍କଠାରେ ମଧୁସୂଦନଙ୍କ ଅନୁଯୋଗ, ଏ ଦିଗରେ ଲର୍ଡ଼ କର୍ଜନଙ୍କ ଚିନ୍ତାକୁ ପ୍ରଭାବିତ କରିଥିବା ପରବର୍ତ୍ତୀ ଘଟଣାବଳୀମାନଙ୍କରୁ ସ୍ପଷ୍ଟ ଜଣା ପଡ଼ିଥାଏ ।

 

ସମ୍ବଲପୁରର ପ୍ରତିନିଧି ଦଳ ଫେରିବା ବାଟେ ସି.ପି.ର ଲେଫଟ୍‌ନାଣ୍ଟ ଗଭର୍ଣ୍ଣର ବା ଚିଫ୍‌ କମିଶନର ସାର୍‌ ଆଣ୍ଡ୍ରୁ ଫ୍ରେଜରଙ୍କୁ ସାକ୍ଷାତ୍‌ କରି ସମ୍ବଲପୁରରୁ ଓଡ଼ିଆ ଭାଷାର ଉଚ୍ଛେଦ ସମ୍ପର୍କରେ ସେମାନଙ୍କ ବଳିଷ୍ଠ ପ୍ରତିବାଦ ଓ ପ୍ରତିରୋଧ ଜଣାଇଥିଲେ । ସେମାନେ ଦାବୀ କରିଥିଲେ, ଯଦି ସେଣ୍ଟ୍ରାଲ୍ ପ୍ରଭିନ୍‌ସେସ୍‌ର ମାତ୍ର ଗୋଟିଏ ଜିଲ୍ଲାରେ ଓଡ଼ିଆକୁ କୋର୍ଟ କଚେରୀର ଭାଷାରୂପେ ରଖିବା ସମ୍ଭବ ନହୁଏ ତାହେଲେ ବରଂ ସମ୍ବଲପୁରକୁ ଓଡ଼ିଶା ଡିଭିଜନ୍‌ ସହିତ ମିଶାଇ ଦିଆଯିବା ଆବଶ୍ୟକ ।

 

ଓଡ଼ିଶା ସହିତ ମିଶ୍ରଣ ପାଇଁ ସମ୍ବଲପୁରର ଜନନେତାମାନଙ୍କର ଦୃଢ଼ ସଂଙ୍କଳ୍ପ, ଅନ୍ୟ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ମଧ୍ୟ ପ୍ରତିଧ୍ଵନିତ ହୋଇଥିଲା । ସମ୍ବଲପୁର ଦେଖାଦେଖି ମାନ୍ଦ୍ରାଜ ପ୍ରେସିଡେନ୍‌ସୀରେ ଥିବା ଗଞ୍ଜାମ ଜିଲ୍ଲାର ଓଡ଼ିଆମାନେ ଭାଇସ୍‌ରୟ ଲର୍ଡ଼ କର୍ଜନଙ୍କୁ ଏକ ଆବେଦନ ପତ୍ର ପଠାଇ, ସେଥିରେ ଶରୀରରୁ ବିଚ୍ଛିନ୍ନ ଅଙ୍ଗପରି ଗଞ୍ଜାମ କଟା ହୋଇପଡ଼ିଛି, ‘a limb separated from the body’ ବୋଲି ଦର୍ଶାଇ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କୁ ବଙ୍ଗଳା ସରକାର ହେଉ ବା ଅନ୍ୟ ଯେକୌଣସି ସରକାର ହେଉ, ଏକ ଶାସନ ଓ ଏକ ବିଶ୍ୱବିଦ୍ୟାଳୟ ଅଧୀନରେ ରଖିବାପାଇଁ ଦାବୀ କରିଥିଲେ ।

 

ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ, ଓଡ଼ିଶା ସହିତ ମିଶ୍ରଣପାଇଁ ବ୍ୟାକୁଳତା କ୍ରମେ ବୃଦ୍ଧି ପାଉଥିବା ବେଳେ, ୧୯୦୧ ଖ୍ରୀ:ଅ:ରେ ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ନେତୃତ୍ୱରେ ରମ୍ଭା ପ୍ରାସାଦରେ ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବିଚାର ଆଲୋଚନା ପାଇଁ ଗୋଟିଏ ଛୋଟ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଖଲ୍ଲିକୋଟ ରାଜାଙ୍କ ବ୍ୟତୀତ ତତ୍‌କାଳୀନ ଜଣେ ବିଶିଷ୍ଟ ସାମ୍ବାଦିକ ଓ ସମ୍ପାଦକ ନୀଳମଣି ବିଦ୍ୟାରତ୍ନ, ଗଞ୍ଜାମ ଜିଲ୍ଲାର ପ୍ରଥମ ଓଡ଼ିଆ ଓକିଲ ହରିହର ପଣ୍ଡା ଓ ନରସିଂହ ଦାସ ଯୋଗ ଦେଇଥିଲେ । ମଧୁସୂଦନ ଦାସଙ୍କ ନେତୃତ୍ୱରେ ସମନ୍ୱିତ ଭାବରେ କାର୍ଯ୍ୟ କରିବା ପାଇଁ, ଏହି ବୈଠକରେ ସେମାନଙ୍କର ନିଷ୍ପତ୍ତି ହୋଇଥିଲା । ଏହି ସମୟରେ ପାରଳାଖେମୁଣ୍ଡିର ଗଜପତି ମହାରାଜା ପଦ୍ମନାଭ ଦେବ, ଗଞ୍ଜାମ ଜିଲ୍ଲାର ଓଡ଼ିଆ ଅଧିବାସୀମାନଙ୍କର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ, ‘ଉତ୍କଳ-ହିତୈଷିନୀ’ ସଭା ସ୍ଥାପନ କରିଥିଲେ । ଏହି ସଭା ପକ୍ଷରୁ ଓଡ଼ିଶା ସହିତ ଗଞ୍ଜାମ ଜିଲ୍ଲାର ମିଶ୍ରଣ ଦାବୀ ଉଚ୍ଚାରିତ ହେବାରେ ଲାଗିଲା । ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଏହିପରି ବହୁ ବିଚ୍ଛିନ୍ନ ଉଦ୍ୟମ, ଏକ ମଞ୍ଚରେ ସମନ୍ୱିତ ଉଦ୍ୟମ ପାଇଁ ଗୋଟିଏ ବାତାବରଣ ସୃଷ୍ଟି କରିଦେଲା ।

 

ଗଞ୍ଜାମ ଜାତୀୟ-ସମିତି

ଇତି ମଧ୍ୟରେ ୧୯୦୩ ଖ୍ରୀ: ଅ: ଅପ୍ରେଲ ମାସରେ, ବ୍ରହ୍ମପୁରରେ ଗଞ୍ଜାମ ନ୍ୟାସନାଲ୍‌ କନଫରେନ୍‌ସ୍‌ ବା ଗଞ୍ଜାମ ଜାତୀୟ ସମିତିର ଏକ ଅଧିବେଶନ ଆହୂତ ହେଲା । କଟକରୁ ମଧୁସୂଦନ ଦାସ ଏଥିରେ ଯୋଗ ଦେବାପାଇଁ ଆମନ୍ତ୍ରିତ ହୋଇଥିଲେ । ତାଙ୍କୁ ବ୍ରହ୍ମପୁର ସହରରେ ଅଭୂତପୂର୍ବ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେତେବେଳେ ଗଞ୍ଜାମର ଜନମାନସରେ ସେ ଯେପରି ଏକମାତ୍ର ତ୍ରାଣକର୍ତ୍ତା ରୂପେ ଗଞ୍ଜାମବାସୀଙ୍କ ଦୃଷ୍ଟିରେ ବିବେଚିତ ହେଉଥିଲେ । ଜାତୀୟ ସମିତିର ଏହି ଅଧିବେଶନରେ ମଧୁସୂଦନଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବୈଧାନିକ ପନ୍ଥାରେ ବିଧିବଦ୍ଧ ଆନ୍ଦୋଳନ ପାଇଁ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବ ପ୍ରସ୍ତାବ ଦେଇଥିଲେ । ମଧୁସୂଦନ କିନ୍ତୁ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କରୁ ପ୍ରତିନିଧିମାନଙ୍କୁ ଘେନି ଆଉ ଗୋଟିଏ ବୃହତ୍ତର ସମ୍ମିଳନୀର ଆୟୋଜନ କରିବାପାଇଁ ଏଥିରେ ପ୍ରସ୍ତାବ ଦେଇଥିଲେ ଓ ତାହା ଗଞ୍ଜାମ ଜାତୀୟ ସମିତି ଅଧିବେଶନରେ ଅନୁମୋଦିତ ହୋଇଥିଲା ।

 

୧୯୦୨ ଖ୍ରୀ:ଅ:ରେ ମାନ୍ଦ୍ରାଜ ସହରରେ କଂଗ୍ରେସର ଜାତୀୟ ଅଧିବେଶନ ବସିଲା । ସାର୍‌ ସୁରେନ୍ଦ୍ରନାଥ ବାନାର୍ଜୀ ଏହି ଅଧିବେଶନରେ ପୌରୋହିତ୍ୟ କରିଥିଲେ । ଅନ୍ୟ ଅଧିବେଶନମାନଙ୍କ ପରି, ଏହି ଅଧିବେଶନରେ ମଧ୍ୟ ମଧୁସୂଦନ ଦାସ ଓ ଗୌରୀଶଙ୍କର ରାୟ ପ୍ରତିନିଧି ରୂପେ ଯୋଗ ଦେଇଥିଲେ । ଏହି ଅଧିବେଶନରେ, ମାନ୍ଦ୍ରାଜ ପ୍ରେସିଡେନ୍‌ସୀର ଦୁଇଜଣ ଡେଲିଗେଟ୍, ଓଡ଼ିଶା ଡିଭିଜନ୍‌ ସହିତ ଓଡ଼ିଆଭାଷୀ ଗଞ୍ଜାମ ଜିଲ୍ଲାର ମିଶ୍ରଣପାଇଁ ଏକ ପ୍ରସ୍ତାବ ଦେଇଥିଲେ । ମାତ୍ର ସେଠାରେ ଏହାର ପ୍ରତିରୋଧ ହେବାରୁ ପ୍ରସ୍ତାବଟି ନାକଚ ହୋଇଗଲା । ବ୍ରହ୍ମପୁରର ଜି. ରାଘବ ରାଓ ନାମକ ଜଣେ ପ୍ରତିନିଧି, ଓଡ଼ିଶା ସହିତ ଗଞ୍ଜାମ ମିଶ୍ରଣ ପ୍ରସ୍ତାବର ଘୋର ବିରୋଧ କରିଥିଲେ । ବ୍ରିଟିଶ ଶାସନରେ ଉପେକ୍ଷିତ ଓ ଅବହେଳିତ ଓଡ଼ିଶାର ଯୁକ୍ତିଯୁକ୍ତ ଦାବୀ ପ୍ରତି କଂଗ୍ରେସ ମଞ୍ଚରେ ଏ ପ୍ରକାର ଉପେକ୍ଷାର ଯୁକ୍ତିଯୁକ୍ତ କାରଣ ମଧୁସୂଦନ ବୁଝିପାରିଲେ ନାହିଁ । କଂଗ୍ରେସ ଅନୁଷ୍ଠାନ ମଧ୍ୟରେ ରହି ଓଡ଼ିଶା ପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନକୁ ଯେ ସଫଳ କରିହେବ, ଏଥିରେ ମଧୁସୂଦନଙ୍କ ସନ୍ଦେହ ଜନ୍ମିଲା । ଏହା ପରଠାରୁ, ସେ ଆଉ କଂଗ୍ରେସ ଅଧିବେଶନରେ ଯୋଗ ଦେଇନାହାନ୍ତି । କଂଗ୍ରେସ ସହିତ ତାଙ୍କର ଭାବଗତ ସମ୍ପର୍କ ଛିନ୍ନ ହୋଇ ନଥିଲେ ହେଁ, ଆନୁଷ୍ଠାନିକ ସମ୍ପର୍କ ଏକ ପ୍ରକାର ଛିନ୍ନ ହୋଇଗଲା ।

 

ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍ଦେଶ୍ୟରେ ସେ ଗୋଟିଏ ସ୍ୱତନ୍ତ୍ର ଅନୁଷ୍ଠାନ ଗଠନ ପାଇଁ ଚିନ୍ତା କରିବାକୁ ଲାଗିଲେ ।

 

ରିସ୍‌ଲେ-ସର୍କୁଲାର୍‌

୧୯୦୩ ଖ୍ରୀ:ଅ: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସରେ ଗୋଟିଏ ଉଲ୍ଲେଖଯୋଗ୍ୟ ବର୍ଷ । ଏହି ବର୍ଷ ଆରମ୍ଭରେ ଜାନୁଆରୀ ପହିଲା ଦିନ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷା ପୁଣି ପ୍ରବର୍ତ୍ତିତ ହେଲା । ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାର ପୁନଃ ପ୍ରଚଳନ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନକୁ ଯେ ଆଉରି ପ୍ରୋତ୍ସାହିତ କରିଦେଲା, ତାହା ଏଠାରେ ଉଲ୍ଲେଖ କରିବା ନିଷ୍ପ୍ରୟୋଜନ ।

 

ଏହି ସମୟରେ ଭାରତ ସରକାରଙ୍କ ‘ରିସ୍‌ଲେ ସର୍କୁଲାର’ ଘୋଷଣା ଆଉ ଏକ ଉଲ୍ଲେଖନୀୟ ଘଟଣା । ଏଠାରେ ସ୍ମରଣ କରାଯାଇପାରେ, ସମ୍ବଲପୁର ଜିଲ୍ଲାର କୋର୍ଟ କଚେରୀମାନଙ୍କରୁ ଓଡ଼ିଆ ଭାଷାକୁ ଯେପରି ଅନ୍ୟାୟ ଓ ଅଯୌକ୍ତିକ ଭାବରେ ଉଚ୍ଛେଦ କରାଗଲା, ତାହାର ପ୍ରତିକାର ଲୋଡ଼ିବା ପାଇଁ ମଧୁସୂଦନ ଭାଇସ୍‌ରୟ ଲର୍ଡ଼ କର୍ଜନଙ୍କୁ ସିମ୍‌ଳାଠାରେ ସାକ୍ଷାତ କରି ତାଙ୍କୁ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣର ଆବଶ୍ୟକତା ସମ୍ପର୍କରେ ହୃଦ୍‌ବୋଧ କରାଇଥିଲେ । ଲର୍ଡ଼ କର୍ଜନ୍‌ ଇତିପୂର୍ବରୁ ଓଡ଼ିଶା ଆସି ମନ୍ଦିରମାଳିନୀ ଭୁବନେଶ୍ୱରର ମନ୍ଦିର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ସୂକ୍ଷ୍ମତା ଓ ସୌକୁମାର୍ଯ୍ୟ ସ୍ୱଚକ୍ଷୁରେ ଦେଖି କେବଳ ଯେ ବିସ୍ମିତ ହୋଇଥିଲେ ତା’ ନୁହେଁ, ଓଡ଼ିଶା ପ୍ରତି ଅତ୍ୟନ୍ତ ଅନୁରକ୍ତ ହୋଇ ଉଠିଥିଲେ । ବ୍ରିଟିଶ୍‌ ଶାସନରେ ଓଡ଼ିଶା କିପରି ଉପେକ୍ଷିତ ଅବସ୍ଥାରେ ପଡ଼ିଛି, ତାହା ମଧ୍ୟ ସେ ଉପଲବ୍‌ଧି କରିଥିଲେ । ଏବେ ସମ୍ବଲପୁର ଜିଲ୍ଲାରୁ ଓଡ଼ିଆ ଭାଷାର ଉଚ୍ଛେଦ ଉପେକ୍ଷା ଓ ଅବିଚାରର ସେହି କାହାଣୀରେ ଆଉ ଗୋଟିଏ ଅଧ୍ୟାୟ ଯୋଗ କରିଥିଲା । ଲର୍ଡ଼ କର୍ଜନଙ୍କ ସହିତ ମଧୁସୂଦନଙ୍କର ଏହି ଐତିହାସିକ ସାକ୍ଷାତର ଫଳଶ୍ରୁତି ସ୍ୱରୂପ, ଭାରତ ସରକାରଙ୍କ ହୋମ୍ ଡିପାର୍ଟମେଣ୍ଟରୁ ପ୍ରକାଶ ପାଇଥିଲା ‘ରିସ୍‌ଲେ ସର୍କୁଲାର’ । ଏଥିରେ ଭାଷା ଭାରତର ପ୍ରଦେଶମାନଙ୍କର ଭିତ୍ତିରୂପେ ବିବେଚିତ ହେବା ବାଞ୍ଛନୀୟ ବୋଲି ସ୍ୱୀକାର କରାଯାଇଥିଲା । ମଧୁସୂଦନଙ୍କ ଚିନ୍ତା ଓ ଉଦ୍ୟମକୁ ଏହା ଯେ ଆହୁରି ଉତ୍ସାହିତ କଲା, ସେଥିରେ ସନ୍ଦେହ ନାହିଁ ।

 

ରିସ୍‌ଲେ ସର୍କୁଲାରରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସୀମା ସରହଦ୍ ବର୍ଣ୍ଣନା କରି କୁହାଯାଇଥିଲା....

 

‘‘x x Oriya has been already referred to as the prevalent language of Orissa both in the plain District and in the Tributary Mahals. It is also the vernacular of a large surrounding area’’.

 

ରିସ୍‌ଲେ-ସର୍କୁଲାରରେ ଏହା ମଧ୍ୟ ସୂଚିତ ହୋଇଥିଲା-

(କ)

ସମ୍ବଲପୁର ଓ ମଧ୍ୟପ୍ରଦେଶ ଅଧୀନରେ ଥିବା ସମୀପବର୍ତ୍ତୀ କେତେକ କରଦ ରାଜ୍ୟ;

(ଖ)

ବଙ୍ଗଳା ଅଧୀନରେ ଥିବା ଛୋଟନାଗପୁର ଅନ୍ତର୍ବର୍ତ୍ତୀ ସିଂହଭୂମି ଜିଲ୍ଲାର ଏକ ଅଂଶ;

(ଗ)

ମାନ୍ଦ୍ରାଜ ଅଧୀନରେ ଥିବା ଗଞ୍ଜାମ ଜିଲ୍ଲା । ଏ ଜିଲ୍ଲାର ମୋଟ୍ ୧୬,୮୯,୦୦୦ ଅଧିବାସୀଙ୍କ ମଧ୍ୟରୁ ୧୨,୭୫,୦୦୦ ଓଡ଼ିଆଭାଷୀ ଅଟନ୍ତି ।

(ଘ)

ମାନ୍ଦ୍ରାଜ ଶାସନାଧୀନ ଗଞ୍ଜାମ ଏଜେନ୍‌ସୀ ଅଞ୍ଚଳ । ଏଥିରେ ବାସ କରୁଥିବା ମୋଟ୍ ୩,୨୧,୦୦୦ ଅଧିବାସୀଙ୍କ ମଧ୍ୟରୁ ୮୭,୦୦୦ ଓଡ଼ିଆଭାଷୀ ଅଟନ୍ତି । ଏ ଅଞ୍ଚଳର ସଂଖ୍ୟାଗରିଷ୍ଠ (୧,୫୭,୦୦୦) ଅଧିବାସୀ କନ୍ଧଭାଷା ବ୍ୟବହାର କରିଥାନ୍ତି । ଏହା ଏକ ଦ୍ରାବିଡ଼ୀୟ ଭାଷା । ଶିକ୍ଷାର ବିସ୍ତାର ସଙ୍ଗେ ସଙ୍ଗେ ଓଡ଼ିଆ ଭାଷା ଏହାର ସ୍ଥାନ ଅଧିକାର କରିବ । ଏ ଅଞ୍ଚଳରେ ତେଲୁଗୁଭାଷୀଙ୍କ ସଂଖ୍ୟା ମାତ୍ର ୫,୮୦୦ ।

(ଙ)

ମାନ୍ଦ୍ରାଜ ଶାସନାଧୀନରେ ଥିବା ବିଶାଖାପାଟଣାର ଏଜେନ୍‌ସୀ ଅଞ୍ଚଳ । ଏଥିର ୮,୫୦,୦୦୦ ଅଧିବାସୀଙ୍କ ମଧ୍ୟରୁ ୪,୦୮,୦୦୦ ଓଡ଼ିଆଭାଷୀ ଅଟନ୍ତି ।

 

ଏ ସବୁ ଓଡ଼ିଆଭାଷୀ ଅଞ୍ଚଳ ଭାଷା ଦୃଷ୍ଟିରୁ, ଓଡ଼ିଶା ଡିଭିଜନ୍‌ ସହିତ ମିଶିବା ବାଞ୍ଛନୀୟ ବୋଲି ରିସ୍‌ଲେ ସର୍କୁଲାର୍‌ରେ ସୁପାରିସ କରାଯାଇଥିଲା ।

 

ଭାରତ ସରକାରଙ୍କ ରିସ୍‌ଲେ-ସର୍କୁଲାରରେ, ଭାଷାଭିତ୍ତିକ ପ୍ରଦେଶ ଗଠନର ନୀତି ଘୋଷିତ ହୋଇଥିବାବେଳେ, କଂଗ୍ରେସ୍‌ କେବଳ ରାଜନୈତିକ କାରଣରୁ ଏହାର ପ୍ରବଳ ବିରୋଧ କରୁଥିଲା । ସେହିବର୍ଷ ଡିସେମ୍ବର ମାସରେ ଏହ୍ଲାହାବାଦରେ ଭାରତୀୟ ଜାତୀୟ କଂଗ୍ରେସ୍‌ର ଯେଉଁ ଅଧିବେଶନ ବସିଥିଲା, ସେଥିରେ ଭଷାଭିତ୍ତିକ ପ୍ରଦେଶ ଗଠନର ତୀବ୍ର ବିରୋଧ କରାଯାଇ, ପ୍ରଚଳିତ ପ୍ରେସିଡେନ୍‌ସୀ ବ୍ୟବସ୍ଥାକୁ, କାଏମ୍ ରଖିବା ପାଇଁ ଗୋଟିଏ ପ୍ରସ୍ତାବ ଆନୁଷ୍ଠାନିକ ଭାବରେ ଗୃହୀତ ହୋଇଥିଲା ।

 

ଏହାପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉତ୍କଳ ସମ୍ମିଳନୀ ବ୍ୟତୀତ ଓଡ଼ିଶାବାସୀଙ୍କ ପକ୍ଷରେ, ଅନ୍ୟ ବିକଳ୍ପ ପନ୍ଥା ନଥିଲା ।

 

ଉତ୍କଳ ସମ୍ମିଳନୀ

ଉତ୍କଳ ସମ୍ମିଳନୀ ଏହି ପରିସ୍ଥିତିରେ ଜନ୍ମଲାଭ କରିଥିଲା ୧୯୦୩ ଖ୍ରୀ: ଅ: ଡିସେମ୍ବର ମାସରେ । ଏହାର ପ୍ରଥମ ଅଧିବେଶନ କଟକରେ ଡିସେମ୍ବର ୩୦ ଓ ୩୧ ତାରିଖ ଦିନ ମୟୁରଭଞ୍ଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ବିଚ୍ଛିନ୍ନ ଓଡ଼ିଆ ଭଷାଭାଷୀ ଅଞ୍ଚଳମାନଙ୍କୁ ଜଣେ ଚିଫ୍ କମିଶନରଙ୍କ ଶାସନାଧୀନରେ ରଖିବା ପାଇଁ ପ୍ରସ୍ତାବ ଆଣିଥିଲେ । ତାହା ସର୍ବସମ୍ମତିକ୍ରମେ ଏହି ଅଧିବେଶନରେ ଗୃହୀତ ହୋଇଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ ଓ ଉପାନ୍ତବର୍ତ୍ତୀ ଓଡ଼ିଆ ଅଞ୍ଚଳମାନଙ୍କରେ ଓଡ଼ିଆ ଭାଷାଭାଷୀମାନଙ୍କର ବିଭିନ୍ନ ସ୍ୱାର୍ଥରକ୍ଷା, ଉତ୍କଳ ସମ୍ମିଳନୀର ଏକ ପ୍ରଧାନ ଲକ୍ଷ୍ୟରୂପେ ଏହି ଅଧିବେଶନରେ ଗୃହୀତ ହୋଇଥିଲା ।

 

ଏହି ସମୟରେ ପ୍ରଶାସନିକ କାରଣରୁ, ବଙ୍ଗଳା ପ୍ରେସିଡେନ୍‌ସୀରୁ ପୂର୍ବ ବଙ୍ଗଳାକୁ କାଢ଼ିନେଇ, ତାହାକୁ ଆସାମ ସହିତ ମିଶାଇ, ଜଣେ ଲେଫଟ୍‌ନାଣ୍ଟ ଗଭର୍ଣ୍ଣରଙ୍କ ଅଧୀନରେ ରଖାଯିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଲେ । ବିଖଣ୍ଡିତ ବଙ୍ଗଳା ପ୍ରେସିଡେନ୍‌ସୀର ଆୟତନ ସମତୁଲ ରଖିବା ପାଇଁ, ସମ୍ବଲପୁର ଜିଲ୍ଲାକୁ ମଧ୍ୟପ୍ରଦେଶରୁ କାଢ଼ିଆଣି ୧୯୦୫ ଖ୍ରୀ.ଅ ରେ ବଙ୍ଗଳା ପ୍ରେସିଡେନ୍‌ସୀ ଅନ୍ତର୍ଗତ ଓଡ଼ିଶା ଡିଭିଜନ ସହିତ ମିଶାଇ ଦିଆଗଲା । ବଙ୍ଗଳାରେ ଏହା ସେତେବେଳେ ତୁମୁଳ ବିକ୍ଷୋଭ ଓ ଆନ୍ଦୋଳନର ସୂତ୍ରପାତ କରିଥିଲେ ହେଁ, ଲର୍ଡ଼ କର୍ଜନଙ୍କ ଏହି ନିଷ୍ପତ୍ତି ଓଡ଼ିଶାରେ ଅଭିନନ୍ଦିତ ହୋଇଥିଲା । ସେଥିପାଇଁ ଲର୍ଡ଼ କର୍ଜନ ବଙ୍ଗଳାରେ, ‘ଦୁର୍ଜନ କର୍ଜନ’ ବୋଲି ନିନ୍ଦିତ ଥିଲେ ହେଁ ସ୍ୱାଭାବିକ କାରଣରୁ ସେ ଓଡ଼ିଶାରେ ଅଭିନନ୍ଦିତ ଥିଲେ । ସମ୍ବଲପୁର ଜିଲ୍ଲାର ଓଡ଼ିଶା ସହିତ ମିଶ୍ରଣ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ସେତେବେଳେ ସମସ୍ତଙ୍କର ଉତ୍ସାହ ଓ ଆଶାକୁ ବଢ଼ାଇ ଦେଇଥିଲା ।

 

ଏହାପରେ ୧୯୦୭ ଖ୍ରୀ: ଅ: ଡିସେମ୍ବର ମାସରେ ଶାସନ ସଂସ୍କାର ସମ୍ପର୍କରେ ନିଯୁକ୍ତ ଡିସେଣ୍ଟ୍ରାଲାଇଜେସନ୍ କମିଶନ୍, କଲିକତା ଆସିଲେ । ଲର୍ଡ଼ ଉଏଲ୍‌ବୀ ଥିଲେ, ଏହି କମିଶନର ଅଧ୍ୟକ୍ଷ । କେନ୍ଦ୍ରଶାସନର ଠୁଳୀକୃତ କ୍ଷମତା ପ୍ରାଦେଶିକ ସ୍ତରରୁ, ପୁଣି ଆଉ କେତେକ କ୍ଷମତା ଜିଲ୍ଲା ସ୍ତରକୁ ହସ୍ତାନ୍ତରିତ କରିବା ସମ୍ପର୍କରେ ପ୍ରସ୍ତାବ ପରୀକ୍ଷା କରିବା ଏହି କମିଶନର ବିଚାର୍ଯ୍ୟ ଥିଲା । ମଧୁସୂଦନ କଲିକତାଠାରେ ଏହି କମିଶନଙ୍କ ଆଗରେ ଉତ୍କଳ ସଭା ପକ୍ଷରୁ ସାକ୍ଷ୍ୟଦେଇ, ଓଡ଼ିଆ ଭାଷାଭାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଦେଶ ଦାବୀ କରିଥିଲେ । ଓଡ଼ିଆଭାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଦେଶ ନ ଥିବାରୁ, ଶାସନ ବିକେନ୍ଦ୍ରୀକରଣର ସବୁ ସୁଫଳ ଓଡ଼ିଆମାନଙ୍କ ପକ୍ଷରେ ହେବ, ‘ବେଲ ପାଚିଲେ କାଉର କି ଯାଏ ଆସେ’ ପରି ! ମାତ୍ର ଉଏଲ୍‌ବୀ କମିଶନ୍ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଓଡ଼ିଶାର ବହୁ ପୋଷିତ ଦାବୀ ସମ୍ପର୍କରେ, ବିଶେଷ କିଛି କରିପାରି ନଥିଲେ ।

 

ଏହାପରେ ୧୯୧୧ ଖ୍ରୀ: ଅ:ରେ ଦିଲ୍ଲୀରେ ଦରବାର ଉପଲକ୍ଷେ ଭାରତକୁ ଆସିଥିଲେ, ସମ୍ରାଟ ପଞ୍ଚମ ଜର୍ଜ । ଲର୍ଡ଼ କର୍ଜନଙ୍କ ବଙ୍ଗଭଙ୍ଗକୁ ରଦ୍ଦ କରିବାର ଘୋଷଣା, ଏହି ଦରବାରରେ ପ୍ରକାଶ ପାଇଲା । ସେଥି ସଙ୍ଗେ ସଙ୍ଗେ ବଙ୍ଗଳା ପ୍ରେସିଡେନ୍‌ସୀର ବିଶାଳ ଆୟତନ ଦୃଷ୍ଟିରୁ ପୁଣି ହିନ୍ଦୀଭାଷୀ ବିହାରର ସ୍ୱକୀୟତା ରକ୍ଷାପାଇଁ ବିହାରକୁ ଭାଷାସୂତ୍ରରେ ବଙ୍ଗଳା ପ୍ରସିଡେନ୍‌ସୀରୁ କାଢ଼ିନେଇ ଅଲଗା କରି ଦିଆଗଲା । କିନ୍ତୁ ଓଡ଼ିଶାର ଦୁର୍ଭାଗ୍ୟ, ଓଡ଼ିଶା ଭାଷାଭାଷୀଙ୍କ ପ୍ରତି ସେହି ଭାଷାନୀତି ପ୍ରଯୋଜ୍ୟ ନ ହୋଇ, ଓଡ଼ିଶାକୁ ବିହାର ସହିତ ବିହାର-ଓଡ଼ିଶା ପ୍ରଦେଶରେ, ମାଡ଼ିମକଚି ରଖାଗଲା । ଏହାର କୈଫିୟତ୍ ହେଲା ପୁଣି ଓଡ଼ିଆଙ୍କ ପକ୍ଷରେ, ‘‘କଟା ଘା’ ରେ ଲୁଣଛିଟା’’ ଦେବାପରି । ଭାରତ ସରକାରଙ୍କ ଯୁକ୍ତି ହେଲା; ଓଡ଼ିଶାକୁ ବିହାର ସହିତ ରଖାନଗଲେ ବିହାରର କୌଣସି ‘Sea Board’ ବା ସମୁଦ୍ର ଉପକୂଳବର୍ତ୍ତୀ ବେଳାଭୂମି ରହିବ ନାହିଁ । ବିହାରର ସମୁଦ୍ର ଉପକୂଳବର୍ତ୍ତୀ ବେଳାଭୂମି ପାଇଁ ଓଡ଼ିଶାକୁ ସେତେବେଳେ ଯେପରି ସମୁଦ୍ର ଗର୍ଭରେ ବିସର୍ଜ୍ଜନ ଦିଆଗଲା ! ବିଲାତ ପାର୍ଲିଆମେଣ୍ଟରେ ଲର୍ଡ଼ କର୍ଜନ କିନ୍ତୁ ଓଡ଼ିଆଙ୍କ ପ୍ରତି ଏ ଅବିଚାରର ତୀବ୍ର ପ୍ରତିବାଦ କରି, ‘ହାଉସ୍ ଅଫ୍ ଲର୍ଡ଼୍‍ସ୍‍ରେ ରୟାଲ୍ ପ୍ରୋକ୍ଲାମେସନ୍ ବିତର୍କିତ ହେଉଥିବା ବେଳେ, ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ, ‘The interests of Oriyas have been sacrificed without compunction and that the callous indifference for Oriya interest has been due to the fact that the Oriyas are a non-agitating people.

 

ମଣ୍ଟେଗୁ-ଚେମ୍ସଫୋର୍ଡ଼ ରିଫର୍ମ୍‍ସ

ଏହାପରେ ୧୯୧୭ ଖ୍ରୀ:ଅ:ରେ ଚେମ୍ସଫୋର୍ଡ଼ ଭାରତର ଭାଇସ୍‌ରୟ ଥିବାବେଳେ, ସେକ୍ରେଟେରୀ ଅଫ୍ ଷ୍ଟେଟସ୍, ଏଡ଼ଉଇନ୍ ମଣ୍ଟେଗୁ ଭାରତକୁ ଆସିଲେ; ପରବର୍ତ୍ତୀ ଶାସନ-ସଂସ୍କାର ସମ୍ପର୍କରେ ଭାରତର ରାଜନୈତିକ ଓ ସାମାଜିକ ପରିସ୍ଥିତି ଅନୁଧ୍ୟାନ କରି, ପ୍ରସ୍ତାବିତ ଶାସନ ସଂସ୍କାର ସମ୍ପର୍କରେ ରିପୋର୍ଟ ଦେବାପାଇଁ । ଏହି ଉଦ୍ଦେଶ୍ୟରେ, ଚେମ୍ସଫୋର୍ଡ଼ ଓ ମଣ୍ଟେଗୁଙ୍କୁ ଘେନି ଗୋଟିଏ କମିଟି ଗଠିତ ହୋଇଥିଲା । ଏମାନଙ୍କ ନିକଟରେ କଲିକତାଠାରେ ସାକ୍ଷ୍ୟ ଦେବାପାଇଁ ୧୯୧୭ ଖ୍ରୀ:ଅ: ୧୧ ତାରିଖ ଡିସେମ୍ବର ଦିନ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ-ସମ୍ମିଳନୀର ଗୋଟିଏ କମିଟୀ କଲିକତା ଯାତ୍ରା କରିଥିଲେ । ଏ କମିଟିର ଅନ୍ୟ ସଭ୍ୟମାନେ ଥିଲେ ଗୋପବନ୍ଧୁ ଦାସ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ସୁଦାମ ଚରଣ ନାୟକ, ବ୍ରଜସୁନ୍ଦର ଦାସ, ହରିହର ପଣ୍ଡା, ଓ ଶୋଭାଚନ୍ଦ୍ର ସିଂହଦେଓ । ଏମାନେ ମଣ୍ଟେଗୁ ଚେମ୍ସଫୋର୍ଡ଼ କମିଟୀଠାରେ ଦାବୀ କରିଥିଲେ ଯେ, ଉପସ୍ଥିତ ପରିସ୍ଥିତିରେ ସବୁ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଅନ୍ତତଃ ଗୋଟିଏ ପ୍ରାଦେଶିକ ଶାସନାଧୀନରେ ରଖାଯିବା ବାଞ୍ଛନୀୟ ।

 

ଏହି କମିଶନର ରିପୋର୍ଟ ଭିତ୍ତିରେ ୧୯୧୯ ଖ୍ରୀଷ୍ଟାବ୍ଦରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ, ବିଲାତ ପାର୍ଲାମେଣ୍ଟରେ ପାସ୍‌ ହୋଇଗଲା । ମଣ୍ଟେଗୁ ଚେମ୍ସଫୋର୍ଡ଼ ରିପୋର୍ଟରେ, ଭାଷା ଭିତ୍ତିରେ ପ୍ରଦେଶ ଗଠନ ସୁପାରିଶ ଥିବାରୁ, ବିହାର-ଓଡ଼ିଶା ଲେଜିସ୍ଲେଟିଭ୍ କାଉନ୍‌ସିଲରେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ ଓ ଓଡ଼ିଶା ପ୍ରଦେଶ ଗଠନ ଦାବୀ କରି, ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଗଲା । ଏହି ପ୍ରସ୍ତାବ କ୍ରମେ ଫିଲିପ୍-ଡଫ୍ କମିଟି ନିଯୁକ୍ତ ହେଲା, ମାନ୍ଦ୍ରାଜ ପ୍ରେସିଡେନ୍‌ସୀରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଓଡ଼ିଶା ସହିତ ମିଶ୍ରଣ ପ୍ରସ୍ତାବ ପରୀକ୍ଷା କରି ଦେଖିବା ପାଇଁ ଏହି କମିଟୀର ରିପୋର୍ଟରେ କୁହାଗଲା :

‘‘There is a genuin, long standing and deelseated desire on the part of the educated Oriya classes of the Oriya speaking tracts for amalgamation of these tracts with Orissa under one administration’’.

ଏହି ରିପୋର୍ଟର ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଠିତ ହୋଇଥିଲା ଇଣ୍ଡିଆନ ଷ୍ଟାଚ୍ୟୁଟାରୀ କମିଶନ ବା ସାଇମନ କମିଶନ । ଓଡ଼ିଶା ପ୍ରଦେଶ ଗଠନର ଇତିହାସରେ ସାଇମନ କମିଶନଙ୍କର ଭାରତ ଆଗମନ ଏକ ଅତି ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା । କାରଣ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ପ୍ରସ୍ତାବ ସମ୍ପର୍କରେ ନିର୍ଦ୍ଦିଷ୍ଟ ପରାମର୍ଶ ଦେବା, କମିଶନର ବିଷୟସୂଚୀରେ ଅନ୍ତର୍ଭୁକ୍ତ ଥିଲା । ତେଣୁ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସାଇମନ କମିଶନ ଓଡ଼ିଶା ପକ୍ଷରେ କିପରି ମହତ୍ତ୍ୱପୂର୍ଣ୍ଣ ଥିଲା, ତାହା ଉଲ୍ଲେଖ କରିବା ନିଷ୍ପ୍ରୟୋଜନ ।

ମାତ୍ର ସେତେବେଳେ ରାଜନୈତିକ କାରଣରୁ ଭାରତୀୟ ଜାତୀୟ କଂଗ୍ରେସ ସାଇମନ କମିସନକୁ ବୟକଟ କରିଥିବାରୁ, ଓଡ଼ିଶାରେ ଗୋପବନ୍ଧୁ ଦାସ ପ୍ରମୁଖ କଂଗ୍ରେସ ନେତାମାନେ ସାଇମନ କମିଶନକୁ ବୟକଟ କରିବା ଓ କଳାପତାକା ପ୍ରଦର୍ଶନ କରିବା ପାଇଁ ପ୍ରବଳ ଉଦ୍ୟମ ଆରମ୍ଭ କରିଥିଲେ । ମାତ୍ର ମଧୁସୂଦନ ତାଙ୍କ ଦୂରଦୃଷ୍ଟିରେ ସ୍ପଷ୍ଟ କଳନା କରିପାରିଥିଲେ, ସାଇମନ କମିଶନକୁ ବର୍ଜନ କରିବାରେ କଂଗ୍ରେସର ରାଜନୈତିକ ଲାଭ ହୋଇପାରେ, ମାତ୍ର ଏଥିରେ ଓଡ଼ିଶାର ସମୂହ କ୍ଷତି ସୁନିଶ୍ଚିତ । ସେଥିପାଇଁ ସେ ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କଟକ ସହରରେ ସାଇମନ କମିଶନକୁ ଅଭ୍ୟର୍ଥନା ଜଣାଇ, କମିଶନଙ୍କ ନିକଟରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ରଦେଶଗଠନର ଦାବୀ ଉପସ୍ଥାପିତ କରିଥିଲେ । ସେତେବେଳେ କମିଶନ ଆଗରେ ମଧୁସୂଦନ ନିଜକୁ ଓଡ଼ିଆ ଜାତିର ‘ପ୍ରଥମ ଗ୍ରାଜୁଏଟ’ ବୋଲି କହି ପରିଚିତ କରାଇଥିଲେ ।

ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ପରୀକ୍ଷା ପାଇଁ ଶ୍ରମିକ ଦଳର ନେତା ମେଜର ଅଟ୍‌ଲୀଙ୍କ ନେତୃତ୍ୱରେ ଗୋଟିଏ କମିଟୀ ଗଠିତ ହୋଇଥିଲା । ଏହାର ପରବର୍ତ୍ତୀ ପର୍ଯ୍ୟାୟ ହେଲା ଅଟ୍‌ଲୀ କମିଟୀର ପ୍ରସ୍ତାବ ଅନୁସାରେ ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଓଡ଼ୋନେଲ କମିଟିର ନିଯୁକ୍ତି ।

ଓଡ଼ୋନେଲ୍-କମିଟୀ

ଓଡ଼ିଶାରେ କଂଗ୍ରେସ ସ୍ୱତନ୍ତ୍ର ପ୍ରଦେଶ ଗଠନ ସମ୍ପର୍କରେ ଶେଷ ପର୍ଯ୍ୟନ୍ତ ଉଦାସୀନ ରହି ଆସିଥିଲେ ହେଁ ଓଡ଼ୋନେଲ୍ କମିଟି ଆଗରେ ଉତ୍କଳ ପ୍ରଦେଶ କଂଗ୍ରେସ୍ ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସ ସାକ୍ଷ୍ୟ ଦେଇଥିଲେ । ମାତ୍ର ବାର୍ଦ୍ଧକ୍ୟ ଓ ଜୀର୍ଣ୍ଣ ସ୍ୱାସ୍ଥ୍ୟ ସତ୍ତ୍ୱେ ମଧୁସୂଦନ, ଓଡ଼ୋନେଲ୍ କମିଟି ପାଇଁ ସ୍ମାରକ ଲିପି ପ୍ରସ୍ତୁତି କରିବା ଓ ସାକ୍ଷ୍ୟ ଦେବା ପ୍ରଭୃତି କାର୍ଯ୍ୟ ସଙ୍ଗଠନରେ ଥିଲେ ଅଗ୍ରଣୀ ଓଡ଼ୋନେଲ୍ କମିଟୀର ଅନ୍ୟ ସଭ୍ୟମାନେ ଥିଲେ ଏଚ୍. ଏନ୍. ମେହେଟା ଓ ଟି. ଫୁକନ୍ । ଏ କମିଟି ସେତେବେଳେ ଅବିଚାରିତ ଭାବରେ, ସିଂହଭୂମି ସଦର ଓ ବିଳାସପୁର ଅଞ୍ଚଳର କେତେକ ଖାଣ୍ଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ପ୍ରସ୍ତାବିତ ଓଡ଼ିଶାର ସୀମାରୁ ବାଦ୍‌ଦେଇ, ଓଡ଼ିଶା ପ୍ରତି ଘୋର ଅବିଚାର କରିଥିଲେ ।

 

ଭାରତର ଶାସନସଂସ୍କାର ସମ୍ପର୍କରେ ଲଣ୍ଡନରେ ୧୯୩୧ ମସିହା ୧୬ ତାରିଖ ଜାନୁୟାରୀ ଦିନ ପ୍ରଥମ ଗୋଲଟେବୁଲ ସମ୍ମିଳନୀ ଆହୂତ ହୋଇଥିଲା । ପାରଳାଖେମଣ୍ଡି ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ ଏଥିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । କୁଳବୃଦ୍ଧ ମଧୁସୂଦନ ସେତେବେଳେ କଠିନ ବ୍ୟାଧୀରେ ପୀଡ଼ିତ ଥିବାରୁ ପ୍ରାୟ ଶଯ୍ୟାଶାୟୀ ହୋଇ ରହିଥିଲେ । ପାରଳାଖେମଣ୍ଡି ମହାରାଜାଙ୍କର ସ୍ମାରକପତ୍ରକୁ ବିଚାର କରି, ପ୍ରଥମ ଗୋଲ୍‍ଟେବୁଲ ସମ୍ମିଳନୀରେ ପୂର୍ବାଲୋଚିତ ଓଡ଼ୋନେଲ୍ କମିଟି ନିଯୁକ୍ତ ହୋଇଥିଲା ।

 

ଓଡୋନେଲ୍ କମିଟି ଓଡ଼ିଶା ପ୍ରତି ସୁବିଚାର କରି ନଥିଲେ । ବିହାରରେ ସିଂହଭୂମି ସଦର ଓ ମଧ୍ୟପ୍ରଦେଶରେ ବିଳାସପୁର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସହିତ, ଦକ୍ଷିଣରେ ଜୟପୁର ଜମିଦାରୀ ଓ ପାରଳାଖେମଣ୍ଡି ଜମିଦାରୀକୁ ଓଡ଼ିଶାରୁ ଓଡ଼ୋନେଲ୍ କମିଟି ବାଦ୍ ଦେଇଥିଲେ । ତେବେ ଜଏଣ୍ଟ-ପାର୍ଲିଆମେଣ୍ଟାରୀ କମିଟୀ ଏହି ଅନ୍ୟାୟର ପୁନର୍ବିଚାର କରି, ଜୟପୁର ଜମିଦାରୀ ସମେତ ପାରଳାଖେମଣ୍ଡି ଜମିଦାରୀର ଜଳନ୍ତର ମାଳିଆ, ପାରଳାଖେମଣ୍ଡି ସହର ଓ ପାରଳାଖେମଣ୍ଡିର କିଛି ଅଂଶ ଓଡ଼ିଶାକୁ ଦେଇଥିଲେ ।

 

ଏହିପରି ଭାବରେ ଓଡ଼ିଶାର ସୀମା-ସରହଦ୍ ସ୍ଥିର ହେବାପରେ, ୧୯୩୬ ମସିହାରେ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଅର୍ଡ଼ର (କନ୍‌ଷ୍ଟିଚ୍ୟୁସନ୍ ଅଫ୍ ଓଡ଼ିଶା, ୧୯୩୬) ଗୃହୀତ ହୋଇଥିଲା । ସେହି ଅର୍ଡ଼ର ଅନୁସାରେ ୧୯୩୬ ଅପ୍ରେଲ ପହିଲାଦିନ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ସେହି ବର୍ଷ ଅପ୍ରେଲ ପହିଲାଦିନ ବ୍ରିଟିଶ ସରକାର ସାମ୍ପ୍ରଦାୟିକ ଭାରସାମ୍ୟ ରକ୍ଷା କରିବା ନୀତିରେ, ମୁସଲମାନ ବହୁଳ ସିନ୍ଧୁପ୍ରଦେଶ ଅବଶ୍ୟ ଗଠନ କରିଥିଲେ । ମାତ୍ର ଭାରତରେ, ଓଡ଼ିଶା ହିଁ ହେଉଛି ସର୍ବପ୍ରଥମ ଭାଷାଭିତ୍ତିକ ପ୍ରଦେଶ ।

 

ଆଜିର ପରିସ୍ଥିତିରେ, ସେ ଦିନର ଜନନେତାମାନଙ୍କର ନୀରବ ସାଧନା ଓ ସଂକଳ୍ପର କଳନା କରିହେବ ନାହିଁ । କିନ୍ତୁ ଭାରତର ସାମ୍ବିଧାନିକ ଇତିହାସରେ, କୁଳବୃଦ୍ଧ ମଧୁସୂଦନ ଭାଷାଭିତ୍ତିକ ପ୍ରଦେଶ ଗଠନର ଯେ ଆଦ୍ୟପ୍ରବକ୍ତା ଥିଲେ, ତଥ୍ୟ ଦୃଷ୍ଟିରୁ ଏହା ଅସ୍ୱୀକାର କରିବାର ଉପାୟ ନାହିଁ । ‘ଉତ୍କଳ-ଦୀପିକା’ର ସମ୍ପାଦକ ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତି, କବି ରାଧାନାଥ ରାୟ, କବି ଗଙ୍ଗାଧର ମେହେର, କବି ମଧୁସୂଦନ ରାଓ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ରଜସୁନ୍ଦର ଦାସ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ଦେବାନ୍ ବାହାଦୂର ଲକ୍ଷ୍ମୀଧର ମହାନ୍ତି, ସୁଦାମ ଚରଣ ନାୟକ ଓ ଆହୁରି ଅନେକଙ୍କର ଉଦ୍ୟମ ଓ ସଂଗ୍ରାମ ଓଡ଼ିଶା ପ୍ରଦେଶ ଗଠନର ଭିତ୍ତିଭୂମି ରୂପେ କାର୍ଯ୍ୟ କରିଅଛି । ଆଜି ଓଡ଼ିଶା ପ୍ରଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀ ଅବକାଶରେ ସେମାନେ ସମସ୍ତେ ଆମର ସ୍ମରଣୀୟ ଓ ବନ୍ଦନୀୟ ।

 

 

 

ଭାରତ ପଙ୍କଜ ଦଳମିଦମୁତ୍କଳ-

 

ମଣ୍ଡଳମିତି ବିଦିତଂ ଯତ୍‌ ।

ତସ୍ୟକୃତେ ବୟମତ୍ର ସମେତା

 

ବିହିତାତ୍ରୋତ୍କଳ-ସଂସତ୍ ।

-କବିବର ରାଧାନାଥ

 

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

କ୍ୱାଟର ନଂ ଭି. ଆଇ. ଆର୍/୧

ୟୁନିଟ-୬ ଭୁବନେଶ୍ୱର

***

 

 

ଊନବିଂଶ ଶତାବ୍‌ଦୀରେ ଓଡ଼ିଶା କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଳାକୁ ବୁଝାଉଥିଲା । ଏହା ସାତକୋଟି ଜନସଂଖ୍ୟା ବିଶିଷ୍ଟ ବିରାଟ ବଙ୍ଗ ପ୍ରେସିଡେନ୍‌ସିର ଏକ କ୍ଷୁଦ୍ର ଅଙ୍ଗ ଥିଲା । ଭଞ୍ଜ, କବିସୂର୍ଯ୍ୟଙ୍କ ଭୂମି ଗଞ୍ଜାମ ଓ କୋରାପୁଟ ମାନ୍ଦ୍ରାଜ ପ୍ରେସିଡେନ୍‌ସିର ଉପାନ୍ତ ଅଞ୍ଚଳ ଥିଲା । ସମ୍ବଲପୁର ଜିଲ୍ଲା ୧୮୬୨ ମସିହାରୁ ମଧ୍ୟପ୍ରଦେଶର ଶାସନାଧୀନ ଥିଲା ।

 

ଓଡ଼ିଶା ପ୍ରଦେଶ ଗଠନରେ ସମ୍ବଲପୁରର ଅବଦାନ

ଡକ୍‌ଟର ଶ୍ରଦ୍ଧାକର ସୂପକାର

 

ବିରାଟ ମଧ୍ୟପ୍ରଦେଶର ଅନେକ ଜିଲ୍ଲା ମଧ୍ୟରୁ କେବଳ ସମ୍ବଲପୁର ଜିଲ୍ଲା ଓଡ଼ିଆ-ଭାଷାଭାଷୀ ଥିଲା । ସେଠାରେ ବ୍ରିଟିଶ ଶାସକମାନଙ୍କର ନିମ୍ନତମ କର୍ମଚାରୀମାନେ ପ୍ରାୟ ସମସ୍ତେ ଥିଲେ ଅଣଓଡ଼ିଆ, ହିନ୍ଦୀ-ଭାଷାଭାଷୀ । ବ୍ରିଟିଶ ଶାସକମାନେ ସାଧାରଣତଃ ହିନ୍ଦୀ ଛଡ଼ା ଅନ୍ୟ ଭାରତୀୟ ଭାଷା ବୁଝୁନଥିଲେ । ନିମ୍ନତମ କର୍ମଚାରୀମାନେ ପ୍ରଶାସନ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଆଭାଷାର ନ୍ୟୂନତା ପ୍ରତିପାଦନ କରିବାକୁ ଚେଷ୍ଟା କରୁଥିଲେ ।

 

ଏ ବିଷୟରେ ସ୍ୱର୍ଗତ ଶ୍ରୀପତି ମିଶ୍ର ତାଙ୍କର ‘ଶିମଳା ଯାତ୍ରା’ ପୁସ୍ତକରେ ଲେଖିଛନ୍ତି-

(୧)

‘‘ରାଜକାର୍ଯ୍ୟାଳୟରେ ମରହଟ୍ଟା ଓ ହିନ୍ଦୁସ୍ଥାନୀମାନେ ଆଧିପତ୍ୟ ଲାଭ କରିଥିଲେ । କିନ୍ତୁ ଏମାନଙ୍କ ଭାଷା ସହିତ ଓଡ଼ିଆଭାଷାର ସୌସାଦୃଶ୍ୟ ନ ଥିବାରୁ ଏମାନେ ଓଡ଼ିଆ-ଭାଷା ଶିକ୍ଷା କରିବାକୁ ଆଦୌ ସମର୍ଥ ହେଉ ନଥିଲେ । ସୁତରାଂ ରାଜକାର୍ଯ୍ୟ ପରିଚାଳନା କରିବାରେ ଏମାନେ ଏକାନ୍ତ ଅସମର୍ଥ ହେଉଥିଲେ । ଓଡ଼ିଆଭାଷା ଏମାନଙ୍କର ପ୍ରଧାନ ଅନ୍ତରାୟ ହେଉଥିଲା । ଏମାନେ ମନେକଲେ ଯେ, ଓଡ଼ିଆଭାଷା ପରିବର୍ତ୍ତରେ ଅଦାଲତରେ ହିନ୍ଦୀଭାଷା ପ୍ରଚଳନ କରିପାରିଲେ, ସମ୍ବଲପୁରର କାର୍ଯ୍ୟାଳୟମାନଙ୍କରେ ଏମାନଙ୍କର ଆଧିପତ୍ୟ ଅକ୍ଷୁର୍ଣ୍ଣ ରହିବ ।’’

 

ମଧ୍ୟପ୍ରଦେଶର ଚିଫ୍ କମିଶନର୍ ସାର ଜନ୍ ଉଡ୍‌ବର୍ଣ୍ଣ ୧୮୯୫ ମସିହାରେ ସମ୍ବଲପୁରରେ ହିନ୍ଦୀଭାଷାକୁ ସରକାରୀ ଭାଷା ରୂପେ ପ୍ରଚଳନ କରିବାର ଆଦେଶ ଦେଇ ସେ ବିଷୟରେ ସରକାରୀ ଓ ଜନସାଧାରଣଙ୍କ ମତ ଲୋଡ଼ିଲେ । ସେହି ସମୟରେ ସମ୍ବଲପୁରରେ ମିଷ୍ଟର ଆର. ଏ.- ବି. ଚେପ୍‌ମେନ୍ ଡେପୁଟି କମିଶନର ଥିଲେ । ସେ ମଧ୍ୟ ସମ୍ବଲପୁରର କୋର୍ଟ କଚେରୀରେ ହିନ୍ଦୀ ଭାଷା ପ୍ରଚଳନର ପକ୍ଷପାତୀ ଥିଲେ ।

 

୧୮୯୫ ମସିହା ଜୁନ୍ ମାସ ୧୩ ତାରିଖରେ ସମ୍ବଲପୁରରେ ସ୍ୱର୍ଗତ ଧରଣୀଧର ମିଶ୍ରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ହୋଇ ହିନ୍ଦୀଭାଷା ପ୍ରଚଳନ ବିରୁଦ୍ଧରେ ଏକ ପ୍ରସ୍ତାବ ଗୃହୀତ ହେଲା ଓ ସେ ପ୍ରସ୍ତାବଟି ବଡ଼ଲାଟ ଲର୍ଡ଼ ଏଲ୍‌ଗିନଙ୍କ ପାଖକୁ ପଠାଗଲା । କିନ୍ତୁ ବଡ଼ଲାଟ ଏ ପ୍ରସ୍ତାବକୁ ଗ୍ରହଣ କଲେନାହିଁ ।

 

କବିବର ଗଙ୍ଗାଧର ମେହେର ଏ ବିଷୟରେ ଏକ କବିତାରେ ଲେଖିଲେ :-

‘‘ନିଜ ଘରେ ବସି ନିର୍ବାସନ ଦୁଃଖ

 

ଆମ୍ଭ କି ଲଲାଟ ଲେଖନ

ମାତୃଭାଷା ମନା ଭାଇ ସଙ୍ଗ ବିନା

 

ବିକଳ ହେଉଛି ଜୀବନ ।

ଗୁହାରିଲେ ଦୁଃଖ ନୃପତି ଛାମୁରେ

 

ତଡ଼ି ଦେଉଛନ୍ତି ଛାମୁରୁ ରାଗରେ

ନୁହେଁ ତାଙ୍କ ଦୋଷ ବୁଝନ୍ତି ନାହିଁରେ

 

ଆମ୍ଭର କଥିତ ବଚନ ।’’ (୧)

 

ହିନ୍ଦୀଭାଷାରେ ଲେଖା ହୋଇ ନ ଥିବା ଦଲିଲ ଦସ୍ତାବିଜ ରେଜେଷ୍ଟ୍ରି ପାଇଁ ଗୃହୀତ ହେଉ ନଥିଲା ।

 

ଅଦାଲତର ସମସ୍ତ କାଗଜପତ୍ରରେ ହିନ୍ଦୀ ଲେଖାଯୋଗୁଁ ଲୋକେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେ ବିଷୟରେ ଚିଫ୍ କମିଶନର୍ ସାର୍ ଆଣ୍ଡ୍ରୁ ଫ୍ରେଜର ଲେଖିଛନ୍ତି :-

(୨)

‘‘ମୁଁ ଦେଖିଲି ଯେ ଲୋକଙ୍କୁ ଚାଳିଶ ପଚାଶ ମାଇଲ ଦୂରରୁ ଅଦାଲତକୁ ସମନ କରାଯାଉଥିଲା । ଏହି ଲୋକମାନେ ନିଜେ ଏହି ସମନ ପଢ଼ିପାରୁ ନଥିଲେ ବା ସେହି ସମନ ପଢ଼ି ପାରୁଥିବା କୌଣସି ଲୋକକୁ ଗାଆଁରେ ଖୋଜି ପାଉ ନଥିଲେ । ଯେଉଁ ନିରକ୍ଷର କର୍ମଚାରୀ ସେହି ସମନ ଧରି ଗାଆଁକୁ ଯାଉଥିଲେ, ସେମାନେ ସଂପୃକ୍ତ ଲୋକଙ୍କୁ କେବଳ ଏତିକି କହୁଥିଲେ ଯେ, ଅଦାଲତରେ ତୁମର ହାଜର ହେବା ଦରକାର । କୋର୍ଟରେ ହାଜର ନହେବାର ଗୁରୁତର ପରିଣତିକୁ ଭୟକରି ସେମାନେ କୋର୍ଟରେ ହାଜର ହେଉଥିଲେ ଓ ପଚାରୁଥିଲେ, ‘‘କେଉଁ ବାବଦରେ ଆମକୁ ସମନ କରାଯାଇଛି ?’’

 

୧୮୯୫ ମସିହା ଜାନୁଆରୀ ୧୯ ତାରିଖରେ ସମ୍ବଲପୁରରୁ ଓଡ଼ିଆଭାଷା ଉଠାଇ ଦେଇ ହିନ୍ଦୀ ଭାଷା ପ୍ରଚଳନର ପ୍ରସ୍ତାବ ହେଲା । ୧୮୯୫ ମସିହା ୫ ତାରିଖ ମାର୍ଚ୍ଚ ‘ସମ୍ବଲପୁର ହିତୈଷିଣୀ’ରେ କବିବର ଗଙ୍ଗାଧରଙ୍କ ‘ଉତ୍କଳ ଭାରତୀଙ୍କ ନିବେଦନ’ ଶୀର୍ଷକ ଏକ କବିତା ପ୍ରକାଶିତ ହେଲା । ସେଥିରେ କବି ଲେଖିଛନ୍ତି :-

‘‘ନିର୍ବାସନ ହେବା ପାଇଁକି

 

ଅଛି ଜନନୀ ଭାଲେ

ମାତହୀନ ଦଶା ଘଟିବା

 

ଅଛି ଆମ୍ଭ କପାଳେ ।

ଭବିତବ୍ୟ ଯାହା ତା ଘଟୁ

 

ବିଧି ଆୟତ୍ତ ସିନା

ବୋଲି କାପୁରୁଷ ନ ହୁଅ

 

ମୂଳୁଁ ଉଦ୍ୟୋଗ ବିନା ।’’ (୩)

 

କୋର୍ଟ କଚେରୀରେ ହିନ୍ଦୀଭାଷା ପ୍ରଚଳନରେ ସରକାରୀ କର୍ମଚାରୀମାନଙ୍କ ଅସୁବିଧା ନଥିଲା ।

 

ମାତ୍ର ୧୯୦୧ ମସିହାର ଜନଗଣନା ପ୍ରସ୍ତୁତି ପାଇଁ ହିନ୍ଦୀ-ଭାଷାଭାଷୀ କର୍ମଚାରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେବା ସ୍ୱାଭାବିକ ଥିଲା । ଓଡ଼ିଆଙ୍କ ସାହାଯ୍ୟ ବିନା ଓଡ଼ିଆଭାଷୀ ଅଞ୍ଚଳରେ ଜନଗଣନା କାର୍ଯ୍ୟ ପ୍ରାୟ ଅସମ୍ଭବ । ୧୯୦୧ ମସିହାରେ ଜନଗଣନା ଦାୟିତ୍ୱରେ ଥିଲେ, ଜଣେ ଯୁବକ ଓଡ଼ିଆ କର୍ମଚାରୀ-ବୈକୁଣ୍ଠ ନାଥ ପୂଜାରି ଏକଷ୍ଟ୍ରା ଆସିଷ୍ଟାଣ୍ଟ କମିଶନର୍ । ଜନଗଣନା କାର୍ଯ୍ୟ ଓଡ଼ିଆରେ ଚାଲିଲା ।

 

ବୈକୁଣ୍ଠନାଥଙ୍କ ବିଷୟରେ ମାସିକ ପତ୍ର ‘ହୀରାଖଣ୍ଡ’ରେ ନିମ୍ନପ୍ରକାର ବିବରଣୀ ଅଛି :-

(୪)

‘‘ଧନ୍ୟ ସେ କର୍ମବୀରଙ୍କ ନୈତିକ ସାହସ । ଦିବସବ୍ୟାପୀ ସରକାରୀ କର୍ମରେ ନିଯୁକ୍ତ ରହି ନିଶାକାଳ ପ୍ରବେଶ ମାତ୍ରକେ ଅଶ୍ୱୋପରି ଆରୋହଣ କରି ବୈକୁଣ୍ଠନାଥ ରାତ୍ରି ଯାପନ କରୁଥିଲେ । ଗ୍ରାମେ ଗ୍ରାମେ ପରିଭ୍ରମଣ ସମୟରେ ଲୋକମାନଙ୍କୁ ଜିଲ୍ଲାଧୀଶଙ୍କ ତଦନ୍ତ ସମୟରେ କିପରି ଭାବରେ ଓଡ଼ିଆଭାଷାର ଉପକାରିତା ତର୍କ ବିତର୍କ ଦ୍ୱାରା ପ୍ରତିପନ୍ନ କରାଇବେ, ସେଥି ନିମନ୍ତେ ସେ ଚେଷ୍ଟିତ ଥିଲେ । ରାତ୍ରି ମଧ୍ୟରେ ବହୁ ଦୂରବର୍ତ୍ତୀ ଗ୍ରାମରେ ଉପସ୍ଥିତ ହୋଇ, ସେହି ଗ୍ରାମବାସୀଙ୍କୁ ଉତ୍କଳଭାଷାର ପ୍ରଚଳନ ରୂପକ ମନ୍ତ୍ରରେ ଦୀକ୍ଷିତ କରୁଥିଲେ ।’’

 

ଜନଗଣନାରେ ସମ୍ବଲପୁର ଜିଲ୍ଲାର ସମଗ୍ର ଲୋକସଂଖ୍ୟା ୭ଲକ୍ଷ ୯୬ହଜାର ୪୧୩ଜଣ ମଧ୍ୟରୁ ଓଡ଼ିଆ-ଭାଷାଭାଷୀଙ୍କ ସଂଖ୍ୟା ୫ଲକ୍ଷ ୯୫ହଜାର ୬୦୧ ଥିବାର ଜଣାପଡ଼ିଲା-

 

ଏହି ଜନଗଣନାର ଠିକ୍ ପରେ ସମ୍ବଲପୁରରେ ଭାଷା-ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ସମ୍ବଲପୁରବାସୀମାନେ ଆଉ ଏକ ସ୍ମାରକପତ୍ର ତଦାନୀନ୍ତନ ବଡ଼ଲାଟ୍ ଲର୍ଡ଼ କର୍ଜନଙ୍କୁ ଓ ମଧ୍ୟପ୍ରଦେଶର ଚିଫ୍ କମିଶନର ସାର ଏଣ୍ଡ୍ରୁ ଫ୍ରେଜରଙ୍କୁ ପଠାଇଲେ । ଏହାର ସାରମର୍ମ ହେଲା :-

 

‘‘ମଧ୍ୟ-ପ୍ରଦେଶରେ କେବଳ ଗୋଟିଏ ଜିଲ୍ଲାରେ ଓଡ଼ିଆଭାଷା ରଖିବା ଯଦି ଅସମ୍ଭବ ହେଉଛି, ତେବେ ଆମ ଜିଲ୍ଲାକୁ ଓଡ଼ିଶାକୁ ଫେରାଇ ଦିଆଯାଉ ।’’

 

ଏହି ବିଷୟରେ ଏକ ସ୍ମାରକପତ୍ର ନେଇ ସମ୍ବଲପୁରର ତତ୍କାଳୀନ ଚାରିଜଣ ନେତୃସ୍ଥାନୀୟ ବ୍ୟକ୍ତି ବଳଭଦ୍ର ସୁଆର, ମହନ୍ତ ବିହାରୀ ଦାସ, ମଦନ ମୋହନ ମିଶ୍ର ଓ ବ୍ରଜମୋହନ ପଟ୍ଟନାୟକ ୧୯୦୧ ମସିହା ଜୁଲାଇ ମାସରେ ନାଗପୁରଠାରେ ମଧ୍ୟପ୍ରଦେଶ ଚିଫ୍ କମିଶନର୍ ସାର୍ ଏଣ୍ଡ୍ରୁ ଫ୍ରେଜରଙ୍କୁ ସାକ୍ଷାତ କଲେ । ସାର୍ ଏଣ୍ଡ୍ରୁ ଫ୍ରେଜର ଏହି ପ୍ରତିନିଧିମାନଙ୍କର ଆପତ୍ତି ଅଭିଯୋଗ ବଡ଼ଲାଟ୍ ଲର୍ଡ କର୍ଜନଙ୍କୁ ଜଣାଇବାର ପ୍ରତିଶ୍ରୁତି ଦେଲେ ।

 

ଏହି ଚାରିଜଣ ବିଶିଷ୍ଟ ନାଗରିକ ନାଗପୁରରୁ ଫେରି ଉତ୍କଳ ଗୌରବ ମଧୁସୂଦନଙ୍କୁ ସେମାନଙ୍କର ନାଗପୁରର ସାକ୍ଷାତ୍‌କାର ବାର୍ତ୍ତା ଜଣାଇ ତାଙ୍କୁ ଶିମ୍‌ଳା ଯିବାକୁ ଅନୁରୋଧ କରି ଚିଠି ଲେଖିଲେ । ମାତ୍ର ଭୁଲ ଓ ଦୁର୍ଯ୍ୟୋଗ କ୍ରମେ ଏହି ଚିଠି ମଧୁସୂଦନ ରାଓଙ୍କ ପାଖରେ ପହୁଞ୍ଚିଲା । ମଧୁବାବୁ ଏ ଚିଠିଟି ପରେ ପାଇ ଭାଇସ୍‌ରାୟଙ୍କ ପାଖକୁ ତାରଯୋଗେ ଏକ ଆପତ୍ତି ଜଣାଇଲେ ।

 

୧୯୦୧ ମସିହା ସେପ୍‌ଟେମ୍ବର ମାସରେ ସମ୍ବଲପୁରର ପାଞ୍ଚଜଣ ବିଶିଷ୍ଟ ନାଗରିକ-ମହନ୍ତ ବିହାରୀ ଦାସ, ବଳଭଦ୍ର ସୁଆର, ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର ଓ ଶ୍ରୀପତି ମିଶ୍ର ସିମଳାକୁ ଯାଇ ବଡ଼ଲାଟ୍‌ଙ୍କୁ ଭେଟିବାକୁ ସ୍ଥିର କଲେ । ଏମାନଙ୍କର ଯାତ୍ରା ବର୍ଣ୍ଣନା ଓ କାର୍ଯ୍ୟକଳାପର ଏକ ବିଶେଷ ବିବରଣୀ ଲେଖିଛନ୍ତି, ଶ୍ରୀପତି ମିଶ୍ର ‘ଶିମଳା ଯାତ୍ରା’ ନାମକ ପୁସ୍ତକରେ । ଏ ପୁସ୍ତକଟି ଓଡ଼ିଶା ଇତିହାସର ଏକ ଅମୂଲ୍ୟ ରତ୍ନ ।

 

ସମ୍ବଲପୁରରୁ ଯେଉଁ ପଞ୍ଚସଖା ଶିମଳାକୁ ଗଲେ, ସେମାନେ ଆଶା କରିଥିଲେ ଯେ, ସେମାନଙ୍କର ଶିମଳା ରହଣି କାଳରେ ମଧୁସୂଦନ ଦାସ ଶିମଳାରେ ପହୁଞ୍ଚି ସେମାନଙ୍କର ଦୁର୍ଦ୍ଦଶା ବିଷୟରେ ବଡ଼ଲାଟ୍‌ଙ୍କୁ ଅବଗତ କରାଇବେ । ମାତ୍ର ମଧୁବାବୁ ଶିମଳା ଗଲେ ନାହିଁ । ଏମାନେ ବଡ଼ଲାଟଙ୍କ ସହିତ ଦେଖା କରି ପାରିଲେ ନାହିଁ । ନିରାଶ ହୋଇ ଫେରିଲେ ।

 

କିନ୍ତୁ ମଧ୍ୟପ୍ରଦେଶର ଚିଫ୍‌ କମିଶନର୍ ଏମାନଙ୍କର ହାରିଗୁହାରି ତଦନ୍ତ ପାଇଁ ସମ୍ବଲପୁରରେ ଉପସ୍ଥିତ ହେଲେ । ସେ ଯୁଗରେ ଲାଟ୍ ସାହେବଙ୍କର ଗ୍ରସ୍ତ ମଫସଲ ସହର ପକ୍ଷରେ ଏକ ଐତିହାସିକ ଘଟଣା ଥିଲା । ସେ ବିଷୟରେ ଶ୍ରୀପତି ମିଶ୍ର ‘ଶିମଳା ଯାତ୍ରା’ରେ ଲେଖିଛନ୍ତି :

(୫)

‘‘ସହରରେ ଉପସ୍ଥିତ ହେଲାକ୍ଷଣି ଶ୍ରୀମାନ୍ ଫ୍ରେଜର ମହୋଦୟ ବହୁ ସହସ୍ର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଅଭ୍ୟର୍ଥିତ ହୋଇଥିଲେ । ଲୋକମାନେ ତାଙ୍କୁ ଦେବାର୍ଚ୍ଚନ ବିଧିରେ ପୂଜା କରିଥିଲେ । ବ୍ରାହ୍ମଣମାନେ ମନ୍ତ୍ରୋଚ୍ଚାରଣପୂର୍ବକ ତାଙ୍କୁ ଦୁର୍ବାକ୍ଷତ ଏବଂ ଅନ୍ୟାନ୍ୟ ଉପକରଣରେ ପୂଜା କରିଥିଲେ ।’’

 

 

(୬)

‘‘ଭ୍ରମଣ ଶେଷ କରି ଶାସନକର୍ତ୍ତା ସହର ଏବଂ ମଫସଲର ସକଳ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରି ସମସ୍ତଙ୍କ ମତ ଜିଜ୍ଞାସା କଲେ । ସମସ୍ତେ ଏକ ବାକ୍ୟରେ କହିଲେ ଯେ, ସମ୍ବଲପୁରରେ ଓଡ଼ିଆଭାଷା ପ୍ରଚଳିତ ହୋଇ ସମ୍ବଲପୁର ଓଡ଼ିଶାରେ ମିଳିତ ହେଉ । ମାନ୍ୟବର ଫ୍ରେଜର ମହୋଦୟ ସେହି ବିଷୟରେ ଭାରତ ଗଭର୍ଣ୍ଣମେଣ୍ଟଙ୍କ ନିକଟକୁ ରିପୋର୍ଟ କରିବା ସକାଶେ ପ୍ରତିଶ୍ରୁତି ଦେଲେ । ଯଥାକାଳରେ ସମ୍ବଲପୁରରେ ଅଦାଲତ ସମୂହରେ ଓଡ଼ିଆ ପ୍ରଚଳିତ ହେଲା ।’’

 

୧୯୦୩ ମସିହା ଆରମ୍ଭରୁ ସମ୍ବଲପୁର ଜିଲ୍ଲାରୁ ସରକାରୀ ଭାଷାରୂପେ ହିନ୍ଦୀଭାଷା ଉଠିଯାଇ ଓଡ଼ିଆଭାଷାର ପୁନଃ ପ୍ରଚଳନ ନିଷ୍ପତ୍ତି କାର୍ଯ୍ୟକାରୀ ହେଲା ।

 

ସମ୍ବଲପୁରରେ କୋର୍ଟ କଚେରୀ ଓ ସରକାରୀ କାଗଜପତ୍ରରେ ହିନ୍ଦୀଭାଷା ପରିବର୍ତ୍ତେ ଓଡ଼ିଆଭାଷା ପ୍ରଚଳିତ ହେବା ପରେ ଏ ଅଞ୍ଚଳର ଜନସାଧାରଣଙ୍କ ମନରେ ଓଡ଼ିଶା ସହିତ ମିଶ୍ରଣଦାବୀ ଉତ୍‌ଥିତ ହେବା ଅତି ସ୍ୱାଭାବିକ ।

 

କିନ୍ତୁ ସମ୍ବଲପୁର ଜିଲ୍ଲାକୁ ଓଡ଼ିଶା ସହିତ ଯୋଡ଼ିଲେ ମଧ୍ୟ ଗୁରୁତର ପ୍ରଶାସନିକ ସମସ୍ୟା ଉପୁଜିଥିଲା । ସେ ସମୟରେ ସମ୍ବଲପୁର ସହିତ ପାଟନା, କଳାହାଣ୍ଡି, ରେଢ଼ାଖୋଲ, ବାମଣ୍ଡା ଓ ସୋନପୁର ମଧ୍ୟ ଶାସନ ଦୃଷ୍ଟିରୁ ଜଡ଼ିତ ଥିଲା । ସମ୍ବଲପୁର ମିଶିଲେ ଏହି ଗଡ଼ଜାତମାନେ ମଧ୍ୟ ଓଡ଼ିଶା ଡିଭିଜନ୍‌ରେ ମିଶିବାର କଥା ।

 

ସେ ସମୟରେ ଓଡ଼ିଶା ଡିଭିଜନ୍ ବଙ୍ଗ ପ୍ରଦେଶର ଏକ ଅଙ୍ଗ ଥିଲା । ବଙ୍ଗ ପ୍ରଦେଶଟି ଏତେ ବୃହଦାକାର ଥିଲା ଯେ କୌଣସି ରାଜ୍ୟପାଳଙ୍କ ପକ୍ଷରେ ସେତେବେଳେ ଏତେ ବୃହତ୍ ପ୍ରଦେଶକୁ ସମ୍ଭାଳିବା ପ୍ରଶାସନିକ ଦୃଷ୍ଟିରୁ ପ୍ରାୟ ଅସମ୍ଭବ ଥିଲା । ସେତେବେଳେ ବଙ୍ଗ ପ୍ରଦେଶର କ୍ଷେତ୍ରଫଳ ଥିଲା ଏକଲକ୍ଷ ୮୯ ହଜାର ବର୍ଗମାଇଲ ଓ ଲୋକସଂଖ୍ୟା ଥିଲା ୭ କୋଟି ୮୫ ଲକ୍ଷ ଓ ରାଜସ୍ୱ ଥିଲା ଏଗାରକୋଟି ଟଙ୍କାରୁ ଅଧିକ । ଏହା ଉପରକୁ ସମ୍ବଲପୁର ଓ ଆଖପାଖ ଗଡ଼ଜାତର ଲୋକସଂଖ୍ୟା ଓ କ୍ଷେତ୍ରଫଳ ମିଶାଇଲେ ତାହା ବୋଝ ଉପରେ ନଳିତାବିଡ଼ା ପରି ଅସହ୍ୟ ହେଉଥିଲା ।

 

ଏଥିରୁ ଆରମ୍ଭ ବଙ୍ଗ ବିଭାଜନର କଳ୍ପନା । ଏ ବିଷୟରେ ‘‘India under curzon and After’’ ପୁସ୍ତକରେ Mr. Lovat Trasen ଲେଖିଛନ୍ତି:-

(୮)

‘‘The movement which led to the partition of Bengal began in the most artless manner possible. When Sir Andrew Traser sat down in February 1901 to write an innocent letter about a linguistic question, he can never have dreamed that he was setting in motion a sequence of events, which was to lead several years later to a wide spread agitation in the province of Bengal-Yet such was the case Sir Andrew, who was then the chief Commissioner of the Central Provinces, wrote a letter about the substitution of Hindi for Oriya as the language of the law courts of the district of Sambalpur, then under his control. In the course of his observations, he appears to have suggested that if Oriya was to be the court-language of Sambalpur, that district had later be joined to Orissa and that may be done either by placing Sambalpur under the control of the Bengal Government of his transfering the whole of Orissa from Bengal to the Central Provinces. Out of that casual suggestion, the whole great controversy arose.’’

 

ସମ୍ବଲପୁର ଓଡ଼ିଶାରେ ମିଶିବା ପରେ ଓଡ଼ିଶା ବଙ୍ଗପ୍ରଦେଶରେ ରହିବ କି ମଧ୍ୟପ୍ରଦେଶରେ ରହିବ ସେ ପ୍ରଶ୍ନ ମଧ୍ୟ ଉଠିଥିଲା । ସେତେବେଳେ ଓଡ଼ିଶାର କ୍ଷେତ୍ରଫଳ ଥିଲା ଚବିଶହଜାର ବର୍ଗମାଇଲ ଓ ଲୋକସଂଖ୍ୟା ଥିଲା ପ୍ରାୟ ତେଷଠିଲକ୍ଷ ।

 

୧୯୦୩ ମସିହା ଡିସେମ୍ବର ମାସରେ ପ୍ରକାଶିତ ରିସ୍‌ଲେ ସର୍କୁଲାର୍‌ରେ ପ୍ରକାଶିତ ନିମ୍ନଲିଖିତ ମନ୍ତବ୍ୟ ଉଲ୍ଲେଖଯୋଗ୍ୟ :-

(୯)

‘‘The Central Proviences on the otherhand has experienced such difficulties in the administration of Sambalpur that the chief Commissioner asked in 1901 to be relieved of that district altogether and although the Government of India was then unable to comply with the request, they were compelled to rescinder a previous decision of 1895, which had proved unworkable in practice and to restore in Oriya on the court language of Sambalpur.’’

 

ବଙ୍ଗ ପ୍ରଦେଶର ବିଭାଜନ ସଙ୍ଗେ ସମ୍ବଲପୁର ଓଡ଼ିଶା ସହିତ ମିଶ୍ରଣ ଜଡ଼ିତ ଥିଲା । ସମ୍ବଲପୁରରେ ଦେଶମିଶ୍ରଣ ଉତ୍ସବ ମହାସମାରୋହରେ ପାଳିତ ହେଲା । ବଙ୍ଗଳାର ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର ସାର୍‌ ଏଣ୍ଡ୍ରୁଫ୍ରେଜର୍‌ ଅକ୍ଟୋବର ୧୫ ତାରିଖରେ ସମ୍ବଲପୁରକୁ ଆସି ଜନସାଧାରଣଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପାଇଲେ । ସମ୍ବଲପୁରରେ ନବନିର୍ମିତ ଭିକ୍ଟୋରିଆ ଟାଉନ୍‌ହଲ୍‌ଠାରେ ସମ୍ବଲପୁରର ମ୍ୟୁନିସିପାଲଟି ଓ ଡିଷ୍ଟ୍ରିକ୍ଟ କାଉନ୍‌ସିଲ୍ ତରଫରୁ ଛୋଟଲାଟଙ୍କୁ ଅଭିନନ୍ଦନ ପତ୍ର ଦିଆଗଲା । ନିକଟବର୍ତ୍ତୀ ଗଡ଼ଜାତର ରାଜାମାନେ ସାର୍‌ ଏଣ୍ଡ୍ରୁଙ୍କ ସହିତ ସାକ୍ଷାତ୍ କଲେ । ବ୍ରହ୍ମପୁରା ମନ୍ଦିର ସମ୍ମୁଖରେ ସାର୍ ଏଣ୍ଡ୍ରୁଫ୍ରେଜରଙ୍କୁ ଜନସାଧାରଣଙ୍କ ତରଫରୁ ଅଭିନନ୍ଦନ ଦିଆଗଲା ।

 

ଏ ସମ୍ପର୍କରେ ଫ୍ରେଜର ସାହେବ ନିଜ ସ୍ୱରଚିତ ‘‘The Rajas & Ryots’’ ପୁସ୍ତକରେ ଲେଖିଛନ୍ତି ।

(୧୦)

‘‘ମୁଁ ଯେଉଁ ସମୟରେ ମଧ୍ୟପ୍ରଦେଶରେ ଥିଲି, ସେ ସମୟରେ ଏହି ଲୋକଙ୍କର ଉତ୍ସାହ ଅବିକଳ ଥିଲା । ବଙ୍ଗ ବିଭାଜନ ସମୟରେ ସମ୍ବଲପୁର ଜିଲ୍ଲାକୁ ବଙ୍ଗ ପ୍ରଦେଶ ସହିତ ମିଶାଇ ଦିଆଗଲା । ମୁଁ ସେହି ବଙ୍ଗପ୍ରଦେଶର ଲାଟ ରୂପେ ଯେତେବେଳେ ସେଠାକୁ ଗଲି, ମୁଁ ଦେଖିଲି ସେମାନଙ୍କର ଉତ୍ସାହ ଊଣା ପଡ଼ି ନ ଥିଲା । ସେମାନଙ୍କ ନିଜ ଭାଷା ପ୍ରତି ଓ ନିଜର ପରମ୍ପରା ପ୍ରତି ସେହି ଲୋକମାନଙ୍କ ମମତା ଯେତେ ଗାଢ଼ ଥିଲା, ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ, ସେ ପ୍ରଶଂସା ପର୍ଯ୍ୟାପ୍ତ ହେବ ନାହିଁ । ସେମାନଙ୍କ ସହିତ ମିଳାମିଶା କରିବାରେ ଓ ସେମାନଙ୍କୁ ଭଲ ଭାବରେ ଜାଣିବାରେ ମୁଁ ସେମାନଙ୍କର ଉତ୍ସାହର ପରାକାଷ୍ଠା ଜାଣିଲି । ସମ୍ବଲପୁରକୁ ବଙ୍ଗ ପ୍ରଦେଶର ଓଡ଼ିଆ ଡିଭିଜନ୍ ସହିତ ମିଶାଇ ଦେବାଦ୍ୱାରା ଭାଷା ସମସ୍ୟାର ସଠିକ୍‌ ସମାଧାନ ହେଲା ।’’ (୧୦)

 

୧୯୦୫ ମସିହାରେ ସମ୍ବଲପୁର ଯଦି ଓଡ଼ିଶାରେ ମିଶି ନ ଥାନ୍ତା, ତେବେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇ ପାରିଥାନ୍ତା କି ନାହିଁ, ସେ ବିଷୟରେ ସନ୍ଦେହ ହୁଏ । ୧୯୦୫ ମସିହାରେ ଗଞ୍ଜାମ ଓ ବିଶାଖାପାଟଣା ମାଳ ଅଞ୍ଚଳକୁ ଓଡ଼ିଶାରେ ମିଶାଇବା ପ୍ରସ୍ତାବକୁ ଇଂରେଜ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ।

 

ଧରଣୀଧର ମିଶ୍ର, ବୈକୁଣ୍ଠନାଥ ପୂଜାରୀ, ବଳଭଦ୍ର ସୁଆର, ମହନ୍ତ ବିହାରୀ ଦାସ, ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର, ଶ୍ରୀପତି ମିଶ୍ର ଓ ଚନ୍ଦ୍ରଶେଖର ବେହେରା ଆଦି ଦେଶପ୍ରେମୀ ନେତୃବୃନ୍ଦ ଆଜି ଇତିହାସର ବିସ୍ମୃତି ଗର୍ଭରେ ଲୀନ । ଆଜିର ବିଜ୍ଞାପନ ଯୁଗରେ ଏହା ହେବା ପ୍ରାୟ ସ୍ୱାଭାବିକ କହିଲେ ଚଳେ ।

 

ଓଡ଼ିଶା ପ୍ରଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯେଉଁମାନେ ସମ୍ବଲପୁରରେ ହିଁ ଏହି ପ୍ରଦେଶ ଗଠନର ମୂଳଦୁଆ ପକାଇଥିଲେ, ସେମାନେ ଓଡ଼ିଆ ଜାତିର ବନ୍ଦନୀୟ, ବରଣୀୟ ।

 

ଗ୍ରନ୍ଥସୂଚୀ :

(୧)

ସମ୍ବଲପୁରରେ ଭାଷା ଆନ୍ଦୋଳନ ପୃଷ୍ଠା-୪

(୨)

ଏଜନ ପୃଷ୍ଠା-୭

(୩)

ସମ୍ବଲପୁର ହିତୈଷିଣୀ-ମାର୍ଚ୍ଚ ୫ ତାରିଖ ୧୮୯୫

(୪)

ସମ୍ବଲପୁରରେ ଭାଷା-ଆନ୍ଦୋଳନ ପୃଷ୍ଠା-୨୭ ‘ହୀରାଖଣ୍ଡ’ ପୃଷ୍ଠା-୭୧

(୫)

ଶିମଳା ଯାତ୍ରା ପୃ-୭୦

(୬)

ଏଜ୍‌ନ ପୃ-୭୦

(୭)

ସମ୍ବଲପୁରରେ ଭାଷା-ଆନ୍ଦୋଳନ ପୃ-୫୩

(୮)

India Under Curzon & after by Mr. Lovat Traser P. 376

(୯)

ସମ୍ବଲପୁରରେ ଭାଷା-ଆନ୍ଦୋଳନ ପୃ. ୬୨-୬୩

(୧୦)

ଏଜ୍‌ନ ପୃ-୭୧

 

ଭୂମିକମ୍ପ ହେବ

 

ଧରଣୀ ଫାଟିବ

ଊଠିବେ ସହସ୍ର ଭୁଜା

ସେହି ତୋ’ର ମାତା

 

ସେହି ତୋର ଭ୍ରାତା

କର ସେହି ପଦ ପୂଜା

-ଜାତୀୟ ଗୌରବ ମଧୁସୂଦନ

ଏମ୍. ଏଲ୍. ଏ., ଝାରୁଆପଡ଼ା, ସମ୍ବଲପୁର

***

 

ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ (ଖ୍ରୀ: ୧୭୫୧) ଯେତେବେଳେ ଓଡ଼ିଶା ମରହଟ୍ଟାମାନଙ୍କ ହସ୍ତଗତ ହୋଇଥିଲା ଏବଂ ଉତ୍କଳରେ ଠାକୁର ରାଜା ବୀରକିଶୋର ଦେବ ତାଙ୍କର ଆଶ୍ରିତ ହୋଇ ରହିଥିଲେ, ସେତେବେଳେ ପାରଳାଖେମୁଣ୍ଡି ଗଜପତି ବଂଶର ସ୍ୱନାମଧନ୍ୟ ଜଗନ୍ନାଥ ନାରାୟଣ ଦେବ ଓଡ଼ିଆମାନଙ୍କର ଏକତ୍ରୀକରଣ ଓ ସ୍ୱାଧୀନତା ପ୍ରତିଷ୍ଠା ପାଇଁ ୧୭୬୦ ଖ୍ରୀଷ୍ଟାବ୍ଦରେ ଆହ୍ୱାନ ଦେଇଥିଲେ (୧) । ମରହଟ୍ଟା ସରଦାର ଶିବଭଟ୍ଟଙ୍କ ଆଶ୍ରୟରେ ବୀରକିଶୋର ଦେବ ତାଙ୍କୁ ସହଯୋଗ ନଦେବା ହେତୁ ପୁଣି ଆନ୍ଧ୍ର ଅଞ୍ଚଳର ବିଜୟ ନଗର ରାଜାଙ୍କ ଦ୍ୱାରା ଦକ୍ଷିଣ ଉପାନ୍ତ ଅଞ୍ଚଳ ଆକ୍ରାନ୍ତ ହେବାରୁ ନାରାୟଣ ଦେବଙ୍କ ସେହି ପ୍ରଚେଷ୍ଟା ବିଫଳ ହୋଇଥିଲା ।

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳାଖେମୁଣ୍ଡି ମହାରାଜାଙ୍କ ଭୂମିକା

ଡଃ ହରିହର କାନୁନ୍‌ଗୋ

 

ଏହି ଅଷ୍ଟାଦଶ ଶତାବ୍ଦୀରେ ଇଂରେଜମାନେ ଯେତେବେଳେ ଉତ୍ତର ଓଡ଼ିଶା ଅଧିକାର କଲେ, ସେତେବେଳେ ଓଡ଼ିଆ ଜାତି ବିଚ୍ଛିନ୍ନ ହୋଇ ଏକାଧିକ ପ୍ରଦେଶରେ ରହିବାକୁ ବାଧ୍ୟ ହେଲେ-। ବଙ୍ଗଳା ସଙ୍ଗେ ଓଡ଼ିଶାର ଉତ୍ତର ପୂର୍ବାଞ୍ଚଳ, ପଶ୍ଚିମ ଓଡ଼ିଶାର କେତେକ ଅଂଶ ମଧ୍ୟପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ମାଡ୍ରାସ ରାଜ୍ୟର ଶାସନାଧୀନ ହୋଇ ରହିଲା-। ବିଚ୍ଛିନ୍ନ ଓଡ଼ିଆ ଜାତିର ଭାଗ୍ୟାକାଶରେ ଘୋର ଦୁର୍ଦ୍ଦିନ ଦେଖା ଦେଲା ।

 

ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଗଞ୍ଜାମରେ ଓଡ଼ିଆମାନଙ୍କର ଜାଗରଣ ତେଜି ଉଠିଲା-। ଫଳରେ ମାନ୍ଦ୍ରାଜ ସରକାର ଲୋକମତକୁ ଉପେକ୍ଷା ନକରି ୧୮୮୩ରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାକୁ ସ୍ଥାନ ଦେବା ସଙ୍ଗେ ସଙ୍ଗେ ୧୮୯୦ରେ ସରକାରୀ ଅଫିସ ଓ କଚେରୀରେ ମଧ୍ୟ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆଦେଶ ଦେଲେ (୨) । କିନ୍ତୁ ଓଡ଼ିଆମାନେ ସରକାରୀ ଅଫିସରେ ସ୍ଥାନ ପାଉ ନଥିବାରୁ ସରକାରଙ୍କର ଏ ଆଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

 

(୧)

ଡଃ ହରେକୃଷ୍ଣ ମହତାବ-ଓଡ଼ିଶା ଇତିହାସ, ପ୍ରକାଶକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର, ପ୍ରଥମ ପ୍ରକାଶ, ୧୯୪୮, ପୃ.୨୫୪, ୨୬୭ ।

(୨)

Order of the Madras Government (Judicial) 15th December, 1890, No 2024.

 

୧୯୦୩ ଡିସେମ୍ବର ୩ ତାରିଖରେ ଭାରତ ସରକାରଙ୍କ ଘରୋଇ ସଚିବ ରିସ୍‌ଲେ ବଙ୍ଗ-ସରକାର ଓ ଅନ୍ୟାନ୍ୟ ପ୍ରାଦେଶିକ ସରକାରମାନଙ୍କୁ ଦେଶ ମିଶ୍ରଣ ପ୍ରସଙ୍ଗରେ ଆସାମ, ଓଡ଼ିଶାକୁ ବଙ୍ଗଦେଶରୁ ଅଲଗା କରିବା ପାଇଁ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲା ନାହିଁ । ଫଳରେ ୧୯୦୩ ଡିସେମ୍ବର ୩୦, ୩୧ରେ କଟକଠାରେ ହୋଇଥିବା ଉତ୍କଳ-ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ପ୍ରସ୍ତାବ ଆଗତ, ୧୯୦୪ ଡିସେମ୍ବର ୨୮, ୨୯ରେ ଉତ୍କଳ-ସମ୍ମିଳନୀର ଦ୍ୱିତୀୟ ଅଧ୍ୟବେଶନରେ ଓଡ଼ିଶାକୁ ସ୍ୱତନ୍ତ୍ର ଶାସନାଧୀନ କରିବା ପାଇଁ ଲର୍ଡ଼ କର୍ଜନଙ୍କ ପ୍ରସ୍ତାବକୁ ସମର୍ଥନ, ୧୯୦୬ ଅପ୍ରେଲ, ୧୩, ୧୪ ତାରିଖରେ ବାଲେଶ୍ୱରଠାରେ ଉତ୍କଳ-ସମ୍ମିଳନୀର ତୃତୀୟ ଅଧିବେଶନରେ ଓଡ଼ିଶା ସହିତ ସମ୍ବଲପୁର ଓ ଗଞ୍ଜାମର ମିଶ୍ରଣ ପ୍ରସ୍ତାବ ଗୃହୀତ, ୧୯୦୬ ଡିସେମ୍ବର ୨୬, ୨୭ରେ ବ୍ରହ୍ମପୁର ଠାରେ ଏହି ସମ୍ମିଳନୀର ଚତୁର୍ଥ ଅଧିବେଶନରେ ମାନ୍ଦ୍ରାଜ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ଯୋଗୁଁ ମାନ୍ଦ୍ରାଜ ସରକାରଙ୍କୁ କୃତଜ୍ଞତା ଜ୍ଞାପନ ପ୍ରସ୍ତାବ, ୧୯୦୭ରେ ରୟେଲ କମିଶନରଙ୍କ ଆଗରେ ଦେଶ ମିଶ୍ରଣ ପ୍ରସ୍ତାବ ଉପରେ ଅନୁରୋଧ କରାଯାଇ ଓଡ଼ିଆ ମାନଙ୍କର ସାକ୍ଷ୍ୟ ପ୍ରଦାନ, ୧୯୦୮ରେ କୁଳବୃଦ୍ଧ ମଧୁସୂଦନଙ୍କ ଉଦ୍ୟମରେ ଇଂଲଣ୍ଡରେ ଓଡ଼ିଆ ଆନ୍ଦୋଳନର ତରଙ୍ଗସୃଷ୍ଟି ପ୍ରଭୃତି ଗୋଟିଏ ଗୋଟିଏ ଅବିସ୍ମରଣୀୟ ଘଟଣା ଓଡ଼ିଆମାନଙ୍କ ଦାବୀକୁ ସମର୍ଥନ ଜଣାଇଲା । ପୁଣି ଗଞ୍ଜାମର ଓଡ଼ିଆମାନେ ଭାରତ ସରକାର ଓ ମାନ୍ଦ୍ରାଜ ସରକାରଙ୍କୁ ଆବେଦନ କରିବା ଫଳରେ ଉଚ୍ଚକାର୍ଯ୍ୟାଳୟରେ ଓଡ଼ିଆ କର୍ମଚାରୀ ନିଯୁକ୍ତି ଓ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ଆଦେଶ (୩) ମିଳିବା ସତ୍ତ୍ୱେ ତେଲୁଗୁମାନଙ୍କର ବିରୋଧ ଯୋଗୁଁ ଏହା ଅସମ୍ଭବ ହୋଇ ପଡ଼ିଲା ।

 

୧୯୧୩ରେ କେନ୍ଦ୍ରସରକାରଙ୍କ ପକ୍ଷରୁ ତତ୍କାଳୀନ ମାନ୍ଦ୍ରାଜର ଗଭର୍ଣ୍ଣର ଲର୍ଡ଼ ପେଣ୍ଟଲାଣ୍ଡ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁରଠାରେ ଲାଣ୍ଡହୋଲଡର୍ସ ଆସୋସିଏସନ୍, ଓଡ଼ିଆ ସମାଜ ଓ ଆନ୍ଧ୍ରଭାଷା ବିବର୍ଦ୍ଧନୀ ପ୍ରଭୃତି ସଭାର ସଭ୍ୟମାନଙ୍କପକ୍ଷରୁ ସ୍ମାରକପତ୍ର ଓ ସାକ୍ଷ୍ୟ ଗ୍ରହଣ କଲେ । ଏହି ସମୟରେ ପାରଳା ଗଜପତି ରାଜବଂଶର ଦାୟାଦ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ମାଡ୍ରାସ ନିଉଙ୍ଗଟନ କଲେଜରୁ ଶିକ୍ଷା ସମାପ୍ତ କରି ୧୯୧୩ ଅପ୍ରେଲ ୨୬ ତାରିଖ ଦିନ ପାରଳା ରାଜଗାଦିରେ ବସିବା ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଜାମାନଙ୍କ ସୁଖସୁବିଧା ତଥା ଜାତୀୟକଲ୍ୟାଣ କାର୍ଯ୍ୟରେ ଆଜୀବନ ବ୍ରତୀ ହେବାପାଇଁ ଶପଥ ନେଲେ । ଲର୍ଡ଼ ପେଣ୍ଟଲାଣ୍ଡ ପାରଳା ମହାରାଜାଙ୍କର ନିମନ୍ତ୍ରଣ ରକ୍ଷାକରି ପାରଳାରେ ଦୁଇଦିନ ଅବସ୍ଥାନ କରିବା ସମୟରେ ଉତ୍କଳ-ହିତୈଷିଣୀ ସମାଜ ପକ୍ଷରୁ ତାହାଙ୍କୁ ଓଡ଼ିଶାରେ ପାରଳାଖେମୁଣ୍ଡି ସମେତ ମାନ୍ଦ୍ରାଜର ସମସ୍ତ ଓଡ଼ିଆଭାଷୀ ଅଞ୍ଚଳ ମିଶ୍ରଣ ସପକ୍ଷରେ ଦୃଢ଼ ଯୁକ୍ତି ଦର୍ଶାଇ ସ୍ମାରକପତ୍ର ଦିଆଗଲା । ସେ ଓଡ଼ିଆମାନଙ୍କ ସମସ୍ୟା ପ୍ରତି ନ୍ୟାୟୋଚିତ ବିଚାର କରିବାକୁ ପ୍ରତିଶ୍ରୁତି ଦେଲେ । ଫଳରେ ପାରଳା ମହାରାଜାଙ୍କ ହୃଦୟରେ ସେହିଦିନଠାରୁ ଜାତୀୟ-ଚେତନା ଅଙ୍କୁରିତ ହେଲା ।

 

୧୯୧୪ ଡିସେମ୍ବର ୨୬, ୨୭ ତାରିଖରେ ପାରଳାଖେମୁଣ୍ଡିଠାରେ ବସିଲା ଉତ୍କଳ-ସମ୍ମିଳନୀର ଦଶମ ଅଧିବେଶନ । ସମ୍ମିଳନୀର ସଭାପତି ଥିଲେ କୃଷ୍ଣଚନ୍ଦ୍ର ଗଜପତିଙ୍କ ମାମୁଁ ଜୟପୁର ରାଜା ବିକ୍ରମଦେବ ବର୍ମା । ଏହି ସମୟରେ ପାରଳା ମହାରାଜା ଓଡ଼ିଆ ଭାଷାଭାଷୀ ସମସ୍ତ ଅଞ୍ଚଳକୁ ମିଶାଇ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ଆବଶ୍ୟକ ବୋଲି ପ୍ରସ୍ତାବ ଦେଲେ କାରଣ ଅନ୍ୟ ପଡ଼ୋଶୀମାନଙ୍କ ପ୍ରଭାବରୁ ମୁକ୍ତହୋଇ ଓଡ଼ିଆ ନିଜେ ନିଜର ଘର ସଜାଡ଼ିବାକୁ ସମର୍ଥ ହୋଇପାରିବ । ମିଃ ଦାସ ସେତେବେଳେ କହିଥିଲେ ଯେ ଇଂରେଜ ସରକାର ବହୁଅର୍ଥ ବ୍ୟୟକରି ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଆଦୌ ଆଗ୍ରହ ପ୍ରକାଶ କରିବେ ନାହିଁ । ଫଳରେ ଏହି ପ୍ରସ୍ତାବଟି ନିଷ୍ଫଳ ହୋଇଯିବ । ଏହାର ଉତ୍ତରରେ ପାରଳା ମହାରାଜା କହିଲେ, ‘‘ପିଲା ଯଦି ମା’କୁ ଅଳିକରେ ଓ ବହୁତ କିଛି ଖାଇବାକୁ ମାଗେ, ମା’ ତାର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅଳ୍ପହେଲେ ମଧ୍ୟ ଦେଇ ପିଲାକୁ ସନ୍ତୁଷ୍ଟ କରେ ।’’ ମିଃ ଦାସ ଅନିଚ୍ଛାସତ୍ତ୍ୱେ ଏ ପ୍ରସ୍ତାବରେ ସମ୍ମତି ପ୍ରଦାନ କଲେ । ପୁଣି ଏହି ସମ୍ମିଳନୀରେ ସିଂହଭୂମି, ଜୟପୁର ଏବଂ ଫୁଲଝର ପ୍ରଭୃତିରେ ଓଡ଼ିଆ କଚେରିଭାଷା ଓ ଜୟପୁରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପାରଳାର ରାଜାସାହେବ ଏହି ଉପଲକ୍ଷେ ସେତେବେଳେ ଦଶହଜାର ଟଙ୍କା ବ୍ୟୟକରି ସମ୍ମିଳନୀଟିକୁ ସାଫଲ୍ୟମଣ୍ଡିତ କରିବା ସଙ୍ଗେ ସଙ୍ଗେ ଓଡ଼ିଆମାନଙ୍କ ଦାବୀର ଉଦ୍ଦେଶ୍ୟ ପୂରଣ ଦିଗରେ ସଚେଷ୍ଟ ହୋଇଥିଲେ ।

 

(୩)

Order of the Madras Government (Judicial) 15th Dec’ 1890, No. 2024.

 

ଏହାପରେ ମାନ୍ଦ୍ରାଜ ବିଧାନସଭାରେ ଧରାକୋଟ ରାଜା ମଦନମୋହନ ସିଂହଦେଓଙ୍କ ଦ୍ୱାରା ଗଞ୍ଜାମ, ଜୟପୁର ମିଶ୍ରଣ ପ୍ରସ୍ତାବ, ୧୯୧୫ ଡିସେମ୍ବର ୨୭, ୨୮ ତାରିଖରେ ସିଂହଭୂମର ନେରା ରାଜା ଲକ୍ଷ୍ମୀନାରାୟଣ ସିଂହଦେଓଙ୍କ ସଭାପତିତ୍ୱରେ ଉତ୍କଳ-ସମ୍ମିଳନୀର ଏକାଦଶ ଅଧିବେଶନରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଦାବୀ ଓ ଇମ୍ପିରିଆଲ କାଉନସିଲରେ ଜଣେ ଓଡ଼ିଆ ପ୍ରତିନିଧି ନେବାପାଇଁ ପ୍ରସ୍ତାବ, ୧୯୧୬ ଡିସେମ୍ବର ୨୯, ୩୦ ତାରିଖରେ ବାଲେଶ୍ୱରଠାରେ ଏହି ସମ୍ମିଳନୀର ଦ୍ୱାଦଶ ଅଧିବେଶନରେ ମାନ୍ଦ୍ରାଜ, ବଙ୍ଗର ଓଡ଼ିଆ ଅଞ୍ଚଳସବୁ ଓଡ଼ିଶାରେ ମିଶ୍ରଣ ପ୍ରସ୍ତାବ ଓ ସାତଜଣ ସଭ୍ୟଙ୍କୁ ନେଇ ଉତ୍କଳ ୟୁନିୟନ କମିଟି ଗଠନ ଏବଂ ୧୯୧୭ ମାର୍ଚ୍ଚ ୩୦, ୩୧ରେ କଟକରେ ହୋଇଥିବା ସମ୍ମିଳନୀର ତ୍ରୟୋଦଶ ଅଧିବେଶନରେ ଇମ୍ପିରିଆଲ କାଉନ୍‌ସିଲକୁ ଦୁଇଜଣ ଓଡ଼ିଆ ପ୍ରତିନିଧି ଓ ପ୍ରାଦେଶିକ ଏକ୍‌ଜିକ୍ୟୁଟିଭ କାଉନ୍‌ସିଲକୁ ଜଣେ ଓଡ଼ିଆ ପ୍ରତିନିଧି ପଠାଇବା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ସମ୍ମିଳନୀର ମୁଖପତ୍ର ‘‘ଦି ଓଡ଼ିଆ’’ (ଇଂରାଜୀ ସାପ୍ତାହିକ ପତ୍ରିକା) ପ୍ରକାଶ ଜାତୀୟ ଆନ୍ଦୋଳନର ରୂପନେଲା ।

 

୧୯୧୭ ଜୁଲାଇ ମାସରେ ଭାରତକୁ ସ୍ୱାୟତ୍ତଶାସନ ଦେବା ନିମିତ୍ତ ମଣ୍ଟେଗୁ ଚେମସ୍‌ ଫୋର୍ଡ଼ଙ୍କ ଦ୍ୱାରା ପ୍ରକାଶିତ ଶାସନ-ସଂସ୍କାର ରିପୋର୍ଟ ଅନୁସାରେ ୧୯୧୯ରେ ଦେଶରେ ଶାସନସଂସ୍କାର ଆଇନ ଲାଗୁ ହେବାରୁ ୧୯୨୦ରେ ‘ଓଡ଼ିଆ ଆସୋସିଏସନ୍’ ପକ୍ଷରୁ ବ୍ରହ୍ମପୁରରେ ପାରଳା ମହାରାଜାଙ୍କ ନେତୃତ୍ୱରେ ସମସ୍ତ ବିଚ୍ଛିନ୍ନାଞ୍ଚଳକୁ ମିଶାଇ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେଉ ବୋଲି ଦୃଢ଼ ଦାବୀ ହେଲା । ୧୯୨୦ ଫେବୃୟାରୀ ୨୦ ତାରିଖରେ ଭାରତର କେନ୍ଦ୍ରୀୟ ବିଧାନସଭାରେ ବିହାର ଓଡ଼ିଶାର ପ୍ରତିନିଧି ସଚ୍ଚିଦାନନ୍ଦ ସିହ୍ନା ସମସ୍ତ ଓଡ଼ିଆଭାଷୀ ଅଞ୍ଚଳକୁ ମିଶାଇ ଏକ ସ୍ୱତନ୍ତ୍ର ଶାସନାଧୀନ ପ୍ରସ୍ତାବ ଆଗତ କରିବାରୁ କନିକା ରାଜାଙ୍କ ସମତେ ବହୁ ବଡ଼ ବଡ଼ ନେତା ଏହାକୁ ସମର୍ଥନ ଜଣାଇଲେ । କିନ୍ତୁ ମାନ୍ଦ୍ରାଜ ପ୍ରତିନିଧି ବି. ଏନ୍. ଶର୍ମା ଏହି ପ୍ରସ୍ତାବକୁ ବିରୋଧ କରି ଭାଷାସୂତ୍ରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯିବା ଆବଶ୍ୟକ ବୋଲି ମତ ଦେଲେ ।

 

୧୯୧୭ରେ ମଧୁବାବୁଙ୍କ ସଭାପତିତ୍ୱରେ ହୋଇଥିବା ସମ୍ମିଳନୀର ବିଶେଷ ଅଧିବେଶନରେ ଏବଂ ଗୋପବନ୍ଧୁଙ୍କ ସଭାପତିତ୍ୱରେ କଟକରେ ହୋଇଥିବା ସମ୍ମିଳନୀର ଚତୁର୍ଦ୍ଦଶ ଅଧିବେଶନରେ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଦାବୀ ଏବଂ ୧୯୨୦ରେ ପୁରୀଠାରେ ସମ୍ମିଳନୀର ପଞ୍ଚଦଶ ଅଧିବେଶନରେ ମଧ୍ୟ ଓଡ଼ିଆମାନଙ୍କର ଏକତ୍ରିକରଣ ପ୍ରସ୍ତାବ ଆନ୍ଦୋଳନକୁ ତ୍ୱରାନ୍ୱିତ କଲା ।

 

୧୯୨୧ ନଭେମ୍ବର ୨୫ ତାରିଖରେ ବିହାର ଓଡ଼ିଶା ବିଧାନସଭାରେ ବିଶ୍ୱନାଥ କରଙ୍କ ଦ୍ୱାରା ଓଡ଼ିଆଭାଷୀ ଅଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ପ୍ରଦେଶ ଗଠନ ପ୍ରସ୍ତାବ ଆଗତ କରାଗଲା । ସେହିବର୍ଷ ମାନ୍ଦ୍ରାଜ ଲେଜିସ୍‌ଲେଟିଭ୍ ଆସେମ୍ଲିରେ ଶଶୀଭୂଷଣ ରଥ ଓଡ଼ିଆ ସମସ୍ୟା ସମାଧାନ ପାଇଁ ଦୃଢ଼ ଦାବୀ କରିବାରୁ ମାନ୍ଦ୍ରାଜ ସରକାର ଏ କଥାର ଦୃଢ଼ ପ୍ରତିବାଦ କଲେ । ଫଳରେ କେନ୍ଦ୍ରସରକାର ଓଡ଼ିଆଙ୍କ ଦାବୀ ବିଚାରକୁ ନେଲେ ନାହିଁ । ତଥାପି ପାରଳା ମହାରାଜା ନିଜ ଉଦ୍ୟମ ଅବ୍ୟାହତ ରଖି ମାନ୍ଦ୍ରାଜ ସରକାର ବିରୋଧରେ ଗଭର୍ଣ୍ଣର ଜେନେରାଲଙ୍କୁ ବ୍ୟକ୍ତିଗତ ପତ୍ରଲେଖି ଗଞ୍ଜାମ ଓଡ଼ିଆଙ୍କ ପ୍ରତି ବୈମାତୃକ ମନୋଭାବ ବିଷୟ ଜଣାଇଲେ ।

 

୧୯୨୩ରେ ବ୍ରହ୍ମପୁରଠାରେ ହୋଇଥିବା ଉତ୍କଳ ସମ୍ମିଳନୀର ସପ୍ତଦଶ ଅଧିବେଶନରେ ଓଡ଼ିଆ ଆନ୍ଦୋଳନକୁ ଅବ୍ୟାହତ ରଖିବାପାଇଁ କଂଗ୍ରେସ ଓ ଅଣକଂଗ୍ରେସ ନେତାମାନଙ୍କର ସମନ୍ୱୟ-ରକ୍ଷା ପ୍ରସ୍ତାବ ୧୯୨୪ ଜୁନ୍ ୬ ତାରିଖରେ ସଂସ୍କାର ତଦନ୍ତ କମିଟୀ (Muddiman Committee) ଆଗରେ ମଧୁବାବୁଙ୍କ ଦ୍ୱାରା ଓଡ଼ିଆ ସମସ୍ୟାଗୁଡ଼ିକର ଉତ୍‌ଥାପନ, ୧୯୨୪ରେ ଦେଶ ମିଶ୍ରଣପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଫିଲିପ୍‌-ଡଫ୍ କମିଶନ ଗଠନ ଓଡ଼ିଆମାନଙ୍କ ହୃଦୟରେ ଆଶା ସଞ୍ଚାର କଲା । ଏହି କମିଶନ ୧୯୨୧ ମସିହା ଜନଗଣନା ରିପୋର୍ଟ ଅନୁସାରେ ତଦନ୍ତକରି କୋରାପୁଟ, ଜୟପୁର ଓ ନବରଙ୍ଗପୁର ତାଲୁକା ଅଞ୍ଚଳ ବ୍ୟତୀତ ଭାଇଜାଗପଟମ୍ ଏଜେନ୍‌ସି ସୀମା ଭିତରେଥିବା ଓଡ଼ିଆଭାଷୀ ଅଞ୍ଚଳ ବୋଲି ମତ ଦେଲେ । ୧୯୨୪ ନଭେମ୍ବର ୨ ତାରିଖରେ ଫିଲିପ୍‌-ଡଫ୍ କମିଶନ ପାରଳାଖେମୁଣ୍ଡିରେ ପହଞ୍ଚିଲାପରେ ତାହାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବାପାଇଁ ଗଜପତି କଲେଜରେ ହୋଇଥିବା ବିରାଟ ସଭାରେ ଉତ୍କଳ-ହିତୈଷିଣୀ ସମାଜ ପକ୍ଷରୁ ଓଡ଼ିଆମାନେ ମହାରାଜାଙ୍କ ଇଙ୍ଗିତରେ ଦେଶ ମିଶ୍ରଣ ପାଇଁ ସ୍ମାରକପତ୍ର ପ୍ରଦାନ କରି କମିଶନଙ୍କ ଆଗରେ ଅନୁକୂଳ ସାକ୍ଷ୍ୟ ଦେଲେ । ଏହି ସଭାରେ ସି. ଏଲ. ଫିଲିପ୍ କହିଲେ, ‘‘I can, however, say that sofar as the wishes of the people of Parlakimedi are concerned Mr. Duff and I are agreed that they are distinctly in favour of amalgamation.’’-(୪) । ଜମିଦାର ଓ ଅନ୍ୟାନ୍ୟ ପ୍ରଜାମାନଙ୍କଠାରୁ ସାକ୍ଷ୍ୟ ନେଇ କମିଶନ ଓଡ଼ିଶା ସହିତ ବିଭିନ୍ନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ସୁପାରିଶ କଲେ (୫) । ତେଣୁ ପାରଳା ମହାରାଜାଙ୍କ ଅନୁକୂଳ ମତ ସଙ୍ଗେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବୀ କମିଶନ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ତାଙ୍କ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ ଗଞ୍ଜାମ ଓ ଜୟପୁର ଜମିଦାରୀର ରାଜାମାନେ ଓଡ଼ିଶାରେ ରହିବାକୁ ପ୍ରବଳ ଇଚ୍ଛା ପ୍ରକାଶ କରୁଥିବାରୁ ସେ ଅଞ୍ଚଳସବୁ ଓଡ଼ିଶାରେ ମିଶିବା ଆବଶ୍ୟକ ।

 

(୪)

ସାପ୍ତାହିକ ‘ଆଶା’- ୧୨।୧୧।୧୯୨୪

(୫)

Phillip-Duff committee, Para. 6-7. PP. 6-8/Para 8, P. 10/ Para, 9, P-12/ Para-12, P-16

 

୧୯୨୪ ନଭେମ୍ବର ୨ ତାରିଖରେ ବ୍ରହ୍ମପୁରଠାରେ ଲିଙ୍ଗରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଦେଶମିଶ୍ରଣ ପ୍ରସ୍ତାବ, ୧୯୨୪ ନଭେମ୍ବର ୨୮ ତାରିଖରେ କମିଶନଙ୍କୁ ସମ୍ବୋଧନ କରି ବ୍ରହ୍ମପୁର ତାଲୁକାରେ ଓଡ଼ିଆମାନେ ୟୁନିୟନ ଗଠନ ପାଇଁ ଦାବୀପତ୍ର ପ୍ରଦାନ, ୧୯୨୬ ଜୁନ୍‌ ୨୮ ତାରିଖରେ ପ୍ରାଦେଶିକ କଂଗ୍ରେସ କମିଟି ପକ୍ଷରୁ ଗୋପବନ୍ଧୁଙ୍କ ଉଦ୍ୟମରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବୀ ଉପସ୍ଥାପନ, ୧୯୨୭ ଫେବୃୟାରୀ ୮ ତାରିଖରେ ଭାରତୀୟ ବିଧାନସଭାରେ ପଣ୍ଡିତ ନୀଳକଣ୍ଠଙ୍କ ଦ୍ୱାରା ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଉପରେ ଆଲୋଚନା ମଧ୍ୟରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଇଚ୍ଛା ଓଡ଼ିଆମାନଙ୍କର କ୍ରମେ ବଳବତ୍ତର ହେଲା ।

 

୧୯୨୭ ନଭେମ୍ବର ୭ ତାରିଖରେ ଭାରତର ଶାସନ ସଂସ୍କାର ନିମିତ୍ତ ସାଇମନ କମିଶନ ବସିଲା । କିନ୍ତୁ କମିଶନଙ୍କୁ କଂଗ୍ରେସ ପକ୍ଷରୁ ପୂରାପୂରି ବର୍ଜନ କରାଯିବା ଦେଖି ଦେଶମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମସ୍ୟା କମିଶନଙ୍କଠାରେ ଦୃଢ଼ଭାବେ ଉପସ୍ଥାପିତ କରିବା ପାଇଁ ପାରଳା ମହାରାଜା ମାନ୍ଦ୍ରାଜ ଯାତ୍ରାକଲେ । ସେଠାରେ ସ୍ମାରକପତ୍ର ସହ କମିଶନଙ୍କ ସମ୍ମୁଖରେ ସାକ୍ଷ୍ୟଦେଇ ପାରଳାକୁ ଫେରିଆସି ଅଣକଂଗ୍ରେସ ନେତା ବ୍ରଜସୁନ୍ଦର ଦାସଙ୍କୁ ପାଟଣାରେ ଓଡ଼ିଆଙ୍କ ତରଫରୁ ଅନୁରୂପ ସ୍ମାରକପତ୍ର ଓ ସାକ୍ଷ୍ୟ ଦେବାପାଇଁ ପରାମର୍ଶ ଦେଲେ । ଶେଷରେ ଅନ୍ୟାନ୍ୟ ବିଶିଷ୍ଟ ନେତାଙ୍କ ସହ ବ୍ରଜସୁନ୍ଦର ଦାସ ୧୯୨୮ ଡିସେମ୍ବର ୧୪ ତାରିଖରେ ପାଟନାଠାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବୀକରି ସ୍ମାରକପତ୍ର ଓ ସାକ୍ଷ୍ୟ ପ୍ରଦାନ କଲେ । ଫଳରେ ବିଭିନ୍ନ ଦିଗରୁ ବିଚାର କରି କମିଶନ୍ ଅନୁକୂଳ ମତଦେଇ କହିଲେ, ‘‘ଆମ୍ଭମାନଙ୍କ ନିକଟରେ ଉପସ୍ଥାପିତ କରାହୋଇଥିବା ସମସ୍ତ ବିଷୟ ବିଚାରକରି ଦେଖିଲୁ, ଓଡ଼ିଶାକୁ ଗୋଟିଏ ପୃଥକ୍ ପ୍ରଦେଶ କଲେ ତାହା ନିଜର ସମସ୍ତ ଖର୍ଚ୍ଚ ଚଳାଇ ପାରିବ ।’’ ପୁଙ୍ଖାନୁପୁଙ୍ଖ ଭାବରେ ଏହି ପ୍ରସଙ୍ଗର ବିଚାର ଆଲୋଚନା କରିବା ଲାଗି ବିହାର ଓଡ଼ିଶା ସରକାରଙ୍କ ପକ୍ଷରୁ ପାଟନାଠାରେ ସାଇମନ୍ କମିଶନର ଗୋଟିଏ ସବ୍‌କମିଟି (ଅଟ୍‌ଲି କମିଟି) ବସି ଓଡ଼ିଆମାନଙ୍କର ଦାବୀକୁ ସମର୍ଥନ କଲେ । ସାଇମନ୍‌ କମିଶନ ମଧ୍ୟ ତାଙ୍କ ରିପୋର୍ଟରେ ସିନ୍ଧୁ ଓ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ରଦେଶ କଥା ଉଲ୍ଲେଖ କରି ୧୯୩୦ ସେପ୍‌ଟେମ୍ବର ୨୦ ତାରିଖରେ ସୀମାନିର୍ଦ୍ଧାରଣ ପାଇଁ ବାଉଣ୍ଡରୀ କମିଶନ ବସାଇବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ । ମାଡ୍ରାସରେ ଅନୁଷ୍ଠିତ ନିଖିଳଭାରତ ଜାତୀୟ-କଂଗ୍ରେସ ସମ୍ମିଳନୀର କର୍ମୀମାନେ ସାଇମନ କମିଶନକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେବା ସଙ୍ଗେ ସଙ୍ଗେ ସିନ୍ଧୁ, କର୍ଣ୍ଣାଟକ, ଆନ୍ଧ୍ର ଏବଂ ଓଡ଼ିଶା ପ୍ରଭୃତିକୁ ସ୍ୱତନ୍ତ୍ର ପ୍ରଶାସନିକ ସଂସ୍ଥାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଲେ ।

 

ସାଇମନ୍ କମିଶନଙ୍କ ଅନୁକୂଳ ରିପୋର୍ଟ ପ୍ରକାଶ ପାଇବା ପରେ ୧୯୩୧ ମସିହା ଜାନୁଆରୀ ୧୬ ତାରିଖରେ ଭାରତରେ ଶାସନ ସଂସ୍କାର ପ୍ରବର୍ତ୍ତନ ନିମିତ୍ତ ପ୍ରଥମ ଗୋଲ୍‍ଟେବୁଲ ବୈଠକ ବସିଲା । ସେଥିରେ ଓଡ଼ିଆମାନଙ୍କ ପକ୍ଷରୁ ବିହାର ଓଡ଼ିଶା ସରକାର ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ପ୍ରତିନିଧିରୂପେ ମନୋନୀତ କଲେ । ସେହି ବୈଠକରେ ପାରଳା ମହାରାଜା ଦେଶମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବିଷୟରେ ଦୃଢ଼ ଦାବୀ କରି ଏକ ସ୍ମାରକପତ୍ର ଦେଇଥିଲେ । ସେହି ବୈଠକରେ ସ୍ମାରକପତ୍ର ଉପସ୍ଥାପିତ କରି ସେ ଓଡ଼ିଆ ସମସ୍ୟା ସମ୍ବନ୍ଧରେ ଦେଇଥିବା ବକ୍ତୃତାର ସାରମର୍ମ ନିମ୍ନରେ ପ୍ରଦତ୍ତ କରାଗଲା-

 

‘‘କୋଟିଏ ଓଡ଼ିଆ ଲୋକଙ୍କ ପକ୍ଷରୁ ମୁଁ ସେମାନଙ୍କ ବହୁଦିନର ଦାବୀ ଶୁଣାଇବାକୁ ଠିଆ ହୋଇଛି । ମୁଁ ଯେଉଁ ସ୍ମାରକପତ୍ର ଆପଣମାନଙ୍କୁ ଦେଇଛି, ସେଥିରୁ ଓଡ଼ିଆ ସମସ୍ୟାର ବିଶେଷ ବିବରଣୀ ଆପଣମାନେ ବୁଝି ପାରିବେ । ଓଡ଼ିଆମାନେ ଚାରିଟା ବିଭିନ୍ନ ଦେଶରେ ବାଣ୍ଟି ହୋଇ ରହିଛନ୍ତି । ମୁଁ ଆପଣମାନଙ୍କ ଆଗରେ ଓଡ଼ିଆ ଆନ୍ଦୋଳନର ବିଶେଷ ବିବରଣୀ ଦେଇ ଆପଣମାନଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିବାକୁ ଯାଉନାହିଁ । ଏକଥା ମୁଁ କହି ରଖୁଛି ଯେ ଓଡ଼ିଆମାନଙ୍କର ଏହା ହେଉଛି ଜୀବନମରଣ ସମସ୍ୟା । ଚାରିଟା ସରକାରଙ୍କ ରାଜଧାନୀର ବହୁ ଦୂରରେ ଓଡ଼ିଆମାନେ ବିଚ୍ଛିନ୍ନ ହୋଇ ପଡ଼ିଥିବାରୁ ଏମାନେ ପ୍ରତ୍ୟେକ ପ୍ରଦେଶରେ ବହୁ ଜନସଂଖ୍ୟା ମଧ୍ୟରେ ଲୁଚି ଯାଉଛନ୍ତି ।

 

ଆପଣମାନେ ଓଡ଼ିଆମାନଙ୍କର ଏହି ଆବେଦନ ପ୍ରତି ସହାନୁଭୁତି ଦେଖାଇବେ ଏବଂ ଓଡ଼ିଆଙ୍କ ଦାବୀ ପୂରଣ ଦିଗରେ ଚେଷ୍ଟା କରିବେ ବୋଲି ମୁଁ ଆଶାକରେ । ଆମେ ଚାହୁଁ ଭାଷା ଓ ଜାତି ହିସାବରେ ପ୍ରଦେଶ ଗଠନ । ଏହିଭଳି ଭାବରେ ଓଡ଼ିଆମାନେ ମିଳିତ ହେଲେ ଭବିଷ୍ୟତ ପୁନର୍ଗଠନ ଆଇନ୍‌ରେ ଏମାନେ ଉପକାର ପାଇ ପାରିବେ । ଭାଷା ଓ ଜାତି ସୂତ୍ରରେ କେବେ ପ୍ରଦେଶ ଗଠିତ ହେବ, ସେଥିପ୍ରତି ଇଂରେଜ ଓ ଭାରତୀୟ ପ୍ରତିନିଧିଗଣ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଛନ୍ତି । କୋଟିଏ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପ୍ରଦେଶ ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର ଆଇନ୍ ପ୍ରବର୍ତ୍ତନ କରି ଯଶସ୍ୱୀ ହୋଇ ପାରିବେ ନାହିଁ । ଭବିଷ୍ୟତ ସମ୍ମିଳିତ ରାଷ୍ଟ୍ରତନ୍ତ୍ରରେ ଘୋର ବାଧାସୃଷ୍ଟି ହେବ । ଲର୍ଡ଼୍ କର୍ଜନ୍ କହିଥିଲେ, ‘‘ଓଡ଼ିଆମାନେ ଉଗ୍ର ଆନ୍ଦୋଳନ ଚଳାଇ ପାରୁଥିଲେ ସେମାନଙ୍କ ପ୍ରତିବାଦ ସମସ୍ତେ ଶୁଣି ପାରିଥାନ୍ତେ । କିନ୍ତୁ ସେମାନେ ସେପରି ନୁହଁନ୍ତି । ଏହି ଓଡ଼ିଆମାନଙ୍କ ସ୍ୱାର୍ଥ ଉପରେ ନିଷ୍ଠୁର ଭାବରେ ଆଘାତ ଦିଆଯାଇଛି । ଓଡ଼ିଆଙ୍କ ପ୍ରତି ଦୟାଧର୍ମ ନ ଦେଖାଇ ବଳି ଦିଆଯାଇଛି ।’’

 

ମୁଁ ଆଶାକରେ ଆପଣମାନେ ସମସ୍ତେ ଉପଲବ୍‌ଧି କରିସାରିଛନ୍ତି ଯେ ଏହି ଓଡ଼ିଆ ସମସ୍ୟା ସମ୍ବନ୍ଧରେ କାହାରି ମତଭେଦ ନାହିଁ । ଏ ସମ୍ମିଳନୀରେ ଯେତେ ବିଷୟ ଉପସ୍ଥାପିତ ହୋଇଛି ଓଡ଼ିଆ ସମସ୍ୟା ଭଳି ଅନ୍ୟ କୌଣସି ସମସ୍ୟା ଏଡ଼େ ପ୍ରାଞ୍ଜଳ ଓ ସହଜସାଧ୍ୟ ନୁହେଁ । ଏହି ଓଡ଼ିଆ ସମସ୍ୟାର ଆଶୁ ସମାଧାନ ପାଇଁ ସାଇମନ୍‌ କମିଶନ, ଭାରତ ସରକାରଙ୍କ ରିପୋର୍ଟ ଓ ଅନ୍ୟ ପ୍ରାଦେଶିକ ସରକାରମାନେ ଅନୁକୂଳ ମତ ଦେଇଛନ୍ତି ।

 

ଆର୍ଥିକ ଅବସ୍ଥା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଅନ୍ତରାୟ ହୋଇପାରେ ବୋଲି ଆପଣମାନେ ଭାବୁଥିବେ । କିନ୍ତୁ ମୁଁ କହେ ଏଡ଼େବଡ଼ ଜାତିର ଉଦ୍ଧାର ନିମନ୍ତେ ଏହି ଆର୍ଥିକ ସମସ୍ୟା କୌଣସି ରୂପେ ପ୍ରତିବନ୍ଧକ ହେବା ବାଞ୍ଛନୀୟ ନୁହେଁ । ଏ ଜାତିର ଅତୀତ ସମ୍ପଦ, ଶିକ୍ଷା, ସଭ୍ୟତା ରକ୍ଷା କରିବା ପାଇଁ ସାମାନ୍ୟ ଅର୍ଥାଭାବ କିଛି ନୁହେଁ । ‘‘ଯେତିକି ଚୁନାକୁ ସେତିକି ପିଠା’’ ବୋଲି ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି । ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଏହି ପ୍ରବାଦ ପ୍ରଯୁକ୍ତ ହୋଇପାରେ । ଆସାମ ଓ ବିହାର ପ୍ରଦେଶମାନ ଗଠନ ହେଲାବେଳେ ଭାରତ ସରକାର ଯେମିତି ଉଦାରତା ଦେଖାଇଥିଲେ, ଓଡ଼ିଶା ପ୍ରଦେଶ ଗଠନରେ ମଧ୍ୟ ସରକାର ସେପରି ଉଦାରତା ଦେଖାଇବେ ବୋଲି ମୋର ଆଶା ।

 

ସୁଖର କଥା ନୂଆ ଓଡ଼ିଶା ପ୍ରଦେଶ ଗଠନ ହେଲା ବେଳକୁ ଆମର ଋଣଭାର ବୋଲି କିଛି ନଥିବ ଓ ଆସାମ ଦେଶ ଯେତେଟଙ୍କା ରାଜସ୍ୱ ନେଇ ଏକ ଶାସନ ପାଇଥିଲା, ଆମେ ତା’ଠାରୁ ଅଧିକ ରାଜସ୍ୱ ନେଇ ପ୍ରଦେଶ ପରିଚାଳନା କରିପାରିବୁ । ବିହାର ସରକାର ସାଇମନ୍ କମିଶନ ଆଗରେ ଯେଉଁ ସ୍ମାରକପତ୍ର ଉପସ୍ଥାପିତ କରିଛନ୍ତି, ତାହାର ୪୦୪ ପୃଷ୍ଠାରେ ଓଡ଼ିଆଙ୍କ ରାଜସ୍ୱ କୋଟିଏ ଟଙ୍କା ବୋଲି ଉଲ୍ଲେଖ କରାଯାଇଛି । ଅନ୍ୟାନ୍ୟ ଓଡ଼ିଆ ଭାଷୀ ଅଞ୍ଚଳର ସଂମିଶ୍ରଣ ଫଳରେ ଓଡ଼ିଶା ପ୍ରଦେଶର ରାଜସ୍ୱ ଦୁଇକୋଟିରୁ କିଛି ନିଅଣ୍ଟ ହେବ ନାହିଁ ବୋଲି ମୋର ବିଶ୍ୱାସ ।

 

ମୁଁ ଆପଣମାନଙ୍କୁ ଜଣାଇ ଦେଉଛି ଯେ ଯଦି ଓଡ଼ିଶା ପ୍ରଦେଶ ଗଠନ ଲାଗି ଏହି ରାଜସ୍ୱ ନିଅଣ୍ଟ ହୁଏ, ତେବେ ଏକ ବିଶେଷ ଖଜଣା ଉଠାଇ ଓଡ଼ିଶା ପ୍ରଦେଶର ଆର୍ଥିକ ଅଭାବ ଦୂର କରାଯାଇ ପାରିବ । ମୁଁ ଆପଣମାନଙ୍କୁ ଓଡ଼ିଆମାନଙ୍କ ଦାବୀ ବିଶେଷ ରୂପେ ବୁଝାଇ ପାରିଛି ବୋଲି ମନେକରେ । ଏଥର ଆପଣମାନେ ଓଡ଼ିଆଙ୍କ ଭାଗ୍ୟ କିପରି ଭାବରେ ଗଢ଼ିବେ ତାହା ଆପଣମାନଙ୍କ ହାତରେ ଅଛି ।

 

ଓଡ଼ିଆମାନଙ୍କର ସମସ୍ୟା ସମ୍ପର୍କରେ ଏଠାରେ ଏକୁଟିଆ ହୋଇ ମୁଁ ଯାହା କରିଛି ତାହାପ୍ରତି ସମସ୍ତେ ପ୍ରଣିଧାନ ଦୃଷ୍ଟି ଦେବେ ବୋଲି ଆଶା କରେ । ଭାରତ ପାଇଁ ଯେଉଁ ଔପନିବେଶିକ ସ୍ୱାୟତ୍ତ ଶାସନର ଯୋଜନା ପ୍ରସ୍ତୁତ ହେଉଛି, ଓଡ଼ିଆମାନେ ସେଥିରେ ଯେପରି ସମପ୍ରାଣରେ ଯୋଗ ଦେବେ ଏହାର ବିହିତ ବିଧାନ କରାଯାଉ ଏତିକି ମାତ୍ର ମୋର କାମନା ।

 

ଲଣ୍ଡନରୁ ଫେରିଲା ପରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପ୍ରଦେଶ ସମ୍ବନ୍ଧରେ ଦିଲ୍ଲୀ ଆସୋସିଏଟେଡ଼୍ ପ୍ରେସ୍‌ର ପ୍ରତିନିଧିଙ୍କୁ ସାକ୍ଷାତ ଦେଇ ପାରଳା ମହାରାଜା କହିଥିଲେ, ‘‘ ଓଡ଼ିଆମାନଙ୍କର ସ୍ୱତନ୍ତ୍ର ପ୍ରଦେଶ ଦାବୀ ଅଚିରେ ଫଳ ଲାଭ କରିବ । ଏଥିରେ ବିଶେଷ ଆଶା ଓ ଉତ୍ସାହ ଜାତ ହୋଇଛି । ଗୋଲଟେବୁଲରେ ଯୋଗ ଦେଇଥିବା ବିଭିନ୍ନ ଦଳର ଲୋକେ ଓ ବ୍ରିଟିଶ ଭାରତର ପ୍ରତିନିଧିମାନେ ଏଥିରେ ପୂର୍ଣ୍ଣ ସହାନୁଭୂତି ଓ ସମର୍ଥନ ଜଣାଇଛନ୍ତି । ଓଡ଼ିଶା ସଙ୍ଗେ ଯେଉଁ ଯେଉଁ ଅଞ୍ଚଳଗୁଡ଼ିକ ମିଶିବ ତାହା ଜାଣିଲା ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ବ୍ୟୟଭାର ନିର୍ଣ୍ଣୟ କରିହେବ । ଫଳରେ ଏହାରି ଉପରେ ନିର୍ଭର କରି ପ୍ରଦେଶର ଆର୍ଥିକ ଅବସ୍ଥା ବିଷୟ ଚିନ୍ତା କରାଯାଇପାରେ । ଓଡ଼ିଶା ଗଡ଼ଜାତର ସହାନୁଭୂତି ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତି ନିଶ୍ଚୟ ଅଛି । ଆମେ ଯଦି ଯୋଜନା ପ୍ରସ୍ତୁତ କରି ଏମାନଙ୍କୁ ବୁଝାଇପାରୁ, ତେବେ ଗଡ଼ଜାତର ରାଜା ମହାରାଜାମାନେ ଆନନ୍ଦରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶରେ ଯୋଗଦେଇ ଆର୍ଥିକ ଓ ଅନ୍ୟାନ୍ୟ ସବୁପ୍ରକାର ସାହାଯ୍ୟ ଦେଇ ପାରନ୍ତେ । କେନ୍ଦ୍ର ସରକାରର ନିକଟ ଭବିଷ୍ୟତର ପରିସ୍ଥିତି ଦୃଷ୍ଟିରେ ସ୍ପଷ୍ଟ ଅନୁମାନ କରିହେଉଛି ଯେ ଶୀଘ୍ର ସୀମା କମିଟି ବସି ଓଡ଼ିଶା ପ୍ରଦେଶର ସୀମା ନିର୍ଣ୍ଣୟ କରିବ ।

 

ଭାରତ ବ୍ୟବସ୍ଥାପକ ସଭାରେ ଥିବା ଶୁଭାକାଂଙ୍‌କ୍ଷୀମାନଙ୍କୁ ମୁଁ ଅନୁରୋଧ କରେ ଯେ ଆପଣମାନେ ଓଡ଼ିଆ ସମସ୍ୟା ପଡ଼ିଲାବେଳେ ଏଥିପ୍ରତି ଉଦାରତା ଦେଖାଇ ଆଲୋଚନାରେ ସହାନୁଭୂତି ଦେଖାଇବେ । ଅନ୍ୟ ଛୋଟ ପ୍ରଦେଶମାନ ଗଠିତ ହେଲାବେଳେ ପରିଷଦର ସଭ୍ୟମାନେ ଯେପରି ଉଦାରତା ଦେଖାଇ ସମର୍ଥନ କରିଥିଲେ, ଏବେ ମଧ୍ୟ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସେହିପରି ସମର୍ଥନ ଦେବେ ବୋଲି ମୋର ଆଶା ।’’

 

ପାରଳା ମହାରାଜାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ନେତୃତ୍ୱ ବଳରେ ଓଡ଼ିଶାର ନ୍ୟାଯ୍ୟଦାବୀ ଦୃଢ଼ ଭାବରେ ପ୍ରତିପାଦିତ ହେବାରୁ ସେହି ପ୍ରସ୍ତାବ ଅନୁସାରେ ୧୯୩୧ ମସିହା ସେପ୍‌ଟେମ୍ବର ୭ ତାରିଖରେ ଦ୍ୱିତୀୟଥର ଗୋଲଟେବୁଲ ବୈଠକରେ ସ୍ୱତନ୍ତ୍ର ପ୍ରଦେଶ ଘୋଷଣା ହେଲା । ଏହି ଉପଲକ୍ଷେ ଜାତୀୟ ଗୌରବ ମଧୁସୂଦନ ବିଲାତରେ ଥିବା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ନିକଟକୁ ସମ୍ବର୍ଦ୍ଧନା ଜଣାଇ ଗୋଟିଏ ଟେଲିଗ୍ରାମ ପଠାଇଥିଲେ ।(୬)

 

(୬)

Rajah of paralakimedi.

Delegate round table conference london.

Your noble efforts to effect amalgamation

Oriya of descendent of the gajapati

Dynasty who ruled over ancient utkal

May god help you in securing the fruition

Of the national ambition

Stop cable probable date of return home.

M. S. DAS

୧୯୩୨ରେ ବ୍ରହ୍ମପୁର ଠାରେ ରାୟବାହାଦୂର ଲକ୍ଷ୍ମୀଧର ମହାନ୍ତିଙ୍କ ସଭାପତିତ୍ୱରେ ଉତ୍କଳ-ସମ୍ମିଳନୀର ବିଶେଷ ଅଧିବେଶନ ବସି ଗୋଲଟେବୁଲ ବୈଠକରେ ଯୋଗ ଦେଇଥିବା ପାରଳାର ମହାରାଜା ସାହେବଙ୍କୁ ଅଭିନନ୍ଦନ ଦିଆଯାଇଥିଲା । ଖଲ୍ଲିକୋଟର ରାଜା ସାହେବ ଥିଲେ ଏହାର ଉଦ୍‌ଘାଟକ ଓ ଶ୍ରୀଯୁକ୍ତ ରାମକୃଷ୍ଣ ଦେଓ ଥିଲେ ଅଭ୍ୟର୍ଥନା ସମିତିର ସଭାପତି । ତା’ ପରବର୍ଷ ୧୯୩୩ ଫେବୃୟାରୀ ୧୨ ତାରିଖରେ ଜାତୀୟ ଗୌରବ ମଧୁସୂଦନଙ୍କ ଅନୁରୋଧ କ୍ରମେ କଟକ ଟାଉନ୍‌ହଲଠାରେ ପାରଳା ମହାରାଜାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

 

ଏହା ପୂର୍ବରୁ ସାଇମନ କମିଶନଙ୍କ ପ୍ରସ୍ତାବ ଅନୁଯାୟୀ ଭାରତ ସରକାର ଓଡ଼ିଶା ପାଇଁ ୧୯୩୧ ମସିହା ସେପ୍‌ଟେମ୍ବର ୧୮ ତାରିଖରେ ଏସ୍‌.ପି.ଓ. ଡୋନେଲ୍‌ଙ୍କ ଅଧ୍ୟକ୍ଷତାରେ ସୀମା ନିର୍ଦ୍ଧାରଣ କମିଟି ଗଠନ କଲେ । ଏହି କମିଟିରେ ସଭ୍ୟ ଭାବରେ ରହିଲେ ବମ୍ବେର ଏଚ୍‌. ଏମ୍. ମେହେଟ୍ଟା, ଆସାମର ଟି. ଆର. ଫୁକୁନ୍, ଓଡ଼ିଶାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବିହାରର ସଚ୍ଚିଦାନନ୍ଦ ସିହ୍ନା ଏବଂ ଆନ୍ଧ୍ରର ତେଲୁଗୁମାନଙ୍କ ପକ୍ଷରୁ ସି. ଭି. ଏସ୍. ନରସିଂହ ରାଜୁ । ଓଡ଼ିଶାର ଅର୍ଥନୈତିକ ଅବସ୍ଥା ତଥା ସ୍ୱତନ୍ତ୍ର ପ୍ରଦେଶର ଶାସନ ବ୍ୟବସ୍ଥାର ସମୀକ୍ଷା କରିବା ସଙ୍ଗେ ସଙ୍ଗେ ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଦେଶ କରିବା ଥିଲା ଏହି କମିଟିର ଉଦ୍ଦେଶ୍ୟ ।

 

୧୯୩୧ ନଭେମ୍ବର ୭ ତାରିଖରେ ପାଟଣାଠାରେ ପ୍ରଥମେ ଏହି କମିଶନ ବସି ଜନସାଧାରଣଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କଲେ । ଏହା ବ୍ୟତୀତ ୧୯୩୧ ଡିସେମ୍ବର ୧୫ ତାରିଖରେ ଗୋପାଳପୁରରେ ରହି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଓଡ଼ିଆ ଓ ତେଲୁଗୁମାନଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କଲେ । ପାରଳା ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆମାନଙ୍କ ପକ୍ଷରୁ ବ୍ରହ୍ମପୁରଠାରେ ଗୋଟିଏ ସ୍ୱତନ୍ତ୍ର ଅଫିସ ଖୋଲାଯାଇ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ତା’ ପରଦିନ ପାରଳା ମହାରାଜାଙ୍କ ଅନୁରୋଧ କ୍ରମେ କମିଶନ ପାରଳାଖେମୁଣ୍ଡି ଅଞ୍ଚଳ ପରିଦର୍ଶନରେ ଆସିଥିଲେ । ଉତ୍କଳ-ସମ୍ମିଳନୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଓଡ଼ିଆ ସଂଘ ତରଫରୁ ନିମ୍ନଲିଖିତ ଅଞ୍ଚଳ ସବୁ ନୂତନ ଓଡ଼ିଶା ପ୍ରଦେଶରେ ମିଶ୍ରଣ କରିବା ପାଇଁ କମିଶନଙ୍କ ନିକଟରେ ଦାବୀ କରାଯାଇଥିଲା । ଓଡ଼ିଶା ଡିଭିଜନ, ଅନ୍‌ଗୁଳ, ମେଦିନୀପୁର ଜିଲ୍ଲାର କଣ୍ଟେଇ ଝାଡ଼ଗାଁ ସବ୍‌ଡ଼ିଭିଜନ, ଖଡ଼ଗ୍‌ପୁର, ନାରାୟଣଗଡ଼, ଦାନ୍ତୁନ୍, ମୋହନପୁର, କାଶିଆରୀ ଥାନା ପ୍ରଭୃତି ସଦର ମହକୁମା ଅଞ୍ଚଳ, ବାଙ୍କୁରା ଜିଲ୍ଲାର ଶିମିଳିପାଳ, ରାୟପୁର ଏବଂ ଖତ୍ରା ଥାନା, ସିଂହଭୂମ ଜିଲ୍ଲା, ମାନଭୂମ ଜିଲ୍ଲାର ବୀରଭୂମ, ବଡ଼ବଜାର ଓ ଚାନ୍ଦିଲି ଥାନା, ରାଞ୍ଚି ଜିଲ୍ଲା, ରାୟପୁର ଜିଲ୍ଲାର ଖଡ଼ିଆଳ, ଫୁଲଝର ଓ ବିନ୍ଦ୍ରା ନୂଆଗଡ଼ ପ୍ରଭୃତି ମହାସମୁନ୍ଦ ତହସିଲ ଅନ୍ତର୍ଭୁକ୍ତ ଜମିଦାରୀଗୁଡ଼ିକ, ବିଳାସପୁର ଜିଲ୍ଲାର ଚାନ୍ଦପୁର, ପଦ୍ମପୁର ମାଳଖୁରଧା ଜମିଦାରୀ ଏବଂ ନ’ଟି ଗ୍ରାମ ଅନ୍ତର୍ଭୁକ୍ତ ଯୋଗିନୀ ଗ୍ରାମ, ଗଞ୍ଜାମ ଜିଲ୍ଲା (ଶ୍ରୀକାକୁଲମ୍ ତାଲୁକା ଏବଂ ଏହାର ଉପତାଲୁକା ନାର୍ସନାପେଟା ଅଞ୍ଚଳ ବାଦ୍‌ଦେଇ ଅବଶିଷ୍ଟ ଏଜେନ୍‌ସି ଅଞ୍ଚଳ ସହିତ), ଭାଇଜାଗ ପାଟଣା ଏଜେନ୍‌ସି (ଗାଡ଼େନ୍ ତାଲୁକା ସହିତ) । କିନ୍ତୁ ଭାଷା, ଜାତି ଓ ଇତିହାସ ଦୃଷ୍ଟିରୁ ବିଚାର କରି ଓଡ଼ୋନେଲ୍ କମିଟି ମେଦିନୀପୁର, ସିଂହପୁର, ମାନଭୂମ, ରାଞ୍ଚି, ଛୋଟ ନାଗପୁର, ଖଡ଼ିଆଳ, ପଦ୍ମପୁର, ଗଞ୍ଜାମ ପାରଳାଖେମୁଣ୍ଡି ଓ ଅନ୍ୟାନ୍ୟ ସମତଳ ତଥା ଏଜେନ୍‌ସି ଅଞ୍ଚଳ ଓ ଭାଇଜାଗପାଟନାମ୍‌ର କେତେକ ଏଜେନସି ଅଞ୍ଚଳକୁ ପ୍ରସ୍ତାବିତ ଓଡ଼ିଶାର ସୀମାରୁ ବାଦ୍ ଦେଇଥିଲେ ।

 

ଏହିଭଳି ଭାବରେ ଓଡ଼ୋନେଲ୍ କମିଟି ହାରାହାରି ୩୩,୦୦୦ ବର୍ଗ ମାଇଲ ଅଞ୍ଚଳ ଭିତରେ ବାସ କରୁଥିବା ପ୍ରାୟ ୮,୨୭୭,୦୦୦ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ସୀମାର ନିଷ୍ପତ୍ତି କଲେ ।

 

ଗଞ୍ଜାମ, କୋରାପୁଟ ଜିଲ୍ଲାର ସୀମା ନିର୍ଦ୍ଧାରଣ ପାଇଁ ତତ୍କାଳୀନ ମାଡ୍ରାସର ଜନଗଣନା ତତ୍ତ୍ୱାବଧାରକ ଏମ୍. ଡବ୍‌ଲ୍ୟୁ. ଏମ୍‌ୟିଟିସ୍‌ଙ୍କର ୧୯୩୧ ମସିହା ଜନଗଣନା ରିପୋର୍ଟ ଉପରେ ଭିତ୍ତି କରି ଓଡ଼ୋନେଲ୍ କମିଟି ରିପୋର୍ଟ ପ୍ରକାଶ ପାଇଲା । ଫଳରେ ଦକ୍ଷିଣ ଓଡ଼ିଶାରୁ ପାରଳାଖେମୁଣ୍ଡି ଓ ଜୟପୁର ସମେତ ଉତ୍ତର ଓ ପଶ୍ଚିମ ଓଡ଼ିଶାରୁ ବହୁ ଅଞ୍ଚଳ ଅଲଗା ହୋଇଗଲା-। ୧୯୩୧ ମସିହାର ଗଣନା ଅନୁସାରେ ଓଡ଼ିଆ, ତେଲୁଗୁ ଓ ଅନ୍ୟ ଜାତିଗୁଡ଼ିକର ତାଲିକା ସଂଖ୍ୟା ନିମ୍ନରେ ଦିଆଗଲା ।

 

ମାତୃଭାଷା ଅନୁସାରେ

 

ଓଡ଼ିଆ

ତେଲୁଗୁ

ଅନ୍ୟସବୁ

ସମୁଦାୟ

ପ୍ଲେନ

୬୦,୩୨୦

୧,୯୩,୪୭୫

୩୯,୫୨୪

୨,୯୩,୩୧୯

ମାଳିଆ

୧୭,୨୫୪

୨,୫୮୯

୪୯,୮୩୮

୬୯,୬୮୧

 

ଜାତି ଅନୁସାରେ

ପ୍ଲେନ

୬୭,୫୨୨

୧,୫୬,୮୫୯

୫୩,୫୧୮

୨,୯୩,୩୧୯

ମାଳିଆ

୧୫,୬୨୦

୧,୨୭୬

୫୨,୭୫୪

୬୯,୬୮୧

 

ପାରଳାଖେମୁଣ୍ଡି ସମତଳ ଅଞ୍ଚଳରେ ଥିବା ସନ୍ଦେହପୂର୍ଣ୍ଣ ଲୋକସଂଖ୍ୟା ୧୫,୪୨୦ ।

ସୀମା ନିର୍ଦ୍ଧାରଣ କଲାବେଳେ ଏହି କମିଟି ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ସାମାଜିକ ସମସ୍ୟା ଦୃଷ୍ଟିକୋଣରୁ ଗୁରୁତ୍ୱ ଦେଲେ ନାହିଁ । ନୂତନ ଓଡ଼ିଶା ପ୍ରଦେଶରେ ସମୁଦାୟ ପାରଳାଖେମୁଣ୍ଡି ଜମିଦାରୀ ଅଞ୍ଚଳର ମିଶ୍ରଣ ପାଇଁ କମିଟିରେ ଥିବା ଭାରତୀୟ ସଭ୍ୟ ଫୁକୁନ୍ ଏବଂ ମେହେଟ୍ଟାଙ୍କର ସୁପାରିଶକୁ ସଭାପତି ଓଡ଼ୋନେଲ ଗ୍ରହଣ କଲେ ନାହିଁ । ବରଂ ଏହି ଜମିଦାରୀରେ ଥିବା ଓଡ଼ିଆ ତେଲୁଗୁମାନଙ୍କର ମଧୁର ସମ୍ପର୍କକୁ ତିକ୍ତ କରିବା ପାଇଁ ବିପଦର ସୂଚନା ଦେଇ କହିଲେ, “If Paralakimedi is added to the province of Orissa, sooner or later and probably before long, an agitation will arise inside and outside the Estate for its re-Union with the Telugu Districts, which will embitter the relation between the oriyas and the Telugus”. ମାନ୍ଦ୍ରାଜ ସରକାର ଓଡ଼ିଆମାନଙ୍କର ସ୍ୱତନ୍ତ୍ର ପ୍ରଦେଶ ପାଇଁ ନ୍ୟାଯ୍ୟଦାବୀ ସପକ୍ଷରେ ମତ ନଦେଇ ବରଂ ୧୯୩୧ ମସିହାର ଜନଗଣନା ଅନୁସାରେ ସୀମାନିର୍ଦ୍ଦେଶ କରିବାରୁ ଓଡ଼ିଆମାନେ ଅସୁବିଧାର ସମ୍ମୁଖୀନ ହେଲେ । ଫଳରେ ୧୫,୪୨୦ ଲୋକଙ୍କୁ ଓଡ଼ିଆ ଜାତିର ତାଲିକାରେ ଅନ୍ତର୍ଭୁକ୍ତ ନକରି ଅଲଗା କରିଦେଲେ । ଏହି ପରିପ୍ରେକ୍ଷୀରେ ସେ ସ୍ୱୀକାର କରି କହିଲେ, ‘‘All over, Paralakimedi Taluk illustrates admirably in these two maps how a racial element can continue strong after its absorption from the mother-tongue aspect is far advanced even complete” । ୧୯୩୧ ମସିହା ପାରଳାଖେମୁଣ୍ଡି ତାଲୁକାର ଗ୍ରାମାଞ୍ଚଳ ଜନଗଣନା ଉପରେ ଏକ ବିବୃତି ଦେଇ କହିଲେ, “Oriya and Savara are also well represented. Savaras prefer the fringes and the group of hills in the centre of the Taluk. Oriya is strongest in the centre and in the North । ତେଣୁ ଜନଗଣନା ରିପୋର୍ଟ ଭିତ୍ତିହୀନ ଓ ଅସତ୍ୟ ହୋଇଥିବାରୁ ଓଡ଼ିଶା ସୀମା ନିର୍ଦ୍ଧାରଣ କମିଟି ଓଡ଼ିଆ ଓ ତେଲୁଗୁମାନଙ୍କୁ ସେମାନଙ୍କର ପ୍ରକୃତ ତଥ୍ୟ ଉପସ୍ଥାପିତ କରିବା ପାଇଁ ସୁଯୋଗ ଦେଲେ । କିନ୍ତୁ ପ୍ରକୃତ ଦାବୀକୁ ଓଡ଼ୋନେଲ ବିଚାର କଲେ ନାହିଁ । ଫଳତଃ ପାରଳାଖେମୁଣ୍ଡି ଶ୍ୱେତପତ୍ରରେ ଓଡ଼ିଶା ବାହାରେ ରହିଲା ।

 

୧୯୩୨ ସେପ୍‌ଟେମ୍ବର ୧୨ ତାରିଖରେ ଓଡ଼ିଆ ଡେପୁଟେସନ୍ ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ୱରେ ସିମଳାଠାରେ ପହଞ୍ଚି ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଉଇଲିଙ୍ଗଡନ୍‌ଙ୍କୁ ଓଡ଼ୋନେଲ କମିଟିର ରିପୋର୍ଟରେ ଓଡ଼ିଆମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ବିରୁଦ୍ଧରେ ଆଲୋଚନା କଲେ । ଉତ୍ତରରେ ଗଭର୍ଣ୍ଣର ଜେନେରାଲ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶକୁ ସମର୍ଥନ କରି କହିଲେ ଯେ ଆର୍ଥିକ ଅଭାବ ଏ କ୍ଷେତ୍ରରେ କେବେହେଲେ ପ୍ରତିବନ୍ଧକ ହେବ ନାହିଁ । ୧୯୩୨ ଡିସେମ୍ବର ୨୪ ତାରିଖରେ ଗୋଲଟେବୁଲ ବୈଠକର ତୃତୀୟ ଅଧିବେଶନରେ ଭାରତର ସେକ୍ରେଟେରୀ ଅଫ୍‌ ଷ୍ଟେଟ୍ ସାର୍ ସାମୁଏଲ ହୋର୍ ଘୋଷଣା କଲେ ଯେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ଭାରତର ଭବିଷ୍ୟତ ରାଷ୍ଟ୍ରସଂଘ ଭିତରେ ଅନ୍ତର୍ଭୁକ୍ତ ହେବ । ଇଂରେଜ ସରକାର ୧୯୩୩ ମାର୍ଚ୍ଚ ୧୭ ତାରିଖରେ ଶ୍ୱେତପତ୍ର ପ୍ରକାଶ କରି ଦୁଇଟି ନୂତନ ପ୍ରଦେଶ ସିନ୍ଧୁ ଏବଂ ଓଡ଼ିଶା ସୃଷ୍ଟିକଲେ ।

 

ଯୁଗ୍ମପାର୍ଲିଆମେଣ୍ଟ ବ୍ୟାପାର ମନୋନୟନ କମିଟିରେ ଓଡ଼ିଆ ଅଞ୍ଚଳର ଏକତ୍ରୀକରଣର ପୁନର୍ବିଚାର କରିବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲିଖିତ ଆବେଦନ ପତ୍ର ଇଂରେଜ ସରକାରଙ୍କ ନିକଟକୁ ପଠାଗଲା । ୧୯୩୩ ଜୁଲାଇ ୩ ତାରିଖରେ ପାରଳା ମହାରାଜାଙ୍କ ନେତୃତ୍ୱରେ ସାତଜଣିଆ ସଭ୍ୟ ବିଶିଷ୍ଟ ଏକ କମିଟି ଲଣ୍ଡନରେ ଥିବା ଭାରତର ସେକ୍ରେଟେରି ଅଫ୍ ଷ୍ଟେଟ୍‌ଙ୍କ ନିକଟରେ ସ୍ମାରକପତ୍ର ସହ ଦାବୀ ଜଣାଇଲେ । ସେଠାରେ ପାରଳା ରାଜା ସାହେବ ଅନ୍ତତଃ ପାରଳାଖେମୁଣ୍ଡି ସହର ଓଡ଼ିଶାରେ ମିଶ୍ରଣ ପାଇଁ ଅନୁରୋଧ କରିବାରୁ ତତ୍କାଳୀନ ସେକ୍ରେଟେରି ଅଫ୍ ଷ୍ଟେଟ୍ ଇଚ୍ଛା ପ୍ରକାଶ କଲେ ନାହିଁ । ଶେଷରେ ଭାଇସ୍‌ରାୟ ଓଡ଼ିଶାରେ ଜୟପୁର ଓ ପାରଳାଖେମୁଣ୍ଡିକୁ ମିଶ୍ରଣର ଘୋର ବିରୋଧ କରିବା ଫଳରେ ଦୀର୍ଘ ୩୦ ବର୍ଷରୁ ଅଧିକ କାଳ ସଂଗ୍ରାମ କରି କରି ଓଡ଼ିଆମାନଙ୍କୁ ମିଳିଥିବା ସ୍ୱତନ୍ତ୍ର ନୂଆ ଓଡ଼ିଶା ପ୍ରଦେଶର ଶାସନ କାର୍ଯ୍ୟ ପରିଚାଳନା ପାଇଁ ସେମାନେ ଇଂରେଜ ସରକାରଙ୍କ ସହିତ ସହଯୋଗ କଲେନାହିଁ । ୧୯୩୪ ଫେବୃୟାରୀ ୧୧ ତାରିଖରେ କଟକରେ ଅନୁଷ୍ଠିତ ହୋଇଥିବା ସର୍ବଦଳ ସମ୍ମିଳନୀ (All Party Conference) ର ସ୍ୱତନ୍ତ୍ର ଅଧିବେଶନରେ ଓଡ଼ିଆ ଏବଂ ତେଲୁଗୁ ନେତାମାନେ ମଧ୍ୟ ଖଣ୍ଡିତ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିମ୍ନଲିଖିତ ପ୍ରସ୍ତାବମାନ ଆଗତ କରିଥିଲେ, “This conference reiterates the minimum demand made by the Oriya deligation in London before the Orissa Sub-Committee of the joint Parliamentary Committee, and is emphatic in its assertion that the nation as a whole refuses to accept the province and resolves to consistently oppose by all legitimate, peaceful and Constitutional means the working of the province, if any of the areas of the Zamindary of Jeypore, northern and eastern Parts of Paralakimedi Estate, Parlakimedi Maliash, Western parts of Mandasa Estate including the town, Western part of the Jalantara Estate and the entire Jamindary of Budarsingh, be excluded from it.”

 

ସେହି ଅଧିବେଶନର ଅନ୍ୟ ଏକ ପ୍ରସ୍ତାବରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାରଳା ମହାରାଜାଙ୍କୁ କ୍ଷମତା ଅର୍ପଣ କରାଯାଇ ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଇ ସେକ୍ରେଟେରି ଅଫ୍ ଷ୍ଟେଟ୍‌ଙ୍କ ଆଗରେ ଭାରତ ସରକାରଙ୍କ ବିଲ ବିଷୟରେ ଆଲୋଚନା ଚାଲିଥିଲାବେଳେ ସୀମା ପ୍ରଶ୍ନ ଉପସ୍ଥାପିତ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା ।

୧୯୩୪ ଫେବୃୟାରୀ ୨୩ ତାରିଖରେ ପାରଳା ମହାରାଜା ତତ୍କାଳୀନ ମାନ୍ଦ୍ରାଜର ଗଭର୍ଣ୍ଣର ସାର୍ ଜର୍ଜ ଫ୍ରେଡ଼େରିକ୍ ଷ୍ଟାନ୍‌ଲେଙ୍କ ଆଗରେ ପାରଳାଖେମୁଣ୍ଡି ଜମିଦାରୀକୁ ଦୁଇଭାଗରେ ବିଭକ୍ତ କରିବାର ଆବଶ୍ୟକତା ବିରୁଦ୍ଧରେ ଓଡ଼ିଆଙ୍କ ପକ୍ଷ ସମର୍ଥନ କରି ଓଡ଼ିଆ ଅଞ୍ଚଳଗୁଡ଼ିକ ଓଡ଼ିଶାରେ ମିଶ୍ରଣ ପାଇଁ ସ୍ମାରକପତ୍ର ଦେଲେ । ୧୯୩୪ ମାର୍ଚ୍ଚ ୨ ତାରିଖରେ ମାନ୍ଦ୍ରାଜ ଜମିଦାରୀ ସଂଘର ଗୋଟିଏ ସ୍ୱତନ୍ତ୍ର ଅଧିବେଶନରେ ମାନ୍ଦ୍ରାଜ ରାଜ୍ୟପାଳଙ୍କୁ ଦେଇଥିବା ପାରଳାଖେମୁଣ୍ଡି ମହାରାଜାଙ୍କର ଯୁକ୍ତିଯୁକ୍ତ ପ୍ରସ୍ତାବ ନିମ୍ନପ୍ରକାରେ ଗ୍ରହଣ କରାଯାଇଥିଲା, “The Madras Land-holder’s Association expresses its complete approval of the case of the Rajasaheb of parlakimedi recently submitted to the Govt. of Madras, for the inclusion in the proposed Orissa provine of those portions of the Parlakimedi Zamindary where the Oriyas by race predominate over the Telgus” ।୧୯୩୪ ମାର୍ଚ୍ଚ ୩୧ରେ ଏହି ପ୍ରସ୍ତାବଟି ମାନ୍ଦ୍ରାଜରେ ହୋଇଥିବା ସାଧାରଣ ବୈଠକରେ ଅନୁମୋଦିତ ହେବା ଫଳରେ ସେଠାରୁ ପ୍ରକାଶିତ ବହୁ ପତ୍ରପତ୍ରିକାରେ ପାରଳାଖେମୁଣ୍ଡିର ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ ଓଡ଼ିଶାରେ ମିଶ୍ରଣପାଇଁ ଦୃଢ଼ତାର ସହ ସମର୍ଥନ କରାଗଲା । ଓଡ଼ିଶା ତଥା ମନ୍ଦ୍ରାଜରେ ହୋଇଥିବା ଗଣଆନ୍ଦୋଳନର ପ୍ରଭାବ ରାଜ୍ୟର ନେତାମାନଙ୍କ ଉପରେ ଏତେ ପରିମାଣରେ ପଡ଼ିଲା ଯେ ଷୋଳଜଣ କେନ୍ଦ୍ରୀୟ ବିଧାୟକଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ସ୍ମାରକପତ୍ର ତତ୍କାଳୀନ ଭାଇସରାୟ ଏବଂ ଭାରତର ଗଭର୍ଣ୍ଣର ଜେନେରାଲଙ୍କ ନିକଟରେ ଦାଖଲ କରାଯାଇଥିଲା । ଉକ୍ତ ସ୍ମାରକ ପତ୍ରଟିରେ ଉଲ୍ଲେଖ ଥିଲା, “We understand that the parlakimedi Estate contains a portion where the Oriya population predominates over the Telugus and forms a contiguous part of the Oriya predominant area of the district. We feel if such a demarcation is made, it would set at rest the vexed dispute over the demarcation of that area and so far as we are able to foresee, there could be no administrative difficulties.”

 

ଦୁଇ ପକ୍ଷରୁ ସର୍ବଶେଷ ଘଟଣା ଜାଣିବା ପରେ ପୂର୍ବରୁ ଅଟଲି ସାହେବ ଉପରୋକ୍ତ କମିଟିରେ ପାରଳାଖେମୁଣ୍ଡି ସହର ସହିତ ଜମିଦାରୀର ଛୋଟ ଛୋଟ ଅଞ୍ଚଳଗୁଡ଼ିକୁ ଓଡ଼ିଶାରେ ମିଶ୍ରଣ ପାଇଁ ଦେଇଥିବା ସୁପାରିଶକୁ ଭିତ୍ତିକରି (୭) ମାନ୍ଦ୍ରାଜ ସରକାରଙ୍କର ସୀମା ସଂକ୍ରାନ୍ତୀୟ ପ୍ରସ୍ତାବ ୧୯୩୫ ଜୁଲାଇ ୬ରୁ ୨୫ ତାରିଖ ମଧ୍ୟରେ ମାନ୍ଦ୍ରାଜ ରାଜସ୍ୱ ପରିଷଦ ସହ ହୋଇଥିବା ଯୋଗାଯୋଗରୁ ଜଣାପଡ଼େ-“It may be mentioned in this connection that the Govt. Of India have decided that the boundary in the Parlakimedi Estate should follow villgage boundaries leaving predominantly Oriya villages to Orissa.”

 

(୭)

Proceedings of Indian Constitutional reform, Vol-I, Part II, P. 538

 

ତଦନୁଯାୟୀ ଭାରତ ସରକାରଙ୍କ ଦ୍ୱାରା ବର୍ତ୍ତମାନର ଓଡ଼ିଶା ସୀମା ନିର୍ଦ୍ଧାରଣ କରାଯାଇ ୧୯୩୫ ନଭେମ୍ବର ୨୬ ତାରିଖରେ ସେକ୍ରେଟେରି ଅଫ୍ ଷ୍ଟେଟକୁ ପତ୍ର ମାଧ୍ୟମରେ ଜଣାଇ ଦିଆଗଲା । ଏହି ପରିବର୍ତ୍ତିତ ବ୍ୟବସ୍ଥା ଅନୁଯାୟୀ ପାରଳାଖେମୁଣ୍ଡି ଜମିଦାରୀର ପ୍ରାୟ ଏକ ତୃତୀୟାଂଶ ଓଡ଼ିଶା ସହ ସାମିଲ କରାଯିବା ପରେ ଅବଶିଷ୍ଟ ଦୁଇ ତୃତୀୟାଂଶ ମାନ୍ଦ୍ରାଜକୁ ଛାଡ଼ି ଦିଆଗଲା । ତେଣୁ ସର୍ବମୋଟ ୬୩୯ ବର୍ଗମାଇଲ ଅଞ୍ଚଳରୁ ମାତ୍ର ୧୯୧ ବର୍ଗମାଇଲ ଅଞ୍ଚଳ ଓଡ଼ିଶାର ଅନ୍ତର୍ଭୁକ୍ତ କରାଗଲା । ପାରଳା ମହାରାଜାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ପାରଳାଖେମୁଣ୍ଡି ଓ ଜୟପୁର ସମେତ ଅନ୍ୟାନ୍ୟ ଅଞ୍ଚଳ ଓଡ଼ିଶାରେ ମିଶିବା ସମ୍ଭବପର ହୋଇପାରିଲା ।

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବର୍ଷକ ପରେ ୧୯୩୭ ମସିହା ଅପ୍ରେଲମାସ ୧ ତାରିଖରେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ସାର୍ ଜନ୍ ଅଷ୍ଟିନ ହବାକ୍ ପାରଳା ମହାରାଜାଙ୍କୁ ନେତାରୂପେ ନିର୍ବାଚିତ କରି ପ୍ରଥମ ମନ୍ତ୍ରିମଣ୍ଡଳ ଗଠନପାଇଁ ନିମନ୍ତ୍ରଣ କଲେ । ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ୧୯୩୭ ମସିହା ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଏବଂ ୧୯୪୧ ମସିହା ନଭେମ୍ବର ୨୪ ତାରିଖଠାରୁ ୧୯୪୪ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ ଓଡ଼ିଆ ଜାତି, ଭାଷା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧିପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିଥିବାରୁ ଓଡ଼ିଶା ଇତିହାସରେ ସେ ଆଜି ଅବିସ୍ମରଣୀୟ ।

ପୂର୍ବ ପୁରୁଷର ପବିତ୍ର ଶ୍ମଶାନ

ଦେଶର ଜାତିର ଗଉରବଗାନ ।

ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ

ଉଦ୍ଧରିବା ପାଇଁ କଲେ ତନୁକ୍ଷୟ,

ମାନବ ଜନମ ହୁଅଇ ସଫଳ

ଏ ମହାଦୀକ୍ଷା କି ବୁଝିବ ଉତ୍କଳ ?

- ଉତ୍କଳମଣି ଗୋପବନ୍ଧୁ

***

 

ଖ୍ରୀ: ୧୫୬୮ରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ତେଲଙ୍ଗା ମକୁନ୍ଦଦେବଙ୍କ ମୃତ୍ୟୁ ପରେ ସେଠା ଶାସ ନଭାର ମୋଗଲ ସମ୍ରାଟ ଆକବରଙ୍କ ହସ୍ତଗତ ହେଲା । ବଙ୍ଗର ମୁସଲମାନ ରାଜାମାନେ ଓଡ଼ିଶା ଆକ୍ରମଣ କରିବାକୁ ଯତ୍ନ କରୁଥିଲେ; କିନ୍ତୁ ଆକବରଙ୍କ ହିନ୍ଦୁ ସେନାପତି ରାଜା ମାନସିଂହ ତାହା ଚ୍ଛିନ୍ନକରି ଓଡ଼ିଶାର ଶାସନଭାର ରାମଚନ୍ଦ୍ରଦେବଙ୍କୁ ସମର୍ପଣ କଲେ ।

 

ଓଡ଼ିଶାର ଦକ୍ଷିଣାଞ୍ଚଳ ସେତେବେଳେ ଚ୍ଛିନ୍ନ ହୋଇଗଲା । ଚିଲିକାର ମଧ୍ୟଭାଗରୁ ଆରମ୍ଭକରି ଦକ୍ଷିଣର ଓଡ଼ିଆଭାଷୀ ଅଞ୍ଚଳ ଯଥା, ଆସିକା ଦଣ୍ଡପାଟ ଓ କଳିଙ୍ଗ ଦଣ୍ଡପାଟ ୧୫୭୧ରେ ଗୋଲକଣ୍ଡା ନବାବଙ୍କ ଶାସନାଧୀନ ହୋଇ ରହିଲା । ତଥାପି ଦକ୍ଷିଣାଞ୍ଚଳର ଓଡ଼ିଆ ରାଜା ଓ ଜମିଦାରମାନେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଶା ସଙ୍ଗେ ଦୃଢ଼ ବନ୍ଧନରୁ ଚ୍ଛିନ୍ନ ହେଲେ ନାହିଁ ।

 

Unknown

ଓଡ଼ିଶା ପ୍ରଦେଶ ଗଠନ ଓ ଗଞ୍ଜାମର ଅବଦାନ

[୧୯୩୦ ମସିହା ପର୍ଯ୍ୟନ୍ତ]

ଡା: ସତ୍ୟନାରାୟଣ ରାଜଗୁରୁ

 

ଖ୍ରୀ. ୧୮୮୭ରେ ଗୋଲକଣ୍ଡାର କୁତୁବ୍‌ସାହି ଶାସନର ପତନ ହେବାରୁ ସେଠାରେ ଆଲମ୍‌ଗୀର ଆଉରଙ୍ଗଜେବଙ୍କ ଆଧିପତ୍ୟ ବିସ୍ତାରିତ ହେଲା । କିନ୍ତୁ, ୧୭୦୭ରେ ତାଙ୍କ ମୃତ୍ୟୁପରେ ସେଠାରେ ପୁଣି ଅରାଜକତା ସୃଷ୍ଟି ହୋଇ କ୍ରମେ ମରହଟ୍ଟା ଶକ୍ତିର ପ୍ରାବଲ୍ୟ ମଧ୍ୟପ୍ରଦେଶରୁ ଦାକ୍ଷିଣାତ୍ୟକୁ ପ୍ରସାରିତ ହେଲା । ୧୭୪୦ ଓଡ଼ିଶାର ଆଧିପତ୍ୟ ମଧ୍ୟ ମରହଟ୍ଟାମାନଙ୍କ ହସ୍ତଗତ ହେଲା । ସେତେବେଳେ ଗଞ୍ଜାମ ଜିଲ୍ଲାର ଇଚ୍ଛାପୁରଠାରୁ କୁତୁବ୍‌ସାହି ଶାସନ ଦୁର୍ବଳ ହୋଇ ରହିଥିଲା । ଶ୍ରୀକାକୁଲମଠାରେ ତାଙ୍କ ପକ୍ଷରୁ ଜଣେ ଫୌଜଦାର ନିଯୁକ୍ତ ହୋଇଥିଲେ । ୧୭୫୩ ପର୍ଯ୍ୟନ୍ତ ସେମାନେ ନାମକୁ ମାତ୍ର ଉତ୍ତର-ସର୍କାରରେ ସେହି ଅଞ୍ଚଳର ଶାସନକର୍ତ୍ତା ହୋଇ ରହିଥିଲେ । ପାରଳାଖିମୁଣ୍ଡି, ଘୁମୁସର, ମହୁରି, ଆଠଗଡ଼ ପ୍ରଭୃତି ଗଞ୍ଜାମର ଓଡ଼ିଆ ରାଜାମାନଙ୍କ ସଙ୍ଗେ ମୁସଲମାନ ଫୌଜଦାରଙ୍କ ସଂଘର୍ଷ ବରାବର ଲାଗି ରହିଥିଲା ।

 

ସେତେବେଳେ ପୁରୀ, କଟକ ଓ ବାଲେଶ୍ୱରର ପ୍ରଜାମାନେ ମରହଟ୍ଟା ଶାସନରେ ରହି ଘୋର ଆର୍ଥିକ ଦୁଃଖକଷ୍ଟ ପାଉଥିଲେ । ମରହଟ୍ଟା ସର୍ଦ୍ଦାର କଟକର ବାରବାଟି ଦୁର୍ଗରେ ରହି ଶାସନ କାର୍ଯ୍ୟ ଚଳାଉଥିଲେ । ସେମାନଙ୍କ କର୍ତ୍ତୃତ୍ୱରେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳିତ ହେଉଥିଲା-। ସେମାନେ ହିନ୍ଦୁ ହୋଇଥିବାରୁ ଦେବତାଙ୍କ ସମ୍ପତ୍ତିରେ ହସ୍ତକ୍ଷେପ କରୁ ନଥିଲେ ସୁଦ୍ଧା, ଅନ୍ୟ ପଥରେ ଧନ ଶୋଷଣ କରିବା ଉଦ୍ଦେଶ୍ୟରେ ଯାତ୍ରୀମାନଙ୍କ ଉପରେ ଟିକସ ବସାଇଲେ ।

 

ଖୁର୍ଦ୍ଦାର ଠାକୁର ରାଜାମାନେ ନିଃସହାୟ ଅବସ୍ଥାର ସମ୍ମୁଖୀନ ହେବା ଦେଖି ପାରଳାଖେମୁଣ୍ଡିର ଗଙ୍ଗବଂଶୀୟ ରାଜା ଜଗନ୍ନାଥ ନାରାୟଣ ଦେବ ଖୁର୍ଦ୍ଦାରାଜା ବୀରକିଶୋର ଦେବଙ୍କଠାକୁ ଗୋଟିଏ ପତ୍ରଲେଖି ଜଣାଇଲେ ଯେ, ଓଡ଼ିଶାକୁ ବିଚ୍ଛିନ୍ନ କରି ସେଠାରେ ଯେଉଁ ଦୁସ୍ଥ ଅବସ୍ଥା ସୃଷ୍ଟି କରାଯାଇଛି, ସେଥିର ଏକମାତ୍ର ନିରାକରଣ ଉପାୟ ହେଉଛି, ଆମେ ସମସ୍ତେ ଏକତ୍ର ମିଳିତ ହୋଇ ମରହଟ୍ଟା ଏବଂ ବୈଦେଶିକ ଶତ୍ରୁମାନଙ୍କ ହାତରୁ ଓଡ଼ିଶାକୁ ସ୍ୱାଧୀନ କରିବା । କିନ୍ତୁ ନାରାୟଣ ଦେବଙ୍କ ପ୍ରସ୍ତାବଟି ଖୁର୍ଦ୍ଦାରାଜା ଗ୍ରହଣ ନ କରିବାରୁ ଗଞ୍ଜାମର ଅନ୍ୟ କେତେକ ଜମିଦାରଙ୍କୁ ଏକତ୍ର କରି ନାରାୟଣ ଦେବ ଖୁର୍ଦ୍ଦା ଆକ୍ରମଣ କଲେ । ବୀରକିଶୋର ଦେବ ବିତାଡ଼ିତ ହୋଇ କଟକରେ ମରହଟ୍ଟା ସର୍ଦ୍ଦାର ଶିବଭଟ୍ଟଙ୍କ ଶରଣାପନ୍ନ ହେଲେ । ସୁବିଧା ପାଇ ମରହଟ୍ଟା ଶାସକ ଶିବଭଟ୍ଟ ତାଙ୍କୁ ଏହି ଚୁକ୍ତିରେ ଆବଦ୍ଧ କଲେ ଯେ, ଯୁଦ୍ଧରେ ଯେଉଁ ଅର୍ଥ ବ୍ୟୟ କରାଯିବ, ତାହା ଖୁର୍ଦ୍ଦାରାଜା ବହନ କରିବେ । ଆପତ୍‌କାଳରେ ହତଜ୍ଞାନ ହୋଇ ବୀରକିଶୋର ଦେବ ସେଥିରେ ଅଙ୍ଗୀକାର କରିଥିଲେ । ସୁତରାଂ ଯୁଦ୍ଧ ଶେଷରେ ଯେତେବେଳେ ମରହଟ୍ଟା ଓ ଖୁର୍ଦ୍ଦାରାଜାଙ୍କ ମିଳିତ ସୈନ୍ୟଙ୍କ ପ୍ରତିରୋଧ ହେତୁ ନାରାୟଣ ଦେବ ପୁରୀରୁ ପାରଳାଖିମୁଣ୍ଡିକୁ ଫେରି ଆସିଲେ, ସେତେବେଳେ ଯୁଦ୍ଧର ବ୍ୟୟ ପରିଶୋଧ ଆଳରେ ମରହଟ୍ଟା ସର୍ଦ୍ଦାର ବୀରକିଶୋରଙ୍କ ହସ୍ତରୁ ଲେମ୍ବାଇ ପରଗଣା ସମେତ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସତ୍ତ୍ୱ ଛଡ଼ାଇ ନେଲେ । ଆଉ ମଧ୍ୟ ଶ୍ରୀମନ୍ଦିର ବ୍ୟୟ ତୁଲାଇବା ଛଳରେ ତୀର୍ଥଯାତ୍ରୀମାନଙ୍କ ଠାରୁ ଟିକସ ଆଦାୟ କରିବାକୁ ଲାଗିଲେ ।

 

ଗଞ୍ଜାମ ସେତେବେଳେ ଗୋଲକଣ୍ଡା ନବାବଙ୍କ ଠାରୁ ୧୭୫୪ ସାଲରେ ଫରାସୀମାନଙ୍କ ହସ୍ତଗତ ହୋଇଥିଲା । କିନ୍ତୁ ଫରାସୀ ସେନାପତି ଡି. ବୁସୀଙ୍କ ଅଧୀନରେ ତାହା ବେଶିକାଳ ରହିଲା ନାହିଁ ।

 

ଦକ୍ଷିଣରେ ଗୋଲକଣ୍ଡା ଅଧୀନରେ ଯେଉଁ ‘ଉତ୍ତର ସର୍କାର’ ରହିଥିଲା, ତାହା ଶାସନ ଦୃଷ୍ଟିରୁ ପାଞ୍ଚଟି ଖଣ୍ଡରେ ବିଭକ୍ତ ହୋଇଥିଲା । ସେଥିମଧ୍ୟରୁ ପୂର୍ବସୀମାନ୍ତ ଖଣ୍ତଟିର କେନ୍ଦ୍ର ‘ଶିକାକୁଲ ସର୍କାର’ ନାମରେ ଅଭିହିତ ହୁଏ । ଫରାସୀ ଜେନେରେଲ୍ ଡି. ବୁସି (De. Bussy) ଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଇଂରେଜ ଜେନେରାଲ୍ କ୍ଲାଇବ୍ (clive) ବଙ୍ଗଳାରୁ ସେନାପତି କର୍ନଲ୍‌ଫୋର୍ଡ଼ (Colonel Forde)ଙ୍କ ଅଧୀନରେ ବଙ୍ଗଳାରୁ ମାନ୍ଦ୍ରାଜକୁ ସୈନ୍ୟ ପଠାଇଲେ । ଇଂରେଜ ସୈନ୍ୟମାନେ ଡି. ବୁସିଙ୍କୁ ପରାସ୍ତ କରି ୧୭୫୯ ସାଲରେ ମସୁଲିପାଟନା ହସ୍ତଗତ କଲେ । ସେତିକିବେଳେ ଦାକ୍ଷିଣାତ୍ୟର ମୁସଲମାନ ସୁବେଦାର କର୍ନେଲ ଫୋର୍ଡ଼ଙ୍କ ସଙ୍ଗେ ସନ୍ଧିକରି ୧୭୭୫ ସାଲରେ ସାହାଆଲାମ୍‌ଙ୍କ ଠାରୁ ଗୋଟିଏ ଦାନପତ୍ର ଫାର୍‌ମାନ୍ ଲେଖାଇ ଇଂରେଜଙ୍କୁ ଦେଲେ । ଏହା ଫଳରେ ସମଗ୍ର ଉତ୍ତର-ସର୍କାର ଇଂରେଜଙ୍କ ଅଧିକାରଭୁକ୍ତ ହେଲା ।

 

କିନ୍ତୁ ଗଞ୍ଜାମର ଜମିଦାରମାନେ ରାଜନୈତିକ କାରଣରୁ ଦାକ୍ଷିଣାତ୍ୟରେ ‘ଉତ୍ତର-ସର୍କାର’ ର ଏକ ଅଂଶ ହୋଇ ରହିଲେ ସୁଦ୍ଧା ସେମାନଙ୍କର ଭାଷା ଓ ଧର୍ମ ସମେତ ସାମାଜିକ ବନ୍ଧନ ଓଡ଼ିଶାର ଗଜପତି ରାଜା ଏବଂ ଓଡ଼ିଆଙ୍କ ଜାତୀୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଅଧୀନରେ ଅବିଚ୍ଛିନ୍ନ ହୋଇ ରହିଲା । ତେଣୁ ପ୍ରତ୍ୟେକ ଜମିଦାର ତାଙ୍କ ପ୍ରାସାଦ ନିକଟରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ କରି ଶ୍ରୀମନ୍ଦିରମାନ ଗଢ଼ିଥିଲେ, ଯେହେତୁ ସେମାନଙ୍କର ମୌଳିକ ସ୍ଥିତି ଓଡ଼ିଶାର ପ୍ରାଚୀନ ଗଙ୍ଗ ଓ ଗଜପତି ରାଜାମାନଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥିଲା ।ମାଲ୍‌ଟିବି(Maltiby) ସାହେବଙ୍କ ସମ୍ପାଦିତ ‘ଗଞ୍ଜାମ ଜିଲ୍ଲା ମେନ୍ୟୁଆଲ’ (Ganjam District Manual) ଗ୍ରନ୍ଥରେ ଲେଖା ଅଛି-

 

“The Zamindars of Ganjam, most of them derived the power from the Gajapati kings of Orissa who granted them their lands on condition of Feudal Service and of keeping in check the wild aboriginal tribes of the hills, the Khonds and Savaras.”

(J. B Manual, P-18)

 

ଇଂରେଜମାନଙ୍କ ଅଧୀନତା ସ୍ୱୀକାର ନ କରି ଯେତେବେଳେ ପାରଳାଖିମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ ଅସ୍ତ୍ର ଧାରଣ କଲେ, ସେତେବେଳେ ଅଳ୍ପକାଳ ପାଇଁ ରାଜସ୍ୱ ସଂଗ୍ରହ କରିବାକୁ ନିଯୁକ୍ତ ହୋଇଥିବା ବିଜୟ ନଗରର ରାଜା ଓ ତାଙ୍କ ଭ୍ରାତା ସୀତାରାମ ରାଜୁ ପରିସ୍ଥିତି ସମ୍ଭାଳି ନପାରି କେତେକ ଛୋଟ ଛୋଟ ଜମିଦାରଙ୍କ ଉପରେ ପ୍ରବଳ ଅତ୍ୟାଚାର କରିବାକୁ ଲାଗିଲେ । ଏ ସମ୍ବନ୍ଧରେ ମାଳ୍‌ଟିବି ତାଙ୍କ ଗ୍ରନ୍ଥରେ ଲେଖିଛନ୍ତି :-

 

“In the interim between departure of the Franch in 1759 and the arrival of the English in 1769, the Country had been administered by Sitaram Raju of Vizianagaram, whose embitious designs kept it in a constant state of disturbance.”

(G. D. Manual, P-III)

 

୧୭୬୭ ସାଲରେ ମି. କଟ୍‌ସ୍‌ଫୋର୍ଡ଼ ଗଞ୍ଜାମକୁ ଆସି ସ୍ଥିର କଲେ ଯେ, ଇଂରେଜ ଶାସନ ଦୃଢ଼ କରିବାକୁ ସର୍ବପ୍ରଥମେ ଖିମୁଣ୍ଡିର ନାରାୟଣ ଦେବଙ୍କୁ ପରାସ୍ତ କରିବା ଆବଶ୍ୟକ । କିନ୍ତୁ ତାଙ୍କ ଜମିଦାରୀର ପ୍ରାକୃତିକ ଅସୁବିଧା ହେତୁ ବନଜଙ୍ଗଲ ଓ ପାହାଡ଼ ପର୍ବତ ଭେଦ କରିବାକୁ ହେଲେ ଦେଶୀ ସିପାହୀଙ୍କ ବିନା ସେଥିରେ ବଙ୍ଗଳାରୁ ଆସିଥିବା ସିପାହୀମାନେ ପ୍ରବେଶ କରିବା ସମ୍ଭବ ନୁହେଁ । ତେଣୁ ସେ ପ୍ରଥମେ ବିଜୟନଗର ରାଜାଙ୍କୁ ହସ୍ତଗତ କରି ତାଙ୍କର ସୁଶିକ୍ଷିତ ସୈନ୍ୟ ସଙ୍ଗେ ମାନ୍ଦ୍ରାଜରୁ ଆସିଥିବା ସିପାହୀମାନଙ୍କୁ ନିଯୁକ୍ତ କରି ଜେଲ୍‌ମ୍ବର ଦୁର୍ଗ ଦଖଲ କଲେ । ଜେଲମ୍ବର ଦୁର୍ଗଟି ଶ୍ରୀକାକୁଲମ୍ ନିକଟବର୍ତ୍ତୀ ସମତଳ ଅଞ୍ଚଳରେ ରହିଥିବାରୁ ତାହା ସହଜରେ ବନ୍ଧୁକଧାରୀ ସୈନ୍ୟମାନଙ୍କର ହସ୍ତଗତ ହୋଇଗଲା । ସେଠାରେ କେତେକ ଦେଶୀୟ ତେଲଙ୍ଗା ସୈନ୍ୟଙ୍କୁ ବିଜୟ ନଗର ରାଜଭ୍ରାତା ସୀତାରାମ ରାଜୁଙ୍କ ଅଧୀନରେ ରଖାଇ ମିଷ୍ଟର କଟ୍‌ସଫୋର୍ଡ଼ ଗଞ୍ଜାମର ଅନ୍ୟାନ୍ୟ ଜମିଦାରମାନଙ୍କୁ ଆୟତ୍ତ କଲେ । ତା’ ପରେ କମ୍ପାନୀ ସରକାରଙ୍କ ବ୍ୟବହୃତ ବନ୍ଦର ଗଞ୍ଜାମ ଦୁର୍ଗରେ ଇଂରେଜଙ୍କ ସାମରିକ ଶକ୍ତି ଦୃଢ଼ କରିବାକୁ ଲାଗିଲେ । ତାଙ୍କ ସଙ୍ଗେ ଦକ୍ଷିଣାଞ୍ଚଳରୁ ଯେଉଁ ତେଲୁଗୁ ସିପାହୀମାନେ ଆସିଥିଲେ, ସେମାନଙ୍କୁ ନିୟମିତ ଭାବେ ମାସିକ ଦରମା ଦେବା ପରିବର୍ତ୍ତେ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଭୂମିଦାନ କରି ଚାଷବାସ କରି ରହିବା ସୁବିଧା କରିଦେଲେ । ଖ୍ରୀ: ୧୮୦୪ରେ କେନ୍ଦ୍ର ଓଡ଼ିଶା ଇଂରେଜମାନଙ୍କ ହସ୍ତଗତ ହେଲା ।

 

ସୀତାରାମ ରାଜୁଙ୍କ ଅତ୍ୟାଚାର ସମ୍ଭାଳି ନପାରି ଗଞ୍ଜାମର ଓଡ଼ିଆ କୃଷକମାନେ ତାଙ୍କ ଜମି ଓ ଘରଦ୍ୱାର ଛାଡ଼ି ଅନ୍ୟାନ୍ୟ ଅଞ୍ଚଳକୁ ପଳାୟନ କଲେ । ଜମି ପଡ଼ିଆ ରହିବାରୁ ସମଗ୍ର ଜିଲ୍ଲାରେ ଫସଲ ଅଭାବ ହେଲା ଓ ଦୁର୍ଭିକ୍ଷ ଦେଖା ଦେଲା । ଲୋକସଂଖ୍ୟା ମଧ୍ୟ ଯଥେଷ୍ଟ କମିଗଲା-। ଏ ସମ୍ପର୍କରେ ମାଲ୍‌ଟିବି ଲେଖିଛନ୍ତି :-

 

“The country was plunged in a state of misery and disolation utterly deplorable and that whole tracts were depopulated and people were not forthcoming to cultivate the lands.” (Page 151)

 

୧୮୦୦ ସାଲରେ ମିଷ୍ଟର୍ ବ୍ରାଉନ୍ (Mr. Broun) ଗଞ୍ଜାମର କଲେକ୍ଟର ରୂପେ ନିଯୁକ୍ତ ହୋଇଥିଲେ । ସେ ଏପରି ଦୁରବସ୍ଥା ଲକ୍ଷ୍ୟ କରି ସର୍କାରଙ୍କୁ ଜଣାଇଲେ- “The province was reduced to nearly the last ebb of depopulation and Frightful wash capable of recovering howerver from the brink of other dilapidation and ruin”.

 

ମାନ୍ଦ୍ରାଜ ସର୍କାରଙ୍କ ନିର୍ଦ୍ଦେଶ କ୍ରମେ ବିଜୟନଗର ଓ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଅଞ୍ଚଳରୁ ଭୂମିହୀନ ଚାଷୀଙ୍କୁ ଡାକିଆଣି ଗଞ୍ଜାମରେ କୋହଳ ସିସ୍ତୁ କିମ୍ବା ବିନା ସିସ୍ତୁ (କର) ରେ ଜମି-ଚାଷ କରିବାକୁ ଦିଆଗଲା । ସେତେବେଳେ କମ୍ପାନୀ ସରକାର ଓ ଜମିଦାରମାନଙ୍କ କଚେରୀରେ ଅଧିକାଂଶ ତେଲୁଗୁ କର୍ମଚାରୀମାନେ ହିଁ ନିଯୁକ୍ତି ଲାଭ କଲେ । କ୍ରମେ ସେମାନଙ୍କ ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି ଲାଭ କଲା । ଏହା ବ୍ୟତୀତ ଆନ୍ଧ୍ର ଜିଲ୍ଲାମାନଙ୍କରୁ ତେଲୁଗୁଭାଷୀ ସିପାହୀମାନଙ୍କୁ ନିଯୁକ୍ତ କରି କମ୍ପାନୀ ସରକାର ତାଙ୍କ ନିରାପତ୍ତା ରକ୍ଷା କରୁଥିଲେ । ଗଞ୍ଜାମରୁ ସୈନ୍ୟ ନେଇ ଖୁର୍ଦ୍ଦାର ପାଇକ ବିଦ୍ରୋହ ମଧ୍ୟ ଦମନ କରାଗଲା ଏବଂ ଅନାୟାସରେ ମରହଟ୍ଟା ଶାସନ ଲୋପ କରାଗଲା ।

 

ଏହି ପରିପ୍ରେକ୍ଷୀରେ ବିଚାର କଲେ, ଇଂରେଜମାନଙ୍କୁ ସାହାଯ୍ୟ କରିଥିବା ତେଲୁଗୁମାନଙ୍କ ସଂଖ୍ୟା ଗଞ୍ଜାମ ତଥା ଦକ୍ଷିଣ-ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଯଥେଷ୍ଟ ବୃଦ୍ଧି ଲାଭ କଲା । ଓଡ଼ିଆମାନେ ଇଂରେଜ ସରକାରଙ୍କ ଶତ୍ରୁ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଲେ । ଇଂରେଜଙ୍କ ରାଜତ୍ୱର ଅଳ୍ପକାଳ ପରେ ଅର୍ଥାତ୍ ଖ୍ରୀ: ୧୭୮୯ ଠାରୁ ୧୭୯୨ ପର୍ଯ୍ୟନ୍ତ ଗଞ୍ଜାମରେ ଭୀଷଣ ଦୁର୍ଭିକ୍ଷ ଦେଖାଦେଲା । ଏହା ‘‘ପାଞ୍ଚମାଣିଆ କନ୍ତାର’’ ବୋଲି କୁହାଯାଏ । ତା’ପରେ ଉପର୍ଯ୍ୟୁପରି ଦ୍ୱିତୀୟ ଓ ତୃତୀୟ ଦୁର୍ଭିକ୍ଷ ଖ୍ରୀ: ୧୮୩୬ ପର୍ଯ୍ୟନ୍ତ ଲାଗି ରହିବାରୁ ସ୍ଥାନୀୟ ଓଡ଼ିଆମାନେ ଗତ୍ୟନ୍ତର ନ ଦେଖି ପରିବାର ସଙ୍ଗେ କଳାହାଣ୍ଡି, ଜୟପୁର ପ୍ରଭୃତି ଅଞ୍ଚଳକୁ ପଳାୟନ କଲେ । ସେମାନଙ୍କ ଶୂନ୍ୟଗ୍ରାମଗୁଡ଼ିକ ପରବର୍ତ୍ତୀ କାଳରେ ଦକ୍ଷିଣରୁ ଆସିଥିବା ତେଲୁଗୁମାନଙ୍କର ଅଧିକାରଭୁକ୍ତ ହେଲା ।

 

ମାନ୍ଦ୍ରାଜ ପ୍ରଦେଶର ସୀମାନ୍ତ ବିଶାଖାପାଟଣା ଓ ଗଞ୍ଜାମ ଉଭୟ ଜିଲ୍ଲାରେ ଓଡ଼ିଆଭାଷୀଙ୍କ ସଂଖ୍ୟା କ୍ଷୀଣ ହୋଇଥିବାରୁ ଓଡ଼ିଆଭାଷା ପ୍ରତି ମାନ୍ଦ୍ରାଜ ସରକାର ଶିକ୍ଷା କ୍ଷେତ୍ରରେ ଏବଂ କୋର୍ଟ କଚେରୀମାନଙ୍କରେ ସୁବିଧା ଦେଲେ ନାହିଁ । ଫଳରେ ଶିକ୍ଷାକ୍ଷେତ୍ରରୁ ଓଡ଼ିଆମାନେ ଏକ ପ୍ରକାର ନିର୍ବାସିତ ହୋଇ ରହିଲେ । ପୁଣି ତେଲୁଗୁଭାଷୀ ଶିକ୍ଷିତ ଓ ତେଲୁଗୁମାନଙ୍କର ଅନୁଗ୍ରହ ପ୍ରାର୍ଥୀ ହେଲେ । ଅଥଚ ମାନ୍ଦ୍ରାଜର ପୂର୍ବ ଗୋଦାବରୀ ଜିଲ୍ଲା ରାଜମହେନ୍ଦ୍ରୀ ଠାରୁ ଆରମ୍ଭ କରି ଓଡ଼ିଆଭାଷୀ ଲୋକେ ଗଞ୍ଜାମର ପୂର୍ବସୀମା ଚିଲିକା ପର୍ଯ୍ୟନ୍ତ ରହିଥିଲେ; ଏକଥା ଇଷ୍ଟ ଇଣ୍ଡିଆ କମ୍ପାନୀଙ୍କ ଏଜେଣ୍ଟ ମିଷ୍ଟର୍ ଜନ୍ ଗ୍ରେଣ୍ଟ୍ ତାଙ୍କର ଫିଫ୍‌ଥ୍-ରିପୋର୍ଟ (Fifth Report) ରେ ସ୍ପଷ୍ଟ ଉଲ୍ଲେଖ କରି ଅଛନ୍ତି ଯେ, ଗୋଦାବରୀ ଠାରୁ ଓଡ଼ିଆଭାଷା ପ୍ରଚଳିତ ହେଉଛି :

 

“..........Guntur, Krishna, Godavari, Vizagapatam and Ganjam are included in Northern Circars. The Godavari is the boundary from which Oriya is spoken.”

 

୧୮୨୦ ସାଲରେ ମିଷ୍ଟର୍ ଓ୍ୱାଲଟର ହେମିଲଟନ୍ (Mr. Walter Hamilton) ତାଙ୍କର “Hindusthan” ନାମକ ଗ୍ରନ୍ଥରେ ଲେଖିଅଛନ୍ତି ଯେ, ଗଞ୍ଜାମ ଓ ବିଶାଖାପାଟଣା ଯାହାର ପୂର୍ବୋତ୍ତର ସୀମା ଚିଲିକାର ମଲଦା ଠାରୁ ଦକ୍ଷିଣର ରାଜମହେନ୍ଦ୍ରୀ ପର୍ଯ୍ୟନ୍ତ ପ୍ରସାରିତ, ତାହା ଓଡ଼ିଶାର ପ୍ରାଚୀନ ଅଂଶ ହୋଇଥିଲା ।

(Hindusthan, Vol. II, P. 31)

 

କିନ୍ତୁ ୧୮୭୫ ମସିହାରେ ବିଷପ୍‌ କଡ଼୍‌ଓ୍ୱେଲ୍ (Bishop Codwell) ତାଙ୍କର “Dravidian Languages” ନାମକ ଗ୍ରନ୍ଥରେ ଲେଖିଅଛନ୍ତି ଯେ, ଶ୍ରୀକାକୁଲମ୍‌ଠାରେ ତେଲୁଗୁ ଭାଷାର ଶେଷ ଏବଂ ଓଡ଼ିଆ ଭାଷାର ଆରମ୍ଭ ହୁଏ :

 

“Telugu language ends at Chicacob and Oriya begins from there”.

 

ଏହାପରେ ୧୮୮୨ ସାଲରେ ଗଞ୍ଜାମ ମେନୁଆଲ୍ (Ganjam Manual) ପୁସ୍ତକରେ ମାଲ୍‌ଟିବି (Maltiby) ଲେଖିଲେ ଯେ, ତରଳା (ପଲାଶା) ତେଲୁଗୁ ଭାଷାର ଶେଷ ଏବଂ ଓଡ଼ିଆ ଭାଷାର ଆରମ୍ଭ ସ୍ଥାନ :

 

“From Tarlu Telugu ends and Oriya begins”.

 

ଯେଉଁ ସମୟରେ ଗଞ୍ଜାମ ଜିଲ୍ଲା ସଙ୍ଗେ ଆଧୁନିକ ଆନ୍ଧ୍ର ପ୍ରଦେଶର ସମୁଦାୟ ଶ୍ରୀକାକୁଲମ୍ ଓ ବିଜୟନଗର ଜିଲ୍ଲା ଦୁଇଟି ଅନ୍ତର୍ଭୁକ୍ତ ହୋଇଥିଲା, ସେତେବେଳେ ମାଲ୍‌ଟିବି କହିଥିଲେ ଯେ, ଗଞ୍ଜାମ ଜିଲ୍ଲାରେ କେବଳ ଏକଚତୁର୍ଥାଂଶ ଲୋକ ତେଲୁଗୁ ଏବଂ ଅବଶିଷ୍ଟ ଓଡ଼ିଆ: “Three Forths of the population of the Ganjam District is Oriya and only one forth is Telugu”.

 

ସେତେବେଳେ ଗଞ୍ଜାମ ଜିଲ୍ଲାକୁ କେବଳ ଭାଷା ଭିତ୍ତିରେ ତିନିଗୋଟି ସ୍ଥାନରୁ ଶାସନ କରିବା ବ୍ୟବସ୍ଥା ହୋଇଥିଲା । ସେହି ଜିଲ୍ଲାର ଉତ୍ତର ଅଂଶଟି ଇଚ୍ଛାପୁର ଠାରୁ ଏବଂ ଦକ୍ଷିଣାଂଶଟି ଶ୍ରୀକାକୁଲମ୍ ଓ କାଶିମକୋଟା ଠାରୁ ଶାସିତ ହେଲା । ଇଚ୍ଛାପୁରର ସୀମା ଦକ୍ଷିଣରେ କାଶିବୁକା (ତରଳା ଜମିଦାରୀ) ଠାରେ ନିର୍ଦ୍ଦେଶ କରାଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଇଷ୍ଟ ଇଣ୍ଡିଆ କମ୍ପାନୀଙ୍କ ସମୟରେ ଅର୍ଥାତ୍ ୧୭୬୮ ମସିହାରେ ଯେତେବେଳେ ମି: କଟ୍‌ସଫୋର୍ଡ଼ (Mr. Cots Ford) ଗଞ୍ଜାମ ଜିଲ୍ଲାର ଶାସନକର୍ତ୍ତା ରୂପେ ନିଯୁକ୍ତ ହୋଇଥିଲେ, ସେତେବେଳେ ମଧ୍ୟ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା । ଗଞ୍ଜାମର ୧୯ଟି ଜମିଦାରୀ ଅର୍ଦ୍ଧସ୍ୱାଧୀନ ଭାବେ ଇଂରେଜମାନଙ୍କ ସଙ୍ଗେ ସଙ୍ଘର୍ଷରେ ଲିପ୍ତ ଥିଲେ । ସେମାନେ ନିଜ ନିଜ ଅଧୀନରେ ‘ପାଇକ’ ସୈନ୍ୟ ମଧ୍ୟ ରଖିଥିଲେ । ଏହି କାରଣରୁ ଓଡ଼ିଆ ରାଜା ଓ ଜମିଦାରମାନଙ୍କୁ ଇଂରେଜମାନେ ତାଙ୍କ ଶତ୍ରୁ ଜ୍ଞାନ କରି ଅନୁଗତ ବିଜୟନଗରର ତେଲୁଗୁ ରାଜାଙ୍କ ଠାରୁ ସାହାଯ୍ୟ ପାଇ ସେଠାରୁ ବହୁ ସଂଖ୍ୟାରେ ତେଲୁଗୁ ସିପାହୀଙ୍କୁ ଅଣାଇ ସେମାନଙ୍କୁ ସ୍ଥାୟୀ ଭାବରେ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ରଖାଇଲେ । ଫଳରେ ତେଲୁଗୁ ଭାଷାର ପ୍ରସାର କ୍ରମେ ଏ ଅଞ୍ଚଳରେ ବୃଦ୍ଧି ଲାଭ କଲା । ୧୮୭୫ରେ ବିଷପ୍ କଡ଼୍‌ଓ୍ୱେଲ୍ (Bishop Codwell) ଏକ ସମୟରେ ଯେଉଁ ତେଲୁଗୁ ଭାଷାର ଶେଷ ଶ୍ରୀକାକୁଲମ୍‌ଠାରେ ରହିଥିଲା, ତାହା ମାଲ୍‌ଟିବି (Maltiby)ଙ୍କ ୧୮୮୬ ବେଳକୁ କାଶିବୁକା (ତରଳା) ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଦିଗରେ ପ୍ରାୟ ୮୦ କିଲୋମିଟର ଘୁଞ୍ଚିଆସି ଓଡ଼ିଆମାନଙ୍କ ସ୍ଥାନ ଅଧିକାର କଲା । ଗଞ୍ଜାମର ଓଡ଼ିଆ ରାଜା ଓ ଜମିଦାରମାନଙ୍କ ଅନମନୀୟତା ହେତୁ ଏବଂ ଖୁର୍ଦ୍ଦା ପାଇକ ବିଦ୍ରୋହରେ ଜଗବନ୍ଧୁ ବିଦ୍ୟାଧର ସଙ୍ଗେ ଗଞ୍ଜାମ ଓଡ଼ିଆଙ୍କ ସହଯୋଗ ହେତୁ ସେମାନେ ଇଂରେଜ ଶାସକ ଗୋଷ୍ଠୀର ଶତ୍ରୁତା ଅର୍ଜନ କରିଥିଲେ । ସୁତରାଂ ତେଲୁଗୁ ସିପାହୀମାନଙ୍କ ସାହାଯ୍ୟରେ ତାଙ୍କୁ ଦମନ କରିବା ନୀତି ଅନୁସୃତ ହେଲା ।

 

ଓଡ଼ିଆ ରାଜାମାନଙ୍କ ନେତୃତ୍ୱରେ ଗୁମୁସରରୁ ଆଦିବାସୀ କନ୍ଧମାନେ ଖୁର୍ଦ୍ଦାର ପାଇକମାନଙ୍କୁ ସାହାଯ୍ୟ ଦେବାକୁ ଯାଇ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିଥିଲେ । ସେମାନେ ଓଡ଼ିଆମାନଙ୍କ ସଙ୍ଗେ ମିଶି ରହିଥିବା ପ୍ରସଙ୍ଗ ମେଜର ଜେନେରାଲ୍ କେମ୍ପବେଲ୍ (Major General Compbell) ୧୮୬୪ ସାଲରେ ତାଙ୍କ ଗ୍ରନ୍ଥରେ ଲେଖିଅଛନ୍ତି । “.....the space over which this wild tribe (know) is settled, extends from the north of the Mahanadi as for south as the river Godavari. Between these two points the country is divided into Forty or Fifty principalities, ruled over by chiefs of the Oriya caste. ”

 

ମାଲ୍‌ଟିବି (Mr. Maltiby) ଲେଖିଛନ୍ତି:-

“The Khonds and Savaras inhabit the hills and the line which divides the Oriyas and Jabogas may be drawn from Kassibogga to Parlakhemundi” (G. D. Manual, P-2) ଉପରୋକ୍ତ ବିବରଣୀରୁ ସ୍ପଷ୍ଟ ଜଣାଯାଉଛି ଯେ ୧୭,୮୩୮ ବର୍ଗମାଇଲ ବିଶିଷ୍ଟ ସମଗ୍ର ଗଞ୍ଜାମ ଓ ବିଶାଖାପାଟଣା ଜିଲ୍ଲାର ମାଳ ଭୂମିରେ ଆଦିବାସୀମାନଙ୍କ ସଙ୍ଗେ ଓଡ଼ିଆମାନେ ହିଁ ବସବାସ କରୁଥିଲେ । କେବଳ ସେତିକି ନୁହେଁ, ଆଦିବାସୀଙ୍କ ପ୍ରଗାଢ଼ ବିଶ୍ୱାସ ଓଡ଼ିଆମାନଙ୍କ ଉପରେ ରହିଥିଲା । ତେଣୁ ଓଡ଼ିଆ ରାଜା ଓ ଜମିଦାରଙ୍କ ଦ୍ୱାରା ନିଯୁକ୍ତ ବିଶୋଇମାନଙ୍କ ନେତୃତ୍ୱରେ ସେମାନେ ତାଙ୍କ ରାଜାଙ୍କ ପାଇଁ ଇଂରେଜମାନଙ୍କ ବିପକ୍ଷରେ ବିଦ୍ରୋହ କରିବାକୁ ଉତ୍ସାହିତ ହେଉଥିଲେ । ଗଞ୍ଜାମ ଦୁର୍ଗରେ ସେତେବେଳେ ଆନ୍ଧ୍ର ସିପାହୀ ସୈନ୍ୟମାନଙ୍କୁ ରଖାଇ ତେଲୁଗୁ ଗୁମାସ୍ତା ଓ କର୍ମଚାରୀଙ୍କୁ ନିଯୁକ୍ତ କରିବାଛଡ଼ା କମ୍ପାନୀ ସରକାରଙ୍କର ଗତ୍ୟନ୍ତର ନଥିଲା । ତେଲୁଗୁ ସଂଖ୍ୟାର କ୍ରମ ବୃଦ୍ଧି ହେତୁ ଓଡ଼ିଆଭାଷା କୋର୍ଟ କଚେରୀ ତଥା ଶିକ୍ଷା କ୍ଷେତ୍ରରୁ କ୍ରମେ ନିର୍ବାସିତ ହେଲା । ଉପାନ୍ତ ଅଞ୍ଚଳରେ ବାସ କରୁଥିବା ସାଧାରଣ ପଲ୍ଲୀବାସୀମାନେ ତେଲୁଗୁ ଭାଷା ଶିକ୍ଷା କରିବାକୁ ବାଧ୍ୟ ହେଲେ । କେତେକ ଓଡ଼ିଆ ଜାତି ଯେଉଁମାନେ ମାତୃଭାଷା ରୂପେ ତେଲୁଗୁ ଭାଷା ବ୍ୟବହାର କଲେ, ସେମାନଙ୍କ ଜାତିଗୁଡ଼ିକ ଓଡ଼ିଆ ବୋଲି ସ୍ୱୀକୃତ ହେଲା ନାହିଁ । ଯଥା :-ଓଡ଼ିଆ, କୁମ୍ଭାର, ତେଲି, ଧୋବା, ଲିଆରୀ, ଭଣ୍ଡାରୀ (ବାରିକ), ବେଣାଇତ ଓଡ଼ିଆ, ଗଉଡ଼ ଜାତିଗୁଡ଼ିକ ଯଥାକ୍ରମେ କୁମ୍ମରି, ତେଲକୁଲା, ଓଡ଼ ଡିଚାକିଲି, ନେଇଲୁ, ମାଙ୍ଗାଲି, ଓଡ଼୍‌ଡ଼ି, ଗୋଲା ନାମରେ ତେଲୁଗୁ ଜାତିଗୁଡ଼ିକ ମଧ୍ୟରେ ମିଶିଗଲେ । ୧୯୦୧ ସାଲ୍‌ର ଜନଗଣନାରେ ସେହି ଜାତିମାନଙ୍କୁ ତେଲୁଗୁ ରୂପେ ଗ୍ରହଣ କରାଗଲା । ୧୯୩୧ ସାଲର ଜନସୁମାରୀ ବେଳେ ପାରଳାଖିମୁଣ୍ଡିରେ ପ୍ରତିଷ୍ଠିତ ‘ଉତ୍କଳ-ହିତୈଷିଣୀ-ସମାଜ’ ପକ୍ଷରୁ ଏଥିର ସଂଶୋଧନ କରିବାକୁ ଚେଷ୍ଟା କରାଗଲା; କିନ୍ତୁ ମାନ୍ଦ୍ରାଜର ଜନସୁମାରି ଅଧ୍ୟକ୍ଷ ମିଷ୍ଟର୍ ଇଟ୍‌ସ୍ (census superintendent Mr. Yeatts) ଘୋର ଆପତ୍ତି କରି ତତ୍କାଳୀନ ଗଞ୍ଜାମ କଲେକ୍ଟର ମି: ଡିକ୍‌ସନ୍ (Mr. Dixson)ଙ୍କ ସଙ୍ଗେ ମିଶି ଏ ଲେଖକକୁ ଏଥିପାଇଁ ଦଣ୍ଡିତ କରିବେ ବୋଲି ଭୟ ଦେଖାଇଲେ । କିନ୍ତୁ ଓଡ଼ିଆ ଜାତିଗୁଡ଼ିକୁ କିପରି ତେଲୁଗୁ ଜାତିରେ ମିଶାଇ ସେମାନଙ୍କର ସଂଖ୍ୟା ଜାଣିଶୁଣି ମାନ୍ଦ୍ରାଜର ତେଲୁଗୁ କର୍ମଚାରୀମାନେ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ସେ କଥା ଉଦାହରଣ ଦେଇ ସାହେବଙ୍କୁ ବୁଝାଇ ଦିଆଗଲା । ଓଡ଼ିଆ ଓ ତେଲୁଗୁ ଜାତିମାନଙ୍କ ମଧ୍ୟରେ ସାମାଜିକ ଆଚାର ବ୍ୟବହାରରେ ଯେଉଁ ପ୍ରଭେଦ ରହିଛି, ତାହା ଗୋଟି ଗୋଟି କରି କହିବାରୁ, ଇଟ୍‌ସ୍ ସାହେବ ସେତେବେଳେ ତାହା ବୁଝିପାରିଥିଲେ ସତ, କିନ୍ତୁ ପରେ ଓଡ଼ିଶାର ସୀମାନିର୍ଦ୍ଦେଶକ କମିଟି ସମ୍ମୁଖରେ ମାନ୍ଦ୍ରାଜ ସରକାରଙ୍କ ପକ୍ଷରୁ ଗୋପାଳପୁରଠାରେ ସାକ୍ଷ୍ୟ ଦେଲାବେଳେ ଓଡ଼ିଆଜାତି ସଂଖ୍ୟା ଏବଂ ‘ଓଡ଼ିଆ-ଭାଷୀ’ ସଂଖ୍ୟା ଦେଖାଇ ଓଡ଼ିଶାର ସୀମା ନିର୍ଦ୍ଧାରଣ ନିମନ୍ତେ ଦୁଇଟି ମାନଚିତ୍ର ପୃଥକ୍ ପୃଥକ୍ ରୂପେ ଦାଖଲ କଲେ । ଜାତି ସଂମ୍ପୃକ୍ତ ମାନଚିତ୍ରରେ ଓଡ଼ିଶା ସଂଖ୍ୟା ଅଧିକ ହେବାରୁ ସୀମାନିର୍ଦ୍ଦେଶକ କମିଟିର ଚେୟାର୍‌ମେନ୍ ଓଡ଼ୋନେଲ୍ (O' Downell) ଜାତି-ଭିତ୍ତିକ ସୀମା ନିର୍ଦ୍ଧାରଣ ତାଙ୍କ ବିଚାରର ବହିର୍ଭୂତ ବୋଲି ପ୍ରତ୍ୟାଖ୍ୟାନ କରିଦେଲେ । ମାନ୍ଦ୍ରାଜର ୧୯୦୧ ଠାରୁ ୧୯୩୧ ମଧ୍ୟରେ ଯେଉଁ ଦୁଇଟି ଜନଗଣନା ହୋଇଥିଲା, ସେଥିରେ ଓଡ଼ିଆଙ୍କ ସଂଖ୍ୟା କିପରି କୌଶଳ କ୍ରମେ ହ୍ରାସ କରିଦିଆ ଗଲା, ସେଥିର ବିଶଦ୍‌ବିବରଣୀ ପରେ କୁହାଯିବ ।

 

୧୮୦୦ ସାଲରେ ଗଞ୍ଜାମ କଲେକ୍ଟର ମିଷ୍ଟର ବ୍ରାଉନ୍‌ଙ୍କଠାରୁ ରିପୋର୍ଟ ପାଇ ମାନ୍ଦ୍ରାଜ ସରକାରଙ୍କ ପକ୍ଷରୁ ଯେଉଁ ଗୁପ୍ତ ନିର୍ଦ୍ଦେଶ ଦିଆଗଲା, ତାର ଫଳରେ ୧୦ ବର୍ଷ ମଧ୍ୟରେ ଗଞ୍ଜାମର ଦକ୍ଷିଣରୁ ଓଡ଼ିଆଙ୍କୁ ହଟାଇ ଦିଆଗଲା । ଶ୍ରୀକାକୁଲମ୍‌ରୁ ସେମାନଙ୍କୁ ପେଲିଆଣି ପଲାଶା (ତରଳା) ଠାରେ ଓଡ଼ିଆଭାଷାର ସୀମା ନିରୂପିତ ହେଲା । ଏହାପରେ ୨୦ ବର୍ଷ ମଧ୍ୟରେ ପଲାଶା (ତରଳା)ଠାରୁ ସୋମପେଣ୍ଠଯାଏ ଓଡ଼ିଆମାନଙ୍କୁ ପୁଣି ଆନ୍ଧ୍ରମାନେ ଠେଲି ଦେଇଥିଲେ । ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଘଟଣାରୁ ଏହା ଜଣାଯାଏ ।

 

୧୯୦୧ ସାଲରେ ଓଡ଼ିଆମାନଙ୍କ ପକ୍ଷରୁ ଖଲିକୋଟର ରାଜା ହରିହର ମର୍ଦ୍ଦରାଜଙ୍କ ଉଦ୍ୟମରେ ତାଙ୍କ ରମ୍ଭା ବଙ୍ଗଳାରେ ଏକ ଆଲୋଚନା ସଭା ହୋଇଥିଲା । ସେଥିରେ ସ୍ଥିର କରାଗଲା ଯେ, ଓଡ଼ିଆମାନଙ୍କ ସମୂହ ସ୍ୱାର୍ଥରକ୍ଷା ସକାଶେ ଗୋଟିଏ ଆନୁଷ୍ଠାନିକ ସମିତି ଗଠିତ ହେବା ଆବଶ୍ୟକ । ଏହାପରେ ୧୯୦୩ ସାଲରେ ଗଞ୍ଜାମରେ ‘‘ଓଡ଼ିଆ ସଭା’’ ନାମରେ ଏକ ଅନୁଷ୍ଠାନ ଗଢ଼ାଯାଇ ସେଥିର ପ୍ରଥମ ବୈଠକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ସଭାପତିତ୍ୱରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେଲା । ଓଡ଼ିଶାରୁ ମଧୁସୂଦନ ଦାସ (ମିଷ୍ଟର ଦାସ)ଙ୍କ ପରି ମୁଖ୍ୟ ମୁଖ୍ୟ ନେତାମାନେ ମଧ୍ୟ ସେଥିରେ ଯୋଗ ଦେଇଥିଲେ । ମିଷ୍ଟର ଦାସଙ୍କ ପ୍ରସ୍ତାବ କ୍ରମେ ସବୁ ଓଡ଼ିଆଭାଷୀ ବିଚ୍ଛିନ୍ନାଞ୍ଚଳକୁ ମିଶାଇ ‘‘ଉତ୍କଳ ସମ୍ମିଳନୀ’’ ନାମରେ ଏକ ଜାତୀୟ ଅନୁଷ୍ଠାନ ଗଢ଼ିବାକୁ ସ୍ଥିର ହେଲା । ବ୍ରହ୍ମପୁର ସଭାରେ ପ୍ରସ୍ତାବ ହୋଇଥିଲା ଯେ, ମାନ୍ଦ୍ରାଜରେ ଓଡ଼ିଆ ଶିକ୍ଷାର ଅବନତି ଯଥାଶୀଘ୍ର ଦୂରକରି ସରକାରଙ୍କ ପକ୍ଷରୁ ଗଞ୍ଜାମର କୋର୍ଟ-କଚେରୀ ମାନଙ୍କରେ ଓଡ଼ିଆ ଭାଷା ପ୍ରବର୍ତ୍ତନ ଆବଶ୍ୟକ ।

 

ଖ୍ରୀ: ୩୦-୧୨-୧୯୦୩ ଦିନଟି ହେଉଛି ‘‘ଉତ୍କଳ ସମ୍ମିଳନୀ’’ର ପ୍ରତିଷ୍ଠା ଦିବସ କଟକଠାରେ ମଧୁସୂଦନ ଦାସଙ୍କ ଉଦ୍ୟମରେ ଉତ୍କଳ-ସମ୍ମିଳନୀର ପ୍ରଥମ ଅଧିବେଶନ ବହୁ ଆଡ଼ମ୍ବର ଏବଂ ଉତ୍ସାହ ସହକାରେ ଅନୁଷ୍ଠିତ ହେଲା । ବିଚ୍ଛିନ୍ନାଞ୍ଚଳମାନଙ୍କରୁ, ବିଶେଷତଃ ଗଞ୍ଜାମ ଓ ସମ୍ବଲପୁରରୁ ଅଧିକ ସଂଖ୍ୟାରେ ପ୍ରତିନିଧି ସେଥିରେ ଯୋଗଦେଲେ । ମୟୂରଭଞ୍ଜ ମହାରାଜାଙ୍କ ସଭାପତିତ୍ୱରେ ସମ୍ମିଳନୀର କାର୍ଯ୍ୟ ସୂଚାରୁରୂପେ ପରିଚାଳିତ ହୋଇ ସେଥିରେ ମୁଖ୍ୟ ପ୍ରସ୍ତାବଟି ହେଲା ଯେ, ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ ଏକତ୍ରିତ କରି ତାହା କୌଣସି ଏକ ପ୍ରଦେଶରେ ରହିବା ଆବଶ୍ୟକ । ଏହି ପ୍ରସ୍ତାବଟି କେଉଁଝରର ରାଜା ଆଗତ କରିଥିଲେ । ସେ ବର୍ଷ ବମ୍ବେଠାରେ ମହାଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ଅଧିବେଶନ ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଆମାନଙ୍କ ପକ୍ଷରୁ ସେଥିରେ ପାରଳାଖିମୁଣ୍ଡିର ରାଜଭ୍ରାତା ପଦ୍ମନାଭ ଦେବ ଏବଂ ତାଙ୍କ ସଙ୍ଗେ ଶ୍ୟାମସୁନ୍ଦର ରାଜଗୁରୁ ଓ ଗଙ୍ଗାଧର ଖାଡ଼ଙ୍ଗା ବମ୍ବେ ଅଧିବେଶନରେ ଯୋଗ ଦେଇଥିଲେ ।

 

ଏଥି ପୂର୍ବରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲେ, ସେଥିରେ ସମୁଦାୟ ଗଞ୍ଜାମ କିମ୍ବା ଅନ୍ତତଃ ଗୁମୁସର ଓ ଖିମୁଣ୍ଡି (ପାରଳା, ବଡ଼ ଓ ସାନ ଖିମୁଣ୍ଡି) ମିଶାଇବା ଆବଶ୍ୟକ ବୋଲି ଓଡ଼ିଶାର କମିଶନର ମିଷ୍ଟର କୂକ୍ (Mr. Cooke) ତାଙ୍କ ଶାସନ ସଂକ୍ରାନ୍ତ ରିପୋର୍ଟରେ ନିମ୍ନ ପ୍ରକାରେ ସୁପାରିଶ କରିଥିଲେ:-

 

“As a question at administration reform for which there is much to be said, I have to advocate the extension of the divisional boundaries so as to include the whole area populated by races speaking the Oriya language, or at any rate, some difinite areas adjoining Orissa, where the Oriya language prevails. X X X

 

The areas that I refer to the Sambalpur District of the Chatisgarh Division of the Central Provinces with the tributary states of Patna, Sonepur, Rairakhol, Bamra, Kalahandi and the whole or part of the Ganjam District with the estates at Kimedi and Ghumsur.”

 

ଖିମୁଣ୍ଡି ଏଷ୍ଟେଟ୍‌ର ଅର୍ଥ ହେଉଛି, ପାରଳାଖିମୁଣ୍ଡି ସଙ୍ଗେ ବଡ଼ଖିମୁଣ୍ଡି ଓ ସାନ ଖିମୁଣ୍ଡି ।

 

ଏହାପରେ ଯେତେବେଳେ ଭାରତର ଭାଇସ୍‌ରାୟ ହେଲେ ଲର୍ଡ଼ କରଜନ୍ (Lord Corzon) । ଉତ୍କଳ ସମ୍ମିଳନୀର ଠିକ୍ ପୂର୍ବରୁ ୧୯୦୩ ସାଲ ଡିସେମ୍ୱର ୩ ତାରିଖ ଦିନ ଭାରତର ହୋମ୍ ସେକ୍ରେଟରୀ ଏଚ. ଏଚ. ରିସ୍‌ଲେ (H. H. Risley) ମଧ୍ୟ ତାଙ୍କର ୩୬୭୮ ନମ୍ବର ପତ୍ରରେ ଭାରତ ସରକାରଙ୍କ ଠାରେ ପ୍ରସ୍ତାବ କଲେ ଯେ, ଯେଉଁ ପ୍ରଦେଶଗୁଡ଼ିକ ଏକତ୍ରିତ କରି ଓଡ଼ିଆଭାଷୀମାନଙ୍କୁ ସଙ୍ଗଠିତ କରିବା ଆବଶ୍ୟକ ବୋଲି ଜଣାଯାଉଛି, ତାହା ହେଉଛି:-

 

(୧)

ସମ୍ବଲପୁର ସମେତ ସେଥିର ପାରିପାର୍ଶ୍ୱିକ ଗଡ଼ଜାତ ଅଞ୍ଚଳ ଯାହାକି ବର୍ତ୍ତମାନ ମଧ୍ୟ-ପ୍ରଦେଶର ଅନ୍ତର୍ଗତ।

(୨)

ବର୍ତ୍ତମାନ ବଙ୍ଗଳାରେ ଥିବା ଛୋଟନାଗପୁରର ସିଂହଭୂମି ଜିଲ୍ଲା ।

(୩)

ମାନ୍ଦ୍ରାଜ ପ୍ରଦେଶରେ ରହିଥିବା ଗଞ୍ଜାମ ଜିଲ୍ଲା, ଯେଉଁଥିରେ ମୋଟ ଜନସଂଖ୍ୟା ୧୬,୮୯,୦୦୦ରୁ ଓଡ଼ିଆଭାଷୀଙ୍କ ସଂଖ୍ୟା ହେଉଛି ୧୨, ୭୫,୦୦୦ ।

(୪)

ମାନ୍ଦ୍ରାଜ ସରକାରଙ୍କ ଶାସନରେ ଥିବା ଏଜେନ୍‌ସି (ମାଳଅଞ୍ଚଳ, ଯେଉଁଠାରେ ୩,୨୧, ୦୦୦ ମୋଟ ଜନସଂଖ୍ୟା ମଧ୍ୟରୁ ଓଡ଼ିଆଭାଷୀ ହେଉଛନ୍ତି ୮୭, ୦୦୦ ।

ଏବଂ

(୫)

ମାନ୍ଦ୍ରାଜ ପ୍ରଦେଶର ବିଶାଖାପାଟଣା ଏଜେନ୍‌ସି ଅଞ୍ଚଳ, ଯେଉଁଠାରେ ମୋଟ ଜନସଂଖ୍ୟା ସାଢ଼େ ଆଠଲକ୍ଷ ମଧ୍ୟରୁ ଓଡ଼ିଆଭାଷୀଙ୍କ ସଂଖ୍ୟା ଚାରିଲକ୍ଷ ନଅ ହଜାର ।

 

ରିସ୍‌ଲେ ତାଙ୍କ ପତ୍ରରେ ଆଉ ମଧ୍ୟ ଉଲ୍ଲେଖ କରିଥିଲେ ଯେ, ବ୍ରିଟିଶ ସରକାରଙ୍କ ଅନ୍ୟ କେଉଁ ଅଞ୍ଚଳରେ ଓଡ଼ିଆମାନଙ୍କ ପରି ଶାସନ ସଂକ୍ରାନ୍ତ ଭାଷା ବ୍ୟତିକ୍ରମ ଜନିତ ଅସୁବିଧା ଦେଖାଯାଏ ନାହିଁ । ଏ ସଂକ୍ରାନ୍ତରେ ସେ ଲେଖିଅଛନ୍ତି:-

 

“Nowhere are these drawbacks more conspicuous than among the Oriya-speaking peoples, distributed as has been pointed out between three administrations, and a source of constant anxiety to each. Hence, in dealing with a question of this kind, it may be that the true criterion of territorial re-distribution should be ought not in race but in language. ”

 

ଏହାପରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ହେଲା ଯେ, ସମସ୍ତ ଓଡ଼ିଆଭାଷୀ ଅଞ୍ଚଳକୁ ଏକତ୍ରିତ କରି ବଙ୍ଗଳା ପ୍ରଦେଶରେ ମିଶାଇଦେବା ଆବଶ୍ୟକ । କିନ୍ତୁ, ଏଥିର ଅଳ୍ପ କାଳପରେ ବଙ୍ଗଳାରେ ଭାରତୀୟ ନେତାମାନଙ୍କ ରାଜନୈତିକ ଦୃଷ୍ଟିକୋଣ ବଦଳିଗଲା । ତେଣୁ ଲର୍ଡ଼ କର୍ଜନ ଅନୁଭବ କଲେ ଯେ, ବଙ୍ଗଳାର ଅନ୍ୟ ଭାଷାଭାଷୀ ଅଂଶଗୁଡ଼ିକ ବିଚ୍ଛିନ୍ନ କରିବା ପ୍ରୟୋଜନ ।

 

୧୯୦୫ର ବଙ୍ଗଭଙ୍ଗ-ଆନ୍ଦୋଳନ ସମଗ୍ର ରାଜ୍ୟରେ ତୀବ୍ରତର ହୋଇ ଜାତୀୟ କଂଗ୍ରେସରେ ଉତ୍ତେଜନା ସୃଷ୍ଟି କଲା । ବଙ୍ଗଳାରେ ‘‘ବନ୍ଦେ ମାତରଂ’’- ଆନ୍ଦୋଳନରୁ କ୍ରମେ ‘ସଂତ୍ରାସବାଦ’ ଜନ୍ମଲାଭ କଲା । ଓଡ଼ିଶା ପ୍ରଦେଶ ଗଠନ ସପକ୍ଷରେ ଲର୍ଡ଼ କର୍ଜନ୍ ମତ ଦେଇଥିବା ଜାଣିପାରି କଂଗ୍ରେସର କେତେକ ଉଚ୍ଚ କର୍ମକର୍ତ୍ତା, ବିଶେଷତଃ ବଙ୍ଗଳା ଓ ଆନ୍ଧ୍ର ଅଞ୍ଚଳର କେତେକ ନେତୃସ୍ଥାନୀୟ ବ୍ୟକ୍ତି ପ୍ରତିବାଦ କରିବାକୁ ଲାଗିଲେ । ଓଡ଼ିଆଭାଷା ବଙ୍ଗଳାର ଏକ ପ୍ରାନ୍ତୀୟ ଉପଭାଷା ମାତ୍ର । ବଙ୍ଗୀୟ ଭାଷାକୋଷରେ ଓଡ଼ିଆଙ୍କୁ ଏକ ‘ଭାରବାହକ’ ଜାତି ବୋଲି ମଧ୍ୟ ପରିଚିତ କରାଗଲା । କିନ୍ତୁ ଏ ସମସ୍ତ ଅପମାନ ଓ ଲାଞ୍ଛନା ବୋଧହୁଏ ଓଡ଼ିଆ ସାହିତ୍ୟର ଉନ୍ମେଷ ପଥରେ ପ୍ରତିବନ୍ଧକ ହୋଇପାରିଲା ନାହିଁ । କଟକ, ବାଲେଶ୍ୱର, ପୁରୀ, ଗଞ୍ଜାମ ଏବଂ କେତେକ ଗଡ଼ଜାତର ତାତ୍କାଳୀନ ସାହିତ୍ୟିକମାନେ ସେଥିର ଜବାବ ଦେଇ ଓଡ଼ିଆ ସାହିତ୍ୟର ମହତ୍ୱ ରକ୍ଷା କରିବାକୁ ସମର୍ଥ ହୋଇପାରିଥିଲେ ।

 

୧୯୦୩ ସାଲରୁ ଆରମ୍ଭ କରି ‘ଉତ୍କଳ ସମ୍ମିଳନୀ’ର ପ୍ରତ୍ୟେକ ବାର୍ଷିକ ଅଧିବେଶନରେ ସମସ୍ତ ଓଡ଼ିଆଭାଷାର ଅଞ୍ଚଳକୁ ମିଶାଇ ତାହା ବଙ୍ଗଳାର ଏକ ସ୍ୱତନ୍ତ୍ର ଡିଭିଜନ୍ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରୁଥିଲେ । ଏପରି ପ୍ରସ୍ତାବ ୧୯୧୨ ମସିହା ପର୍ଯ୍ୟନ୍ତ ହେଉଥିଲା । ସେଥିର ପୂର୍ବ ବର୍ଷ ହଠାତ୍ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହେବା ଘୋଷଣା ତା ୨୫-୮-୧୯୧୧ ରେ ହେଲା । ସେଥିରେ ସମ୍ବଲପୁରର ଏକ ଅଂଶ ସମେତ ମଧ୍ୟପ୍ରଦେଶରୁ କେତେକ ଅଞ୍ଚଳ ଓଡ଼ିଶା ଡିଭିଜନରେ ସାମିଲ କରାଯାଇ ବିହାର ସଙ୍ଗେ ମିଶାଇ ସେଥିର ନାମ ରଖାଗଲା ‘ବିହାର-ଓଡ଼ିଶା’ ପ୍ରଦେଶ । ସେତେବେଳେ ମାନ୍ଦ୍ରାଜ ପ୍ରଦେଶରୁ ଗଞ୍ଜାମ ଓ ବିଶାଖାପାଟଣା ଏଜେନ୍‌ସି (ଜୟପୁର ଜମିଦାରୀ) ସୁବିଧାରେ ଓଡ଼ିଶା ସଙ୍ଗେ ମିଶାଇ ଦିଆଯାଇପାରିଥାନ୍ତା, କିନ୍ତୁ ମାନ୍ଦ୍ରାଜ ସରକାରଙ୍କ ପକ୍ଷରୁ ସେଥିରେ ଘୋର ଆପତ୍ତି ସୃଷ୍ଟି ହେବାରୁ ତାହା କାର୍ଯ୍ୟକାରୀ ହେଲା ନାହିଁ । ସରକାର ଭାବିଥିଲେ ଯେ, ସେହି ନୂଆ ପ୍ରଦେଶରେ କେତେକ ବିଚ୍ଛିନ୍ନାଞ୍ଚଳକୁ ମିଶାଇ ଓଡ଼ିଶାର କେତୋଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଯୋଡ଼ି ଦେବାରୁ ଓଡ଼ିଆମାନେ ସନ୍ତୁଷ୍ଟ ହେବେ, କିନ୍ତୁ ସେଥିର ଫଳ ବିପରୀତ ହେଲା । କାରଣ ଓଡ଼ିଆ ଜାତିର ମୁଖ୍ୟ ସାଂସ୍କୃତିକ କେନ୍ଦ୍ର ଗଞ୍ଜାମରୁ ଚିରକାଳ ବିଚ୍ଛିନ୍ନ ହୋଇ ରହିବା ତାଙ୍କ ପକ୍ଷରେ ଆଦୌ ସ୍ପୃହଣୀୟ ନୁହେଁ । ତେଣୁ ପାରଳାଖେମୁଣ୍ଡିରେ ଉତ୍କଳ-ସମ୍ମିଳନୀର ଦଶମ ଅଧିବେଶନ ୧୯୧୪ ମସିହାରେ ଅନୁଷ୍ଠିତ ହେଲାବେଳେ ପାରଳାଖେମୁଣ୍ଡିର ଯୁବକ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କଠାରୁ ପ୍ରେରଣା ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହିଁ ଓଡ଼ିଆ ଜାତିର ଲକ୍ଷ୍ୟ ବୋଲି ସିଦ୍ଧାନ୍ତ କରାଗଲା । ତଦବଧି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବୀ କରି ସମ୍ମିଳନୀର ପରବର୍ତ୍ତୀ ଅଧିବେଶନମାନଙ୍କରେ ପ୍ରସ୍ତାବମାନ ଗୃହୀତ ହୋଇଥିଲା । ଅବଶ୍ୟ ମିଷ୍ଟର୍ ଦାସ ଆଶଙ୍କା କରିଥିଲେ ଯେ, ସ୍ୱତନ୍ତ୍ର ପ୍ରଦେଶ ଗଠନ ଆର୍ଥିକ ଦୃଷ୍ଟିରୁ ସମ୍ଭବ ହୋଇପାରିବ ନାହିଁ ଏବଂ ସେହି କାରଣରୁ ତାଙ୍କର ନିବେଦନ ସରକାର ଗ୍ରହଣ କରି ନ ପାରନ୍ତି । କିନ୍ତୁ, ତତ୍କାଳୀନ ପ୍ରଥମ ବିଶ୍ୱଯୁଦ୍ଧର ଘନଘଟା ହେତୁ ବ୍ରିଟିଶ ସରକାର ତାଙ୍କର ସପକ୍ଷବାଦୀ ଗୋଷ୍ଠୀକୁ ନିଶ୍ଚୟ ସନ୍ତୁଷ୍ଟ ରଖିବେ ଏବଂ ସେଥିର ସୁବିଧା ଓଡ଼ିଆମାନେ ହସ୍ତଚ୍ୟୁତ କରିବା ଉଚିତ ନୁହେଁ ବୋଲି କେତେକ ନେତା ପାରଳା ମହାରାଜାଙ୍କ ସଙ୍ଗେ ଏକମତ ହୋଇଥିଲେ ।

 

ଗଞ୍ଜାମର ସୀମା ସରହଦ ସମ୍ବନ୍ଧରେ ୧୯୧୦ ସାଲରେ ଆନ୍ଧ୍ରମାନଙ୍କ ପକ୍ଷରୁ “The Andhra Movement-For and Against” ନାମକ ଗୋଟିଏ କ୍ଷୁଦ୍ର ପୁସ୍ତିକାରେ ଯେଉଁ ମାନଚିତ୍ରଟି ଛପା ହୋଇଥିଲା, ସେଥିରେ ଆନ୍ଧ୍ରର ପୂର୍ବୋତ୍ତର ସୀମା ନଉପଡ଼ା (ରେଳ ଷ୍ଟେସନ) ଠାରେ ସୂଚିତ ହୋଇଥିଲା । ଏହାପରେ ୧୯୧୬ ମସିହାରେ ଗୁଣ୍ଟୁରଠାରେ ଅନୁଷ୍ଠିତ ଆନ୍ଧ୍ର ମହାସଭାର ଅଧିବେଶନରେ ସ୍ଥିର କରାଗଲା ଯେ, ଭାଷା-ସୂତ୍ରରେ ପ୍ରଦେଶମାନ ଗଠନ କରିବା ସଂକ୍ରାନ୍ତରେ ଗୋଟିଏ ପ୍ରକଳ୍ପ (Scheme) ତୟାର କରି, ତାହା ଭାରତ ଜାତୀୟ-କଂଗ୍ରେସରେ ପେଶ୍ କରିବାକୁ ହେବ । ସେତେବେଳେ ଆନ୍ଧ୍ରର ତତ୍କାଳୀନ ମୁଖ୍ୟ ନେତା ଡା: ପଟ୍ଟାଭି ସୀତାରାମାୟା “Reorganistation of Indian Provinces” ନାମକ ଏକ ପୁସ୍ତକ ଲେଖିଥିଲେ । ତାହା ଆନ୍ଧ୍ରମାନଙ୍କ ସେହି ‘ପ୍ରକଳ୍ପ’ର ଏକ ନମୁନା ସେହି ପୁସ୍ତକରେ ଓଡ଼ିଆଙ୍କ ଦାବୀକୁ ସ୍ୱୀକାର କରି ଲେଖିଥିଲେ, “The Oriyas of Orissa and those of Ganjam and Vizagapatam Districts in the Madras Presidency be grouped togather under one administration.”

(Vide Explanatory Note at Page 18)

 

ସେଥିରେ ମଧ୍ୟ ଆନ୍ଧ୍ରପ୍ରଦେଶର ସୀମା ନଉପଡ଼ାଠାରେ ନିର୍ଦ୍ଦେଶ କରାଯାଇଥିଲା ।

 

୧୯୧୯ ମସିହାରେ Joint Parliamentary Committee ସମ୍ମୁଖରେ ଆନ୍ଧ୍ରମାନଙ୍କ ପକ୍ଷରୁ ସାକ୍ଷ୍ୟ ଦେବାକୁ ଯାଇ ଦିବାନ୍ ବାହାଦୂର ଏମ୍. ରାମଚନ୍ଦ୍ର ରାଓ ଏବଂ ସାର୍ ବି. ଏନ. ଶର୍ମା ତେଲୁଗୁ ଭାଷୀ ଅଞ୍ଚଳର ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓ ବିଶାଖାପାଟଣାମ୍ ଜିଲ୍ଲାର Agency (ଜୟପୁର ଜମିଦାରୀ) ଆନ୍ଧ୍ରରେ ମିଶିବା ଦାବୀ ଉପସ୍ଥାପିତ କରି ନ ଥିଲେ । ତଥାପି ବ୍ରହ୍ମପୁରରେ ତେଲୁଗୁମାନଙ୍କ ପକ୍ଷରୁ ଜାତୀୟ କଂଗ୍ରେସ ମାଧ୍ୟମରେ ଗଞ୍ଜାମର ପ୍ରବାହିତ ରୁଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ଆନ୍ଧ୍ର (ତେଲୁଗୁ) ସୀମା ବ୍ୟାପ୍ତ ବୋଲି ଦାବୀ କରାଗଲା । ତେଣୁ ଓଡ଼ିଆଙ୍କ ‘ଉତ୍କଳ-ସମ୍ମିଳନୀ’ରେ ୧୯୦୩ ସାଲରେ ଓଡ଼ିଶା ପ୍ରଦେଶ ଗଠନ ଓ ସେଥିରେ ମାନ୍ଦ୍ରାଜରୁ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଦାବୀ ଉପସ୍ଥାପିତ ହେବା ଫଳରେ ସେମାନେ ୧୯୧୧ ସାଲରୁ ଆରମ୍ଭ କରି ଜନଗଣନା Review ରେ ଓଡ଼ିଆ ସଂଖ୍ୟା ହ୍ରାସ କରାଗଲା । ଆଗରୁ କୁହାଯାଇଛି, ଗଞ୍ଜାମରେ ଓଡ଼ିଆମାନେ କେଉଁ ପରିସ୍ଥିତିରେ ପଡ଼ି ତେଲୁଗୁ ଭାଷା ଶିଖିବାକୁ ବାଧ୍ୟ ହୋଇଥିଲେ । କେତେ ଓଡ଼ିଆ ଜାତି ତେଲୁଗୁ ଜାତିରେ ପରିଣତ ହୋଇ ୧୯୦୧ ସାଲର ଜନ ସୁମାରୀରେ ଲେଖା ହୋଇଥିଲେ । ଜନଗଣନା ୧୯୭୧ରୁ ଆରମ୍ଭ ହୋଇଥିଲା । ପ୍ରତି ୧୦ ବର୍ଷରେ ତାହା ପୁନରାବୃତ୍ତି ହୁଏ । ପ୍ରଥମ ଜନ ସୁମାରୀରେ କେବଳ ଜିଲ୍ଲାର ମୋଟ ଜନସଂଖ୍ୟା ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ୧୮୮୧ ସାଲର ଜନ ସୁମାରୀରେ ମାନ୍ଦ୍ରାଜ ପ୍ରଦେଶ ଜିଲ୍ଲାମାନଙ୍କରେ ଥିବା ଓଡ଼ିଆ ଓ ତେଲୁଗୁଭାଷୀମାନଙ୍କ ସଂଖ୍ୟା ଦିଆଗଲା । ସେତେବେଳେ ଗଞ୍ଜାମ ଏବଂ ମାନ୍ଦ୍ରାଜର ଅନ୍ୟ ଉପାନ୍ତ ଜିଲ୍ଲାରେ ଓଡ଼ିଆମାନଙ୍କର ପ୍ରାଧାନ୍ୟ ସରକାରୀ ଦପ୍ତରରେ ଆଦୌ ନ ଥିଲା କହିଲେ ଚଳେ । ଓଡ଼ିଆଙ୍କ ମଧ୍ୟରେ ଜଣେହେଲେ ଗ୍ରାଜୁଏଟ୍ ନ ଥିଲେ । ଇଂରାଜୀ ତଳକୁ ତେଲୁଗୁ ଶିକ୍ଷା କରିବା ହିଁ ଏକ କୃତିତ୍ୱ ବୋଲି ଧରାଯାଉଥିଲା । ଫଳରେ ଓଡ଼ିଆମାନେ ତେଲୁଗୁ ଶିକ୍ଷାର ବାହାଦୂରୀ ଦେଖାଇ ଅନ୍ୟମାନଙ୍କ ସଙ୍ଗେ କଥା ହେଲାବେଳେ ତେଲୁଗୁ ଭାଷା ବ୍ୟବହାର ଏକ ଅଭ୍ୟାସରେ ପରିଣତ ହୋଇଥିଲା ।

 

୧୯୦୧ ରେ ମାନ୍ଦ୍ରାଜର ଜନସୁମାରୀ ଅଧ୍ୟକ୍ଷ ତାଙ୍କ Report ରେ ଲେଖିଥିଲେ- “Little is to be learnt from a comparison of the number speaking each language at each of the last two enumerations. The totals under Gadaba, Khond, Oriya, Poroja and Savaras will be found to have increased due to the fact that in the Vizagapatam Agency, where they are spoken, was not within at all in 1891. These persons have now, been included in the statistics and the numbers speaking increased. Some of the considerable advances, in the numbers speaking the minor languages seem to be due to greater care on the part of the enumerators to avoid returning people as speaking the prevalent vernacular of the locality without enquiring what language they actually used in their houses.”

 

ଏଠାରେ କହି ରଖିବା ଆବଶ୍ୟକ ଯେ, ୧୯୦୧ ଠାରୁ ଆରମ୍ଭ କରି ୧୯୩୧ ସାଲ ପର୍ଯ୍ୟନ୍ତ ଗଞ୍ଜାମଜିଲ୍ଲାରେ ଆଧୁନିକ ଆନ୍ଧ୍ରର ଶ୍ରୀକାକୁଲମ୍ ଓ ବିଜୟନଗର ଜିଲ୍ଲା ଅନ୍ତର୍ଭୁକ୍ତ ହୋଇ ମଧ୍ୟ ୧୯୦୧ ସାଲରେ ସେହି ପୁରୁଣା ଗଞ୍ଜାମ ଜିଲ୍ଲାର ଓଡ଼ିଆଭାଷୀଙ୍କ ସଂଖ୍ୟା ଥିଲା ୧୬,୮୮,୫୯୪ ଏବଂ ତେଲୁଗୁଭାଷୀଙ୍କର ସଂଖ୍ୟା ଥିଲା ୧୨,୭୪,୯୭୫ । ଅର୍ଥାତ୍ ପ୍ରତି ହଜାରେ ସଂଖ୍ୟାରେ ଓଡ଼ିଆଭାଷୀ ଥିଲେ ୭୫୫ ଏବଂ ତେଲୁଗୁ ଭାଷୀ ୨୦୩ ଏପରି ଅବସ୍ଥାରେ ୧୯୦୩ ସାଲର ‘ଉତ୍କଳସମ୍ମିଳନୀ’ର ଓଡ଼ିଶା ଦେଶମିଶ୍ରଣ ଦାବୀ ସଙ୍ଗେ ଗଞ୍ଜାମ ଓ ବିଶାଖାପାଟଣା Agencyର ଓଡ଼ିଆଭାଷୀ ଅଞ୍ଚଳ ଓଡ଼ିଶାରେ ମିଶାଇବା ପ୍ରସ୍ତାବ ସ୍ଥାନୀୟ ତେଲୁଗୁମାନଙ୍କୁ ସତର୍କ କରିଦେଲା । ସେମାନେ ସ୍ଥିର କଲେ ଯେ, କଳେ-ବଳେ-କୌଶଳେ ଜନସୁମାରୀ Record ରେ ଓଡ଼ିଆଭାଷୀ ସଂଖ୍ୟା ହ୍ରାସ କରି ତେଲୁଗୁଭାଷୀ ସଂଖ୍ୟା ବଢ଼ାଇବାକୁ ହେବ । ମାନ୍ଦ୍ରାଜ ସରକାର ମଧ୍ୟ ଚାହୁଁ ନଥିଲେ ଯେ, ତାଙ୍କ ପ୍ରଦେଶର କୌଣସି ଅଞ୍ଚଳ ଛିନ୍ନ କରି ଓଡ଼ିଶା ସଙ୍ଗେ ମିଶା ଯାଉ । ତେଣୁ ସରକାରଙ୍କ ଠାରୁ ସାହାଯ୍ୟ ପାଇ ୧୯୧୧ ମସିହାର ଜନସୁମାରୀରେ ଏକ ଅଦ୍ଭୂତପୂର୍ବ ବିପର୍ଯ୍ୟୟ ଗଞ୍ଜାମର ଭାଷାଭାଷୀଙ୍କ ସଂଖ୍ୟାରେ ଦେଖାଗଲା ।

 

୧୯୦୪ ମସିହାରେ ଓଡ଼ିଆ ଦେଶମିଶ୍ରଣ ଦାବୀକୁ ଖଣ୍ଡନ କରିବାକୁ ଯାଇ ମାନ୍ଦ୍ରାଜର ପ୍ରାଦେଶିକ ସରକାରଙ୍କ ପକ୍ଷରୁ କୁହାଗଲା ଯେ “The Census figures of 1901 for Ganjam were untrustworthy and inaccurate and the Collector of the District estimates the Telugu Speaking population at 8,55,000 instead of 3,42,910 as Shown by Census Statistics, i.e, Correspondingly the Oriya population falls from 12,74,975 to about 7,63,000. The inference from these figures is that Telugu should be more prevalent in the Ganjam District as a parent tongue than Oriya” (Vide the Blue Book of 1905)

 

ଉପରୋକ୍ତ ଲେଖାରୁ ସ୍ପଷ୍ଟ ଜଣାଯାଉଛି ଯେ, କେବଳ ଆନ୍ଧ୍ରମାନେ ନୁହନ୍ତି ମାନ୍ଦ୍ରଜ ସରକାର ମଧ୍ୟ ଯଥାସାଧ୍ୟ ଚେଷ୍ଟା କରି ଗଞ୍ଜାମରୁ ଓଡ଼ିଆ ସଂଖ୍ୟା ହ୍ରାସ କରିଦେବାକୁ ପ୍ରାଣପଣେ ଅବୈଧ ଉପାୟର ଆଶ୍ରୟ ନେଉଥିଲେ ।

 

୧୯୧୧ ସାଲର ଜନସୁମାରୀରେ ଓଡ଼ିଆ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ମାତୃଭାଷା ଦୃଷ୍ଟିରୁ ଯଥେଷ୍ଟ ପରିମାଣରେ କମିଗଲା । ନିମ୍ନରେ ସେଥିର ହିସାବ ଦିଆଗଲା-

 

ଓଡ଼ିଆ...୧୯୦୧...୭୫୫ (ପ୍ରତି ୧୦୦୦ ଜନସଂଖ୍ୟାରେ)

ଓଡ଼ିଆ...୧୯୧୧...୫୧୨ (ପ୍ରତି ୧୦୦୦ ଜନସଂଖ୍ୟାରେ)

ତେଲୁଗୁ...୧୯୦୧...୪୬୬ (ପ୍ରତି ୧୦୦୦ ଜନସଂଖ୍ୟାରେ)

ତେଲୁଗୁ...୧୯୧୧...୪୫୩ (ପ୍ରତି ୧୦୦୦ ଜନସଂଖ୍ୟାରେ)

 

୧୯୨୧ ସାଲରେ ଆଉରି ଅଧିକ ସଂଖ୍ୟାରେ ଓଡ଼ିଆଙ୍କ ସଂଖ୍ୟା ଗଞ୍ଜାମ ଅଞ୍ଚଳରୁ କମିଗଲା । ମାନ୍ଦ୍ରାଜର Census ସୁପରିଣ୍ଟେଣ୍ଡେଣ୍ଟ୍ ନିଜେ ତାଙ୍କ ରିପୋର୍ଟରେ ଲେଖିଥିଲେ-

 

“A few districts are a notoriously bi-lingual or multilingual and it is interesting to watch in these districts for any tendency of one language to obliterate another. The principal districts to which these remarks apply are Ganjam with a long standing dual between Telugu and Oriya...”

 

ଏହି ମତ ପ୍ରକାଶ କରି ସେ ୧୯୧୧ ଓ ୧୯୨୧ରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ଓଡ଼ିଆ ସଂଖ୍ୟା ୧୯୧୧ରେ ୫,୧୨୪ ଥିଲାବେଳେ ୧୯୨୧ରେ ସେମାନଙ୍କ ସଂଖ୍ୟା ହେଲା ୫,୦୭୬ ଏବଂ ତେଲୁଗୁ ସଂଖ୍ୟା ୪,୪୮୬ରୁ ବଢ଼ି ୪,୫୪୮ ହୋଇଗଲା ।

 

(Vide Census of India, Vol. X III (Mardras) Pt. i, P. 135)

 

ସର୍ବଶେଷରେ ୧୯୩୧ ସାଲର ଜନସୁମାରୀ ଓଡ଼ିଆଙ୍କ ପକ୍ଷରେ ଘୋର ଆଘାତ ସୃଷ୍ଟିକଲା । କାରଣ ସେତେବେଳେ ସ୍ୱୟଂ ମାନ୍ଦ୍ରାଜ ସରକାର ମଧ୍ୟ ସେହି ଦୁର୍ନୀତିର ଅଂଶୀଦାର ହୋଇଥିଲେ ।

 

୧୯୮୭ ସାଲରେ ଇଂଲଣ୍ଡର ପାର୍ଲ୍ୟାମେଣ୍ଟ ପକ୍ଷରୁ ମଣ୍ଟେଗୁ (Montague) ସାହେବଙ୍କୁ ଭାରତର ଶାସନ ସଂସ୍କାର ବିଷୟରେ ଖସଡ଼ା ପ୍ରସ୍ତୁତ କରିବାକୁ ପଠାହେଲା । ସେତେବେଳେ ଭାରତର ବଡ଼ଲାଟ ଲର୍ଡ଼ ଚେମ୍‌ସ୍ ଫୋର୍ଡ଼ଙ୍କ ସଙ୍ଗେ ମିଳିତ ହୋଇ ମଣ୍ଟେଗୁ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରିଥିଲେ । ସେଥିରେ ସେମନେ ଦୃଢ଼ ଭାବରେ ଯୁକ୍ତି କରିଥିଲେ ଯେ, ଭାରତର ପ୍ରଦେଶଗୁଡ଼ିକ ଭାଷାଭିତ୍ତିରେ ପ୍ରସ୍ତୁତ କରିବା ଆବଶ୍ୟକ । ସେହି ନୀତି ଅନୁସାରେ ଯେଉଁ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ ବିହାର, ବଙ୍ଗଳା, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜରେ ବିଚ୍ଛିନ୍ନ ହୋଇ ରହିଛି, ତାହା ଏକତ୍ରିତ କରି ତାହା ଏକ ସ୍ୱତନ୍ତ୍ର ପ୍ରଦେଶ କରିବାକୁ ଦାବୀ ବଳବତ୍ତର ହେଲା ।

 

୧୯୧୧ ମସିହାରେ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠନର ଯୁକ୍ତିଯୁକ୍ତତା ନାଗପୁର କଂଗ୍ରେସ ଅଧିବେଶନ ବେଳେ ମହାତ୍ମା ଗାନ୍ଧୀଙ୍କୁ ବୁଝାଇ କଂଗ୍ରେସର ସହାନୁଭୂତି ଲାଭ କରିବାକୁ ଚେଷ୍ଟା କରିଥିଲେ । କାରଣ ସେ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କେତେକ ନେତା ମତବ୍ୟକ୍ତ କରିଥିଲେ ଯେ, ପ୍ରାଦେଶିକ ସୀମାଗୁଡ଼ିକ ଛିନ୍ନ ଭିନ୍ନ କରି ସେଠାର ସଂସ୍କୃତିକ ସଂହତି ନଷ୍ଟ କରିବା ଆଦୌ ବାଞ୍ଛନୀୟ ନୁହେଁ । ମାନ୍ଦ୍ରାଜରେ କଂଗ୍ରେସ ପକ୍ଷରୁ ବଙ୍ଗ ଭଙ୍ଗ ପ୍ରତିବାଦ ପ୍ରସ୍ତାବରେ ଓଡ଼ିଶାରେ ମାନ୍ଦ୍ରାଜରୁ ମଧ୍ୟ କୌଣସି ଅଂଶ ମିଶାଇବା ବିରୁଦ୍ଧରେ ଏକ ସଂଶୋଧନ ପ୍ରସ୍ତାବ ଗୃହୀତ ହୋଇଥିଲା ।

 

୧୯୧୩ ମସିହାରେ ମାନ୍ଦ୍ରାଜ ଗଭର୍ଣ୍ଣର ଲର୍ଡ଼ ପେଣ୍ଟଲେଣ୍ଡ୍ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁରଠାରେ ତେଲୁଗୁମାନଙ୍କ ଠାରୁ ଏକ ସ୍ମାରକପତ୍ର ଗ୍ରହଣ କରିଥିଲେ । ଓଡ଼ିଆମାନଙ୍କୁ ଅବହେଳା କରିଥିବା ଦେଖି ତତ୍କାଳୀନ ଗଞ୍ଜାମର ଓଡ଼ିଆମାନେ ମାନ୍ଦ୍ରାଜ ସରକାରଙ୍କ ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିଥିଲେ । ତଥାପି ‘ଓଡ଼ିଆ-ସମାଜ’ ପକ୍ଷରୁ ତାଙ୍କୁ ଅନ୍ୟ ଏକ ସ୍ମାରକପତ୍ର ଦିଆଗଲା । ପାରଳାଖେମୁଣ୍ଡିର ‘ଉତ୍କଳ-ହିତୈଷିଣୀ’ ସମାଜ ମଧ୍ୟ ସ୍ୱତନ୍ତ୍ର ଭାବେ ଗୋଟିଏ ସ୍ମାରକପତ୍ର ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ସେଥିରେ ମାନ୍ଦ୍ରାଜରେ ବିଚ୍ଛିନ୍ନ ହୋଇ ରହିଥିବା ଓଡ଼ିଆ ଅଞ୍ଚଳଗୁଡ଼ିକର ମିଶ୍ରଣ କରିବାକୁ ଦୃଢ଼ ଦାବୀ ଉପସ୍ଥାପିତ କରିଥିଲେ । ସେତେବେଳେ ପ୍ରଥମ ଜର୍ମାନ୍ ଯୁଦ୍ଧର ଘନଘଟା ବ୍ରିଟିଶ୍ ସାମ୍ରାଜ୍ୟକୁ ଆଚ୍ଛନ୍ନ କରିଥିବାରୁ ଯୁଦ୍ଧ ପରେ ସେଥିର ବିଚାର କରିବା ସମ୍ଭବ ହେବ ବୋଲି ମାନ୍ଦ୍ରାଜ ସରକାରଙ୍କ ପକ୍ଷରୁ ଓଡ଼ିଆଙ୍କୁ ବୋଧ କରାଗଲା ।

 

୧୯୨୦ ମସିହାରେ ‘ଉତ୍କଳ-ସମ୍ମିଳନୀ’ର ଚକ୍ରଧରପୁର ଅଧିବେଶନରେ ପଣ୍ଡିତ ଗୋପବନ୍ଧୁ ଦାସ କହିଲେ ଯେ, ଓଡ଼ିଶାର ଦେଶମିଶ୍ରଣ ସମସ୍ୟା ସଙ୍ଗେ ଅର୍ଥନୈତକ ସମସ୍ୟାମାନ ଅନୁଧ୍ୟାନ କରି ସେଥିର ପ୍ରତିକାର କରିବାକୁ ମହାତ୍ମାଗାନ୍ଧୀ ନିଜେ ଓଡ଼ିଶାକୁ ଆସିବା ପାଇଁ ସ୍ଥିର କରିଅଛନ୍ତି । ତେଣୁ ଉତ୍କଳ ସମ୍ମିଳନୀକୁ ଏବେ କଂଗ୍ରେସରେ ମିଶାଇ ‘ଉତ୍କଳ-କଂଗ୍ରେସ’ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଏହି ପ୍ରସ୍ତାବଟି ଅଧିକାଂଶ ସଭ୍ୟଙ୍କର ମନୋନୀତ ହୋଇଥିଲା, କିନ୍ତୁ ‘ମୁକୁର’ ପତ୍ରିକାର ସମ୍ପାଦକ ବାବୁ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଅନ୍ୟ ଏକ ଦଳ ସେହି ପ୍ରସ୍ତାବ ଗ୍ରହଣ ନ କରି ଏକ ସ୍ୱତନ୍ତ୍ର ଦଳ ଗଢ଼ିଲେ । ସେ ବର୍ଷ ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ୱରେ ବ୍ରହ୍ମପୁରଠାରେ ଉତ୍କଳ-ସମ୍ମିଳନୀର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଲା । ମହାରାଜାଙ୍କ ନିର୍ଦ୍ଦେଶ ଅନୁସାରେ ୧୯୨୧ ସାଲରେ ‘ଉତ୍କଳ-ହିତୈଷିଣୀ’ ପକ୍ଷରୁ ଏକ ସ୍ମାରକପତ୍ର ବଡ଼ ଲାଟ୍‌ଙ୍କୁ ଦିଆଗଲା । ସେଥିରେ ପ୍ରଦର୍ଶିତ ହୋଇଥିଲା, ମାନ୍ଦ୍ରାଜ ସରକାରଙ୍କ ସହଯୋଗରେ ଆନ୍ଧ୍ରମାନେ ଗଞ୍ଜାମ ଓ ଜୟପୁରରେ ଓଡ଼ିଆମାନଙ୍କ ଦାବୀ ମାନ୍ଦ୍ରାଜ ସରକାର କିପରି ପ୍ରତ୍ୟାଖ୍ୟାନ କରିଅଛନ୍ତି ସେ ସମସ୍ତ ପ୍ରାଞ୍ଜଳ ଭାବେ ଲେଖା ହୋଇଥିଲା । ଭାରତ ସରକାରଙ୍କ ଉପରେ ସେଥିର ପ୍ରଭାବ ପକାଇବାକୁ ଯାଇ ପାରଳାଖେମୁଣ୍ଡି ମହାରାଜା ଏବଂ ଓଡ଼ିଶାର ଗଣ୍ୟମାନ୍ୟ ନେତାମାନେ, ଯଥା:- ବାବୁ ଭୁବନାନନ୍ଦ ଦାସ, ବ୍ରଜସୁନ୍ଦର ଦାସ, ସୀତାକାନ୍ତ ମହାପାତ୍ର, ଶଶିଭୂଷଣ ରଥ ପ୍ରମୁଖ ମଧ୍ୟ ବ୍ୟକ୍ତିଗତ ଭାବେ ଭାରତ ସରକାରଙ୍କୁ ଓ ପ୍ରଭାବିତ କଲେ-। ଏଥିର ପ୍ରତିବାଦ କରି ମାନ୍ଦ୍ରାଜ ସରକାର ଅଭିଯୋଗ କଲେ ଯେ, ଗଞ୍ଜାମ ଓ ବିଶାଖାପାଟଣା ଜିଲ୍ଲାରେ ଯେଉଁ ଓଡ଼ିଆମାନେ ରହିଛନ୍ତି, ସେମାନେ ଓଡ଼ିଶା ପରି ଏକ ନିଅଣ୍ଟିଆ ପ୍ରଦେଶକୁ ଯିବାକୁ ଇଚ୍ଛୁକ ନୁହଁନ୍ତି । ତେଣୁ ଜବରଦସ୍ତି ତାଙ୍କୁ ମାନ୍ଦ୍ରାଜ ପ୍ରଦେଶରୁ ତଡ଼ିଦେବା ଉଚିତ ହେବ ନାହିଁ ।

 

ଉପରୋକ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ କେନ୍ଦ୍ର ସରକାର ଫିଲିପ୍‌ ଓ ଡଫ୍ କମିଟି ଗଠନ କରି ସେମାନଙ୍କୁ ଗଞ୍ଜାମ ଓ ବିଶାଖାପାଟଣା ଓଡ଼ିଆମାନଙ୍କର ମତାମତ ବୁଝିବାକୁ ସ୍ଥିର କଲେ । ୧୯୨୪ରେ ଫିଲିପ୍-ଡଫ୍ କମିଟି ଉପରୋକ୍ତ ଦୁଇଟି ଜିଲ୍ଲାରେ ଅନୁସନ୍ଧାନ କଲାବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପାରଳାଖେମୁଣ୍ଡି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ଜମିଦାରୀ ଅଞ୍ଚଳର ଓଡ଼ିଆ ସ୍ୱେଚ୍ଛାସେବକମାନେ ପ୍ରତି ଗ୍ରାମକୁ ଯାଇ ଓଡ଼ିଆମାନଙ୍କୁ କମିଟି ସମ୍ମୁଖରେ ସମବେତ କରାଇଥିଲେ । କମିଟିର ଉଭୟ ଅଫିସର ସ୍ପଷ୍ଟ ବୁଝି ପାରିଲେ ଯେ, ଗଞ୍ଜାମ ଓଡ଼ିଆମାନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ରହିବାକୁ ଆଦୌ ଅମତ ନୁହଁନ୍ତି । ସେମାନଙ୍କର ଅନୁକୂଳ ରିପୋର୍ଟ ଓଡ଼ିଆମାନଙ୍କୁ ଉତ୍ସାହିତ କଲା ସିନା ପ୍ରାଦେଶିକ ସରକାରମାନଙ୍କ ଆପତ୍ତି ହେତୁ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶରୁ ଓଡ଼ିଆ ଅଞ୍ଚଳଗୁଡ଼ିକ ଓଡ଼ିଶାରେ ମିଶିଲା ନାହିଁ ।

 

କେବଳ ପ୍ରାଦେଶିକ ସରକାରଙ୍କ ବିରୋଧ କେବଳ ଓଡ଼ିଆଙ୍କୁ ହତୋତ୍ସାହିତ କଲା ନାହିଁ, ବରଂ ୧୯୨୭ ସାଲରେ ଭାରତର ଶାସନ ସଂସ୍କାର ନିମନ୍ତେ ଯେଉଁ ସାଇମନ୍ କମିଶନ ଭାରତରେ ସାକ୍ଷ୍ୟ ନେବାକୁ ପଠାଗଲେ, ତାଙ୍କୁ କଂଗ୍ରେସ ପକ୍ଷରୁ ସର୍ବତ୍ର ଅସହଯୋଗ କରାଗଲା, ସେତିକିବେଳେ ଓଡ଼ିଆମାନେ ବୁଝିପାରିଲେ ଯେ, କଂଗ୍ରେସ ପକ୍ଷରୁ ସହାନୁଭୂତି ଲାଭ କରିବା ସମ୍ଭବ ନୁହେଁ । ମାନ୍ଦ୍ରାଜଠାରେ ପାରଳାଖେମୁଣ୍ଡି ମହାରାଜା ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠନ ପାଇଁ ଏକ ସ୍ମାରକପତ୍ର ଦେଇଥିଲେ । ତାଙ୍କର ସାକ୍ଷ୍ୟ ଏକ ମୂଲ୍ୟବାନ ଦଲିଲରୂପେ ସାଇମନ୍ ଗ୍ରହଣ କରିବାରୁ ଭାରତରେ କଂଗ୍ରେସର କେତେକ ସଭ୍ୟ ଓଡ଼ିଆମାନଙ୍କୁ କଟୁ ସମାଲୋଚନା କରିଥିଲେ । କଲିକତା କଂଗ୍ରେସ ଅଧିବେଶନରେ ପଣ୍ଡିତ ନୀଳକଣ୍ଠ ଦାସ ଓ ଗଞ୍ଜାମର ଦିବାକର ପଟ୍ଟନାୟକ ସେଥିର ପ୍ରତିବାଦ କରି ସଭା ବର୍ଜନ କରିଥିଲେ । (ଅବଶ୍ୟ ପରେ ତାଙ୍କୁ ବୋଧକରି ସଭା ମଣ୍ଡପକୁ ନିଆ ଯାଇଥିଲା) ।

 

ପାରଳା ମହାରାଜାଙ୍କଠାରୁ ପ୍ରେରଣା ପାଇ ଗଞ୍ଜାମର ଏଡଭୋକେଟ ଭୁବନେଶ୍ୱର ରଥ ମଧ୍ୟ ମାନ୍ଦ୍ରାଜରେ ଏବଂ ବାବୁ ବ୍ରଜସୁନ୍ଦର ଦାସ ପ୍ରମୁଖ କଟକର କେତେଜଣ ଉତ୍କଳ-ସମ୍ମିଳନୀ ସଦସ୍ୟ ବିହାରର ପାଟଣାଠାରେ ସାଇମନ୍‌ଙ୍କୁ ଓଡ଼ିଆମାନଙ୍କ ପକ୍ଷରୁ ସ୍ମାରକ ପତ୍ରମାନ ଦେଇ ତାଙ୍କଠାରୁ ସାହାଯ୍ୟ ଓ ସହାନୁଭୂତି ସୂଚକ ପ୍ରତିଶ୍ରୁତି ପାଇଥିଲେ । ଏଥିରେ ବଙ୍ଗଳା ଏବଂ ଆନ୍ଧ୍ରର କଂଗ୍ରେସ ନେତାମାନେ କିପରି ଉତ୍ତ୍ୟକ୍ତ ହୋଇଥିଲେ, ତାହା ୧୯୩୦ ସାଲରେ ଅନୁଷ୍ଠିତ ନିଖିଳ ଭାରତ ଜାତୀୟ କଂଗ୍ରେସ ଅଧିବେଶନରେ ସଭାପତିତ୍ୱ କରି ବଙ୍ଗଳାର ନେତା ଲାଲମୋହନ ଘୋଷଙ୍କ ନିମ୍ନୋକ୍ତ ପ୍ରକାରେ ଏକ ପ୍ରସ୍ତାବ ଆଗତ କଲେ-

 

“The congress views with deep concern the present policy of the government of India in breaking up territorial divisions which have of long standing and are closely united by ethanological, legislative, social and administrative relations and the congress depricates XXX the separation of the district of Ganjam and the Agency tracts of Ganjam and Vizagapatam from the Madras presidency.”

 

ସେତିକିବେଳେ ତେଲୁଗୁ ନେତା ରାଘବରାଓ ଉପରୋକ୍ତ ପ୍ରସ୍ତାବଟି ସମର୍ଥନ କରିବାକୁ ଯାଇ ଗଞ୍ଜାମର ତେଲୁଗୁ ଅଞ୍ଚଳ ଶ୍ରୀକାକୁଲମ୍ ଓ ନରସନ୍ନାପେଣ୍ଠ ବଙ୍ଗ ସଙ୍ଗେ ନ ମିଶିବା ସପକ୍ଷରେ କହିଥିଲେ । ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ, ରାଘବରାଓ ନିଜେ ଅନୁଭବ କରିଥିଲେ ଯେ, ଉପରୋକ୍ତ ଦୁଇଟି ସବ୍‌ଡିଭିଜନ ବ୍ୟତୀତ ଗଞ୍ଜାମର ଅନ୍ୟ ଅଂଶ ଗୁଡ଼ିକରେ ଆନ୍ଧ୍ରମାନଙ୍କର ଦାବୀ ନାହିଁ ।

 

ତା ୮-୯-୧୯୩୧ରେ ବ୍ରହ୍ମପୁରରୁ ପ୍ରକାଶ ପାଇଥିବା ‘‘ଦୈନିକ ଆଶା’’ ପତ୍ରିକାରେ ଏ ଲେଖକ ‘‘ଓଡ଼ିଆଭାଷାର ସୀମାନିର୍ଦ୍ଦେଶ’’ ଶୀର୍ଷକ ଗୋଟିଏ ଦୀର୍ଘ ପ୍ରବନ୍ଧରେ ଉପରୋକ୍ତ କଂଗ୍ରେସ ପ୍ରସ୍ତାବଟି ଉଦ୍ଧୃତ କରି ସ୍ପଷ୍ଟଭାବରେ ଦର୍ଶାଇଛି, ‘‘ଆନ୍ଧ୍ର ପ୍ରାଦେଶିକ କମିଟି ଆନ୍ଧ୍ରପ୍ରଦେଶ ଗଠନ ସମ୍ବନ୍ଧେ ହସ୍ତପତ୍ର ପ୍ରକାଶକରି ସେଥିରେ ଜୟପୁର ଅଞ୍ଚଳ ଆନ୍ଧ୍ର ପ୍ରଦେଶରେ ମିଶାଇବା ପାଇଁ ଦାବୀ କରି ନାହାନ୍ତି କିମ୍ବା ୧୯୧୯ ସାଲରେ Government of India Bill ଆଲୋଚନା ପାଇଁ ପାର୍ଲିଆମେଣ୍ଟରୁ ନିର୍ବାଚିତ joint select committee ନିକଟରେ ଆନ୍ଧ୍ର ନେତାମାନେ ମୌଖିକ ଓ ଲିଖିତ ସାକ୍ଷ୍ୟ ଦେଲାବେଳେ ଜୟପୁର ଜମିଦାରୀ ଆନ୍ଧ୍ରପ୍ରଦେଶରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦାବୀ କରି ନଥିଲେ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଉଦାରପନ୍ଥୀ ରାଜନୈତିକ ନେତାମାନେ ଜୟପୁର ଓ ନରସନ୍ନାପେଣ୍ଠର ଉତ୍ତରାଞ୍ଚଳ ଭବିଷ୍ୟତ ଆନ୍ଧ୍ରପ୍ରଦେଶରେ ମିଶାଇବାକୁ ଇଚ୍ଛା କରନ୍ତି ନାହିଁ । ଏବଂ ଏହି ଅଞ୍ଚଳ ମିଶାଇଲେ ଭବିଷ୍ୟତରେ ଆନ୍ଧ୍ରପ୍ରଦେଶର ଅକଲ୍ୟାଣ ହେବ ବୋଲି ସେମାନେ ମନେ କରନ୍ତି ।’’

(‘ଦୈନିକ ଆଶା’, ତା ୮-୯-୩୧, ପୃ. ୧୧)

 

ଏଥିରେ କହିବା ଆବଶ୍ୟକ ଯେ, ପାରଳାଖେମୁଣ୍ଡିର ‘‘ଉତ୍କଳ ହିତୈଷିଣୀ-ସମାଜ’’ ପକ୍ଷରୁ ଏ ଲେଖକ ଗୋଟିଏ ଦୀର୍ଘ ସ୍ମାରକପତ୍ର ପ୍ରସ୍ତୁତ କରିଥିଲା । ତାହା “Census Errors of Ganjam” ନାମକ ପୁସ୍ତକାକାରରେ ଛପା ହୋଇ ମାନ୍ଦ୍ରାଜ-ସରକାର ଓ କେନ୍ଦ୍ର ସରକାରଙ୍କ ଶଂସିତ ଅଫିସରମାନଙ୍କଠାକୁ ୧୯୩୧ ସାଲର ଜନସୁମାରୀ ରିପୋର୍ଟ ପ୍ରକାଶ ପୂର୍ବରୁ ପଠାଇ ଦିଆଗଲା । ଏହା ଫଳରେ ମାନ୍ଦ୍ରାଜ-ସରକାର ବୋଧହୁଏ ଓଡ଼ିଆଙ୍କ ବିରୁଦ୍ଧରେ ଅଧିକ ରୁଷ୍ଟ ବ୍ୟବହାର କରିବାକୁ ଲାଗିଲେ । ୧୯୩୧ ସାଲର ସେନ୍‌ସେସ୍ ସୁପରିଟେଣ୍ଡେଣ୍ଟ ଯେଉଁ ରିପୋର୍ଟ ପ୍ରକାଶ କରିଥିଲେ ସେ ପାରଳାଖେମୁଣ୍ଡି ଓଡ଼ିଆଙ୍କ ବିରୁଦ୍ଧରେ ବିଷୋଦ୍‌ଗାରଣ କରିଥିଲେ । ପରବର୍ତ୍ତୀ ସମୟରେ ସେହି ସୁପରିଟେଣ୍ଡେଣ୍ଟ ମିଷ୍ଟର ଇଟ୍‌ସ (Mr. Yeates) ଓଡ଼ୋନଲ କମିଟି ଆଗରେ ସାକ୍ଷ୍ୟ ଦେବାକୁ ଯାଇ ଓଡ଼ିଶାର ସୀମା ବ୍ରହ୍ମପୁର ନିକଟସ୍ଥ ସୁନାପୁରଠାରେ ନିର୍ଦ୍ଦେଶ କରିବା ଭାଷାଦୃଷ୍ଟିରୁ ନ୍ୟାୟୋଚିତ ବୋଲି ଓଡ଼ୋନଲ୍‌ଙ୍କୁ ବୁଝାଇଦେଲେ । ସାହେବଙ୍କ କଥାରେ ବିଶ୍ୱାସ କରି ଓଡ଼ୋନଲ୍ ଗଞ୍ଜାମର ସୀମା ସମ୍ପର୍କରେ ଯେତେସବୁ ସାକ୍ଷ୍ୟ ଓଡ଼ିଆମାନେ ସାବ୍ୟସ୍ତ କରିଥିଲେ, ତାହା ସଂପୂର୍ଣ୍ଣରୂପେ ଆଡ଼େଇ ଦେଇ ଖାଣ୍ଟି ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ ମଧ୍ୟ ଓଡ଼ିଶାରେ ମିଶାଇବା ବିରୁଦ୍ଧରେ ଏକଦେଶଦର୍ଶୀ ରିପୋର୍ଟ ଦେବାରୁ ସେହି ସୀମା ନିର୍ଦ୍ଦେଶକ କମିଟିର ଅନ୍ୟ ଦୁଇଜଣ ଭାରତୀୟ ସଭ୍ୟ ଶ୍ରୀଯୁକ୍ତ ଫୁକାନ୍ ଓ ଶ୍ରୀଯୁକ୍ତ ମେହେଟା ସେଥିର ପ୍ରତିବାଦ କରି ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବା ସପକ୍ଷରେ ଏକ ବିରୁଦ୍ଧ ମତ ସେହି ରିପୋର୍ଟରେ ପ୍ରକାଶ କଲେ । କିନ୍ତ ବ୍ରିଟିଶ୍ ସରକାରଙ୍କ ପକ୍ଷରୁ ସାହେବଙ୍କ ସୁପାରିଶ ହିଁ ଗୃହୀତ ହେଲା । ଏହାପରେ ସରକାରଙ୍କ ପକ୍ଷରୁ ‘ଶ୍ୱେତପତ୍ର’ (White Paper) ପ୍ରକାଶିତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ’ ସକାଶେ ସେଥିରେ ମସୁଧା ହୋଇଥିଲା ସିନା ସେଥିରୁ ଜୟପୁର, ପାରଳାଖେମୁଣ୍ଡି ସମେତ ଗଞ୍ଜାମର ବହୁତଗୁଡ଼ିଏ ଓଡ଼ିଆ ଅଞ୍ଚଳ ଛିନ୍ନ ହୋଇ ଯାଇଥିଲା । ଏଥିରେ ସମଗ୍ର ଓଡ଼ିଆ ଜାତି କ୍ଷୁବ୍‌ଧ ହେଲେ । ଯେଉଁ ପାରଳାଖେମୁଣ୍ଡି ମହାରାଜା ଜୀବନ ପଣକରି ୧୯୩୦ ସାଲରେ ଇଂଲଣ୍ଡରେ ଅନୁଷ୍ଠିତ ପ୍ରଥମ ଗୋଲଟେବୁଲ ବୈଠକରେ ଓଡ଼ିଆଙ୍କ ଚିର ପୋଷିତ ଆଶା ସଫଳ କରାଇଥିଲେ, ତାଙ୍କୁ ଓଡ଼ିଶାରୁ ବିଚ୍ଛିନ୍ନ କରାଯିବା ଓଡ଼ିଆ ଜାତି ପ୍ରତି ଏକ ଅସହ୍ୟ ଆଘାତ । ଏଣୁ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ ଏଥିର ପ୍ରତିବାଦ କରି ଭାଇସ୍‌ରାୟଙ୍କୁ ଟେଲିଗ୍ରାମ୍‌ ପଠାଗଲା । ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ, ସୀମା ନିର୍ଦ୍ଦେଶ କମିଟିର ଦୁଇଜଣ ଭାରତୀୟ ସଭ୍ୟ ମତ ପ୍ରକାଶ କରିଥିଲେ ଯେ, ନୂତନ ଓଡ଼ିଶା ପ୍ରଦେଶରେ ସମୁଦାୟ ପାରଳାଖେମୁଣ୍ଡି ଏଷ୍ଟେଟ୍ ସମେତ ଟିକ୍‌କଲି, ତରଳା, ମଞ୍ଜୁଷା, ଜଳନ୍ତର, ବାରୁଆ, ବୁଢ଼ାରଶିଙ୍ଗି, ସୋମପେଣ୍ଟ ଏବଂ ଇଚ୍ଛାପୁର ଗଞ୍ଜାମ ଜିଲ୍ଲାରୁ ମିଶିବା ଯୁକ୍ତିଯୁକ୍ତ । କିନ୍ତୁ ନିରପେକ୍ଷ ଭାରତୀୟ ସଭ୍ୟଙ୍କ ସୁପାରିଶକୁ ବ୍ରିଟିଶ ସରକାର ଆଦୌ ସମ୍ମାନିତ କଲେ ନାହିଁ । ଫଳରେ ସମଗ୍ର ଓଡ଼ିଆ ଜାତିର ଅସନ୍ତୋଷ କ୍ରମେ ଭୟଙ୍କର ବିସ୍ଫୋରକ ଅବସ୍ଥାରେ ପହଞ୍ଚି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ସୃଷ୍ଟି କଲା ।

 

ପାହିଲାଣି ଏବେ ନିରାଶା-ଶର୍ବରୀ

ଡାକୁଛନ୍ତି ମାତା କେତେ ଆଶାକରି ।

ଜାଗହେ ସରବେ ଉତ୍କଳ ସନ୍ତାନେ

ଏକତାର ମନ୍ତ୍ର ଜପି ପ୍ରାଣେ ପ୍ରାଣେ ।

-ଭକ୍ତକବି ମଧୁସୂଦନ ରାଓ

***

 

ଅର୍ଦ୍ଧ ଶତାବ୍‌ଦୀ ପୂର୍ବେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ତଦାନୀନ୍ତନ ବ୍ରିଟିଶ ସରକାର ଓଡ଼ିଆ ଜାତିର, ଭାଷାର, ସଂସ୍କୃତିର ସ୍ୱାତନ୍ତ୍ର୍ୟ ସ୍ୱୀକାର କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କଲେ । ଓଡ଼ିଆଙ୍କର ବହୁ କାଳର ସ୍ୱପ୍ନ ଆଂଶିକ ସଫଳତା ଲାଭ କଲା । ଦକ୍ଷିଣରେ ଗଞ୍ଜାମ, କୋରାପୁଟ, ପାରଳାଖେମୁଣ୍ଡିର କେତେକ ଅଂଶ ମିଶିଲା, ପଶ୍ଚିମରେ ମିଶିଲା ଖଡ଼ିଆଳ-। କିନ୍ତୁ ଓଡ଼ିଶାର ମସ୍ତକସ୍ୱରୂପ ସିଂହଭୂମି ରହିଗଲା ବିହାରରେ, ରହିଗଲା ଓଡ଼ିଶା ବାହାରେ ଷଢ଼େଇକଳା, ଖରସୁଆଁ । ଫଲଝର ଓ ଆଉ କେତେକ ଓଡ଼ିଆ ଅଞ୍ଚଳ ରହିଗଲା ମଧ୍ୟପ୍ରଦେଶରେ-

 

କିନ୍ତୁ ଯେତିକି ସମ୍ଭବ ହେଲା ତାହା ଉତ୍କଳମାତାର କେତେକ ତ୍ୟାଗପୂତ ବୀର ସନ୍ତାନଙ୍କର ଅଦମ୍ୟ ଉଦ୍ୟମ ଓ ଆଜୀବନ ସଂଗ୍ରାମ ଫଳରେ । ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ମି: ଦାସ (ଦେଶପ୍ରାଣ ମଧୁସୂଦନ ଦାସ) ଓ ପଣ୍ଡିତ ଗୋପବନ୍ଧୁ ।

 

ସ୍ୱତନ୍ତ୍ର ଉତ୍କଳ ଗଠନରେ ଗୋପବନ୍ଧୁଙ୍କ ଭୂମିକା

ଶ୍ରୀ ସର୍ବେଶ୍ୱର ଦାଶ

 

ଶୈଶବରୁ ଉତ୍କଳର ଜାତୀୟ ଧର୍ମ ଓ ସଂସ୍କୃତିର ପ୍ରେରଣାର ପବିତ୍ର ଉତ୍ସ ଜଗନ୍ନାଥ ଦାସଙ୍କର ଭାଗବତ ଦ୍ୱାରା ଗୋପବନ୍ଧୁ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ପୁରୀ ଆସି ଉଚ୍ଚ ବିଦ୍ୟାଳୟରେ ପଢ଼ିଲା ବେଳେ ସେ ଯେ କେବଳ ଓଡ଼ିଆ ସାହିତ୍ୟର ଗୌରବମୟ ଐତିହ୍ୟ ସହିତ ସୁପରିଚିତ ହୋଇ ସାରିଥିଲେ ତା’ ନୁହେଁ, ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଉତ୍କର୍ଷ ପ୍ରତିପାଦନ କରିବାକୁ ଯାଇ ତତ୍‌କାଳୀନ ସ୍କୁଲ ଇନ୍‌ସପେକ୍ଟର କବିବର ରାଧାନାଥ ରାୟଙ୍କୁ ସମାଲୋଚନା କରିବାକୁ କୁଣ୍ଠିତ ହୋଇ ନଥିଲେ ।

 

ସେହି ସମୟରେ ସେ ମୁକ୍ତିଆର ଶ୍ରୀରାମଚନ୍ଦ୍ର ଦାସଙ୍କ ସଂସ୍ପର୍ଶରେ ଆସିଲେ । ଗୋପବନ୍ଧୁଙ୍କ ତରୁଣ ହୃଦୟରେ ଦେଶାତ୍ମବୋଧର, ଉତ୍କଳୀୟ ଜାତୀୟତା ବୋଧର ବୀଜବପନ କରିଥିଲେ ଏହି ରାମଚନ୍ଦ୍ର ଦାସ ଓ ତାଙ୍କୁ ଭବିଷ୍ୟତ୍ ନେତୃତ୍ୱ ପାଇଁ ଉପଯୁକ୍ତ କରିବାକୁ ପ୍ରଗାଢ଼ ଯତ୍ନ କରିଥିଲେ । ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହେଲା । ମହାଭାରତୀୟ ଜାତୀୟତାବାଦର ଭିତ୍ତି ସ୍ଥାପିତ ହେଲା । ଅନତିକାଳପରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠିତ ହେଲା ମି: ଦାସଙ୍କ (ଉତ୍କଳଗୌରବ ମଧୁସୂଦନ ଦାସ) ନେତୃତ୍ୱରେ । ଓଡ଼ିଆ ଜାତୀୟତାବାଦ ସଂଘବଦ୍ଧ ରୂପ ନେଲା । ଏହି ସମ୍ମିଳନୀର ପ୍ରତିଷ୍ଠାତାଙ୍କ ମଧ୍ୟରେ ଥିଲେ ମୁକ୍ତିଆର ଶ୍ରୀ ରାମଚନ୍ଦ୍ର ଦାସ । ୧୯୦୨ ରେ ସେ ବ୍ରହ୍ମପୁରରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ସମ୍ମିଳନୀରେ ଯୋଗ ଦେଇ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସବୁ ଲୋକଙ୍କୁ ନେଇ ମଧୁବାବୁଙ୍କ ନେତୃତ୍ୱରେ ଏକ ସମ୍ମିଳନୀ ଗଠନର ପ୍ରସ୍ତାବ ଦେଲେ । ସମ୍ମିଳନୀର ଦ୍ୱିତୀୟଦିନ ମଧୁବାବୁ ଆସି ଯୋଗ ଦେଇଥିଲେ । ରାମଚନ୍ଦ୍ର ଦାସଙ୍କ ପ୍ରସ୍ତାବ କ୍ରମେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିବାର ସ୍ଥିର ହେଲା । ସେହି ବର୍ଷ ରମ୍ଭାଠାରେ ରାଜନବରରେ ଅନୁଷ୍ଠିତ ରମ୍ଭା ସମ୍ମିଳନୀରେ ରାମଚନ୍ଦ୍ର ଦାସଙ୍କ ସହିତ ଗୋପବନ୍ଧୁ ମଧ୍ୟ ଯୋଗ ଦେଇଥିଲେ । ମୟୁରଭଞ୍ଜର ଦେଶପ୍ରେମୀ ପରମ ଉତ୍ସାହୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ସେହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ।

 

ସ୍ମରଣ ରଖିବାକୁ ହେବ ଯେ ସେତେବେଳେ ଗଞ୍ଜାମ ଜିଲ୍ଲା ମାଡ଼୍ରାସ୍ ପ୍ରଦେଶର ଅନ୍ତର୍ଭୁକ୍ତ ଥିଲା । ଏହି ସମ୍ମିଳନୀ ଓ ବ୍ରହ୍ମପୁରର ସମ୍ମିଳନୀ ସେହି ଅଞ୍ଚଳର ଜାଗ୍ରତ ଓଡ଼ିଆ ଚେତନାର ପରିପ୍ରକାଶ ପାଇଁ ସୁଯୋଗ ଦେଇଥିଲା । ୧୯୦୩ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ତତ୍‌କାଳୀନ ମାଡ଼୍ରାସ ପ୍ରଦେଶ ଅନ୍ତର୍ଗତ ପାରଳା ଖେମୁଣ୍ଡିରେ ଅନୁଷ୍ଠିତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ରେଭେନ୍‌ସା କଲେଜର ଛାତ୍ର ଥିଲେ । ସେ କେତେକ ବନ୍ଧୁଙ୍କ ସହିତ ଉତ୍କଳ ସମ୍ମିଳନୀର ସେହି ଅଧିବେଶନରେ ସ୍ୱେଚ୍ଛାସେବକ ରୂପେ ଯୋଗ ଦେଇଥିଲେ । ପ୍ରଥମ ଗୁରୁ ମୁକ୍ତିଆର୍ ରାମଚନ୍ଦ୍ର ଗୋପବନ୍ଧୁଙ୍କ ହୃଦୟରେ ଯେଉଁ ଉତ୍କଳ ଜାତୀୟତାବାଦ ଜାଗରିତ କରିଥିଲେ, ତାହା ଏହି ସମ୍ମିଳନୀରେ ମି: ଦାସଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ଆସିବା ଫଳରେ ପରିପୁଷ୍ଟ ହେଲା । ବାସ୍ତବିକ୍ ଏହି ସମ୍ମିଳନୀଠାରୁ ଆରମ୍ଭ ହେଲା ଗୋପବନ୍ଧୁଙ୍କର ମଧୁବାବୁଙ୍କ ସହିତ ଘନିଷ୍ଠ ସମ୍ପର୍କ ଓ ସହଯୋଗର ଅଧ୍ୟାୟ । କେତେବେଳେ ମତୈକ୍ୟ କେତେବେଳେ ବା ମତବିରୋଧ ସତ୍ତ୍ୱେ ପ୍ରବୀଣ ମି: ଦାସ ଓ ତରୁଣ ଗୋପବନ୍ଧୁଙ୍କ ଏକ ଉଦ୍ଦେଶ୍ୟ ଥିଲା । ତାହା ହେଉଛି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, ଓଡ଼ିଆ ଜାତିର ସଂହତି ଓ ସମୃଦ୍ଧି, ଉତ୍କଳର ସମୂହ ଉନ୍ନତି ଏବଂ ଏହି ଉଦ୍ଦେଶ୍ୟ ଦୁହିଁଙ୍କୁ ସର୍ବଦା ପରସ୍ପରର ନିକଟରେ ରଖିଥିଲା ।

 

ଉତ୍କଳୀୟ ଜାତୀୟତାବାଦକୁ ବ୍ୟାପକ ଓ ଦୃଢ଼ୀଭୂତ କରିବାରେ ଉଭୟ ଉତ୍କଳ ସମ୍ମିଳନୀ ପୀଠରେ ଉଦ୍ୟମ କରିଥିଲେ । ମଧୁସୂଦନ ୧୯୦୩ରେ ଭାରତୀୟ ଜାତୀୟ କଂଗ୍ରେସର ମାଡ୍ରାସ୍‌ ଅଧିବେଶନରେ ଯୋଗ ଦେଇ ବଙ୍ଗଳା, (ସେତେବେଳେ ବିହାର, ବଙ୍ଗ, ଓଡ଼ିଶା ଗୋଟିଏ ପ୍ରଦେଶ ଥିଲା), ମଧ୍ୟପ୍ରଦେଶ, ମାଡ଼୍ରାସ୍ ପ୍ରଦେଶରେ ଥିବା ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରିବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ମାଡ୍ରାସ୍‌ର ପ୍ରତିନିଧିମାନଙ୍କର ପ୍ରବଳ ପ୍ରତିରୋଧ ହେତୁ ତାଙ୍କର ପ୍ରସ୍ତାବ ଗୃହୀତ ହୋଇ ପାରିଲା ନାହିଁ । ମଧୁସୂଦନ ନିରାଶ ହୋଇ ଫେରିଆସି ସେହି ବର୍ଷ ଉତ୍କଳ ସମ୍ମିଳନୀର ପାରଳା ଅଧିବେଶନରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକ ଶାସନାଧୀନ ହେବା ପାଇଁ ଦୃଢ଼ ଦାବୀ ଉପସ୍ଥାପିତ କରିଥିଲେ । ଆକୁଳ ହୃଦୟରେ ଉତ୍କଳବାସୀଙ୍କୁ ଉଦ୍‌ବୋଧନ ଦେଇ ଗାଇଥିଲେ :

 

‘‘ଏହି ସମ୍ମିଳନୀ

 

ଜାତି ପ୍ରାଣସିନ୍ଧୁ

କୋଟି ପ୍ରାଣବିନ୍ଦୁ ଧରେ

ତୋର ପ୍ରାଣ ବିନ୍ଦୁ

 

ମିଶାଇ ଦେ ଭାଇ

ଡେଇଁ ପଡ଼ି ସିନ୍ଧୁନୀରେ ।

 

ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ମୟୁରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ‘ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ, ପାରଳାଖେମୁଣ୍ଡି ମହାରାଜା, ବାମଣ୍ଡା ରାଜା, ସିଂହଭୂମିସ୍ଥ କେରାର ଜମିଦାର ପ୍ରଭୃତି ଏହି ସମ୍ମିଳନୀର ଆୟୋଜନ କରିଥିଲେ । ସମ୍ବଲପୁରର ବିଶିଷ୍ଟ ଜନନେତା ଶ୍ରୀ ଚନ୍ଦ୍ରଶେଖର ବେହେରା ଓ ସିଂହଭୂମିର ଓଡ଼ିଆ ଆନ୍ଦୋଳନର ମୁଖ୍ୟ ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଥିଲେ । ୧୮୦୩ରେ ଓଡ଼ିଶା ସ୍ୱାଧୀନତା ହରାଇ ବ୍ରିଟିଶ ସରକାରଙ୍କ ଅଧୀନକୁ ଯାଇଥିଲା । ଶହେବର୍ଷ ପରେ ୧୯୦୩ରେ ଓଡ଼ିଆ ଜାତୀୟତାବାଦ ପୁଣି ଦୃଢ଼ଭାବରେ ଆତ୍ମପ୍ରକାଶ କଲା ଏହି ଉତ୍କଳ ସମ୍ମିଳନୀରେ । ଗୋପବନ୍ଧୁ ବିଭିନ୍ନ ଅଞ୍ଚଳର ବିଭିନ୍ନ ଶ୍ରେଣୀର ଏହି ନେତୃବର୍ଗଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଲେ । ୧୯୦୪ରେ କଟକରେ ଉତ୍କଳ ସମ୍ମିଳନୀର ଅଧିବେଶନରେ ଗୋପବନ୍ଧୁ ତାଙ୍କର କେତେକ ବଙ୍ଗୀୟ ବନ୍ଧୁଙ୍କ ସହିତ ଯୋଗ ଦେଇଥିଲେ । ମଧୁବାବୁ ପ୍ରଥମେ ବଙ୍ଗୀୟ ଯୁବକମାନଙ୍କୁ ଉତ୍କଳ ସମ୍ମିଳନୀରେ ଯୋଗ ଦେବାକୁ କୁଣ୍ଠିତ ହୋଇଥିଲେ; କିନ୍ତୁ ଗୋପବନ୍ଧୁ ବୁଝାଇ ଦେଇଥିଲେ ଯେ ଉତ୍କଳବାସୀଙ୍କର ଦାବୀପ୍ରତି ଭାରତର ବିଭିନ୍ନ ଅଞ୍ଚଳର ଅଧିବାସୀ ମଧ୍ୟ ସହାନୁଭୂତିଶୀଳ ହେବା ଆବଶ୍ୟକ । ମଧୁବାବୁ ଗୋପବନ୍ଧୁଙ୍କ ଯୁକ୍ତିର ଯଥାର୍ଥତା ବୁଝି ତାଙ୍କର ବନ୍ଧୁମାନଙ୍କୁ ସମ୍ମିଳନୀରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ ।

 

ତରୁଣ ହେଲେ ମଧ୍ୟ ଗୋପବନ୍ଧୁଙ୍କର ଚିନ୍ତାଧାରାରେ ସ୍ୱାତନ୍ତ୍ର୍ୟ ଥିଲା ଓ ନିଜର ସ୍ୱାଧୀନ ମତ ବ୍ୟକ୍ତ କରିବାର ସାହସ ଥିଲା । ମିଃ ଦାସ, ବାଗ୍ମୀ ବିଶ୍ୱନାଥ କର ପ୍ରଭୃତି କେତେକ ବିଶିଷ୍ଟ ନେତା ଓଡ଼ିଆ ଅଞ୍ଚଳ ଏକ-ଶାସନାଧୀନ ହେବାପାଇଁ ଦାବୀ କରିବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳ ବଙ୍ଗପ୍ରଦେଶର ଅଂଶ ହୋଇ ରହିବା ବାଞ୍ଛନୀୟ ମନେ କରୁଥିଲେ । କିନ୍ତୁ ଗୋପବନ୍ଧୁ ସମ୍ବଲପୁର ନେତା ଚନ୍ଦ୍ରଶେଖର ବେହେରାଙ୍କ ମତକୁ ସମର୍ଥନ କରି ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକ-ଶାସନାଧୀନ ହୋଇ ମଧ୍ୟପ୍ରଦେଶର ଅଙ୍ଗୀଭୂତ ହେବା ଅଧିକ ବାଞ୍ଛନୀୟ ହେବ ବୋଲି ଦୃଢ଼ ବିଚାର ପ୍ରକାଶ କରିଥିଲେ । ଅବଶ୍ୟ ସେତେବେଳେ ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ ହେବାର କୌଣସି ଆଶା ନଥିବାରୁ କେବଳ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ-ଶାସନାଧୀନ କରିବା ଉପରେ ବିଶେଷ ଜୋର୍ ଦିଆହୋଇଥିଲା । ପରବର୍ତ୍ତୀ କାଳରେ ସମ୍ମିଳନୀ ପୀଠରେ ଓ କଂଗ୍ରେସ ଅଧିବେଶନରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରିବାର ଦାବୀ ହୋଇଥିଲା ।

 

କଲେଜ ଛାତ୍ର ଥିବାବେଳେ ହିଁ ଗୋପବନ୍ଧୁଙ୍କ ପ୍ରଥମ କବିତାସଂଗ୍ରହ ଅବକାଶ ଚିନ୍ତା ପ୍ରକାଶ ପାଇଥିଲା । ୧୯୧୨ ଓ ୧୯୪୨ରେ ତହିଁର ଦ୍ୱିତୀୟ ଓ ତୃତୀୟ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା । ଏଥିରେ ସଙ୍କଳିତ କବିତାଗୁଡ଼ିକ ପାଠକଲେ ତରୁଣ ଗୋପବନ୍ଧୁଙ୍କର ପ୍ରଖର ଉତ୍କଳୀୟ ଜାତୀୟତାବାଦ ସୁସ୍ପଷ୍ଟ ହୁଏ । ଖଣ୍ଡବିଖଣ୍ଡିତ ଓଡ଼ିଶାର କରୁଣ ଚିତ୍ର, ବନ୍ୟା ଦୁର୍ଭିକ୍ଷ ପ୍ରପୀଡ଼ିତ ଉତ୍କଳୀୟଙ୍କ ଦାରିଦ୍ର୍ୟ ଓ ନିରକ୍ଷରତା, ରାଜନୈତିକ ଦୁଃସ୍ଥିତି ତାଙ୍କ ତରୁଣ ମନରେ ଗଭୀର ରେଖାପାତ କରିଥିଲା । ଦୁଃଖରେ ସେ ଗାଇଥିଲେ-

 

ଉତ୍କଳମାତାର ଅତୀତ ଯଶ

ବିପୁଳ ବିଭବ ବଳ ସାହସ

ସୁମରିଣ ଫାଟିଯାଏ ହୃଦୟ

ଦେଖି ଅବସ୍ଥାର ଏ ବିପର୍ଯ୍ୟୟ

ରକ୍ତମାଂସ ଦେହ ଧରି ଯେ

ଅଧୀର ଆତୁର

 

କିଏସେ ନ ହେବ

ଦେଖି ମାତା ଏତେସରି ଯେ !

 

ଓଡ଼ିଶାର ଅତୀତ ଗୌରବ ବିଷୟରେ, କୃତୀ ସନ୍ତାନଙ୍କ ବିଷୟରେ ସେ କବିତା ଲେଖିଥିଲେ । ଓଡ଼ିଆ ଜାତିର ‘ବୀରତ୍ୱ’, ‘ପୂର୍ବ ଜାତୀୟତା’ ଆଉ ନାହିଁ ଲକ୍ଷ୍ୟକରି ଶୋକବିହ୍ୱଳ ହୋଇ ପ୍ରାର୍ଥନା କରିଥିଲେ-

 

ଉତ୍କଳ ତନୟେ ଦିଅ ନବ ବଳ

ଉତ୍କଳ ପାଦପେ ରସମୟ ଫଳ

ଉତ୍କଳ ସରିତେ ପବିତ୍ର ଜୀବନ

ଉତ୍କଳ କାନନେ ସ୍ୱର୍ଗୀୟ ସୁମନ

ଉତ୍କଳ ଆକାଶେ ନବ ଯଶଃ ରବି

ଉତ୍କଳ ପ୍ରକୃତି ଧରୁ ନବ ଛବି ।

 

ମଧୁବାବୁଙ୍କ ପରି ସେ ସ୍ୱକୀୟ ଆବେଗମୟ କବିତାରେ ଉତ୍କଳବାସୀମାନଙ୍କୁ ନୂତନ ଜାତୀୟତାବାଦରେ ଉଦ୍‌ବୁଦ୍ଧ କରିବାକୁ ଚେଷ୍ଟା କରିଥିଲେ । ତାଙ୍କର ସମସ୍ତ କାବ୍ୟ କବିତାରେ ଏହି ପ୍ରବଳ ଉତ୍କଳ ପ୍ରୀତି ପରିସ୍ଫୁଟ ହୋଇଅଛି । ବ୍ୟାପକ ମହାଭାରତୀୟ ଜାତୀୟତାବାଦ ଭିତରେ ତାଙ୍କର ଉତ୍କଳୀୟ ଜାତୀୟତାବାଦ ହଜିଯାଇ ନାହିଁ । ତାଙ୍କର ଚେତନାରେ, କାବ୍ୟକବିତାରେ, ବକ୍ତୃତାରେ ସର୍ବଦା ଏହି ଦୁଇ ଜାତୀୟତାବାଦ ପରସ୍ପରର ପରିପୂରକ ରୂପେ ପ୍ରକାଶିତ ହୋଇଅଛନ୍ତି ।

 

ଶିକ୍ଷାର ବିକାଶ ପାଇଁ ଗୋପବନ୍ଧୁ ଗଢ଼ିଲେ ସତ୍ୟବାଦୀ ବନ ବିଦ୍ୟାଳୟ । ସେହି ଆଦର୍ଶ ଅନୁଷ୍ଠାନରେ ଛାତ୍ରରୂପେ ଯୋଗଦେଲେ କେବଳ ସ୍ଥାନୀୟ ବା ତତ୍‌କାଳୀନ ଓଡ଼ିଶା ଡିଭିଜନ୍‌ର ବାଳକ ନୁହଁନ୍ତି, ଦୂରଦୂରାନ୍ତର ଉପାନ୍ତ ଓଡ଼ିଆ ଅଞ୍ଚଳର ବହୁ ବାଳକ । ସେମାନେ ଆଉ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ଲଜ୍ଜିତ ହେଲେ ନାହିଁ, ବରଂ ନିଜକୁ ବଙ୍ଗାଳୀ ବା ହିନ୍ଦୀ ଭାଷାଭାଷୀ ବୋଲି ମିଥ୍ୟା ପରିଚୟ ଦେବାକୁ କୁଣ୍ଠିତ ହେଲେ । ମୁକ୍ତ କଣ୍ଠରେ ନିଜକୁ ଓଡ଼ିଶାର ଗୌରବାବହ ଅତୀତର ଦାୟାଦ ବୋଲି ସ୍ୱୀକାର କଲେ । ଶ୍ରୀ ଲକ୍ଷ୍ମୀଧର ନାୟକ ‘‘ସିଂହଭୂମିର ଗୋପବନ୍ଧୁ’’ରେ ଶ୍ରୀ ତାରାପଦ ଷଡ଼ଙ୍ଗୀଙ୍କ ଭାଷଣ ଉଦ୍ଧାର କରିଛନ୍ତି- ‘‘ମୋର ବର୍ଷେ ସତ୍ୟବାଦୀ ରହଣି ଭିତରେ ସତ୍ୟବାଦୀର ଦେବପ୍ରତିମ ଶିକ୍ଷକ ଗୋଷ୍ଠୀ, ସର୍ବୋପରି ଦାଶେ ଆପଣଙ୍କ ସଂସ୍ପର୍ଶରେ ଆସିବାର ସୌଭାଗ୍ୟ ଲାଭକରି ମୁଁ ନିଜକୁ ଚିହ୍ନିଲି । ମୁଁ ବୁଝିପାରିଲି-ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ରାଜ୍ୟରେ ଶାସନ କରୁଥିବା ଜାତିର ଦାୟାଦ ମୁଁ । ମୁଁ ବୁଝିପାରିଲି କୋଣାର୍କ ଭୁବନେଶ୍ୱରରେ ପଥରରେ ସ୍ୱପ୍ନ ସୃଷ୍ଟି କରିଥିବା ଜାତିର ଉତ୍ତରାଧିକାରୀ ମୁଁ ।’’

 

ବାସ୍ତବିକ ସତ୍ୟବାଦୀ ବନ ବିଦ୍ୟାଳୟ କେବଳ ଏକ ଆଦର୍ଶ ଶିକ୍ଷାଳୟ ନଥିଲା । ଏହା ଥିଲା ଉତ୍କଳୀୟ ଜାତୀୟତାବାଦର ପ୍ରାଣକେନ୍ଦ୍ର । ଭାର୍ଗବୀ ନଦୀ କୂଳରେ ଗୋପବନ୍ଧୁ ସ୍ୱୀୟ ତିନିଜଣ ସାଥୀଙ୍କୁ ନେଇ ଚାକିରୀ ନକରି ଦେଶକୁ ଆଗେଇ ନେଇଯିବାର ଯେଉଁ ପବିତ୍ର ଶପଥ ନେଇଥିଲେ, ତା’ରି ପ୍ରତୀକ ଥିଲା ଏହି ବନ ବିଦ୍ୟାଳୟ । ପରବର୍ତ୍ତୀ କାଳରେ ଏହି ବନ ବିଦ୍ୟାଳୟହିଁ ହେଲା ମହାଭାରତୀୟ ଜାତୀୟତାବାଦର ପବିତ୍ର ପୀଠ । ମନେହୁଏ, ଅବଶେଷରେ ଉତ୍କଳୀୟ ଜାତୀୟତାବାଦ ଓ ପରେ ମହାଭାରତୀୟ ଜାତୀୟତାବାଦ ପାଇଁ ସତ୍ୟବାଦୀ ବନ ବିଦ୍ୟାଳୟ ବଳିପଡ଼ିଲା । ପରବର୍ତ୍ତୀ କାଳରେ ଗୋଦାବରୀଶ, କୃପାସିନ୍ଧୁ ସିଂହଭୂମିର ଦୁଇଟି ଓଡ଼ିଆ ବିଦ୍ୟାଳୟର ଭାର ନେବାକୁ ଚାଲିଗଲେ । ନୀଳକଣ୍ଠ ଗଲେ ସମ୍ବଲପୁର ଅଞ୍ଚଳରେ ଶିକ୍ଷା ପ୍ରସାରର ଦାୟିତ୍ୱ ନେଇ । ୧୯୨୧ ରେ ମହାଭାରତୀୟ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ଗୋପବନ୍ଧୁ ଯେତେବେଳେ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟ ବୋଲି ଘୋଷଣା କଲେ ଓ ତଦ୍‌କାଳୀନ ସରକାରର ଅର୍ଥଦାନର ପ୍ରସ୍ତାବକୁ ଉପେକ୍ଷା କଲେ, ସେତେବେଳେ ବହୁ ଛାତ୍ର ଓ ଶିକ୍ଷକ ବିଦ୍ୟାଳୟ ଛାଡ଼ି ଚାଲିଗଲେ । ଜାତୀୟତା ସଂଗ୍ରାମର ମହାପ୍ରବାହରେ ଝାସ ଦେଇ ଗୋପବନ୍ଧୁ ଆଉ ତାଙ୍କର ପ୍ରିୟ ଅନୁଷ୍ଠାନକୁ ଦୃଷ୍ଟି ଦେଇପାରିଲେ ନାହିଁ - ଅନୁଷ୍ଠାନଟି ମଉଳିଗଲା । କିନ୍ତୁ ମଉଳିଲା ନାହିଁ ଯେଉଁ ସେବା ଆଦର୍ଶର ଐତିହ୍ୟ, ଉତ୍କଳୀୟ ଜାତୀୟତାବାଦର, ଦେଶପ୍ରେମର ଐତିହ୍ୟ ତାହା ଶତ ଶତ ତରୁଣଙ୍କ ହୃଦୟରେ ସୃଷ୍ଟି କରିଥିଲା । ତାଙ୍କରି ମାଧ୍ୟମରେ ଏହି ଜାଗ୍ରତ ଜାତୀୟତାବାଦ ବିଚ୍ଛୁରିତ ହେଲା ସାରା ପ୍ରାକୃତିକ ଉତ୍କଳରେ - ଉପାନ୍ତ ବିଚ୍ଛିନ୍ନ ଅଞ୍ଚଳରେ । ଉତ୍କଳୀୟ ଶାସନଗତ ସଂହତି ପାଇଁ ସଂଗ୍ରାମ କରିବା ପାଇଁ ପ୍ରେରଣା ଦେଲା, ଓଡ଼ିଆଭାଷୀଙ୍କ ହୃଦୟରେ ଉନ୍ମାଦନା ସୃଷ୍ଟିକଲା । ଦେଶମିଶ୍ରଣ ଆନ୍ଦୋଳନକୁ ପ୍ରଖର କଲା ।

 

୧୯୨୦ ପର୍ଯ୍ୟନ୍ତ ଗୋପବନ୍ଧୁ ଘନିଷ୍ଠ ଭାବରେ ଉତ୍କଳ ସମ୍ମିଳନୀ ସହିତ ସଂପୃକ୍ତ ଥିଲେ ଓ ତାଙ୍କର ସହଯୋଗୀ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ପ୍ରଭୃତିଙ୍କୁ ଏଥି ସହିତ ସଂପୃକ୍ତ କରିଥିଲେ । ବନବିଦ୍ୟାଳୟ ଛାତ୍ରମାନଙ୍କୁ ଉତ୍କଳ ସମ୍ମିଳନୀର ଅଧିବେଶନରେ ସ୍ୱେଚ୍ଛାସେବକ ରୂପେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ । ୧୯୧୩ ମସିହାରେ ପୁରୀଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ନବମ ଅଧିବେଶନରେ ତାଙ୍କରି ନିର୍ଦ୍ଦେଶରେ ଶ୍ରୀ ଅନନ୍ତ ମିଶ୍ରଙ୍କୁ ସିଂହଭୂମିରେ ଓଡ଼ିଆ ପ୍ରଚାର ଓ ଓଡ଼ିଆ ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରିବାକୁ ପଠାଇବାର ନିଷ୍ପତ୍ତି ନିଆହେଲା । ସିଂହଭୂମିରେ ଓଡ଼ିଆ ଭାଷାର ଶିକ୍ଷା କ୍ଷେତ୍ରରେ ଓ କୋର୍ଟ କଚେରୀରେ ପ୍ରଚଳନ ପାଇଁ ଦାବୀକରି ଗୋପବନ୍ଧୁ ପ୍ରସ୍ତାବ ଦେଇଥିଲେ । ୧୯୧୫ ମସିହାରେ ଗୋପବନ୍ଧୁଙ୍କ ପରାମର୍ଶକ୍ରମେ ସିଂହଭୂମିସ୍ଥ କେରାର ଜମିଦାର ଠାକୁର ଲକ୍ଷ୍ମୀନାରାୟଣ ସିଂହଙ୍କ ସଭାପତିତ୍ୱରେ ସମ୍ବଲପୁରଠାରେ ଉତ୍କଳ ସମ୍ମିଳନୀର ଅଧିବେଶନ ହୋଇଥିଲା । ଏହି ଅଧିବେଶନରେ ପୁନର୍ବାର ସିଂହଭୂମିରେ ସବୁ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଦାବୀ ହୋଇଥିଲା । ମଧ୍ୟପ୍ରଦେଶ ଅନ୍ତର୍ଗତ ଓଡ଼ିଆ ଅଞ୍ଚଳ ଫୁଲଝରରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଓ କୋର୍ଟ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଦାବୀ କରି ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ୧୯୧୮ରେ ଉତ୍କଳ ସମ୍ମିଳନୀର କଟକ ଅଧିବେଶନରେ ଯୋଗଦେଇ ସମ୍ମିଳନୀର ଶିଥିଳତା ହେତୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବୀକୁ ବ୍ରିଟିଶ୍ ସରକାର ଉପେକ୍ଷା କରୁଛି ବୋଲି ଦୁଃଖ ପ୍ରକାଶ କରି ସମ୍ମିଳନୀକୁ କେବଳ ଶିକ୍ଷିତ ଶ୍ରେଣୀରେ ଆବଦ୍ଧ ନ କରି ଏକ ବ୍ୟାପକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଗୋପବନ୍ଧୁ ମତ ଦେଇଥିଲେ ଓ ଦୃଢ଼ ଭାବରେ ଘୋଷଣା କରିଥିଲେ, ‘‘ଏ ସରକାର ଏହି ଦାବୀକୁ (ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଉ, ଏହି ଦାବୀକୁ) ଗ୍ରହଣ କରୁ ବା ନିଜେ ଭାଙ୍ଗିଯାଉ । ଯଦି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ନହୁଏ, ତେବେ ଏ ସରକାର ସହିତ ମୋର ଆଜୀବନ ଆଉ କୌଣସି ସମ୍ପର୍କ ରହିବ ନାହିଁ ।” ଅବଶେଷରେ ମର୍ମସ୍ପର୍ଶୀ ଭାଷାରେ ଅଶ୍ରୁବିଗଳିତ ନୟନରେ କାତର କଣ୍ଠରେ କହିଥିଲେ, ‘‘ମୁଁ ଆଉ ଅଧିକ କଣ କରିପାରିବି-! ମୋ ଛିନ୍ନମସ୍ତା ଉତ୍କଳଜନନୀ ପାଖରେ ନିଜକୁ ମୁଁ ଆଜି ଏଥିପାଇଁ ଉତ୍ସର୍ଗ କରୁଛି । ମା, ଯଦି ଏ ଜୀବନରେ ତୋର ସୁନ୍ଦର ଶ୍ରୀବଦନ ଦେଖିପାରିବି ନାହିଁ, ତା’ ହେଲେ ତୋର ଛିନ୍ନମସ୍ତା କଦାକାର ରୂପହିଁ ପୂଜା କରିବି ।’’ ପର ବର୍ଷ ୧୯୧୯ ମସିହା ଏପ୍ରିଲ ମାସରେ ଉତ୍କଳ ସମ୍ମିଳନୀର ଯେଉଁ ଅଧିବେଶନ କଟକରେ ହୋଇଥିଲା, ତହିଁରେ ସଭାପତିରୂପେ ଗୋପବନ୍ଧୁ ଏକ ପ୍ରାଣସ୍ପର୍ଶୀ ବକ୍ତୃତା ଦେଇଥିଲେ । ସେଥିରେ ସେ ଉତ୍କଳ ସମ୍ମିଳନୀର ଏକ ଅପୂର୍ବ ବର୍ଣ୍ଣନା ଦେଇଥିଲେ- ‘‘ଏମନ୍ତ କି ବର୍ତ୍ତମାନ ଓଡ଼ିଆ ଜାତିର ଆବାଳବୃଦ୍ଧବନିତା ସମସ୍ତ ଜୀବିତ ବ୍ୟକ୍ତିଙ୍କର କେବଳ ଏ ସମ୍ମିଳନୀ ନୁହେଁ; ଅଦ୍ୟାପି ଯେଉଁମାନେ ଜନ୍ମ ହୋଇନାହାନ୍ତି, ଶତ ଶତ ବର୍ଷପରେ ଯେଉଁମାନେ ଉତ୍ତରାଧିକାରୀ ହେବେ, ସେମାନଙ୍କର ମଧ୍ୟ ଏହି ସମ୍ମିଳନୀ । ଓଡ଼ିଆ ଜାତିର ଏହା ନିରବଚ୍ଛିନ୍ନ ପ୍ରାଣପ୍ରବାହ ।’’ ଓଡ଼ିଆ ଜାତିର ଅକ୍ଷୁଣ୍ଣତା ଉପରେ ଆସ୍ଥାପ୍ରକାଶ କରି କହିଥିଲେ, ‘‘ଖଣ୍ଡବିଖଣ୍ଡିତ ହେଲେ ସୁଦ୍ଧା ଓଡ଼ିଆ ଜାତି ବର୍ତ୍ତମାନ ବିଦ୍ୟମାନ ରହିଅଛି । ରାଜନୈତିକ ବିଚ୍ଛେଦ ତାହାର ବାହ୍ୟ କଳେବରର ବିଭଙ୍ଗ ଘଟାଇଅଛି ମାତ୍ର, କିନ୍ତୁ ଜାତୀୟ ଆତ୍ମା ଅଦ୍ୟାପି ଅକ୍ଷୁଣ୍ଣ...ଉତ୍କଳ ସମ୍ମିଳନୀ ଓଡ଼ିଆ ଜାତିର ଏହି ଅବିନଶ୍ୱର ଆତ୍ମାର ଇନ୍ଦ୍ରିୟଗ୍ରାହ୍ୟ ମୂର୍ତ୍ତି; ସୁତରାଂ ଆମ୍ଭମାନଙ୍କ ଜାତୀୟ ଆକାଙ୍‌କ୍ଷାର ପ୍ରକାଶକ ।’’ ଉପସ୍ଥିତ ପ୍ରତିନିଧି ଓ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ‘‘ଉତ୍କଳମାତା ପ୍ରତ୍ୟେକ ସନ୍ତାନଠାରୁ ତାଙ୍କ କର୍ତ୍ତବ୍ୟ ଆଶା କରନ୍ତି ।’’ ଜାତି ନନ୍ଦିଘୋଷ ରଥର ଦଉଡ଼ିକୁ ବର୍ଣ୍ଣ ଧର୍ମ ଜାତିଭେଦ ଭୁଲି ଅଭିମାନ ଅହଙ୍କାର ପଛକୁ ପକାଇ ପ୍ରାଣପଣେ ଟାଣିବାକୁ ଆହ୍ୱାନ ଦେଇ ସେ କହିଥିଲେ, ‘‘ସନ୍ନ୍ୟାସୀର ସାଧନା ଓ ତପସ୍ୟା ବିନା ଜଗତରେ କେବେ କୌଣସି ଗୁରୁ କର୍ତ୍ତବ୍ୟ ସାଧିତ ହୋଇନାହିଁ । ସନ୍ନ୍ୟାସୀର ସାଧନାରେ ହିଁ ଆମ୍ଭମାନଙ୍କ ଜାତିର ମୁକ୍ତି ।’’ ଓଡ଼ିଆ ଭାଷାର ଗୁରୁତ୍ୱ ବୁଝାଇ କହିଥିଲେ । ‘‘....ଓଡ଼ିଆ ଭାଷା ଉପରେ ଆମ୍ଭମାନଙ୍କର ଜାତୀୟ ସତ୍ତା ନିର୍ଭର କରେ । ଭାଷା ଲୋପ ପାଇଲେ ଓଡ଼ିଆ ଜାତି ଲୋପ ପାଇବ । ସୁତରାଂ ଭାଷା ଆମମାନଙ୍କ ପକ୍ଷେ ଜୀବନମରଣ ସମସ୍ୟା ।’’ ସମଗ୍ର ଭାରତପାଇଁ ଏକ ସାଧାରଣ ଭାଷା କାମ୍ୟ ହୋଇପାରେ । ‘‘ଭାରତର ସମୂହ କଲ୍ୟାଣରେ ପ୍ରାଦେଶିକ ସ୍ୱାର୍ଥକୁ ବଳିଦେବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ । ମାତ୍ର ଯେତେଦିନ ଯାଏ ଭାରତରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ବିଦ୍ୟମାନ ରହିଛି, ସେତେଦିନ ଯାଏ ଓଡ଼ିଆ ଅକାରଣ ତାହାର ସ୍ୱାତନ୍ତ୍ର୍ୟ ହରାଇବାକୁ ପ୍ରସ୍ତୁତ ନୁହେଁ ।’’

 

ବର୍ତ୍ତମାନ ମୁଁ ଦେଖୁଛି, କେବଳ ସିଂହଭୂମି ଲାଗି ନୁହେଁ, ଓଡ଼ିଶାର ବାହାରେ ଯେ ସମସ୍ତ ଓଡ଼ିଆ ଅଞ୍ଚଳରେ ଓଡ଼ିଆମାନେ ନିଜର ମାତୃଭାଷା ବ୍ୟବହାରରୁ ବଞ୍ଚିତ ହୋଇଛନ୍ତି ସେ ସମସ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଶିକ୍ଷା ଏବଂ ବ୍ୟବହାର ଯେପରି କ୍ରମେ ବଢ଼ିବ, ଓଡ଼ିଆର ନ୍ୟାଯ୍ୟ ଅଧିକାର ଓଡ଼ିଆ ପାଇବ, ତାହାର ବିହିତ ପ୍ରତିକାର କରିବା ଦରକାର ।’’

 

୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ପଣ୍ଡିତ ଗୋପବନ୍ଧୁ ଯୋଗ ଦେଇଥିଲେ । ସେଠାରେ ତାଙ୍କରି ଉଦ୍ୟମ କ୍ରମେ ଭାଷାସୂତ୍ରରେ ପ୍ରଦେଶ ଗଠନ ପ୍ରସ୍ତାବ ଗୃହୀତ ହେଲା । ଗୋପବନ୍ଧୁ ଏକାନ୍ତ ଆଶାବାଦୀ ହୋଇ ଫେରିଲେ । ସେହିବର୍ଷ ଡିସେମ୍ବର ମାସରେ ସିଂହଭୂମିର ଚକ୍ରଧରପୁରରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଆହୂତ ହେଲା । ସେଥିରେ ଗୋପବନ୍ଧୁଙ୍କ ପ୍ରରୋଚନାରେ ଦୁଇଟି ଐତିହାସିକ ପ୍ରସ୍ତାବ ଗୃହୀତ ହେଲା । ଗୋଟିଏ ପ୍ରସ୍ତାବରେ ସ୍ଥିରୀକୃତ ହେଲା ଯେ, ଉତ୍କଳ ସମ୍ମିଳନୀର ନୀତି, ଆଦର୍ଶ ଓ ଆଭିମୁଖ୍ୟ ସହିତ ଭାରତୀୟ କଂଗ୍ରେସର ଲକ୍ଷ୍ୟ ଓ ନୀତି ଯୋଗ କରାଯିବ । ଆଉ ଏକ ପ୍ରସ୍ତାବରେ ନାଗପୁର କଂଗ୍ରେସରେ ଭାଷା ସୂତ୍ରରେ ପ୍ରଦେଶ ଗଠନ ପ୍ରସ୍ତାବକୁ ଗ୍ରହଣ କରାଗଲା । ଉତ୍କଳ ସମ୍ମିଳନୀକୁ ଏକ ବୈପ୍ଲବିକ ଆଭିମୁଖ୍ୟ ଦେବା ଓ ଜାତୀୟ ପ୍ରବାହରେ ଉତ୍କଳକୁ ସାମିଲ କରିବା ଗୋପବନ୍ଧୁଙ୍କର ଉଦ୍ଦେଶ୍ୟ ଥିଲା । ଉତ୍କଳୀୟ ଜାତୀୟତାବାଦ ଓ ଭାରତୀୟ ଜାତୀୟତାବାଦ କିପରି ପରସ୍ପର ବିରୋଧୀ ନୁହେଁ ବରଂ ପରସ୍ପର ସାପେକ୍ଷ, ତାହା ପ୍ରତିପାଦନ କରି ଉତ୍କଳର ସମୂହ ଉନ୍ନତି ଦୃଷ୍ଟିରୁ ଜାତୀୟ ରାଜନୈତିକ ପ୍ରବାହରେ ମିଶିଯିବା ଆବଶ୍ୟକ ବୋଲି ସେ ବୁଝାଇଥିଲେ । ଓଡ଼ିଆ ଭାଷାଭାଷୀ ସମସ୍ତ ଅଞ୍ଚଳର ଏକତ୍ରୀକରଣ, ଏକ-ଶାସନାଧୀନକରଣ କଂଗ୍ରେସର ସାହାଯ୍ୟ ଓ ସମର୍ଥନ କ୍ରମେ ଅଧିକ ସହଜ ହେବ ବୋଲି ସେ ମନେକରୁଥିଲେ । ଭାରତୀୟ ମୁକ୍ତି ସଂଗ୍ରାମରେ ଉତ୍କଳ ବିଶିଷ୍ଟ ଅଂଶ ଦେଇ ତା’ର ସ୍ୱାତନ୍ତ୍ର୍ୟ ଓ ଗୌରବ ପ୍ରତିଷ୍ଠା କରୁ, ଏହା ତାଙ୍କର କାମନା ଥିଲା । ସେଥିପାଇଁ ସେ ଉତ୍କଳ ସମ୍ମିଳନୀକୁ ମଧ୍ୟ ୧୯୨୧ରେ ଗାନ୍ଧୀଙ୍କ ଅସହଯୋଗ ଆଦର୍ଶରେ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ । ସେହି ସମୟଠାରୁ ତାଙ୍କର ଗୁରୁ ମଧୁବାବୁଙ୍କ ସହିତ ଗଭୀର ମତବିରୋଧ ଘଟିଥିଲା । କ୍ରମେ କ୍ରମେ ଉତ୍କଳ ସମ୍ମିଳନୀ ମଉଳି ଆସିଲା । ଗୋପବନ୍ଧୁ ଉତ୍କଳ ପ୍ରାଦେଶିକ କଂଗ୍ରେସର ସଭାପତି ହେଲେ । ସେହିକାଳଠାରୁ ଗୋପବନ୍ଧୁ ମୁଖ୍ୟତଃ କଂଗ୍ରେସ ମାଧ୍ୟମରେ ଦେଶ ସେବାରେ ନିଜକୁ ନିୟୋଜିତ କଲେ । ଜାତୀୟ କଂଗ୍ରେସ ମାଧ୍ୟମରେ ସେ ଓଡ଼ିଶାର ଦାବୀକୁ ହାସଲ କରିବାକୁ ଚେଷ୍ଟା କରିଥିଲେ । ସିଂହଭୂମି ଜିଲ୍ଲା କଂଗ୍ରେସ କମିଟି କିଛିକାଳ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଅଧୀନରେ ଥିଲା । କିନ୍ତୁ କାଳେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ହେଲେ ସିଂହଭୂମି, ଷଢ଼େଇକଳା ଖରସୁଆଁ ପ୍ରଭୃତି ଓଡ଼ିଶାରେ ମିଶିଯିବ, ସେଥିପାଇଁ ବିହାରୀ ନେତାମାନେ ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଉଦ୍ୟମ କରି ସିଂହଭୂମି ଜିଲ୍ଲା କଂଗ୍ରେସ କମିଟିକୁ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର କର୍ତ୍ତୃତ୍ୱରୁ ଖସାଇ ନେଇ ବିହାର ପ୍ରଦେଶ କଂଗ୍ରେସ କମିଟିର ଅଧୀନ କରିଦେଲେ ।

 

ମହାତ୍ମା ଗାନ୍ଧୀ ଆସିଲେ ଓଡ଼ିଶାକୁ ୧୯୨୧ ମସିହାରେ । ଗୋପବନ୍ଧୁ ତାଙ୍କ ସଙ୍ଗେ ସଙ୍ଗେ ବିଭିନ୍ନ ଅଞ୍ଚଳକୁ ଓ ବିଶେଷତଃ ସେତେବେଳେ ମାଡ୍ରାସ୍ ପ୍ରଦେଶର ଅନ୍ତର୍ଭୁକ୍ତ ଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିଲେ ଓ ସେହି ଅଞ୍ଚଳର ଓଡ଼ିଆମାନଙ୍କ ବ୍ୟର୍ଥତା ଭାବ ଓ ଓଡ଼ିଶା ସହିତ ମିଳିତ ହେବାପାଇଁ ଆଗ୍ରହର ସୂଚନା ମହାତ୍ମା ଗାନ୍ଧୀଙ୍କୁ ଦେଇଥିଲେ ।

 

ଗୋପବନ୍ଧୁ ସର୍ବଦା ଉପାନ୍ତ ଅଞ୍ଚଳଗୁଡ଼ିକୁ ଓଡ଼ିଶାର ଅଂଶ ବୋଲି ମନେ କରୁଥିଲେ ଓ କଂଗ୍ରେସର ବିଚାର, ଅସହଯୋଗର ମନ୍ତ୍ର ବିଚ୍ଛିନ୍ନାଞ୍ଚଳମାନଙ୍କରେ ପ୍ରଚାର କରୁଥିଲେ । ୧୫।୧୧।୨୪ରେ ସେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସମ୍ମିଳନୀରେ ଅଧ୍ୟକ୍ଷତା କରି, କଂଗ୍ରେସର ବାର୍ତ୍ତା ପ୍ରଚାର କରିଥିଲେ ଏବଂ ଜାତିଗତ ଅହଂକାରର ଓ ସମସ୍ତ ପ୍ରକାର ବର୍ଣ୍ଣବୈଷମ୍ୟର ନିନ୍ଦା କରି ସମସ୍ତେ ନିଜକୁ ଭାରତବାସୀ ବୋଲି ଜ୍ଞାନ କରିବାକୁ କହିଥିଲେ ।

 

ଗୋପବନ୍ଧୁଙ୍କ ଦେଶମିଶ୍ରଣ କାର୍ଯ୍ୟ କେବଳ ଉତ୍କଳ ସମ୍ମିଳନୀରେ ବା କଂଗ୍ରେସ ସଭା ସମ୍ମିଳନୀରେ ଭାବପ୍ରବଣ ମର୍ମସ୍ପର୍ଶୀ ବକ୍ତୃତା ଦେବାରେ ଆବଦ୍ଧ ନଥିଲା । ବନ୍ୟା, ଦୁର୍ଭିକ୍ଷ ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ କାଳରେ ଯେପରି ସେ ନିଜେ ପ୍ରତ୍ୟକ୍ଷ ଭାବରେ ଓ ପରୋକ୍ଷରେ କର୍ମୀମାନଙ୍କ ଦ୍ୱାରା ସେବାକାର୍ଯ୍ୟ କରୁଥିଲେ ସେହିପରି ନିଜେ ପ୍ରତ୍ୟକ୍ଷ ଭାବରେ ଓ ପରୋକ୍ଷରେ ନିଜର ବିଶ୍ୱସ୍ତ ବଳିଷ୍ଠ ନିଷ୍ଠାପର ସହକର୍ମୀମାନଙ୍କ ମାଧ୍ୟମରେ ବିଚ୍ଛିନ୍ନାଞ୍ଚଳମାନଙ୍କରେ ଓଡ଼ିଆ ଭାଷା ଓ ସଂସ୍କୃତି ଜୀବନ୍ତ ରଖିବାକୁ ଓ ଓଡ଼ିଆ ଆନ୍ଦୋଳନକୁ ପ୍ରଖର କରିବାକୁ ଉଦ୍ୟମ କରିଥିଲେ । ବିଚ୍ଛିନ୍ନାଞ୍ଚଳର ଅନ୍ଦିକନ୍ଦି ଗାଁ ଗାଁ ପାଦରେ ବୁଲି ସବୁ ଶ୍ରେଣୀର ଲୋକଙ୍କ ସହିତ ମିଶି ତଥ୍ୟ ସଂଗ୍ରହ କରିଥିଲେ । ଲୋକଙ୍କୁ ଉତ୍ସାହ ଉଦ୍ଦୀପନା ଦେଇଥିଲେ ନିଜ ଭାଷା ନ ଛାଡ଼ିବା ପାଇଁ, ନିଜକୁ ଓଡ଼ିଆ ବୋଲି ସାହସର ସହିତ ପରିଚୟ ଦେବାପାଇଁ ।

 

ଫୁଲଝର ଜମିଦାରୀ ପ୍ରଥମେ ସମ୍ବଲପୁର ଜିଲ୍ଲାର ଅଂଶ ବିଶେଷ ଥିଲା, କିନ୍ତୁ ପରେ ତାହା ମଧ୍ୟ ପ୍ରଦେଶରେ ରାୟପୁର ଜିଲ୍ଲାରେ ଅଂଶ ହୋଇ ରହିଲା ଯଦିଚ ସେଠାର ଅଧିକାଂଶ ଅଧିବାସୀ ହେଉଛନ୍ତି ଓଡ଼ିଆ । ଅଳ୍ପ କେତେକ ଲୋକ ଲରିଆ ଭାଷା ବ୍ୟବହାର କରୁଥିଲେ । ତାହା ଓଡ଼ିଆ ଭାଷା ଓ ହିନ୍ଦୀ ଭାଷାର ସମ୍ମିଶ୍ରଣ କହିଲେ ଚଳେ । ୧୯୨୦ ଏପ୍ରିଲରେ ସମ୍ବଲପୁରର ଜନନେତା ଚନ୍ଦ୍ରଶେଖର ବେହେରାଙ୍କ ତାରପାଇ ଗୋପବନ୍ଧୁ ତାଙ୍କର ବାଲ୍ୟବନ୍ଧୁ ଓ ଦେଶମିଶ୍ରଣ ଆନ୍ଦୋଳନର ଜଣେ ବଳିଷ୍ଠ ନାୟକ ବ୍ରଜସୁନ୍ଦର ଦାସ ଓ ଆଉ କେତେକ ବନ୍ଧୁଙ୍କ ସହିତ ଫୁଲଝର ଯାଇ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସେଠାରେ ଉଜ୍ଜୀବିତ ରଖିବାକୁ ଉଦ୍‌ବୋଧନ ଦେଇଥିଲେ । ତାଙ୍କରି ନିର୍ଦ୍ଦେଶରେ ପ୍ରଚାରକ ଅନନ୍ତ ମିଶ୍ର ମଧ୍ୟ ଫୁଲଝରର ଓଡ଼ିଆବାସୀଙ୍କ ମନରେ ଓଡ଼ିଆ ଜାତୀୟତାର ଉନ୍ମେଷ ପାଇଁ ଓ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରିଥିଲେ ଏବଂ ଓଡ଼ିଆ ସ୍ୱାର୍ଥ ରକ୍ଷାପାଇଁ ସ୍ଥାନୀୟ ଅଧିବାସୀଙ୍କୁ ସାହାଯ୍ୟ କରିଥିଲେ । ସିଂହଭୂମି ପରି ସେଠାରେ ମଧ୍ୟ ଓଡ଼ିଆ ଭାଷାକୁ ଚାପିଦେଇ ହିନ୍ଦୀଭାଷା ପ୍ରବର୍ତ୍ତନ କରାଯାଇଥିଲା ଶିକ୍ଷା କ୍ଷେତ୍ରରେ ଅଦାଲତ କଚେରୀରେ । ୧୯୨୦ ରେ ଜନଗଣନାବେଳେ ଯେତେବେଳେ ଫୁଲଝରବାସୀଙ୍କୁ ବାଧ୍ୟ କରାଗଲା ସେମାନଙ୍କ ମାତୃଭାଷା ହିନ୍ଦୀ ବା ଲରିଆ ଲେଖିବାକୁ, ସେମାନେ ବ୍ୟାକୁଳ ହୋଇ ଗୋପବନ୍ଧୁଙ୍କ ସାହାଯ୍ୟ ଲୋଡ଼ିଲେ । ଗୋପବନ୍ଧୁ ପ୍ରଥମେ ଚକ୍ରଧରପୁର ଓଡ଼ିଆ ହାଇସ୍କୁଲ ଚଳାଉଥିବା ପଣ୍ଡିତ ଗୋଦାବରୀଶଙ୍କୁ ଫୁଲଝର ପଠାଇଲେ ଓ ପରେ ପରେ ନିଜେ ସେଠାକୁ ଯାଇ ଫୁଲଝରର ଓଡ଼ିଆ ଜମିଦାରଙ୍କୁ ଭେଟି ଫୁଲଝର ସମ୍ବଲପୁରରେ ମିଶିବାର ପ୍ରସ୍ତାବକୁ ସମର୍ଥନ କରିବାକୁ ଅନୁରୋଧ କଲେ । ଓଡ଼ିଆ ଓ ଲରିଆ ଦୁଇ ସଂପ୍ରଦାୟ ସମ୍ବଲପୁରରେ ମିଶିବାକୁ ଆଗ୍ରହ ପ୍ରକାଶ କଲେ । ସେଠାରେ ଗୋପବନ୍ଧୁ ‘ଫୁଲଝର ପ୍ରଜାହିତକାରିଣୀ ସଭା’ରେ ଯୋଗ ଦେଇଥିଲେ ଓ ସେହି ସଭା ମଧ୍ୟ ଓଡ଼ିଆ ପ୍ରସାରର ବ୍ୟବସ୍ଥା କରିବାକୁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଥିଲା । ‘ଫୁଲଝର ଶିକ୍ଷା ସମିତି’ ଗଠିତ ହେଲା ଓ ଓଡ଼ିଆ ବିଦ୍ୟାଳୟମାନଙ୍କର ବ୍ୟୟ ନିର୍ବାହ ପାଇଁ ଅର୍ଥ ସଂଗ୍ରହର ବ୍ୟବସ୍ଥା ମଧ୍ୟ କରାଗଲା । କିନ୍ତୁ ଫୁଲଝର ଦେଓ୍ୱାନଙ୍କ ଅଭିସନ୍ଧିମୂଳକ କାର୍ଯ୍ୟ ଓ ଦୌରାତ୍ମ୍ୟ ଫଳରେ ଓ ମଧ୍ୟପ୍ରଦେଶର କେତେକ ବ୍ୟକ୍ତି ଓ ପତ୍ରିକାଙ୍କ ଉଦ୍ୟମରେ କେତେକ ଗୌନ୍ତିଆ ଓ ପ୍ରଜା ବାଧ୍ୟ ହୋଇ ଭିନ୍ନ ମତ ପ୍ରକାଶ କଲେ । ଦେଓ୍ୱାନ ଜନଗଣନା ଦାୟିତ୍ୱରେ ଥାଇ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଭୁଲ ଚିତ୍ର ଦେଲେ । ଗୋପବନ୍ଧୁ କ୍ଷୁବ୍‌ଧ ହୋଇ ବେଲି ସାହେବଙ୍କୁ ନିରପେକ୍ଷ ତଦନ୍ତ ଓ ଜନଗଣନା କାର୍ଯ୍ୟ କରିବାକୁ ଅନୁରୋଧ କଲେ-ଅନ୍ୟଥା ସେ ନିଜେ ବେସରକାରୀ ଭାବରେ ଜନଗଣନା କାର୍ଯ୍ୟ କରାଇବେ ବୋଲି କହିଲେ ।

 

କେବଳ ଫୁଲଝର କାହିଁକି, ଖଡ଼ିଆଳ, ବିନ୍ଦ୍ରା, ବସ୍ତରର ବିଭିନ୍ନ ଅଞ୍ଚଳ ସେ ବହୁ କଷ୍ଟସାଧ୍ୟ କରି ବୁଲିଥିଲେ, ପାହାଡ଼, ଜଙ୍ଗଲଘେରା ଗାଁ, କୁଡ଼ିଆମାନଙ୍କୁ ଯାଇଥିଲେ । ଆଦିବାସୀମାନଙ୍କ ଘରେ ମଧ୍ୟ ଓଡ଼ିଆ ସଂସ୍କୃତିର ପରିଚୟ ପାଇଥିଲେ । ଗ୍ରାମମାନଙ୍କରେ ଓଡ଼ିଆ ପୋଥି, ତାଳପତ୍ରରେ ଲେଖା ଭାଗବତ ପାଇଥିଲେ । ଯେଉଁଆଡ଼େ ଗଲେ, ସେ ସମସ୍ତଙ୍କୁ ଓଡ଼ିଆ ଭାଗବତ ପଢ଼ିବାକୁ, ଓଡ଼ିଆ ସଂକୀର୍ତ୍ତନ କରିବାକୁ ଓଡ଼ିଆ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ ।

 

ସିଂହଭୂମିରେ ଓଡ଼ିଆ ଆନ୍ଦୋଳନକୁ ଗୋପବନ୍ଧୁ ଅଧିକ ପ୍ରଚାର କରିବାକୁ ଓ ଓଡ଼ିଆ ଶିକ୍ଷାର ବ୍ୟାପକ ପ୍ରସାର କରିବାକୁ ଅବିସ୍ମରଣୀୟ ଉଦ୍ୟମ କରିଥିଲେ । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସିଂହଭୂମିରୁ ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ । ତାଙ୍କରି ନେତୃତ୍ୱରେ ଓଡ଼ିଆ ଆନ୍ଦୋଳନ ସିଂହଭୂମିରେ ଲାଗି ରହିଥିଲା । ବିଶେଷତଃ ବିହାର ଓଡ଼ିଶା ପ୍ରଦେଶ ହେବା ପରେ ଯେତେବେଳେ ହିନ୍ଦୀ ଭାଷା ଓଡ଼ିଆ ଭାଷାଭାଷୀଙ୍କ ଉପରେ ଲଦି ଦିଆଗଲା, ସେତେବେଳେ ଓଡ଼ିଆମାନଙ୍କ ହୃଦୟରେ ତୀବ୍ର ବିରୋଧ ଦେଖାଗଲା । ଗୋପବନ୍ଧୁ ସିଂହଭୂମିକୁ ଉତ୍କଳମାତାର ମସ୍ତକ ସ୍ୱରୂପ ମନେ କରୁଥିଲେ । ସେଇଥିପାଇଁ ଖଣ୍ଡିତ ଉତ୍କଳକୁ ସେ ଦୁଃଖରେ ଛିନ୍ନମସ୍ତା ବୋଲି ଅଭିହିତ କରୁଥିଲେ । ଷଢ଼େଇକଳା ଖରସୁଆଁର ରାଜପରିବାର ଓଡ଼ିଆ ଓ ଅଧିକାଂଶ ଅଧିବାସୀ ଓଡ଼ିଆ । ଗୋପବନ୍ଧୁ ଓଡ଼ିଶା ସହିତ ସିଂହଭୂମି ଓ ଷଢ଼େଇକଳା, ଖରସୁଆଁ, ଧଳଭୂମି ପ୍ରଭୃତିର ମିଶ୍ରଣ ପାଇଁ ସର୍ବାଧିକ ପ୍ରଚେଷ୍ଟା କରିଥିଲେ । ୧୯୧୨ କି ୧୯୧୩ରେ ବାରିପଦାରେ ସରକାରୀ ଓକିଲ ରୂପେ କାର୍ଯ୍ୟ କଲାବେଳେ ସେ ପ୍ରଥମେ ସିଂହଭୂମି ଯାଇଥିଲେ କେରା ଜମିଦାର ଠାକୁର ଲକ୍ଷ୍ମୀନାରାୟଣ ସିଂହଙ୍କ ନିମନ୍ତ୍ରଣକ୍ରମେ । ଠାକୁର ଲକ୍ଷ୍ମୀନାରାୟଣ ଗୋପବନ୍ଧୁଙ୍କ ବନ୍ଧୁ ଦେଶପ୍ରେମୀ ସାହିତ୍ୟପ୍ରେମୀ ବାମଣ୍ଡା ରାଜା ସୁଢଳ ଦେବଙ୍କ ଜ୍ଞାତି । ସେ ନିଜେ ମଧ୍ୟ ସାହିତ୍ୟାନୁରାଗୀ ଥିଲେ । ଓଡ଼ିଆ ସାହିତ୍ୟ ସଂସ୍କୃତି ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା । ଗୋପବନ୍ଧୁ ଲକ୍ଷ୍ୟ କଲେ ଯେ, ସିଂହଭୂମି, ଷଢ଼େଇକଳା, ଖରସୁଆଁ, ଧଳଭୂମର କେତେକ ଅଞ୍ଚଳର ଓଡ଼ିଆ ଅଧିବାସୀ, ‘ହୋ’ଙ୍କୁ ଛାଡ଼ିଦେଲେ ସର୍ବାଧିକ, ବିହାରୀ, ବଙ୍ଗାଳିଙ୍କ ସଂଖ୍ୟା ଓଡ଼ିଆ ଅଧିବାସୀଙ୍କ ସଂଖ୍ୟା ତୁଳନାରେ ନଗଣ୍ୟ । କିନ୍ତୁ ସେ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ, ଓଡ଼ିଆ ଜାତୀୟତାଭାବକୁ ଲୋପ କରିଦେବାକୁ ହୀନ ପ୍ରଚେଷ୍ଟା କରାଯାଉଅଛି । ତେଣୁ ଉତ୍କଳ ସମ୍ମିଳନୀର ୧୯୧୩ ମସିହାରେ ପୁରୀଠାରେ ଅନୁଷ୍ଠିତ ନବମ ଅଧିବେଶନରେ ତାଙ୍କରି ପ୍ରରୋଚନାରେ ଅନନ୍ତ ମିଶ୍ରଙ୍କୁ ଓଡ଼ିଆ ପ୍ରଚାର କାର୍ଯ୍ୟ ପାଇଁ ସିଂହଭୂମି ପଠାଇବା ସ୍ଥିର ହେଲା । ଅନନ୍ତ ମିଶ୍ର ତଦନୁଯାୟୀ ନିଷ୍ଠାର ସହିତ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେ । ସେହିଦିନୁଁ ସେ ଅଭିହିତ ହେଲେ ପ୍ରଚାରକ ଅନନ୍ତ ମିଶ୍ର ବୋଲି । ୧୯୧୨ରେ ବିହାର ଓଡ଼ିଶା ପ୍ରଦେଶ ଗଠିତ ହେଲାପରେ ସିଂହଭୂମିରେ ଓ ଓଡ଼ିଆ ଭାଷାଭାଷୀ ବିହାର ଶାସନାଧୀନ ଅନ୍ୟାନ୍ୟ ଅଞ୍ଚଳରେ କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଠାଇ ଦେଇ ହିନ୍ଦୀ ଭାଷା ପ୍ରଚଳନ କରାଗଲା । ୧୯୧୪ରେ ଗୋପବନ୍ଧୁଙ୍କ ପରାମର୍ଶ କ୍ରମେ ସିଂହଭୂମିର ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ତତ୍କାଳୀନ ବିହାର ଓଡ଼ିଶାର ଗଭର୍ଣ୍ଣରଙ୍କୁ ଏହି ଅବିଚାରର ପ୍ରତିବାଦ କରି ଟେଲିଗ୍ରାମ କଲେ । ୧୯୧୬ରେ ପୋଡ଼ାହାଟ ଓ ଧଳଭୂମ ରାଜା ଓ ଅନ୍ୟାନ୍ୟ ବିଶିଷ୍ଟ ସିଂହଭୂମିବାସୀ ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ କୋର୍ଟ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଓ ଓଡ଼ିଆ ଭାଷାରେ ଶିକ୍ଷା ଦେବାର ବ୍ୟବସ୍ଥା କରିବା ପାଇଁ ଲେଫ୍‌ଟନାଣ୍ଟ୍ ଗଭର୍ଣ୍ଣରଙ୍କ ପାଖକୁ ଏକ ସ୍ମାରକପତ୍ର ପଠାଇଥିଲେ । ଗୋପବନ୍ଧୁଙ୍କ ଅନୁରୋଧ କ୍ରମେ ଷଢ଼େଇକଳା ମହାରାଜା ମାଇନର ସ୍କୁଲରେ ଓଡ଼ିଆ ଭାଷାରେ ଶିକ୍ଷାଦାନ କରିବାକୁ ଆଦେଶ ଦେଇଥିଲେ ଓ ୧୯୧୭ ମସିହାରେ ତାଙ୍କ ରାଜ୍ୟର କୋର୍ଟ କଚେରୀରେ ହିନ୍ଦୀ ଭାଷାର ପ୍ରଚଳନ କରାଇଥିଲେ । ଗୋପବନ୍ଧୁଙ୍କ ପ୍ରସ୍ତାବ କ୍ରମେ କେରା ଜମିଦାର ଠାକୁର ଲକ୍ଷ୍ମୀନାରାୟଣ ପ୍ରଥମେ ଏକ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ବସାଇଥିଲେ । କ୍ରମେ କ୍ରମେ ଗୋପବନ୍ଧୁଙ୍କ ବନ୍ଧୁ ପ୍ରଚାରକ ଅନନ୍ତ ମିଶ୍ରଙ୍କ ଉଦ୍ୟମରେ ପଣ୍ତିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଗତିକୃଷ୍ଣ ମିଶ୍ର, କାହ୍ନୁକିଶୋର ପାଣି ପ୍ରଭୃତି ବିଶିଷ୍ଟ ଓଡ଼ିଆ ଦେଶସେବୀଙ୍କ ଓ ଓଡ଼ିଆ ଅନୁରାଗୀ ଦୀନନାଥ ପାଣ୍ଡେଙ୍କ ସାହଚର୍ଯ୍ୟରେ ଓଡ଼ିଆ ଶିକ୍ଷାର ବ୍ୟାପକ ପ୍ରସାର ହେଲା । ପୋଡ଼ାହାଟ ସବ୍‌ଡ଼ିଭିଜନ୍‌ର ୮୪ଟି ମୌଜାର ପ୍ରତ୍ୟେକ ଗ୍ରାମରେ ପ୍ରାଥମିକ ଓଡ଼ିଆ ସ୍କୁଲମାନ ପ୍ରତିଷ୍ଠିତ ହେଲା । ୧୯୧୯ ସୁଦ୍ଧା ସିଂହଭୂମିର ବିଭିନ୍ନ ଅଞ୍ଚଳରେ ପ୍ରାୟ ଏକଶହ ଚାଳିଶଟି ଓଡ଼ିଆ ସ୍କୁଲ ଆରମ୍ଭ କରାଯାଇଥିଲା । ଏହି ସ୍କୁଲଗୁଡ଼ିକରେ ଶିକ୍ଷକତା କରିବା ପାଇଁ ପ୍ରଧାନତଃ ପୁରୀ ଅଞ୍ଚଳର ବହୁ ଯୁବକ ପଣ୍ଡିତ ଗୋପବନ୍ଧୁଙ୍କ ନିର୍ଦ୍ଦେଶ କ୍ରମେ ସେବା ଭାବରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିଲେ । ସତ୍ୟବାଦୀ ବନ ବିଦ୍ୟାଳୟର ଶାଖାରୂପେ ଗୋପବନ୍ଧୁ ଦୁଇଟି ହାଇସ୍କୁଲ ଚକ୍ରଧରପୁର ଓ ବାହାଡ଼ାଗୋଡ଼ାରେ ଖୋଲିଲେ । ଚକ୍ରଧରପୁର ହାଇସ୍କୁଲର ଭାର ନେଲେ ପଣ୍ଡିତ ଗୋଦାବରୀଶ ଓ ବାହାଡ଼ାଗୋଡ଼ା ହାଇସ୍କୁଲର ଭାର ନେଲେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ଶ୍ରୀ କୃଷ୍ଣଚନ୍ଦ୍ର ପଟ୍ଟନାୟକ । ସତ୍ୟବାଦୀର ଆଉ ଜଣେ ନିଷ୍ଠାପର କର୍ମୀ ପଣ୍ଡିତ ବାସୁଦେବ ମହାପାତ୍ର ମଧ୍ୟ ବାହାଡ଼ାଗୋଡ଼ା ହାଇସ୍କୁଲରେ ଯୋଗ ଦେଇଥିଲେ ।

 

ଏହି ବିଦ୍ୟାଳୟଗୁଡ଼ିକର ଖର୍ଚ୍ଚ ବହନ କରିବା ପାଇଁ ଗୋପବନ୍ଧୁ ଏକ ପଇସିକିଆ ପାଣ୍ଠି ପ୍ରତିଷ୍ଠା କରିଥିଲେ । ସେ ମନେକରୁଥିଲେ ଯେ ପ୍ରତ୍ୟେକ ଓଡ଼ିଆ ଯଦି ଗୋଟିଏ ପଇସା ମାତ୍ର (ସେ ସମୟର ଏକଟଙ୍କାର ୧/୬୪ ଅଂଶ) ଦାନ କରେ, ତେବେ ଓଡ଼ିଶା ଓ ବିଚ୍ଛିନ୍ନାଞ୍ଚଳମାନଙ୍କରେ ଶିକ୍ଷାର ପ୍ରସାର ପାଇଁ ଯଥେଷ୍ଟ ଅର୍ଥ ମିଳିବ । ପ୍ରଚାରକ ଅନନ୍ତ ମିଶ୍ର ଓଡ଼ିଶାସାରା ତଥା ବିଚ୍ଛିନ୍ନାଞ୍ଚଳମାନ ବୁଲି ଚାନ୍ଦା ସଂଗ୍ରହ କରୁଥିଲେ । ବିଶେଷତଃ ଜାମସେଦପୁରର ଓଡ଼ିଆ କର୍ମଚାରୀ ଓ ଅଧିବାସୀମାନଙ୍କଠାରୁ ଚାନ୍ଦା ଆଦାୟ କରିବାକୁ ସେଠାକୁ ବାରମ୍ବାର ଯାଉଥିଲେ । ସେଠାରେ ବଳଭଦ୍ର ନାୟକ (ବିଶିଷ୍ଟ ଲେଖକ ଓ ଜନସେବୀ ଶ୍ରୀ ଲକ୍ଷ୍ମୀଧର ନାୟକଙ୍କ ପିତା) ତାଙ୍କୁ ବିଶେଷ ସାହାଯ୍ୟ କରୁଥିଲେ । ସିଂହଭୂମି, ଷଢ଼େଇକଳା, ଖରସୁଆଁ ପ୍ରଭୃତିର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଚାନ୍ଦା ଆଦାୟରେ ସହାୟତା କରୁଥିଲେ । ପଇସିକିଆ ପାଣ୍ଠିର ଯଥାଯଥ ବିନିଯୋଗ ପାଇଁ ୧୯୧୮ରେ ‘ସିଂହଭୂମି ଉତ୍କଳ ସଭା’ ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଗଠନ କରିଥିଲେ ।

 

୧୯୧୯ ଅକ୍ଟୋବର ମାସରେ ଗୋପବନ୍ଧୁଙ୍କ ସମ୍ପାଦନାରେ ‘‘ସମାଜ’’ ଏକ ସାପ୍ତାହିକ ପତ୍ରିକାରୂପେ ପ୍ରକାଶ ପାଇଲା । ଯଥାର୍ଥରେ ଶ୍ରୀ ନିତ୍ୟାନନ୍ଦ ଶତପଥୀ ଏହାକୁ ‘ଏକ କ୍ରାନ୍ତି, ଏକ ଚେତନା’ ବୋଲି ବର୍ଣ୍ଣନା କରିଛନ୍ତି । ଉତ୍କଳର ସର୍ବବିଧ ଉନ୍ନତି ପାଇଁ ଗୋପବନ୍ଧୁଙ୍କର କ୍ରାନ୍ତିକାରୀ ଚେତନାର ଏହା ପ୍ରତୀକ ହୋଇଥିଲା, ଓଡ଼ିଆ ଜାତିର ମୁଖପତ୍ର ହୋଇଥିଲା, ଓଡ଼ିଆ ଜାତୀୟତାବାଦ ଓ ଭାରତୀୟ ଜାତୀୟତାବାଦର ପ୍ରସାରର ମୁଖ୍ୟ ମାଧ୍ୟମ ହୋଇଥିଲା-ସମଗ୍ର ପ୍ରାକୃତିକ ଓଡ଼ିଶାର ସମ୍ବାଦ, ସୁଖଦୁଃଖ, ହାନିଲାଭ, ଅଭାବ, ଅସୁବିଧା, ଅଭିଯୋଗ ଦାବୀ ପ୍ରକାଶ ପାଇଲା ଏହି ପତ୍ରିକାରେ । ଜାତୀୟ ସଂହତି ଦୃଢ଼ୀଭୂତ କଲା ।

 

ଏହି ପତ୍ରିକାରେ ସିଂହଭୂମି ଶିକ୍ଷା ସମାଚାର ନିୟମିତ ପ୍ରକାଶ ପାଉଥିଲା । ଫୁଲଝର, ଖଡ଼ିଆଳ ଇତ୍ୟାଦି ମଧ୍ୟପ୍ରଦେଶସ୍ଥ ଓଡ଼ିଆ ଅଞ୍ଚଳର ମଞ୍ଜୁଷା, ଚିକିଟି, ଗଞ୍ଜାମ, ପାରଳା ପ୍ରଭୃତି ମାଡ୍ରାସ ପ୍ରଦେଶସ୍ଥ ଓଡ଼ିଆ ଅଞ୍ଚଳର ଟିକିନିଖି ସମ୍ବାଦ ପ୍ରକାଶ ପାଉଥିଲା ।

 

ପ୍ରଚାରକ ଅନନ୍ତ ମିଶ୍ରଙ୍କୁ ଧରି କିମ୍ବା ଆଗ୍ରହୀ ସ୍ଥାନୀୟ ଅଧିବାସୀଙ୍କୁ ଧରି ସିଂହଭୂମିର ଷଢ଼େଇକଳା, ଖରସୁଆଁର ଧଳଭୂମିର ଗ୍ରାମେ ଗ୍ରାମେ ବୁଲନ୍ତି ଗୋପବନ୍ଧୁ । ଓଡ଼ିଆ ଭାଗବତ ପଢ଼ିବାକୁ ଉଦ୍‌ବୋଧନ ଦିଅନ୍ତି - ଓଡ଼ିଆ ଭାଷାରେ ଯାତ୍ରା କରିବାକୁ, ଗୀତ ଗାଇବାକୁ ଉତ୍ସାହ ଦିଅନ୍ତି । ଯେଉଁ ଗ୍ରାମରେ ଭାଗବତ ଟୁଙ୍ଗୀ ଥାଏ ସେଠି ରହନ୍ତି । ସମୟ ସମୟରେ ବୁଲନ୍ତି ଏକା ଏକା, ସାଙ୍ଗରେ ଥାଏ କେବଳ ରାମା ବାରିକ, ଯାହାଙ୍କ ବର୍ଣ୍ଣନାକୁ ଗୋପୀନାଥ ମହାନ୍ତି ପ୍ରକାଶ କରିଛନ୍ତି ତାଙ୍କ ପୁସ୍ତକ ‘‘ଉତ୍କଳମଣି’’ରେ । କେବଳ ସିଂହଭୂମି ନୁହେଁ, ଦକ୍ଷିଣରେ ବ୍ରହ୍ମପୁର, ଆସିକା, ଛତ୍ରପୁର ପ୍ରଭୃତି ଗଞ୍ଜାମ ଜିଲ୍ଲାସ୍ଥ ଅଞ୍ଚଳ, ଚିକିଟି, ମଞ୍ଜୁଷା, ତରଳା ଆଦି ବହୁ ଅଞ୍ଚଳ ବୁଲିଛନ୍ତି । ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ଦେଶମିଶ୍ରଣ ନେତାଙ୍କ ଗହଣରେ କିମ୍ବା ଏକାକୀ ବୁଲିଛନ୍ତି । ଫୁଲଝର, ଖଡ଼ିଆଳ ଇତ୍ୟାଦି ଅଞ୍ଚଳକୁ ବହୁବାର ଯାଇଛନ୍ତି । ‘‘ସମାଜ’’ ସ୍ତମ୍ଭରେ ପ୍ରକାଶ କରିଛନ୍ତି ତାଙ୍କର ଅନୁଭୂତି, ସେହି ଅଞ୍ଚଳର ଲୋକଙ୍କ ଦାବୀ ।

 

୧୯୧୭ ମସିହାରେ ମଧୁବାବୁଙ୍କ ପ୍ରେରଣାରେ ଓ ସହାୟତାରେ ପୌର ସଂସ୍ଥାମାନଙ୍କର ପ୍ରତିନିଧି ରୂପେ ବିହାର ଓଡ଼ିଶା ଲେଜିସ୍‌ଲେଟିଭ୍ କାଉନ୍‌ସିଲ ବା ବ୍ୟବସ୍ଥାପକ ସଭାର ସଭ୍ୟରୂପେ ଗୋପବନ୍ଧୁ ନିର୍ବାଚିତ ହେଲେ । ବ୍ୟବସ୍ଥାପକ ସଭାରେ ସେ ସତ୍ୟବାଦୀ ବନବିଦ୍ୟାଳୟ ଆଦର୍ଶରେ ବ୍ୟାପକ ଶିକ୍ଷା ପ୍ରସାର, ବନ୍ୟା ନିୟନ୍ତ୍ରଣପାଇଁ ସ୍ଥାୟୀ ବ୍ୟବସ୍ଥା, ଲବଣ ଉତ୍ପାଦନ ଉପରୁ କଟକଣା ଓ ଅଯଥା ଶୁଳ୍‌କ ଲୋପ ପ୍ରଭୃତି ବିଷୟରେ ଦାବୀ କରିବା ସଙ୍ଗେ ସଙ୍ଗେ ବାରମ୍ବାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା, ଏକ ସ୍ୱତନ୍ତ୍ର ଉପପ୍ରଦେଶ ବା ପ୍ରଦେଶ କରିବା ପାଇଁ ଦାବୀ କରିଥିଲେ । ଏ ପ୍ରକାର ଦାବୀ ଉପସ୍ଥାପିତ କଲା ପୂର୍ବରୁ ବିଚ୍ଛିନ୍ନାଞ୍ଚଳମାନଙ୍କରେ ବ୍ୟାପକ ଗସ୍ତ କରି ଆବଶ୍ୟକ ବହୁ ତଥ୍ୟ ସଂଗ୍ରହ କରିଥିଲେ । ତାଙ୍କ ଦ୍ୱାରା ସଂଗୃହୀତ ତଥ୍ୟ ଅବଗତ ହୋଇ ଓ ମଧୁବାବୁଙ୍କ ଦ୍ୱାରା ପ୍ରଭାବିତ ହୋଇ ବିହାରର ପ୍ରସିଦ୍ଧ ଆଇନଜୀବୀ ଓ ବହୁକାଳ ପାଟନା ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା Imperial Legislative Council ରେ ପ୍ରସ୍ତାବ ଦେଇଥିଲେ ଯେ ବିଭିନ୍ନ ଚାରୋଟି ପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ ଓ ଏକ-ଶାସନାଧୀନ କରାଯାଉ ।

 

୧୯୨୦ ମସିହା ମାର୍ଚ୍ଚ ୩୦ ତାରିଖ ଦିନ ପଣ୍ଡିତ ଗୋପବନ୍ଧୁ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଭାଷଣ ଦେଇ କହିଲେ, “But Sir, the object of my immediate concern is Orissa whose fate is now hanging in the balance. The Montague-Chelmsford report has held out the promise of a sub-province to Orissa, the nature and character of which have no where yet been definitely laid down. Since the Horrible Mr. Sacchidananda Sinha moved his resolution in the Imperial Legislative Council for the amalgamation of the Oriya speaking tracts now lying scattered under four different administrations a new hope has sprung up in the minds of the Oriyas to whom administrative union is at the present moment the only thing needful in the body politic of India. ପୁଣି ସେହିବର୍ଷ ସେପ୍‌ଟେମ୍ବର ମାସରେ କାଉନ୍‌ସିଲ ଅଧିବେଶନରେ ସଚ୍ଚିଦାନନ୍ଦ ସିହ୍ନାଙ୍କ ପ୍ରସ୍ତାବ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ପ୍ରଶ୍ନ କରି ଏକ ନୈରାଶ୍ୟଜନକ ଉତ୍ତର ପାଇଥିଲେ ଯେ ସରକାର ପରବର୍ତ୍ତୀ ମାର୍ଚ୍ଚର ଜନଗଣନା ଫଳକୁ ଅପେକ୍ଷା କରିଛନ୍ତି । ପରବର୍ତ୍ତୀ ଏକ ଅଧିବେଶନରେ ମି: ଦାସ (ମଧୁବାବୁ)ଙ୍କ ପକ୍ଷରୁ ସେହି ବିଷୟରେ ପୁଣି ଏକ ପ୍ରଶ୍ନ ପଚାରିଥିଲେ । ଏହିପରି ବାରମ୍ବାର ବ୍ୟବସ୍ଥାପକ ସଭାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଦାବୀ କରିଥିଲେ । ସିଂହଭୂମିରେ କୋର୍ଟ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଓ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ମଧ୍ୟ କାଉନ୍‌ସିଲ୍‌ରେ ଦାବୀ କରିଥିଲେ । ରେଳବାଇ ଷ୍ଟେସନ ଅଞ୍ଚଳଛଡ଼ା ସାରା ଚକ୍ରଧରପୁରର ଅଧିବାସୀମାନେ ଓଡ଼ିଆ ହୋଇଥିବା ସତ୍ତ୍ୱେ ଚକ୍ରଧରପୁର ମ୍ୟୁନିସିପାଲିଟିର କମିସନର୍‍ରୂପେ କୌଣସି ଓଡ଼ିଆ ନିଆ ନଯାଇ ଥିବାରୁ ସେ କାଉନ୍‌ସିଲ୍‌ରେ ଉଦ୍‌ବେଗ ପ୍ରକାଶ କରିଥିଲେ ।

 

ସିଂହଭୂମିର କେତେକ ବିଶିଷ୍ଟ ବ୍ୟକ୍ତି ଓଡ଼ିଆରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉ ବୋଲି ଡେପୁଟୀ କମିଶନର୍ ଗାରେଟ୍ ସାହେବଙ୍କୁ ଅନୁରୋଧ କରି ଦରଖାସ୍ତ ଲେଖିଥିଲେ । ଗାରେଟ୍ ସାହେବ ସେ ବିଷୟରେ ବିହାର ଓଡ଼ିଶା ଲେଜିସ୍‌ଲେଟିଭ କାଉନ୍‌ସିଲର ଜଣେ ସଭ୍ୟରୂପେ ଗୋପବନ୍ଧୁଙ୍କୁ ମତାମତ ଦେବାକୁ ଗାରେଟ୍ ସାହେବ କହିବାରୁ ଗୋପବନ୍ଧୁ ତିନି ସପ୍ତାହକାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଗସ୍ତକରି ଓ ଆବଶ୍ୟକ ତଥ୍ୟ ସଂଗ୍ରହ କରି ତା’ପରେ ଗାରେଟ୍ ସାହେବଙ୍କୁ ଗୋଟିଏ ଦୀର୍ଘ ପତ୍ର ଲେଖିଥିଲେ । ଦୃଢ଼ତା ଓ ବିନୟ ସହିତ ସେଥିରେ ଜଣାଇଥିଲେ ଯେ ତାଙ୍କ ମତରେ ଭୌଗୋଳିକ ପରିସ୍ଥିତି, ସାମାଜିକ ଓ ଐତିହାସିକ ଦୃଷ୍ଟିକୋଣରୁ ସିଂହଭୂମି ଏକ ଖାଣ୍ଟି ଓଡ଼ିଆ ଜିଲ୍ଲା । ଆଦିବାସୀ ‘‘ହୋ’’ ମାନଙ୍କୁ ଛାଡ଼ିଦେଲେ ଓଡ଼ିଆମାନେ ହିଁ ସଂଖ୍ୟାଧିକ ଅଧିବାସୀ । ଓଡ଼ିଆ ଭାଷାରେ ଲିଖିତ ତାଳପତ୍ର ପୋଥି, ଖେଦା ପ୍ରଭୃତି କେବଳ ଓଡ଼ିଆମାନଙ୍କ ଘରେ ନୁହେଁ, ବିଶିଷ୍ଟ ‘ହୋ’ ମାନଙ୍କ ଘରେ ମଧ୍ୟ ମିଳୁଛି । କିନ୍ତୁ ଓଡ଼ିଆମାନଙ୍କୁ ବାଧ୍ୟ କରାହେଉଛି ହିନ୍ଦୀ ଭାଷାରେ ଅଧ୍ୟୟନ କରିବାକୁ । କୋର୍ଟ କଚେରୀରେ ସରକାରୀ କାଗଜପତ୍ରରେ ହିନ୍ଦୀ ବ୍ୟବହାର କରିବାକୁ । ଓଡ଼ିଆ ଭାଷାକୁ ମାରିଦେବାକୁ ଚେଷ୍ଟା ହେଉଛି । ଓଡ଼ିଆମାନେ ‘‘ଯେଉଁ ଦୁଃଖ ନିର୍ଯ୍ୟାତନା ଭିତରେ ଭିଡ଼ି ଓଟାରି ଚାଲିଛନ୍ତି, ତାହା ତାଙ୍କର ଜୀବନୀ ଶକ୍ତିକୁ ଏକବାର ଶୋଷି ଦେଲାଣି ଏବଂ ଗୋଟିଏ ସ୍ୱତନ୍ତ୍ର ଜାତି ହିସାବରେ ସେମାନଙ୍କ ଅସ୍ତିତ୍ୱକୁ ମଧ୍ୟ ବିପନ୍ନ କଲାଣି ।’’ ସେ ଆକୁଳ ଭାବରେ ଗାରେଟ୍ ସାହେବଙ୍କୁ ଓଡ଼ିଆ ଜାତିକୁ ସିଂହଭୂମିରେ ମୃତ୍ୟୁମୁଖରୁ ରକ୍ଷା କରିବାକୁ ନିବେଦନ କରିଥିଲେ ।

 

କିନ୍ତୁ ତାଙ୍କର ବିଭିନ୍ନ ଦାବୀ ବାରମ୍ବାର ପ୍ରତ୍ୟାହତ ଓ ନିଷ୍ଫଳ ହେବାରୁ ବ୍ୟବସ୍ଥାପକ ସଭା ଉପରେ ବିଶ୍ୱାସ ତୁଟିଗଲା । ଓଡ଼ିଶାର କୌଣସି ସମସ୍ୟାର, ବିଶେଷତଃ ବିଛିନ୍ନାଞ୍ଚଳ ସମସ୍ୟାର କାଉନ୍‌ସିଲରେ ବା କାଉନ୍‌ସିଲ ବାହାରେ ଆବେଦନ, ନିବେଦନ ପ୍ରାର୍ଥନା, ଦାବୀ ପ୍ରଭୃତି ଫଳରେ ସମାଧାନ ହେବ, ଏ ବିଶ୍ୱାସ ଆଉ ତାଙ୍କର ରହିଲା ନାହିଁ । ସେ ଅନୁଭବ କଲେ, ‘‘ଆସେମ୍ଲିର ସ୍ୱାଧୀନ ସଭ୍ୟ ହେଲେ ମଧ୍ୟ ଆମେ ସବୁ ପରାଧୀନ ଦେଶର କାଉନ୍‌ସିଲାର ।’’ କାଉନ୍‌ସିଲ ସଭ୍ୟ ପଦରୁ ଇସ୍ତଫା ଦେଇଦେଲେ । ସେ ମନେ କଲେ ଯେ ସ୍ୱାଧୀନତା ହିଁ କେବଳ ସମସ୍ତ ସମସ୍ୟାର ସମାଧାନର ବାଟ ଫିଟାଇବ । ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ, ବାରମ୍ବାର କାରାବରଣ କଲେ । ବନ୍ଦୀ କବି ଗୋପବନ୍ଧୁ ଗାଇଲେ-

 

‘‘ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲିଯାଆନ୍ତୁ ପିଠିରେ

ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼

ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼

ସ୍ୱାଧୀନତା ପଥେ ତିଳେ ହେଲେ ନର

ମୋ ଜୀବନ ଦାନେ ହେଉ ଅଗ୍ରସର ।’’

 

ଜାତୀୟ କଂଗ୍ରେସ, ଜାତୀୟ ଆନ୍ଦୋଳନ ରୂପକ ଭାଗୀରଥୀଙ୍କୁ ଓଡ଼ିଶାର ଭଗୀରଥ ଗୋପବନ୍ଧୁ ବୁହାଇ ଆଣିଲେ ଓଡ଼ିଶାକୁ । ପ୍ଲାବିତ କଲେ ଓଡ଼ିଶାର ପୁରପଲ୍ଲୀକୁ । କିନ୍ତୁ ଉତ୍କଳୀୟ ଜାତୀୟ ଚେତନା ତାଙ୍କ ମନରୁ ଲୁଚିଯାଇ ନଥିଲା-ବରଂ ସଦା ଜାଗ୍ରତ ଥିଲା । ଆପାତତଃ କଂଗ୍ରେସ ଅନୁଷ୍ଠାନ ସିଂହଭୂମି ଜିଲ୍ଲା କଂଗ୍ରେସକୁ ବିହାର ପ୍ରାଦେଶିକ କର୍ତ୍ତୃତ୍ୱାଧୀନ କରି ଓଡ଼ିଶା ପ୍ରତି ଅନ୍ୟାୟ କରିଥିଲେ ମଧ୍ୟ ଓଡ଼ିଶାର ଭବିଷ୍ୟତ ଉପରେ ସେ ବିଶ୍ୱାସ ହରାଇ ନ ଥିଲେ । ନେତୃତ୍ୱର ଅଭାବରେ ଉତ୍କଳ ଭାଙ୍ଗି ପଡ଼ିବ ନାହିଁ ଭାବି ସେ ଲେଖିଥିଲେ-

 

ନ ଅଟକେ କର୍ମ ନେତାର ଅଭାବେ

ଧର୍ମନାବ ଚଳେ ଧର୍ମର ପ୍ରଭାବେ

ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ

ଉତ୍କଳର ନେତା ନିଜେ ନାରାୟଣ ।

 

୧୯୨୪ରେ ଜେଲ୍‌ରୁ ଖଲାସ ହେବା ପରେ ୧୯୨୫ରେ ସି. ଏଫ, ଆଣ୍ଡୃଜ୍‌; ଯାହାଙ୍କୁ ଉତ୍କଳବାସୀ ସସ୍ନେହରେ ‘ଦୀନବନ୍ଧୁ’ ଆଣ୍ଡୃଜ୍ ବୋଲି ଅଭିହିତ କରୁଥିଲେ, ତାଙ୍କୁ ସାଥୀରେ ଧରି ତାଙ୍କର ପ୍ରିୟ ସିଂହଭୂମି ଅନ୍ତର୍ଗତ ଟାଟାନଗର ବା ଜାମ୍‌ସେଦ୍‌ପୁରକୁ ଆସିଥିଲେ । ତାହାହିଁ ଗୋପବନ୍ଧୁଙ୍କର ଶେଷଥର ପାଇଁ ସିଂହଭୂମିକୁ ଆଗମନ ।

 

ଗୋପବନ୍ଧୁ ତାଙ୍କର ଜୀବନକାଳରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଦେଖିପାରିଲେ ନାହିଁ, ଏବଂ ପ୍ରଥମେ ଯାହା କୁହା ହୋଇଛି, ତାଙ୍କର ମୃତ୍ୟୁର ଆଠବର୍ଷ ପରେ ଯେଉଁ ସ୍ୱତନ୍ତ୍ରପ୍ରଦେଶ ହେଲା, ତାହା ଏକ ଖଣ୍ଡିତ ପ୍ରଦେଶ । ମହାତ୍ମା ଗାନ୍ଧୀଙ୍କ ଆଜୀବନ ସଂଗ୍ରାମ ଶେଷରେ ମିଳିଲା ସ୍ୱାଧୀନତା, କିନ୍ତୁ ସେ ଏକ ଖଣ୍ଡିତ ଭାରତର ସ୍ୱାଧୀନତା । ଗାନ୍ଧୀଙ୍କ ଶେଷ ଜୀବନ ଥିଲା ମର୍ମନ୍ତୁଦ ବ୍ୟଥାଭରା । ଗୋପବନ୍ଧୁ ବଞ୍ଚିଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍‌ଫୁଲ୍ଲ ହୋଇ ନଥାନ୍ତେ, ବରଂ ଅଶ୍ରୁପାତ କରିଥା’ନ୍ତେ-ତାଙ୍କ ପ୍ରିୟ ସିଂହଭୂମି, ଷଢ଼େଇକଳା, ଖରସୁଆଁ ପାଇଁ, ଫୁଲଝର ପାଇଁ ମଞ୍ଜୁଷା ପ୍ରଭୃତି ପାଇଁ-ପ୍ରତିବେଶୀ ପ୍ରଦେଶମାନଙ୍କରେ ବିଚ୍ଛିନ୍ନ ହୋଇ ଯେଉଁ ଓଡ଼ିଆମାନେ ରହିଗଲେ ତାଙ୍କରି ପାଇଁ ।

 

ଗୋପବନ୍ଧୁଙ୍କର ବିଶ୍ୱାସ ଥିଲା ସ୍ୱାଧୀନତା ପ୍ରାପ୍ତି ପରେ ଓଡ଼ିଶା ନ୍ୟାୟ ପାଇବ, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକତ୍ର ହେବ । ସ୍ୱାଧୀନତା ଲାଭ ପରେ ବି ସେ ସ୍ୱପ୍ନ ସଫଳ ହୋଇନାହିଁ । ବରଂ ମନେ ହୁଏ, ଚିରକାଳ ପାଇଁ ବହୁତ ଓଡ଼ିଆ ଅଞ୍ଚଳ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଗଲା ।

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ହେବାର ଦୀର୍ଘ ପଚାଶ ବର୍ଷ ପରେ, ସ୍ୱାଧୀନତା ଲାଭର ଅଣଚାଳିଶ ବର୍ଷ ପରେ ମଧ୍ୟ ଉତ୍କଳମଣି ଗୋପବନ୍ଧୁଙ୍କର ସ୍ୱପ୍ନ ସଫଳ ହୋଇପାରିଲା ନାହିଁ ।

 

ଆଜି ମଧ୍ୟ, ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳମାନଙ୍କରେ ଓଡ଼ିଆ ଭାଷାକୁ ନିଶ୍ଚିହ୍ନ କରିଦେବା ପାଇଁ ଉଦ୍ୟମ ହେଉଅଛି ।

 

ଅବସରପ୍ରାପ୍ତ ଅଧ୍ୟାପକ

ଆର୍ମଷ୍ଟ୍ରଙ୍ଗ ରୋଡ଼

ପୁରୀ

 

ଜନମଭୂମି ଯେ ମାଟି ପଥରର

ଜନନୀକି ବଳି ବଡ଼

ସେ ଜନମଭୂମି ସେବା ଯେ କରଇ

ନର ଜନ୍ମ ଧନ୍ୟ ତା’ର

-ପଣ୍ଡିତ ଗୋଦାବରୀଶ

***

 

ବିଂଶ ଶତାବ୍‌ଦୀରେ ସ୍ୱତନ୍ତ୍ରପ୍ରଦେଶ ପ୍ରତିଷ୍ଠା ହିଁ ଓଡ଼ିଆ ନେତୃତ୍ୱର ପ୍ରଧାନ ସାଫଲ୍ୟ । ଦେଶମିଶ୍ରଣ ଘେନି ବୈଧାନିକ ପନ୍ଥା ପ୍ରଥମେ ମନସ୍ୱୀ ମଧୁସୂଦନ ଅବଲମ୍ବନ କଲେ । ଊନବିଂଶ ଶତାବ୍‌ଦୀର ଶେଷ ପର୍ଯ୍ୟାୟରେ ବହୁ ଆବେଦନ, ନିବେଦନ ଫଳରେ ବଙ୍ଗ ନେତାଙ୍କ ଆକ୍ରମଣରୁ ଓଡ଼ିଆଭାଷାର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ ହୋଇଥିଲେ ହେଁ ବହୁ ଓଡ଼ିଆ-ଭାଷୀ ଅଞ୍ଚଳ ପଡ଼ୋଶୀ ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ବଙ୍ଗଳା ଭିତରେ ଗୁଞ୍ଜି ହୋଇ ରହିଯାଇଥିଲା । ସବୁ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ କଳ୍ପେ ମଧୁସୂଦନ ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ, ତାହାକୁ ମହାଭାରତୀୟ ଭିତ୍ତିରେ ଯଥାର୍ଥ ରୂପରେଖ ଦେବାରେ ପଣ୍ଡିତ ନୀଳକଣ୍ଠ କୃତକାର୍ଯ୍ୟ ହୋଇଥିଲେ । ତେଣୁ ‘ଜାତୀୟ ଜୀବନୀମାଳା’ (The Dictionary of National Biography) ସ୍ୱୀକାର କରିଛି ଯେ, ‘‘ପଣ୍ଡିତ ନୀଳକଣ୍ଠ ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ଥିଲେ ।’’

[Vol. I-Page.153 ]

 

Unknown

ସ୍ୱତନ୍ତ୍ର ପ୍ରଦେଶ ଗଠନରେ ପଣ୍ଡିତ ନୀଳକଣ୍ଠଙ୍କ ଅବଦାନ

ବନମାଳୀ ମିଶ୍ର

 

ଉତ୍କଳ-ସମ୍ମିଳନୀ ଓ ନୀଳକଣ୍ଠ-

ଦେଶ ମିଶ୍ରଣ ଘେନି ୧୯୦୩ରେ ଉତ୍କଳ-ସମ୍ମିଳନୀର ପ୍ରଥମ ଅଧିବେଶନବେଳେ ଛାତ୍ର ନୀଳକଣ୍ଠ ଜଣେ ଦର୍ଶକ ଭାବେ ଯୋଗ ଦେଇଥିଲେ । ଜାତୀୟଜୀବନର ଅଭ୍ୟୁତ୍‌ଥାନରେ ସେ ନବୋନ୍ମେଷ ନୀଳକଣ୍ଠଙ୍କ ଉପରେ ଗଭୀର ରେଖାପାତ କରିଥିଲା । ଏ ସମ୍ପର୍କରେ ସେ ଲେଖିଛନ୍ତି, ‘‘ତାହାହିଁ ଯେପରିକି ମୋ’ ଜୀବନର ପ୍ରଥମ ଦୀକ୍ଷା ।’’ [ନୀଳକଣ୍ଠ ଗ୍ରନ୍ଥାବଳୀ-ପ୍ରଥମଭାଗ-ପୃ: ୨୫-।] ଏହିଠାରୁ ସମ୍ମିଳନୀ ତଥା ମଧୁବାବୁଙ୍କ ପ୍ରତି ନୀଳକଣ୍ଠ ବିଶେଷ ଆକୃଷ୍ଟ ହେଲେ । ତା’ ପରବର୍ଷ ୧୯୦୪ ରେ ମଧୁବାବୁ ପୁରୀରେ ସଭା କଲାବେଳେ ‘ବିଦେଶୀ-ବର୍ଜନ ପ୍ରତିଜ୍ଞା ପତ୍ର’ରେ ଉପସ୍ଥିତ ପୁଲିସଙ୍କ ଭୟରେ କେହି ସ୍ୱାକ୍ଷର କରୁନଥିବା ବେଳେ ଛାତ୍ର ନୀଳକଣ୍ଠ ପ୍ରଥମହିଁ ଦସ୍ତଖତ କରି ମଧୁବାବୁଙ୍କ ସୁଦୃଷ୍ଟିକୁ ଆସିପାରିଥିଲେ ।

 

ଉତ୍କଳ-ସମ୍ମିଳନୀ ଓ ମଧୁବାବୁଙ୍କ ସହିତ ସତ୍ୟବାଦୀ ବନବିଦ୍ୟାଳୟର ଘନିଷ୍ଠ ସହଯୋଗ-

ପରେ ୧୯୧୧ରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠିତ ହୁଅନ୍ତେ ତାକୁ ଧରି ପଣ୍ଡିତ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ ପ୍ରଭୃତି ଉତ୍କଳ ସମ୍ମିଳନୀ ଓ ମଧୁବାବୁଙ୍କ ସହିତ ବହୁ ଭାବରେ ସହଯୋଗ କଲେ । ମଧୁବାବୁଙ୍କର ସତ୍ୟବାଦୀ ବନବିଦ୍ୟାଳୟ ପ୍ରତି ଏକାନ୍ତ ଅନୁରାଗ ଓ ସହାନୁଭୂତି ଥିଲା । ତେଣୁ ସେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରମାନଙ୍କୁ ‘ଉତ୍କଳ ସମ୍ମିଳନୀ’ର ଲକ୍ଷ୍ୟରେ ଦୀକ୍ଷିତ କରି ପାରିଥିଲେ । ବୈଧାନିକ ସହଯୋଗ ଘେନି ଆବେଦନ, ନିବେଦନ କରିବା, ସଭା ସମିତି କରି ଲୋକମତ ଗଢ଼ି ଦେଖାଇବା ପ୍ରଭୃତି ସେକାଳ ରାଜନୀତିଜ୍ଞଙ୍କ ପନ୍ଥାରେ ମଧୁବାବୁଙ୍କର ଖୁବ୍ ଦକ୍ଷତା ଥିଲା । ସେ ଓକିଲାତିରେ ବିଶେଷ ନାମ ଅର୍ଜନ କରିଥିଲେ ଏବଂ ରାଜା, ଜମିଦାର ଓ ଧନିକମାନଙ୍କ ଉପରେ ତାଙ୍କର ଯଥେଷ୍ଟ ପ୍ରଭାବ ଥିଲା । ମଧୁବାବୁ ସହରାଞ୍ଚଳରେ ସଭା, ସମିତି କରୁଥିଲେ, ତାଙ୍କର ଗାଁ ଗଣ୍ଡାକୁ ଯିବାକୁ ଦରକାର ପଡ଼ୁ ନଥିଲା । ଅନ୍ୟଆଡ଼େ ଗୋପବନ୍ଧୁ, ନୀଳକଣ୍ଠ ଥିଲେ ଗ୍ରାମର ଲୋକ । ଗାଁ ଲୋକଙ୍କର ମେଳା, ମଉଛବଠାରୁ ସଭାସମିତିମାନଙ୍କରେ ସେମାନଙ୍କର ଆଦର ଓ ମମତା ଖୁବ୍ ଥିଲା । ସେମାନେ ତେଣୁ ଗାଁ ଗହଳରେ ଦେଶମିଶ୍ରଣ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ଲାଗିଲେ । ମଧୁବାବୁ ଏ ସବୁକୁ ଖୁବ୍ ପସନ୍ଦ କଲେ । ୧୯୧୩ରେ ତାଙ୍କ ସଭାପତିତ୍ୱରେ ପୁରୀଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ୯ମ ଅଧିବେଶନରେ ଓଡ଼ିଆଭାଷୀ ଅଞ୍ଚଳ ସବୁର ଏକତ୍ରୀକରଣ ପ୍ରସ୍ତାବ ସହିତ ସତ୍ୟବାଦୀ ବନବିଦ୍ୟାଳୟର ଉଦ୍‌ଯୋକ୍ତାମାନଙ୍କୁ ଅଭିନନ୍ଦନ କରି ପ୍ରସ୍ତାବ ଗୃହୀତ ହୋଇଥିଲା । [ଓଡ଼ିଆ ଆନ୍ଦୋଳନର ଇତିହାସ - ଲେଖକ- ପଣ୍ଡିତ ବାଇକୋଳି ମହାପାତ୍ର ପୃ: ୧୩୯] ପରବର୍ଷ ୧୯୧୪ରେ ପାରଳା ଖେମୁଣ୍ଡିରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନରେ ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଯୋଗ ଦେଇଥିଲେ ଓ ତାଙ୍କଦ୍ୱାରା ଆଗତ ‘‘ଓଡ଼ିଆ ଶିକ୍ଷକ ଓ ତତ୍ତ୍ୱାବଧାରକ ନିଯୁକ୍ତ ନ ହେଲେ ଓଡ଼ିଆ ଛାତ୍ର-ଛାତ୍ରୀଙ୍କର ଶିକ୍ଷାର ଉନ୍ନତି ସୁଦୂର ପରାହତ ହେବ ବୋଲି ସମ୍ମିଳନୀ ବିଶ୍ୱାସ କରନ୍ତି’’ ବୋଲି ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ।

[ଗୋପବନ୍ଧୁ ରଚନାବଳୀ-ତୃତୀୟ ଖଣ୍ଡ-ପୃ : ୭]

 

ବିଚ୍ଛିନ୍ନାଞ୍ଚଳ ସହିତ ସତ୍ୟବାଦୀର ଘନିଷ୍ଠ ସହଯୋଗ-

ଏଣେ ଗଞ୍ଜାମ, ପାରଳାଖେମୁଣ୍ଡି, ଜୟପୁର, ସିଂହଭୂମି, ଧଳଭୂମି ପରି ବିଚ୍ଛିନ୍ନାଞ୍ଚଳ ସହିତ ସତ୍ୟବାଦୀ ବନବିଦ୍ୟାଳୟର ଘନିଷ୍ଠ ଯୋଗସୂତ୍ର ଥିଲା । ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠା ଓ ସମ୍ମାନରେ ଆକୃଷ୍ଟ ହୋଇ ‘‘ସେକାଳ ପ୍ରାକୃତିକ ଓଡ଼ିଶାର ଚାରିଆଡ଼ୁ ତଥା ବଙ୍ଗ, ମାନ୍ଦ୍ରାଜ ଓ ସେ କାଳ ମଧ୍ୟପ୍ରଦେଶରୁ ଛାତ୍ରମାନେ ଆସି ଏଠାରେ ଜମା ହୋଇଥିଲେ । ବିଶେଷକରି ସିଂହଭୂମିରୁ ମଧ୍ୟ ପିଲାମାନେ ଏଠାକୁ ଆସିଥିଲେ । ୧୯୧୬ ବେଳକୁ ଏଇ ସତ୍ୟବାଦୀ ବିଦ୍ୟାଳୟର ଯୋଡ଼ିଏ ଶାଖା ସ୍କୁଲ ସ୍ଥାପିତ ହୋଇଥିଲା । ଗୋଟିଏ ସିଂହଭୂମିର ଚକ୍ରଧରପୁରରେ, ଆଉ ଗୋଟିଏ ଧଳଭୂମିର ବାହାଡ଼ାଗୋଡ଼ାରେ ।’’

[ନୀଳକଣ୍ଠ ଗ୍ରନ୍ଥାବଳୀ-୧ମ ଭାଗ, ପୃ.୧୫୫]

 

 

ଗଞ୍ଜାମ ଅଞ୍ଚଳରେ ‘ଆଶା’ ମାଧ୍ୟମରେ ଦେଶମିଶ୍ରଣ ଆନ୍ଦୋଳନ :

ଗୋପବନ୍ଧୁ, ନୀଳକଣ୍ଠ ପ୍ରଭୃତି ଗଞ୍ଜାମ ଅଞ୍ଚଳରେ ଦେଶମିଶ୍ରଣ ପାଇଁ ବହୁ କାର୍ଯ୍ୟ କରିଥିଲେ । ସେହିକଥା ସ୍ମରଣକରି ଡକ୍ଟର ସତ୍ୟନାରାୟଣ ରାଜଗୁରୁ କହିଛନ୍ତି, ‘‘ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରେ ଓଡ଼ିଆମାନଙ୍କୁ ପ୍ରେରଣା ଦେବାକୁ ଯାଇ ଓଡ଼ିଶାର ଯେଉଁ ନେତାମାନେ ସଭାସମିତି କରିଥାନ୍ତି, ତାଙ୍କ ମଧ୍ୟରେ ପଣ୍ଡିତ ନୀଳକଣ୍ଠ ଥିଲେ ଅଗ୍ରଗଣ୍ୟ ।’’ [ନୀଳକଣ୍ଠ ସ୍ମାରକୀ ବକ୍ତୃତାମାଳା-୩ୟ, ପୃ. ୧୩] ଗଞ୍ଜାମର ପ୍ରସିଦ୍ଧ ନେତା ସ୍ୱର୍ଗୀୟ ଶଶିଭୂଷଣ ରଥ (୧୮୮୫-୧୯୪୩) ‘ଦୈନିକ ଆଶା’ ପ୍ରକାଶ କରିବା ପୂର୍ବରୁ ୧୯୧୩ରେ ‘ସାପ୍ତାହିକ ଆଶା’ ମାଧ୍ୟମରେ ଦେଶମିଶ୍ରଣ ଆନ୍ଦୋଳନକୁ ଜାଗ୍ରତ କରି ରଖିଥିଲେ ।

 

ଏହି ‘ସାପ୍ତାହିକ ଆଶା’ ପ୍ରକାଶ ପାଇଲାବେଳେ ପଣ୍ଡିତ ଗୋପବନ୍ଧୁ ବହୁଦିନଯାଏ ଏହାର ସମ୍ପାଦକୀୟ ଲେଖୁଥିଲେ । ଉତ୍କଳ ସମ୍ମିଳନୀରେ ଗୃହୀତ ପ୍ରସ୍ତାବମାନ କାର୍ଯ୍ୟରେ ପରିଣତ କରିବାପାଇଁ ଏହି ପତ୍ରିକାରେ ନିୟମିତ ପ୍ରଚାର କରାଯାଉଥିଲା । [ଓଡ଼ିଆ ଆନ୍ଦୋଳନର ଇତିହାସ-ପୃ. ୧୪] ନୀଳକଣ୍ଠ, ଗୋଦାବରୀଶ ମଧ୍ୟ ‘ଆଶା’ କୁ ଲେଖାମାନ ପଠାଉଥିଲେ । ନୀଳକଣ୍ଠଙ୍କର ଏ ସମ୍ପର୍କୀୟ ଉକ୍ତି ଏଠାରେ ଉଲ୍ଲେଖନୀୟ । ନୀଳକଣ୍ଠ ଲେଖିଛନ୍ତି, ‘‘ପ୍ରଥମତଃ ଶଶିବାବୁ ଓଡ଼ିଆରେ ଲେଖିବାରେ ପାରଗ ନ ଥାଇ ‘ସାପ୍ତାହିକ ଆଶା’ ଆରମ୍ଭ କରିଦେଲେ । ସତ୍ୟବାଦୀର ପଣ୍ଡିତ ଗୋପବନ୍ଧୁ ତଥା ଅନ୍ୟମାନଙ୍କର ସେଥିରେ ବର୍ଷବ୍ୟାପୀ ନିଷ୍ଠାପର ସହଯୋଗ ଏବେ ମଧ୍ୟ ମନେ ପଡ଼ୁଛି । କିନ୍ତୁ ବର୍ଷ ପୂରିବା ପୂର୍ବରୁ ଶଶିଭୂଷଣ ହେଲେ ଓଡ଼ିଆରେ ଜଣେ ବିଚକ୍ଷଣ ଲେଖକ ।’’

[‘ନବଭାରତ’-ନୂଆପ୍ରସ୍ଥ-୧ମ ଭାଗ-୧ମ ସଂଖ୍ୟା-୧୯୪୬-ପୃ.୪୫]

 

 

ଉତ୍କଳ ସମ୍ମିଳନୀ ମାଧ୍ୟମରେ ଦେଶମିଶ୍ରଣ କାର୍ଯ୍ୟ :

ସେକାଳେ ଦେଶକାମ ପାଇଁ ‘ଉତ୍କଳ ସମ୍ମିଳନୀ’ ଏକମାତ୍ର ଅନୁଷ୍ଠାନ ଥିଲା କହିଲେ ଚଳେ-ଗୋପବନ୍ଧୁ, ନୀଳକଣ୍ଠ, ହରିହର ଓ ଅନନ୍ତ ମିଶ୍ରଙ୍କର ‘ସରକାରୀ ଚାକିରୀ ନକରି ଦେଶସେବା ପାଇଁ ସର୍ବଜନବିଦିତ ଶପଥକୁ’ ରୂପାୟିତ କରିବାରେ ଉତ୍କଳ ସମ୍ମିଳନୀ ଥିଲା ପୁଣ୍ୟପୀଠ । ତେଣୁ ସେମାନେ ସତ୍ୟବାଦୀ ବନବିଦ୍ୟାଳୟରେ ଦେଶସେବକ ଗଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କର ସମସ୍ତ ଅଭିପ୍‌ସା ସମ୍ମିଳନୀ ମାଧ୍ୟମରେ ସାଧନ କରିବାରେ ଲାଗିପଡ଼ିଲେ । ଉତ୍କଳ ସମ୍ମିଳନୀ ଓ ଜାତୀୟ କଂଗ୍ରେସର ତୁଳନାତ୍ମକ ବିଚାରକରି ୧୯୧୫ରେ ମାସିକ ‘ସତ୍ୟବାଦୀ’ର ୫ମ ସଂଖ୍ୟାରେ ନୀଳକଣ୍ଠ ଲେଖିଥିଲେ, ‘‘ଭାରତର ଧାରାବାହିକ ରାଜନୈତିକ ଆନ୍ଦୋଳନକୁ ଆଜିକି ୩୦ ବର୍ଷ ହୋଇଗଲା ଜାତୀୟ ମହାସମିତି ସୃଷ୍ଟି ଦିନରୁ । କଂଗ୍ରେସ ବା ମହାସମିତି ଛାଞ୍ଚରେ ପ୍ରତି ପ୍ରଦେଶରେ ଶାଖା ସମିତି ବା ପ୍ରଭିନ୍‌ସିୟାଲ କନ୍‌ଫରେନ୍‌ସମାନ ଅଛି - କେବଳ ଓଡ଼ିଶାରେ ନାହିଁ । ଓଡ଼ିଶାରେ ଅଛି ଉତ୍କଳ ସମ୍ମିଳନୀ- ସବୁପ୍ରକାରେ ଓଡ଼ିଆମାନଙ୍କର ଏକତାବିଧାନ ଏହାର ମୁଖ୍ୟ ଉଦ୍ଦେଶ୍ୟ ।’’ [ସତ୍ୟବାଦୀ, ପଞ୍ଚମ ସଂଖ୍ୟା-୧୯୧୫, ପୃ. ୧-୨] । ଏହି ଉତ୍କଳ ସମ୍ମିଳନୀର ୧୯୧୯ ମସିହାର ଅଧିବେଶନରେ ପଣ୍ଡିତ ଗୋପବନ୍ଧୁଙ୍କ ସଭାପତିତ୍ୱରେ କଟକରେ ଅନୁଷ୍ଠିତ ହୋଇଥିଲା । ଅଧିବେଶନ ଆରମ୍ଭରୁ ମଧୁବାବୁଙ୍କ ସହ କଟକର ଛାତ୍ରମାନଙ୍କର ମନୋମାଳିନ୍ୟ ହେବାରୁ ମଧୁବାବୁଙ୍କ ଅନୁରୋଧକ୍ରମେ ସତ୍ୟବାଦୀର ୬୦ ଜଣ ଛାତ୍ର ନୀଳକଣ୍ଠଙ୍କ ନେତୃତ୍ୱରେ ସମ୍ମିଳନୀର ସ୍ୱେଚ୍ଛାସେବକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କଲେ । ଏସବୁ ଲେଖିବାର କାରଣ ହେଉଚି, ଗୋପବନ୍ଧୁ, ନୀଳକଣ୍ଠ ଓ ଗୋଦାବରୀଶ ଆଦି ସତ୍ୟବାଦୀର ଶିକ୍ଷକବୃନ୍ଦ ଉତ୍କଳ ସମ୍ମିଳନୀ ସହ ଓତପ୍ରୋତଭାବେ ଜଡ଼ିତ ଥିଲେ ।

 

ଅବଶ୍ୟ ପରବର୍ତ୍ତୀକାଳରେ ୧୯୨୦ ରେ ଡିସେମ୍ବରରେ ସିଂହଭୂମିର ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପଣ୍ଡିତ ଗୋପବନ୍ଧୁ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପ୍ରତିଷ୍ଠା କଲେ ଓ କଂଗ୍ରେସ ମାଧ୍ୟମରେ ଦେଶମିଶ୍ରଣ କାର୍ଯ୍ୟରେ ଅଗ୍ରସର ହେଲେ । ପକ୍ଷାନ୍ତରେ ଉତ୍କଳ ସମ୍ମିଳନୀକୁ ଓଡିଶାର ଅନ୍ୟ କେତେକ ଉଦାରପନ୍ଥୀ ନେତା ଧରି ରଖିଲେ । ତେବେ ସେତେବେଳେ କଂଗ୍ରେସ ଲୋକେ ସମ୍ମିଳନୀରେ କାର୍ଯ୍ୟ କରିବାରେ କୌଣସି ବାଧା ନଥିଲା । ତେଣୁ ୧୯୨୧ ରେ କଂଗ୍ରେସ ପକ୍ଷରୁ ଅସହଯୋଗ ଆନ୍ଦୋଳନ ହେଲେହେଁ ଗୋପବନ୍ଧୁ ନୀଳକଣ୍ଠ ପ୍ରଭୃତି ସେଥିରେ ଯୋଗଦେଇ ସୁଦ୍ଧା ସମ୍ମିଳନୀ କାର୍ଯ୍ୟରେ ସେମାନେ ବରାବର ସହଯୋଗ କରୁଥିଲେ । ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ମୀମାଂସା ଲାଗି ଉଦ୍ୟମ :

 

୧୯୨୧ ରେ ଓଡ଼ିଆ-ତେଲୁଗୁ ବିବାଦ ହେତୁ ଗଞ୍ଜାମର କଂଗ୍ରେସ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା । ସେହିବର୍ଷ ମାର୍ଚ୍ଚ ମାସରେ ଗାନ୍ଧିଜୀ ପ୍ରଥମ ହୋଇ ଓଡ଼ିଶା ଗସ୍ତରେ ଆସିଥିଲେ ଓ ଏହି ଘଟଣା ବୁଝିପାରି ସେ ବ୍ରହ୍ମପୁରଠାରେ ସାଧାରଣ ସଭାରେ କହିଲେ, ‘‘କାଲି ସୂର୍ଯ୍ୟୋଦୟ ପୂର୍ବରୁ ଦୁର୍ବଳ ଓଡ଼ିଆଙ୍କ ଦାବୀ ତେଲୁଗୁମାନେ ମାନି ନିଅନ୍ତୁ ।’’ ଗାନ୍ଧିଜୀଙ୍କ ଏତାଦୃଶ ପରାମର୍ଶ ସତ୍ତ୍ୱେ ତା ୧୦।୫।୨୧ ରେ ସୀମା-ବିବାଦ ବୈଠକରେ ଆନ୍ଧ୍ର ପ୍ରତିନିଧିମାନେ ଯୋଗ ଦେଲେ ନାହିଁ । ତେଣୁ କିଛି ନିଷ୍ପତ୍ତି ହେଲା ନାହିଁ ।

 

ଏହାପରେ ଗୋପବନ୍ଧୁ, ନୀଳକଣ୍ଠ ଅସହଯୋଗରେ କାରାରୁଦ୍ଧ ହେଲେ । ସେମାନଙ୍କର ଦେଶମିଶ୍ରଣ ଉଦ୍ୟମ ସମ୍ପର୍କରେ ଉତ୍କଳ ସମ୍ମିଳନୀର ବ୍ରହ୍ମପୁର ଅଧିବେଶନରେ ତା ୧।୪।୧୯୨୩ ରେ ଗୃହୀତ ଏକ ପ୍ରସ୍ତାବରେ କୁହାଯାଇଥିଲା, ‘‘ପଣ୍ଡିତ ଗୋପବନ୍ଧୁ ଓ ତାଙ୍କର ସହଯୋଗୀଗଣ ଜାତୀୟଭାବ ଜାଗରଣ ଓ ସମ୍ମିଳନୀର ଉଦ୍ଦେଶ୍ୟ ଉତ୍କଳ-ପ୍ରାଣରେ ଜାଗ୍ରତ କରିବା ଲାଗି ଯେଉଁ ତ୍ୟାଗ ସ୍ୱୀକାର କରି ବର୍ତ୍ତମାନ ଆନନ୍ଦରେ ଜେଲ ଭୋଗ କରୁଛନ୍ତି, ସେଥିଲାଗି ଏ ସମ୍ମିଳନୀ ଦୁଃଖପ୍ରକାଶ କରୁଚନ୍ତି ।’’ [ଓଡ଼ିଆ ଆନ୍ଦୋଳନର ଇତିହାସ-ପୃ : ୧୭୩] । ଏଥିରୁ ଜଣାଯାଏ ଗୋପବନ୍ଧୁ ନୀଳକଣ୍ଠଙ୍କର କଂଗ୍ରେସରେ ଯୋଗଦାନ ସତ୍ତ୍ୱେ ସେମାନଙ୍କ ପ୍ରତି ଉତ୍କଳ ସମ୍ମିଳନୀର ଗଭୀର ସହାନୁଭୂତି ଥିଲା ।

 

କାକିନଡ଼ା କଂଗ୍ରେସ ଅଧିବେଶନରେ ନୀଳକଣ୍ଠଙ୍କ ପ୍ରଚେଷ୍ଟା :

୧୯୨୩ ମସିହା ଡିସେମ୍ବରରେ କାକିନଡ଼ା କଂଗ୍ରେସ ଅଧିବେଶନରେ ନୀଳକଣ୍ଠ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଘେନି ପୁଣି ଉଦ୍ୟମ କଲେ । ତାଙ୍କରି ପ୍ରଚେଷ୍ଟାରେ ଅଧିବେଶନର ୫ମ ପ୍ରସ୍ତାବରେ କୁହାଗଲା, ‘‘ରାଜାଜୀଙ୍କ ଅଧ୍ୟକ୍ଷତାରେ ଆନ୍ଧ୍ର ଓ ଉତ୍କଳର ଦୁଇଜଣ ଲେଖାଏ ପ୍ରତିନିଧି ବସି ତା ୩୧।୩।୧୯୨୪ ପୂର୍ବରୁ ସୀମା-ବିବାଦ ନିଷ୍ପତ୍ତି କରନ୍ତୁ ।’’ ରାଜାଜୀ ତା ୧।୩।୨୪ ରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାରେ କଂଗ୍ରେସ ପକ୍ଷରୁ ରାଜେନ୍ଦ୍ରପ୍ରସାଦଙ୍କୁ ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଗଲା । ସେ ୧୯୨୪ ଜୁନମାସ ପୂର୍ବରୁ କିଛି କରିପାରିବେ ନାହିଁ ବୋଲି ଜଣାଇବାରୁ ସୀମା-ବିବାଦ ତୁଟି ପାରିଲା ନାହିଁ । କଂଗ୍ରେସ ପକ୍ଷରୁ ଆଉ ଏ ସୀମା-ବିବାଦ ଉଖାରିବାକୁ ଚେଷ୍ଟା ମଧ୍ୟ ହେଲା ନାହିଁ ।

 

କେନ୍ଦ୍ର ବ୍ୟବସ୍ଥାସଭାରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଉଦ୍ୟମ :

ପଣ୍ଡିତ ନୀଳକଣ୍ଠ ୧୯୨୪ ଜାନୁଆରୀରେ କେନ୍ଦ୍ର ବ୍ୟବସ୍ଥାସଭାରେ ଯୋଗଦେଲେ ଓ ବୈଧାନିକ ପନ୍ଥା ଅବଲମ୍ବନପୂର୍ବକ ସ୍ୱତନ୍ତ୍ରପ୍ରଦେଶ ଘେନି ବହୁ ପ୍ରଶ୍ନ ଉତ୍‌ଥାପନ କଲେ । ସେତେବେଳେ ସେ ଥିଲେ ସ୍ୱରାଜ୍ୟ ଦଳର ଆସେମ୍ବ୍ଲି ପାର୍ଟି ସେକ୍ରେଟେରୀ । ତେଣୁ ସେ ସ୍ୱରାଜ୍ୟ ଦଳକୁ ଧରି ସ୍ୱତନ୍ତ୍ରପ୍ରଦେଶ ଗଠନର ଉଦ୍ୟମ କଲେ । [ଉତ୍କଳ ଦୀପିକା ତା ୮-୩-୧୯୨୪] ନୀଳକଣ୍ଠ ଅନୁଭବ କଲେ ଯେ, ଭାଷାଭିତ୍ତିକ ପ୍ରଦେଶଗଠନ ନୀତି କଂଗ୍ରେସ ଗ୍ରହଣ କରିଥିଲେ ମଧ୍ୟ ପଡ଼ୋଶୀ ପ୍ରଦେଶମାନଙ୍କର ତୁଙ୍ଗ କଂଗ୍ରେସ ନେତାଙ୍କର ପ୍ରାଦେଶିକ ସଂକୀର୍ଣ୍ଣତା ଏଥିରେ ଅନ୍ତରାୟ ସୃଷ୍ଟି କରୁଚି । ତେଣୁ ଦ୍ୱିତୀୟ ଥରପାଇଁ କେନ୍ଦ୍ର ବ୍ୟବସ୍ଥାସଭାକୁ ନିର୍ବିାଚିତ ହେଲା ପରେ ସେ କେନ୍ଦ୍ର ଆସେମ୍ବ୍ଲିରେ ତା ୮-୨-୧୯୨୭ରେ ଏକ ବେସରକାରୀ ପ୍ରସ୍ତାବ ଆଗତ କରି ଏକ ଦୀର୍ଘ ବତ୍କୃତା ଦେଇଥିଲେ । ସେଥିରେ ସେ ବର୍ତ୍ତମାନ ପାଇଁ ସବୁ ଓଡ଼ିଆ ଅଞ୍ଚଳକୁ ମିଶାଇ ଗୋଟିଏ ପ୍ରଦେଶ ଅଧୀନରେ ରଖିବାକୁ ପ୍ରସ୍ତାବ କରିଥିଲେ ମଧ୍ୟ ବତ୍କୃତା ପ୍ରସଙ୍ଗରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ, ଓଡ଼ିଆ ଅଞ୍ଚଳକୁ ମିଶାଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ନକଲେ ଓଡ଼ିଆମାନେ ଶାନ୍ତ ହେବେ ନାଇଁ କି ଆନ୍ଦୋଳନରୁ କ୍ଷାନ୍ତ ହେବେ ନାଇଁ । ସେତିକିବେଳେ ଓଡ଼ିଶାର ଅନ୍ୟତମ ସଭ୍ୟ ଶ୍ରୀ ଭୁବନାନନ୍ଦ ଦାସ ସଂଶୋଧନ ପ୍ରସ୍ତାବ ଆଣି ବସିଲେ, ବିହାର ସହିତ ଓଡ଼ିଆ ଅଞ୍ଚଳ ସବୁ ମିଶାଇ ରଖିବାକୁ ହେବ । ଅନ୍ୟଥା ଆର୍ଥିକ ଦୁର୍ଗତି ମଧ୍ୟରେ ନୂତନ ଓଡ଼ିଶା ପ୍ରଦେଶ ଗଢ଼ିବା ଅସମ୍ଭବ । ଅନୁମାନ ହୁଏ, ସେ ସମୟରେ କଟକ ଓ ବାଲେଶ୍ୱର ଏକ ଗୋଷ୍ଠୀ ସ୍ୱତନ୍ତ୍ର ପ୍ରଦେଶ ଚାହୁଁ ନଥିଲେ । ସ୍ୱାଧୀନ ଭାରତ ପ୍ରତିଷ୍ଠାରେ ବାଧା ଉପୁଜିବା ଆଶଙ୍କା କରି ଓଡ଼ିଶାର ସ୍ୱତନ୍ତ୍ରୀକରଣ ବିରୋଧରେ ଶ୍ରୀ ନବକୃଷ୍ଣ ଚୌଧୁରୀ, ଶ୍ରୀ ନିତ୍ୟାନନ୍ଦ କାନୁନଗୋ ଓ ଶ୍ରୀ ହରେକୃଷ୍ଣ ମହତାବ ମତଦେଇ ଆସିଛନ୍ତି ବୋଲି ଶ୍ରୀ ମହତାବ ଲେଖିଛନ୍ତି । [ଦଶବର୍ଷର ଓଡ଼ିଶା-ପୃ: ୮୪-୮୫] ମନେହୁଏ । ସେ ଯାହାହେଉ ନୀଳକଣ୍ଠଙ୍କ ବେସରକାରୀ ପ୍ରସ୍ତାବରେ ଘରୋଇ ସଭ୍ୟ କୁଡ଼ିମ୍ୟାନ କହିଲେ, ‘‘There is much that can be done, that aught to be done in the interest of Oriyas.’’ ସରକାରଙ୍କର ଏତାଦୃଶ ସହାନୁଭୂତିସୂଚକ ଉତ୍ତର ଫଳରେ ନୀଳକଣ୍ଠ ବେସରକାରୀ ପ୍ରସ୍ତାବଟି ପ୍ରତ୍ୟାହାର କରିନେଲେ । ନୀଳକଣ୍ଠହିଁ ପ୍ରଥମେ ଏକ ସ୍ୱତନ୍ତ୍ରପ୍ରଦେଶ ପାଇଁ ଭାରତ ଦରବାରରେ ଯଥାଯଥ ଦାବୀ ଉପସ୍ଥାପିତ କରିଥିଲେ । ପଣ୍ଡିତ ଗୋପବନ୍ଧୁ ନୀଳକଣ୍ଠଙ୍କ ଏତାଦୃଶ ଉଦ୍ୟମର ଉଚ୍ଚ ପ୍ରଶଂସା କରି ୧୯-୨-୧୯୨୭ ତାରିଖରେ ‘ସମାଜ’ରେ ଏକ ଅଗ୍ରଲେଖ ଲେଖିଥିଲେ । ଗୋରା ଖବରକାଗଜ ‘ଷ୍ଟେଟସ୍‌ମ୍ୟାନ’ ନୀଳକଣ୍ଠଙ୍କ ଉପରୋକ୍ତ ବକ୍ତୃତା ଉଦ୍ଧାର କରି ଏକ ଅଗ୍ରଲେଖାରେ ଓଡ଼ିଆଙ୍କର ସ୍ୱତନ୍ତ୍ରପ୍ରଦେଶ ଦାବୀରେ ସହାନୁଭୂତି ପ୍ରକାଶ କରିଥିଲେ । ଏହି ସମୟରେ ୧୯୨୭ ଡିସେମ୍ବର ମାସରେ ମାନ୍ଦ୍ରାଜରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନ ଉପଲକ୍ଷେ ‘ବମ୍ବେ ସମାଚାର’ର କଂଗ୍ରେସ ସଂଖ୍ୟାରେ ‘‘Our Linguistic Provinces’ ବୋଲି ଗୋଟିଏ ଦୀର୍ଘ ପ୍ରବନ୍ଧ ନୀଳକଣ୍ଠ ଲେଖିଥିଲେ । ତାହା ସେକାଳେ କଂଗ୍ରେସ ନେତାମାନେ ବହୁଆଡ଼େ ବାଣ୍ଟିଥିଲେ । ଏଥିଘେନି ପଣ୍ଡିତ ଗୋପବନ୍ଧୁ ‘ସମାଜ’ରେ ଲେଖିଥିଲେ, ‘‘x x ଭାରତୀୟ ସଭ୍ୟତାର ସଂରକ୍ଷଣ, କ୍ରମୋନ୍ନତି ଓ ଭାରତୀୟ ସଭ୍ୟତାର ଦୃଢ଼ତା ସମ୍ପାଦନ ନିମନ୍ତେ ଭାଷା ଓ ସଭ୍ୟତା ସୂତ୍ରରେ ପ୍ରଦେଶ ବିଭାଜନର ଆବଶ୍ୟକତା ସେ ପ୍ରମାଣିଛନ୍ତି ଏବଂ ସରକାର ଏପରି ପ୍ରଦେଶ ଗଠନର ପକ୍ଷପାତୀ ନ ଥିବାର କାରଣ ମଧ୍ୟ ସେ ଭଲରୂପେ ଦେଖାଇଛନ୍ତି ।’’ [ସମାଜ - ତା ୧୪-୧-୧୯୨୮] ଏସବୁ ଉଦ୍ୟମ ଫଳରେ ଭାରତ ସରକାରଙ୍କ ତତ୍କାଳୀନ ଘରୋଇ ବିଭାଗ ସଭ୍ୟ ମୁଡ଼ିମ୍ୟାନ ସାହେବ ନୀଳକଣ୍ଠଙ୍କ ପାଖକୁ ଖଣ୍ଡିଏ ଚିଠିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦିଗରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ-

 

ଏ ସମ୍ବନ୍ଧରେ ଏକ ସାକ୍ଷାତ୍‌କାରରେ ତାଙ୍କ ସହ ପଣ୍ଡିତଜୀଙ୍କର ଯେଉଁସବୁ କଥାବାର୍ତ୍ତା ହୋଇଥିଲା, ନୀଳକଣ୍ଠଙ୍କୁ ‘ସାର୍‌’ ଉପାଧି ଯଚା ଯାଇଥିଲା, ତା’ର ସବିଶେଷ ବିବରଣୀ ନୀଳକଣ୍ଠ ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଯାଇଛନ୍ତି । [ନୀଳକଣ୍ଠ ଗ୍ରନ୍ଥାବଳୀ-୧ମ ଖଣ୍ଡ, ପୃ: ୯୭] ପୁଣି ୧୯୨୯ ମାର୍ଚ୍ଚ ୨୦ରେ ବଜେଟ ଉପରେ ଭାଷଣ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବୀକରି ଭାଷାଗତ ତଥା ସାଂପ୍ରଦାୟିକତା ଲାଗି ଇଂରେଜ ସରକାରଙ୍କୁ ନୀଳକଣ୍ଠ ଦାୟୀ କରିଥିଲେ ।

ମୁଖଲିଙ୍ଗ ସମ୍ମିଳନୀ :

୧୯୨୭ ଜୁନ ୧୬ ଓ ୧୭ ତାରିଖ ଦୁଇଦିନଧରି ଆନ୍ଧ୍ର ଗବେଷକମାନେ ମୁଖଲିଙ୍ଗରେ ‘କଳିଙ୍ଗ ଦିବସ’ ପାଳନ କରିଥିଲେ । ଆନ୍ଧ୍ରହିଁ କଳିଙ୍ଗ ସାମ୍ରାଜ୍ୟର ଉତ୍ତରାଧିକାରୀ ବୋଲି ସାବ୍ୟସ୍ତ କରିବା ଏହାର ଉଦ୍ଦେଶ୍ୟ ଥିଲା । ତା’ହେଲେ ଜୟପୁର ଓ ଗଞ୍ଜାମର ଚିଲିକା ପର୍ଯ୍ୟନ୍ତ ଅଞ୍ଚଳରେ ଓଡ଼ିଶାର ଦାବୀ ଆଉ ରହିବ ନାହିଁ । ତେଣୁ ଗଞ୍ଜାମର ନେତୃବୃନ୍ଦ ପଣ୍ଡିତ ନୀଳକଣ୍ଠଙ୍କୁ ଡକାଇ ପଠାଇଲେ । ନୀଳକଣ୍ଠ ଉପସ୍ଥିତ ହୋଇ ଜୁନ୍ ୧୬ ତାରିଖରେ ବତ୍କୃତା ଦେଲେ । ସେଥିରେ ପାରଳାର ଗଜପତି ରାଜା, ଜୟପୁର ରାଜା ବିକ୍ରମଦେବ ଓ ଶଶିଭୂଷଣ ରଥ ପ୍ରଭୃତି ଉତ୍କଳୀୟ ନେତୃବର୍ଗ ବିସ୍ମିତ ଓ ମୁଗ୍‌ଧ ହୋଇ ପଡ଼ିଥିଲେ । ଫଳରେ ଆନ୍ଧ୍ର ନେତାମାନେ ହତାଶ ଓ ନିରୁତ୍ତର ହୋଇ ପଡ଼ିଲେ । ଏହାର ବିସ୍ତୃତ ବିବରଣୀ, ସମ୍ମିଳନୀରେ ଉପସ୍ଥିତ ଥିବା ଡକ୍ଟର ସତ୍ୟନାରାୟଣ ରାଜଗୁରୁ ‘ପଣ୍ଡିତ ନୀଳକଣ୍ଠ ଓ ତାଙ୍କ ପ୍ରତିଭା’-(ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶନୀ)ରେ ପ୍ରଦାନ କରିଛନ୍ତି ।

 

ସର୍ବଦଳ ସମ୍ମିଳନୀରେ ନୀଳକଣ୍ଠଙ୍କ ଦାବୀ :

ଓଡ଼ିଶା କଂଗ୍ରେସ ନେତୃବର୍ଗଙ୍କ ଭିତରେ ନୀଳକଣ୍ଠଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଓଡ଼ିଶାର ଯୁକ୍ତିଯୁକ୍ତ ଦାବୀ ଭାରତ ଦରବାରରେ ଉପସ୍ଥାପିତ କରିବା ପାଇଁ ତାଙ୍କୁହିଁ ଓଡ଼ିଶା ପକ୍ଷରୁ ସବୁ ସମୟରେ ନିର୍ବାଚିତ କରାଯାଉଥିଲା । ସାଇମନ କମିସନକୁ କଂଗ୍ରେସ ୧୯୨୮ରେ ବର୍ଜନ କଲା । କଂଗ୍ରେସ ପକ୍ଷରୁ ନୂତନ ଶାସନଖସଡ଼ା ରଚନା ଲାଗି ଯେଉଁ ସର୍ବଦଳ ସମ୍ମିଳନୀ ବସିଲା, ନୀଳକଣ୍ଠ, ଭୁବନାନନ୍ଦ ଦାସ ଓ ରାଜକୃଷ୍ଣ ବୋଷ ଓଡ଼ିଶାର ଦାବୀ ଯଥାକ୍ରମେ ବମ୍ବେ ଓ ଲକ୍ଷ୍ନୋରେ ଉପସ୍ଥାପିତ କଲେ । ଶେଷରେ ୧୯୨୮ ଡିସେମ୍ବରରେ ସର୍ବଦଳ ସମ୍ମିଳନୀ ରିପୋର୍ଟ କଲିକତାରେ ଚୂଡ଼ାନ୍ତ ହେଲାବେଳେ ବିଷୟ ନିର୍ବାଚନ କମିଟିରେ ନୀଳକଣ୍ଠ ଓ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ବିଷୟରେ ଏକ ସଂଶୋଧନ ପ୍ରସ୍ତାବ ଆଣିଲେ । ସଭାପତି ପଣ୍ଡିତ ମୋତିଲାଲ ଏଥିଲାଗି ଅନୁମତି ଦେଲେନାହିଁ । ଏଥିରେ ବିମନା ହୋଇ ନୀଳକଣ୍ଠଙ୍କ ନେତୃତ୍ୱରେ ଓଡ଼ିଆମାନେ ସଭାମଣ୍ଡପ ଛାଡ଼ି ଚାଲିଆସିଲେ । ପରଦିନ କଲିକତା ରାଜଦାଣ୍ଡରେ ଓଡ଼ିଆଙ୍କର ଏକ ବିରାଟ ବିକ୍ଷୋଭ ପଟୁଆର ବାହାର କରାଗଲା । ପଣ୍ଡିତ ଜହରଲାଲ ଓ ସୁଭାଷ ବୋଷଙ୍କ ହସ୍ତକ୍ଷେପ ଫଳରେ ଏକ ସମାଧାନ ହେଲା । ଏ ରିପୋର୍ଟ, ଯାହାକି ‘ନେହେରୁ ରିପୋର୍ଟ’ ନାମରେ ପରିଚିତ, ସେଥିରେ ଯୋଗ କରାଗଲା ଯେ ଓଡ଼ିଆମାନେ ବ୍ୟୟଭାର ଗ୍ରହଣ କରିବାକୁ ଅଧିକ କର ଦେଲେ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଘେନି ଏକ ସ୍ୱତନ୍ତ୍ର ପ୍ରଦେଶ କରାହେବ ।

[ଓଡ଼ିଆ ଆନ୍ଦୋଳନର ଇତିହାସ-ପୃ: ୧୮୧]

 

ସ୍ୱତନ୍ତ୍ର ପ୍ରଦେଶ ଲାଗି ନୀଳକଣ୍ଠଙ୍କ କେତେକ ଉଲ୍ଲେଖନୀୟ ଉଦ୍ୟମ :

ନୀଳକଣ୍ଠ ଜେଲରୁ ମୁକ୍ତ ହେବା ପରେ ୧୯୩୧ ମାର୍ଚ୍ଚରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଏକ ବୈଠକ ତାଙ୍କ ଅଧ୍ୟକ୍ଷତାରେ ବସିଲା ଓ ଓଡ଼ିଶା ସୀମା ନିର୍ଣ୍ଣୟ ବିଷୟରେ ନିଃ ଉଃ କଃ କମିଟି ଅବହେଳା କରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରି ଏକ ପ୍ରସ୍ତାବ ଗୃହୀତ ହେଲା ।

 

କରାଚୀ ଅଧିବେଶନରେ ପଣ୍ଡିତ ନୀଳକଣ୍ଠ ୧୯୩୧ରେ ଯୋଗ ଦେଇଥିଲେ । ସେଠାରେ ତା ୩୧।୩।୩୧ରେ ସ୍ଥିର ହେଲା ୧୯୩୨ ରେ ଓଡ଼ିଶାରେ କଂଗ୍ରେସ ଅଧିବେଶନ ହେବ । ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱରେ ଓଡ଼ିଶା ପ୍ରତିନିଧିଗଣ ତା ୧।୪।୩୧ ରେ ସାକ୍ଷାତ କରିବାରେ ଗାନ୍ଧିଜୀ କହିଥିଲେ, ‘‘x x ମୁଁ ସ୍ଥିର କରିଛି ସର୍ବସାଧାରଣ ପ୍ରଦେଶ ଗଠନ ପୂର୍ବରୁ ଅଳ୍ପଦିନ ମଧ୍ୟରେ ଉତ୍କଳ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ହେବ । ଗୋଲଟେବୁଲରେ ଉତ୍କଳର ପ୍ରତିନିଧି ସ୍ୱରୂପ ମୁଁ ଏ କଥା ନିଜେ ଦାବୀ କରିବି।’’

[ଉତ୍କଳଦୀପିକା-୪।୪।୩୧] ।

 

ଓଡ଼ିଶାର ସୀମାଦାବୀ ଓଡ଼୍‌ନେଲ କମିଟି ଆଗରେ ଉପସ୍ଥାପିତ କରିବା ପାଇଁ ଓଡ଼ିଶାରେ କଂଗ୍ରେସ ଓ ବେକଂଗ୍ରେସ ଲୋକଙ୍କର ଗୋଟିଏ ସର୍ବଦଳ ସମ୍ମିଳନୀ ୧୯୩୧ ମେ ୨ ଓ ୩ ତାରିଖରେ ବସିଲା । ଏହି ସମ୍ମିଳନୀରେ ପଣ୍ଡିତ ନୀଳକଣ୍ଠ ସଭାପତି ନିର୍ବାଚିତ ହେଲେ । ଏଠାରେ ବିଚ୍ଛିନ୍ନାଞ୍ଚଳରେ ଜନମତ ସଙ୍ଗଠନ କରିବା ପାଇଁ ନୀଳକଣ୍ଠଙ୍କ ସଭାପତିତ୍ୱରେ ଗୋଟିଏ କମିଟି ଗଠିତ ହେଲା । ଏହାପରେ ପଣ୍ଡିତ ନୀଳକଣ୍ଠ ଗଞ୍ଜାମର ତୁଙ୍ଗ ନେତା ଶଶିଭୂଷଣ ରଥଙ୍କୁ ଧରି ବିଚ୍ଛିନ୍ନାଞ୍ଚଳରେ ବ୍ୟାପକ ଗସ୍ତ କଲେ ।

ଓଡ଼୍‌ନେଲ କମିଟି ଆଗରେ ସାକ୍ଷ୍ୟ ଦେବାଲାଗି ଉତ୍କଳ ପ୍ରାଦେଶିକ କଂଗ୍ରେସ କିମିଟି ପକ୍ଷରୁ ୧୫।୧୧।୩୧ରେ ଏକ ପ୍ରସ୍ତାବରେ ନୀଳକଣ୍ଠ ପ୍ରତିନିଧି ବଛାଗଲେ । କିନ୍ତୁ କଂଗ୍ରେସ ଶେଷ ମୁହୂର୍ତ୍ତରେ ଓଡ଼୍‍ନେଲ କମିଟିକୁ ବର୍ଜନ କରିବାରୁ ନୀଳକଣ୍ଠ ଏଥିଲାଗି ଜାମସେଦପୁର ଯାଏ ଯାଇ ଗୋଟିଏ ସୁଚିନ୍ତିତ ମେମୋରେଣ୍ଡମ ନେଇ ଯାଇଥିଲେହେଁ କମିଟି ପାଖରେ ସାକ୍ଷ୍ୟ ଦେଇନପାରି ଫେରି ଆସିଲେ । ସେହି ସମୟରେ କଂଗ୍ରେସ ବେଆଇନ ଘୋଷିତ ହେଲା । ନୀଳକଣ୍ଠ ପୁରୀଠାରେ ଗିରଫ ହେଲେ । ସେ ଜେଲ୍‌ରେ ଥିବାବେଳେ ୨୪।୧୨।୩୨ରେ ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶ ଗଠନର ଘୋଷଣା ପ୍ରକାଶ ପାଇଲା । ଦୁଃଖର ବିଷୟ, ଓଡ଼୍‍ନେଲ କମିଟି ରିପୋର୍ଟରେ ଗଞ୍ଜାମରୁ ପାରଳାଖେମୁଣ୍ଡି, ମଞ୍ଚୁଷା, ଟିକିଲି ପ୍ରଭୃତି ଓଡ଼ିଆ ଅଞ୍ଚଳ ସମେତ ଆଧୁନିକ କୋରାପୁଟ ଜିଲ୍ଲା, ସିଂହଭୂମି, ଧଳଭୂମି ଓ ମେଦିନାପୁର ଅଞ୍ଚଳକୁ ଏହି ପ୍ରସ୍ତାବିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରୁ ବାଦ୍‌ ଦିଆଗଲା । ତେଣୁ ୧୯୩୩ ମାର୍ଚ୍ଚ ୮ ତାରିଖରେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଯେଉଁ ‘ଶ୍ୱେତପତ୍ର’ ପ୍ରକାଶ ପାଇଲା, ସେଥିରେ ଓଡ଼ିଆମାନେ ହତାଶ ହେଲେ ।

୧୭।୯।୩୩ରେ ନୀଳକଣ୍ଠଙ୍କ ନେତୃତ୍ୱରେ ଭୁବନାନନ୍ଦ ଦାସ, ବିଶ୍ୱନାଥ ମିଶ୍ର, ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ୧୪ ଜଣ ସଭ୍ୟ ସିମଲାଠାରେ ବଡ଼ଲାଟ ଲର୍ଡ଼ ଇରଉଇନଙ୍କୁ ସାକ୍ଷାତ କରି ଓଡ଼ିଶାର ସୀମା ସମ୍ବନ୍ଧରେ ପୁନର୍ବିଚାର ଲାଗି ଦାବୀ ଉପସ୍ଥାପିତ କଲେ । ଏହା ଫଳରେ ଓଡ଼ିଆଙ୍କ ଦାବୀର ପୁନର୍ବିଚାର ପାଇଁ ଅଟଲି ସବ୍‌କମିଟି ଗଠିତ ହେଲା ।[ପଣ୍ଡିତ ନୀଳକଣ୍ଠ ଓ ତାଙ୍କ ପ୍ରତିଭା-ଡକ୍ଟର ସତ୍ୟନାରାୟଣ ରାଜଗୁରୁ-ପ୍ରକାଶକ : ଉତ୍କଳ ବିଶ୍ୱବିଦ୍ୟାଳୟ-ପୃ : ୨୫-୨୬]

ଏ ମଧ୍ୟରେ ପାରଳା ମହାରାଜାଙ୍କ ଉଦ୍ୟମରେ କଟକରେ ଏକ ସର୍ବଦଳ ସମ୍ମିଳନୀ ବସିଲା । ମଧୁବାବୁଙ୍କ ପରାମର୍ଶରେ ଉତ୍କଳ କଂଗ୍ରେସର ପ୍ରତିନିଧି ରୂପେ ନିମନ୍ତ୍ରିତ ହୋଇ ନୀଳକଣ୍ଠ ଏଥିରେ ଯୋଗ ଦେଲେ । ଏଠାରେ ଓଡ଼ିଶାର ଦାବୀ ଘେନି ଗୋଟିଏ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେଲା ।

ଉପସଂହାର :

ଏ ସବୁରୁ ଦେଖାଯାଏ ନୀଳକଣ୍ଠ ଛାତ୍ରଜୀବନରୁ ବିଚ୍ଛିନ୍ନାଞ୍ଚଳ ଓ ବିଦେଶୀ ବର୍ଜନର ଦୀକ୍ଷାରେ ବ୍ରତୀ ହୋଇଥିଲେ । ତେଣୁ ସତ୍ୟବାଦୀର ଶିକ୍ଷକଜୀବନରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ମିଳନୀ କାର୍ଯ୍ୟକୁ ଜାତୀୟ କାର୍ଯ୍ୟରୂପେ ସେ ଗ୍ରହଣ କରି ନେଇଥିଲେ । ବିଚ୍ଛିନ୍ନାଞ୍ଚଳରେ ଗାଁ ଗହଳି ବୁଲି ଓଡ଼ିଆ ଜନମତକୁ ଜାଗ୍ରତ କରିବା ପାଇଁ ସେ ବହୁ କାର୍ଯ୍ୟ କରିଥିଲେ । କେନ୍ଦ୍ର ବ୍ୟବସ୍ଥାସଭାଠାରୁ ଭାରତର ବିଭିନ୍ନ ପତ୍ରପତ୍ରିକାରେ ଆଲୋଚନା ମାଧ୍ୟମରେ ଓଡ଼ିଶାପ୍ରଦେଶ ଗଠନର ଉପାଦେୟତା ପ୍ରମାଣ କରିଥିଲେ । ବସ୍ତୁତଃ ସ୍ୱତନ୍ତ୍ର ପ୍ରଦେଶ ଘେନି ମନସ୍ୱୀ ମଧୁସୂଦନଙ୍କର ପ୍ରାରମ୍ଭିକ ପ୍ରଚେଷ୍ଟା ଗୋପବନ୍ଧୁ, ନୀଳକଣ୍ଠଙ୍କର ଉଦ୍ୟମ ଫଳରେ ଜାତୀୟ-ଜୀବନ-ସ୍ରୋତରେ ମିଶି ପାରିଥିଲା । ଗୋପବନ୍ଧୁଙ୍କ ପରେ ନୀଳକଣ୍ଠ କଂଗ୍ରେସ ପକ୍ଷରୁ ଭାରତର ବିଭିନ୍ନ ପ୍ରଦେଶର ପୁନର୍ବିନ୍ୟାସ ଘେନି କେନ୍ଦ୍ରସରକାରଙ୍କଠାରେ ଦାବୀ ଉପସ୍ଥାପିତ କରି ସମସ୍ୟାଟିର ରାଜନୀତିକ ସମାଧାନହିଁ ପ୍ରକୃଷ୍ଟ ପନ୍ଥା ବୋଲି ପ୍ରମାଣ କରିପାରିଥିଲେ । ଫଳରେ ଗୋଲଟେବୁଲ ବୈଠକରେ ପାରଳା ମହାରାଜାଙ୍କ ପକ୍ଷରୁ ଓଡ଼ିଶାର ଦାବୀର ଯଥାର୍ଥତା ପ୍ରମାଣ କରିବାର ପଥ ସୁଗମ ହୋଇଥିଲା । ସ୍ୱତନ୍ତ୍ରପ୍ରଦେଶ ଘୋଷଣା ହେବାର ପ୍ରାୟ ଦୁଇବର୍ଷ ପରେ ମଧୁବାବୁ ସ୍ୱର୍ଗାରୋହଣ କଲେ । ନୀଳକଣ୍ଠଙ୍କର ଏତାଦୃଶ ସାଧନାରେ ସେ ଅତ୍ୟନ୍ତ ପ୍ରୀତ ହୋଇଥିଲେ, ତେଣୁ ମୃତ୍ୟୁଶଯ୍ୟାରେ ନୀଳକଣ୍ଠଙ୍କୁ ଡକାଇ କେତେକ ରାଜନୀତିକ କର୍ମୀଙ୍କ ସମ୍ମୁଖରେ ମଧୁବାବୁ ତାଙ୍କୁ ତାଙ୍କର ଯଥାର୍ଥ ରାଜନୀତିକ ଉତ୍ତରାଧିକାରୀରୂପେ ମନୋନୀତ କରିଥିଲେ । ଏଥିଲାଗି ସ୍ୱତନ୍ତ୍ରପ୍ରଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀରେ ପଣ୍ଡିତ ନୀଳକଣ୍ଠଙ୍କୁ ତାଙ୍କର ମହନୀୟ କାର୍ଯ୍ୟ ଲାଗି ଓଡ଼ିଆମାନେ ନିଶ୍ଚିତଭାବେ ସ୍ମରଣ କରିବେ ।

 

ଉତ୍କଳ ତନୟେ ଦିଅ ନବ ବଳ

ଉତ୍କଳ ପାଦପେ ରସମୟ ଫଳ

ଉତ୍କଳ ସରିତେ ପବିତ୍ର ଜୀବନ

ଉତ୍କଳ କାନନେ ସ୍ୱର୍ଗୀୟ ସୁମନ

ଉତ୍କଳ ଆକାଶେ ନବ ଯଶଃ ରବି

ଉତ୍କଳ ପ୍ରକୃତି ଧରୁ ନବ ଛବି ।

-ଉତ୍କଳମଣି ଗୋପବନ୍ଧୁ

***

 

ବିଂଶ ଶତାବ୍‌ଦୀର ପ୍ରଥମ ଦଶକରେ ଭାରତର କେତେକ ଉନ୍ନତତର ପ୍ରଦେଶରେ ଭାରତୀୟ ଜାତୀୟତାର ଦ୍ରୁତ ହୃତ୍‌ସ୍ପନ୍ଦନ ଖେଳୁଥିବାବେଳେ ଓଡ଼ିଆମାନେ ଭାରତ ତଥା ବିଶ୍ୱ ମାନଚିତ୍ରରେ ସେମାନଙ୍କର ଅବସ୍ଥିତି ଖୋଜି ବୁଲୁଥିଲେ । ଇତିହାସର ଘୂର୍ଣ୍ଣିରେ ପେଷି ହୋଇଯାଇ ଗଜପତିଶାସିତ ଏକ ବିରାଟ ସାମ୍ରାଜ୍ୟ ଓ ତା’ର ଉତ୍କଳ ଭାଷାଭାଷୀ ଜନସମୂହ ବ୍ରିଟିଶଶାସିତ ଭାରତରେ ବିଭିନ୍ନ ପ୍ରଦେଶରେ ବିଚ୍ଛିନ୍ନ ହୋଇପଡ଼ି ପୁନର୍ମିଳନର ସ୍ୱପ୍ନ ଦେଖୁଥିଲେ । ଏଇ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ସେଇ ସମୟର ପ୍ରାକୃତିକ ଉତ୍କଳର ସର୍ବତ୍ର ଯେଉଁ ଜନଜାଗରଣ ଦେଖା ଦେଇଥିଲା ତାହା ବାସ୍ତବ ରୂପ ପାଇଥିଲା ୧୯୦୩ରେ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ‘ଉତ୍କଳ ସମ୍ମିଳନୀ’ରେ ।

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗୋଦାବରୀଶଙ୍କ ଭୂମିକା

ଡକ୍ଟର ଶ୍ୟାମସୁନ୍ଦର ମିଶ୍ର

ପୃଷ୍ଠଭୂମି:

ସେତେବେଳେ ସମଗ୍ର ଉତ୍କଳରେ ଜାତୀୟତା କହିଲେ ବୁଝାଯାଉଥିଲା ଉତ୍କଳପ୍ରେମ ଓ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ-ମହାଭାରତୀୟ ଚେତନା ଥିଲା ଗୌଣ । ସେଇ ଉତ୍କଳପ୍ରୀତି ଏ ଅଞ୍ଚଳର ରାଜନୀତି, ସାହିତ୍ୟ, ସମାଜସେବା ପ୍ରଭୃତି ସମସ୍ତ ପ୍ରଚେଷ୍ଟାକୁ ପ୍ରଭାବିତ କରୁଥିଲା । ବାଣପୁରର ଶ୍ରୀନିବାସପୁର ଶାସନର ଜଣେ ଦରିଦ୍ର ପୁରୋହିତଙ୍କ ପୁତ୍ର ଗୋଦାବରୀଶ ସେତେବେଳେ ଥିଲେ ନବଯୁବକ । କିନ୍ତୁ ସେତିକିବେଳୁହିଁ ତାଙ୍କ ତରୁଣ ମନର ଅରଣ୍ୟରେ ଜାତିପ୍ରୀତିର ଦାବାଗ୍ନି ପ୍ରଜ୍ଜ୍ୱଳିତ ଥିଲା ।

 

ଜୀବନ ଓ ବ୍ୟକ୍ତିତ୍ୱ :

ଦୁଃସ୍ଥ ପରିବାରର ସନ୍ତାନ ହେଲେ ମଧ୍ୟ ଗୋଦାବରୀଶ ବାଲ୍ୟକାଳରୁ ଥିଲେ ଅସାଧାରଣ ପ୍ରତିଭାବାନ୍‌ ଓ ଅସମ୍ଭବ ଦୃଢ଼ଚେତା । ତାଙ୍କ ଏଇ ମାନସିକ ଶକ୍ତିର ସୂଚନା ଦେଇଛନ୍ତି ପଣ୍ଡିତ ନୀଳକଣ୍ଠ, ଯାହାଙ୍କୁ ଗୋଦାବରୀଶ ଛାତ୍ରାବସ୍ଥାରୁହିଁ ଜ୍ୟେଷ୍ଠଭ୍ରାତାର ଶ୍ରଦ୍ଧା ଓ ସମ୍ମାନ ଜଣାଇ ଆସିଛନ୍ତି । ଗୋଦାବରୀଶଙ୍କ ଶିକ୍ଷକ ଚନ୍ଦ୍ରମୋହନ ମହାରଣା ଓ ମହାମହୋପାଧ୍ୟାୟ ସଦାଶିବ ମିଶ୍ରଙ୍କୁ ସଚେତ କରାଇ ଦେଇ ନୀଳକଣ୍ଠ କହିଥିଲେ- ‘‘ଗୋଦାବରୀଶ ବାଳକ ହେଲେ ମଧ୍ୟ ଆପଣ ତାକୁ ସାଧାରଣ ବାଳକ ବୋଲି ଭାବିବେ ନାଇଁ । ତା’ ଭିତରେ ଏପରି କିଛି ଅଛି ହୁଏତ ସେ ଦିନେ ଖୁବ୍‌ ବଡ଼ ମଣିଷ ହେବ । ଆପଣ ଏକଥା ମନେରଖି ତା’ ପ୍ରତି ବ୍ୟବହାର କରନ୍ତୁ । ତା’ ନହେଲେ ପରେ ହୁଏତ ଅନୁତାପ କରିବେ । (୧)

 

(୧) ନୀଳକଣ୍ଠ ଆତ୍ମଜୀବନୀ-ଗୋଦାବରୀଶ ସ୍ମରଣେ ।

 

ତାଙ୍କ ସଂଗ୍ରାମଶୀଳ ବ୍ୟକ୍ତିତ୍ୱର ଚିତ୍ର ଆମେ ପାଉ ତାଙ୍କ ସ୍କୁଲ, କଲେଜ ଓ କଲିକତାରେ ସ୍ନାତକୋତ୍ତର ଶିକ୍ଷା ସମୟରେ, ଯାହାକୁ ସେ ଆତ୍ମଜୀବନୀରେ ନିଖୁଣଭାବରେ ପରିବେଷଣ କରିଯାଇଛନ୍ତି । କଲିକତାରୁ ଏମ: ଏ: ଶିକ୍ଷା ସମାପ୍ତ କରିବା ପରେ ପରେ ସେ ସମୟର ସୁଯୋଗ ଓ ବ୍ୟବସ୍ଥା ଅନୁଯାୟୀ ବିପୁଳ ବେତନର ଉଚ୍ଚଚାକିରୀ ଓ ସୁସ୍ଥ, ସୁପ୍ରତିଷ୍ଠିତ, ନିରୁଦ୍‌ବିଗ୍ନ ଜୀବନଧାରା ତାଙ୍କୁ ହାତଠାରି ସ୍ୱାଗତ ଜଣାଉଥିଲା । କିନ୍ତୁ ଠିକ୍‌ ସେତିକିବେଳେ ଉତ୍କଳମଣି ଗୋପବନ୍ଧୁଙ୍କ ଯାଦୁକରୀ ବ୍ୟକ୍ତିତ୍ୱର କାଉଁରିକାଠି ତାଙ୍କୁ ସ୍ପର୍ଶ କରିଦେଲା । ସେ ଉଚ୍ଚ ଚାକିରୀ ଓ ସୁସ୍ଥ ଜୀବନର ମୋହ ତ୍ୟାଗକରି ଚାଲି ଆସିଥିଲେ ଶିକ୍ଷକତା ଓ ଦେଶସେବାର ଲକ୍ଷ୍ୟରେ ।

 

ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ହେଉଛି ପ୍ରଚଣ୍ଡ ବୌଦ୍ଧିକତା ସାଙ୍ଗକୁ ସୂକ୍ଷ୍ମ ରସବୋଧ । ଏହି ଦିଗଟି ସଂପର୍କରେ ପଣ୍ଡିତ ନୀଳକଣ୍ଠ ଆମକୁ ସୂଚନା ଦେଇଛନ୍ତି-‘‘x x ଇଂରେଜୀରେ ଯାହାକୁ humour କହନ୍ତି ସେଇଆକୁ ମୁଁ କହୁଚି ବ୍ୟବହାରରେ ରସିକତା । ତାଙ୍କର (ଗୋଦାବରୀଶଙ୍କ) ପ୍ରତ୍ୟେକ ଦୈନନ୍ଦିନ ବ୍ୟବହାର ଓ କଥାବାର୍ତ୍ତା ଏଇ ରସିକତାରେ ପୂର୍ଣ୍ଣଥିଲା; କିନ୍ତୁ ତାଙ୍କୁ ଜାଣିବା, ଅନୁଭବ କରିବା ପାଇଁ ଯେଉଁ ଉପାଦାନ ଦରକାର ତା’ ହୁଏତ ଅନେକଙ୍କର ନଥିଲା, କିମ୍ବା ସେ ନିଜେ କହିଲାବେଳେ କଥାରେ ରସିକତା ଅଛି ବୋଲି କୌଣସି ଭାବ ବା ଅଭିବ୍ୟକ୍ତି ପ୍ରକାଶ କରୁ ନଥିଲେ । ଏହା ତାଙ୍କର ଗୋଟିଏ ଅଦ୍ୱିତୀୟ ଗୁଣ, ଖାଲି ଗୁଣ କାହିଁକି, ଏ ଶକ୍ତି ମଧ୍ୟ ଥିଲା ତାଙ୍କର ଅସାମାନ୍ୟ ।

 

ଆଳାପ, ଆହାର ଓ ବ୍ୟବହାରରେ ସେ ଥିଲେ ଅତି ଉନ୍ନତ ଓ ସଦାଚାରୀ, ଯାହାକୁ ଇଂରେଜୀରେ କହନ୍ତି ‘Perfect gentleman’, ସେ ଥିଲେ ସେଇୟା । ମୋର ଯେତେଦୂର ମନେହୁଏ, କେବେ କେଇ ତାଙ୍କ ସଙ୍ଗେ ଆଳାପ କରି ବିମୁଖ ହୋଇ ଫେରିନାଇ । ସମାଲୋଚନା କରି ବହୁତ କଥା ସେ କହନ୍ତି । ତୀବ୍ରତା ଓ ରୂଢ଼ତା ସେଥିରେ ନଥାଏ ନୁହେ; କିନ୍ତୁ ସାଧାରଣରେ ତା’ ଦେଖିପାରିବା ଭଳି ଜିନିଷ ନୁହେଁ । ଅନ୍ୟ ସମ୍ବନ୍ଧରେ କଥା କହିଲାବେଳେ ଏ ତୀବ୍ରତା ଓ ରୂଢ଼ତା ଅନେକବେଳେ ହଠାତ୍ ବାହାରକୁ ଜଣା ପଡ଼େନାହିଁ । ଜଣା ପଡ଼ିଲେ ମଧ୍ୟ ସେସବୁ ପ୍ରକାଶରେ ଅତି ମଧୁର ଓ କୌତୁହଳ-ଉଦ୍ଦୀପକ । ବୁଝିବାପାଇଁ ସେଥିରେ ବହୁତ ବୁଦ୍ଧି ବିଚକ୍ଷଣତା ମଧ୍ୟ ଦରକାର ।’’ (୨)

 

(୨) ନୀଳକଣ୍ଠ ଆତ୍ମ ଜୀବନୀ-ଗୋଦାବରୀଶ ସ୍ମରଣେ ।

 

ଜାତୀୟତାର ବାର୍ତ୍ତାବହ :

କଲିକତାରୁ ଏମ. ଏ. ଶିକ୍ଷା ସମାପ୍ତ କରି ଗୋଦାବରୀଶ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା କଲେ । ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁଙ୍କ ବ୍ୟତୀତ ସେଠାରେ ଗୋଦାବରୀଶଙ୍କ ସହକର୍ମୀ ଥିଲେ ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ଏବଂ ଆଉ କେତେକ କର୍ମୀ, ସାହିତ୍ୟିକ ଓ ସଂଗଠକ । ସତ୍ୟବାଦୀର ଏହି ଗୋଷ୍ଠୀଟି ଥିଲେ ଉତ୍କଳୀୟ ଜାତୀୟତାର ପ୍ରତୀକ । ଏଠାରେ ପ୍ରତ୍ୟେକ ଶିକ୍ଷକ ଥିଲେ ସାରସ୍ୱତ-ପ୍ରତିଭାଧର । ସାହିତ୍ୟର ଭିନ୍ନ ଭିନ୍ନ ବିଭାଗରେ ନିଜ ନିଜ ରୁଚି ଅନୁଯାୟୀ ଲେଖନୀ ଚାଳନା କରୁଥିଲେ ମଧ୍ୟ ସମସ୍ତଙ୍କ ରଚନା ମଧ୍ୟରେ ମୂଳ ସ୍ରୋତ ସମାନ ରହିଥିଲା-ତାହା ହେଉଛି ଓଡ଼ିଆ ପ୍ରୀତି । କୃପାସିନ୍ଧୁ ଐତିହାସିକ ଗବେଷଣା ମାଧ୍ୟମରେ, ପଣ୍ଡିତ ନୀଳକଣ୍ଠ ପ୍ରବନ୍ଧ ଓ ଆଲୋଚନା ମାଧ୍ୟମରେ ଓଡ଼ିଶାର ମୌଳିକ ବିଶେଷତ୍ୱ ପ୍ରଦର୍ଶନ କରାଇବାରେ ମନୋନିବେଶ କଲାବେଳେ ଗୋଦାବରୀଶ କବିତା, ନାଟକ ଓ ଉପନ୍ୟାସ ରଚନା ମାଧ୍ୟମରେ ଓଡ଼ିଶାରେ ଜାତୀୟତାର ସ୍ପନ୍ଦନ ଖେଳାଇଲେ । ଏହି ସ୍ପନ୍ଦନ ଯାହାକୁ ସ୍ପର୍ଶ କଲା ତାକୁ ଉଦ୍‌ବୁଦ୍ଧ କଲା । ଏହି ସମୟରେ ସତ୍ୟବାଦୀ ବନବିଦ୍ୟାଳୟ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିର ପ୍ରାଣରେ ଉତ୍କଳ ପ୍ରୀତିର ସଂକ୍ରମଣ ଦେଖାଗଲା । ପରବର୍ତ୍ତୀ ସାହିତ୍ୟିକ ଗୋଦାବରୀଶ ମହାପାତ୍ର (ନିଆଁ ଖୁଣ୍ଟାର ସମ୍ପାଦକ) ଗୋବିନ୍ଦଚନ୍ଦ୍ର ତ୍ରିପାଠୀ, ଜଗବନ୍ଧୁ ସିଂହ, ପଦ୍ମଚରଣ ପଟ୍ଟନାୟକ ପ୍ରଭୃତି ସେହି ମନ୍ତ୍ରରେ ଦୀକ୍ଷିତ ହୋଇ ଓଡ଼ିଆ ଜାତି ଓ ସମାଜରେ ଜାତୀୟତାର ପ୍ଲାବନ ଘଟାଇଥିଲେ । କୃପାସିନ୍ଧୁ ଓଡ଼ିଆଙ୍କୁ ପ୍ରାଚୀନ ଉତ୍କଳର ଗୌରବାବହ ଐତିହାସିକ ପରମ୍ପରା ପ୍ରଦର୍ଶନରେ, ନୀଳକଣ୍ଠ ଉତ୍କଳୀୟ ଦର୍ଶନବାଦ ଓ ଧର୍ମଧାରାର ଗୌରବ ସମ୍ପାଦନରେ, ଗୋବିନ୍ଦଚନ୍ଦ୍ର ତ୍ରିପାଠୀ, ଜଗବନ୍ଧୁ ସିଂହ ଓ ପଦ୍ମଚରଣ ଉତ୍କଳୀୟ ସାମାଜିକ ପରମ୍ପରା ଓ ରୀତିନୀତିର ଉତ୍କର୍ଷ ପ୍ରତିପାଦନରେ ଯେଉଁ ସାରସ୍ୱତ ଆନ୍ଦୋଳନ ଗଢ଼ିତୋଳିଥିଲେ ତାହାର ବୀଜମନ୍ତ୍ର ଦେଇଥିଲେ ଗୋଦାବରୀଶ ତାଙ୍କର ନାଟକ, କବିତା ଓ ଉପନ୍ୟାସ ମାଧ୍ୟମରେ । ଅଷ୍ଟାଦଶ ଶତକରେ ଅତ୍ୟାଚାରୀ ରାଜତନ୍ତ୍ର କବଳରୁ ମୁକ୍ତି ପାଇଁ ଲେଖନୀ ମାଧ୍ୟମରେ ଡାକରା ଦେଇ ଫରାସୀ ଜନତାକୁ ରୁଷୋ, ଭଲଟାୟାର ପ୍ରଭୃତି ଯେପରି ପ୍ରେରଣା ଦେଇଥିଲେ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ନିଷ୍ପ୍ରାଣ, ଆତ୍ମବିସ୍ମୃତ ଓଡ଼ିଆମାନଙ୍କୁ ଜାଗୃତ କରିବାରେ ସତ୍ୟବାଦୀ ସାହିତ୍ୟିକ ମଣ୍ଡଳୀର ଅବଦାନ ଥିଲା ଅନୁରୂପ ଏବଂ ଠିକ୍‌ ସେତିକିବେଳେ ଓଡ଼ିଆ ଜାତିର ଆଦ୍ୟ ଜାତୀୟ ସଙ୍ଗୀତ ଝଂକୃତ ହୋଇ ଉଠିଥିଲା-

 

ତୁଙ୍ଗ ଶିଖରୀ ଚୂଳ

କୁଞ୍ଜ କାନନ ମାଳ

ପୁଣ୍ୟ ଜଳଧି ଜଳ ଖେଳି ଉଠେ ସଘନେ,

ପ୍ରାଚୀ ଗଗନ ଶିରେ

ଭାସି କନକ ନୀରେ

ଆସ ତପନ ଉଇଁ ଏ ଉତ୍କଳ ଭୁବନେ । (୩)

 

(୩) ଗୀତିଗୁଚ୍ଛ-ଗୋଦାବରୀଶ

 

ଭାରତୀୟ ଜାତୀୟ ମାନଚିତ୍ରରେ ଓଡ଼ିଶାର ସ୍ଥାନ ଯେ ନଗଣ୍ୟ, ଆପାଙ୍‌କ୍ତେୟ ସେ କଥା ହୃଦୟଙ୍ଗମ କରି କବି ରାଧାନାଥ ଦିନେ ସରସ୍ୱତୀଙ୍କ ପ୍ରତି ଅଭିମାନ କରି ଲେଖିଥିଲେ-

 

କ୍ଷୁଦ୍ର ଶିପ୍ରା ସ୍ରୋତ ବିଖ୍ୟାତ ଜଗତେ

ମହାନଦୀ ନାମ ରହିଲା ଗୁପତେ !

ସୁରୂପା ଅଂଶୁପା ଲୋକେ ଅଗୋଚର

ପୂଜାସ୍ପଦ ହେଲା ଗୋଷ୍ପଦ ପୁଷ୍କର !

ତୋ’ କୃପା ବିହୁନେ ଉତ୍କଳ ମାତାର

ନାମେ ଖ୍ୟାତିଗ୍ରନ୍ଥେ ପଡ଼ିନାହିଁ ଗାର । (୪)

 

(୪) ଚିଲିକା-ରାଧାନାଥ

 

କେବଳ ପ୍ରକୃତିର ନୈସର୍ଗିକତା ବା ଭୌଗୋଳିକ ଗୁରୁତ୍ୱ ନୁହେଁ ଓଡ଼ିଶାର ଗୌରବାବହ ସାମରିକ ଇତିହାସ, ଓଡ଼ିଆ ବୀରମାନଙ୍କର ଦିଗ୍‌ବିଜୟ ଗାଥା ମଧ୍ୟ ସର୍ବଭାରତୀୟ ଇତିହାସରେ ଗୌଣ ଓ ଅବହେଳିତ । ଆକ୍ରମଣକାରୀ ଗ୍ରୀକ୍‌ମାନଙ୍କ କବଳରୁ ଭାରତକୁ ରକ୍ଷା କରିଥିବା ଖାରବେଳଙ୍କ କୀର୍ତ୍ତି ଜାତୀୟ ଇତିହାସରେ ଯଥୋଚିତ ସ୍ଥାନ ଲାଭ କରିନାହିଁ । ମଧ୍ୟଯୁଗରେ ବହୁ ଶତାବ୍ଦୀଧରି ଆଫଗାନ ଓ ମୋଗଲ ଆକ୍ରମଣରୁ ଓଡ଼ିଶାର ସୀମା ଓ ସମୃଦ୍ଧିକୁ ରକ୍ଷା କରିଥିବା ଓ ସେଥିପାଇଁ ପ୍ରାଣପାତ କରିଥିବା ଓଡ଼ିଆ ରାଜବଂଶୀୟଙ୍କ ନାମ ମଧ୍ୟ ଭାରତୀୟ ଇତିହାସରେ ଅଙ୍କିତ ହୋଇନାହିଁ କିମ୍ବା ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ନିର୍ଯ୍ୟାତିତ ଭାବରେ ପ୍ରାଣପାତ କରିଥିବା ଜୟୀ ରାଜଗୁରୁ ପ୍ରଭୃତିଙ୍କ ନାମକୁ ମଧ୍ୟ ଭାରତୀୟ ଇତିହାସକାରମାନେ ସଂଗ୍ରାମୀ ତାଲିକାରେ ଲିପିବଦ୍ଧ କରିବାର ଇଚ୍ଛା କରିନାହାନ୍ତି । ଓଡ଼ିଶାର ଏଇ ଅଭାବକୁ ଗୋଦାବରୀଶ ମର୍ମେ ମର୍ମେ ଉପଲବ୍‌ଧି କରିଥିଲେ । ଜାତୀୟ ଆଦର୍ଶ, ଆତ୍ମସମ୍ମାନବୋଧ ଓ ଐତିହାସିକ ଗୌରବ ନଥିଲେ କୌଣସି ଜାତି ପ୍ରାଣରେ ସଂଗଠନର ସ୍ପୃହା ଜାଗ୍ରତ ହୁଏନାହିଁ । ସେଥିପାଇଁ ରାଜା ପୁରୁଷୋତ୍ତମ ଦେବ ଓ ମୁକୁନ୍ଦଦେବ ପ୍ରଭୃତିଙ୍କୁ ଚରିତ୍ର କରି ଯେଉଁ ନାଟକମାନ ସେ ରଚନା କରିଥିଲେ ସେଇଥିରେ ସେ ହୃତ ଗୌରବ ଓଡ଼ିଶାର ଉତ୍‌ଥାନ ପାଇଁ ବୀର ରସର ମହାମନ୍ତ୍ର ଗାଇଥିଲେ-

 

ରଂଜିତ ଅସିଧାରେ ଶତ୍ରୁରକ୍ତ ଗାରେ

ଲେଖହେ ଆଜି ବିଜୟ ବିଭବ ଜନ୍ମଭୂମି ଭାଲେ

ନିର୍ମଳ ଆଜି ଧ୍ୱାନ୍ତ ଗଗନ, ବର୍ଷେ ତପନ ପୁଣ୍ୟ କିରଣ

ଶତ୍ରୁ ଆଜି ଦଳିତ ଚରଣେ ଛିନ୍ନ ଏ କରବାଳେ । (୫)

 

(୫) ପୁରୁଷୋତ୍ତମ ଦେବ ନାଟକ-ଗୋଦାବରୀଶ

 

ତାଙ୍କର ‘ଆଲେଖିକା’ କବିତାଗୁଚ୍ଛରେ ପ୍ରାକୃତିକ ଓଡ଼ିଆ ଅଞ୍ଚଳର ଐତିହାସିକ ଓ କାଳ୍ପନିକ ବିଷୟବସ୍ତୁକୁ ଭିତ୍ତିକରି ସେ ଯେଉଁ ଗାଥା କବିତାମାନ ରଚନା କରିଛନ୍ତି ଓ ଓଡ଼ିଶାର ସାମରିକ ଗୌରବ ଗାନ କରିଛନ୍ତି ତାହା ରାଜସ୍ଥାନର ଚାରଣକବିମାନଙ୍କ ବୀରଗାଥାରୁ କୌଣସି ଗୁଣରେ ନ୍ୟୂନ ନୁହେଁ । ମୟୂରଭଞ୍ଜ ସୀମାନ୍ତର ରାଇବଣିଆ ଗଡ଼, ଛୋଟନାଗପୁରର ଓଡ଼ିଆ ରାଜପୁରୁଷ, ମଧ୍ୟପ୍ରଦେଶରେ ରହି ଯାଇଥିବା ଫୁଲଝର, ବସ୍ତର, ବିନ୍ଦ୍ରା, ନୂଆଗଡ଼ ଓ ଆନ୍ଧ୍ରରେ ରହି ଯାଇଥିବା ଅଞ୍ଚଳର ବୀରପୁରୁଷଙ୍କ କୀର୍ତ୍ତିଗାଥା ମଧ୍ୟରେ କେବଳ ନୁହେଁ ପ୍ରାକୃତିକ ଓଡ଼ିଶାର ନଦୀ, ପର୍ବତ, ହ୍ରଦ ଓ ମନ୍ଦିରମାଳାକୁ ଜୀବନ୍ତ ଚରିତ୍ର ରୂପେ ଚିତ୍ରଣ କରି ଗୋଦାବରୀଶଙ୍କ କବିମାନସ ଓଡ଼ିଆ ଜାତିକୁ ତା’ର ଇତିହାସ ଓ ଭୂଗୋଳ ବିଷୟରେ ଶିକ୍ଷା ଦେଇଥିଲା । ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାର ସୀମା ବ୍ୟାପୀ ପ୍ରାକୃତିକ ଉତ୍କଳର ସର୍ବୋଚ୍ଚ ଶିଖରୀ ମହେନ୍ଦ୍ର ପର୍ବତକୁ ଲକ୍ଷ୍ୟକରି ସେ ଲେଖିଥିଲେ-

 

ଉତ୍କଳ ମଣ୍ଡଳେ ମହେନ୍ଦ୍ର ପର୍ବତ ସକଳ ପର୍ବତୁ ବଡ଼

ଏ ପାଖେ ରହିଛି ପାରଳା ରାଇଜ ସେପାଖେ ମଞ୍ଜୁଷାଗଡ଼ ।

ଭେଦିଛି ଆକାଶେ ଶିର ତା’ର କାହିଁ ଗଲେ ମନେ ଲାଗେ ଭୟ

ଲକ୍ଷ ପରବତ ମଧ୍ୟେ ସେତ ଏକା ଉତ୍କଳର ହିମାଳୟ । (୬)

 

(୬) ଗୀତିଗୁଚ୍ଛ-ମହେନ୍ଦ୍ର ତନୟା

 

କେବଳ ଉପାନ୍ତ ବା ବିଚ୍ଛିନ୍ନାଞ୍ଚଳ ନୁହେଁ ଗିରି-ନିର୍ଝରିଣୀ ଶାଳିଆର ତଟବନାନୀ, ବିଶାଳ ଚିଲିକା ବକ୍ଷର କ୍ଷୁଦ୍ର କାଳିଜାଈ ପାହାଡ଼ ପ୍ରଭୃତି ଓଡ଼ିଶାର ଅଭ୍ୟନ୍ତରର ବିସ୍ତୃତ ପ୍ରାକୃତିକ ଶୋଭାକୁ ମଧ୍ୟ ସେ ତାଙ୍କ ଗାଥା କବିତାରେ ଜୀବନ୍ତ କରିଯାଇଛନ୍ତି ।

 

ଗୋଦାବରୀଶଙ୍କ ଉପନ୍ୟାସଗୁଡ଼ିକର ବିଷୟବସ୍ତୁ ତାଙ୍କର ମୌଳିକ ନୁହେଁ କିନ୍ତୁ ସେ ସବୁ ରଚନା ପଛରେ ତାଙ୍କର ଏକ ଅଦ୍ଭୁତ ପ୍ରେରଣା ନିହିତ ଥିଲା । ଫରାସୀ ବିପ୍ଳବ ସମୟରେ ସେ ଦେଶର ଔପନ୍ୟାସିକ ଗଣବିପ୍ଲବର ଜୀବନ୍ତ ନିଖୁଣ ଚିତ୍ର ଯେପରି ଭାବରେ ଅଙ୍କନ କରିଛନ୍ତି ଗୋଦାବରୀଶ ମଧ୍ୟ ଓଡ଼ିଶା ପାଇଁ ତାହାହିଁ କରିଛନ୍ତି । ଭିକ୍‌ଟର ହ୍ୟୁଗୋ ଓ ଆଲେକଜଣ୍ଡର ଦୁମା ପ୍ରଭୃତି ଫରାସୀ ଲେଖକଙ୍କ ବିଷୟବସ୍ତୁ ଓ ଚରିତ୍ରକୁ ସେ ଆହରଣ କରିଥିଲେ ମଧ୍ୟ ସେ ସବୁକୁ ସେ ଉତ୍କଳୀୟ ପରିବେଶ ଓ ଇତିହାସ ସହ ମିଳାଇ ଦେଇ ପାରିଛନ୍ତି ଯାହାଦ୍ୱାରା କି ସେସବୁରୁ ଉତ୍କଳର ସାମରିକ ଚିତ୍ର ସହଜରେ ବାରି ହୋଇପଡ଼େ । ଖୋରଧା ଅଞ୍ଚଳର ବିଭିନ୍ନ ପ୍ରାଚୀନ ଦୁର୍ଗ, ପାଇକ ଗ୍ରାମ ଓ ପଥପାର୍ଶ୍ୱର ବିଶ୍ରାମାଗାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥଳର ଅବିକଳ ବର୍ଣ୍ଣନା ସେ ସବୁରୁ ମିଳେ । ଗୋହିରାଟିକିରୀ ଯୁଦ୍ଧ ପରଠାରୁ ୧୮୧୭ର ପାଇକ ବିଦ୍ରୋହ ପର୍ଯ୍ୟନ୍ତ ଓଡ଼ିଶାର ସ୍ୱାଧୀନଚେତା କୃଷକ ସେନାଗଣ ପର୍ଯ୍ୟାୟକ୍ରମେ ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ବିରୁଦ୍ଧରେ ଏହି ଘନ ଅରଣ୍ୟବେଷ୍ଟିତ ଖୋରଧା ଅଞ୍ଚଳରୁ ହିଁ ସଂଗ୍ରାମ ଚଳାଇ ରଖିଥିଲେ । ସେଥିପାଇଁ ବରୁଣେଇ, ଭାଲେରି, ଶୋଲରୀ ପାହାଡ଼ ତଳର ପାଇକ ଗ୍ରାମ ଓ ଜୀର୍ଣ୍ଣ ଦୁର୍ଗ ତାଙ୍କ ଉପନ୍ୟାସରେ ଓଡ଼ିଆର ସାମରିକ ତୀର୍ଥରେ ପରିଣତ ହୋଇଛନ୍ତି ।

 

ନୀରବ କର୍ମୀ

ସାରସ୍ୱତ ସାଧନା ଓ ଶିକ୍ଷକତା ମାଧ୍ୟମରେ ଦେଶସେବା ତାଙ୍କ ଜାତୀୟ ଚେତନାର ଏକମାତ୍ର ପରିମାପକ ନୁହେଁ । ସେ ଥିଲେ ବାଗ୍ମୀ । ତାଙ୍କର ନିର୍ମଳ ଅମାୟିକ ବ୍ୟକ୍ତିତ୍ୱ ସାଙ୍ଗକୁ ବୁଦ୍ଧିଦୀପ୍ତ ମଧୁର ବଚନଭଙ୍ଗୀ ଶ୍ରୋତାଙ୍କୁ ମୁଗ୍‌ଧ କରୁଥିଲା । ଉତ୍କଳ ସମ୍ମିଳନୀ ମଞ୍ଚରେ ସେ ବହୁବାର ଭାଷଣ ଦେଇଥିଲେ ମଧ୍ୟ ଉତ୍କଳ ସମ୍ମିଳନୀର ସଭାପତି କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅଧିକାର କରିବା ପାଇଁ ସେ କେବେ ଲାଳାୟିତ ହୋଇ ନଥିଲେ । ତାଙ୍କର ବକ୍ତୃତା ଜ୍ୱାଳାମୟୀ ନଥିଲା । ଜନତାକୁ ସାମୟିକ ଭାବରେ ତତେଇ ମତେଇ ‘ବାହାବା’ ନେବାର ଆଡ଼ମ୍ବର ସେ ଭାଷାରେ ନଥିଲା । ସେଥିରେ ଥିଲା ବୌଦ୍ଧିକ ବିଚାରଶୀଳତା ଓ ଶାଣିତ ବ୍ୟଙ୍ଗ । ସାଧାରଣ ଜନତା ପକ୍ଷରେ ବେଳେ ବେଳେ ହୁଏତ ସେ କଥାର ମର୍ମଭେଦ କରିବା ସମ୍ଭବ ହେଉ ନଥିଲା କିନ୍ତୁ ତାହାର ଭାବ ଓ ଅର୍ଥଥିଲା ସୁଦୂରପ୍ରସାରୀ । ଶିକ୍ଷିତ ଯୁବଗୋଷ୍ଠୀକୁ ତାହା ଉଦ୍‌ବୁଦ୍ଧ ଓ ଅନୁପ୍ରେରିତ କରୁଥିଲା । ୧୯୧୮ ମସିହାରେ ଗୋପବନ୍ଧୁ ଯେତେବେଳେ ସତ୍ୟବାଦୀରେ ଶିକ୍ଷାଦାନ ଅପେକ୍ଷା ଗଠନମୂଳକ ଦେଶସେବା କାର୍ଯ୍ୟକୁ ଅଧିକ ଗୁରୁତର ବୋଲି ମନେକଲେ ସେତେବେଳେ ଏହି ନୀରବ କର୍ମସାଧନା ଓ ଆକର୍ଷଣୀୟ ବ୍ୟକ୍ତିତ୍ୱର ସଂଧାନ ପାଇ ବିଚ୍ଛିନ୍ନାଞ୍ଚଳରେ ସଂଗଠନ କର୍ମପାଇଁ ତାଙ୍କୁହିଁ ନିଜର ପ୍ରଧାନ ସହକର୍ମୀ ରୂପେ ବାଛିନେଲେ ।

 

କ୍ଷେତ୍ର ପ୍ରସ୍ତୁତିର ଅୟମାରମ୍ଭ-୧୯୧୮

ଶିକ୍ଷା କ୍ଷେତ୍ରର ନିୟମିତ, ଶୃଙ୍ଖଳାବଦ୍ଧ, ଶାନ୍ତ ସରଳ କର୍ମଧାରା ତ୍ୟାଗକରି ଗୋପବନ୍ଧୁ ଓ ଗୋଦାବରୀଶ ଦୁହେଁ ଏଇବର୍ଷ ଚକ୍ରଧରପୁରକୁ ସଙ୍ଗଠନର ମୂଳ କେନ୍ଦ୍ର କଲେ । ମାତୃଭାଷା ଶିକ୍ଷାର କୌଣସି ସୁଯୋଗ ନ ପାଇ, ମୂଳ ଉତ୍କଳଖଣ୍ଡରୁ ରାଜନୀତିକ, ସାମାଜିକ, ସାଂସ୍କୃତିକ ସମସ୍ତ ଯୋଗସୂତ୍ର ହରାଇ ନିଷ୍ପ୍ରଭ, ନିରାଶ ସିଂହଭୂମିର ଅଧିବାସୀଗଣ କ୍ରମେ ନିଜତ୍ୱକୁ ବିସ୍ମୃତ ହୋଇ ଆସୁଥିବା ବେଳେ ଏ ଦୁଇ ନେତା ଗାଁକୁ ଗାଁ ବୁଲି ପ୍ରେରଣା ଯୋଗାଇଲେ । ସମଗ୍ର ଅଞ୍ଚଳରେ ନବ ଜାଗରଣ ଖେଳିଗଲା । ଏହି ଅଭୂତପୂର୍ବ ଜାଗରଣକୁ ଗୋଦାବରୀଶ ସ୍ୱଭାବ ସୁଲଭ ରୀତିରେ ଅତି ସଂଭ୍ରମ ଓ ବିନୀତ ଭାବରେ ନିଜ ଆତ୍ମଜୀବନୀରେ ପ୍ରକାଶ କରିଛନ୍ତି-

 

‘‘ପ୍ରଥମରୁ ଦେଢ଼ବର୍ଷ ଉପରେ ସବୁ ବେଶ୍‌ ସୁରୁଖୁରୁରେ ଚାଲିଲା । ସେତେବେଳେ ସିଂହଭୂମିର ଲୋକସଂଖ୍ୟା ୬,୯୪,୩୯୪ । ତା’ ମଧ୍ୟରୁ ଓଡ଼ିଆଙ୍କ ସଂଖ୍ୟା-୧,୨୪,୫୯୩ । ଏସବୁ ୧୯୧୧ ମସିହାର ଜନଗଣନା ସଂଖ୍ୟା । ମୋ ଯିବା ପରେ ଓଡ଼ିଆ ହାଇସ୍କୁଲ ପ୍ରତିଷ୍ଠିତ ହେଲା । ଅନେକ ପ୍ରାଥମିକ ସ୍କୁଲ ମଧ୍ୟ ବସିଲା । ଗୋପବନ୍ଧୁ ବାବୁ ‘ପଇସିକିଆ ପାଣ୍ଠି’ ସଂଗ୍ରହ କରିବାର ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇଥିଲେ । ପ୍ରଚାରକ ଅନନ୍ତ ମିଶ୍ର ସିଂହଭୂମିରେ ଓଡ଼ିଆ ପ୍ରଚାର ଯେପରି କଲେ ଓଡ଼ିଶାଯାକ ବୁଲି ପାଣ୍ଠି ସେହିପରି ସଂଗ୍ରହ କରି ପଠାଇଲେ । ଜିଲ୍ଲା ତମାମ ଅପୂର୍ବ ଉତ୍ସାହ ଦେଖାଗଲା । ମୋର ମନେ ହେଉଛି ମୋ’ଠାରୁ ଜଣେ ବେଶି ଶକ୍ତିଶାଳୀ କର୍ମୀ ସେତେବେଳେ ସିଂହଭୂମି ଜିଲ୍ଲା ପାଇଥିଲେ ଫଳ ଯଥେଷ୍ଟ ଭଲ ହୋଇଥାଆନ୍ତା । ମୁଁ ଯିବା ବେଳକୁ ଜନଗଣନା କାର୍ଯ୍ୟର ସୂତ୍ରପାତ ହୋଇଥିଲା । ୧୯୨୧ ଜନଗଣନାରେ ଓଡ଼ିଆଙ୍କ ସଂଖ୍ୟା ବଢ଼ି ୧,୪୦,୮୨୧ ହେଲା । ୧୯୩୧ ବେଳକୁ ପୁଣି ତାହା ହେଲା ୧,୭୧,୮୮୭ । ତା’ପରେ ୧୯୪୧ ମସିହାରେ ଭାଷା ବା ଜାତି ସୂତ୍ରରେ ଜନଗଣନା ହୋଇନାହିଁ । ହୋଇଥିଲେ ଓଡ଼ିଆଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଟପି ଥାଆନ୍ତା । (୭)

 

(୭ - ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ-ନୂତନ କର୍ମକ୍ଷେତ୍ର)

 

ପ୍ରଥମ କୁଠାରାଘାତ-୧୯୨୧

ଏହିବର୍ଷ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ବ୍ରିଟିଶ ସରକାରଙ୍କ ସହ ସବୁ କ୍ଷେତ୍ରରେ ଅସହଯୋଗ କରିବାର ପ୍ରସ୍ତାବ ଗ୍ରହଣ କରାଗଲା । ସମଗ୍ର ଭାରତରେ ବ୍ରିଟିଶ୍‌ ବିରୋଧୀ ମନୋଭାବକୁ ଜାଗ୍ରତ କରିବା ଥିଲା ଏହାର ଲକ୍ଷ୍ୟ । ସେତେବେଳକୁ ଗୋପବନ୍ଧୁ ସଂପୂର୍ଣ୍ଣ ଭାବରେ କଂଗ୍ରେସ ଆଦର୍ଶରେ ଓ ମହାଭାରତୀୟ ନୀତିରେ ଉଦ୍‌ବୁଦ୍ଧ ହୋଇ ଉଠିଥିଲେ । ନିଜ ନିଜ ପ୍ରଦେଶ ପାଇଁ କିଛି ଦାବୀ କରିବାକୁ ସେତେବେଳେ ସଂକୀର୍ଣ୍ଣ ପ୍ରାଦେଶିକତା ବୋଲି କୁହାଗଲା । ତଥାପି ସେତେବେଳେ କେତେକ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ମନେ କରୁଥିଲେ ଯେ, କଂଗ୍ରେସ ଆନ୍ଦୋଳନ ଅପେକ୍ଷା ବ୍ରିଟିଶ ଶାସକମାନଙ୍କଠାରୁ ଓଡ଼ିଶା ନିଜର ନ୍ୟାଯ୍ୟ ଦାବୀ ପୂରଣରେ ଅଧିକକିଛି ଆଶା କରିପାରେ । ଓଡ଼ିଶାର ନେତୃବୃନ୍ଦଙ୍କ ମଧ୍ୟରେ ଏଇ ଆଦର୍ଶଗତ ବିବାଦ ‘ଉତ୍କଳ ସମ୍ମିଳନୀ’କୁ ମଧ୍ୟ ସଞ୍ଚରିତ ହେଲା । ଏହି ବିବାଦର ଏକ ଚିତ୍ର ମିଳେ ‘ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଇତିହାସ’ ଶୀର୍ଷକ ପୁସ୍ତକରୁ ନିମ୍ନୋକ୍ତ ରୂପେ-‘‘ x x ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ୧୯୨୦ରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଧିବେଶନରେ ଓଡ଼ିଆ ନେତାମାନେ ଦୁଇଦଳରେ ବିଭକ୍ତ ହୋଇଗଲେ । ପଣ୍ଡିତ ଗୋପବନ୍ଧୁ ଦାସ ଚାହୁଁଥିଲେ ଉତ୍କଳ ସମ୍ମିଳନୀକୁ ଭାରତୀୟ ଜାତୀୟ କଂଗ୍ରେସର ଏକ ଶାଖାରେ ପରିଣତ କରିଦେବାକୁ । ସ୍ୱର୍ଗତ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଆଉ ଏକ ଦଳ ସମ୍ମିଳନୀର ସ୍ୱାତନ୍ତ୍ର୍ୟ ଅତୁଟ ରଖିବାକୁ ଚାହୁଁଥିଲେ-। ଏହି ଦଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ସେଥିରେ ଉତ୍କଳଭାଷୀ ସମସ୍ତ ଅଞ୍ଚଳର ଏକୀକରଣ ଚାହୁଁଥିଲେ ।’’ (୮)

 

(୮) History of Freedom Movement in Orissa, VOl. IV, Page-3 By-Dr. H. K. Mahatab & Ghanshyam Das

 

ଚରମ ତ୍ୟାଗ-

ଏହି ଦୁଇଦଳ ମଧ୍ୟରୁ ଗୋଦାବରୀଶ ଯେ ଦ୍ୱିତୀୟ ଦଳଟିକୁ ପ୍ରଚ୍ଛନ୍ନ ନୈତିକ ସମର୍ଥନ କରୁଥିଲେ ଏବଂ କଂଗ୍ରେସ ଆନ୍ଦୋଳନରେ ଯୋଗଦେବା ଅପେକ୍ଷା ଉତ୍କଳଭାଷୀ ଅଞ୍ଚଳରେ ନୀରବ କର୍ମସାଧନା ଦ୍ୱାରା ପୂର୍ଣ୍ଣାଙ୍ଗ ଉତ୍କଳ ପ୍ରଦେଶ ଗଠନ ଅଧିକ ଉପାଦେୟ ବୋଲି ବିଶ୍ୱାସ କରୁଥିଲେ ତାହା ତାଙ୍କର ପରବର୍ତ୍ତୀ କାର୍ଯ୍ୟକଳାପ ଓ ତଥ୍ୟାବଳୀରୁ ଜଣାପଡ଼େ । ଏହି ସମୟର ଏକ ଘଟନା ବର୍ଣ୍ଣନା କରି ସେ ଲେଖିଛନ୍ତି-‘‘ସେ (ଗୋପବନ୍ଧୁ) ଚକ୍ରଧରପୁର ଯାଇଥିଲେ ସ୍କୁଲ ଭାଙ୍ଗିଦେଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାପାଇଁ ମୋତେ କହିବାକୁ । ମୁଁ ଉତ୍ତର ଦେଲି-‘‘ଆପଣ ଓଡ଼ିଶାରେ ଅସହଯୋଗର ପ୍ରବର୍ତ୍ତକ ହୁଅନ୍ତୁ ମାତ୍ର ସ୍କୁଲ ଦୁଇଟାକୁ ଛାଡ଼ି ଦିଅନ୍ତୁ’’ । ମୁଁ ତାଙ୍କ ପାଖେ ଯୁକ୍ତିତର୍କ କରିପାରେ ନାହିଁ । ତଥାପି ଅସହଯୋଗ ପନ୍ଥା ଧରିଲେ ସିଂହଭୂମିରେ ଓଡ଼ିଆ ଆନ୍ଦୋଳନରେ ବାଧା ପଡ଼ିବ ବୋଲି କହିଲି । ସେ ମୋ କଥା ଗ୍ରହଣ କଲେ ।’’ (୯)      

 

(୯) ଅର୍ଦ୍ଧଶତାବ୍ଦୀର ଓଡ଼ିଶା......, ଅସହଯୋଗ

 

ଗୋଦାବରୀଶ ଯେଉଁ ଆଶଙ୍କା ପ୍ରକାଶ କରୁଥିଲେ ତାହା ଅନେକ ପରିମାଣରେ ଯଥାର୍ଥ ଥିଲା । ଅସହଯୋଗ ଆନ୍ଦୋଳନର ଚାପ ପ୍ରଦେଶ ଗଠନ ଓ ଭାଷାସୁରକ୍ଷା ଆନ୍ଦୋଳନକୁ ବହୁ ଭାବରେ ବ୍ୟାହତ କଲା । ତଥାପି ଗୋଦାବରୀଶ ଏକାକୀ ସଂଗ୍ରାମ ଚଳାଇଲେ । ୧୯୨୧ରେ ବାହାଡ଼ାଗୋଡ଼ାଠାରେ ସେ ଯେଉଁ ପ୍ରାଇମେରୀ ସ୍କୁଲ ପ୍ରତିଷ୍ଠା କରିଥିଲେ ତାହା ବର୍ତ୍ତମାନ ଓଡ଼ିଆମାନଙ୍କର ଏକ ଉଚ୍ଚ ଶିକ୍ଷାକେନ୍ଦ୍ର ରୂପେ ପ୍ରତିଷ୍ଠା ଲାଭ କରିଛି । କିନ୍ତୁ କ୍ରମେ କ୍ରମେ ବାହ୍ୟ ସହଯୋଗ ଅଭାବରୁ ଓ ମହାଭାରତୀୟ ସ୍ରୋତରେ ଭାସମାନ ସେ ସମୟର କଂଗ୍ରେସ ନେତାମାନଙ୍କ ବିମୁଖତା ଯୋଗୁଁ ସେଠାରେ କାର୍ଯ୍ୟରତ ଗୋଦାବରୀଶଙ୍କ ପରିବାର ଓ ତାଙ୍କ କର୍ମୀଦଳଟି ଘୋର ଦୁର୍ଗତିର ସମ୍ମୁଖୀନ ହୋଇ ପଡ଼ିଲେ । ତାହାର କରୁଣ ଇତିହାସ ସେ ନିମ୍ନୋକ୍ତ ପ୍ରକାରେ ଦେଇଛନ୍ତି-

 

‘‘ସେତେବେଳକୁ ଆମ ଅନୁଷ୍ଠାନର ନାମ ‘ଆଶ୍ରମ’ ହୋଇଥିଲା । ଆଶ୍ରମରେ ସଞ୍ଜସକାଳେ ମିଶି ଖାଇବାକୁ ଚଉଦ ପେଟ । ଆମେମାନେ ଦିନରେ ତିନିଥର ଖାଉଥିଲୁ । ତାକୁ ଯେତେବେଳେ ଦୁଇଥରକୁ ଖସାଇଲୁ ସେତେବେଳେ ପ୍ରଭେଦଟା ଅବଶ୍ୟ ବୁଝାଗଲା; କିନ୍ତୁ ବିଶେଷ ଅସୁବିଧା ହେଲା ନାହିଁ । ଟେକା ପଡ଼ିଲାବେଳେ ଏକାବେଳକେ ତଳକୁ ଖସି ପଡ଼େ । ଅଧାବାଟରେ ଅଟକି ଶୂନ୍ୟରେ ଝୁଲି ରହେ ନାହିଁ । ଯାହା ତିନିରୁ ଖସି ଦୁଇକୁ ଆସେ ତାହା ସେହିଠାରେ ବନ୍ଦ ନରହି ପୁଣି ଏକ ଆଡ଼କୁ ମୁହଁ କରି ଚାଲେ । ସୃଷ୍ଟିର ସେ ନିୟମରେ ଆମେମାନେ ଦିନକୁ ବକତେ ଖାଇବା ଆରମ୍ଭ କଲୁ । ସେ ବକତକ ଲାଗି ପୁଣି ମୋର ଗାଈ, ବାଛୁରୀ ଟେବୁଲ, ଚୌକୀ ଓ ଶେଷକୁ କେତେକ ନିତାନ୍ତ ଦରକାର ନଥିବା ଭଳି ଲୁଗାପଟା ଓ ଶୀତଦିନେ ଘୋଡ଼େଇ ହେବା କମ୍ବଳ ବିକ୍ରି ହୋଇଗଲା । ରେଲ୍‌ଷ୍ଟେସନରେ ଓଜନକଳ ଆମ ପାଦତଳେ କ୍ରମଶଃ କମ୍ ଦବିଲା । ମୁଁ ମୋ’ ସ୍ତ୍ରୀ ଓ ସନ୍ତାନମାନଙ୍କୁ ମୋ’ ଜନ୍ମସ୍ଥାନ ବାଣପୁରକୁ ପଠାଇଦେଇ ସହକର୍ମୀମାନଙ୍କ ସହ ଠୁଙ୍ଗା ହୋଇ ରହିଲି ।’’ (୧୦)

 

(୧୦) ଅର୍ଦ୍ଧଶତାବ୍ଦୀର ଓଡ଼ିଶା....ପୁନର୍ମୂଷିକ ।

 

୧୯୨୨ ମସିହା ବେଳକୁ ସେ ଚକ୍ରଧରପୁର ପରିତ୍ୟାଗ କରି ବାଣପୁର ଫେରିଆସିବାକୁ ବାଧ୍ୟ ହେଲେ ।

୧୯୨୪ରେ ଗୋଦାବରୀଶ ବିହାର ଓଡ଼ିଶା ଲେଜିସଲେଟିଭ କାଉନସିଲର ସଭ୍ୟ ରୂପେ ନିର୍ବାଚିତ ହୋଇ ପ୍ରଥମ ଦଫାରେ ୧୯୨୭ ପର୍ଯ୍ୟନ୍ତ ରହିଲେ । ସେତିକିବେଳେ ସେ ନିଜ ଅଭିଜ୍ଞତା ପ୍ରସୂତ ଜ୍ଞାନ ବଳରେ ଓଡ଼ିଶାର ବିଶେଷ ସମସ୍ୟାବଳୀ ସେଠାରେ ଉପସ୍ଥାପିତ କରିବାର ଯଥେଷ୍ଟ ସୁଯୋଗ ପାଇଥିଲେ । ୧୯୨୮ରେ ଭାରତୀୟ ରାଜନୀତିରେ ସାଇମନ କମିଶନ ଘନଘଟ ଆରମ୍ଭ ହୋଇଗଲା । ଏହି କମିଶନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରସ୍ତାବ ବାଢ଼ିଲେ । କିନ୍ତୁ ସେଥିରେ ଓଡ଼ିଶାର ସୀମା ସରହଦ ଯେପରି ନିର୍ଦ୍ଧାରଣ କରାଗଲା ତାହା ଓଡ଼ିଶାର ଜନସାଧାରଣଙ୍କୁ ସନ୍ତୁଷ୍ଟ କଲା ନାହିଁ । ସମଗ୍ର ଓଡ଼ିଶାରେ ତାହାର ବିରୋଧ ହେଲା । ଏହି ଅବସ୍ଥାର ବର୍ଣ୍ଣନା କରି କୁହାଯାଇଛି ।

 

‘‘The Simon Commission recommended in favour of a Province for the Oriyas and subsequently a committee was appointed by the Govt. of India to demarcate the boundary of the new Province. Sri Krishnachandra Gajapati Dev, Maharaja of Paralakhemidi raised the question of the creation of a separate Province of Orissa in the Round Table Conference. Sri Ramachandra dev, Sri Bhubananda Das and Sri Lingaraj Panigrahi etc, who were then present in London impressed on Sir Samuel Hoare, the then Secretary of State that the new province should include all the outlying Oriya speaking tracts e.g-Singhbhum, Midnapur, Phuljhar and Bindra-Nayagarh and the Jeypore Agency etc. When the Govt. of India proposed to create a mutilated Province of Orissa, the District Magistrates of Orissa reported to the Government that the people of Orissa were very much disappointed with the exclusion of genuine Oriya speaking tracts from the proposed Province of Orissa’’ (୧୧)

 

(୧୧) History of Freedom Movement in Orissa Vol. IV, page 3-4.

 

କେନ୍ଦ୍ର ସରକାରଙ୍କ ସ୍ତରରେ ଏହିପରି ଉଦ୍ୟମ ଚାଲୁଥିବା ବେଳେ ରାଜ୍ୟ ଭିତରେ ଓ ବିହାର ଓଡ଼ିଶା କାଉନ୍‌ସିଲରେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଗୋଦାବରୀଶ ଥିଲେ ଅନ୍ୟତମ ପ୍ରଧାନ ମୁଖପାତ୍ର । ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ବାସ୍ତବ ସୀମାରେଖା ନିର୍ଦ୍ଧାରଣ ପାଇଁ ଯେତେବେଳେ ଓଡ଼ୋନେଲ କମିଟି ଆସିବାର ସ୍ଥିର ହେଲା ସେତେବେଳେ ଗୋଦାବରୀଶ ପୁଣି ସିଂହଭୂମି ଓ ମେଦିନୀପୁର ଜିଲ୍ଲାସହ ସମଗ୍ର ଓଡ଼ିଶା ଗସ୍ତରେ ବାହାରି ପଡ଼ିଲେ, ଓଡ଼ୋନେଲ କମିଟିପାଇଁ ଜନମତ ସଂଗ୍ରହ କରିବା ଲକ୍ଷ୍ୟରେ । ସେହି ସମୟରେ ସେ ଗୁଣ୍ଡାମାନଙ୍କ ଦ୍ୱାରା ଆକ୍ରାନ୍ତ ଓ ଆହତ ହୋଇଥିଲେ ମଧ୍ୟ ନିଜ ଉଦ୍ୟମରୁ ବିଚ୍ୟୁତ ହୋଇ ନଥିଲେ ।

 

ଗୁରୁତ୍ୱପୂର୍ଣ୍ଣ ଅବଦାନ

୧୯୩୨ରେ ପୁଣି କଂଗ୍ରେସର ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଗଲା । ଓଡ଼ିଶାର ବହୁ କଂଗ୍ରେସ ନେତା ସେତେବେଳେ ଏହି ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ କିନ୍ତୁ ଗୋଦାବରୀଶଙ୍କ ପରି ଜଣେ ସଂଗ୍ରାମୀ ନେତା ଯେ ସେ ସମୟରେ ଜେଲ ଯାଇ ନଥିଲେ ତାହାର ଦୁଇଟି ପ୍ରଧାନ କାରଣ ଥିଲା । ପ୍ରଥମଟି ହେଉଛି-ଓଡ଼ିଶାର ଏକତ୍ରୀକରଣ ଓ ସ୍ୱାର୍ଥରକ୍ଷା ଥିଲା ତାଙ୍କ ଜୀବନର ପରମ ବ୍ରତ ଏବଂ ପୂର୍ବରୁ ଯେପରି ସୂଚିତ ହୋଇଛି କଂଗ୍ରେସ ଆନ୍ଦୋଳନ ମାଧ୍ୟମରେ ଓଡ଼ିଶାର ସ୍ୱାର୍ଥରକ୍ଷା ହେବା ବିଷୟରେ ସେ ସନ୍ଦିହାନ ଥିଲେ । ଦ୍ୱିତୀୟରେ, ସେତେବେଳେ ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଓଡ଼ୋନେଲ କମିଟି ବିଭିନ୍ନ ସ୍ଥାନ ଭ୍ରମଣକରି ସାକ୍ଷ୍ୟ ଗ୍ରହଣ କରୁଥିଲେ । ବିହାର ଓଡ଼ିଶା କାଉନ୍‌ସିଲର ସଭ୍ୟ ଭାବରେ ଗୋଦାବରୀଶଙ୍କ ସାକ୍ଷ୍ୟ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ ନିଜେ ଓ ପଣ୍ଡିତ ନୀଳକଣ୍ଠ ପ୍ରଭୃତି ମନେ କରୁଥିଲେ । ସେଥିପାଇଁ ସେ କଂଗ୍ରେସୀ ଆନ୍ଦୋଳନରୁ ନିଜକୁ ଦୂରେଇ ରଖିଲେ ଯାହାର ଅତି ତିକ୍ତ ମୂଲ୍ୟ ତାଙ୍କୁ ତାଙ୍କ ପରବର୍ତ୍ତୀ ରାଜନୀତିକ ଜୀବନରେ ଦେବାକୁ ହୋଇଥିଲା । ସେଥିପାଇଁ ଅବଶ୍ୟ ସେ କେବେ କ୍ଷୋଭ ପ୍ରକାଶ କରିନାହାନ୍ତି ।

 

ପ୍ରଧାନତଃ ତାଙ୍କରି ପ୍ରେରଣା ଓ ନିର୍ଦ୍ଦେଶ ମତେ ସିଂହଭୂମିର ଅଧିବାସୀଗଣ ଭାଷା, ସଂସ୍କୃତି, ଆଦିବାସୀ ସମ୍ପର୍କ, ଯୋଗାଯୋଗ ଓ ଐତିହାସିକ ପଟ୍ଟଭୂମି ପ୍ରଭୃତି ବହୁବିଧ ଦୃଷ୍ଟିକୋଣରୁ ଓଡ଼ିଶା ସହ ସିଂହଭୂମିର ମିଶ୍ରଣ ପାଇଁ ଓଡ଼ୋନେଲ କମିଟିକୁ ଏକ ବିସ୍ତୃତ ଦାବୀପତ୍ର ଦେଇଥିଲେ । ସେହି ଦାବୀପତ୍ରର ମନ୍ତବ୍ୟରେ ଲେଖା ଯାଇଥିଲା-

 

‘‘Historically Kolhan, Porahat and Dhalbhum were included in Orissa in ancient times as dependent states and Zamindaries, considering its geographical position the whole of the district contiguous with the adjoining Feudatory States of Orissa namely Mayurbhanj, Keonjhar, Bonai, Gangpur, Saraikela and Kharsuan. The Thana of Gopiballavpur in the east has been recommended for inclusion into the new Orissa Province. In point of contiguity the district would form a more natural campact with Orissa than with any other province.’’ (୧୨)

 

(୧୨) Boundary Commission Report under the chairmanship of P. O’ Donnell, Vol-II, Page-30

 

ଏ ସମ୍ପର୍କରେ ବହୁ ଭାଷାତତ୍ତ୍ୱବିଦ୍‌, ସମାଜତତ୍ତ୍ୱବିଦ୍‌, ପ୍ରାଚୀନ ନଥିପତ୍ର ଓ ବଡ଼ଲାଟ ଲର୍ଡ଼ କର୍ଜନଙ୍କ ଭବିଷ୍ୟତ ବାଣୀର ଉଦ୍ଧାର କରାହୋଇ ଶେଷକୁ ଉଲ୍ଲେଖ ଥିଲା-

 

It is fairly hoped that the Boundary Commission will not repeat what the Simon Commission has done, but will pause and think and feel for the neglected cause of Singhbhum and be not so unkind to the people of Singhbhum as to throw them to an unnatural union with Bihar, a people of different race and language, just to make a bundle of odds and ends. (୧୩)

 

(୧୩) O’Donnell’s Boundary Commission Report. Vol.II, Page-32

 

ସ୍ୱପ୍ନର ପରିଣତି

୧୯୩୬ ଅପ୍ରେଲ ପହିଲା ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ଏବଂ ଗୋଦାବରୀଶ ଓଡ଼ିଶା ପରାମର୍ଶଦାତା କମିଟିର ସଭ୍ୟ ହେଲେ । ପରବର୍ତ୍ତୀ କାଳରେ ସେ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହେଲେ । ତାଙ୍କର ପ୍ରଚେଷ୍ଟାରେ ୧୯୪୩ ସାଲରେ ଓଡ଼ିଶାର ସର୍ବପ୍ରଥମ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହେଲା ଓ ଓଡ଼ିଶାରେ ନବୋଦୟର ଦ୍ୱାର ଉଦ୍‌ଘାଟିତ ହେଲା; କିନ୍ତୁ ଗୋଦାବରୀଶଙ୍କ ସ୍ୱପ୍ନ ସଫଳ ହେଲା ନାହିଁ । ସ୍ୱତନ୍ତ୍ର ଉତ୍କଳ ନାମରେ ମାତୃଭୂମିର ଏକ ଖଣ୍ଡିତ ରୂପ ତାଙ୍କ ପାଇଁ ଅତି କଷ୍ଟଦାୟକ ଥିଲା । ଏହି ମନୋବେଦନାର ବଶବର୍ତ୍ତୀ ହୋଇ ସେ ଏହାର କାରଣ ବିଶ୍ଲେଷଣ କରି ଅନେକଗୁଡ଼ିଏ ରାଜନୀତିକ ପ୍ରବନ୍ଧ ଲେଖିଛନ୍ତି । ଯେଉଁ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପାଇଁ ସେ କାମ କରୁଥିଲେ ଏ ପ୍ରବନ୍ଧଗୁଡ଼ିକ ପ୍ରଧାନତଃ ତାହାରି ଉପରେ ଆଧାରିତ । ସମସ୍ତ ଐତିହାସିକ, ସାମାଜିକ, ଭାଷାଗତ ଓ ରାଜନୀତିକ ଅନୁକୂଳତା ସତ୍ତ୍ୱେ ଓ ସିଂହଭୂମିର ତତ୍‌କାଳୀନ ଅବିସମ୍ବାଦିତ ଆଦିବାସୀ ନେତା ଶ୍ରୀ ଜୟପାଳ ସିଂଙ୍କ ସମର୍ଥନ ସତ୍ତ୍ୱେ କେନ୍ଦ୍ର ଓ ପ୍ରଦେଶର କେତେକ କର୍ତ୍ତୃପକ୍ଷଙ୍କ ମନୋମୁଖିତା ଓ ସ୍ୱାର୍ଥପରତା କାରଣରୁ ସିଂହଭୂମି ପ୍ରଭୃତି ଅଞ୍ଚଳ ଯେ ଓଡ଼ିଶାରେ ମିଶି ପାରିଲାନାହିଁ ସେ ସମ୍ପର୍କରେ ସେ ଏହିପରି ଏକ ରାଜନୀତିକ ପ୍ରବନ୍ଧରେ ନିଜର ଦୁଃଖ ଓ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି-

 

‘‘ଥରେ ଓଡ଼ିଶା ବ୍ୟବସ୍ଥା ପରିଷଦ ସଭାପତି ମାନ୍ୟବର ଶ୍ରୀ ଲାଲମୋହନ ପଟ୍ଟନାୟକଙ୍କ ଘରେ ଆମର ପାଞ୍ଚଜଣଯାକ ମାନ୍ୟବର ମନ୍ତ୍ରୀଙ୍କର ଉପସ୍ଥିତିରେ ଗୋଟିଏ ଛୋଟିଆ ବୈଠକ ବସିଥିଲା । ଶ୍ରୀଯୁକ୍ତ ଜୟପାଳ ସିଂଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବାର କାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ସେ ବୈଠକରେ ପ୍ରକାଶ କଲେ । ସେ କହିଲେ ଯେ, ‘ଛୋଟ ନାଗପୁର ଓଡ଼ିଶା ସହିତ ମିଶିଲେ ଆଦିବାସୀ ସଂଖ୍ୟା ବଢ଼ିଯିବ, ସୁତରାଂ ତାହା ହେବା ଉଚିତ ନୁହେଁ ।’ ଛୋଟ ନାଗପୁର ମିଶିବା ସପକ୍ଷରେ ଯୁକ୍ତି କରି ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲି, କିନ୍ତୁ ପାରିଲି ନାହିଁ ।’’ (୧୪)

 

(୧୪) ଗୋଦାବରୀଶ ଗ୍ରନ୍ଥାବଳୀ-ରାଜନୀତିକ ପ୍ରବନ୍ଧ ।

୧୯୪୮ରେ ଷଢ଼େଇକଳା ଖରସୁଆଁ ନାମକ ଦୁଇଟି ଖାଣ୍ଟି ଓଡ଼ିଆ ଅଞ୍ଚଳ ମଧ୍ୟ ଓଡ଼ିଶାରୁ ବାଦ ପଡ଼ିଲା । ସେ ସମ୍ପର୍କରେ ଓଡ଼ିଶାରେ ଯେଉଁ ଜନଅସନ୍ତୋଷ ମୁଣ୍ଡ ଟେକିଲା, ୧୯୫୬ର ରାଜ୍ୟ ସୀମା ନିର୍ଦ୍ଧାରଣ କମିଶନଙ୍କ କାର୍ଯ୍ୟକଳାପ ବେଳେ ତାହା ଚରମ ରୂପ ନେଲା । ସେତେବେଳେ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଗୋଦାବରୀଶ ଓଡ଼ିଶା ପାଇଁ ଜନମତ ଲୋଡ଼ିବା ଉଦ୍ଦେଶ୍ୟରେ ପୁଣି ଥରେ ସେ ଅଞ୍ଚଳରେ ପ୍ରବେଶ କଲେ ଓ କେତେକ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହେଲେ । ଆହତ ଶରୀର ଓ ଆହତ ମନ ନେଇ ସେ ଯେ ଶଯ୍ୟାଶୟୀ ହେଲେ, ସେଇଥିରେ ସେହି ବର୍ଷ ହିଁ ତାଙ୍କ ଜୀବନର ଶେଷ ଯବନିକା ଟାଣି ହୋଇଗଲା ।

ଗୋଦାବରୀଶଙ୍କ ଜୀବନର ସବୁଠାରୁ ଦୁଃଖଦାୟକ ଘଟଣା ହେଲା ଯେ, ସେ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହାର ସଫଳ ରୂପାୟନ ପାଇଁ ଯେଉଁ କ୍ଷମତା ବା ଦାୟିତ୍ୱ ଆବଶ୍ୟକ, ତାହାର କୁହେଳିକାପୂର୍ଣ୍ଣ ବଳୟ ମଧ୍ୟକୁ ସେ ପ୍ରବେଶ କରିପାରିଲେ ନାହିଁ । ଯଦି ତାହା ହୋଇପାରିଥାନ୍ତା, କିଏ କହିପାରେ ଆଜି ଓଡ଼ିଶାର ଭୂଗୋଳ ଓ ଇତିହାସ ଅନ୍ୟପ୍ରକାରେ ଲିଖିତ ହୋଇଥାନ୍ତା ।

୧୯୬୩ ମସିହାରେ, ତାଙ୍କ ମୃତ୍ୟୁର ପ୍ରାୟ ନ’ ବର୍ଷ ପରେ ଏହି ଲେଖକ ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏକ ମହାବିଦ୍ୟାଳୟର ଅଧ୍ୟକ୍ଷ ରୂପେ ବାଣପୁରରେ ସେହି ଅନୁଷ୍ଠାନର ସଂଗଠନ ଭାର ଗ୍ରହଣ କରିଥିଲା । ସେ ଅନୁଷ୍ଠାନର ଅଳ୍ପ ଛଡ଼ାରେ ଗୋଦବରୀଶଙ୍କ ବାସଗୃହ, ସାଧାରଣ ମଧ୍ୟବିତ୍ତ ପରିବାରର ଗ୍ରାମ୍ୟ ଗୃହଟିଏ । ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ସାଧାରଣ ମଧ୍ୟବିତ୍ତ-ସୁଲଭ । ତାହା ଦେଖି ଆଜି ଆଦୌ ବିଶ୍ୱାସ କରିହୁଏ ନାହିଁ ଯେ, ସେ ଦିନେ ଓଡ଼ିଶାର ଅତି ପ୍ରଭାବଶାଳୀ ମନ୍ତ୍ରୀ ଥିଲେ । ଆଭିଜାତ୍ୟ ତାଙ୍କର ନଥିଲା, ତଥାପି ସ୍ଥାନୀୟ ଲୋକଙ୍କ ହୃଦୟରେ ସେ ଏବେ ବି ପ୍ରାତଃସ୍ମରଣୀୟ ହୋଇ ରହିଛନ୍ତି । ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଉତ୍କଳବାସୀଙ୍କର ସେ ଦୂରଦର୍ଶୀ, ନିଃସ୍ୱାର୍ଥପର ଉତ୍କଳପ୍ରେମୀଙ୍କୁ ସ୍ମରଣ କରିବାର ସମୟ ଆସିଚି । *

(* ଏହି ପ୍ରବନ୍ଧ ପ୍ରସ୍ତୁତିରେ ‘ସମାଜ’ ସମ୍ପାଦକ ଡକ୍ଟର ରାଧାନାଥ ରଥ ଓ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶଙ୍କ ସାହାଯ୍ୟ ଲାଗି ଲେଖକ ସେମାନଙ୍କ ନିକଟରେ କୃତଜ୍ଞ ।)

***

 

୧୯୦୩ ଡିସେମ୍ବର ୩୦-କଟକ ସହରର ମୁନିସିପାଲିଟି ପଡ଼ିଆରେ ସୁସଜ୍ଜିତ ଏକ ବିରାଟ ସଭା ମଣ୍ଡପ, ସେଇଠି ଅନୁଷ୍ଠିତ ହେଉଚି ‘‘ଉତ୍କଳ ସମ୍ମିଳନୀ’’ର ପ୍ରଥମ ଅଧିବେଶନ ।

 

୧୯୦୩ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାର ରମ୍ଭାଠାରେ ଗୋଟିଏ ସଭାରେ ଖଲ୍ଲିକୋଟର ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ସଭାପତିତ୍ୱରେ ‘‘ଗଞ୍ଜାମ ଜାତୀୟ ସମିତି’’ ନାମରେ ଗୋଟିଏ ଜାତୀୟ ଅନୁଷ୍ଠାନ ଗଢ଼ା ହେଲା । ମାନ୍ଦ୍ରାଜ ପ୍ରଦେଶରେ ଯେଉଁ ଓଡ଼ିଆ ଅଞ୍ଚଳ ରହିଥିଲା ଓଡ଼ିଶାରେ ତାହାର ମିଶ୍ରଣ ପାଇଁ ଆନ୍ଦୋଳନ କରିବା ଥିଲା ଏହାର ଲକ୍ଷ୍ୟ ।

 

Unknown

ସ୍ୱତନ୍ତ୍ର ଓଡ଼ିଶା ଓ ଗୋପବନ୍ଧୁ

ରାଧାମୋହନ ଗଡ଼ନାୟକ

 

ଶ୍ରୀ ଗୋପବନ୍ଧୁ ଦାସଙ୍କର ସେଇ ନାମର ଗୋଟିଏ କବିତାରେ ‘‘ଗଞ୍ଜାମ ଜାତୀୟ ସମିତି’’ର ଆଭିମୁଖ୍ୟ ସୂଚିତ ହୋଇଥିଲା-

 

‘‘ଅନ୍ଧାର ଉତ୍କଳ ନଭେ ଶୁଭେ ଏତେଦିନେ,

ଉଇଁଛି ଉଜ୍ଜ୍ୱଳ ଆଶା-ତାରକା ଦକ୍ଷିଣେ ।

ନବୋଦିତ ଯୋଗୁଁ ପ୍ରଭା ଅଳପ ବିକାଶ

ତଥାପି ଜାଳଇ ପ୍ରତି ପରାଣେ ଆଶ୍ୱାସ ।

ଧନ୍ୟ ହେ ଗଞ୍ଜାମବାସୀ ଓଡ଼ିଆ ସକଳ

ଧନ୍ୟ ତୁମ୍ଭ କଉଶଳ, ଧନ୍ୟ ତୁମ୍ଭ ବଳ

ଦେଖାଇଲ ଯେ ଉତ୍ସାହ, ଉଦ୍ୟମ, ଶକତି

ମାତୃଭାଷା ମାତୃଭୂମି ଅଟଳ ଭକତି,

ଦେଲ ଯେ ଜାତୀୟ ଭାବ ଦୃଢ଼ ପରିଚୟ

ଚିରଦିନ ଗାଇବେ ତା ଉତ୍କଳ ତନୟ ।

(ଅବକାଶ ଚିନ୍ତା, ଦ୍ୱିତୀୟ ମୁଦ୍ରଣ ।)

 

ଖଲିକୋଟର ରାଜାସାହେବ ଓ ନିମଖଣ୍ଡିର ଶ୍ରୀ ମାଥୁରୀ ସାହୁଙ୍କର ସାହାଯ୍ୟ ଓ ସହାନୁଭୂତିରେ ଏପ୍ରିଲ ମାସରେ ତା’ର ଆଉ ଗୋଟିଏ ବୈଠକ ବରହମପୁରର ପଞ୍ଚ ଦେଉଳର ପ୍ରାଙ୍ଗଣରେ ବସିଲା । ତହିଁରେ ସଭାପତିତ୍ୱ କରିଥିଲେ ପାରଳାଖେମୁଣ୍ଡିର ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ । ଏଇ ଅନୁଷ୍ଠାନର ସ୍ଥାୟୀ ସମ୍ପାଦକ ହେଲେ ଶ୍ରୀ ନୀଳମଣୀ ବିଦ୍ୟାରତ୍ନ । କଟକ, ପୁରୀ, ବାଲେଶ୍ୱର ଓ ସମ୍ବଲପୁରରୁ ପ୍ରତିନିଧିମାନେ ଏଇ ସଭାରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ମୁଖ୍ୟ ହେଲେ, ସର୍ବଶ୍ରୀ ମଧୁସୂଦନ ଦାଶ, ବିଶ୍ୱନାଥ କର, ନନ୍ଦକିଶୋର ବଳ, ରଘୁନାଥ ରାଓ, ରାମଚନ୍ଦ୍ର ଦାଶ ଓ ତରୁଣ ସାଥୀ ଗୋପବନ୍ଧୁ ଦାସ ।

 

ଏଇ ସମ୍ମିଳନୀରେ ଶ୍ରୀ ରାମଚନ୍ଦ୍ର ଦାଶ ପ୍ରଥମ କରି ଦେଶମିଶ୍ରଣ ପ୍ରସ୍ତାବ ଆଗତ କରିଥିଲେ, ଏବଂ ତାହା ସାଦରେ ଗୃହୀତ ହୋଇଥିଲା ।

 

ଶ୍ରୀ ମଧୁସୂଦନ ଦାଶ ପ୍ରସ୍ତାବ ଆଣିଲେ ଯେ ସମଗ୍ର ଉତ୍କଳର ସମସ୍ୟା ବ୍ୟବସ୍ଥିତ ହେଉଥିବାରୁ ‘‘ଗଞ୍ଜାମ ଜାତୀୟ ସମିତି’’ର ନାମ ‘‘ଉତ୍କଳ ସମ୍ମିଳନୀ’’ ରଖିବା ସମୀଚୀନ ମନେହୁଏ, ତାହା ମଧ୍ୟ ଆଲୋଚିତ ହୋଇ ଗୃହୀତ ହେଲା ।

 

ଆଜି ସେଇ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ – ସେଇ ଉପଲକ୍ଷ୍ୟରେ ବିପୁଳ ଜନତାର ସମାବେଶ ହୋଇଚି । ଉତ୍କଳର ଉତ୍ତରରେ ସିଂହଭୂମ, ଷଢ଼େଇକଳା, ଖରସୁଆଁ ଓ ପୋଡ଼ାହାଟରୁ, ମେଦିନୀପୁର ଅଞ୍ଚଳରୁ, ପଶ୍ଚିମରେ ବସ୍ତର, ଶାରଙ୍ଗଗଡ଼ ଓ ଫୁଲଝରରୁ, ଦକ୍ଷିଣରେ ଜୟପୁର, ପାରଳାଖେମୁଣ୍ଡିରୁ ଓ ମଧ୍ୟଭାଗରେ କଟକ, ପୁରୀ, ବାଲେଶ୍ୱର, ସମ୍ୱଲପୁର ଓ ଗଡ଼ଜାତମାନଙ୍କରୁ ବହୁସଂଖ୍ୟକ ପ୍ରତିନିଧି ଓ ଆଗନ୍ତୁକ ଆସି ଯୋଗ ଦେଇଛନ୍ତି । ତନ୍ମଧ୍ୟରେ ଅଛନ୍ତି ରାଜା ମହାରାଜା, ଜମିଦାର, ମହନ୍ତ, ଓକିଲ, କବି, ସାହିତ୍ୟିକ, ସାମ୍ବାଦିକ ଓ ଚିନ୍ତାଶୀଳ ବ୍ୟକ୍ତି ।

 

ଅଧିକନ୍ତୁ ସଭାରେ ଦର୍ଶକର ଆସନ ଗ୍ରହଣ କରିଛନ୍ତି ଓଡ଼ିଶାର କମିଶନର ଶ୍ରୀ କେ. ଜି. ଗୁପ୍ତ, ପାଦ୍ରି ଇୟଙ୍ଗ୍, ପାଦ୍ରି ହାଉଏଲସ୍‍ ଓ ଅନେକ ରାଜ କର୍ମଚାରୀ ।

 

ଏ ମହାମିଳନରେ ସମସ୍ତଙ୍କ ହୃଦୟରେ ଉତ୍‌ଫୁଲ୍ଲତା ଓ ମୁଖରେ ତା’ର ଉଜ୍ଜ୍ୱଳ ଆଭାସ ।

 

ଗୁରୁଗମ୍ଭୀର କଣ୍ଠରେ ମୂର୍ଚ୍ଛିତ ହୋଇଉଠିଲା କବିବର ରାଧାନାଥଙ୍କ ସଂସ୍କୃତ ଗୀତିକା - ଭାରତ ଗୀତିକା–

ସର୍ବେଷାଂ ନୋ ଜନନୀ ଭାରତ

 

ଧରଣୀ କଳ୍ପଲତେୟଂ ।

ଜନନୀ ବତ୍ସଳ ତନୟ ଗଣୈସ୍ତତ୍

 

ସମ୍ୟକ୍ ଶର୍ମବିଧେୟମ୍ ।।

ହିମଗିରି ସୀମନ୍ତିତ ମସ୍ତକମିଦ–

 

ମମ୍ବୁଧି ପରିଗତ ପାର୍ଶ୍ୱଂ

ଅସ୍ମଦୁନ୍ମଦମନ୍ମଦ ମନିଶଂ

 

ଶ୍ରୌତ ପୁରାତନ ମାର୍ଷମ୍‍ ।।

ବିତରିତ ହର୍ଷଂ ଭାରତ ବର୍ଷଂ

 

ବିଶ୍ୱୋତ୍କର୍ଷ ନିଦାନଂ ।

ଭାରତ ଶର୍ମ୍ମଣି କୃତମସ୍ମାଭି–

 

ର୍ନବମିଦ ମୈକ୍ୟବିଧାନମ୍ ।।

ଉତ୍କଳ ଗୌଡ଼ାନ୍ଧ୍ରୀୟାଃ ସଂସଦି

 

ଯେ ବୟମତ୍ର ସମେତାଃ ।

ଏତେ ଚାପର ଜନପଦଜାଃ ନନୁ

 

ଭାରତ ବିହିତ ନିକେତାଃ

ଭାରତ ହିତ ସଂପାଦନ ମେ ବହି

 

କାର୍ଯ୍ୟମିଷ୍ଟମ ବିପାକଂ ।

ଭାରତ ବର୍ଜ୍ଜଂ କିମପି ନ କାର୍ଯ୍ୟଂ

 

ନିଶ୍ଚିତ ମିତ୍ୟସ୍ମାକମ୍ ।।

ଭାରତ ପଙ୍କଜ ଦଳ ମିବ ମୁତ୍କଳ–

 

ମଣ୍ଡଳ ମିତି ବିଦିତଂ ଯତ୍ ।

ତସ୍ୟକୃତେ ବୟମତ୍ର ସମେତାଃ

 

ବିହିତାତ୍ରୋତ୍କଳ ସଂସତ୍ ।।

ଭାରତ ମେକା ଗତିରସ୍ମାକଂ

 

ନାପରାସ୍ତି ଭୁବି ନାମଃ ।

ସର୍ବାଦୌ ପରିଷତ୍ କର୍ମଣି ତତ୍

 

ଭାରତ ମେତନମାମଃ ।।’’

 

ନିମ୍ନଲିଖିତ ଗୀତଟି ପାଞ୍ଚଜଣ ଗାୟକ ସମସ୍ୱରରେ ଗାନ କରିଥିଲେ ।

ରାଗ–ଆଶାବରୀ

ଘୋଷୁ ଜନନୀ ଗୋ ଭୁବନ ତବ ମହିମା

ଅୟୁତ ରସନା ଆଜି ମା’ ଉତ୍କଳ

 

ରଟଇ ତବ ଗରିମା । ଘୋଷା ।

ଏତେକାଳେ ସତେ

 

ପରତେ ହେଉଛି,

ବିହି ଘଟାଇଲା ଆଣି,

ନିରାଶା କୁହରେ

 

ମୃତ ସଞ୍ଜୀବନୀ

ଆଶା-ବୀଣା ଜିଣା ବାଣୀ ।

ଗିରିବନ କୁଞ୍ଜ

 

ଲତାଏ ଉଷତ

ଜଡ଼ତା ଗଲା କି ଭାଜି ?

ମାତୃପଦ ଯୁଗେ

 

ବରଷନ୍ତି ଭକ୍ତି–

ପ୍ରୀତି-ପୁଷ୍ପ-ମାଳା-ରାଜି ।

ଉତ୍କଳର ବିଷ୍ଣୁପଦୀ ମହାନଦୀ

ଊର୍ଦ୍ଧ୍ୱେତୋଳି ଊର୍ମିଶିଖା,

ଉତ୍କଳ-ତନୁଜେ

 

ଜନ୍ମଭୂମି-ପ୍ରେମ

ମହାମନ୍ତ୍ର ଦିଏ ଦୀକ୍ଷା ।

ଉତ୍କଳ ଜନନୀ

 

ବିଷାଦ-ଗଞ୍ଜନେ

ଉନ୍ମୁଖ ଆଜି ଗଞ୍ଜାମ

ସମାଗତ ହର୍ଷେ

 

ସଙ୍ଗେ ଘେନି ସର୍ବ

ସମ୍ବଲପୁର-ଲଲାମ ।

ପାହି ଆସିଲାଣି

 

ବିଷାଦ ରଜନୀ

ଭାଗ୍ୟ-ଦିବାକର ଉଦେ,

ଫୁଟିବ ଉତ୍କଳ

 

ହୃଦୟ–ସରସେ

ମାନସ–କମଳ ମୁଦେ ।

 

ଗୀତଟିର ଲେଖକ ୧୯୦୪ରେ ପ୍ରକାଶିତ, ଶ୍ରୀ ନୀଳମଣି ବିଦ୍ୟାରତ୍ନଙ୍କଦ୍ୱାରା ସଂଙ୍କଳିତ ‘‘ଜାତୀୟ ସଙ୍ଗୀତ’’ର ପୃ ୨୮ଷ୍ଠାରେ ସ୍ଥାନିତ ହୋଇଚି - ଲେଖକ- ଶ୍ରୀ - ମାତ୍ର ଶ୍ରୀ ଦୁର୍ଗାଚରଣ ରାୟଙ୍କର ‘‘ରାଧାନାଥ ଜୀବନୀ’’ର ପୃ ୪୪୧ଷ୍ଠାରେ ତାହା ଉଦ୍ଧୃତ ହୋଇଚି ଶ୍ରୀ ଶଶିଭୂଷଣଙ୍କ ନାମରେ । ଏ ଅଧିବେଶନରେ ସଭାପତିତ୍ୱ କରୁଚନ୍ତି ଶ୍ରୀଯୁକ୍ତ ମଧୁସୂଦନ ଦାସ । ନିଷାଦର ବାଣରେ କ୍ରୌଞ୍ଚ ଦମ୍ପତିରୁ ନିହତ କ୍ରୌଞ୍ଚଟିକୁ ଦେଖି ମହାକବି ବାଲ୍ମୀକିଙ୍କ ହୃଦୟରୁ ଶୋକର ଉଚ୍ଛ୍ୱାସ ଉଦ୍ବେଳିତ ହୋଇଥିଲା, ପରେ ତା’ ହେଲା ଶ୍ଳୋକ । ସେଇପରି ଓଡ଼ିଶା ଓ ଓଡ଼ିଆ ଜାତିର ଦୁରବସ୍ଥା ଲକ୍ଷ୍ୟ କରି ତାଙ୍କ ପ୍ରାଣରୁ ଝରି ପଡ଼ିଥିଲା କରୁଣ ଓ ଅରୁଣ କବିତା–

 

‘‘ମାଆ ମାଆ ବୋଲି

 

କେତେ ମୁଁ ଡାକିଲି

ମାଆାକୁ ପାଇଲି ନାହିଁ,

ଭାଇ ଭାଇ ବୋଲି

 

କେତେ ମୁଁ ଡାକିଲି

ନ ଦେଲେ ଉତ୍ତର କେହି ।

ଖୋଜିଲି ଅରଣ୍ୟେ,

 

ଜନ ସମାଜରେ

ଖୋଜିଲି ବାରିଧି ତଟ,

ସର୍ବତ୍ର ଦେଖିଲି

 

ମାତା-ପଦ-ଚିହ୍ନ,

ନ ହେଲା ମାତାର ଭେଟ ।’’

“ଉଠ ରେ ଉଠ ରେ

 

ଉତ୍କଳ ସନ୍ତାନ

ଉଠିବୁ ତୁ କେତେଦିନେ ?

 

ଭାଇମାନଙ୍କ ପ୍ରତି

ପୂରୁବ ଗୌରବ,

 

ପୂରୁବ ସାହାସ

ପଡ଼ିବ ନି ତୋ’ର ମନେ ?

ତୋହରି ଜନନୀ

 

ବୀର ପ୍ରସବିନୀ

ଧୂଳିରେ ପଡ଼ିଛି ଦେଖ,

ଜନ ସମାଜରେ

 

ଏ ମହୀ ମଧ୍ୟରେ

କିପରି ଦେଖାଉ ମୁଖ ?

ଏହି ସମ୍ମିଳନୀ

 

ଜାତି ପ୍ରାଣସିନ୍ଧୁ

କୋଟି ପ୍ରାଣ ବିନ୍ଦୁ ଧରେ,

ତୋର ପ୍ରାଣବିନ୍ଦୁ

 

ମିଶାଇ ଦେ ଭାଇ

ଡେଇଁ ପଡ଼ି ସିନ୍ଧୁ-ନୀରେ ।’’

 

ସବାଶେଷରେ ପୁଣି ଶୁଣାଇଚନ୍ତି-

‘‘ଭୂମିକମ୍ପ ହେବ

 

ଧରଣୀ ଫାଟିବ,

ଉଠିବେ ସହସ୍ରଭୁଜା

ସେହି ତୋର ମାତା

 

ସେହି ତୋର ଭ୍ରାତା

କର ସେହି ପାଦ ପୂଜା ।’’

 

ସଭାପତି ତାଙ୍କର ଅଭିଭାଷଣରେ ଶିକ୍ଷା, ସମାଜ ଓ ଶିଳ୍ପ ବିଷୟରେ ତାଙ୍କର ବକ୍ତବ୍ୟ ଦେଇ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଉପରେ କହିଚନ୍ତି-

 

‘‘ପୁନଶ୍ଚ କଥିତ ଅଛି ଯେ, ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ ।’’ ନିଜର ଜନନୀ ଓ ଜନ୍ମଭୂମି ଏ ଦୁହେଁ ସ୍ୱର୍ଗ ଅପେକ୍ଷା ଗରିଷ୍ଠ ଅଟନ୍ତି । ଏହି ରାଜ୍ୟର ସଭ୍ୟତା ପ୍ରତ୍ୟେକ ସହୃଦୟ ବ୍ୟକ୍ତି ଅନୁଭବ କରନ୍ତି-ଏହା ପ୍ରମାଣ କରିବାର ଆବଶ୍ୟକତା ନାହିଁ । କୌଣସି ବ୍ୟକ୍ତିର ଜନନୀ ଯେବେ ଦୁଃଖରେ ପତିତ ହୋଇଥାଏ ତେବେ ତାହାକୁ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ସେ କି ଅନ୍ୟ କୌଣସି କାର୍ଯ୍ୟ କରିପାରେ? ‘‘କଦାପି ନୁହେ” ବୋଲି ଆମ୍ଭେମାନେ ସମସ୍ତେ ଉତ୍ତର ଦେବା । ତଦ୍ରୂପ ଆମ୍ଭମାନଙ୍କର ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମୀପରେ ଉପସ୍ଥିତ ହୋଇଅଛି । ସଭ୍ୟବୃନ୍ଦ ତାହାଙ୍କର ଡାକ ନଶୁଣି ଆମ୍ଭେମାନେ କି ନିଶ୍ଚିନ୍ତ ହୋଇ ରହିପାରୁଁ ? ଆମ୍ଭମାନଙ୍କର ଦାୟିତ୍ୱ ମହାନ୍‌ । ଏହି ପବିତ୍ର କର୍ମ ସିଦ୍ଧ ନୋହିବା ପର୍ଯ୍ୟନ୍ତ ଆମ୍ଭେମାନେ କି ସ୍ଥିରହୋଇ ରହିବା ? ଆମ୍ଭମାନଙ୍କର ଜନ୍ମଭୂମି ଉତ୍କଳ ଦେଶର ଅଭାବ ମୋଚନ ନକରି କି ଆମ୍ଭେମାନେ ତାହାର ଯୋଗ୍ୟ ସନ୍ତାନ ବୋଲି ଆପଣାକୁ ଆପେ ମନ ମଧ୍ୟରେ ବୋଧ କରି ପାରିବା ?’’

 

କେହି କେହି କହନ୍ତି ଯେ ବର୍ତ୍ତମାନ ଭାରତ ବର୍ଷରେ ସମସ୍ତେ ଏକତ୍ର ହୋଇ କାର୍ଯ୍ୟ ସାଧନ କରିବା ଦୁଷ୍କର, କିନ୍ତୁ ମୋ କ୍ଷୁଦ୍ର ବିବେଚନାରେ ଅନ୍ୟ ଦେଶରେ ଯାହାହେଉ, ଆମ୍ଭମାନଙ୍କର ଉତ୍କଳ ଦେଶରେ ସେପରି ହେବନାହିଁ । ଆପଣମାନେ ନିଜର ସମୟ ନଷ୍ଟକରି, ସୁଖ ଭଙ୍ଗକରି ଏତେଦୂର ପଥ ଆଗମନ କରି ଆସିଅଛନ୍ତି । ଆପଣମାନଙ୍କର ଅନ୍ତଃକରଣରେ ଯେଉଁ ଉତ୍ସାହ ଜାତ ହୋଇଅଛି ତହିଁରୁ ମୋର ବିଶ୍ୱାସ ହେଉଅଛି ଯେ ଆମ୍ଭମାନଙ୍କର ଉଦ୍ୟମ ସଫଳ ହେବ । ଉତ୍କଳ ଦେଶର ଇତିହାସରେ ଏପରି ଗୋଟିଏ ସଭା ଅଭିନବ ବ୍ୟପାର । ଏ ସଭାରେ ଆପଣମାନଙ୍କୁ ସାକ୍ଷାତ କରି ମୋର ଅନିର୍ବଚନୀୟ ଆନନ୍ଦ ଜାତ ହୋଇଅଛି ଓ ଏହି ଦେଶହିତକର କାର୍ଯ୍ୟରେ ଆପଣମାନଙ୍କ ସହିତ ଭାଗୀ ହୋଇ ମୁଁ ନିଜକୁ କୃତକୃତ୍ୟ ମନେ କରୁଅଛି-

 

ଶ୍ରୀ ଗୋପବନ୍ଧୁ ଦାସ ସେତେବେଳକୁ ରେଭେନ୍‌ସା କଲେଜର ତୃତୀୟ ବାର୍ଷିକ ଛାତ୍ର । ଛାତ୍ରବନ୍ଧୁମାନଙ୍କ ମେଳରେ ସ୍ୱଚ୍ଛାସେବକ ଭାବରେ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେ ଛବିଶ ବର୍ଷର ଯୁବକ । ଜଣେ ତରୁଣ କବି ଭାବରେ ଦେଶର ପାଠକ ପାଠିକାମାନଙ୍କ ନିକଟରେ ବେଶ୍‌ ପରିଚିତ । ତାଙ୍କର ‘‘ଅବକାଶ ଚିନ୍ତା’’ କବିତାଗୁଚ୍ଛ ୧୮୯୯ରେ ପ୍ରକାଶିତ ।

 

ପଣ୍ଡିତ ନୀଳକଣ୍ଠ ତାଙ୍କ ‘‘ଆତ୍ମଜୀବନ’ର ପୃ ୫୨ ଷ୍ଠାରେ ତାଙ୍କ ସମ୍ପର୍କରେ ଲେଖିଚନ୍ତି-      

ଏଣେ ଘରଭିତରେ ବାଲୁକେଶ୍ୱର ମିଶ୍ରଙ୍କୁ ସଙ୍ଗେ ଧରି ନବଯୁବକ ଗୋପବନ୍ଧୁଙ୍କର ଉତ୍ସାହଦୀପ୍ତ ନବସ୍ମଶ୍ରୁବିମଣ୍ଡିତ ସେ ସାଧୁ ସୁରମ୍ୟ ପ୍ରଭାବକ ମୁଖମଣ୍ଡଳ ମଧ୍ୟ ମୋର ଆଜି ଜୀବନ୍ତ ସ୍ମୃତି ପରି ଆଗରେ ଭାସିଯାଉଚି ।

 

ଗୋପବନ୍ଧୁ ସମ୍ମିଳନୀ ପାଇଁ ଗୀତ ଲେଖିଚନ୍ତି ମାତ୍ର ତାହା ସେଠି ଗୀତ ହୋଇଥିବାର କିଛି ସମ୍ବାଦ ନାହିଁ । ମାତ୍ର ତାର ପରବର୍ଷ ୧୯୦୪ରେ ପ୍ରକାଶିତ ଶ୍ରୀ ନୀଳମଣି ବିଦ୍ୟାରତ୍ନଙ୍କଦ୍ୱାରା ସମ୍ପାଦିତ ‘‘ଜାତୀୟ ସଙ୍ଗୀତ’’ (ପ୍ରଥମ ମୁଦ୍ରଣ) ର ପୃ ୧୪ ଓ ପୃ ୨ ଷ୍ଠାରେ ଦେଖିବାକୁ ମିଳେ ।

 

‘‘ହେଲାଣି ତ ଏତେ ସରି ହେ ସୋଦର

ପୂର୍ବ ଯଶୋରାଶି କାଳବଳେ ଆସି

ଗଲାଣି ତ ସବୁ ସରି ।

ତ୍ରିବେଣୀ ତଟରୁ

 

ଗୋଦାବରୀ ଯାଏ

ଦିନେ ଭାଗ୍ୟ ଗରବିଣୀ

ଆମ୍ଭ କର୍ମ ଦୋଷେ

 

ଆଜି ସେ ଜନନୀ

ଆହା ପଥ ଭିକାରିଣୀ ।

ପୂର୍ବ କାରିଗରୀ

 

ବିହୁନେ ସୁନ୍ଦରୀ

ଦିଶଇ କେଡ଼େ ମଳିନ

କାହିଁ ପୂର୍ବଧନ,

 

କାହିଁ ପୂର୍ବ ଭାଗ୍ୟ

ଶୁଖିଛି ମୁଖ-ନଳିନ ।

ଅତୀତ କୀରତି

 

ଅତୀତ ବିଭୂତି

କି ହେବ ଗାଇ ସକଳ

ପୂର୍ବ ଆଦରଶେ

 

ନବୀନ ସାହସେ

ଦେଖାଇବା ନିଜ ବଳ ।

ନକର ଆଳସ୍ୟ

 

ନହୁଅ ହତାଶ

ଶୁଭ ଯୋଗ ଉପଗତ

ଦେଖ ନବଯୁଗେ

 

ମହା କର୍ମ ଯୋଗେ

ମତ୍ତ ସମସ୍ତ ଜଗତ ।’’

 

“ଜାତୀୟ ସଙ୍ଗୀତ”ର ୨ୟ ପୃଷ୍ଠାରେ ଅଛି-

‘‘ଶୁଭୁ ଶୁଭ ଶଙ୍ଖ, ପଡ଼ୁ ହୁଳହୁଳି

ବାଜୁ ତୂରୀ ଭେରୀ, ମଙ୍ଗଳ ମହୁରୀ ।୧।

ନାଚୁ ପ୍ରତି ପ୍ରାଣ ଉତ୍ସାହେ ଉଛୁଳି

ଜାତି ଯଶେ, ଜନ ଯାଉ ସ୍ୱାର୍ଥ ଭୁଲି ।୨।

ତୁଟୁ ହୃଦୁଁ ତ୍ୱରା ଜଡ଼ତା-ଶିକୁଳି

ଉଠୁ କର୍ମବୀର, ବୋଳି ଦେଶ ଧୂଳି ।୩।

ଅନ୍ତରେ ଅନ୍ତରେ ଝଟକୁ ବିଜୁଳି,

ଏ ଅଭୟବର ଦିଅ ଦେବ ଶୂଳୀ ।୪।

 

୧୯୦୩ରେ ଯେଉଁ ଗୋପବନ୍ଧୁ ଛାତ୍ରବନ୍ଧୁ ମେଳରେ ଉତ୍କଳ ସମ୍ମିଳନୀରେ ସ୍ୱେଚ୍ଛାସେବକ ଭାବରେ କାର୍ଯ୍ୟ କରିଛନ୍ତି, ୧୯୧୯ରେ ସେ ଉତ୍କଳ ସମ୍ମିଳନୀର ସଭାପତି ହୋଇ ପାରିଚନ୍ତି । ତାଙ୍କର କବିତାରେ ସେ କହିଚନ୍ତି-

 

‘‘ଉଠୁ କର୍ମବୀର ବୋଳି ଦେଶ ଧୂଳି ।’’

 

ଦେଶ ଧୂଳି ଦେହରେ ବୋଳି ହୋଇ ସେଦିନର ସେଇ ଗୋପବନ୍ଧୁ, ସେଇ ତରୁଣ କବି, ସେଇ କର୍ମବୀର ଜୀବନ ପଥରେ ଅଗ୍ରସର-

 

ଗୋପବନ୍ଧୁ ୧୯୦୪ରେ ବି.ଏ ଓ ୧୯୦୬ରେ ବି.ଏଲ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଇଉନିଭରସିଟି ଶିକ୍ଷାର ସମାପ୍ତି ପରେ ତାଙ୍କ ଆଖି ଆଗରେ କର୍ମଭୂମି ସମ୍ପ୍ରସାରିତ ହୋଇ ରହିଚି ।

 

ପୁରୀର ମୁକ୍ତିଆର ଶ୍ରୀରାମଚନ୍ଦ୍ର ଦାଶ ଜଣେ ସ୍ୱଦେଶ ପ୍ରେମିକ ବ୍ୟକ୍ତି ଥିଲେ । ତାଙ୍କର ପ୍ରଭାବ ଗୋପବନ୍ଧୁ ଓ ତାଙ୍କର କେତେଜଣ ସହପାଠୀଙ୍କ ଉପରେ ବେଶ୍‌ ଯଥେଷ୍ଟ ଥିଲା । ଗୋପବନ୍ଧୁ ଛୁଟିରେ କଟକରୁ ଯାଇ ତାଙ୍କ ପାଖରେ ସମୟ କଟାଉ ଥିଲେ । ଦିନେ ଗୋପବନ୍ଧୁ ଓ ତାଙ୍କର ଚାରିଜଣ ବନ୍ଧୁଙ୍କ ଆଗରେ ରାମଚନ୍ଦ୍ର ତାଙ୍କର ମନର ସଂକଳ୍ପ ପ୍ରକାଶ କଲେ-‘‘ତୁମେ ପାଞ୍ଚଜଣ ଶପଥ ନିଅ । ପ୍ରତ୍ୟେକେ ଅନ୍ତତଃ ପାଞ୍ଚଜଣକୁ ଶିକ୍ଷିତ କରିବାର ଦାୟିତ୍ୱ ନେବ । ଯିଏ ଶିକ୍ଷିତ ହେବେ ସେମାନେ ପ୍ରତ୍ୟେକେ ଆଉ ପାଞ୍ଚଜଣକୁ ଶିକ୍ଷିତ କରାଇବେ । ତାହାହେଲେ ପାଞ୍ଚବର୍ଷ ଭିତରେ ଓଡ଼ିଶାରେ ଶିକ୍ଷିତମାନଙ୍କର ସଂଖ୍ୟା ବହୁତ ହୋଇଯିବ ।’’

 

୧୯୦୦ରେ ମୁକ୍ତିଆରଙ୍କ ଏକମାତ୍ର ପୁତ୍ର ଏକବର୍ଷ ନ ହେଉଣୁ ଇହଲୋକ ଛାଡ଼ି ଚାଲିଗଲା । ତାହା ଶୁଣି ଗୋପବନ୍ଧୁ କଟକରୁ ପୁରୀ ଧାଇଁ ଯାଇଥିଲେ । ଶୋକସନ୍ତପ୍ତ ହେବା ଦୂରେ ଥାଉ ଶ୍ରୀରାମଚନ୍ଦ୍ର ଦାଶ ଗୋପବନ୍ଧୁଙ୍କ ଆଗରେ ପ୍ରାର୍ଥନା କଲେ-‘‘ହେ ପ୍ରଭୁ, ଭବିଷ୍ୟତରେ ମୋତେ ଆଉ ପୁଅ ଦିଅନ୍ତୁ ନାହିଁ - ତାହାହେଲେ ସଂସାର ବନ୍ଧନରେ ମୁଁ ଦୁନିଆ ଭୁଲିଯିବି ।’’

 

ସେଇ ଦୀକ୍ଷା-ଗୁରୁଙ୍କର ମନୋଭାବ ଗୋପବନ୍ଧୁଙ୍କ ଭିତରେ ରହିଯିବା ମନେ ହୁଏ । ସେଇଥିପାଇଁ ଗୋପବନ୍ଧୁ ତାଙ୍କର ପୀଡ଼ିତ ପୁତ୍ରକୁ ଛାଡ଼ିଦେଇ ବନ୍ୟାଗ୍ରସ୍ତ ଅଞ୍ଚଳରେ ଜନସେବା ପାଇଁ ଚାଲି ଯାଇଥିଲେ । ଫେରିଆସି ଦେଖିଲେ ପୁଅ ଆଉ ନାହିଁ । ମାତ୍ର ତାଙ୍କ କଣ୍ଠରୁ ଫୁଟି ଉଠିଚି-

 

‘‘ଗୋଟିଏ ପୁତ୍ର ଦେଇ

ହୃଦୟେ ମୋହର ଶତପୁତ୍ର ମୁଁ

କୁଢ଼ାଇ ଆଣିଚି ଏଇ ।’’

 

୧୯୦୪ରେ ଗୋପବନ୍ଧୁ, ବୈଦ୍ୟନାଥ ମିଶ୍ର ଓ ଗୋପୀନାଥ ଦାଶ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ରାମଚନ୍ଦ୍ର ସମସ୍ତଙ୍କୁ ପଚାରିଲେ-‘‘ବର୍ତ୍ତମାନ ତୁମେମାନେ କିଏ କ’ଣ କରିବ ?’’

 

ବୈଦ୍ୟନାଥ ଓ ଗୋପୀନାଥ ସରକାରୀ ଚାକିରି କରିବାକୁ ଜଣାଇଲେ । ଗୋପବନ୍ଧୁଙ୍କୁ ପଚାରିବାରେ ସେ କିଛି କହି ପାରିଲେ ନାହିଁ । ତାଙ୍କ ଆଖିରୁ କେବଳ ଅଶ୍ରୁ ଝରିବାକୁ ଲାଗିଲା । ରାମଚନ୍ଦ୍ର ଦାଶ ତାହା ଖୁବ୍‌ ହୃଦୟଙ୍ଗମ କରି ଆନନ୍ଦରେ କୁଣ୍ଢାଇ ପକାଇଲେ, କହିଲେ-‘‘ତୁମେ ତେବେ ଓକିଲାତି ପଢ଼ । ସ୍ୱାଧୀନ ବୃତ୍ତି ନେଲେ ଦେଶସେବା କରିବାକୁ ସୁଯୋଗ ପାଇବ । ଗୋପବନ୍ଧୁ ସେଇ ଉପଦେଶ, ସେଇ ଲକ୍ଷ୍ୟ ସାଦରେ ଗ୍ରହଣ କରିନେଲେ ।

 

ଓକିଲାତି ପଢ଼ିବାକୁ ଗୋପବନ୍ଧୁ କଲିକତା ଗଲେ । ୧୯୦୬ରେ କୃତକାର୍ଯ୍ୟ ହୋଇ ଦେଶକୁ ଫେରି ଆସିଲେ । ଯେଉଁଦିନ ପରୀକ୍ଷାର ଫଳ ବାହାରିଲା ସେଇଦିନ ଶୁଣିବାକୁ ପାଇଲେ, ସହଧର୍ମିଣୀ ଶ୍ରୀମତୀ ମୋତି ଦେବୀଙ୍କର ମୃତ୍ୟୁ ସମ୍ବାଦ । ଶୈଶବରେ ମାତା ଯାଇଥିଲେ, ପିତା ଯାଇଥିଲେ, ତିନିଟି ପୁତ୍ର ମଧ୍ୟ ଯାଇଥିଲେ । କେବଳ ରହିଲେ ଦିଓଟି କନ୍ୟା । ସେଇ କଥା ଗୋପବନ୍ଧୁ ଗୋଟିଏ କବିତାରେ ଦେଇ ଯାଇଛନ୍ତି-

 

ଦେଖିନାହିଁ ମାତୃମୁଖ ଅଜ୍ଞାନ ଶୈଶବେ,

ପିତା ପୁତ୍ର ପତ୍ନୀ ବନ୍ଧୁ ବିୟୋଗ ବିତ୍‌ପାତ

ବାରବାର ତଡ଼ିଦେଇ ଶୋକ-ମହାର୍ଣ୍ଣବେ

ବୁଡ଼ାଇ ଦେଇଛି ବୁକେ ତୀବ୍ର କଶାଘାତ ।

ବିରହ-ବିଷାଦ-ବିଷେ ରସାଣିତ ଧାର

କ୍ରୂରକାଳ ବାର ବାର ତୀକ୍ଷ୍ଣ କରବାଳେ,

କରିଛି ଏ ବକ୍ଷେ ମୋର ଦାରୁଣ ପ୍ରହାର,

କୁଞ୍ଚିତ କରାଳ ଛାପ ମାରିଛି ମୋ ଭାଲେ ।

 

ସେଇ ଶୋକସନ୍ତାପରେ ଗୋପବନ୍ଧୁ ବିଚଳିତ ହୋଇ ନଥିଲେ, ଇଚ୍ଛାମୟଙ୍କର ଇଚ୍ଛା ବୋଲି ଭାବିନେଇଥିଲେ ।

 

ପୁରୀରେ, କଟକରେ ଓକିଲାତି କରିଚନ୍ତି, କଟକର ବିଖ୍ୟାତ ଓକିଲ ଶ୍ରଯୁକ୍ତ ମଧୁସୂଦନ ଦାସଙ୍କର ଜୁନିଅର ହୋଇ ଆଇନ ବ୍ୟବସାୟ କରିବାର ସୁଯୋଗ ପାଇଛନ୍ତି - ୧୯୧୦ରେ ମୟୁରଭଞ୍ଜର ଷ୍ଟେଟ୍‌ ଆଡଭୋକେଟ ହୋଇ କାର୍ଯ୍ୟ କରିଛନ୍ତି; ମାତ୍ର ତାଙ୍କର ସମ୍ବେଦନଶୀଳ ପ୍ରାଣକୁ ବାନ୍ଧିନେଲା ଆମ ଓଡ଼ିଶାର ବନ୍ୟା, ଦୁର୍ଭିକ୍ଷ ଓ ଅନ୍ୟ ଅନ୍ୟ ସମସ୍ୟା ।

 

୧୯୦୯ରେ ଶ୍ରୀ ଗୋପବନ୍ଧୁ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ହରିହର ଦାଶଙ୍କ ସାହଚର୍ଯ୍ୟରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କଲେ । ତାଙ୍କ ଆଖି ଆଗରେ ସେତେବେଳକୁ ଥିଲା ବଙ୍ଗପ୍ରଦେଶର ଉଗ୍ର ଜାତୀୟ ଆନ୍ଦୋଳନ । ତା ତଳେ ସେ ଆବିଷ୍କାର କଲେ ଶିକ୍ଷାର ଚେତନା । ତେଣୁ ଅନ୍ୟ ଶିକ୍ଷାୟତନଠାରୁ ଭିନ୍ନ ଭାବରେ ଗଢ଼ିଲେ ତାଙ୍କର ବନବିଦ୍ୟାଳୟ, ତାଙ୍କର ଜାତୀୟ ଶିକ୍ଷାପୀଠ । ଖାଲି ଗ୍ରନ୍ଥକୀଟ ହୋଇ ସର୍କାରଙ୍କର ପ୍ରଭୁଭକ୍ତ କର୍ମଚାରୀ ହେବେ ନାହିଁ । ସେଇଠୁ ବାହାରିବେ ଦେଶ ପାଇଁ ସୈନିକ ।

 

୧୯୧୨ ମସିହାରେ ବଙ୍ଗରୁ ବିଚ୍ଛିନ୍ନ କରାଯାଇ ବିହାର ଓ ଓଡ଼ିଶା ପ୍ରଦେଶ ଗଢ଼ାହେଲା । ଫଳ ହେଲା, ଓଡ଼ିଆ ଜାତି ତିନୋଟି ପ୍ରଦେଶ ପରିବର୍ତ୍ତରେ ଚାରୋଟି ପ୍ରଦେଶରେ ରହି ଆହୁରି ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଲା । ଶ୍ରୀଯୁକ୍ତ ମଧୁସୂଦନ ଦାସ ଓଡ଼ିଶାକୁ ବଙ୍ଗଳା ସାଥିରେ ରଖାଇବାକୁ ଚାହିଁଲେ - ତହିଁରେ ଓଡ଼ିଶାର ଜାତୀୟ ପ୍ରଗତିର ଅଧିକ ସୁବିଧା ହେବ; ମାତ୍ର ଗୋପବନ୍ଧୁ ଚାହିଲେ, ଓଡ଼ିଶା ବିହାର ସାଥିରେ ରହିବା ଉଚିତ, ତହିଁରେ ଓଡ଼ିଶା ସବୁ ଦିଗରେ ଉନ୍ନତି କରିପାରିବ ଓ ବିଚ୍ଛିନ୍ନାଞ୍ଚଳର ମିଶ୍ରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଗୋପବନ୍ଧୁଙ୍କ ପକ୍ଷରେ ତାହା ମତଭେଦର ଲକ୍ଷଣ ନଥିଲା ।

 

ତା’ ପରବର୍ଷ ସୁରଙ୍ଗୀର ରାଜାସାହେବ ଯେତେବେଳେ ଶ୍ରୀଯୁକ୍ତ ମଧୁସୂଦନଙ୍କ ନାମ ସଭାପତି କରାଇବା ପାଇଁ ପ୍ରସ୍ତାବ ଆଣିଲେ ଗୋପବନ୍ଧୁ ତା ସମର୍ଥନ କରି କହିଥିଲେ-‘‘ମିଷ୍ଟର ଦାସ ସଭାପତି ହେଲେ ତାଙ୍କର ସମ୍ମାନ ବଢ଼ିବ ନାହିଁ, ବରଂ ତାଙ୍କୁ ସଭାପତି କରାଇବାରେ ଆମେ ସମ୍ମାନିତ ହେବା ।’’

 

ଉତ୍କଳ ସମ୍ମିଳନୀର ପୁରୀ ଅଧିବେଶନରେ ସତ୍ୟବାଦୀ ବନବିଦ୍ୟାଳୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀ ଫକୀରମୋହନ ସେନାପତି କହିଥିଲେ, ଶ୍ରୀ ସୁଦାମଚରଣ ନାୟକ ମଧ୍ୟ, ମାତ୍ର ଶ୍ରୀ ମଧୁସୂଦନ ଦାସ ସବୁଠାରୁ ହାର୍ଦ୍ଦିକ ଭାଷଣ ଦେଇଥିଲେ-

 

‘‘ସତ୍ୟବାଦୀ ବନବିଦ୍ୟାଳୟ ଯୋଗୁଁ ଦେଶର ଜାତୀୟ ଅଗ୍ରଗତି ହେବ, ଏଥିରେ ସନ୍ଦେହ ନାହିଁ । କୀଟପତଙ୍ଗ ଦୀପ ଆଲୁଅରେ ପଡ଼ିଲା ପରି ରାଜାମହାରାଜାମାନେ ସେମାନଙ୍କର ଧର୍ମ ଗ୍ରହଣ କରି ସମର୍ଥନ ଜଣାଇଲେ । ମନୁଷ୍ୟ ଗଢ଼ିବା ପାଇଁ ସେମାନେ ବଦ୍ଧପରିକର ।

 

ଜଗନ୍ନାଥ ମୂର୍ତ୍ତି ସମସ୍ତେ ଗଢ଼ିବେ, କିନ୍ତୁ ତା’ ଭିତରେ ଯେଉଁ ବ୍ରହ୍ମ ଅଛି ତାହା କେହି ଗଢ଼ି ପାରନ୍ତି ନାହିଁ । ଯେତେବେଳେ ଆମ୍ଭମାନଙ୍କ ଦେଶର ଯୁବକମାନଙ୍କ ହୃଦୟରେ ପ୍ରାଣବ୍ରହ୍ମ ପ୍ରତିଷ୍ଠିତ ହୋଇ ସେମାନଙ୍କୁ ପବିତ୍ର ମନୁଷ୍ୟତାରେ ଜାଜ୍ଜୁଲ୍ୟମାନ କରିବେ ସେତେବେଳେ ସରକାର ବା ଯେ କେହି ସେମାନଙ୍କୁ ସମ୍ମାନ କରିବେ । ଗୋପବନ୍ଧୁ, ନୀଳକଣ୍ଠ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି । ସେମାନଙ୍କ କାର୍ଯ୍ୟ ଦେଖି ଦେଶବାସୀ ସେମାନଙ୍କୁ ସାହାଯ୍ୟ କରିବାକୁ ଅଗ୍ରସର ହେବେ, ସନ୍ଦେହ ନାହିଁ ।’’

 

୧୯୧୩ରୁ ୧୯୧୮ ଭିତରେ ଉତ୍କଳ ସମ୍ମିଳିନୀ ଆଶାନୁରୂପ କାର୍ଯ୍ୟ କରି ପାରି ନାହିଁ । ୧୯୧୪- ୧୯୧୮ ପ୍ରଥମ ମହାଯୁଦ୍ଧ ପରେ ବ୍ରିଟିଶ ସରକାରଠାରୁ ଭାରତ ଚାହୁଥିଲା ସ୍ୱାୟତ୍ତଶାସନ ଓ ଓଡ଼ିଶା ଚାହୁଁଥିଲା ଦେଶମିଶ୍ରଣ ।

 

ଗୋପବନ୍ଧୁ ଚିନ୍ତା କରୁଥିଲେ କେବଳ କାର୍ଯ୍ୟ ନୁହେଁ; ଜାତୀୟ ସାହିତ୍ୟ ସୃଷ୍ଟି କରି ଦେଶର ଲୋକମାନଙ୍କ ମନରେ ଅନୁପ୍ରାଣନା ଓ ଉଦ୍ଦୀପନା ସୃଷ୍ଟି କରିବା ଏକାନ୍ତ କର୍ତ୍ତବ୍ୟ । ସେ ତ ତାଙ୍କର କବିତାମାନଙ୍କରେ ଦେଶପ୍ରାଣତାର ଉତ୍ସ ଦେଉଥିଲେ - ଦୃଷ୍ଟାନ୍ତ ସ୍ୱରୂପ, କବିବର ଉପେନ୍ଦ୍ର ଭଞ୍ଜଙ୍କ ସମ୍ପର୍କରେ କବିତା ଲେଖି ଶେଷରେ କହିଛନ୍ତି-

‘‘ସୃଜିଣ ସ୍ୱହସ୍ତେ            ଓଡ଼ିଆଙ୍କ ଭାଷା

ଗଢ଼ିଛ ଓଡ଼ିଆ ଜାତି,

ତବ ଜନ୍ମସ୍ଥାନ            ଓଡ଼ିଶାରୁ ଆନ

ଭାବିଲେ ବିଦରେ ଛାତି ।’’

ଗୋଟିଏ କାଙ୍କଣ ଗଛ ସମ୍ପର୍କରେ କବିତା ଲେଖିଛନ୍ତି । କାଙ୍କଣ ଗଛର ଅଭିବୃଦ୍ଧି ପାଇଁ ଗୋପବନ୍ଧୁ ତା’ ପାଇଁ ଗୋଟିଏ ରଞ୍ଜାଖଞ୍ଜି ଦେଲେ, ମାତ୍ର ଦୁଇଦିନ ପରେ ସେଇଟି ମରିଗଲା । କବି ଲେଖିଛନ୍ତି-

ସ୍ୱାଧୀନତା ପ୍ରିୟେ ! ଧରି ଅପର ଚରଣ

ଭାଗ୍ୟ ଅରଜନୁ ଶ୍ରେୟ ମଣିଲୁ ମରଣ ।

ସେଥିପାଇଁ ସେ ଜାତୀୟ ସାହିତ୍ୟ ସୃଷ୍ଟି ପାଇଁ, ତା’ର ପରିପୁଷ୍ଟି ପାଇଁ ୧୯୧୫ରେ ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକା ପ୍ରତିଷ୍ଠା କରିଥିଲେ ।

୧୯୧୭ରେ ଗୋପବନ୍ଧୁ ଓଡ଼ିଶାର ପୌରସଂସ୍ଥାମାନଙ୍କରୁ ବିହାର-ଓଡ଼ିଶା ବିଧାନସଭା ପାଇଁ ସଭ୍ୟ ନିର୍ବାଚିତ ହେଲେ । ଜଣେ ଟାଣୁଆ ବ୍ୟବସ୍ଥାପକ ଭାବରେ ସେ ଯେଉଁ ସମସ୍ୟାମାନ ଉପସ୍ଥାପିତ କରୁଥିଲେ ତାହା ସବୁ ଅତ୍ୟନ୍ତ ଗୁରୁତର-

ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ଓଡ଼ିଆପାଇଁ ଏକ ସ୍ୱତନ୍ତ୍ରପ୍ରଦେଶ ଗଠନ,

ସ୍ଥାୟୀ ବନ୍ୟା ନିରୋଧ,

ଲବଣ ଆମଦାନୀ ଉପରୁ କଟକଣା ଓ ଶୁଳ୍‌କ ଲୋପ,

ସତ୍ୟବାଦୀ ବନବିଦ୍ୟାଳୟ ଅନୁକରଣରେ ଓଡ଼ିଶା ସାରା ଶିକ୍ଷା ପ୍ରସାରଣ ।

 

ବିହାର ଓଡ଼ିଶା ପ୍ରଦେଶରେ ସିଂହଭୂମ ଅଞ୍ଚଳ ଓଡ଼ିଶାର ମସ୍ତକ ସ୍ୱରୂପ । ଟାଟାଙ୍କର ଲୌହ କାରଖାନା ତାହାରି ମଧ୍ୟରେ । ବିହାରରୁ ବିଚ୍ଛିନ୍ନ ହୋଇ ସ୍ୱତନ୍ତ୍ରପ୍ରଦେଶ ହେଲେ ସିଂହଭୂମି, ଧଳଭୂମି, ଷଢ଼େଇକଳା, ଖରସୁଆଁ ଓ ପୋଡ଼ାହାଟ କିପରି ଓଡ଼ିଶାର ଅନ୍ତର୍ଭୁକ୍ତ ହେବ, ସେଥିପାଇଁ ସେ ଅହରହ ଚିନ୍ତିତ ହେଲେ । ଓଡ଼ିଆ ଶିକ୍ଷା ପ୍ରସାର ପାଇଁ ବାହାଡ଼ାଗୋଡ଼ାକୁ ପଠାଇଲେ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କୁ ଓ ଚକ୍ରଧରପୁରକୁ ଶ୍ରୀ ଗୋଦାବରୀଶ ମିଶ୍ରଙ୍କୁ । ସେହି ସମୟରେ ସେ ନିଜେ ସେଇ ସେଇ ଅଞ୍ଚଳରେ ଗସ୍ତ କରି ତା’ର ଭବିଷ୍ୟତ ସମ୍ଭାବନା ପାଇଁ ଲକ୍ଷ୍ୟ କରୁଥିଲେ ।

 

ଉତ୍କଳ ସମ୍ମିଳନୀ ତରଫରୁ ଯେଉଁ ଅଞ୍ଚଳ ସବୁ ଓଡ଼ିଶାରେ ମିଶିବା ପାଇଁ ଦାବୀ କରା ଯାଉଚି ତାହାର ସମସ୍ତ ବିଷୟ ବିଚାର ନିମନ୍ତେ ସର୍ବଶ୍ରୀ ମଧୁସୂଦନ ଦାସ, କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ, ହରିହର ପଣ୍ଡା, ବ୍ରଜସୁନ୍ଦର ଦାସ, ଗୋପବନ୍ଧୁ ଦାସ, ସୁଦାମଚରଣ ନାୟକ, ଶେରଗଡ଼ ରାଜା ଶୋଭାଚନ୍ଦ୍ର ସିଂହ ଦେବଙ୍କୁ ନେଇ କମିଟି ଗଠିତ ହେଲା । କମିଟି ବହୁ ଯୁକ୍ତି ଦେଇ ଗୋଟିଏ ରିପୋର୍ଟ ପ୍ରସ୍ତୁତ କଲେ, ସମଗ୍ର ଓଡ଼ିଆ ଅଞ୍ଚଳକୁ ବିଭିନ୍ନ ପ୍ରଦେଶରୁ ଆଣି ଯଦି ସ୍ୱତନ୍ତ୍ର ପ୍ରଦେଶ ହୋଇ ପାରୁ ନାହିଁ ତେବେ ସେ ସବୁକୁ ବିହାର-ଓଡ଼ିଶାର ଅନ୍ତର୍ଭୁକ୍ତ କରାଯାଇ ଓଡ଼ିଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଉ ।

 

ସେଇ କମିଟି ତାଙ୍କ ରିପୋର୍ଟ ଭାରତର ଷ୍ଟେଟ୍‌ ସେକ୍ରେଟାରୀ ମଣ୍ଟେଗୁ (Mr. Montague)ଙ୍କୁ କଲିକତାଠାରେ ୧୧।୧୨।୫୭ରେ ଦେଲେ । ଓଡ଼ିଆଙ୍କ ପ୍ରତିନିଧି ଭାବରେ ଶ୍ରୀଯୁକ୍ତ ମଧୁସୂଦନ ଦାସ ଓ କନିକାରାଜା ସ୍ମାରକପତ୍ର Mr. Montague ଓ Lord Chelmsfordଙ୍କୁ ଦେଲେ ।

 

ୟା ମଧ୍ୟରେ ମଣ୍ଟେଗୁ ରିପୋର୍ଟ ପ୍ରକାଶିତ ହେଲା । ଏଥିରେ ଲେଖାଥିଲା ଯେ ଓଡ଼ିଶା ଓ ବିହାରର ସବୁ ଘଟଣାକୁ ଦୃଷ୍ଟି ରଖି ଆମେ ଏମାନଙ୍କ ପାଇଁ ସବ୍ ପ୍ରଭିନ୍‌ସ ଗଢ଼ିବା ସମ୍ଭାବନାକୁ ବାଦ ନଦେଇ ଏ ବିଷୟ ତୁରନ୍ତ ବିଚାର କରିବାକୁ ଭାବୁଚୁ ।

 

ମଣ୍ଟେଗୁ ରିପୋର୍ଟର ପ୍ରତିବାଦ କରିବା ପାଇଁ ୨୧/୨୨ ସେପ୍‌ଟେମ୍ବର ୧୯୧୮ରେ କଟକଠାରେ ଶ୍ରୀ ମଧୁସୂଦନ ଦାସଙ୍କର ସଭାପତିତ୍ୱରେ ସ୍ୱତନ୍ତ୍ର ଅଧିବେଶନ ବସିଥିଲା ।

 

ଓଡ଼ିଆଙ୍କ ପାଇଁ ସବ୍‌ପ୍ରଭିନ୍‌ସ ଦେବାରେ ବିଶେଷ କିଛି ଲାଭ ନାହିଁ ବୋଲି କହି ସ୍ୱତନ୍ତ୍ର ପ୍ରଦେଶ ବିନା ଓଡ଼ିଆମାନେ ସନ୍ତୁଷ୍ଟ ହୋଇ ପାରିବେ ନାହିଁ; ତେଣୁ ସଂସ୍କାର ପ୍ରବର୍ତ୍ତନ ପୂର୍ବରୁ ଓଡ଼ିଆଙ୍କ ଦାବୀ ଗୃହୀତ ହେବା ଉଚିତ ବୋଲି ଦର୍ଶେଇ ଦିଆଗଲା ।

 

ଶ୍ରୀଯୁକ୍ତ ମିଷ୍ଟର ଦାସ ବିହାର-ଓଡ଼ିଶା କାଉନ୍‌ସିଲ୍‍ରେ ୨୧।୧୧।୧୮ ତାରିଖରେ ଓ କନିକାରାଜା ଇମ୍ପରିଏଲ କାଉନ୍‌ସିଲରେ ପ୍ରଶ୍ନ କରିଥିଲେ । ସରକାର ଉତ୍ତର ଦେଲେ ଯେ ମଣ୍ଟେଗୁ ସଂସ୍କାର ପ୍ରବର୍ତ୍ତନ ପରେ ପ୍ରାଦେଶିକ ସରକାର ତାହାର ବିଚାର କରିବେ । ତା’ ପୂର୍ବରୁ କିଛି ନକରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଚି ।

 

ଏହାକୁ ଲକ୍ଷ୍ୟ ରଖି ୧୯୧୮ ସାଲର ସତ୍ୟବାଦୀ (ଜୁନ-ଜୁଲାଇ) ତା’ ଉପରେ ଉପାଦେୟ ଆଲୋଚନା କରିଥିଲେ ।

 

୧୯୧୯ ମସିହା ଏପ୍ରିଲ ୧୯ ତାରିଖ ଉତ୍କଳ ସମ୍ମିଳନୀର ଚତୁର୍ଦ୍ଦଶ ଅଧିବେଶନ କଟକରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଗୋପବନ୍ଧୁ ଦାଶ ସଭାପତି ଭାବରେ ଯେଉଁ ବକ୍ତୃତା ପ୍ରଦାନ କରିଥିଲେ ତାହା ସମବେତ ଜନତା ପ୍ରାଣରେ ଅପୂର୍ବ ସ୍ପନ୍ଦନ ଓ ଜାଗରଣ ଆଣି ଦେଇ ପାରିଥିଲା ।

 

ସେ ତାଙ୍କର ଅଭିଭାଷଣରେ ବହୁଦିଗରୁ ବହୁ ସମସ୍ୟା ଉପସ୍ଥାପିତ କରିଥିଲେ-

 

‘‘ଏହି ସମ୍ମିଳନୀ ଓଡ଼ିଆଜାତିର । ଆମ୍ଭେମାନେ ଯେ କେତେଜଣ ଏଠାରେ ଉପସ୍ଥିତ ଥାଇ କିମ୍ବା ଯେଉଁମାନେ ଆସି ନପାରି ସହାନୁଭୂତି ପତ୍ର ଲେଖି ଅଛନ୍ତି, ସମ୍ମିଳନୀ କେବଳ ସେମାନଙ୍କର ନୁହେ । ଏମନ୍ତ କି ବର୍ତ୍ତମାନ ଓଡ଼ିଆ ଜାତିର ଆବାଳବୃଦ୍ଧବନିତା ସମସ୍ତ ଜୀବିତ ବ୍ୟକ୍ତିଙ୍କର କେବଳ ଏ ସମ୍ମିଳନୀ ନୁହେଁ । ଅଦ୍ୟାପି ଯେଉଁମାନେ ଜନ୍ମ ହୋଇଥାନ୍ତି, ଶତଶତ ବର୍ଷ ପରେ ଯେଉଁମାନେ ଆମର ଉତ୍ତରାଧିକାରୀ ହେବେ ସେମାନଙ୍କର ମଧ୍ୟ ଏହି ସମ୍ମିଳନୀ ।

 

ଓଡ଼ିଆ ଜାତି କିଏ ? ପୃଥିବୀର ସ୍ଥାନ ଅନୁସାରେ ଜାତିର ନାମକରଣ ହୋଇଥିବା ପ୍ରାୟ ସର୍ବତ୍ର ଦେଖାଯାଏ । ଏକସ୍ଥାନରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ସ୍ୱତଃ ମାୟା ମମତା ଜନ୍ମେ । ସେମାନଙ୍କର ଆଶା, ଅଭିପ୍ରାୟ, ଭାଗ୍ୟ ଓ ଭବିଷ୍ୟତ ଏକ ଶ୍ରେୟଃ ସ୍ୱାର୍ଥରେ ଆବଦ୍ଧ । ସେମାନଙ୍କର କର୍ମଭୂମି ଏକ ଓ ଅଭିନ୍ନ । ସେହି ଭୂମି ସେମାନଙ୍କ ପକ୍ଷରେ ପବିତ୍ର ଓ ପ୍ରେମମୟ କ୍ଷେତ୍ର । ଏହା ସେମାନଙ୍କର ଜନ୍ମଭୂମି । ସେମାନଙ୍କ ଦୃଷ୍ଟିରେ ‘‘ସ୍ୱର୍ଗାଦପି ଗରୀୟସୀ’’ । ଯେଉଁମାନେ ଏପରି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବାସ କରନ୍ତି ସେମାନେ ଏକ ଜାତି ଏବଂ ସେହି ଭୂଖଣ୍ଡର ନାମାନୁସାରେ ନାମିତ ହୁଅନ୍ତି । ଏହି ପ୍ରାକୃତିକ ବିଧାନରେ ଯେଉଁମାନେ ଉତ୍କଳ ବା ଓଡ଼ିଶାରେ ସମାନ ଆଶା ଆକାଙ୍‌କ୍ଷା ଧରି ଜନ୍ମମରଣରେ ସମାନ ଶ୍ରେୟଃ ସ୍ୱାର୍ଥରେ ବିଜଡ଼ିତ ସେମାନେ ସମସ୍ତେ ଓଡ଼ିଆଜାତି ।

 

ଏହି ମାତୃପୂଜା ମଣ୍ଡପରେ ସମସ୍ତଙ୍କ ସମାନ ଅଧିକାର, ସମାନ ଆସନ । ତାହା ନ ହେଲେ ସମ୍ମିଳନୀର ଉଦ୍ଦେଶ୍ୟ କଦାପି ସିଦ୍ଧ ହେବ ନାହିଁ ।

 

ଉଦାର ମାନବିକତା ସମ୍ମିଳନୀର ଲକ୍ଷ୍ୟ ହେଲେ ଭାରତର ଜାତୀୟ ଆନ୍ଦୋଳନରୁ ଆମ୍ଭେମାନେ ପୃଥକ୍‌ ହୋଇ ରହିଲେ ଚଳିବ ନାହିଁ । ଓଡ଼ିଶା ନଦୀବନପର୍ବତାଦି ପ୍ରାକୃତିକ ଅବଚ୍ଛେଦ ଦ୍ୱାରା ଭାରତର ଅନ୍ୟାନ୍ୟ ପ୍ରଦେଶରୁ ବିଚ୍ଛିନ୍ନ ଥିଲାପରି ବୋଧ ହେଲେ ସୁଦ୍ଧା ଏହା ଅନ୍ୟାନ୍ୟ ପ୍ରଦେଶପରି ବିଶାଳ ଭାରତର ଅଂଶ ବିଶେଷ । ଭାରତୀୟ ଆକାଙ୍‌କ୍ଷା ସଙ୍ଗେ ଉତ୍କଳ ଆକାଙ୍‌କ୍ଷାର ସାମଞ୍ଜସ୍ୟ ରହିବା ଉଚିତ । ଭାରତ ସଙ୍ଗେ ଉତ୍କଳର ନିତ୍ୟ ସମ୍ବନ୍ଧ ରହିବଇ ରହିବ । ଏହି ସମ୍ବନ୍ଧ ଚିରଦିନ ରହିଅଛି । ସମ୍ମିଳନୀ କାର୍ଯ୍ୟରେ ଭାରତୀୟ ଆନ୍ଦୋଳନରୁ ପୃଥକ୍‌ ଥିଲେସୁଦ୍ଧା ମହାଭାରତ ଜାତୀୟତା ସହିତ ଏହାର ସଂଯୋଗ ମୂଳମନ୍ତ୍ର । ବର୍ଷକୁବର୍ଷ ସମ୍ମିଳନୀର ପ୍ରାରମ୍ଭରେ ଆମ୍ଭେମାନେ ପୂତ ପ୍ରାଣରେ ଅବହିତ ହୋଇ ପ୍ରଥମେ ଗାଉ -

‘‘ସର୍ବେଷାଂ ନୋ ଜନନୀ ଭାରତ

ଧରଣୀ କଳ୍ପଲତେୟଂ ।

 

ଏହି ଜାତୀୟ ଗୀତରେ ‘‘ଭାରତମେକୋ ଗତିରସ୍ମାକଂ’’ ବୋଲି ଆମ୍ଭେମାନେ ଯାହା କହୁଅଛୁ ଜାତୀୟ ଜୀବନରେ ତଥା ଜାତୀୟ କାର୍ଯ୍ୟରେ ତାହାର ସାର୍ଥକତା ବିଧେୟ ।

 

ଯେଉଁ ଦେଶର ଦେବତା ଜଗନ୍ନାଥ ସେ ଦେଶ ନଦୀ-ଗିରି-ସାଗର-ଶ୍ମଶାନରେ ଯେ ସେହି ମହା ଉଦାର ଭାବ ପ୍ରକାଶ ପାଇବ ତାହା ସ୍ୱାଭାବିକ । ଓଡ଼ିଶାର ନଦୀ, ମହାନଦୀ, ସମୁଦ୍ର ମହୋଦଧି, ଗିରି ମହେନ୍ଦ୍ର, ବୃକ୍ଷ କଳ୍ପବଟ, ଏମନ୍ତ କି ଶ୍ମଶାନ ମାନବର ଅନ୍ତିମ ସ୍ଥାନ ନୁହେ, ଦିବ୍ୟ ଅନନ୍ତଧାମର ପ୍ରବେଶ-ଦ୍ୱାର, ସ୍ୱର୍ଗଦ୍ୱାର ।

 

ମନେ ରଖିବାକୁ ହେବ, ଆମ୍ଭେମାନେ ପ୍ରଥମେ ମନୁଷ, ପରେ ଭାରତୀୟ ଏବଂ ସର୍ବଶେଷରେ ଓଡ଼ିଆ । ଏହି ଭାବ ମନରେ ନ ରଖିଲେ ଜାତୀୟ କ୍ରମବିକାଶ ଅସମ୍ଭବ । ପ୍ରତ୍ୟେକ ଜାତିର ସ୍ୱାତନ୍ତ୍ର୍ୟ ଅଛି ମାତ୍ର ସାମାଜିକ ଭିତ୍ତି ବିନା ସେ ସ୍ୱାତନ୍ତ୍ର୍ୟ ପ୍ରକଟିତ ହୁଏନାହିଁ । ସେହିପରି ଓଡ଼ିଆର ଜାତୀୟ ସ୍ୱାତନ୍ତ୍ର୍ୟ ଫୁଟିବ ପ୍ରଶସ୍ତତର ଭାରତୀୟ ଜାତୀୟତା କ୍ଷେତ୍ରରେ ଏବଂ ସାର୍ବଜନୀନ ଉଦାର ମାନବିକତାରେ ।

 

ଉଦାର ମାନବିକତାର ସଙ୍ଗରେ ସଭାପତି କରୁଣ କଣ୍ଠରେ ବାଢ଼ିଥିଲେ, ଉତ୍କଳଭୂମି ଯେପରି ଖଣ୍ଡବିଖଣ୍ଡିତ ସେଇପରି ଭାଷାର ମଧ୍ୟ ସେହି ଦଶା । ଓଡ଼ିଶାର ଦେଶମିଶ୍ରଣ ସମସ୍ୟା ବର୍ତ୍ତମାନ ସୁଦ୍ଧା ଅପୂର୍ଣ୍ଣ, ତା ଉପରେ ପୁଣି ଦେଶର ନାନା ଅଂଶରେ ଦୁର୍ଭିକ୍ଷ ଓ ଅନ୍ନକଷ୍ଟ ।

୧୯୧୯-୨୦ରେ ପୁରୀଜିଲ୍ଲାର ଗୋଟାଏ ବଡ଼ ଅଞ୍ଚଳରେ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା । ହା ଅନ୍ନ ହା ଅନ୍ନ ରୋଳରେ ଗ୍ରାମଭୂମି ମୁଖରିତ ହେଲା । ଡଭାର, ପୁରୀ ସଦର, ଗୋପ, ବାଲିଅନ୍ତା, ବାଣପୁର ଥାନା ଲୋକଙ୍କର ଦୁର୍ଦ୍ଦଶାର ପ୍ରତିକାର ପାଇଁ ଗୋପବନ୍ଧୁ ଆପ୍ରାଣ ଚେଷ୍ଟା କଲେ । ସବୁ ଅଞ୍ଚଳ ବୁଲି ସରକାରଙ୍କୁ ଅବସ୍ଥା ଅବହିତ କଲେ ।

ବିହାର-ଓଡ଼ିଶା କାଉନ୍‌ସିଲ୍‍ର ସଭ୍ୟ ଭାବରେ ଗୋପବନ୍ଧୁ ଦୁର୍ଭିକ୍ଷ ଅଞ୍ଚଳ ପାଇଁ ଯଥେଷ୍ଟ ସାହାଯ୍ୟର ଦାବୀ କଲେ । ଓଡ଼ିଶା ଡିଭିଜନର କମିଶନର ଗ୍ରୁନିଂ ସାହେବ ତାହା ସତ୍ୟ ନୁହେ ବୋଲି ପ୍ରତିବାଦ କଲେ । ସେତେବେଳକୁ ଗୋପବନ୍ଧୁ ରୁମାଲରୁ ମୁଠିଏ ଶାଗ ଓ ମୁଠାଏ ଖୁଦକୁଣ୍ତା କାଢ଼ି ସଭ୍ୟମାନଙ୍କୁ ଦେଖାଇ ନିଜେ କାନ୍ଦି ପକାଇଲେ ଏବଂ ଦୃଢ଼ଭାବରେ ଉପସ୍ଥାପିତ କଲେ-

‘‘If any human being in an unknown corner on the Province within the Great Empire of his Majesty dies for want of food, I thing that his blood will be upon me and upon all those who are directly or indirectly responsible for conducting administration.”

ସଭ୍ୟମାନେ ବିଚଳିତ ହୋଇଗଲେ । ଲାଟ ସାହେବ ବିଚଳିତ ହେଲାପରି ଭାବ ଦେଖାଇଲେ । ଦୁର୍ଭିକ୍ଷ ଅଞ୍ଚଳ ପାଇଁ ଆଶାନୁରୂପ ବ୍ୟବସ୍ଥା କଲେ ନାହିଁ । ସାମାନ୍ୟ ମୁଠି ଚାଉଳ ଦେବାର ବ୍ୟବସ୍ଥା ହେଲା ।

ବନ୍ୟା ପାଇଁ, ଦୁର୍ଭିକ୍ଷ ପାଇଁ, ଖଣ୍ତ ବିଖଣ୍ତିତ ଜନ୍ମଭୂମି ପାଇଁ ଆନ୍ଦୋଳନ ଓ ସଂଗ୍ରାମ କରିବାକୁ ହେଲେ ହାତରେ ଖବରକାଗଜ ଥିବା ଦରକାର, ନିତାନ୍ତ ଦରକାର । ତେଣୁ ସେ ସତ୍ୟବାଦୀ ବାହାର କଲେ ଖଣ୍ତିଏ ସାସ୍ତାହିକ ସମ୍ବାଦପତ୍ର ‘‘ସମାଜ’’ । ଆଜି ଯାହା ଦେଶକୁ ସେବା କରିବାରେ ନିଯୁକ୍ତ ହୋଇଚି ଓ ତାଙ୍କର ନାମକୁ ଯୁଗ ଯୁଗ ପାଇଁ ଅମର କରି ରଖିଚି ।

୧୯୨୦ର କଲିକତା କଂଗ୍ରେସରେ ସରକାର ସଙ୍ଗରେ ଅସହଯୋଗ କରିବାର ସ୍ଥିର ହେଲା । ତେଣୁ ଗୋପବନ୍ଧୁ ଶେଷଥର ପାଇଁ ବିହାର ଓଡ଼ିଶା ବିଧାନସଭାରେ ଯୋଗ ଦେଇ ଅସହଯୋଗ ବନ୍ୟାରେ ଲମ୍ପ ଦେଲେ ।

୧୯୨୦ର ଡିସେମ୍ବର ମାସରେ ନାଗପୁର କଂଗ୍ରେସ ଅଧିବେଶନରେ ଯୋଗ ଦେଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରସଙ୍ଗ ଉତ୍‌ଥାପନ କଲେ । କେତେକ କଂଗ୍ରେସ ସଭ୍ୟ ଏହାକୁ ପ୍ରତିରୋଧ କରିଥିଲେ ମାତ୍ର ମହାତ୍ମା ଗାନ୍ଧୀ ଏହାକୁ ସମର୍ଥନ ଦେଲେ । ଭାଷା ସୂତ୍ରରେ ଭାରତର ପ୍ରଦେଶ ଗଠନ କରିବାକୁ ଏକ ପ୍ରସ୍ତାବ ସେଇ ସମ୍ମିଳନୀରେ ଗୃହୀତ ହୋଇଗଲା । ଗୋପବନ୍ଧୁଙ୍କର ତାହା ନିଶ୍ଚିତ ଭାବରେ ଶକ୍ତିର ପରିଚାୟକ ।

ସିଂହଭୂମ୍ ଜିଲ୍ଲାର ଚକ୍ରଧରପୁରଠାରେ ୧୯୨୩ ମସିହାର ଡିସେମ୍ବର ମାସରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହେଲା । ଶ୍ରୀଯୁକ୍ତ ଜଗବନ୍ଧୁ ସିଂହ ତହିଁରେ ସଭାପତିତ୍ୱ କରିଥିଲେ । ବିଭିନ୍ନ ଦିଗରୁ ଏ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ।

କେବଳ ଦେଶ ମିଶ୍ରଣ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ନହୋଇ ଭାରତର ସ୍ୱରାଜ୍ୟ ପ୍ରାପ୍ତି ହେଉ ବୋଲି ଶ୍ରୀ ଗୋପବନ୍ଧୁ ଦାଶ ପ୍ରସ୍ତାବ ଆଗତ କରିଥିଲେ । ସକ୍ରିୟ ରାଜନୀତି ଆଡ଼କୁ ଗତି କରୁଚି ବୋଲି କେତେକ ସଭ୍ୟ ପ୍ରତିବାଦ କଲେ । ମାତ୍ର ସମର୍ଥନ କଲେ ସମ୍ବଲପୁରର ନେତା ଶ୍ରୀ ଚନ୍ଦ୍ରଶେଖର ବେହେରା । ଅନ୍ୟ ପ୍ରସ୍ତାବରେ ଭାରତର ଜାତୀୟ କଂଗ୍ରେସର ପ୍ରକୃତି ଓ ଗଠନ ବଦଳାଇ ଭାଷା ସୂତ୍ରରେ ପ୍ରଦେଶ ଗଠନର ଯେଉଁ ବିଧାନ ଦେଇଛନ୍ତି ତାକୁ ସମର୍ଥନ ଦିଆଗଲା । ନାଗପୁର କଂଗ୍ରେସ ଅଧିବେଶନର ପ୍ରସ୍ତାବ ଏଠି ବହୁ ମତରେ ଗୃହୀତ ହେଲା । ଗୋପବନ୍ଧୁଙ୍କର ବ୍ୟକ୍ତିତ୍ୱ ଓ ପ୍ରଭାବ ହେତୁ ସମ୍ମିଳନୀର ଉଦ୍ଦେଶ୍ୟ ଭିନ୍ନ ରୂପ ଧାରଣ କଲା । କଂଗ୍ରେସ କାର୍ଯ୍ୟ ମୁଖ୍ୟ, ସମ୍ମିଳନୀ କାର୍ଯ୍ୟକୁ ଗୌଣ ମନେ କରାଗଲା-

ୟା’ ପରେ ଗୋପବନ୍ଧୁ ଦେଶର ଆହ୍ଵାନରେ ସଂଗ୍ରାମରେ ଲମ୍ପ ଦେଲେ ।

୧୯୨୨ର ମେ ୩୧ ତାରିଖରେ ପୁରୀରେ ଗୋପବନ୍ଧୁଙ୍କୁ ଆରେଷ୍ଟ କରାଗଲା, ଫଉଜ କାନୁନ୍‌ର ୧୭ ଧାରା ବଳରେ ଗୋପବନ୍ଧୁ ଅୁସୁସ୍ଥ ଥିଲେ । ଛଅ ସାତ ଦିନ ବିଶ୍ରାମ ନେବାକୁ ସେ ପୁରୀରେ ଥିଲେ । ସରକାରଙ୍କର ହଠାତ୍‌ ଏ ବ୍ୟବସ୍ଥା, ସ୍ୱରାଜ୍ୟପଥରେ ନାନା ବାଧା, ନାନା ବିଘ୍ନ । ସେଇ ସମ୍ବାଦ ପାଇ ମହାତ୍ମା ଗାନ୍ଧୀ ୮।୬।୧୯୨୨ ରେ ତାଙ୍କ Young India ରେ ଲେଖିଥିଲେ ।

 

“The Tapaswi of Orissa was arrested while trying to rest and recoup health at Puri. His words at the time of arrest were inspiring.

 

I was trying a little rest about a week to recoup my broken health, I am glad that the Government people are anxious to give me no longer any rest.”

 

ପ୍ରଥମେ ବାଲେଶ୍ୱରରେ ଗୋପବନ୍ଧୁ ଦାସ ଓ ଭାଗୀରଥୀ ମହାପାତ୍ରଙ୍କର କେସ୍‌ର ବିଚାର ହେଲା । ମହାପାତ୍ରଙ୍କୁ ଗୋପବନ୍ଧୁଙ୍କ ସଙ୍ଗେ କେସ୍‌ରେ ଯୋଡ଼ି ଦିଆ ହୋଇଥିଲା । ଛଅମାସ ଲେଖାଏଁ ଜେଲଦଣ୍ତ ।

 

କଟକରେ ପୂର୍ବ ମକଦ୍ଦମାର ବିଚାର ହେଲା । ଗୋପବନ୍ଧୁ ଓ ଭାଗୀରଥୀ ଆନ୍ଦୋଳନର ନେତା, ତା’ ଉପରେ ପୁଣି ଦୁଇବର୍ଷ ଲେଖାଏଁ ଜେଲ ।

 

କନିକା କେସ୍ ପ୍ରତ୍ୟାହୃତ ହେଲା । ଗୋପବନ୍ଧୁଙ୍କୁ ନିଆହେଲା ହଜାରିବାଗ ଜେଲକୁ ।

କଟକ ଓ ହଜାରିବାଗ ଜେଲ୍‌ରେ କବି ଯେଉଁ କବିତାଗୁଡ଼ିକ ରଚନା କରିଥିଲେ ସେଗୁଡ଼ିକ ପ୍ରକାଶିତ ହୋଇଥିଲା କବିଙ୍କ ମୃତ୍ୟୁ ପରେ । ପୁସ୍ତକାକାରରେ ଯେତେବେଳେ ବାହାରିଲା, ତା’ର ନାମ ରଖାଗଲା ‘‘କାରା କବିତା’’ ।

 

ସେଇ ସମୟରେ ମଧ୍ୟ ‘‘ବନ୍ଦୀର ଆତ୍ମକଥା’’ ଲେଖିଥିଲେ । ସ୍ୱରାଜ୍ୟ ସଂଗ୍ରାମରେ ସେ କାରାବରଣ କରିଥିଲେ । ତାଙ୍କ ପ୍ରାଣରୁ ଯେଉଁ କବିତା ସ୍ଫୁରିତ ହୋଇଥିଲା ତାହା ପଦ ନୁହେଁ ସ୍ଫୁଲିଙ୍ଗ । କାରାକୁ ସେ କି ଆଖିରେ ଦେଖୁଥିଲେ ତା’ର ଦୃଷ୍ଟାନ୍ତ-

 

‘‘ମିଳେ ଯଦି କାହା ଭାଗ୍ୟେ କାରାବାସି

କାରା ନୁହଁଇ ସେ ପବିତ୍ର ପ୍ରଭାସ ।

ଆସି ଏଥି ସୁଦ୍ଧା ଏବେ ମୋ ବିଚାର,

ଏ ଜାତୀୟ ମୁକ୍ତି-ସ୍ୱରଗ ଦୁଆର ।’’

‘‘କାତରତା ସିନା କାପୁରୁଷ ପଣ

ବୀର ମାରେ ଅବା ମରେ କରି ପଣ

ପଛଘୁଞ୍ଚା ନାହିଁ ବୀରର ଜାତକେ

ନ ମରେ ସେ କେବେ ମରଣ ଆତଙ୍କେ ।’’

 

ପୁଣି ତାଙ୍କ ପ୍ରାଣରୁ ବାହାରି ପଡ଼ିଚି :

‘‘ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।

ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼

ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।’’

 

ଧର୍ମପଦର ଆତ୍ମତ୍ୟାଗରେ ଅଛି :

‘‘ମୁହୂର୍ତ୍ତେ ମାତର ଉଜ୍ଜ୍ୱଳ ପ୍ରଖର

 

ଶିଖା ଟେକି ହୁତାଶନ

ଜଳି ଯେବେ କରେ ଆଲୋକ ଉତ୍ତାପ

 

ଚଉଦିଗେ ବିତରଣ ।

ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ

 

ରହେ ତା’ ଆଦର ଯଶ

କି ଲୋଡ଼ା ତହିଁରେ ରହେ ଯେ ମହୀରେ

 

କୁହୁଳି ସହସ୍ର ବର୍ଷ ।’’

 

ଶ୍ରୀଯୁକ୍ତ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀର ଜନ୍ମଦାତା ଓ ନେତା-ତହିଁରେ ଯୋଗ ଦେଇଛନ୍ତି ଗୋପାବନ୍ଧୁ ଦାସ । ମଧୁସୂଦନ ଉତ୍କଳ ସମ୍ମିଳନୀ ପାଇଁ କଂଗ୍ରେସ ଛାଡ଼ି ଦେଇଥିଲେ । ମାତ୍ର ଗୋପବନ୍ଧୁ କଅଣ କରିଛନ୍ତି ଉତ୍କଳ ସମ୍ମିଳନୀକୁ କଂଗ୍ରେସମୁଖୀ କରିଛନ୍ତି । ସେଇ ଗୋପବନ୍ଧୁଙ୍କ ପାଇଁ ଶ୍ରୀ ମଧୁସୂଦନଙ୍କର ଅବଦାନ ଭାବିଲେ ବିସ୍ମିତ ହେବାକୁ ହୁଏ ।

 

ଗୋପବନ୍ଧୁ ଯେତେବେଳେ କାରାଦଣ୍ତ ଭୋଗ କରୁଥିଲେ, କୁଳବୃଦ୍ଧ ବଡ଼ ଚିନ୍ତିତ ହୋଇ ପଡ଼ିଲେ । ସେତେବେଳକୁ ସେ ଥିଲେ ବିହାର ଓଡ଼ିଶା କାଉନ୍‌ସିଲ୍‌ର ସଭ୍ୟ । ଗୋପବନ୍ଧୁ ଓ ଆଉ କେତେକ ରାଜନୈତିକ ବନ୍ଦୀଙ୍କର ଆଶୁ ମୁକ୍ତିପାଇଁ ସେ ଯେଉଁ ଅଗ୍ନିଗର୍ଭ ବକ୍ତୃତା ଦେଇଥିଲେ ତହିଁରେ ବ୍ରିଟିଶ ଶାସକ ମହଲ ବିଚଳିତ ହୋଇ ପଡ଼ିଥିଲେ । ପ୍ରସ୍ତାବ ଆକାରରେ ତାହା ବହୁ ସଭ୍ୟଙ୍କ ଦ୍ୱାରା ଗୃହୀତ ହୋଇ ତାହା ବିହାର ଓଡ଼ିଶାର ଗଭର୍ଣ୍ଣରଙ୍କ ନିକଟକୁ ପଠାଯାଇଥିଲା । କେତେ ମାସ ପରେ ଗୋପବନ୍ଧୁ ଅବଶ୍ୟ କାରାମୁକ୍ତ ହେଲେ-

 

ତାଙ୍କ ଭାଷଣରୁ ପଦେ-ଗୋପବନ୍ଧୁଙ୍କ ସମ୍ପର୍କରେ-

‘‘ଓଡ଼ିଶାର ଗୋଟିଏ ନାମ, ମୋର ପରମବନ୍ଧୁ ବାବୁ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଯାଉଛି ।

 

ତାଙ୍କ ଚରିତ୍ର, ଅନ୍ତତଃ ପକ୍ଷେ ତାଙ୍କ ଜୀବନୀ, ସମସ୍ତ ଓଡ଼ିଆ ସଦସ୍ୟଙ୍କୁ ଭଲଭାବେ ଜଣାଅଛି । କିଛି ମୁଁ ଏଠାରେ ଥିବା ସମସ୍ତଙ୍କ ଅପେକ୍ଷା ତାଙ୍କୁ ଭଲ ଭାବରେ ଜାଣେ । କାରଣ ସେହି ଯୁବକଙ୍କୁ ତାଲିମ ଦେବାରେ ଆନନ୍ଦ ଓ ସମ୍ମାନ ଲାଭ କରିଛି । ତାଙ୍କୁ ଏହି ଆଇନ୍‌ ପରିଷଦକୁ ନିର୍ବାଚିତ କରାଇ ଆଣିବାରେ ମଧ୍ୟ ମୁଁ ସାହାଯ୍ୟ କରିଛି ।

 

ଜଣେ ଉତ୍କଳ ଗୌରବ ଆଉ ଜଣେ ଉତ୍କଳମଣି । ଉତ୍କଳମଣି ଇହଧାମ ଛାଡ଼ିଗଲେ ୧୯୨୮ ମସିହାର ଜୁନ ୧୭ ତାରିଖରେ, ଉତ୍କଳ ଗୌରବ ଗଲେ ୧୯୩୪ ମସିହାର ଫେବୃଆରୀ ୪ ତାରିଖରେ । ସ୍ୱତନ୍ତ୍ର ଓଡ଼ିଶାର ସ୍ୱପ୍ନ ଦେଇ ଆଜୀବନ ଲଢ଼ୁଥିଲେ ମାତ୍ର ସ୍ୱତନ୍ତ୍ର ଓଡ଼ିଶା ଜୀବନରେ ଦେଖି ପାରିଲେ ନାହିଁ ।

 

ଉପ-ସଭାପତି

ଓଡ଼ିଆ ସାହିତ୍ୟ ଏକାଡେମୀ

 

ଉଚ୍ଚ ହେବା ପାଇଁ କର ଯେବେ ଆଶା

ଉଚ୍ଚକର ଆଗେ ନିଜ ମାତୃଭାଷା ।

-ଗଙ୍ଗାଧର ମେହେର

***

 

ବହୁ ସ୍ୱନାମଧନ୍ୟ ଜାତିପ୍ରାଣ ଏ ମାଟିରେ ଜନ୍ମଗ୍ରହଣ କରିଛନ୍ତି ସତ; କିନ୍ତୁ ଜଣେ କେବଳ ଏ ଓଡ଼ିଶା ମାଟିରେ ଜାତୀୟଗୌରବ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ସେ ଉତ୍କଳର କୁଳବୃଦ୍ଧ ମଧୁସୂଦନ । ଇତିହାସ ଗର୍ଭରେ ବିସ୍ମୃତ କଳିଙ୍ଗ ମାଟିରେ ନବୋତ୍କଳର ଜନ୍ମ ଯାହାଙ୍କ ତ୍ୟାଗ ଓ ସାଧନା ବଳରେ ସମ୍ଭବ ହୋଇ ପାରିଛି, ସେ ହେଉଛନ୍ତି ପ୍ରକୃତରେ ଏ ଜାତିର ଜନକ । ବିସ୍ମୃତିର ବାଲୁକା ଗର୍ଭରୁ ଓଡ଼ିଆମାନଙ୍କ ଜାତୀୟଜୀବନର ପୁନରୁଦ୍ଧାର ଯାହାଙ୍କ ପାଇଁ ସମ୍ଭବ ହୋଇଥିଲା, ସେହି ମଧୁସୂଦନ ହେଉଛନ୍ତି ଏ ଜାତିର ଦ୍ୱିତୀୟ ଗାଲମାଧବ ।

 

ଜାତୀୟଗୌରବ ମଧୁସୂଦନ ଓ ଜାତୀୟଜୀବନ

ଶ୍ରୀ କାର୍ତ୍ତିକେଶ୍ୱର ପାତ୍ର

 

ଇଂରେଜ ଶାସନ ଅଧୀନରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ପରାଧୀନତା ଭୋଗ ପରେ, କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ୧୮୪୮ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସ ୨୮ ତାରିଖରେ ମଧୁସୂଦନଙ୍କ ଜନ୍ମ । ବାଲ୍ୟଜୀବନରେ ମାତା ପାର୍ବତୀଙ୍କର ‘‘ଆଲୋ ସଖୀ, ଆପଣା ମହତ ଆପେ ରଖି’’ ବାଣୀ ତାଙ୍କ ଜୀବନକୁ ସମୁଜ୍ଜ୍ୱଳ କରିବା ପାଇଁ ବିଶେଷ ପ୍ରଭାବ ପକାଇଥିଲା । ତାଙ୍କର ପିତାମହୀ କୃଷ୍ଣା ଦେଈ ପିତାମହ ଚୌଧୁରୀ ସୁଦର୍ଶନ ଦାସଙ୍କର ଚିତାରେ ସତୀଦାହ ପ୍ରଥାର ଅନୁସରଣରେ ସହଗମନ ତାଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା । ପରବର୍ତ୍ତୀ କାଳରେ ନାନା ସମସ୍ୟା ଓ ସଙ୍କଟ ମଧ୍ୟରେ ଏହି ‘‘ସତୀ-ରକ୍ତ’’ର ପ୍ରେରଣା ତାଙ୍କୁ ଅନୁପ୍ରେରିତ କରିଥିଲା ।

 

ମାଟ୍ରିକ ପାସ୍‌ କରିବା ପରେ ପିତା ଚୌଧୁରୀ ରଘୁନାଥ ଦାସଙ୍କର ଆର୍ଥିକ ଦୁଃସ୍ଥିତିଜନିତ ଅପାରଗତା ପାଇଁ ଉଚ୍ଚ ଶିକ୍ଷା ଥାଇ ମଧୁସୂଦନଙ୍କୁ ସାହାଯ୍ୟ ଦେଇ ନପାରିବାରୁ, ମଧୁସୂଦନ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ହିସାବରେ ସାମୟିକ ଶିକ୍ଷକତା କରିବାକୁ ବାଧ୍ୟ ହୋଇଥିଲେ ।

 

ସତ୍‌ ଯାର୍‌ ଇଚ୍ଛା, ଈଶ୍ୱର ତା’ର ସହାୟ । ଉଚ୍ଚାଭିଳାଷର ମୃତ୍ୟ ନାହିଁ । ଉଚ୍ଚଶିକ୍ଷା ଲାଭ କରି ନିଜକୁ ପ୍ରତିଷ୍ଠିତ କଲେ, ଜାତି ପ୍ରତିଷ୍ଠା ଲାଭ କରିବ; ଏହା ଥିଲା ତାଙ୍କର ସ୍ପପ୍ନ । ଏହି ଆକାଂଙ୍‌କ୍ଷାର ବଶବର୍ତ୍ତୀ ହୋଇ, ଏକଦା ଚାନ୍ଦବାଲି ବନ୍ଦରରୁ କଲିକତାଗାମୀ ଗୋଟିଏ ଷ୍ଟିମରରେ ସେ କଲିକତା ଯାତ୍ରା କରିଥିଲେ । ସେଠାରେ ଜେ. ପି. ଅଷ୍ଟଳଙ୍କ ସହାୟତାରେ ଭବାନୀପୁର ଲଣ୍ତନ ମିସନ ସୋସାଇଟି କଲେଜରେ ଅଧ୍ୟୟନ କଲେ ।

 

ଛାତ୍ରାବସ୍ଥାରୁ ସେ ଥିଲେ ଗୁଣଗ୍ରାହୀ । ହଂସ ଭଳି ପାଣିମିଶା ଦୁଧରୁ ଦୁଧ ସଂଗ୍ରହ କରିବା ଥିଲା, ତାଙ୍କର ବିଶେଷ ଗୁଣ । ହିନ୍ଦୁଧର୍ମଠାରୁ ଦୂରରେ ରହି, ହିନ୍ଦୁଧର୍ମ ମଧ୍ୟରେ ସଂସ୍କାର ଆଣିବା ପାଇଁ ତାଙ୍କର ହୃଦୟ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ । ବିଶେଷ କରି ଯୀଶୁଖ୍ରୀଷ୍ଟଙ୍କର କ୍ରୁଶବିଦ୍ଧ ହେବାର ପୂର୍ବର ଅନ୍ତିମବାଣୀ ତାଙ୍କ ଅନ୍ତରରେ ଗଭୀର ରେଖାପାତ କରିଥିଲା ।

 

‘‘ଏ ଯେ ହତଭାଗ୍ୟେ             ଆଣିଛନ୍ତି ମୋତେ

ବଧିବାକୁ ବଧ-ସ୍ଥାନେ ।

ନ ଜାଣେ କି ପାପ             ଅର୍ଜିବେ ଏମାନେ

ମୋତେ ବଧି ଆଜି ପ୍ରାଣେ ।’’

 

ନିଜର ମୃତ୍ୟୁ ଯନ୍ତ୍ରଣା ପାଇଁ ମହାପ୍ରଭୁ ଯୀଶୁ ବ୍ୟଥିତ ନଥିଲେ; ଅନ୍ୟକୁ ବିଶୁଦ୍ଧ କରିବା ପାଇଁ ବରଂ ସକରୁଣ ହୋଇ ଉଠିଥିଲେ । ଏହି ଆଦର୍ଶର ବଶବର୍ତ୍ତୀ ହୋଇ ସେ ଖ୍ରୀଷ୍ଟଧର୍ମ୍ମ ଗ୍ରହଣ କରିଥିଲେ । ପିତା ରଘୁନାଥ ତାଙ୍କୁ ଏହି ପଥରୁ ନିବର୍ତ୍ତାଇବା ପାଇଁ ଚେଷ୍ଟା କରି ବ୍ୟର୍ଥ ହୋଇଥିଲେ-। କେବଳ ସେତିକି ନୁହେଁ, ତାଙ୍କୁ ତ୍ୟଜ୍ୟପୁତ୍ର କରିଥିଲେ । କଲିକତାରେ ବିଦ୍ୟାଧ୍ୟୟନ ସମୟରେ ମଧୁସୂଦନ ସୌଦାମିନୀ ନାମ୍ନୀ ଜଣେ ବଙ୍ଗାଳୀ ରୂପସୀ ତରୁଣୀଙ୍କୁ ବିବାହ କରିଥିଲେ । ୧୮୭୩ ମସିହାରେ ଇଂରାଜୀରେ ଏମ. ଏ. ପାଶ୍‌ କଲେ । ତା’ପରେ କଲିକତାରେ ଶିକ୍ଷକତା କରି ସେ ଓକିଲାତି ମଧ୍ୟ ପାଶ୍‌ କଲେ ।

 

୧୮୭୮ ମସିହାରେ ଯେଉଁଦିନ ତାଙ୍କର ପ୍ରାଣପ୍ରିୟା ପତ୍ନୀ ହୃଦ୍‌ରୋଗରେ ପ୍ରାଣତ୍ୟାଗ କଲେ, ସେହି ଦିନଠୁଁ ସେ ନିଜପ୍ରତି ବଡ଼ ନିଷ୍ଠୁର ଓ ନିର୍ମମ ହୋଇ ବ୍ୟକ୍ତିଗତ ଜୀବନରୁ ଜାତୀୟଜୀବନରେ ଝାସ ଦେଲେ । ବନ୍ଧ ଭାଙ୍ଗିଗଲେ ସୁଅ ଯେପରି ପ୍ରଖର ବେଗରେ, କଳ କଳ ଧ୍ୱନିରେ ଧାବମାନ ହୁଏ, ସେହିପରି ବ୍ୟକ୍ତିଗତ ଜୀବନର ନିଃସଙ୍ଗତାକୁ ଲଂଘନ କରି ସେ ଦେଶ କାମରେ ମାତିଗଲେ ।

 

ସେ ଓଡ଼ିଶାର ପ୍ରଥମ ଓଡ଼ିଆ ଓକିଲ । କୋଇଲି ଦେଖିଲେ କାଉମାନେ ଯେମିତି ହୁଅନ୍ତି, ବଙ୍ଗାଳୀ ଓ ଅଣଓଡ଼ିଆ ଓକିଲମାନେ ସେଇଭଳି ଭାବରେ ମଧୁସୂଦନଙ୍କୁ ହଜାଇ ଦେବାକୁ ଚେଷ୍ଟା କରୁଥିଲେ । ସେ ଖ୍ରୀଷ୍ଟିୟାନ ବୋଲି ବ୍ରାହ୍ମଣ ଓ ହିନ୍ଦୁ-ଧର୍ମଧ୍ୱଜୀମାନେ ତାଙ୍କୁ ନାକ ଟେକୁଥିଲେ । ପିତା ତ୍ୟଜ୍ୟପୁତ୍ର କରିଥିବା ହେତୁ ପରିବାରରୁ ବିତାଡ଼ିତ ହୋଇଥିଲେ । ସବୁରି ପ୍ରକାର ଅସହଯୋଗ, ଅନ୍ଧସଂସ୍କାର, ବିଦ୍ୱେଷ ଓ ବିରାଗ ମଧ୍ୟରେ ମଧୁବାବୁଙ୍କ ଜୀବନର ଜାତୀୟ-ସ୍ରୋତ ଛଳ ଛଳ, କଳ କଳ, ଗଙ୍ଗାଭଳି ପ୍ରବାହିତ ହେଉଥିଲା ।

 

ବୁଦ୍ଧିର ବିଚକ୍ଷଣତା, ସ୍ପନ୍ଦନମୟୀ ବାଗ୍ମୀତାର ଚାତୁରୀ, ଭିତ୍ତିହୀନ ସ୍ୱାଭିମାନର ସ୍ପର୍ଦ୍ଧା, ନିଃସ୍ୱ ନିଃସହାୟ ପ୍ରତି ଫଲ୍‌ଗୁର ଅକୁଣ୍ଠ ସାହାଯ୍ୟ ଏବଂ ଉଦାରତା ତାଙ୍କୁ କରିଥିଲା ମହାନ୍‌ । ଧର୍ମର ସଂକୀର୍ଣ୍ଣ ଗଣ୍ତି ମଧ୍ୟରୁ ପୁଣି ତାଙ୍କୁ ଫେରାଇ ଆଣିଥିଲା ଲକ୍ଷ ଲକ୍ଷ ଓଡ଼ିଆ ହୃଦୟ ସିଂହାସନକୁ ଅଧୀଶ୍ୱର ରୂପେ । ଆଣିଥିଲା ଜାତୀୟ ଜୀବନର ଜନାକୀର୍ଣ୍ଣ ମଞ୍ଚ ଉପରକୁ ମଞ୍ଚାଧିପତି ରୂପେ । ଏଥିପାଇଁ କବି ଗୋଦାବରୀଶ ଗାଇ ଯାଇଛନ୍ତି-

 

ଉତ୍କଳ ବରେଣ୍ୟ ସୂନୁ ହେ ମଧୁସୂଦନ

ତୁମ୍ଭ ଲାଗି ଏକା ଆଜି ଏ ଉତ୍କଳ ଧନ୍ୟ !

 

କହିବା ବାହୁଲ୍ୟ, ଭାରତୀୟ ଜାତୀୟ-ସ୍ରୋତରେ ଉତ୍କଳକୁ ମିଶାଇ ସ୍ରୋତସ୍ୱିନୀ ଖର ପ୍ରଖର କରାଇ, ସେ ଜାତୀୟ-ଗୌରବ ଲାଭ କରିଥିଲେ । ଭାଷା, ଧର୍ମ ଓ ପ୍ରାନ୍ତୀୟତାର ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ରହି ସେ କହିଥିଲେ-

 

‘‘ଉତ୍କଳଜନନୀ ଓ ଭାରତଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସି ଅଂଶରେ ପୀଡ଼ା ହେଲେ ସେହି ଅଶଂର ଚିକିତ୍ସା କରିବାକୁ ହେବ । କିନ୍ତୁ ଏହି ଅଂଶ-ବିଶେଷର ଚିକିତ୍ସାଦ୍ୱାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳର ଚିକିତ୍ସାର ଉଦ୍ଦେଶ୍ୟ ଭାରତର ଉନ୍ନତି ।’’ ଜନନୀ ଛିନ୍ନମସ୍ତା ଉତ୍କଳର ଛିନ୍ନ ଶିରକୁ ଯୋଡ଼ିବା ପାଇଁ ମାଆ ଧ୍ୱନିରେ ଆକାଶ ବତାସ ବିଦୀର୍ଣ୍ଣ କରି, ଲକ୍ଷ ଲକ୍ଷ ଓଡ଼ିଆର ହୃଦୟକୁ ଆନ୍ଦୋଳିତ କରିଥିଲେ । ସେ ଗାଇଥିଲେ-

 

‘‘ତୁ ପରା ବୋଲାଉ            ଉତ୍କଳ ସନ୍ତାନ

ତେବେ କିପାଇଁ ତୁ ଭୀରୁ,

ତୋହରି ଜନନୀ            ରୋଦନ କରିଲେ

କହିବାକୁ କିଆଁ ଡରୁ ।’’

 

ଆନ୍ଧ୍ର, ବଙ୍ଗଳା ଓ ବିହାର ସହିତ ମିଶି ରହିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି, ବିଶାଳ ଉତ୍କଳ ଗଠନ କରିବାର ସ୍ୱପ୍ନରେ ସେ ବିଭୋର ହୋଇ, ଉତ୍କଳ-ସମ୍ମିଳନୀ ଗଠନ କରିଥିଲେ । ଏହି ସମ୍ମିଳନୀ ଜରିଆରେ ଓଡ଼ିଆ ଆନ୍ଦୋଳନକୁ ତେଜାଇବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଏହି ସମ୍ମିଳନୀ ଡକାଇ ସେ ଉଦ୍‌ବୋଧନ ଦେଇଥିଲେ । ଓଡ଼ିଆମାନଙ୍କୁ ସକରୁଣ ଆହ୍ୱାନ ଦେଇଥିଲେ-

 

‘‘ଏହି ସମ୍ମିଳନୀ                   ଜାତି-ପ୍ରାଣ-ସିନ୍ଧୁ

କୋଟି ପ୍ରାଣବିନ୍ଦୁ ଧରେ

ତୋର ପ୍ରାଣବିନ୍ଦୁ                   ମିଶାଇ ଦେ ଭାଇ

ଡେଇଁ ପଡ଼ି ସିନ୍ଧୁନୀରେ ।’’

 

ଇଂରେଜ କର୍ତ୍ତୃପକ୍ଷଙ୍କ ସମକ୍ଷରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଛଳରେ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଦାବୀ ଉପସ୍ଥାପିତ କରିଥିଲେ । ଥରେ ନୂତନ ବର୍ଷର ଭେଟି ସ୍ୱରୂପ ଗୋଟିଏ ଛିନ୍ନମୁଣ୍ତା ଉତ୍କଳଜନନୀଙ୍କ ଛବି ଉଚ୍ଚପଦସ୍ଥ ରାଜକୀୟ କର୍ତ୍ତୃପକ୍ଷମାନଙ୍କ ପାଖକୁ ପଠାଇଥିଲେ ।

 

ଓଡ଼ିଶାରେ ‘ଉତ୍କଳ ସଭା’କୁ ନିଖିଳ ଭାରତ ଜାତୀୟ କଂଗ୍ରେସରେ ସେ ସାମିଲ କରାଇଥିଲେ ଏବଂ ତାହାକୁ ଓଡ଼ିଶାର ସର୍ବପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟିରେ ରୂପାନ୍ତରିତ କରିଥିଲେ । ଜାତୀୟ କଂଗ୍ରେସରେ ଯୋଗ ଦେବାପାଇଁ ଓଡ଼ିଶାର ଜନସାଧାରଣଙ୍କୁ ସେ ପ୍ରବର୍ତ୍ତାଇବା ପାଇଁ ବିଭିନ୍ନ ସଭାରେ ଉଦ୍‌ବୋଧନ ଦେଇଥିଲେ । ୧୮୮୮ ମସିହା ଫେବୃୟାରୀ ମାସ ୧୬ ତାରିଖରେ କଟକ ମ୍ୟୁନିସିପାଲିଟି ମାର୍କେଟ ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ ଏଥିପାଇଁ ସେ ଉଦ୍‌ବୋଧନ ଦେଇଥିଲେ ।

 

ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ସେ କଂଗ୍ରେସରୁ ୧୯୦୩ ରେ ବିଦାୟ ନେଇଥିଲେ । ସେ ଚିନ୍ତାକଲେ କଂଗ୍ରେସ-ଅନୁଷ୍ଠାନ ଜରିଆରେ ତାଙ୍କ ସ୍ୱପ୍ନ ସଫଳ ହୋଇପାରିବ ନାହିଁ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ସ୍ୱତନ୍ତ୍ର ଭାବରେ ଦାବୀ ଉପସ୍ଥାପିତ ହୋଇ ନ ପାରିବା ତାଙ୍କ କ୍ଷୋଭର ଅନ୍ୟ ଏକ କାରଣ ।

 

ଜଣେ ଓଡ଼ିଆ ଯୁବକ ହିସାବରେ ସେ ଏକାଧିକବାର ଲଣ୍ତନ ଯାତ୍ରା କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଯଥାର୍ଥତା ପ୍ରତିପାଦିତ କରିଥିଲେ । ସେ କହିଥିଲେ-

 

‘‘ଏ ଦେଶଟା ହେଲା ପରାଧୀନ ଦେଶ । ତୁମ୍ଭେମାନେ ଏଠି ଗଣତାନ୍ତ୍ରିକ ପଦ୍ଧତି ଭୁଲି ପୂରାପୂରି ହୁଙ୍କାପିଟା, ମନମୁଖୀ ନୀତିରେ ଶାସନ ଚଳାଇବ । ଏହା କିନ୍ତୁ ଇଂରେଜ କର୍ମ୍ମଚାରୀମାନଙ୍କର ମୌଳିକ ଶିକ୍ଷାନୀତିର ବିରୋଧୀ ।’’ ମଧୁବାବୁଙ୍କ ଏହି ବିବରଣୀ ଲଣ୍ତନର ‘ଟ୍ରିବୁନ’ ପତ୍ରିକାରେ ୧୯୦୭ ମସିହା ସେପ୍‌ଟେମ୍ବର ମାସ ୨୬ ତାରିଖରେ ପ୍ରକାଶିତ ହୋଇଥିଲା-

 

ବିଶିଷ୍ଟ ଐତିହାସିକ ଡକ୍ଟର ମନ୍ମଥ ନାଥ ଦାସଙ୍କ ଭାଷାରେ ସେ ଥିଲେ ସାହସିକ ଓଡ଼ିଆମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ଯାହା ବାହାରେ କୁହାଯାଏ, କଳିଙ୍ଗାଃ ସାହସିକାଃ ।

 

ସେ ଇଂଲଣ୍ତରୁ ତୁରନ୍ତ ପଳାଇ ଆସିଥିଲେ । ଇଂଲଣ୍ତର ଖବରକାଗଜରେ ବ୍ରାହ୍ମଣୀ ନଈର ଜନାର୍ଦ୍ଦନ ଘାଇ ଭାଙ୍ଗି, ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ଫଳରେ ସେଠାରେ ଦୁର୍ଭିକ୍ଷ ଓ ଖାଦ୍ୟଭାବ ପରିସ୍ଥିତି ତାଙ୍କ ଦୃଷ୍ଟିକୁ ଆସିଥିଲା । ତା ହୋଇ ନଥିଲେ ସେ ଆଉ କିଛିଦିନ ଲଣ୍ତନରେ ରହି, ଭଲଭାବରେ ଓଡ଼ିଶାର ପରିସ୍ଥିତି ସରକାରଙ୍କୁ ଜଣାଇଥାନ୍ତେ । ବନ୍ୟା ଦୁର୍ଗତ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ତାଙ୍କୁ ଅଥୟ କଲା ସେମାନଙ୍କ ପାଖକୁ ଫେରିଆସିବା ପାଇଁ । ବିଭିନ୍ନ ସମୟରେ ବନ୍ୟା ଓ ଦୁର୍ଭିକ୍ଷ ସମୟରେ ଲୋକେ ମଧୁବାବୁଙ୍କୁ ଅତି ନିକଟରେ ପାଇ ଦୁଃଖ ଲାଘବ କରୁଥିଲେ । ସେ ଥିଲେ ମହା ବଟଦ୍ରୁମ । ତାଙ୍କୁ ଆଶ୍ର କରି ଓଡ଼ିଆ ଜାତି ଭରସା ପାଉଥିଲା । ସେ ଥିଲେ ଜାତିର ଗୌରବ ।

 

ତାଙ୍କ ମୁଖନିଃସୃତ ବାଣୀ ଓଡ଼ିଆମାନଙ୍କୁ ଏକତା-ସୂତ୍ରରେ ଆବଦ୍ଧ କରିଥିଲା । ଓଡ଼ିଆଜାତିର ନିଦ୍ରାଭଙ୍ଗ ହୋଇଥିଲା । ଜାତୀୟଜୀବନର ଉନ୍ମେଷ ପାଇଁ ସେ କହିଥିଲେ-

 

ପ୍ରତ୍ୟେକ ଜାତିର ହୃଦୟରେ ଯେତେବେଳେ ଜାତିର ଚିନ୍ତା ପ୍ରବେଶ କରିବ; ସେତେବେଳେ ଆମ୍ଭମାନଙ୍କ ଭିତରେ ଜାତୀୟଜୀବନ ପ୍ରବେଶ କରିବ । ମୋର ଶରୀରର ପ୍ରତ୍ୟେକ ରେଣୁ, ମୋର ମାନସିକ ଚିନ୍ତାର ପ୍ରତ୍ୟେକ ଚିନ୍ତା । ସେହି ଜାତୀୟଜୀବନର ଏକ ଅଂଶ ।

 

ଦିନେ ତାଙ୍କର ଜଣେ ଆତ୍ମୀୟ ଡେପୁଟୀଙ୍କୁ ସେ ପ୍ରଶ୍ନ କଲେ, ‘‘ତୁମେ ଜାତୀୟଜୀବନ ସମ୍ପର୍କରେ କ’ଣ କରିଅଛ ?’’ ସେ କହିଲେ, ‘‘ମୋର ସମୟ ନାହିଁ ।’’ ମଧୁବାବୁ କହିଲେ, ‘‘ବାଟଘାଟ କଚେରୀରେ ଯାହାକୁ ଦେଖୁଛ କିମ୍ବା ଘରେ ତୁମ୍ଭର ସ୍ତ୍ରୀକୁ ଏ ସମ୍ବନ୍ଧରେ କିଛି କହିବାକୁ ସମୟ ପାଉନାହଁ କି ?’’ ତୁମ୍ଭେ ସମସ୍ତେ ମନକୁ ପଚାର । ସ୍ତ୍ରୀକୁ କେବେ କହିଛ ତୋର ଜାତୀୟଜୀବନ ଅଛି କି ? ତୋର ଜାତୀୟଜୀବନ ବଢ଼ାଇବା ଦରକାର, ପିଲାମାନେ ଯେପରି ଜାତିର ଗୌରବ ବୃଦ୍ଧି କରି ପାରନ୍ତି, ତୁ ତାଙ୍କୁ ଗଢ଼ାଇବୁ । ’’

 

ସ୍ତ୍ରୀଶିକ୍ଷା ପ୍ରତି ସେଥିପାଇଁ ସେ ଅଧିକ ଗୁରୁତ୍ୱ ଆରୋପ କରୁଥିଲେ । ଉତ୍କଳ ସମ୍ମିଳନୀରେ ସେ କହିଥିଲେ, ‘‘ଜାତି ପକ୍ଷରେ ସ୍ତ୍ରୀଶିକ୍ଷା ଅତୀବ ଆବଶ୍ୟକ’’ ପ୍ରତ୍ୟେକ ବାଳିକା ଭାବୀମାତା । ବର୍ତ୍ତମାନ ଯେଉଁ ଉତ୍ସରୁ ସ୍ରୋତ ବହିଯାଉଛି, ସେହି ସ୍ରୋତ ଉତ୍ସ ଅପେକ୍ଷା ଅଧିକ ଉଚ୍ଚକୁ ଉଠି ପାରେ ନାହିଁ ବା ଅଧିକ ବିଶୁଦ୍ଧ ହୋଇପାରେ ନାହିଁ । କୌଣସି ଜାତି ସ୍ୱଜାତିର ନାରୀମାନଙ୍କଠାରୁ ଅଧିକ ଉଚ୍ଚ ସ୍ତରକୁ ଉଠିପାରେ ନାହିଁ । କାରଣ ଉତ୍ସପରି ଜାତୀୟ ହୃତ୍‌ପିଣ୍ତରେ ପରିଣତ ପ୍ରବାହିତ ରକ୍ତ ଯୋଗାଏ ।

 

କେବଳ ସେତିକି ନୁହେଁ, ଓଡ଼ିଆ ଜାତିର ଗୌରବ-ଗାରିମାର ସ୍ୱାଭିମାନ ସ୍ପନ୍ଦନ ପ୍ରତ୍ୟେକ ଓଡ଼ିଆ ଅନ୍ତରରେ ସୃଷ୍ଟି କରିବା ପାଇଁ ସେ ବିଭିନ୍ନ ସଭାରେ ବଜ୍ର ଗମ୍ଭୀର କଣ୍ଠରେ ଉଦ୍‌ବୋଧନ ଦେଇଥିଲେ ।

 

ଯେଉଁ ଜାତି ବଡ଼ଦେଉଳ ଭୁବନେଶ୍ୱର ଓ ଅନ୍ୟାନ୍ୟ ଶଳ୍ପ କାର୍ଯ୍ୟମାନ କରିଥିଲେ, ସେହି ଜାତିର ରକ୍ତ ଆମ୍ଭ ଦେହରେ ଅଛି କି ? ବିଦ୍ୟାରମ୍ଭ ସମୟରେ ଏହି କଥା ଭାବ, ନିଜ ଜାତିର ଜୀବନ ଆପଣା ଦେହରେ ଅଛି କି ନାହିଁ ।

 

ଯେବେ ନଥାଏ, ସେ କିପରି ହେବ ଚେଷ୍ଟା କର । ଜାତୀୟଜୀବନ ବ୍ୟକ୍ତିଗତ ଜୀବନଠାରୁ ପୃଥକ । ‘‘ଜାତିପାଇଁ ବାଟରେ ଭିକ୍ଷା କରି ମରିବି’ ଏହିପରି ପଣ ନ କରିବା ପର୍ଯ୍ୟନ୍ତ ଜାତୀୟଜୀବନର ସଞ୍ଚାର ହେବ ନାହିଁ । ବ୍ୟକ୍ତିଗତ ଜୀବନ ସ୍ୱାର୍ଥପର । ସ୍ୱାର୍ଥପରତା ଯେତେ ବୃଦ୍ଧି ହେବ, ଜାତୀୟଜୀବନ ସେତିକି କମିବ । ସ୍ୱାର୍ଥପରତା ଯେତିକି କମିଯିବ, ଜାତୀୟଜୀବନ ସେତିକି ବୃଦ୍ଧି ହେବ । ସେଥିପାଇଁ ସେ ଉଦାର କଣ୍ଠରେ ଗାଇଛନ୍ତି-

 

‘‘ଜାତି ନନ୍ଦିଘୋଷ ଚଳିବ କି ଭାଇ

 

ସ୍ୱାର୍ଥକୁ ସାରଥୀ କଲେ

ଚଳାଏ କି ଗାଡ଼ି ଦାନାର ତୋବଡ଼ା

 

ଘୋଡ଼ା ମୁହେଁ ବନ୍ଧା ଥିଲେ ।’’

 

ଆହୁରି ସେ କହିଛନ୍ତି-

 

‘‘ମୁଁ ଓଡ଼ିଆ, ଓଡ଼ିଶାରେ ଜନ୍ମଗ୍ରହଣ କରିଅଛି ଏବଂ ବାସ କରୁଅଛି । ଉତ୍କଳମାତାଙ୍କ କୋଳରେ ମୋର ଅସ୍ଥି ମାଂସ ରହିବ । ଯେଉଁମାନେ କୀର୍ତ୍ତି କରି ଯାଇଛନ୍ତି, ସେମାନେ ମୋର ପୂର୍ବପୁରୁଷ । ତାଙ୍କର କୀର୍ତ୍ତି ରକ୍ଷା କରିବାର ଭାର ମୋ ଉପରେ ନ୍ୟସ୍ତ । ପ୍ରତ୍ୟେକ ଲୋକ ମନରେ ଏହି ଭାବର ସଞ୍ଚାର କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ।’’ ଏ ମାଟିରେ ବହୁ ଲୋକ ଆସିଛନ୍ତି, ଏ ମାଟିରେ ମିଶିଛନ୍ତି, ହେଲେ ଏପରି ବଜ୍ରଗମ୍ଭୀର କଣ୍ଠରେ ଜାତୀୟତାର ବାଣୀ କେହି ଶୁଣାଇ ନାହାନ୍ତି । ଯେଉଁମାନେ ଶୁଣାଇଛନ୍ତି ତାହା ଅତି କ୍ଷୀଣ ଓ ଜାତିକାନରେ ପହଞ୍ଚିବା ସମର୍ଥ ହୋଇ ନାହିଁ । କେତେବେଳେ ଅତି ସାଧାରଣ ମାମୁଲି ଭାବରେ ମଧ୍ୟ ଅତି ଉଚ୍ଚ ସ୍ତରର ଜାତୀୟତାର ଭାବ ସମସ୍ତଙ୍କ ହୃଦୟରେ ଭରି ଦେବାକୁ ସେ ଚେଷ୍ଟା କରିଛନ୍ତି ।

 

କେହି ଯଦି ଓଡ଼ିଆ ଜାତି ପ୍ରତି କୁବାକ୍ୟ ପ୍ରୟୋଗ କରି ମୋତେ ସମ୍ବୋଧନ କରେ, ତା’ ହେଲେ ତଦ୍ଦ୍ୱାରା ମୋର ବିରକ୍ତି ଜାତ ହେବ ଏବଂ ଆପଣମାନଙ୍କ ମଧ୍ୟରୁ ସମସ୍ତଙ୍କ ମନରେ ବିରକ୍ତି ଜାତ ହେବ । ଏହା ହେଉଛି ଜାତୀୟ ଜୀବନ । ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଆର ଜାତୀୟ ଭାବନା ସୃଷ୍ଟି କରିବାରେ ମଧୁବାବୁ ହେଉଛନ୍ତି ‘ମନ୍ତ୍ରଗୁରୁ’ । ତାଙ୍କ ଭଳି ଜାତୀୟ ଭାବନାର ସଞ୍ଜୀବନୀ ମୃତ-ପ୍ରାଣ ଓଡ଼ିଆମାନଙ୍କୁ କେହି ଦେଇନାହିଁ ।

 

ଶିକ୍ଷାର ବିକାଶରେ ଜାତୀୟ ଜୀବନର ବିକାଶ । ଯେଉଁ ଶିକ୍ଷାର ଆଭିମୁଖ୍ୟ କେବଳ ଚାକିରୀ, କେବଳ ବ୍ୟକ୍ତି ମର୍ଯ୍ୟାଦା ଓ ସୁଖ ପାଇଁ ଉଦ୍ଦିଷ୍ଟ ତାହା ଜାତୀୟଜୀବନ ଗଢ଼ିବାରେ ସହାୟକ ନୁହେଁ । ସେଥିପାଇଁ ଓକିଲାତିରେ ସୁନାମ ଅର୍ଜ୍ଜନ କରି ବାରିଷ୍ଟର ଉପାଧି ଲାଭ କରିଥିଲେ ମଧ୍ୟ ମଧୁସୂଦନ କହିଛନ୍ତି-

 

‘‘ଜାତିର ଶିକ୍ଷା ଓ ବ୍ୟକ୍ତିଗତ ଶିକ୍ଷା ଦୁଇଟି ସମ୍ପୂର୍ଣ୍ଣ ରୂପେ ପୃଥକ ଉପାୟ ଦ୍ୱାରା ସମ୍ପାଦିତ ହୁଏ । ଉଚ୍ଚଶିକ୍ଷା ଅର୍ଥାତ୍‌ କଲେଜରେ ବି. ଏ. ଏମ୍‌. ଏ. ପାଶ୍‌ କରିବା ଦ୍ୱାରା ଜାତିର ଉନ୍ନତି ହୋଇ ପାରେ ନାହିଁ । କାରଣ ଏ ପ୍ରକାର ଶିକ୍ଷାର ଉଦ୍ଦେଶ୍ୟ ସରକାରୀ ଚାକିରୀ, ଓକିଲାତି, ଡାକ୍ତରୀ, ବାରିଷ୍ଟରୀ କିମ୍ବା ଅନ୍ୟ କୌଣସି ବ୍ୟବସାୟ ଯଦ୍ଦ୍ୱାରା ଯେଉଁ ବ୍ୟକ୍ତି ସେ ବ୍ୟବସାୟ ଅବଲମ୍ବନ କଲେ, ସେତେବେଳେ ତାହାର ବିଦ୍ୟା ଓ ବୁଦ୍ଧିର ମୂଲ୍ୟ ଥାଏ । କୌଣସି ଜାତିର ସମସ୍ତ ଲୋକେ ଏ ପ୍ରକାର ଉଚ୍ଚଶିକ୍ଷା ଲାଭ କରିବାର ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ । ତେଣୁ ସେହି ବ୍ୟକ୍ତିମାନଙ୍କୁ ନେଇ ଜାତୀୟଜୀବନ କେବଳ ପୁଷ୍ଟ ହୋଇ ପାରିବ ନାହିଁ । ସମସ୍ତଙ୍କୁ ନେଇ ଜାତୀୟଜୀବନ ପୁଷ୍ଟ ହେବ । ଜାତିର ସମୂହ ବିକାଶ ପାଇଁ ସେ ସଦାବେଳେ ବ୍ୟସ୍ତ, ବ୍ୟଥିତ ହୋଇ ପଡ଼ୁଥିଲେ । ତାଙ୍କର ଆଖିରେ ‘‘ଜଣ ଅପେକ୍ଷା ଗଣ’’ ଥିଲା, ଅଧିକ ଜାତୀୟତାର ପରିଚାୟକ, ସେ ଥିଲେ ଓଡ଼ିଆ ଜାତିର ଗଣ ଦେବତା ।

 

ତାଙ୍କର ପ୍ରତିଷ୍ଠିତ ଉତ୍କଳ ଟ୍ୟାନାରୀ ଏହି ଓଡ଼ିଆଜାତିର ସମ୍ମାନକୁ କାଳେ କ୍ଷୁଣ୍ଣ କରିବ, ସେଥିପାଇଁ ସେ ନିଜେ ଲକ୍ଷ ଲକ୍ଷ ଟଙ୍କାର ଖରାପ ଚମଡ଼ା ଓ ଚମଡ଼ା ଦ୍ରବ୍ୟ ନିଜ ହାତରେ ପୋଡ଼ି ନିଜକୁ ଦେବାଳିଆ କରି ଦେଇଥିଲେ । ନିଜେ ଦେବାଳିଆ ହୋଇ ରସାତଳକୁ ଯିବେ, ହେଲେ ଓଡ଼ିଆଜାତିର ସମ୍ମାନ ଖରାପ ଯୋତା ତିଆରିରେ କ୍ଷୁଣ୍ଣ ହେବ, ଏହାକୁ ସେ କେବେ ବରଦାସ୍ତ କରି ପାରିନାହାନ୍ତି ।

 

ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଅକୁଣ୍ଠିତ ଚିତ୍ତରେ ସେ ସର୍ବସ୍ୱ ଦାନ କରି ଯାଇଛନ୍ତି; ହେଲେ ମୁଣ୍ତ ନୁଆଁଇ କେବେ କାହାରି ପାଖରେ ଭିକ୍ଷାଥାଳି ଧରି ଛିଡ଼ା ହୋଇ ନାହାନ୍ତି । କେବଳ ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଇଂରେଜମାନଙ୍କ ପାଖରେ ହାତ ପାତିଛନ୍ତି ।

 

ତାଙ୍କ ଜୀବନୀ ଓଡ଼ିଶାର ଶତାବ୍ଦୀର ଇତିହାସ । ଓଡ଼ିଶାର ରାଜନୀତି, ଅର୍ଥନୀତି, ଧର୍ମନୀତି ସଂସ୍କୃତି ପରମ୍ପରା ଓ ସାହିତ୍ୟକୁ ତାଙ୍କ ଜୀବନ ପୁଷ୍ଟ କରିଛି । ସେ ଜନ୍ମିଥିଲେ ଓଡ଼ିଆ ହିସାବରେ, ବଞ୍ଚିଥିଲେ ଓଡ଼ିଆ ଭାବରେ ଓ ମୃତ୍ୟୁବରଣ କଲେ ଜଣେ ଓଡ଼ିଆ ଭାବରେ । ମୃତ୍ୟୁ ପୂର୍ବରୁ ସେ କହିଥିଲେ ମୁଁ ତ ଯାଉଛି-ମନେ ରଖିଥିବ, ଜଣେ ଓଡ଼ିଆ-ଏତିକି ମନେ ରଖିଥିବ । ଏ ଓଡ଼ିଆ ଆଜି କାହିଁ, ମୃତ୍ୟୁ ବି ଯାହାକୁ ଓଡ଼ିଆ ହିସାବରେ ଗ୍ରହଣ କରିବାକୁ ବାଧ୍ୟ ହୋଇଛି ।

 

ନବଉତ୍କଳର ନିର୍ମାତା ହିସାବରେ ଏ ଜାତିର ସେ ଜନକ । ଏ ଜାତିର ଇତିହାସରେ ସବୁଦିନ ସେ ଚିରଦେବୀପ୍ୟମାନ ଭାସ୍କର ହୋଇ ରହିବେ । ଇତିହାସର ପୃଷ୍ଠା ସ୍ୱର୍ଣ୍ଣାକ୍ଷରରେ ତାଙ୍କର ଗୌରବ-ଗାରିମାର ସ୍ୱାକ୍ଷର ବହନ କରି ଚାଲିଥିବ ।

 

 

ଉତ୍କଳ ଜନନୀ ଅଛନ୍ତି ଚାହିଁ

କର କିଛି କାର୍ଯ୍ୟ ଲୋକଙ୍କ ପାଇଁ

ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ

କିବା ପ୍ରୟୋଜନ ସେହି ଜୀବନେ ।

-ଫକୀରମୋହନ ସେନାପତି

***

 

ଓଡ଼ିଶାର ପୂର୍ବ ଗଡ଼ଜାତ ରାଜ୍ୟ ମଧ୍ୟରେ ମୟୂରଭଞ୍ଜ ସବୁଠାରୁ ବଡ଼ ରାଜ୍ୟ ଥିଲା । ମଝିରେ ଆକାଶଭେଦୀ ପର୍ବତ ମାଳା । କେଉଁଠି ଭୟଙ୍କର ଅରଣ୍ୟ, କେଉଁଠି ନଦୀ, କେଉଁଠି ଶୀତଳ ଝରଣା । ପ୍ରକୃତିର ଶୋଭସମ୍ପଦରେ ମୟୂରଭଞ୍ଜ ଅତୁଳନୀୟ । ମୟୂରଭଞ୍ଜର ରାଜାମାନେ ଦିନେ ଉତ୍କଳର ବିଜୟ ପତାକା ଉଡ଼ାଇ ଦେଶ ବିଦେଶ ଜୟ କରିଥିଲେ । ପ୍ରାଚୀନ ତାମ୍ରଲିପ୍ତ ରାଜ୍ୟ ଏହି ରାଜ୍ୟର ଅଧୀନରେ ଥିଲା । ମୟୂରଭଞ୍ଜ ରାଜବଂଶ ଅତି ପ୍ରାଚୀନ । ଏହି ରାଜବଂଶର ପୂର୍ବ ପୁରୁଷମାନଙ୍କ ସମ୍ବନ୍ଧରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ଶୁଣାଯାଏ ।

 

ସ୍ୱତନ୍ତ୍ର ଉତ୍କଳ ଗଠନରେ ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଭୂମିକା

ଅମରେନ୍ଦ୍ର ବୋଷ

 

ପଠାଣ ଓ ମୋଗଲମାନେ ସମଗ୍ର ଭାରତରେ ଜୟପତାକା ଉଡ଼ାଉଥିଲେ ମଧ୍ୟ ଶକ୍ତିଶାଳୀ ମୟୂରଭଞ୍ଜ ରାଜବଂଶ ପରାକ୍ରମରେ ଓଡ଼ିଶା ସ୍ୱାଧୀନ ଥିଲା । କିନ୍ତୁ ଗଜପତି ବଂଶର ପତନ ଓ ମରହଟ୍ଟାମାନଙ୍କ ପ୍ରଭାବ ମୟୂରଭଞ୍ଜ ରାଜ୍ୟ ଉପରେ ପଡ଼ିଥିଲା । ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶା ଅଧିକାର କରି ନଅ ବର୍ଷ ପରେ ମୟୂରଭଞ୍ଜ ରାଜା ତ୍ରିବିକ୍ରମ ଭଞ୍ଜଙ୍କ ସହ ସନ୍ଧି କଲେ । ଇଷ୍ଟଇଣ୍ତିଆ କମ୍ପାନୀ ମୟୂରଭଞ୍ଜ ରାଜ୍ୟରୁ ବାର୍ଷିକ ୧୦୦ ଟଙ୍କା କରି କର ନେବା ଚୁକ୍ତି ହେଲା । ୧୮୨୨ ମସିହାରେ ତ୍ରିବିକ୍ରମଙ୍କ ପୁତ୍ର ଯଦୁନାଥ ଭଞ୍ଜ ରାଜା ଥିବା ସମୟରେ ଏକ ପ୍ରବଳ ପ୍ରଜାମେଳି ହୋଇଥିଲା । ତାଙ୍କ ପୁତ୍ର ଶ୍ରୀ ନାଥ ଭଞ୍ଜ ନିଃସନ୍ତାନ ହେବାରୁ ୧୮୨୮ ମସିହାରେ ପୁତୁରା କୃଷ୍ଣଚନ୍ଦ୍ର ଭଞ୍ଜ ରାଜା ହେଲେ । ଶକ୍ତିଶାଳୀ ଓ ସାହସୀ ରାଜା କୃଷ୍ଣଚନ୍ଦ୍ର ମୟୂରଭଞ୍ଜରେ ନବଯୁଗ ଆରମ୍ଭ କରିଥିଲେ । ରେଭେନ୍‌ସା ସାହେବ କମିଶନରରୂପେ ଧାର୍ମିକ ଓ ଉଦାର କୃଷ୍ଣଚନ୍ଦ୍ର ଭଞ୍ଜଙ୍କଠାରୁ ଏକକାଳୀନ ୨୭,୦୦୦ ଟଙ୍କା ଦାନ ପାଇ ରେଭେନ୍‌ସା କଲେଜ ସ୍ଥାପନ କରିଥିଲେ-। ଏହିପରି ଅନେକ କଲ୍ୟାଣମୟ କାର୍ଯ୍ୟ ପାଇଁ କୃଷ୍ଣଚନ୍ଦ୍ର ମହାରାଜା ଉପାଧି ପାଇଥିଲେ-

 

ଶ୍ରୀ ରାମଚନ୍ଦ୍ର ଭଞ୍ଜ ୧୮୭୦ ମସିହା ଡିସେମ୍ବର ମାସ ୧୭ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଜ୍ୟେଷ୍ଠପୁତ୍ର ରୂପେ ଜନ୍ମ ନେଇଥିଲେ । ବିସ୍ତୀର୍ଣ୍ଣ ଇତିହାସବାହୀ ଭଞ୍ଜ ବଂଶର ଏହି ରାଜପୁରୁଷଙ୍କ ଶାସନ ଅତ୍ୟନ୍ତ ପ୍ରସିଦ୍ଧ ଥିଲା । ସମୟାନୁକ୍ରମେ ସେ ବଂଶାନୁକ୍ରମିକ ମହାରାଜା ପଦରେ ବିଭୂଷିତ ହୋଇଥିଲେ । ରାମଚନ୍ଦ୍ରଙ୍କ ଉପରେ ଉତ୍କଳୀୟମାନଙ୍କ ଆଶା ଓ ଭରସାର ସୂଚନା ତତ୍‌କାଳୀନ ଏକ କବିତାର ପଦରେ ସନ୍ନିବେଶିତ ।

 

ଆଶାୟ-ହତ୍‌କନେ-ଆଶା କିଶୋର ପାଦପ

ଗୁଣାରାମ ରାମଚନ୍ଦ୍ର ଭଞ୍ଜ-କଞ୍ଜ-ରବି ।

 

ରାମଚନ୍ଦ୍ରଙ୍କ ଜୀବନ ହେଉଛି ସ୍ୱତନ୍ତ୍ର ଉତ୍କଳ ଗଠନ ପ୍ରଚେଷ୍ଟାର ସ୍ମୃତିଚାରଣ । ତାଙ୍କ ବାଲ୍ୟଜୀବନର ମହକ ମୟୂରଭଞ୍ଜବାସୀଙ୍କୁ ପରମ ଆହ୍ଲାଦ ଦେଇଥିଲା । ରୂପ ଓ ଗୁଣରେ ସେ ଥିଲେ ପିତାମାତା ଓ ରାଜ୍ୟବାସୀଙ୍କର ଗୌରବ । ଶିଶୁ ରାମଚନ୍ଦ୍ରଙ୍କ କ୍ରୀଡ଼ା ଶୈଳୀର ବ୍ୟାପକତା ଯେପରି ଅସୀମ, ଚତୁରତାର, ସେହିପରି ଅକଳନୀୟ ଥିଲା । ଅନୁଧ୍ୟାନ, ଆଲୋଚନା, ଗବେଷଣା, ନ୍ୟାୟବିଚାର, ଯୁଦ୍ଧକୌଶଳ ଓ ରାଜନୀତି ସତେ ଯେପରି ତାଙ୍କୁ କିଏ ଆଗରୁ ଶିଖାଇ ଦେଇଛି । ସେ ସେହିପରି ଖେଳମାନ ପ୍ରସ୍ତୁତ କରୁଥିଲେ ।

 

ଆଗ୍ରହ ଉତ୍ସାହରେ ବାଲ୍ୟଜୀବନରେ ପାଠପଢ଼ା ଆରମ୍ଭ ହେଲା । ଅବଧାନଙ୍କ ପ୍ରାଥମିକ ଶିକ୍ଷାଦାନ ମାଧ୍ୟମରେ । ଶାନ୍ତ, ସରଳ ରାମଚନ୍ଦ୍ରଙ୍କ ୨ବର୍ଷ ଖଡ଼ିପାଠ ସମୟରେ ଚାଟଶାଳୀ ଆବେଗମୟ ଓ ଆନନ୍ଦ ମୁଖର ହୋଇ ଉଠିଥିଲା । ଇତିହାସର ହୁମାୟୁନଙ୍କ ପରି ବସନ୍ତ ରୋଗପୀଡ଼ିତ ରାମଚନ୍ଦ୍ରଙ୍କ ଜୀବନ ରକ୍ଷା ପାଇଁ ପିତା କୃଷ୍ଣଚନ୍ଦ୍ର ନିଜ ଜୀବନ ସମର୍ପଣ କରିଥିଲେ । ପିତାଙ୍କ ଜୀବନଦୀପ ଲିଭି ଧୂମ୍ରକୁଣ୍ତଳି ବିସ୍ତୃତ ହେବା ପୂର୍ବରୁ ମାତା ମଧ୍ୟ ଇହଲୀଳା ସମ୍ବରଣ କଲେ-। ସେତେବେଳକୁ ରାମଚନ୍ଦ୍ର ବାରବର୍ଷର ନାବାଳକ ମାତ୍ର । ରାଜ୍ୟଶାସନ ଭାର ଆଇନତଃ ୧୮୮୨ ମସିହାରେ ଓ୍ୱିଲି ନାମକ ପରିଚାଳକଙ୍କ ହସ୍ତରେ ନ୍ୟସ୍ତ କରାଗଲା ।

 

ଓଡ଼ିଶା ଗଡ଼ଜାତ ମାହାଲର ଅଧୀକ୍ଷକ ୧୮୮୪ ମସିହାରେ ରାମଚନ୍ଦ୍ରଙ୍କୁ କଟକ ପଠାଇଲେ । ସେଠାରେ ସେ ପ୍ରଥମେ ପଣ୍ତିତ ଗୋବିନ୍ଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅଧ୍ୟୟନ ଆରମ୍ଭ କଲେ । ସେତେବେଳେ ସାର୍‌ ରିଭରସ୍‌ ଥମସନ ବଙ୍ଗ ବିହାର ଓଡ଼ିଶାର ଛୋଟଲାଟ୍‌ ଥାନ୍ତି-। ସେ ବଟ୍ରାମ କିଡ଼େଲ୍‌ ନାମକ ଜଣେ ଯୋଗ୍ୟ ଗୁରୁଙ୍କୁ କଟକ ପଠାଇଲେ ରାମଚନ୍ଦ୍ରଙ୍କ ଉଚ୍ଚଶିକ୍ଷାର ଭାର ଅର୍ପଣ କରି । କିଡ଼େଲ ଜଣେ ଉତ୍ତମ ଶିକ୍ଷକ ରୂପେ ୧୨ ବର୍ଷ କାଳ ରାମଚନ୍ଦ୍ରଙ୍କ ଚରିତ୍ରଗଠନ, ଅଧ୍ୟୟନ ଓ ଶାରୀରିକ ଅଭିବୃଦ୍ଧିର ଭାର ଗ୍ରହଣ କରିଥିଲେ । କଟକରେ ଆଇ. ଏ. ପାଶ୍‌ କରି ୧୮୯୨ ମସିହା ଅଗଷ୍ଟ ୧୫ ତାରିଖରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ସିଂହାସନରେ ବସିଲେ । ବିଦ୍ୟା ଅଧ୍ୟୟନର ଶ୍ରମସ୍ୱୀକାର ପରେ ରାଜ୍ୟଭାର ଗ୍ରହଣ କରିବା ଅପରିହାର୍ଯ୍ୟ ହୋଇ ପଡ଼ିଥିଲା । ଶ୍ରୀ ରାମଚନ୍ଦ୍ରଙ୍କର ଗତିପଥ ଚଳମାନ ହେବାକୁ ଲାଗିଲା । ତାଙ୍କର ଅନ୍ତର୍ନିହିତ ଶକ୍ତି ପ୍ରକାଶିତ ହେବାକୁ ଲାଗିଲା ।

 

ପ୍ରଜାପାଳନ ତାଙ୍କର ପ୍ରଥମ କର୍ତ୍ତବ୍ୟ, ଏକଥା ସେ ଅକ୍ଷରେ ଅକ୍ଷରେ ମନେ ରଖିଥିଲେ । ତାଙ୍କ ରାଜ୍ୟାଭିଷେକ ପରେ ପରେ ସତେ ଯେପରି ନୂଆ ସବୁଜିମା ଶିମିଳିପାଳରେ ଘନୀଭୂତ ହେଲା । ପ୍ରଜାମାନେ ସ୍ନେହର ଅବିଶ୍ରାନ୍ତ ଧାରା ଝରାଇ ଦେଲେ । ମୟୂରଭଞ୍ଜର ପବନ, ନବପରାଗ ବହନ କଲା ପ୍ରାୟ ପ୍ରତୀୟମାନ ହେଲା । ଗଛଲତା ଫଳପୁଷ୍ପ ଶୋଭିତ ହେଲେ । ପଶୁପକ୍ଷୀ ଚଳଚଞ୍ଚଳ ହୋଇ ଉଠିଲେ । ପ୍ରଜାମାନେ ଏକ ଭୋଗଭାଗ୍ୟମୟ ଜୀବନର କଳ୍ପନା କରିନେଲେ । ସତେଯେପରି ଶ୍ରୀ ରାମଚନ୍ଦ୍ର ରାଜ୍ୟାଭିଷେକ ହେଲେ ହିଁ ଏ ସମସ୍ତ ପ୍ରତିଭାତ ହେବାର ସମସ୍ତ ଉପସ୍ଥିତ ହୋଇଥାନ୍ତା ଓ ସେହିପରି ଘଟିଗଲା ମଧ୍ୟ ।

 

ନିଜ ରାଜ୍ୟକୁ ଏକ ଆଦର୍ଶ ରାଜ୍ୟ କରି ଗଢ଼ିବାପାଇଁ ରାଜନୀତି ଓ ଦର୍ଶନଶାସ୍ତ୍ରକୁ ସେ ଭଲଭାବରେ ଅଧ୍ୟୟନ କଲେ । ପରିଷଦର ଗୁଣୀ, ଉଦାର ଓ ବିଦ୍ୱାନ ଲୋକମାନଙ୍କୁ ରଖିବାକୁ ସମସ୍ତ ଚେଷ୍ଟା କଲେ । ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ପ୍ରତିଭା ତାଙ୍କ ସମ୍ମୁଖରେ ଉନ୍ମୋଚିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ ରାଜକୀୟ ଓକିଲ ପଦରେ ବାରିପଦାରେ ଯୋଗଦେଇଥିଲେ । କାଳକ୍ରମେ ଶ୍ରୀ ରାମଚନ୍ଦ୍ର ଗୋପବନ୍ଧୁଙ୍କୁ ନିଜର ପରମ ବନ୍ଧୁ ରୂପେ ଗ୍ରହଣ କରିନେଲେ । ସେହି ସମୟରୁ ଓଡ଼ିଶାର ସାଂସ୍କୃତିକ ଓ ସାଂଗଠନିକ ଜୀବନରେ ସେ ଦୁଇଜଣ ଥିଲେ ପ୍ରଧାନ ସ୍ତମ୍ଭ ସଦୃଶ । ଦୁହେଁ ଜାତୀୟବାଦୀ ଦେଶମାତୃକା ଉପାସନାର କେବଳ ନିଷ୍ଠାପର ସାଧକ ନ ଥିଲେ, ସ୍ୱତନ୍ତ୍ର ଉତ୍କଳ ଗଠନର ଜଣେ ଜଣେ ବିଖ୍ୟାତ ପ୍ରବକ୍ତା ଓ ଧୂରିଣ କଳାକାର ଥିଲେ । ସେଥିପାଇଁ ଏକଦା ବାରିପଦା ଥିଲା ସଙ୍ଗଠନ କଳାର ପ୍ରଧାନ କେନ୍ଦ୍ର ଓ ଅଭ୍ୟାସ ସ୍ଥଳୀ ।

 

ଗୋପବନ୍ଧୁ ଓ ରାମଚନ୍ଦ୍ର ଦୁହେ ଦୁହିଁଙ୍କୁ ସୁପରାମର୍ଶ ଦେଉଥିଲେ ଓ ପ୍ରାଣର ସହ ଭଲ ପାଉଥିଲେ । ଦୁଇ ଦେଶପ୍ରେମୀ ଏକତ୍ର ହୋଇଥିଲେ ସତେଯେପରି ଉତ୍କଳମାତାର ଅଜ୍ଞାତ ବନମାଳର ସୁଗନ୍ଧ ସୁରଭିତ କରିବାପାଇଁ ୨୫ ବର୍ଷ ବୟସରେ ୪ ବର୍ଷ ରାଜ୍ୟ ହେବା ପରେ ରାମଚନ୍ଦ୍ର ଛୋଟନାଗପୁର ମହାରାଜା ନୀଳମଣି ସିଂହଙ୍କ ନାତୁଣୀ ଲକ୍ଷ୍ମୀ କୁମାରୀ ଦେବୀଙ୍କୁ ବିବାହ କରିଥିଲେ । ପ୍ରାଥମିକ ଅବସ୍ଥାରେ ବ୍ରାହ୍ମଧର୍ମ ପ୍ରଭାବରେ ସେ ଏହି ଧର୍ମର ପ୍ରଧାନ ପ୍ରଚାରକ କେଶବଚନ୍ଦ୍ର ସେନଙ୍କ ତୃତୀୟ କନ୍ୟାଙ୍କ ସହ ବିବାହ କରିବାପାଇଁ ମନସ୍ଥ କରିଥିଲେ । କିନ୍ତୁ ପ୍ରଜାମାନଙ୍କ ବିରୋଧକୁ ଅବଜ୍ଞା ନ କରି ସେ ନିଜର କୈଶୋରର ବଳବତୀ ଇଚ୍ଛା ତ୍ୟାଗ କରି ଲକ୍ଷ୍ମୀ କୁମାରୀଙ୍କୁ ବିବାହ କଲେ । ପରମା ସୁନ୍ଦରୀ ଲକ୍ଷ୍ମୀପ୍ରତିମା, ଲକ୍ଷ୍ମୀ କୁମାରୀ ତିନୋଟି ସନ୍ତାନର ଜନନୀ ହେଲେ । କନ୍ୟା ଶ୍ରୀପଦ ମଞ୍ଜରୀ, ପୁତ୍ରଦ୍ୱୟ ପୂର୍ଣ୍ଣଚନ୍ଦ୍ର ଓ ପ୍ରତାବଚନ୍ଦ୍ର । ଜୀବଯାତନାର ଅନ୍ତ ନାହିଁ । ରାମଚନ୍ଦ୍ର ଅକାଳରେ ସହଧର୍ମିଣୀ ଓ ସ୍ନେହର କନ୍ୟା ଶ୍ରୀପଦମଞ୍ଜରୀଙ୍କୁ ହରାଇଲେ । ରାଣୀଙ୍କ ସ୍ମୃତିରେ ୧୯୦୬ ମସିହାରେ ଲକ୍ଷ୍ମୀକୁମାରୀ ଧର୍ମଶାଳା ଓ ରାଣୀବାଗ୍‌ ସ୍ଥାପିତ ହେଲା । ବହୁବର୍ଷ ଯାଏ ଏହି ଧର୍ମଶାଳା ବାରିପଦାର ପ୍ରକୃଷ୍ଟ ପାନ୍ଥନିବାସ ହୋଇ ରହିଛି ।

 

ମଣିଷ କେବେ ଆତ୍ମା ପରି ସୁକୁମାର ସୁଢ଼ୋଳ, ନିର୍ଲିପ୍ତ ବା ସଦାଦୁଷ୍ଟ ହୋଇପାରେନା । ପ୍ରଜାମାନଙ୍କର ନୟନାଭି ରାମଚନ୍ଦ୍ର ଏହାପରେ କିଛି ସୁଖ କିଛି ଦୁଃଖ ଜଞ୍ଜାଳ ଜର୍ଜର ହୃଦୟ ନେଇ କାଳାତିପାତ କରୁଥିବାବେଳେ କେଶବଚନ୍ଦ୍ର ସେନଙ୍କ ପୂର୍ବ କଥିତ ତୃତୀୟା କନ୍ୟାଙ୍କ ସହ ବିବାହ କରିଥିଲେ, କାରଣ ସେପର୍ଯ୍ୟନ୍ତ ସେ ଅବିବାହିତ ଥିଲେ । ୧୯୦୭ ମସିହାରେ ଭାରତୀୟ କୁଷ୍ଠ ମିଶନର ସୁପରିଟେଣ୍ତନ୍‌ ଡବ୍ଳୁ. ସି. ବେଲିଙ୍କ ପ୍ରବଚନାରେ ଶ୍ରୀପଦମଞ୍ଜରୀ ମେମ୍ବରିୟାଲ କୁଷ୍ଠାଶ୍ରମ ସ୍ଥାପିତ କରିଥିଲେ । ମିସେସ୍‌ କିଡେଲଙ୍କ ତତ୍ତ୍ୱାବଧାନରେ ଏହା ଓଡ଼ିଶାର ହତଭାଗ୍ୟ ପ୍ରପୀଡ଼ିତମାନଙ୍କ ମଧ୍ୟରେ ଆଶା ସଞ୍ଚାର କରିଥିଲା ।

 

ଅନେକ ସ୍ଥାନରେ ଅଧିକାର ପାଇ ମଣିଷ ଭୋଗବିଳାସରେ ମାତିଯାଏ; କିନ୍ତୁ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭଗବାନ ଓ ଜନ୍ମଭୂମି ଏହି ଦୁଇ ମହାଶକ୍ତି ମଧ୍ୟରେ ନିଜ ହୃଦୟ ସ୍ଥାପନ କରିଥିଲେ-। ତାଙ୍କ ନିଜସ୍ୱ ଶାସନ ପ୍ରଣାଳୀ ଦେଖି ସରକାର ମହାରାଜା ଉପାଧି ଦେଇଥିଲେ । ସିଂହାସନ ଆରୋହଣର ଦୁଇବର୍ଷ ପୂର୍ବରୁ ସେ ରାଜକାର୍ଯ୍ୟ ଚଳାଇବା ଆରମ୍ଭ କରିଥିଲେ । ପ୍ରଜାମାନଙ୍କ ହୃଦୟର ଆହ୍ୱାନ ତାଙ୍କୁ ବେଶ୍‌ ଜଣା ପଡ଼ିଯାଇଥିଲା ।

 

ଆଇନ ଶାସନ ପାଇଁ ନିରପେକ୍ଷ କାଉନ୍‌ସିଲ ଗଠନ ବିଚାର ଓ ଶାସନ ବିଭାଗ ପୃଥକୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ ପୋଲିସ ବିଭାଗ ସୃଷ୍ଟି, ଗାଁ ସର୍ଦ୍ଦାର ପ୍ରଥା ଉଚ୍ଛେଦ, ଗ୍ରାମପଞ୍ଚାୟତ ଗଠନ ଓ ନିଜକୁ ମଧ୍ୟ ବିଚାର ପରିସର ମଧ୍ୟକୁ ଆଣିବା ତାଙ୍କର ଶାସନ ସଂସ୍କାର ଆଗ୍ରହର ପରିଚାୟକ ।

 

ବଣ, ଗିରି, ନଦୀ ଓ ପାହାଡ଼ଘେରା ପରିବେଶରେ ବଢ଼ି ପିଲାଦିନୁ ସେ ପ୍ରକୃତି ଶୋଭାରେ ନିଜକୁ ପାଶୋରି ଦେଉଥିଲେ । ଶ୍ରୀଲଙ୍କା ଓ ଦାର୍ଜିଲିଙ୍ଗ ପ୍ରକୃତି ସ୍ଥାନକୁ ବୁଲିଯାଇ ପାଠ ପଢ଼ିବା ସମୟରୁ ଦେଶ ବିଦେଶର ନୂତନତ୍ୱ ଜାଣିବା ଇଚ୍ଛା ତାଙ୍କର ବଢ଼ିଥିଲା । ପୃଥିବୀର ବିଭିନ୍ନ ସଭ୍ୟ ଦେଶର ଶାସନପ୍ରଣାଳୀ ଚାକ୍ଷୁଷ ଶିକ୍ଷା କରି ମୟୁରଭଞ୍ଜକୁ ଏକ ଆଦର୍ଶ ରାଜ୍ୟ କରିବାକୁ ସେ ଇଚ୍ଛା କରିଥିଲେ । ୧୯୧୦ ମସିହା ମେ ମାସ ୮ ତାରିଖରେ ସେ ଚୀନ, ଜାପାନ, ଆମେରିକା ଓ ଇଂଲଣ୍ତ ପ୍ରଭୃତି ଭ୍ରମଣ ପାଇଁ ବାହାରିଲେ । ଇଂଲଣ୍ତରେ ସେ ଭାରତ ମନ୍ତ୍ରୀ, ପାର୍ଲିଆମେଣ୍ଟର ଅନେକ ସଭ୍ୟ ଓ ନିଜେ ସମ୍ରାଟଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ୧୯୧୦ ମସିହା ଡିସେମ୍ବର ୧୨ ତାରିଖରେ ଦିଲ୍ଲୀରେ ଭାରତ ସମ୍ରାଟଙ୍କର ଦରବାରରେ ଯୋଗ ଦେଇ ସମ୍ରାଟଙ୍କ କଲିକତା ଆଗମନ ସମୟରେ ଓଡ଼ିଆ ପାଇକମାନଙ୍କର ବିଖ୍ୟାତ ଛଉନୃତ୍ୟ, ପ୍ରଦର୍ଶନ କରାଇବାର ଅନୁମତି ପ୍ରାପ୍ତ କରିଥିଲେ । ଛଉନୃତ୍ୟର ଉତ୍ତେଜନା, ଉନ୍ମାଦନା ଓ ଉତ୍‌ଫୁଲ୍ଲତା ସମସ୍ତଙ୍କୁ ମୁଗ୍‍ଧ କରିଥିଲା । ଛଉ ପରିବେଷଣରେ ଓଡ଼ିଆ ଅଭିନେତାମାନେ ନିଜ ବ୍ୟକ୍ତିସତ୍ତା ଭୁଲି ଯାଇ ନୃତ୍ୟରେ ଲୀନ ହୋଇଯିବାର ଦୃଶ୍ୟ ଓଡ଼ିଆ ପାଇକର ସ୍ୱାତନ୍ତ୍ର୍ୟ ସମ୍ରାଟଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲା-

 

ଶ୍ରୀ ରାମଚନ୍ଦ୍ର ଯେତେବେଳେ ଉପରୋକ୍ତ ପୃଥିବୀ ଭ୍ରମଣରେ ବାହାରିଲେ ତାଙ୍କର ପରମ ସଖା ଗୋପବନ୍ଧୁ ଗୋଟିଏ ଗୀତ ଲେଖିଥିଲେ ।

 

‘‘ରାମଚନ୍ଦ୍ର ମହାରାଜା ପରଜା ପରାଣଧନ

ଯାଉଛ କେଉଁ ବିଦେଶେ ହେ ଭଞ୍ଜକଞ୍ଜ-ତପନ ।

ଭୁଲିବ ନାହିଁ ଭୂପାଳ ସରାଳି ଶୁଦ୍ଧ ସଲିଳ

ମେଘାସନ ଚାରୁକୁଞ୍ଜ ବୁଢ଼ାବଳଙ୍ଗ ପୁଳିନ ।

ଚୋ ହାଡ଼ ପାହାଡ଼ ଦେଶ, ଭୁଲିବ ନାହିଁ ନରେଶ

ଘେନ ଦିବ୍ୟ ଅବଧାନେ ଏ ବିନୀତ ନିବେଦନ ।’’

 

ଇଂରେଜ ସରକାର ତାଙ୍କ ଗୁଣରେ ସନ୍ତୁଷ୍ଟ ହୋଇ ତାଙ୍କୁ ପୁରୁଷାନୁକ୍ରମେ ମହାରାଜା ଉପାଧି ଦେଇ ସମ୍ମାନିତ କରିଥିଲେ ।

 

ସମଗ୍ର ଉତ୍କଳ ଦେଶର ସେ ଆଶା ଭରସାର ପ୍ରତୀକ ହୋଇ ଠିଆ ହୋଇଥିଲେ । ମୟୁରଭଞ୍ଜର ମହାରାଜା ହେବା ସତେ ଯେପରି ତାଙ୍କ ପାଇଁ କେବଳ ଏକ ପ୍ରାଥମିକ ପ୍ରଶିକ୍ଷଣ ଥିଲା । ଦୁଃଖିନୀ ଉତ୍କଳ ଜନନୀର ଲୁହଧାର ପୋଛି ଦେବାପାଇଁ ଜନନୀ ଜନ୍ମଭୁମିର ପାଦପଦ୍ମ ପୂଜା କରିବା ପାଇଁ, ତାଙ୍କ ହୃଦୟ ଅଧୀର ହେଉଥିଲା ।

 

ଉତ୍କଳ ଜନନୀର ଦୁଃଖ ଶୋଚନାରେ ବ୍ରତୀ ହେବାର ଆହ୍ୱାନ ତାଙ୍କୁ ମିଳିଥିଲା କୁଳବୃଦ୍ଧ ମଧୁସୂଦନଙ୍କ ଠାରୁ । ମଧୁବାବୁ ମହାରାଜା ରାମଚନ୍ଦ୍ରଙ୍କର ଦକ୍ଷତା ଅନୁଧ୍ୟାନ କରୁଥିଲେ । ତାଙ୍କ ଶାସନ କାଳରେ ମୟୁରଭଞ୍ଜ ରାଜ୍ୟର ମୁଖଶ୍ରୀ ଫୁଟି ଉଠିଥିଲା । ପୂର୍ବେ ରାଜ୍ୟରୁ ମାତ୍ର ୪ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହେଉଥିଲା । ଦକ୍ଷ ଓ ସୁଶାସନ ବଳରେ ସେ ରାଜସ୍ୱ ଆଦାୟ ୧୪ ଲକ୍ଷ ଟଙ୍କାଯାଏ ବୃଦ୍ଧି କରିଥିଲେ । ପ୍ରକୃତିର ଅସରନ୍ତି ଭଣ୍ତାର ମୟୁରଭଞ୍ଜର ବନ ବିଭାଗରୁ କେବଳ ୩୦ ହଜାର ଟଙ୍କା ସ୍ଥାନରେ ଅଢ଼େଇ ଲକ୍ଷ ଟଙ୍କା ଆଦାୟ ହେବାକୁ ଲାଗିଲା ।

 

୧୯୦୬ ମସିହାଠାରୁ ଟାଟା କମ୍ପାନୀଙ୍କୁ ପଟା ଦେଇ ଗୋରୁମହିଷାଣି ଓ ସୁଲେଇପାଟ ପର୍ବତରୁ ଲୁହା ଆମଦାନୀ କରାଗଲା । ରାଜକୋଷରୁ ୬ ଲକ୍ଷ ଟଙ୍କା ବ୍ୟୟକରି ବାଳଡିହା ଓ ହଳଦିଆ ନାମକ ଦୁଇଟି ଜଳଭଣ୍ତାର କରାଗଲା । କୃଷିକାର୍ଯ୍ୟ ଜଳସେଚନ ସୁବିଧାପାଇ ଅର୍ଥକରୀ ହେବାକୁ ଲାଗିଲା । ବୁଢ଼ାବଳଙ୍ଗ ନଦୀ କୂଳ ଶସ୍ୟଶ୍ୟାମଳା ହେଲା । ରୁପ୍‌ସା ଷ୍ଟେସନଠାରୁ ରାଜଧାନୀ ବାରିପଦାଯାଏ ଏକ ରେଳରାସ୍ତା କରାଗଲା । ୬ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ଯୋଜନାର ଶୁଭ ଦେବାପାଇଁ ଛୋଟଲାଟ୍‌ ସାର୍‌ ଆଣ୍ତ୍ରିଉ ଫ୍ରେଜର ଅନ୍ୟାନ୍ୟ ବହୁ ଉଚ୍ଚପଦାଧିକାରୀଙ୍କ ସହ ବାରିପଦା ଆସିଥିଲେ ।

 

ଗମନାଗମନ ସୁବିଧା ପାଇଁ ରାଜ୍ୟରେ ପାଞ୍ଚଶହ ଦୁଇମାଇଲ ରାସ୍ତା ତିଆରି ହେଲା । ରାଜ୍ୟରେ ନୂଆ ଶିକ୍ଷାବିଭାଗ ଦ୍ୱାରା ବାରିପଦାରେ ହାଇସ୍କୁଲ ଓ ରାଜ୍ୟସାରା ପ୍ରାୟ ୪୦୦ ପ୍ରାଇମେରି ସ୍କୁଲ ତିଆରି ହେଲା । ସମସ୍ତ ନିର୍ମାଣ କାର୍ଯ୍ୟ ରାଜ୍ୟର ମୁଖ୍ୟ ଇଞ୍ଜିନିୟର ମାର୍ଟିନ୍‌ ଆର୍ନୋଲଙ୍କ ତତ୍ତ୍ୱାବଧାନରେ କରାଯାଉଥିଲା ।

 

ସେହିପରି କୃଷିକାର୍ଯ୍ୟ ପାଇଁ ଋଣ, ଆଦର୍ଶବିହନ ଓ ରବରପରି ଅର୍ଥକରୀ ଫସଲର ସୁବିଧା ଯୋଗାଇ ଦିଆଯାଉଥିଲା । ଲାଖ ଫସଲ, କାଠ, ପଥର, ମଠା, ଟସର ଶିଳ୍ପ ଓ ଅନ୍ୟାନ୍ୟ ଛୋଟ ଛୋଟ କାରଖାନା ଗଢ଼ି ଉଠିଲା । ପୁସ୍ତକାଳୟ, ଡାକବଙ୍ଗଳା କଚେରୀଘର ଓ ନୂଆ ଡାକ୍ତରଖାନା ଖୋଲି ଅନେକ ଜନମଙ୍ଗଳକର କାର୍ଯ୍ୟରେ ରାଜକୋଷର ଟଙ୍କା ବ୍ୟୟ କରାଗଲା । ଅନାବାଦୀ ଜମିର ଆବାଦ, ଜମି ଉପରେ ଦଖଲ ସ୍ୱତ୍ତ୍ୱ, ମହାଜନୀ କାର୍ଯ୍ୟରେ କଟକଣା ଓ ଜମିଜମାର ବନ୍ଦୋବସ୍ତ ପ୍ରଭୃତି ଉନ୍ନତିମୂଳକ କାର୍ଯ୍ୟ ସମୂହ ରାମଚନ୍ଦ୍ରଙ୍କ ରାଜତ୍ୱରେ ପ୍ରକୃତ ରାମରାଜ୍ୟ ଆଣି ଦେଇଥିଲା ।

 

ସେ ଯୁଗରେ ଓଡ଼ିଶାର ଦୁଃଖ ଦୁର୍ଦ୍ଦଶାର ସୀମା ନଥିଲା । ଓଡ଼ିଆ ଜାତି କାନ୍ଦୁଥିଲା ଓ ଓଡ଼ିଆ ଭାଷା ହତାଦର ହେଉଥିଲା । ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଓଡ଼ିଶା ଅପରିଚିତ ଥିଲା । ଓଡ଼ିଶାର ରାଜନ୍ୟବର୍ଗ ଭୋଗ ବିଳାସରେ ମାତି ରହିଥିଲେ । ସେହି ସମୟରେ ଉତ୍କଳ ଜନନୀର ଅକୁହା ବେଦନା ଲାଘବ କରିବାକୁ ଉତ୍କଳ ସମ୍ମିଳନୀ ଆରମ୍ଭ କରିଥିଲେ କୁଳବୃଦ୍ଧ ମଧୁସୂଦନ । ଖଣ୍ତବିଖଣ୍ତିତ ଓଡ଼ିଶା ମାଟିକୁ ଏକତ୍ର କରିବାକୁ ହେବ ଓ ସ୍ୱତନ୍ତ୍ର ଉତ୍କଳ ଗଠନ କରିବାକୁ ହେବ ଏହି ଥାଏ ତାଙ୍କର ସଙ୍କଳ୍ପ । ୧୯୦୩ ମସିହା ଡିସେମ୍ବର ମାସ ୩୦ ତାରିଖରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଲା । ମଧୁବାବୁ ଖୋଜି ବୁଲିଲେ ଉତ୍କଳ ଜନନୀର ଆଶାଭରସାର ପାତ୍ର । ଜଣେ ସୁଯୋଗ୍ୟ ପ୍ରାଥମିକ ସଭାପତି ମହାରାଜା ଶ୍ରୀ ରାମଚନ୍ଦ୍ର ଏହି ସମ୍ମିଳନୀର ସଭାପତି ବଛାଗଲେ । ଉତ୍କଳ ସମ୍ମିଳନୀର ସେ ଅଭିଭାଷଣ ଆଜି ମଧ୍ୟ ଓଡ଼ିଆ ଜାତିର ଆଭିମୁଖ୍ୟ ହୋଇ ରହିବା ଯୋଗ୍ୟ ।

 

‘‘ନିଜର ଜନନୀ ଓ ଜନ୍ମଭୁମି ଏ ଦୁହେଁ ସ୍ୱର୍ଗ ଅପେକ୍ଷା ବଡ଼ ଅଟନ୍ତି । ଆମ୍ଭମାନଙ୍କ ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମୀପରେ ଉପସ୍ଥିତ ହୋଇଛନ୍ତି-। ତାହାଙ୍କର ଡାକ ନଶୁଣି ଆମ୍ଭେମାନେ କି ନିଶ୍ଚିତ ହୋଇ ରହିପାରୁ ? ଯେ ପର୍ଯ୍ୟନ୍ତ ତାଙ୍କର ଅଭାବ ମୋଚନ ନ ହୋଇଛି ସେ ପର୍ଯ୍ୟନ୍ତ ଆମ୍ଭେମାନେ କଦାପି ସ୍ଥିର ହୋଇ ରହି ନପାରୁ-। ଆମ୍ଭମାନଙ୍କ ଜନ୍ମଭୂମି ଉତ୍କଳ ଦେଶର ଅଭାବ ମୋଚନ ନକରି କି ଆମ୍ଭେମାନେ ତାର ଯୋଗ୍ୟ ସନ୍ତାନ ବୋଲି ଆପଣାକୁ ଆପେ ମନବୋଧ କରିପାରିବା ?

 

ସ୍ୱଦେଶ ପ୍ରତି ଯେପରି ସ୍ନେହ, ସେହିପରି ମାତୃଭାଷା ପ୍ରତି ସ୍ନେହ କରିବା ଦରକାର । ଉତ୍କଳ ଭାଷାର ଯେତେଦୂର ଉନ୍ନତି ହେବା ଉଚିତ, ଯଦିଓ ସେତେଦୂର ଉନ୍ନତି ହୋଇନାହିଁ । ତଥାପି ଉତ୍କଳର ସାହିତ୍ୟ ଆକାଶରେ ଉଜ୍ଜ୍ୱଳ ତାରାର ଅଭାବ ନାହିଁ ।

 

ଉତ୍କଳ ଦେଶର ଇତିହାସରେ ଏପରି ଗୋଟିଏ ସଭା ଅଭିନବ ବ୍ୟାପାର । ଏ ସଭାରେ ଆପଣମାନଙ୍କୁ ସାକ୍ଷାତ କରି ମୋର ଅନିର୍ବଚନୀୟ ଆନନ୍ଦ ଜାତ ହୋଇଛି ଓ ଏହି ଦେଶହିତକର କାର୍ଯ୍ୟରେ ଆପଣମାନଙ୍କ ସହିତ ଭାଗି ହୋଇଥିବାରୁ ମୁଁ ନିଜକୁ କୃତକାର୍ଯ୍ୟ ମନେ କରୁଛି ।

 

ଏହିପରି ମୟୁରଭଞ୍ଜର ମହାରାଜା ନିଜର ଗୁଣ, ବୀରତ୍ୱ, ସାଧୁତା, ପାଣ୍ତିତ୍ୟ ଓ ଦେଶଭକ୍ତି ବଳରେ ସମଗ୍ର ଓଡ଼ିଆ ଜାତି ହୃଦୟର ରାଜା ହୋଇ ପାରିଥିଲେ । ପ୍ରଜାମଙ୍ଗଳ ପାଇଁ ଯାହାର ରାଜକୋଷ ଉନ୍ମୁକ୍ତ ଥିଲା ସେ ନିଜପାଇଁ ଏକ ସରଳ ନିରାଡ଼ମ୍ବର ଜୀବନ ବାଛି ନେଇଥିଲେ । କଲିକତାର ଛଉନୃତ୍ୟ ପରେ ମହାରାଜା ବାରିପଦା ଫେରିଥିଲେ । ୧୯୧୨ ମସିହା ଜାନୁଆରୀ ମାସ ୩୦ ତାରିଖ ଦିନ ରାଜକୀୟ ଶିକାର ଖେଳ ପାଇଁ ନିଜର ପାର୍ଶ୍ୱଚର ଶ୍ରୀ ରାଧୁ ମହାପାତ୍ରଙ୍କ ସହ ଜଙ୍ଗଲକୁ ଯାଉଥିଲେ । ମହାରାଜାଙ୍କ କଳା ପୋଷାକକୁ ଭାଲୁ ବୋଲି ଭାବି ଅନ୍ୟାନ୍ୟ ଶିକାରୀମାନେ ଭ୍ରମତଃ ଗୁଳିଚାଳନା କରିଥିଲେ । ଫଳରେ ରାଧୁ ମହାପାତ୍ରଙ୍କ ମୃତ୍ୟୁ ଘଟିଥିଲା ଓ ମହାରାଜା କ୍ଷତବିକ୍ଷତ ହୋଇ ୨୨ ଫେବୃଆରୀ ୧୯୧୨ ମସିହାରେ କଲିକତାରେ ଦେହତ୍ୟାଗ କରିଥିଲେ । ଏକ ବୀର ପୁରୁଷର କର୍ମମୟ ଜୀବନର ଅବସାନ ଅତ୍ୟନ୍ତ ଦୁଃଖଦାୟକ ହୋଇଥିଲା ।

 

ଗୋପବନ୍ଧୁ କହିଛନ୍ତି :-

‘‘ମାନବ ଜୀବନ ନୁହଁଇ କେବଳ

ବର୍ଷ ମାସ ଦିନ ଦଣ୍ତ

କର୍ମେ ଜିଏଁ ନର କର୍ମ ଏକା ତାର

ଜୀବନର ମାନଦଣ୍ତ ।’’

 

ଶ୍ରୀ ରାମଚନ୍ଦ୍ର ଭଞ୍ଜ ଉତ୍କଳ ଜନନୀର ଯୋଗଜନ୍ମା ସନ୍ତାନ । ସ୍ୱତନ୍ତ୍ର ଉତ୍କଳ ଗଠିତ ହେଲା-। ଉତ୍କଳ ଜନନୀ କାକ୍ଷାରୂଢ଼ା ହେଲେ । ଏ ପରମ ସାର୍ଥକ ମୂହୂର୍ତ୍ତର ସ୍ୱାଦ ଆହରଣ ପାଇଁ ବହୁ ପ୍ରକ୍ଷାତଯଶା ମହାରଥୀ ମର୍ତ୍ତ୍ୟଲୋକ ତ୍ୟାଗକରି ଅମୃତ ଲୋକରେ ବାସ କରୁଥିଲେ । ଗୋପବନ୍ଧୁ, ମଧୁସୂଦନ ଓ ରାମଚନ୍ଦ୍ର ଉତ୍କଳ ଜନନୀର ଅମୃତ ସନ୍ତାନ । ମାତୃ ଆରତୀର ବ୍ୟଥିତ ହୋଇ ଧମନୀର ଉଷ୍ମ ରକ୍ତ ବୁହାଇ ଉତ୍କଳ ଜନନୀର ସେବାରେ ଚଳଚଞ୍ଚଳ କରି ସେମାନେ ପାଇଥିଲେ ଅମୃତର ସନ୍ଧାନ । ମଧୁବାବୁ ଲେଖିଥିଲେ :-

 

‘‘ଜାତି ନନ୍ଦିଘୋଷ ଚଳିବକି ଭାଇ ସ୍ୱାର୍ଥକୁ ସାରଥୀ କଲେ

ଟାଣେ କିରେ ଗାଡ଼ି ଦାନାର ତବଡ଼ା ଘୋଡ଼ା ମୁହେଁ ବନ୍ଧାଥିଲେ ।’’

 

କିନ୍ତୁ ମହାରାଜା ରାମଚନ୍ଦ୍ର ଭଞ୍ଜ ସମସ୍ତ ଭୋଗ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ଜାତି ନନ୍ଦିଘୋଷର ବାହକ ରୂପେ ବାହାରି ପଡ଼ି ଏକ ବ୍ୟତିକ୍ରମ ରୂପେ ଦେଖା ଦେଇଥିଲେ । ତାଙ୍କ ଜୀବନଯାତ୍ରା ଏକ ଅନବଦ୍ୟ ଘୋଷ ଯାତ୍ରା ।

 

ବାରିପଦା

ତୋର ସେବା ହେବ ମୋର ସ୍ୱର୍ଗର ସରଣୀ,

ତୀର୍ଥମୟୀ ମା’ ମୋର ଉତ୍କଳଜନନୀ ।

-କାନ୍ତକବି ଲକ୍ଷ୍ମୀକାନ୍ତ

***

 

ଯୁଗେ ଯୁଗେ ‘ସାହିତ୍ୟ’ ବିପ୍ଳବ ସୃଷ୍ଟି କରିଆସିଚି । ବିଶ୍ୱ-ସାହିତ୍ୟର ଅନୁଶୀଳନ କ୍ରମେ ଏହାର ସତ୍ୟତା ଉପଲଭ୍ୟ । ଜାତୀୟଜୀବନର ଆତ୍ମା ହେଉଚି ତା’ର ସାହିତ୍ୟ ଓ ସଂସ୍କୃତି । ଯେଉଁ ଜାତିର ସାହିତ୍ୟ ଓ ସଂସ୍କୃତି ଯେତିକି ଉନ୍ନତ ସେ ଜାତିର ଜୀବନ ମଧ୍ୟ ସେତିକି ସମୃଦ୍ଧ । ସେଥିପାଇଁ ଜାତୀୟଜୀବନକୁ ମହତ୍ତର କରିବାକୁ ହେଲେ ସାହିତ୍ୟ ଓ ସଂସ୍କୃତିର ଉନ୍ନୟନ ଏକାନ୍ତ ଅପରିହାର୍ଯ୍ୟ । ଯୁଗର ବିବର୍ତ୍ତନ ଅନୁସାରେ ମାନବ-ସମାଜକୁ ବିରାଟ ବିପ୍ଳବ ଓ ପରିବର୍ତ୍ତନ ମଧ୍ୟ ଦେଇ ଗତି କରିବାକୁ ପଡ଼ିଥାଏ । ପ୍ରତି ଯୁଗର ସନ୍ଧିକ୍ଷଣରେ ସମାଜର ସମସ୍ତ ପୁରାତନ ରୀତିନୀତି ଆଦର୍ଶ ଓ ଚିନ୍ତାଧାରାର ପରିମାର୍ଜନା ଘଟିଥାଏ । ସମାଜ କଦାପି ସ୍ଥିର କିମ୍ବା ଅଚଳ ନୁହେଁ, ବରଂ ବ୍ୟକ୍ତିର ଚିନ୍ତାଶୀଳ ଶକ୍ତି ଓ ମାନସିକ ଆଦର୍ଶ ପଛରେ ଏହା ଉଦ୍‌ଭ୍ରାନ୍ତ ଏବଂ ଚଞ୍ଚଳ-

 

Unknown

ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମଧୁସୂଦନଙ୍କ ସାହିତ୍ୟର ପ୍ରେରଣା

ଶଇଳେନ୍ଦ୍ର ଲେଙ୍କା

 

ସାହିତ୍ୟ ସମାଜ-ଜୀବନର ବାର୍ତ୍ତାବହ । ସମାଜ ରାଷ୍ଟ୍ରନାୟକମାନଙ୍କୁ ଗଣବିପ୍ଳବ ଦ୍ୱାରା ଚେତାବନୀ ଶୁଣାଇଥାଏ । ଜଣେ ଯଥାର୍ଥ ସାହିତ୍ୟିକ ରାଜତନ୍ତ୍ରର ସ୍ତୁତି କରେନି ବରଂଚ ନିରଙ୍କୁଶ ରାଷ୍ଟ୍ରନାୟକର ସ୍ୱେଚ୍ଛାଚାରୀ ମନୋବୃତ୍ତିକୁ କଠୋର ସମାଲୋଚନା କରି ଭବିଷ୍ୟତ ରାଷ୍ଟ୍ରଗଠନପାଇଁ ଇଙ୍ଗିତ ଦିଏ । ଉତ୍କଳର ଜାତୀୟଗୌରବ ମଧୁସୂଦନ ଦାସ (୧୮୪୮-୧୯୩୪) ଜଣେ ସ୍ୱଦେଶୀ ମାଟି ପ୍ରୀତିର ଏକନିଷ୍ଠ ସାଧକ ଓ ବିପ୍ଳବୀ କବି । ମଧୁସୂଦନଙ୍କ ସାହିତ୍ୟ ଓ ବ୍ୟକ୍ତିତ୍ୱ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏକ ଅନବଦ୍ୟ ଫଳଶ୍ରୁତି । ମଧୁସୂଦନଙ୍କ ସାହିତ୍ୟ ସମାଜଜୀବନର ବାର୍ତ୍ତାବହ । ଉତ୍କଳୀୟ ଜାତିପାଇଁ ସେ ବିପ୍ଳବର ପଞ୍ଚଜନ୍ୟ ବଜାଇ ହୋଇଛନ୍ତି ଯୁଗବିପ୍ଳବୀ । ଜୀବନ-ବେଦୀରେ ନିଜେ ତିଳେ ତିଳେ ଜଳି ସମାଜ-ଜୀବନରୁ ରକ୍ଷଣଶୀଳତା, ନିର୍ବେଦତାକୁ ଦୂର କରି ଏକ ନୂତନ ମୌସୁମୀର ପ୍ରାଣସଞ୍ଜୀବନୀ ଭରି ଦେଇଛନ୍ତି । ସ୍ୱଦେଶ ଗଠନରେ ତାଙ୍କର କଳାତ୍ମକ ଅଭିବ୍ୟକ୍ତି ସବୁ ଓଡ଼ିଆଜାତିର ମର୍ମବାଣୀ ଓ ପରାଧୀନ ଜାତି ଅନ୍ତରର ମହାମନ୍ତ୍ର । ସେହି ପ୍ରାଣସ୍ପନ୍ଦନ ମୃତକଳ୍ପ ଓଡ଼ିଆ ଅନ୍ତରରେ ପ୍ରତିଧ୍ୱନିତ । କୁଳବୃଦ୍ଧ ମଧୁସୂଦନ ଜଣେ ଦେଶସେବକ, କର୍ମୀ ଓ ଜନନେତା । ତାଙ୍କ ମନର ସମ୍ବେଦନା ସାଧାରଣ ମଣିଷ-ସମାଜ ପ୍ରତି । ତାଙ୍କ ଲେଖାରେ ନାହିଁ ଶାସକର ମନୋବୃତ୍ତି କିମ୍ବା ରାଷ୍ଟ୍ରନାୟକର ଚିନ୍ତାଧାରା; ରାଷ୍ଟ୍ର ଓ ଶାସନର ମୌଳିକ ସୂତ୍ରଧର ଭାବେ ସ୍ୱଦେଶ ଗଠନରେ ଅଛି ତୀବ୍ର ଅଭିମାନ ଓ କଠୋର ତାଡ଼ନାର ଅଭିବ୍ୟକ୍ତି । ମଧୁସୂଦନ ସମସାମୟିକ ରାଜନୀତି ଓ ରାଜତନ୍ତ୍ର ସମ୍ପର୍କରେ ନିଜର ଗଭୀର ପ୍ରତିକ୍ରିୟାକୁ ବକ୍ତୃତା ଅପେକ୍ଷା କବିତା, ଚିନ୍ତାଠାରୁ କାର୍ଯ୍ୟରେ ହିଁ ପରିସ୍ଫୁଟ କରିଛନ୍ତି ।

 

‘‘ଊନବିଂଶ ଶତାବ୍ଦୀର ଶେଷପାଦ ଓ ବିଂଶ ଶତାବ୍ଦୀର ଆରମ୍ଭରେ ଉତ୍କଳର ଜାତୀୟଗୌରବ ମଧୁସୂଦନଙ୍କ ନେତୃତ୍ୱରେ ନବଜାଗରଣର ଯେଉଁ ସୂତ୍ରପାତ ହୋଇଥିଲା, ଏହି ଯୁଗର କବିମାନେ ଥିଲେ, ତାହାର ନାନ୍ଦୀକାର ।’’ (୧) ମଧୁସୂଦନଙ୍କ ବ୍ୟକ୍ତିତ୍ୱ ସଂଗ୍ରାମମୁଖୀ । ଓଜସ୍ୱିନୀ ବକ୍ତୃତା ଓ ମନନଶୀଳ କବିତାରୁ ତାଙ୍କ ସାରସ୍ୱତ ପ୍ରତିଭାର ଉନ୍ମେଷ । ଜାତୀୟ ମୁକ୍ତିର ଉନ୍ମାଦନା ତାଙ୍କ ସାହିତ୍ୟକୁ କରିଥିଲା ଅନୁରଣିତ । ସ୍ୱଦେଶପ୍ରେମର ପରିଚୟ ତାଙ୍କ ନିର୍ଭୀକ ସ୍ୱାଧୀନ ଚିନ୍ତାଠାରୁ କାର୍ଯ୍ୟ ପର୍ଯ୍ୟନ୍ତ ସର୍ବତ୍ର ପ୍ରଣିଧାନଯୋଗ୍ୟ । ତାଙ୍କର ଜାତୀୟ ଗୀତଗୁଡ଼ିକ ଓଡ଼ିଶାର ଲୋକପ୍ରିୟ ସୁବଚନ ଓ ପରାଧୀନ ଅନ୍ତରର ନୂତନ ଜାଗୃତି ।

 

ଜାତି ପ୍ରେମ-ବହ୍ନି             ପ୍ରଜ୍ଜ୍ୱଳିତ କର

ସ୍ୱାର୍ଥକୁ ଦିଅ ଆହୁତି

‘ସ୍ୱାର୍ଥମେଧ ଯଜ୍ଞ’            ଚାରିଆଡ଼େ ନାଚ

ଛାତିକୁ ମିଶାଇ ଛାତି ।୧୦।

(‘ସନ୍ତାନର ଉକ୍ତି’-କବିତା)

 

‘କବିତ୍ୱ’ ମଧୁସୂଦନଙ୍କ ପ୍ରତିଭାର ଏକ ଅମଳିନ ଦ୍ୟୁତି । ଏହା ସହସ୍ରରଶ୍ମିଯୁକ୍ତ, ବହୁ ଦିଗନ୍ତବିସ୍ତାରୀ । ମଧୁସୂଦନ ଓଡ଼ିଆ ଜାତୀୟତାର ପୂର୍ଣ୍ଣ ଚେତନାକୁ ଜାଗରିତ କରି ପରାଧୀନ ଓଡ଼ିଆଙ୍କ ପ୍ରାଣରେ ଭରି ଦେଇଥିଲେ ଏକତା ସୂତ୍ରରେ ଜାତୀୟତାର ପ୍ରେମବହ୍ନି । କବିଜନୋଚିତ କଳ୍ପନା ଓ ଚିନ୍ତନ ମଧୁସୂଦନଙ୍କ ମୌଳିକ ଦେଶପ୍ରେମର ପରିଚୟ ।

 

(୧) ମହାନ୍ତି, ସୁରେନ୍ଦ୍ର-ଓଡ଼ିଆ ସାହିତ୍ୟର କ୍ରମବିକାଶ (୧୯୭୮) ପୃଷ୍ଠା-୨୬୨ ।

 

ଭାରତ ତଥା ଓଡ଼ିଶାର ସାମୂହିକ ଜାଗୃତିର ଅରୁଣୋଦୟ ହେଉଚି, ଊନବିଂଶ ଶତାବ୍ଦୀର ସନ୍ଧିକ୍ଷଣରେ । ସମାଜ, ସାହିତ୍ୟ, ଶିକ୍ଷା, ଶିଳ୍ପ, ଅର୍ଥନୀତି ଓ ରାଜନୀତି ସବୁ କ୍ଷେତ୍ରର ପୃଷ୍ଠଭୁମିରେ ଦେଶନାୟକ ମଧୁସୂଦନଙ୍କ କର୍ମପ୍ରେରଣା ଏକ ପ୍ରଚଣ୍ତ ବିସ୍ଫୋରଣ । ମଧୁସୂଦନଙ୍କ ଜୀବନବ୍ରତ ଥିଲା, ଓଡ଼ିଶାର ପୁନର୍ଗଠନ ଓ ପୁନର୍ଜ୍ଜୀବନ ଦେଇ ଶାସନ-ନୀତି ଓ ସମାଜ ସଂସ୍କୃତିର ଉଦ୍ଧାର । ମଧୁସୂଦନଙ୍କ କାର୍ଯ୍ୟକଳାପରେ ଥିଲା ଏକ ନବ ଚେତନାର ଉତ୍ସାରିତ ବିକାଶ । ବ୍ୟକ୍ତିତ୍ୱରେ ଥିଲା ଋଷିର ଦର୍ଶନ, ସ୍ୱପ୍ନ ଓ ଚିନ୍ତାରେ ସ୍ୱତନ୍ତ୍ର ଓଡ଼ିଶା ଗଠନ । ଜାତି ଓ ଦେଶର ଉନ୍ନତି ପାଇଁ ଜୀବନ-ସଂଗ୍ରାମର ମହାଯଜ୍ଞରେ ସେ ଚିର ଦୀପ୍ତିମାନ ହୋମାଗ୍ନି । ଦେଶମାତୃକାର ପବିତ୍ର ପୀଠରେ ନିଜେ ଜଳି ଅନ୍ୟମାନଙ୍କୁ ଆଲୋକାନୁବର୍ତ୍ତୀ କରିବାହିଁ ତାଙ୍କର ଧର୍ମ । ଏହାହିଁ ତାଙ୍କ ଜୀବନବ୍ରତର ମାନବୀୟ ଧର୍ମ । ଇଂରେଜ ଶାସନର ମର୍ମନ୍ତୁଦ କାହାଣୀ ତାଙ୍କ ଅଭିମାନଭରା ସ୍ୱରର ଅଭିଯୋଗରେ ଉତ୍ସାରିତ-

 

‘‘ବ୍ରିଟେନ ନିବାସୀ             ଅତୀବ ସାହସୀ

କାପୁରୁଷେ ଶ୍ରଦ୍ଧା ନାହିଁ,

ଶିଖ-ରାଜପୁତ             ଯେ ମାନ୍ୟ ଲଭନ୍ତି

ତୋର ଭାଗ୍ୟେ ତାହା କାହିଁ ?’’ (୪)

(ଉତ୍କଳ ସନ୍ତାନ)

 

ଓଡ଼ିଶାର ଜାତୀୟ ମିଳନପୀଠ ‘ଉତ୍କଳ ସମ୍ମିଳନୀ’ (୧୯୦୩) ଓଡ଼ିଆ ଜାତିର ପୁଣ୍ୟପୀଠ-। ଓଡ଼ିଶାର ଜାତୀୟଜୀବନରେ ଏହା ନବ ଜାଗରଣର ବର୍ଣ୍ଣୋତ୍ସବ । ଉତ୍କଳ ସମ୍ମିଳନୀର ଭଗୀରଥ ‘ମଧୁସୂଦନ’- ଇତିହାସର ଏକ ଅନବଦ୍ୟ ଚରିତ୍ର । ସମକାଳୀନ ଓଡ଼ିଶାର ରାଜନୈତିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଜାତୀୟଜୀବନର ଏକ ବିଧିବଦ୍ଧ କର୍ମଶାଳା ଥିଲା ‘ଉତ୍କଳ ସମ୍ମିଳନୀ’ । ଜାତୀୟ ଚିନ୍ତାଧାରାରେ ନିଜ ଚିନ୍ତା ଓ ଚେତନାକୁ ଯିଏ ଏକାକାର କରି ଦେଇ ଏକ ନୂତନ ସମାଜର ସ୍ୱପ୍ନ ଦେଖିଥିଲେ ସେ’ହିଁ ଦେଶର ଜନନାୟକ ମଧୁସୂଦନ । ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ କଳ୍ପେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ‘ଉତ୍କଳ ସମ୍ମିଳନୀ’ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଗଭୀର ଆଶା ଓ ଆଶ୍ୱସ୍ତିର ପ୍ରତୀକ । ଅମୃତ ବଜାର ପତ୍ରିକାରେ ୧୯୦୪ ମସିହା ଜାନୁଆରୀ ୯ ତାରିଖରେ ବିଶେଷ ସମ୍ବାଦଦାତା ଯଥାର୍ଥରେ ଲେଖିଥିଲେ-‘‘ଏହିଠାରେ ହିଁ ଓଡ଼ିଶାର ରାଜା, ମହାରାଜା, ଜମିଦାର ଓ ସାଧାରଣ ଜନତା ସେମାନଙ୍କର ସାଧାରଣ ଅବସ୍ଥାର ଉନ୍ନତି ଆଣିବା ଲାଗି ଏକ ସାଂସ୍କୃତିକ ଉଦ୍ୟମରେ ଲାଗି ପଡ଼ିଥିବାର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ଓଡ଼ିଶାର ରାଜା, ମହାରାଜା, ସଂଭ୍ରାନ୍ତ ପରିବାର ଓ ଶିକ୍ଷିତ ପରିବାରର ଲୋକମାନଙ୍କ ସହିତ ସାଧାରଣ ଦରିଦ୍ର ଜନତାର ଏହିଠାରେ ମହାମିଳନ ଘଟିଥିଲା । ଏ ସବୁର ଅନ୍ତରାଳରେ ଯେଉଁ ମୁଖ୍ୟ କାରଣଟି ବିଦ୍ୟମାନ ରହିଛି, ତାହା ହେଲା ଓଡ଼ିଶାର ବିଶେଷ ପରିସ୍ଥିତି । ଏହି ଓଡ଼ିଶାରେ ରାଜା, ମହାରାଜାମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଯାଏ ସମସ୍ତେ ଗୋଟିଏ ଭାଷାରେ କଥାବାର୍ତ୍ତା କରନ୍ତି । ଏହାଛଡ଼ା ସେମାନଙ୍କର ଧର୍ମ, ଚଳଣି, ଆଚାର ବ୍ୟବହାର, ସଂସ୍କାର, ସଂସ୍କୃତି ଆଦି ସମାନ । ଏହିପରି ଭାବରେ ସମସ୍ତ ଓଡ଼ିଆ ଭାଷୀ ଲୋକମାନଙ୍କୁ ଏକ ଜାତିରେ ପରିଣତ କରିବାର ପ୍ରଥମ ଉଦ୍ୟମ ହୋଇଛି ।’’ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ବିଧିବଦ୍ଧ ସମ୍ମିଳିତ ହେବା ସଙ୍ଗେ ସଙ୍ଗେ ଉତ୍କଳର ସ୍ୱାର୍ଥରକ୍ଷା ଓ ବିକାଶ ସାଧନରେ ବିବିଧ କର୍ମପନ୍ଥା ଗ୍ରହଣ କରିଥିଲେ ।

 

ଉତ୍କଳର ନିର୍ମାତା ମଧୁସୂଦନ ଓଡ଼ିଶା ନବଜାଗରଣରେ ଅଗ୍ରଦୂତ । ସ୍ୱତନ୍ତ୍ରଉତ୍କଳ ଗଠନରେ ତାଙ୍କ ସ୍ୱପ୍ନାଦର୍ଶୀ ଚିନ୍ତା ଓ ଚେତନା ଉତ୍ତରବୟସ ପର୍ଯ୍ୟନ୍ତ ସଂଗ୍ରାମମୁଖୀ । ରାଜନୀତି, ସାମ୍ବାଦିକତା ଓ ଆଇନ ବ୍ୟବସାୟ ଭିତରେ ମଧୁସୂଦନଙ୍କ ବହୁମୁଖୀ ପ୍ରତିଭାର ପରିଚୟ ମିଳିଥାଏ-।‘‘ ଶରବିଦ୍ଧ କ୍ରୌଞ୍ଚକୁ ଦେଖି ବାଲ୍ମୀକିଙ୍କର ପ୍ରଥମ ଉଚ୍ଚାରିତ ବାକ୍ୟଗୁଡ଼ିକ ଛନ୍ଦୋବଦ୍ଧ ହୋଇ ଉଚ୍ଚାରିତ ହୋଇଥିଲା । ଆମ୍ଭମାନଙ୍କ ଜାତିର ନିଶ୍ଚେଷ୍ଟତା ଓ ମୁମୂର୍ଷୁ ଅବସ୍ଥା ଦେଖି, ସ୍ୱଦେଶପ୍ରାଣ ବୃଦ୍ଧ ମଧୁସୂଦନଙ୍କର କେତେଗୁଡ଼ିଏ ବାକ୍ୟ ଛନ୍ଦୋବଦ୍ଧ ହୋଇ ସ୍ୱତଃ ଉଚ୍ଚାରିତ ହୋଇଅଛି ।’’ (୨) ଓଡ଼ିଶାର ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଅଭ୍ୟୁଦୟ ମଧୁସୂଦନଙ୍କ ରାଜନୈତିକ ସାଧନାର ଚରମ ଲକ୍ଷ୍ୟ । ୧୯୧୩ ମସିହା ମାର୍ଚ୍ଚ ୭ ତାରିଖ ଦିନ ମଧୁସୂଦନ ଇମ୍ପିରିଆଲ୍‌ କାଉନ୍‌ସିଲରେ ଭାଷଣ ପ୍ରସଙ୍ଗରେ କହିଥିଲେ-‘‘ଓଡ଼ିଶାର ପ୍ରାଚୀନ ଶିଳ୍ପ ଓ ସ୍ଥାପତ୍ୟରୁ ଓଡ଼ିଆ ଜାତିର କଳାପ୍ରବଣତାର ନିଦର୍ଶନ ମିଳିଥାଏ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଯେଉଁ ହାତ ଦିନେ ଭୁନନେଶ୍ୱର ମନ୍ଦିର ଗାତ୍ରରେ ପଥର ଦେହରେ ସୁଦ୍ଧା ଅନୁପମ ଲାବଣ୍ୟ ସୃଷ୍ଟି କରି ପାରିଥିଲା, ତାହା ଆଜି ଦିନକୁ ଦୁଇଅଣା ମଜୁରୀରେ ହଳ ବୁଲାଉଛି । ସେ ଦିନର ହୃତ ଗୌରବର ପୁନରୁଦ୍ଧାର ପାଇଁ କ’ଣ କିଛି କରାଯାଇ ପାରିବ ନାହିଁ ?’’ ଜାତୀୟଜୀବନର ବିକାଶ ମଧୁସୂଦନଙ୍କ ପ୍ରାଣର ଚିରନ୍ତନ ବାଣୀ । ଏହାର ଯଥାର୍ଥ ସ୍ୱର ହିଁ ତାଙ୍କ ସାହିତ୍ୟରେ ଉଦ୍‌ଘାଟିତ ।

 

(୨) ଦାସ, ବ୍ରଜସୁନ୍ଦର (ସମ୍ପାଦକ ମୁକୁର)-ସଂକଳକ-‘ମଧୁମନ୍ତ୍ର

 

କୋଟିଏ ଓଡ଼ିଆ             ଗୋଟିଏ ସ୍ୱରରେ

ଡାକ ତ୍ରାହି ଜଗନ୍ନାଥ

ଅନ୍ଧାର ଘୁଞ୍ଚିବ             ନିଶ୍ଚୟ ଦେଖିବ

ଜାତିର ଉନ୍ନତି ପଥ

ସୁଦର୍ଶନ ଚକ୍ର             ଗରଜି ଉଠିବ

ବଳିୟାର ବାହୁ କରେ

ମାତାଙ୍କ ଶ୍ରୀଅଙ୍ଗ             ପୂର୍ବବତ ହେବ

ଶତ୍ରୁ ପଳାଇବେ ଡରେ ।

(ସମାଜ, ତା ୧୪ । ୧୧ । ୧୯୨୮)

 

ମଧୁସୂଦନଙ୍କ ଏସବୁ ଉକ୍ତି ଦେଶପ୍ରୀତିର ଉଜ୍ଜ୍ୱଳ ନିଦର୍ଶନ । କବିତାରେ ତାଙ୍କର ବୈପ୍ଳବିକ ଭାବନାର ଅଭିବ୍ୟକ୍ତି, ଚିନ୍ତାରେ ତାଙ୍କର ଅଭିଜ୍ଞ ଦୂରଦୃଷ୍ଟି, ବିଚାର ପ୍ରବଣତାରେ ନିର୍ଭୀକ ସ୍ୱାଧୀନତା ଲକ୍ଷଣୀୟ । ପରାଧୀନ ଉତ୍କଳର ଦୁଃଖ ଦୁର୍ଦ୍ଦଶାକୁ ଗଭୀରଭାବେ ମର୍ମେ ମର୍ମେ ଅନୁଭବ କରି ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁସୂଦନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ୧୯୦୧ ମସିହାରେ ଗଞ୍ଜାମ ଜାତୀୟ ସମିତି ସ୍ଥାପିତ ପରେ ପରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଓ ଦେଶମିଶ୍ରଣର ଆନ୍ଦୋଳନ ସାରା ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିଥିଲା । ମହାଭାରତୀୟ ରାଜନୀତି କ୍ଷେତ୍ରରେ ଏହି ପ୍ରଥମ ସମ୍ମିଳନୀ ଓଡ଼ିଶାର ଜନସାଧାରଣଠାରୁ ରାଜନୈତିକ କର୍ମୀମାନଙ୍କ ଭଳି କବିବୃନ୍ଦଙ୍କୁ ମୁକ୍ତି ଆନ୍ଦୋଳନରେ ପ୍ରବର୍ତ୍ତାଇ ଥିଲା । ମଧୁସୂଦନ ଥିଲେ ଏହି ମୁକ୍ତି ଆନ୍ଦୋଳନର ଉତ୍ସାହୀ ବୀର ଓ ଉନ୍ମାଦନାର ଜଣେ ଖାଣ୍ଟି ଉତ୍କଳୀୟ । ତାଙ୍କର ସାତୋଟି ବିଭିନ୍ନ କବିତାରାଜିରୁ ଉଗ୍ର ଓଡ଼ିଆତ୍ୱର ପରିଚୟ ମିଳିଥାଏ । ‘ଜଣାଣ’, ‘ଉତ୍କଳସନ୍ତାନ’, ‘ଜନନୀର ଉକ୍ତି’, ‘ସନ୍ତାନର ଉକ୍ତି’, ‘ସମ୍ମିଳନୀ’, ‘ଜାତି ଇତିହାସ’ ଓ ‘ଏ ଭବେ ପାଇବ କାହିଁ’ କବିତାରାଜି ଭିତରେ ମଧୁସୂଦନଙ୍କ ଦୀପ୍ତିମାନ୍ ନେତୃତ୍ୱ ଓ ହୃଦୟସ୍ପର୍ଶୀ ମର୍ମବାଣୀର ପରିଚୟ ସହଜଲଭ୍ୟ ।

 

‘‘ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ

 

କୋଟି ପ୍ରାଣ ବିନ୍ଦୁ ଧରେ,

ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ

 

ଡେଇଁପଡ଼ି ସିନ୍ଧୁ ନୀରେ ।

ତରଙ୍ଗ ଉଠିବ ସିନ୍ଧୁ ଗରଜିବ

 

ଶୁଣିବୁ ସିଂହର ରବ,

ବ୍ରିଟିଶ ରାଜ୍ୟରେ ଓଡ଼ିଆଜାତିର

 

ବଢ଼ିବ ମାନ ଗୌରବ ।’’

(ସମ୍ମିଳନୀ-କବିତା)

 

ଉତ୍କଳର ଜାତୀୟବୀରଙ୍କର ଏହାହିଁ ସ୍ୱଦେଶପ୍ରେମ । ମଧୁସୂଦନଙ୍କ ମାତୃଭୂମି ପ୍ରତି ଏହା ହେଉଚି ଅକୃତ୍ରିମ ସ୍ନେହ ଓ ମମତାର ପ୍ରତୀକ । ଅତୀତର ଗୌରବମୟ କାହାଣୀ ତାଙ୍କ ପ୍ରାଣରେ ସୃଷ୍ଟି କରିଚି ସଂଘର୍ଷର ଝଡ଼ । କବି ବ୍ୟଥିତ ପ୍ରାଣରେ ଗାଇଉଠିଚି-

 

ତୋ ପୂର୍ବ ପୁରୁଷେ ଜୟ କରିଥିଲେ

 

ଗଙ୍ଗାଠାରୁ ଗୋଦାବରୀ,

ତାଙ୍କରି ଔରସେ ଜନ୍ମ ହୋଇ ତୁହି

 

କେଉଁ ଗୁଣେ ତାଙ୍କୁ ସରି ?

(ଉତ୍କଳ ସନ୍ତାନ)

 

‘ଉତ୍କଳ ସନ୍ତାନ’ରେ ମଧୁସୂଦନଙ୍କ ଖେଦୋକ୍ତି ଓଡ଼ିଆମାନଙ୍କୁ ସଚେତନ କରାଇ ଦେଇଚି । ତୋଷାମୋଦକାରୀ ହୋଇ ଇଂରେଜ ଶାସନର ପଦଲେହନ କଲେ ଜାତି ଓ ଦେଶର ଉନ୍ନତି ସମ୍ଭବ ହେବ ନାହିଁ । ହେ ଉତ୍କଳ ସନ୍ତାନ ! ନିଜର ଆତ୍ମସ୍ୱାର୍ଥ ପରିତ୍ୟାଗ କରି ସ୍ୱାଧୀନ ଓଡ଼ିଆ ଦେଶ ଗଠନରେ ନିଜକୁ ସମର୍ପଣ କର- ମଧୁସୂଦନଙ୍କର ଏହି ଅମୃତବାଣୀ ହିଁ ତାଙ୍କ କବିତାର ଛନ୍ଦେ ଛନ୍ଦେ ମର୍ମରିତ । ‘ଜଣାଣ’ କବିତାରେ ଓଡ଼ିଶାର ଲୋକମାନଙ୍କ କର୍ତ୍ତବ୍ୟଜ୍ଞାନ ଅଭାବରୁ ‘ଆଶା ତୁଟିଗଲା’ ଏବଂ ‘ସ୍ୱପନ ଭାଙ୍ଗିଲା’ ଇତ୍ୟାଦି କବିତା ଖଣ୍ତରେ ଉତ୍କଳର ଦୁଃଖ-ଦୁର୍ଦ୍ଦଶା ଦେଖି କବି ଜାତି ସମ୍ମୁଖରେ ଆଶାର ବାର୍ତ୍ତା ପ୍ରଚାର କରିଛନ୍ତି-

 

ଆଶା ଥିଲା ମନେ             ଦେଖିବି ଜୀବନେ

ଉତ୍କଳ-ମାତାର ସହାସ୍ୟ ବଦନ

ସେ ଆଶା ତୁଟିଲା             ସ୍ୱପନ ଭାଙ୍ଗିଲା

ନ ଦେଖି ଉତ୍କଳେ କରତବ୍ୟଜ୍ଞାନ । ୩ ।

(ଜଣାଣ)

 

‘ଜନନୀ ଉକ୍ତି’ କବିତାଟି ମଧୁସୂଦନଙ୍କର ଓଡ଼ିଆ ମାଟିର ମଣିଷ ପ୍ରତି ଏକ ମର୍ମବାଣୀ । ବହୁ କର୍ମବୀରଙ୍କୁ ଉତ୍କଳମାତା ଜନ୍ମଦେଇ ଆଜି ଦୁର୍ଦ୍ଦିନରେ ବାକ୍ୟବୀରମାନଙ୍କର ହୁଙ୍କାର ଶୁଣିବା ବ୍ୟତୀତ ଦେଶ ଉଦ୍ଧାରରେ ସେମାନେ କେତେ ପଶ୍ଚାଦ୍‌ଗାମୀ ତାହାର ଭୁରି ଭୁରି ଦୃଷ୍ଟାନ୍ତ କବିଙ୍କ ‘ଜନନୀ ଉକ୍ତି’ରୁ ମିଳିଥାଏ । ଅତୀତର ଗୌରବ ଓ ବୀରତ୍ୱ ସମ୍ପର୍କରେ ଓଡ଼ିଆଜାତିକୁ ସଚେତନ କରାଇ ଦେଇ କବି କଣ୍ଠେ କଣ୍ଠେ ଗାଇ ଉଠିଚନ୍ତି-

 

‘‘ଇତିହାସ ତୂରୀ             ଜଗତେ ଘୋଷୁଛି

ମୋର ସୁତଙ୍କର ଯଶ

ତାଙ୍କର ବଂଶଜ             ଘୃଣିତ ଓଡ଼ିଆ

ଏହା ମୋ କପାଳ ଦୋଷ । ୪ ।

ନାହିଁ ମୋର ମାନ            ନାହିଁ ମୋର ଧନ

ବଦନେ ଲାଗିଛି ଧୂଳି,

ବୀର ପ୍ରସବିନୀ             ଶୋଣିତ ରହିଛି

ତୋର ଶିରାରେ ଦେବି ଢାଳି । ୬ ।’’

(ଜନନୀର ଉକ୍ତି)

 

କବିଙ୍କର ଏସବୁ ବାଣୀ ଦେଶଲୋକଙ୍କ ଚିତ୍ତରେ ଜାତୀୟତାର ନବ ଉନ୍ମାଦନା ଖେଳାଇ ଦେବା ସଙ୍ଗେ ସଙ୍ଗେ କର୍ତ୍ତବ୍ୟହୀନ ଓଡ଼ିଆମାନଙ୍କୁ ସାମର୍ଥ୍ୟ, ଶକ୍ତି ଓ ସାହସ ଯୋଗାଇ ଦେଇଚି । ‘ସନ୍ତାନର ଉକ୍ତି’ କବିତାରେ କବି ଉତ୍କଳ-ଜନନୀର ଦୁର୍ଦ୍ଦଶାଗ୍ରସ୍ତ ଛିନ୍ନ-ବିଚ୍ଛିନ୍ନା ରୂପକୁ ବ୍ୟଥିତ ପ୍ରାଣରେ ଅଙ୍କିତ କରିଛନ୍ତି । ଉଦାହରଣ ଛଳରେ ପୁରାଣଯୁଗର ସୀତାଙ୍କଠାରୁ ଆରମ୍ଭ କରି ନୀଳାଚଳର ହିନ୍ଦୁ ମଥାମଣି ପର୍ଯ୍ୟନ୍ତ ବର୍ଣ୍ଣନାର ପରିଚୟ ମିଳିଥାଏ । ତଥାପି ଅଭିମାନଭରା କବିକଣ୍ଠରେ ଅଛି ଅଜସ୍ର ଆଶାର ବହ୍ନି-

ଅପମାନ ହେତୁ             ଜନନୀ ମୋହର

ଉତ୍କଳ ଭୂମଧ୍ୟବାସୀ

ଉତ୍କଳର ମାଟି             ପବିତ୍ର ହୋଇଛି

ସ୍ୱର୍ଗାଦପି ଗରୀୟସୀ । ୫ ।

(ସନ୍ତାନର ଉକ୍ତି)

ଇତିହାସ ହିଁ ଜାତିର ମୁଖଶାଳା । ଅତୀତ ଗୌରବର କାହାଣୀ ଇତିହାସ ପୃଷ୍ଠାରେ ଅଙ୍କିତ । ଜନ୍ମଭୂମିର ପ୍ରକୃତ ପରିଚୟ ଇତିହାସର ମୂଲ୍ୟ ଓ ମର୍ଯ୍ୟାଦାବୋଧ ଭିତରେ ସଂରକ୍ଷିତ । ଇତିହାସର ଚଳନ୍ତି ପ୍ରବାହ ମଧ୍ୟରେ ଜାତି ତା’ର ନିଜ ସ୍ୱରୂପକୁ ଦେଖିପାରେ । ମଧୁସୂଦନ ଅତୀତ ଗୌରବର କବି । ସେ ସ୍ୱାଧୀନଚେତା ଓ ଦେଶପ୍ରାଣା । ତାଙ୍କର କବିତାର ଅନ୍ତରରେ ଜାତୀୟତାର ପ୍ରେମବହ୍ନି ।

ଜାତି ଇତିହାସ            ଜାତିର ନିର୍ଝର

ତହୁଁ ବହେ ସଦା ଜାତି ପ୍ରାଣଧାର,

ସେ ଧାରରୁ ନୀର            ପିଉଛି ଯେ ନର

ନିଶ୍ଚୟ ହେବ ସେ ଜାତି କର୍ମବୀର ।

(ଜାତି ଇତିହାସ)

 

ମଧୁସୂଦନଙ୍କ ଅନ୍ୟ ଏକ କବିତା ‘ଏ ଭାବେ ପାଇବା କାହିଁ’ ଏକ ଶାଶ୍ୱତ ପ୍ରେମଗୀତିକା । ମଣିଷ ହୃଦୟର ଗଭୀର ଅନୁଭୂତି ଏହି ପ୍ରେମଦର୍ଶନ କବିତାରେ ବହୁଗୁଣିତ ଭାବେ ଆତ୍ମପ୍ରକାଶ କରିଛି । ଏଥିରେ ତାଙ୍କର ବିଶ୍ୱତୋମୁଖୀ ମନୋଭାବର ପରିଚୟ ମିଳିଥାଏ ।

 

ପ୍ରେମର ମିଳନ             ଦୁଧ ପାଣି ପରି

ଆଉ ଛଡ଼ାଛଡ଼ି ନାହିଁ ।

ଫୁଲରୁ ସୁଗନ୍ଧ             ପାଇବା ଲୋଭରେ

ଭ୍ରମର ତା’ ପାଶେ ଉଡ଼େ,

କିନ୍ତୁ ଭ୍ରମରକୁ             ଚୁମ୍ବିବା ଆଶାରେ

ଫୁଲ କି ତା’ ସ୍ଥାନ ଛାଡ଼େ ।

(ଏ ଭାବେ ପାଇବା କାହିଁ)

 

ଓଡ଼ିଶା ଜାତୀୟଜୀବନର ନବଜାଗରଣରେ ମଧୁସୂଦନଙ୍କ ଭୂମିକା ଥିଲା ଅନବଦ୍ୟ । ଓଡ଼ିଆ ଜାତୀୟତାର ନବଜନ୍ମ ଘୋଷଣା ‘ଉତ୍କଳ ସମ୍ମିଳନୀ’ ମଣ୍ତପରେ ଘଟିଥିଲା । ମଧୁସୂଦନଙ୍କ ସାହିତ୍ୟ ଓଡ଼ିଆଜାତିକୁ ନୂତନ ଦିଗନ୍ତର ସନ୍ଧାନ ଦେବା ସଙ୍ଗେ ସଙ୍ଗେ ସ୍ୱଦେଶ ଗଠନରେ ଏକ ନବରୂପାନ୍ତର ଘଟାଇବା ସମ୍ଭବପର ହୋଇଥିଲା । ଏହି ନବଜାଗରଣ ଫଳରେ ସମଗ୍ର ଓଡ଼ିଆ ସଂସ୍କୃତି ଓ ଜାତିରେ ଦେଖାଦେଲା ନୂତନ ଚିନ୍ତାଧାରାର ସୂର୍ଯ୍ୟୋଦୟ । ସମାଜ ଓ ବ୍ୟକ୍ତି ଜୀବନ ମଧ୍ୟରେ ଦେଖାଦେଲା ଏକ ସୃଜନଶୀଳ ମନୋଭାବ । ରେନେସାଁକାଳୀନ ସାହିତ୍ୟର ମାନବବାଦୀ ଚିନ୍ତାଧାରା ଏକ ସ୍ୱତନ୍ତ୍ର ସତ୍ତା ନେଇ ବିଦ୍ୟମାନ ହୋଇଥିଲା । ମାନବପ୍ରୀତି ହିଁ ଏ ସମୟର ସାହିତ୍ୟର ଏକ ନୂତନ ଉପାଦାନ । ସତ୍ୟର ସନ୍ଧାନ, ଆଦର୍ଶର ପ୍ରତିଷ୍ଠା, ବ୍ୟଷ୍ଟି ଓ ସମଷ୍ଟିର ସମ୍ପର୍କ, ଅତୀତ ଓ ବର୍ତ୍ତମାନ ସହିତ ଭବିଷ୍ୟତର ଯୋଗ-ସବୁ ଥିଲା ନବଜାଗରଣର ସ୍ୱରୂପ । ମଧୁସୂଦନଙ୍କ ସାହିତ୍ୟ ଓଡ଼ିଆ ମଣିଷକୁ ସ୍ୱାଧୀନ ଭାବରେ ଚିନ୍ତାକ୍ଷମ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦର୍ଶନ କରିଚି । ତାଙ୍କ ସାହିତ୍ୟରେ ମୁକ୍ତଚିନ୍ତା ଓ ଗଭୀର ଜୀବନବୋଧହିଁ ଦେଶଗଠନର ମୂଳମନ୍ତ୍ର । ମଧୁସୂଦନଙ୍କ ସାହିତ୍ୟରେ ଅଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବୈଚିତ୍ର୍ୟପୂର୍ଣ୍ଣ ଉତ୍ସାହ ଓ ଉଦ୍ଦୀପନା । ଏଥିରେ ଅତିଭାଷଣ, ଅତିରଞ୍ଜନ କିମ୍ବା ଅଯଥା ପାଣ୍ତିତ୍ୟ ପ୍ରଦର୍ଶନ ବା ବାଗାଡ଼ମ୍ବରତା ନାହିଁ । ଆବେଗ ଓ କଳ୍ପନା ବଦଳରେ ମନନଶୀଳତା ତାଙ୍କ କବିତା-କଳାର ପ୍ରଧାନ ବୈଶିଷ୍ଟ୍ୟ । ଉତ୍କଳୀୟ ଜାତୀୟତାକୁ ମଧୁସୂଦନଙ୍କ ଉଲ୍ଲେଖନୀୟ ଅବଦାନ ଅସୀମ । ସମାଜ ସଂସ୍କାର, ଶିଳ୍ପ, ଶିକ୍ଷା, ବାଣିଜ୍ୟ, ଦେଶମିଶ୍ରଣ, ଜାତୀୟ ଏକତା-ପ୍ରତ୍ୟେକ କ୍ଷେତ୍ରରେ ମଧୁବାବୁଙ୍କ ଦୂରଦୃଷ୍ଟି ଓ ଶିଲ୍ପୀହସ୍ତ ସ୍ପର୍ଶ ଏ ଜାତି ଅନୁଭବ କରିଥିଲା । ଉତ୍କଳ ସମ୍ମିଳନୀର ତ୍ରୟୋଦଶ ଅଧିବେଶନରେ ସେ ଓଡ଼ିଆ ଜାତିକୁ କହିଥିଲେ-‘‘ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ, ଓଡ଼ିଆ ଜାତିକୁ ଉଠାଇବା । ଓଡ଼ିଆ ଜାତିରେ କୃଷକମାନଙ୍କର ସଂଖ୍ୟା ବେଶୀ । ତେଣୁ ସେମାନଙ୍କର ଉନ୍ନତି ନ ହେଲେ ଦେଶର ଆଉ କି ଉନ୍ନତି ।’’(୩)

 

(୩) ଉତ୍କଳ ସମ୍ମିଳନୀ ତ୍ରୟୋଦଶ ଅଧିବେଶନ (ମଧୁସୂଦନଙ୍କ ଭାଷଣ) ୧୯୧୮ ମସିହା, କଟକ

 

ସ୍ୱଦେଶର ମୁକ୍ତି-ଆନ୍ଦୋଳନରେ ମଧୁସୂଦନଙ୍କର ପ୍ରଗତିବାଦୀ ମନ ପରାଧୀନ ଜାତିର ଅପମାନ ପାଇଁ ପ୍ରତିଶୋଧ ଚାହିଁଚି । ବୈପ୍ଲବିକ ଭାବନା ନେଇ ସ୍ୱାଧୀନତା ପାପ୍ତି ପାଇଁ ମୁକ୍ତିର ସାମସଙ୍ଗୀତ ଗାନ କରିଚି । ଉତ୍କଳର ଜନସାଧାରଣ ମଧ୍ୟରେ ସ୍ୱଦେଶପ୍ରୀତିକୁ ଜାଗ୍ରତ କରିବାରେ ମିଷ୍ଟର ଦାସଙ୍କର ନେତୃତ୍ୱ ଥିଲା ଅଗ୍ରଗାମୀ । ଉତ୍କଳୀୟ ଏକତା, ଭ୍ରାତୃତ୍ୱବୋଧ ଓ ଦେଶପ୍ରେମକୁ ଜାଗ୍ରତ କରିବାରେ ମଧୁସୂଦନ ଓଡ଼ିଶାର ଅପ୍ରିତିଦ୍ୱନ୍ଦ୍ୱୀ ଭବିଷ୍ୟତ । ଗୌରୀଶଙ୍କର, ଗୋପବନ୍ଧୁ ଓ ନୀଳକଣ୍ଠଙ୍କର ଭୁମିକା ମଧ୍ୟ ଏ କ୍ଷେତ୍ରରେ ସ୍ମରଣୀୟ । ଓଡ଼ିଆ ଜାତିର ଦୁର୍ଦ୍ଦଶା ୧୮୬୬-୧୮୬୭ ମସିହାର କାରୁଣ୍ୟମୟ ଇତିହାସର ଅବସାନ ପରେ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ନୂତନ ଜାଗରଣ ଦେଖାଦେଲା । ଓଡ଼ିଶାର ତତ୍‌କାଳୀନ ରାଜନୀତିକ ଓ ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ଉଚ୍ଛେଦର ଚକ୍ରାନ୍ତ ଚାଲିଥିବା ବେଳେ ଗୌରୀଶଙ୍କରଙ୍କର ପ୍ରଗାଢ଼ ଚେଷ୍ଟାରେ ପ୍ରକାଶିତ ଉତ୍କଳ ଦୀପିକା ଓଡ଼ିଆ ଭାଷାକୁ ରକ୍ଷା କରିବାରେ ସମର୍ଥ ହୋଇଥିଲା । ଓଡ଼ିଆ ଜାତିର ଅସ୍ତିତ୍ୱକୁ ବିପନ୍ନ କରିବା ଦିଗରେ ଆଉ କେତେକ ପ୍ରତିକୂଳ ପ୍ରବାହ ଦେଖା ଦେଇଥିଲା । ରାଜନୈତିକ ଦୁର୍ଦ୍ଦଶା ବ୍ୟତୀତ ବେଳକୁ ବେଳ ଦୁର୍ଭିକ୍ଷର ତାଣ୍ତବଲୀଳା ଏ ଜାତିକୁ କରିଥିଲା ମ୍ରିୟମାଣ । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ, ୧୮୬୮-୭୦ ମସିହାରେ ଭାଷାବିଲୋପ ଆନ୍ଦୋଳନ ଓଡ଼ିଆ ଯୁବଚିତ୍ତରେ ନୂତନ ପ୍ରେରଣା ଓ ଉନ୍ମାଦନା ଭରି ଦେଇଥିଲା । ୧୮୯୬ ସାଲ ଜାନୁଆରୀ ପହିଲାଠାରୁ ସମ୍ବଲପୁରରେ ଓଡ଼ିଆଭାଷା ପରିବର୍ତ୍ତେ ହିନ୍ଦୀଭାଷାର ପ୍ରଚଳନ ଇତ୍ୟାଦିର ସମୂହ ସ୍ୱାର୍ଥଦୃଷ୍ଟିରୁ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାହିଁ ଥିଲା ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ । ବହୁଦିନର ସୁପ୍ତ ଜନମତ ଜାଗ୍ରତ ହୋଇ ପଡ଼ିଲା । ଜାତୀୟ ଜୀବନର ନାନା ଘାତପ୍ରତିଘାତ ମଧ୍ୟରେ ଓଡ଼ିଆ ଜାତି ନିଜର ଦାବୀ ଓ ସ୍ୱତ୍ୱ ପ୍ରତିଷ୍ଠା କରିବାକୁ ବଦ୍ଧପରିକର ହୋଇ ଉଠିଲା । ଏ କ୍ଷେତ୍ରରେ ଜାତୀୟବାଦୀ ମଧୁସୂଦନଙ୍କର ଜାତିପ୍ରୀତିର ସ୍ୱାଭିମାନ ଥିଲା ଅଖଣ୍ତ ।

 

ମଧୁସୂଦନ ଦାସ, ଯାହାଙ୍କର ଉତ୍ସର୍ଗୀକୃତ ଜୀବନ ଓ ମହାନ୍‌ ବ୍ୟକ୍ତିତ୍ୱକୁ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ ବୋଲି ଅଭିହିତ କରାଯାଏ, ସେହି ମନୀଷୀଙ୍କର ଆପ୍ରାଣ ଉଦ୍ୟମରେ ସମ୍ବଲପୁର ଜନସାଧାରଣଙ୍କ ପ୍ରାଣରେ ଦେଖା ଦେଇଥିଲା ସ୍ପନ୍ଦନ । ମଧୁସୂଦନଙ୍କ ଭାବୋବ୍ଦୀପକ ଭାଷଣ ଓ ଚେତାବନୀ ସମ୍ବଲପୁରବାସୀଙ୍କ ମନରେ ଆତ୍ମଜାଗୃତି ଆଣି ଦେଇଥିଲା । ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ରକ୍ଷାଲାଗି ନାନା ପ୍ରକାର ଉଦ୍‌ବୋଧନୀମୂଳକ ଲେଖା ‘ଆଶା’ରେ ନିୟମିତ ପ୍ରକାଶିତ ହେଉଥିଲା । ଏହାର ମୂଳ ଲକ୍ଷ୍ୟଥିଲା ସୁପ୍ତ ଅବହେଳିକ ଓଡ଼ିଆ ଜାତିକୁ ଜାଗ୍ରତ କରିବା । ଶିକ୍ଷାର ପ୍ରସାର ନ ହେଲେ ଜାତି ତଥା ସାହିତ୍ୟର ଉନ୍ନତି ହେବା ଅସମ୍ଭବ । ଉତ୍କଳୀୟ ଜାଗରଣର ଅନ୍ୟତମ ଅଗ୍ରଦୂତ କୁଳବୃଦ୍ଧ ମଧୁସୂଦନ ଓ ଅନ୍ୟ ଯେତେସବୁ ଓଡ଼ିଆ ଜାତିର ନେତୃବୃନ୍ଦ ସାହିତ୍ୟକୁ ଆଶ୍ରୟ କରି ଏ ଜାତିର ରଥଚକ୍ରକୁ ଆଗେଇ ନେଇଥିଲେ ସେମାନଙ୍କ ମଧ୍ୟରେ ମଧୁସୂଦନଙ୍କ କନିଷ୍ଠ ତଥା ସମସାମୟିକ କର୍ମୀ ଥିଲେ ଉତ୍କଳମଣି ଗୋପବନ୍ଧୁ । ଗୋପବନ୍ଧୁଙ୍କର ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଭୂମିକା ଥିଲା ଅବ୍ୟାହତ ଓ ମରଣମୁଖୀ । ସାହିତ୍ୟର ପ୍ରେରଣାଠାରୁ କାର୍ଯ୍ୟକ୍ଷେତ୍ରରେ ନିଜର ଆତ୍ମୀୟତା ଥିଲା ଜାତି ଇତିହାସରେ ଅକ୍ଷୁର୍ଣ୍ଣ ।

 

ମଧୁସୂଦନଙ୍କ ସାହିତ୍ୟ, ଗଣଚେତନାକୁ ଜାଗ୍ରତ କରି ଓଡ଼ିଆ ଜନମାନସରେ ଭରି ଦେଇଥିଲା ସ୍ୱଦେଶୀ ହେବାର ଆହ୍ୱାନକୁ । ମଧୁସୂଦନଙ୍କ ଜାତୀୟତାର ମୂଳଭିତ୍ତି ହେଉଛି ଜନ୍ମଭୁମିକୁ ଜନନୀ ରୂପରେ ଦେଖି ସୁପ୍ତ ଜନତାକୁ ଜାଗ୍ରତ କରିବା । ଜୀବନର ସାୟାହ୍ନରେ ମଧ୍ୟ ଏଇ ଓଡ଼ିଆ ଜାତି ଲାଗି ତାଙ୍କ ଭାବନାର ଅନ୍ତ ନଥିଲା । ଜାତୀୟ ଜାଗୃତି କ୍ଷେତ୍ରରେ ଲୋକସମାଜକୁ ପ୍ରଭାବିତ କଲାଭଳି ଉତ୍କଳରେ ମଧୁସୂଦନଙ୍କର ଯୁଗାନ୍ତକାରୀ ଅବଦାନ ସ୍ମରଣୀୟ-। ଉତ୍କଳ ସମ୍ମିଳନୀର ଏକ ଭାଷଣରେ ଏହାର ସ୍ପଷ୍ଟ ପ୍ରମାଣ ମିଳିଥାଏ-‘‘ମୁଁ ଜାଣେ ଯେ ମହାବଳ ବାଘକୁ ଆକ୍ରମଣ କରିବାକୁ ଯାଇ ମୁଁ ସେହି ବାଘ ହାତରେ ମରିବି । କିନ୍ତୁ ମୋର ଜାତିର ଗୁଣ ଓ ସାହସିକତା, ମୁଁ ମୋର ଜୀବନ ପ୍ରତି ମାୟା ରଖି, ବାଘ ନିକଟକୁ ନଗଲେ ମୋ ଜାତିର ମାନ ଓ ମୂଲ୍ୟ କମିଯିବ । ମୁଁ ମରେ ପଛକେ କିନ୍ତୁ ଡାହାଳ, କୁକୁରର ଦାମ୍‌ ମୋର ସାହସିକତା ଦ୍ୱାରା ବଢ଼ିବ, ଏଥିରେ ସନ୍ଦେହ ନାହିଁ । ଏହି ଉଦାହରଣର ଅର୍ଥ ଏହିକି ଆମ୍ଭେମାନେ ସମସ୍ତ କାର୍ଯ୍ୟ କଲାବେଳେ ଥରେ ଆମ୍ଭମାନଙ୍କର ଭାବିବା ଉଚିତ ଯେ ମୋ କାର୍ଯ୍ୟଦ୍ୱାରା ମୋ ଜାତିର ମାନ ବଢ଼ୁଛି କି ନାହିଁ ? ଯେବେ ମୋତେ ଜଣେ କୁବାକ୍ୟ କହେ ଓ ମୁଁ ଯେବେ ଜାଣିପାରେ ଯେ ମୁଁ ସେ କୁବାକ୍ୟର ପ୍ରତ୍ୟୁତ୍ତର ନଦେଇ ଚୁପ୍‌ ରହିଲେ ମୋ ଜାତିର ମାନ ବଢ଼ିବ ଓ ମୋ ଜାତିର ଗମ୍ଭୀରତା ବଢ଼ିବ, ତାହାହେଲେ ଏପରି ସ୍ଥଳରେ ମୋର ନୀରବ ରହିବା ଏକାନ୍ତ କର୍ତ୍ତବ୍ୟ ।’’ (୪)

 

(୪) ଉତ୍କଳ ସମ୍ମିଳନୀ ଦ୍ୱିତୀୟ ଅଧିବେଶନ ପ୍ରଥମ ଦିବସ ୧୯୦୪ ମସିହା ଡିସେମ୍ବର ୨୮-ବକ୍ତୃତା

 

ଉତ୍କଳୀୟ ଜାତୀୟତାବୋଧ କ୍ଷେତ୍ରରେ କେବଳ କୁଳବୃଦ୍ଧ ମଧୁସୂଦନ ନୁହନ୍ତି, ଆହୁରି ଅନେକ ଓଡ଼ିଆ ମନର ଏହି ଆନ୍ତର୍ଜାତିକ ଭାବନାଟିର ପରିଚୟ ମିଳେ । ଓଡ଼ିଆ ଭାଷା ବିଲୋପର ଆତ୍ମରକ୍ଷା, ଓଡ଼ିଶାର ସ୍ୱତନ୍ତ୍ର ଭୌଗୋଳିକ ସୀମା ନିର୍ଦ୍ଧାରଣ, ଭାରତୀୟ ମାନଚିତ୍ରରେ ଓଡ଼ିଶାର ସ୍ଥାନ, ସର୍ବୋପରି ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନରେ ମଧୁବାବୁଙ୍କ ଦ୍ୱାରା ଗଠିତ ଉତ୍କଳ ସମ୍ମିଳନୀ ହିଁ ଏସବୁର ଥିଲା ମୂଳ ସୂତ୍ରଧର । ଏସବୁ ମୂଳରେ ମଧୁବାବୁଙ୍କର ଚିନ୍ତା ଥିଲା କୃଷିର ଉନ୍ନତି ଓ ସ୍ୱଦେଶୀ ଶିଳ୍ପର ବିସ୍ତାର । ଉତ୍କଳ ଜନନୀର ଦୁଃଖମୋଚନ ପାଇଁ ନିଜକୁ ବିଶ୍ୱ ଭ୍ରାତୃ ପ୍ରେମରେ ସଂକଳ୍ପବଦ୍ଧ କରି ମଧୁସୂଦନ ଦେଶମାତୃ ସେବାରେ ବ୍ରତୀ ହୋଇଥିଲେ । ଦେଶର ତତ୍‌କାଳୀନ ଅବସ୍ଥାକୁ ବ୍ରିଟିଶ ପାର୍ଲାମେଣ୍ଟ ଆଗରେ ଉତ୍‌ଥାପନ କରିବାରେ ମଧୁସୂଦନଙ୍କ ସାହିତ୍ୟ, ବକ୍ତୃତା ଓ ଅଭିଭାଷଣ ମୁଖ୍ୟ ଭୂମିକା ନେଇଥିଲା । ‘‘ଓଡ଼ିଶାର ଶିକ୍ଷିତ ଲୋକଙ୍କ ସ୍ୱାର୍ଥକୁ ଜଗିବା ପାଇଁ ଶ୍ରୀ ମଧୁସୂଦନ ଦାସଙ୍କ ଚେଷ୍ଟାରେ ଓଡ଼ିଶା ଗ୍ରାଜୁଏଟ୍‌ମାନଙ୍କର ଏକ ସଂସ୍ଥା ଗଠିତ ହେଲା ।’’ (୫) ଶତାବ୍ଦୀବ୍ୟାପୀ ଶାସନ ବିରୁଦ୍ଧରେ ଓଡ଼ିଆ ଏହି ସଭାକୁ ନେଇ କଥା କହିବା ଶିଖିଲା । ପାରଳାଖେମଣ୍ତୀର ‘ଉତ୍କଳ ହିତୈଷିଣୀ ସମାଜ, ବ୍ରହ୍ମପୁରରେ ‘‘ଗଞ୍ଜାମ ଜାତୀୟ ସମିତି’ ଇତ୍ୟାଦି ଥିଲା ଇଂରଜୀ ଶାସନକୁ ବିଫଳ କରିବାର ପ୍ରଧାନ ହେତୁ । ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ୧୮୯୫ ମସିହା ମଇମାସ ୧୦ ତାରିଖ ଦିନ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରିବା ପାଇଁ କଟକଠାରେ ଅନୁଷ୍ଠିତ ଏକ ସଭାରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଗଲା । ଏହା ପରେ ପରେ ଓଡ଼ିଶାର ପ୍ରଥମ ପ୍ରତିନିଧି ଭାବରେ ୧୮୯୮ ମସିହାରେ ମଧୁସୂଦନ ବଙ୍ଗଳାର ଲାଟ ସଭାକୁ ସଭ୍ୟ ଭାବରେ ନିର୍ବାଚିତ ହୋଇ ଓଡ଼ିଶାର ଭୂବନ୍ଦୋବସ୍ତ, ଲବଣ ବିଭାଗ, ସମ୍ବଲପୁର ମିଶ୍ରଣ ଓ ଓଡ଼ିଆମାନଙ୍କୁ ଚାକିରୀ କ୍ଷେତ୍ରରେ ନିଯୁକ୍ତି ସଂପର୍କରେ ପ୍ରସ୍ତାବମାନ ଦାବୀ କରିଥିଲେ । ମଧୁସୂଦନଙ୍କର ଉତ୍କଳୀୟତାବୋଧ ଭିତରେ ଭାରତୀୟତା ନିରାଜନା ଥିଲା ଆଦର୍ଶ । ମଧୁସୂଦନଙ୍କ ଅଭିଭାଷଣ, ବକ୍ତୃତା ଓ କବିତାର କାଳଜୟୀ ମୂଲ୍ୟବୋଧ ଭିତରେ ଏହା ଶାଶ୍ୱତ । ସାହିତ୍ୟିକ ଆଦର୍ଶ ପଛରେ ତାଙ୍କର ଜାତି ଗଠନର ମନଟି ଥିଲା ଅତି ତୀବ୍ର । ପରାଧୀନ-ଉତ୍କଳ ସ୍ୱତନ୍ତ୍ରତା ତଥା ଭାରତର ସ୍ୱାଧୀନତା ତାଙ୍କ ସାହିତ୍ୟିକ ମନର ଲକ୍ଷ୍ୟ । ଦେଶ ମିଶ୍ରଣର ଲକ୍ଷ୍ୟ ପଛରେ ମଧ୍ୟ ଓଡ଼ିଶାର ଶିଳ୍ପ ପ୍ରସାର ପାଇଁ କଟକରେ ‘ଉତ୍କଳ ଟ୍ୟାନେରୀ’ ତାଙ୍କ ନେତୃତ୍ୱରେ ଏକ ପୂର୍ଣ୍ଣ ଜାଗରଣ ଓଡ଼ିଆ ପ୍ରାଣରେ ଭରି ଦେଇଥିଲା । ଜାଗରଣର ହୃଦୟସ୍ପର୍ଶୀ ବକ୍ତୃତା ଯେପରି ଭାବଗମ୍ଭୀର ଓ କବିତାଗୁଡ଼ିକ ସେହିପରି ଦେଶାତ୍ମବୋଧରେ ଲୋକପ୍ରିୟ ହୋଇ ଆତ୍ମପ୍ରକାଶ କରୁଥିଲା । ମଧୁସୂଦନ ଥିଲେ ଚାରଣ କବି । ଓଡ଼ିଶାବାସୀଙ୍କୁ ସ୍ୱଦେଶ ପ୍ରେମର ଗୌରବାବହ ଚିତ୍ର ଆଡ଼କୁ ତାଙ୍କ ସାହିତ୍ୟ ଟାଣିନେଇ ଏକ ନବଜୀବନର ମୋହନମନ୍ତ୍ର ଭରି ଦେଇଥିଲା ।

 

(୫) ପଟ୍ଟନାୟକ, ସୁରେନ୍ଦ୍ରନାଥ ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନ (ଗ୍ରନ୍ଥମନ୍ଦିର ୧୯୭୨) ପୃ-୫

 

ଭୁବନେଶ୍ୱରରେ             ପଦଚିହ୍ନ ପରେ

‘ଲେଖାଅଛି ରାଜରାଣୀ’,

ନୀଳାଚଳ ଧାମେ             ପୂଜା ହେଉଅଛି

ହିନ୍ଦୁଜାତି ମଥାମଣି । (୩)

(ସନ୍ତାନର ଉକ୍ତି)

 

ମଧୁସୂଦନଙ୍କ ଧୈର୍ଯ୍ୟ, ନିଷ୍ଠା ଓ କର୍ମପ୍ରୀତି ପଛରେ ଜଣେ କଳା ପ୍ରେମିକର ସାର୍ଥକ ପରିଚୟ ଏ ସବୁଥିରୁ ସ୍ପଷ୍ଟ । ଉତ୍କଳର ପୂର୍ଣ୍ଣାଙ୍ଗ ଅବସ୍ଥା ଆଣିବା ପାଇଁ ସେ ଯୁଗୋଚିତ ନୀତି ଗ୍ରହଣ କରିଥିଲେ । ଉତ୍କଳ ସମ୍ମିଳନୀର ଗୋଟିଏ ଭାଷଣରେ କହିଥିଲେ-‘‘ଉତ୍କଳ-ଜନନୀ ଓ ଭାରତଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରର କୌଣସି ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସା କରିବାକୁ ହେବ । କିନ୍ତୁ ଏହି ଅଂଶ ବିଶେଷର ଚିକିତ୍ସା ଦ୍ୱାରା ସମସ୍ତ ଶରୀରର ଉନ୍ନତି ହେବ । ଉତ୍କଳର ଚିକିତ୍ସା ଉଦ୍ଦେଶ୍ୟ ଭାରତର ଉନ୍ନତି ।’’ (୬) ସାହିତ୍ୟିକ ମଧୁସୂଦନଙ୍କର ସାଧୁତା ଓ ନିର୍ଭୀକତା ମନର ପରିଚୟ କର୍ମୀ ଓ ଦେଶସେବକ ଠାରୁ ମିଳିଥାଏ । ଗଣଜୀବନରେ ଜଣକର ଭୂମିକା ଥିଲା ମଧୁସୂଦନଙ୍କ ସାହିତ୍ୟ । ଅତୀତ ଉତ୍କଳର ଗୌରବକୁ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ତାଙ୍କ ସାହିତ୍ୟ ଭବିଷ୍ୟତର ସ୍ୱତନ୍ତ୍ର ରାଷ୍ଟ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଚି ।

 

ମଧୁସୂଦନଙ୍କର ପୂର୍ଣ୍ଣାଙ୍ଗ ଇଚ୍ଛା ସାର୍ଥକ ହେଲା ନାହିଁ । ସିଂହଭୂମି ଓ ମେଦିନାପୁର ଓଡ଼ିଶା ଠାରୁ ଏପର୍ଯ୍ୟନ୍ତ ମଧ୍ୟ ବିଚ୍ଛିନ୍ନ ଭାବରେ ରହିଗଲା । ଓଡ଼ିଶାର ମୁକୁଟବିହୀନ ସମ୍ରାଟ ମଧୁସୂଦନ ଆଉ ନାହାଁନ୍ତି, ତଥାପି ତାଙ୍କର ଅନ୍ତରଆତ୍ମା ପୂର୍ଣ୍ଣ ଓଡ଼ିଶା ଗଠନରେ ଯେପରି ବ୍ୟାକୁଳ, ଏହା ନିଃସନ୍ଦେହ-। ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ଆଜି ଦେଶମିଶ୍ରଣ ପାଇଁ ଶପଥ ନେବା ଉଚିତ ।

 

କୁଳବୃଦ୍ଧ ଥିଲେ ଓଡ଼ିଆ ଜାତିର ସମ୍ରାଟ । ଓଡ଼ିଶାର ଉନ୍ନତି କଳ୍ପେ ମାନସିକ ଯନ୍ତ୍ରଣାର ମର୍ମାନ୍ତିକ ପୀଡ଼ା ଓ ମୁତ୍ୟୁ ଯନ୍ତ୍ରଣାର ଶେଷନିଃଶ୍ୱାସ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ମଧୁବାଣୀ ଥିଲା ଓଡ଼ିଆ ଜାତି ପ୍ରତି-‘‘ଓଡ଼ିଶାର ନିର୍ମଳ ଲୋକମାନଙ୍କୁ କହିବ ଯେ, ସେମାନେ ସବୁବେଳେ ସେମାନଙ୍କ ଅନ୍ତରକୁ ନିର୍ମଳ ରଖିବେ । ତାହା ହେଲେ ସେମାନଙ୍କର ଅନ୍ତରାତ୍ମା ପବିତ୍ର ରହିବ ।’’ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ମଧୁସୂଦନଙ୍କ ମୃତ୍ୟୁର ଦୁଇବର୍ଷ ପରେ ହୋଇଥିଲା । ଜାତୀୟ ଆନ୍ଦୋଳନର ସଂଗ୍ରାମ ଦିନସବୁ ବାସ୍ତବମୁଖୀ ରୂପ ନେଲା । ଓଡ଼ିଶା ହେଲା ସ୍ୱତନ୍ତ୍ର ।

 

(୬) ଉତ୍କଳ ସମ୍ମିଳନୀ ୧୯୦୮ ମସିହାର ମଧୁସୂଦନଙ୍କ ବକ୍ତୃତା ।

 

ଗବେଷକ, ଓଡ଼ିଆ ବିଭାଗ, ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟ

ଶାନ୍ତିନିକେତନ-୭୩୧୨୩୫, ପଶ୍ଚିମବଙ୍ଗ

***

 

ଆବହମାନକାଳରୁ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ରୂପେ ରହିଆସିଛି । ଉତ୍କଳ, କଳିଙ୍ଗ, ଉଡ଼୍ର ଥିଲା ଏହାର ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ବିଭାଗ । କିନ୍ତୁ ବ୍ରିଟିଶ ଶାସନ ସମୟରେ ଓଡ଼ିଶା ରାଜ୍ୟ ତାହାର ସ୍ୱାତନ୍ତ୍ର୍ୟ ହରାଇଲା । ଏହି ଓଡ଼ିଆଭାଷୀ ରାଜ୍ୟର ଭାଗ୍ୟରେ ଘଟିଥିଲା ଚରମ ବିପର୍ଯ୍ୟୟ । ଓଡ଼ିଶା ରାଜ୍ୟର ତିନିପଟେ ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଭାଷାଭାଷୀ ଅଞ୍ଚଳର ପ୍ରାଦୁର୍ଭାବରେ ଓଡ଼ିଆଜାତି କ୍ରମେ ଖଣ୍ତବିଖଣ୍ତିତ ହେଲା । ଇଂରେଜ ଶାସନ ସମୟରେ ଓଡ଼ିଆଭାଷୀ ଅଞ୍ଚଳ ବା ସେକାଳର ଓଡ଼ିଆରାଜ୍ୟ ବହୁକାଳ ଧରି ମାନ୍ଦ୍ରାଜ, ବଙ୍ଗଳା, ମଧ୍ୟପ୍ରଦେଶ ଓ ବିହାର ସରକାରଙ୍କ ସହ ସାମିଲ ହେବା ଫଳରେ ଓଡ଼ିଶା ରାଜ୍ୟରୁ ଓଡ଼ିଆମାନେ ପଡ଼ୋଶୀ ରାଜ୍ୟର ଅଧିବାସୀମାନଙ୍କର କବଳରେ ପଡ଼ିଲେ । ଓଡ଼ିଶାର ସ୍ଵତନ୍ତ୍ରତା ବୋଲି ଆଉ କିଛି ରହିଲା ନାହିଁ ।

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଆ ଭାଷାର ଭୂମିକା

ଡ: ବଂଶୀଧର ମହାନ୍ତି

 

୧୯୧୨ ମସିହା ପର୍ଯ୍ୟନ୍ତ କଲିକତା ଥିଲା ଭାରତର ରାଜଧାନୀ - ପାଶ୍ଚାତ୍ୟ, ସଭ୍ୟତା ଓ ସଂସ୍କୃତିର ଥିଲା ପ୍ରଧାନ ପୀଠ । କମ୍ପାନୀ ଶାସନ ସମୟରୁ ବିଂଶ ଶତାବ୍ଦୀ ମଧ୍ୟଭାଗ ପର୍ଯ୍ୟନ୍ତ ଯାହାକିଛି ଉନ୍ନୟନ ମୂଳକ କାର୍ଯ୍ୟ ମୁଖ୍ୟତଃ ଶିଳ୍ପ ସଂସ୍କୃତି, ଶିକ୍ଷା ଦୀକ୍ଷା ସବୁ ଅଜାଡ଼ି ହୋଇ ପଡ଼ିଲା ବଙ୍ଗ ଦେଶରେ । ସେତେବେଳର ଇଂରେଜ ଶାସିତ ଓଡ଼ିଶା ବିରାଟ ବଙ୍ଗପ୍ରଦେଶର ଥିଲା ସବୁଠାରୁ ଅବହେଳିତ ଅଞ୍ଚଳ ।

 

ଏଣେ ଦକ୍ଷିଣରେ ୧୭୬୬ ରେ ଗଞ୍ଜାମ ଜିଲ୍ଲା ଇଂରେଜ ଶାସନାଧୀନ ହେଲା-ଅନେକ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଦକ୍ଷିଣାଞ୍ଚଳ ଥିଲା ନିଜାମ ଶାସନାଧୀନ । ପୁଣି କିଛିଦିନ ପରେ ଗଞ୍ଜାମ ଜିଲ୍ଲା ମାନ୍ଦ୍ରାଜର ଉତ୍ତର ସର୍କାରରେ ମିଶି ରହିଲା । ସେକାଳରୁ ଗଞ୍ଜାମ ଜିଲ୍ଲାରେ କ୍ରମେ ତେଲୁଗୁ ଓ ତାମିଲ କର୍ମଚାରୀମାନଙ୍କର ଆଧିପତ୍ୟ ବଢ଼ିବା ଫଳରେ ଲକ୍ଷ ଲକ୍ଷ ଓଡ଼ିଆ ନିଜକୁ ଅସହାୟ ମନେକଲେ । ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଦକ୍ଷିଣାଞ୍ଚଳର ଓଡ଼ିଆମାନେ ଆନ୍ଦୋଳନ କରିବାକୁ ମଧ୍ୟ ପଛେଇଲେ ନାହିଁ ।

 

ମଧ୍ୟପ୍ରଦେଶ ସରକାର ସହ ଓଡ଼ିଶାର ଉତ୍ତର-ପଶ୍ଚିମାଞ୍ଚଳ ଅନେକ ଦିନ ବାନ୍ଧିହୋଇ ରହିବା ଫଳରେ ସେତେବେଳକାର ସମ୍ବଲପୁର ଜିଲ୍ଲା ହିନ୍ଦୀ ଭାଷାଭାଷୀ ଲୋକଙ୍କର ପ୍ରଭୁତ୍ୱରେ ଅତିଷ୍ଠ ହୋଇ ପଡ଼ିଲେ । ସମ୍ବଲପୁର ଜିଲ୍ଲାର କୋର୍ଟ କଚେରୀରେ ହିନ୍ଦୁସ୍ଥାନୀ କର୍ମଚାରୀମାନଙ୍କର ପ୍ରଭାବ ବଢ଼ିଲା । ସମ୍ବଲପୁର ଜିଲ୍ଲାର କୋର୍ଟ କଚେରୀରୁ ଓଡ଼ିଆଭାଷା ଉଠାଇ ଦିଆଯାଇ ହିନ୍ଦୀଭାଷା ପ୍ରଚଳନ କରାଗଲା । ଓଡ଼ିଆଜାତିକୁ ହେଲା ତିନିପଟୁ ଷଣ୍ଢୁଆସି ଆକ୍ରମଣ ।

 

ଅନ୍ୟ ଦିଗରେ ଓଡ଼ିଶା ବିହାର ଶାସନ ସହ ଅନେକ ଦିନ ସାମିଲ ହୋଇ ରହିବା ଫଳରେ ଉପାନ୍ତ ଓଡ଼ିଆଭାଷୀ ଅଞ୍ଚଳ ବିହାର ହିନ୍ଦୀଭାଷୀ ଅଞ୍ଚଳ ସହ ମିଶିଗଲା । ଇଂରେଜ ଶାସନରେ ଓଡ଼ିଶା ଭୂଖଣ୍ତ ଥିଲା ଏକ ଇଜମାଇଲ ଜମି ଓ ବଣ୍ଟରାପତ୍ର ବେଳକୁ ପାଟିତୁଣ୍ତ ଓ ବଳପୁରୁବା ପଡ଼ି ଯିଏ ଯେମିତି ସୁବିଧା ଅନୁସାରେ ଚେନାଏ ଚେନାଏ ନିଜ ନିଜ ଘରଡ଼ିହରେ ସାମିଲ କରିଦେଲେ । ରେଜେଷ୍ଟ୍ରି ହୋଇଗଲା ପରେ ଯେତେ ଆମେ ପାଟିତୁଣ୍ତ କଲେ ତାକୁ ଶୁଣୁଛି ବା କିଏ ?

 

୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ ପରେ ଅବହେଳିତ ଓଡ଼ିଆଜାତି ପ୍ରତି ବ୍ରିଟିଶ ସରକାରଙ୍କର କରୁଣାକଟାକ୍ଷ ପଡ଼ିଲା । ଅନାହାରରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ । ଓଡ଼ିଶାର ଆର୍ଥିକ ମେରୁଦଣ୍ତ ପୂରାପୂରି ଭାଙ୍ଗିପଡ଼ିଲା । ସେତେବେଳକାର ଓଡ଼ିଶାରେ ରାସ୍ତାଘାଟ ନାହିଁ-ଜଳସେଚନର ବ୍ୟବସ୍ଥା ନାହିଁ,-ପୁରୀ, କଟକ ଓ ବାଲେଶ୍ୱରରେ କେତୋଟି ମିଶନାରୀ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ଆଖିଦୃଶିଆ ଶିକ୍ଷାନୁଷ୍ଠାନ ନଥିଲା । ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାକୁ କଲିକତାକୁ ଅନାଇଁବାକୁ ପଡ଼ୁଥିଲା, ତାହା ପୁଣି ଷ୍ଟିମର୍‌ ବା ପାଦରେ ସାତ ଆଠଦିନର ବାଟ ।

 

ବହୁତଗୁଡ଼ିଏ ନଈ ଅତିକ୍ରମ କରି ବଣଜଙ୍ଗଲ ପାହାଡ଼ପର୍ବତପୂର୍ଣ୍ଣ ଓଡ଼ିଶା ପ୍ରତି ସରକାରଙ୍କର ଦୃଷ୍ଟି ପଡ଼ିଲା ନାହିଁ ଦୀର୍ଘ ସତୁରିବର୍ଷ ଧରି । ସବୁ କ୍ଷେତ୍ରରେ ଓଡ଼ିଶା ପଡ଼ୋଶୀ ବଙ୍ଗ ଦେଶର ବହୁତ ପଛରେ ପଡ଼ି ରହିଲା । ଓଡ଼ିଶାରେ ଇଂରେଜ ଶାସନ ଆରମ୍ଭରେ କେତୋଟି ମିଶନାରୀ କ୍ଷୁଦ୍ର ପତ୍ରିକା ମୁଣ୍ତ ଟେକିଥିଲେ ହେଁ ତାହା ଓଡ଼ିଆ ଜନଜୀବନକୁ ଆଦୌ ପ୍ରଭାବିତ କରିନଥିଲା । ‘ଜ୍ଞାନାରୁଣ’ ‘ପ୍ରବୋଧ ଚନ୍ଦ୍ରିକା’ ପତ୍ରିକା ଥିଲା ୧୮୬୬ ପୂର୍ବର ଦୁଇଟି ମିଶନାରୀ ଓଡ଼ିଆ ସାହିତ୍ୟ ପତ୍ରିକା ଓ ତାହା ଥିଲା ସ୍ୱଳ୍ପକାଳସ୍ଥାୟୀ ।

 

ଓଡ଼ିଆଭାଷା ଓ ଓଡ଼ିଆ ଜାତିର ପ୍ରଥମ ମୁଖପତ୍ର ହେଲା ୧୮୬୬ ମସିହାର ‘ଉତ୍କଳଦୀପିକା’ । ଏହି ସ୍ୱନାମଧନ୍ୟ ଓଡ଼ିଆ ପତ୍ରିକାରେ ସେତେବେଳକାର ଓଡ଼ିଆ ଜାତୀୟ ଚେତନା ପ୍ରକାଶ ପାଇଛି । ୧୮୬୬ର ‘ଉତ୍କଳଦୀପିକା’ରେ ‘ଓଡ଼ିଶ୍ୟାରୋଦନ’ କବିତାରେ ଓଡ଼ିଶାର ତତ୍କାଳୀନ ଦୁର୍ଭିକ୍ଷ ପ୍ରପୀଡ଼ିତ ଜାତିର ବିଷଦଚିତ୍ର ବିଭିନ୍ନ ସ୍ଥାନରେ ଯାହା ଦିଆଯାଇଛି ତାହା ବିଶେଷ ପ୍ରଣିଧାନର ଯୋଗ୍ୟ-

 

‘କରଇ ରୋଦନ ଓଡ଼ିଶ୍ୟା ବସିଣ ବହୁ ସନ୍ତାନ ହରାଇ

ଦୁର୍ଭିକ୍ଷ ବିପଦ ଘୋର ପରମାଦ ଘୋଟିଲା ମୋତେ କିମ୍ପାଇ ।

ନ ଜାଣଇ ମୁଁ କିଛି, କିବା ଅପରାଧ କରିଅଛି ।

କରି କି ବିଚାର ବୋଲେ କମିସ୍ନର ଧାନ ମୁହଁ ନୁଚାଇଛି

ଲୋଭରେ ପଡ଼ିଣ ଶସ୍ୟା ବି ରଖିଣ ସନ୍ତାନଗଣ ମାରୁଛି

ପୋଡ଼ୁ ତା’ ବୁଝାମଣା । ତା’ର ବିବେକତା ଗଲା ଜଣା ।

ଯଦି କମିସ୍ନର ହୋଇଣ ତତ୍ପର କରିଥାନ୍ତା ଅନ୍ୱେଷଣ

ପ୍ରକୃତ ଅବସ୍ଥା ଜାଣିପାରିଥାନ୍ତା ନ ହୁଅନ୍ତା ଏ ମରଣ

ବଡ଼ ଆଳସ୍ୟ କଲା । ଘର କଥାରେ ଭୁଲି ରହିଲା ।’

 

ଓଡ଼ିଶାର ଦୁର୍ଭିକ୍ଷ ପାଇଁ ଦାୟୀ କିଏ, ଏହି ବିଷୟରେ ‘ଉତ୍କଳଦୀପିକା’ରେ ବହୁ ଆଲୋଚନା ପ୍ରକାଶ ପାଇଛି । ଓଡ଼ିଶା ଜାତୀୟତାର ମୂର୍ତ୍ତିମନ୍ତ ବ୍ୟକ୍ତିତ୍ୱ ଥିଲେ ଆଦିନେତା ବିଚିତ୍ରାନନ୍ଦ ଦାସ ଓ କର୍ମଯୋଗୀ ଗୌରୀଶଙ୍କର । ଓଡ଼ିଆ ଶିକ୍ଷା, ସାହିତ୍ୟ, ସଂସ୍କୃତି ପୁଣି ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେମାନେ ଥିଲେ ସେତେବେଳକାର ନିର୍ଭୀକ ଦେଶପ୍ରେମୀ ସୈନିକ-ଓଡ଼ିଶାର ସ୍ୱାର୍ଥପାଇଁ ସେମାନେ ସବୁବେଳେ ଲଢ଼ୁଥିଲେ । ଓଡ଼ିଆ ଜାତିର ସ୍ୱାତନ୍ତ୍ର୍ୟ ଫେରାଇ ଆଣିବା ଥିଲା ସେମାନଙ୍କ ଜୀବନର ଲକ୍ଷ୍ୟ ।

 

ଉଭୟ ଆସାମ ଓ ଓଡ଼ିଶା ବଙ୍ଗ ପ୍ରଦେଶ ସହ ସାମିଲ ହୋଇ ରହିବା ଫଳରେ ଦୁଇଟି ପ୍ରଦେଶର ଉନ୍ନତିରେ ବ୍ୟାଘାତ ଆସିଥିଲା-ଦୁଇଟି ରାଜ୍ୟ ଥିଲେ ଏକାଭଳି ଅବହେଳିତ ଓ ଶୋଷିତ ରାଜ୍ୟ । କିନ୍ତୁ ନଅଙ୍କ ଦୁର୍ଭିକ୍ଷର ଦୀର୍ଘ ୧୦ ବର୍ଷ ପରେ ଅର୍ଥାତ୍‌ ୧୮୭୬ ମସିହାରେ ବାଲେଶ୍ୱରର ଦେଶପ୍ରେମୀ ବଦାନ୍ୟ ଜମିଦାର ରାଜା ବୈକୁଣ୍ଠନାଥ ଦେ ଓ ଦେଶଭକ୍ତ ବିଚିତ୍ରାନନ୍ଦ ପଟ୍ଟନାଏକ ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସରକାରଙ୍କ ନିକଟରେ ଏକ ସ୍ମାରକପତ୍ର ଉପସ୍ଥାପିତ କରିଥିଲେ ।

 

ଆଜିର ଗଞ୍ଜାମ, କୋରାପୁଟ ଜିଲ୍ଲା ଓ ଅନ୍ୟାନ୍ୟ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳ ସେତେବେଳେ ମାନ୍ଦ୍ରାଜ ସରକାରଙ୍କର ଶାସନାଧୀନ ଥିଲା । ଓଡ଼ିଆ ଭାଷା ସଂକ୍ରାନ୍ତୀୟ ସେତେବେଳକାର କେତେକ ବିଶିଷ୍ଟ ଘଟଣା ହେଉଛି ଯେ ୧୮୭୩ ମସିହାରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ବିଷୟ ଭାବରେ ପଢ଼ାଯିବା ପାଇଁ ବ୍ୟବସ୍ଥା କରାଗଲା । ସେତେବେଳକାର ଓଡ଼ିଆମାନଙ୍କର ଚାପରେ ଏହା କରାଯାଇଥିଲା । ପୁଣି ଅନ୍ୟ ଏକ ଘଟଣା ହେଉଛି ଯେ ଡିସେମ୍ବର ୧୫ ତାରିଖ, ୧୮୯୦ ରେ ମାନ୍ଦ୍ରାଜ ସରକାର ଓଡ଼ିଆଭାଷୀ ଅଞ୍ଚଳ କୋର୍ଟ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆଦେଶ ଦେଇଥିଲେ । ଏକ ସମୟରେ ମାନ୍ଦ୍ରାଜ ସରକାର ଶାସିତ ଓଡ଼ିଆଭାଷୀ ଅଞ୍ଚଳରେ ତେଲଗୁ ଭାଷା ଥିଲା କୋର୍ଟ କଚେରୀର ଭାଷା ।

 

୧୯୦୨ରେ ଦକ୍ଷିଣାଞ୍ଚଳର ହଜାର ହଜାର ଓଡ଼ିଆଙ୍କ ଦସ୍ତଖତରେ ଏକ ବିରାଟ ସ୍ମାରକପତ୍ର ସେତେବେଳକାର ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ଼ କର୍ଜନଙ୍କୁ ଦିଆଯାଇଥିଲା । ସମ୍ୱଲପୁର, ଗଞ୍ଜାମ ଓ ସିଂହଭୂମି ପ୍ରଭୃତି ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ର କରି ଗୋଟିଏ ଶାସନ ଓ ଗୋଟିଏ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ରଖିବାପାଇଁ । ଯଥାର୍ଥରେ କହିବାକୁ ଗଲେ ଆଧୁନିକ ଓଡ଼ିଶାର ଇତିହାସରେ ୧୯୦୦ ମସିହାରୁ ଓଡ଼ିଆ ଜାତୀୟ ଜାଗରଣ ଯୁଗର ହୋଇଛି ସୂତ୍ରପାତ । ୧୯୦୩ ମସିହାରେ ଗଞ୍ଜାମ ଜିଲ୍ଲାର ରମ୍ଭାରେ ଖଲ୍ଲିକୋଟ ରାଜାଙ୍କର ନେତୃତ୍ୱରେ ଗଞ୍ଜାମ ଜାତୀୟ ସମିତି ପ୍ରତିଷ୍ଠିତ ହେଲା-ସେମାନେ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ପ୍ରତିଧ୍ୱନି ଉଠାଇଲେ ।

 

ବ୍ରିଟିଶ ସରକାର ସମ୍ବଲପୁର ଅଞ୍ଚଳକୁ ଶାସନଗତ ସୁବିଧାର ଆଳ ଦେଖାଇ କେତେବେଳେ ତାହାକୁ ଛୋଟନାଗପୁର ପୁଣି କେତେବେଳେ ମଧ୍ୟପ୍ରଦେଶ ଶାସନର ଅନ୍ତର୍ଭୁକ୍ତ କରିଛନ୍ତି । ମଧ୍ୟପ୍ରଦେଶ ଆସନରେ ସମ୍ବଲପୁର ରହିଥିବା ବେଳେ କିଛିଦିନ ପାଇଁ ହିନ୍ଦୀଥିଲା ସମ୍ବଲପୁର ସରକାରୀ କୋର୍ଟ କଚେରୀର ଭାଷା କିନ୍ତୁ ପରେ ପୁନର୍ବାର ଓଡ଼ିଆ ଭାଷା ସଂସ୍ଥାପିତ ହୋଇଥିଲା । କିନ୍ତୁ ୧୮୯୬ ମସିହାରେ ଓଡ଼ିଆ ବଦଳରେ ହିନ୍ଦୀ ସମ୍ବଲପୁର ଜିଲ୍ଲାର ସରକାରୀ ଭାଷା ହେବା ଫଳରେ ସମ୍ବଲପୁର ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପ୍ରବଳ ଜାତୀୟ ଜନଜାଗରଣ ଦେଖା ଦେଇଥିଲା ।

 

ମଧ୍ୟପ୍ରଦେଶର ଚିଫ୍‌ କମିଶନର ସାର ଆଣ୍ତ୍ରୁ ଫ୍ରେଜର ଓଡ଼ିଆଭାଷୀ ଜିଲ୍ଲା ସମ୍ବଲପୁରକୁ ଭାଷା ଭିତ୍ତିରେ ମଧ୍ୟପ୍ରଦେଶ ଶାସନରୁ ଅଲଗା କରିଦେବା ପାଇଁ ୧୯୦୧ ମସିହାରେ ତତ୍କାଳୀନ ଭାରତ ସରକାରଙ୍କୁ ଜଣାଇଥିଲେ । ଊନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ରାଜନୈତିକ ସ୍ଥିତି ଅତି ଦୟନୀୟ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ମାତ୍ର ୧୯୦୨ ମସିହାରେ ଓଡ଼ିଆ ଭାଷା ଏଫ.ଏ. ଏବଂ ବି.ଏ. ଶ୍ରେଣୀରେ ପରୀକ୍ଷାରେ ବ୍ୟବହୃତ ହେବାଲାଗି ବହୁ କଷ୍ଟରେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ୱୀକୃତି ମିଳିଥିଲା ।

 

ଓଡ଼ିଆ ଜାତିର ଇତିହାସରେ ୧୯୦୩ ମସିହା ଏକ ଐତିହାସିକ ବର୍ଷ । ସେହିବର୍ଷ ସରକାରୀ ଦରବାର ଜାନୁଆରୀ ମାସରେ କଟକରେ ଅନୁଷ୍ଠିତ ହେଉଥାଏ । ୧୯୦୩ ମସିହା, ଏପ୍ରିଲ ୨ ତାରିଖରେ ମଧୁବାବୁ ଓଡ଼ିଶା ଆସୋସିଏସନ ଆନୁକୂଲ୍ୟରେ କଟକରେ ତାଙ୍କ ବାସଭବନରେ ଏକ ସଭା ଡକାଇଲେ । ଏହି ସଭାରେ କଟକର ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଭାରେ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା ଯେ ଗଞ୍ଜାମ, ଭାଇଜାଗପଟମ୍‌, ସମ୍ବଲପୁର, ଛୋଟନାଗପୁର ଓ ମେଦିନୀପୁରରେ ଥିବା ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ମହାମାନ୍ୟ ଭାଇସ୍‌ରାୟଙ୍କୁ ଏକ ସ୍ମାରକପତ୍ର ଦିଆଯିବ ।

 

ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୦୩, ଡିସେମ୍ବର ୩୦।୩୧ ତାରିଖରେ ମୟୂରଭଞ୍ଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ସଭାପତିତ୍ୱରେ ବସିଥିଲା । ଓଡ଼ିଶା ବିଚ୍ଛିନ୍ନାଞ୍ଚଳର ତିନିଶହ ପଇଁତ୍ରିଶ ଜଣ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ଯେଉଁମାନେ ଯୋଗ ଦେଇଥିଲେ ସେମାନେ ସମସ୍ତେ ଓଡ଼ିଆ ଜାତୀୟ ପଗଡ଼ି ବ୍ୟବହାର କରିଥିଲେ । ସମ୍ବଲପୁରରେ ପୁନର୍ବାର ଓଡ଼ିଆ ଭାଷାକୁ ସେଠାକାର କୋର୍ଟ କଚେରୀରେ ଚଳାଇବା ନିମିତ୍ତ ସରକାରୀ ଆଦେଶକୁ ଅଭିନନ୍ଦିତ କରାଯାଇଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ସଭାରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପୁରୀ, ବାଲେଶ୍ୱର, ମେଦିନୀପୁର, କଲିକତା, ଗଞ୍ଜାମ, ସମ୍ବଲପୁର ଓ ଗଡ଼ଜାତମାନଙ୍କରେ ଉତ୍କଳ ସମ୍ମିଳନୀର ୩୮୧ଟି ଶାଖା ଗଠିତ ହୋଇଥିଲା ।

 

ଏକ ବିଶୁଦ୍ଧ ଓଡ଼ିଆ ଅଭିଧାନ ସଂକଳନ ପାଇଁ ସମ୍ମିଳନୀ ସବ୍‌କମିଟି ଗଠନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ପୁନରୁଦ୍ଧାର ପାଇଁ ତାଳପତ୍ରପୋଥି ସଂଗ୍ରହ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇ ଥିଲା । ଆଖୁଚାଷ, ସ୍ୱଦେଶୀବସ୍ତ୍ର ଉତ୍ପାଦନ, ଧନ୍ଦାମୂଳକ ଶିକ୍ଷା, ବିଶେଷକରି କୁଟୀରଶିଳ୍ପ ସମ୍ବନ୍ଧୀୟ ଶିକ୍ଷାଦାନ ନିମତ୍ତ ଗୁରୁତ୍ୱ ଦିଆଯାଇ କାର୍ଯ୍ୟସୂଚୀ ଗ୍ରହଣ କରାଯାଇ ଥିଲା । ଏହି ଐତିହାସିକ ଜାତୀୟ ଅନୁଷ୍ଠାନର ସମ୍ପାଦକ ଥିଲେ ମାନ୍ୟବର ମଧୁସୂଦନ ଦାସ ।

 

ଉତ୍କଳ ସମ୍ମିଳନୀର ପ୍ରତ୍ୟେକ ଅଧିବେଶନରେ ‘‘ଓଡ଼ିଆ ଭାଷା’’ ଉପରେ ହିଁ ଗୁରୁତ୍ୱ ଦିଆଯାଇଛି-ଓଡ଼ିଆ ଭାଷା ନିମିତ୍ତ ହିଁ ଓଡ଼ିଆ ଜାତି, ଓଡ଼ିଶା ପ୍ରଦେଶ, ଓଡ଼ିଆ ସଂସ୍କୃତି ସବୁ ଆଜି ସମ୍ଭବ ହୋଇପାରିଛି ।

 

ଓଡ଼ିଆ ଭାଷାର ନବଜାଗରଣ ୧୮୬୭

ନଅଙ୍କ ଦୁର୍ଭିକ୍ଷ ପରେ ପରେ ଦେଖାଦେଇଛି ଓଡ଼ିଆ ଜାତୀୟ ଚେତନା । ଓଡ଼ିଶା ପ୍ରତି ବ୍ରିଟିଶ ସରକାରଙ୍କର ଚରମ ଅବହେଳା, କତିପୟ ବଂଗୀୟଙ୍କର ଓଡ଼ିଶା ଓ ଓଡ଼ିଆ ସଂସ୍କୃତି ପ୍ରତି ତାତ୍ସଲ୍ୟ ଓ ବୈରଭାବ ଓ ତତ୍କାଳୀନ ବଂଗୀୟ ରାଜକର୍ମଚାରୀ ଓ ଜମିଦାରମାନଙ୍କର ଓଡ଼ିଆମାନଙ୍କ ଉପରେ ଅତ୍ୟାଚାର ପ୍ରଭୃତି ବିଷୟକୁ ନେଇ ଓଡ଼ିଆ ଭାଷା ଆନ୍ଦୋଳନର ହୋଇଛି ସୂତ୍ରପାତ । ଓଡ଼ିଆ ଭାଷା ଉଠାଇ ଦେଇ ଓଡ଼ିଶାରେ ବଂଗଳା ଭାଷା ଚଳାଇବା, ପୁଣି ଓଡ଼ିଶାକୁ ବଂଗଳାର ଏକ ଅଂଶ ଭାବରେ ରାଜ୍ୟଟିକୁ ବଂଗ ପ୍ରଦେଶ ସହ ସାମିଲ କରିଦେବା କେବଳ ମୁଷ୍ଟିମେୟ ବଙ୍ଗୀୟଙ୍କର ଥିଲା ଉଦ୍ଦେଶ୍ୟ । କିନ୍ତୁ କର୍ମଯୋଗୀ ଗୌରୀଶଙ୍କର, ରଙ୍ଗଲାଲ ବନ୍ଦୋପାଧ୍ୟାୟ, ପ୍ୟାରୀମୋହନ ସେନ, ଦୀନନାଥ ସରକାର, ପ୍ୟାରୀମୋହନ ବନ୍ଦୋପାଧ୍ୟାୟ, ଦ୍ୱାରିକାନାଥ ଚକ୍ରବର୍ତ୍ତୀ, ଚନ୍ଦ୍ରଶେଖର ବାନାର୍ଜୀ, ଜନାର୍ଦ୍ଦନ ସେନ, ବଳରାମ ବୋଷ, ରାଜକୃଷ୍ଣ ବାନାର୍ଜୀ, କୈଳାଶ ଚନ୍ଦ୍ର ପାଲିତ, ହାରାଧନ ଘୋଷ ପ୍ରଭୃତି ଓଡ଼ିଶାର ବିଶିଷ୍ଟ ବଂଗୀୟ ନାଗରିକଗଣ ସେତେବେଳେ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ, ସୁରକ୍ଷା ଓ ଉନ୍ନତି ନିମିତ୍ତ ଯେଉଁ ଅକ୍ଳାନ୍ତ ଉଦ୍ୟମ ଓ ପରିଶ୍ରମ କରିଥିଲେ ତାହା ଆମ୍ଭେମାନେ ଭୁଲିଯାଇଛୁ ।

 

୧୮୬୭ ମସିହା ମେ ମାସ ତା ୨୦ରିଖ ଦିନ ହୁଏ ‘ଉତ୍କଳ ଭାଷୋଦ୍ଦୀପନୀ’ ସଭାର ଶୁଭାରମ୍ଭ । କୁହାଯାଇଛି ‘‘ଗତ ରବିବାର ଉତ୍କଳ ଦେଶ ପକ୍ଷରେ ଏକ ଉତ୍କୃଷ୍ଟ ଦିନ ଥିଲା । ଏ ଦିବସ ଅତ୍ରସ୍ଥ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଏକତ୍ର ହୋଇ ଏକ ମହତ କର୍ମର ଅନୁଷ୍ଠାନ କରିଅଛନ୍ତି । କିରୂପେ ଉତ୍କଳ ଭାଷା ଉନ୍ନତି ହେବ ଓ ସର୍ବସାଧାରଣର ଉତ୍କର୍ଷ ସାଧନରେ ଯତ୍ନବାନ ହେବେ ଏବଂ ସରକାରୀ ମହକୁମାମାନଙ୍କରେ ବର୍ତ୍ତମାନ ଚଳିତ ଥିବା ମିଶ୍ରିତ ଭାଷା ପରିବର୍ତ୍ତରେ ବିଶୁଦ୍ଧ ଉତ୍କଳ ଭାଷା ଚଳନ ହେବ ଓ କେବଳ ଉପଯୁକ୍ତ ବ୍ୟକ୍ତିମାନେ ଅମଲାଗିରି କର୍ମ କରିପାରିବେ ଏହି ସମସ୍ତ ଏ ସଭାର ଉଦ୍ଦେଶ୍ୟ । ’’ (ଉତ୍କଳଦୀପିକା, ୧୮୬୭ , ୨ୟ ଭାଗ ୨୧ ସଂଖ୍ୟା)

 

ଏ ସଭାରେ ସଭାପତିତ୍ୱ କରିଥିଲେ ବଙ୍ଗୀୟ ସାହିତ୍ୟିକ ଓ ବଙ୍ଗଳା ‘କାଞ୍ଚିକାବେରୀ’ କାବ୍ୟର କବି ରଙ୍ଗଲାଲ ବନ୍ଦୋପାଧ୍ୟାୟ । ରଙ୍ଗଲାଲ ବନ୍ଦୋପାଧ୍ୟାୟ ସଭାରେ ଓଡ଼ିଆ ଓ ବଙ୍ଗଳା ଭାଷାର ଯେଉଁ ତୁଳନାତ୍ମକ ଆଲୋଚନା କରିଅଛନ୍ତି ଓ ଓଡ଼ିଆ ଭାଷାର ମହତ୍ତ୍ୱ ଓ ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରିଅଛନ୍ତି ତାହା ତାଙ୍କ ଓଡ଼ିଆ ଭାଷା ବ୍ୟୁତ୍ପତ୍ତିର ପରିଚୟ ଦେଇଥାଏ । ସେହି ସଭାର ବିଭିନ୍ନ ପ୍ରସ୍ତାବ ଥିଲା (୧) ଉତ୍କଳ ଭାଷାର ପ୍ରାଚୀନଗ୍ରନ୍ଥ ସମୁଦାୟ ଯଥାକ୍ରମେ ଶ୍ରେଣୀବଦ୍ଧ ନିୟମରେ ମୁଦ୍ରିତ ଓ ପ୍ରଚାରିତ କରାଇବା (୨) ବାବୁ ଜଗମୋହନ ରାୟ ପ୍ରସ୍ତାବ କଲେ ଯେ ‘ସରକାରୀ ମହକୁମାର ଭାଷା ସଂଶୋଧନ ନିମିତ୍ତ ଆବଶ୍ୟକ ଯେ ଯେଉଁମାନେ ଉତ୍କଳ ଭାଷା ଶୁଦ୍ଧରୂପେ ଲେଖି ପଢ଼ି ପାରନ୍ତି କେବଳ ସେହିମାନଙ୍କୁ ଅମଲାସ୍ୱରୂପ ନିଯୁକ୍ତ କରିବା ବିଷୟରେ ଉପାୟ ଉଦ୍ଭାବନ କରିବା (୩) ଏହି ସଭାରେ କେବଳ କଟକ ନୁହେଁ ପୁରୀ ଓ ବାଲେଶ୍ୱରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସଦସ୍ୟ ଭାବରେ ଗ୍ରହଣ କରିବା । ପରବର୍ତ୍ତୀ ସଭାରେ ୧୮୬୭ ପୂର୍ବର ସମସ୍ତ ଛପା ଓଡ଼ିଆ ପୁସ୍ତକର ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ହୋଇଛି ଓ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାଇଁ ଖଣ୍ତେ ପାଠ୍ୟପୁସ୍ତକ ସଂକଳନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ବୈଦେହୀଶ ବିଳାସ, ସୁଭଦ୍ରାପରିଣୟ, ରସକଲ୍ଲୋଳ, କୃଷ୍ଣ ସିଂହ ମହାଭାରତ ଓ ଭାଷା ଭାଗବତର ପଠନଯୋଗ୍ୟ ଉତ୍କୃଷ୍ଟ ଛାନ୍ଦ ଓ ଅଧ୍ୟାୟଗୁଡ଼ିକ ସଂକଳନ କରିବା ନିମିତ୍ତ ବିଭିନ୍ନ ସାହିତ୍ୟିକଙ୍କ ଉପରେ ଭାର ନ୍ୟସ୍ତ କରାଯାଇଛି ।’ ଗୌରୀଶଙ୍କର ପ୍ରଥମେ ହିଁ କଟକ ପ୍ରିଣ୍ଟିଂକମ୍ପାନୀ ସଂସ୍ଥାରୁ ଉପେନ୍ଦ୍ର ଭଞ୍ଜଙ୍କର ‘ପ୍ରେମ ସୁଧାନିଧି’ କାବ୍ୟପ୍ରକାଶ କରିଥିଲେ ଓ ପରେ ପରେ ଉପେନ୍ଦ୍ର ଭଞ୍ଜଙ୍କର କୋଟିବ୍ରହ୍ମାଣ୍ତସୁନ୍ଦରୀ, ଲାବଣ୍ୟବତୀ, ସାରଳା ମହାଭାରତ ଓ ଭାଗବତ ପ୍ରଭୃତି ଗ୍ରନ୍ଥ ପ୍ରକାଶ କରିଥିଲେ । ଓଡ଼ିଆ ଭାଷା ପ୍ରସାର ବିଶେଷତଃ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ଲୋକପ୍ରିୟ ଧର୍ମ ପୁସ୍ତକର ପ୍ରକାଶନ ନିମିତ୍ତ ଉତ୍କଳ ଭାଷୋଦ୍ଦୀପନୀ ସଭା ଗୁରୁତ୍ୱ ଆରୋପ କରିଥିଲେ । ସେ ସମୟରୁ ଆଜିକି ୧୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଆ ଶିକ୍ଷା ପ୍ରସାରର ଲୋକପ୍ରିୟ ଓଡ଼ିଆଧର୍ମ ପୁସ୍ତକ ସମୂହ ମୁଖ୍ୟସ୍ଥାନ ଅଧିକାର କରିଛି କହିବା ବାହୁଲ୍ୟ ହେବ ।

 

କ୍ରମେ ଓଡ଼ିଆ ଜାତୀୟ ଚେତନା ଯେତିକି ଯେତିକି ବଢ଼ିଛି ସେତିକି ସେତିକି ଓଡ଼ିଆ ଭାଷା, ସାହିତ୍ୟ ଚର୍ଚ୍ଚା ଓ ଅନ୍ୟ ଦିଗରେ ଓଡ଼ିଆ ଭାଷାର ବିଲୋପ ପାଇଁ ମଧ୍ୟ ଆନ୍ଦୋଳନ ତେଜି ଉଠିଛି । ସେତେବେଳେ କଟକ ଓ ବାଲେଶ୍ୱର ହୋଇଛି ଭାଷା ଆନ୍ଦୋଳନର ବିରାଟ ରଣାଙ୍ଗନ । ବାବୁ ରାଜେନ୍ଦ୍ର ଲାଲ ମିତ୍ର ଓ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଓଡ଼ିଆ ଭାଷା ଉଠାଇ ଦେଇ ତା’ ପରିବର୍ତ୍ତେ ଓଡ଼ିଶାର ସ୍କୁଲମାନଙ୍କରେ ବଙ୍ଗଳା ଭାଷା ଚଳାଇବାର ଯେଉଁ ପ୍ରଚେଷ୍ଟା କରିଥିଲେ ତାହା ୧୮୬୯-୭୦ ବର୍ଷ ଦୁଇଟିରେ ଅତି ଉଗ୍ରରୂପ ଧାରଣ କରିଥିଲା । ଯାହାର ଇତିହାସ ଆମ୍ଭମାନଙ୍କୁ ଅବିଦିତ ନାହିଁ । ଶେଷରେ ଓଡ଼ିଆ ଭାଷା ଚକ୍ରାନ୍ତକାରୀମାନଙ୍କ କବଳରୁ ମୁକ୍ତି ଲାଭକରି ପୁନର୍ଜୀବନ ଲାଭ କଲା । ଏହି ଭାଷା ଆନ୍ଦୋଳନ ଫଳରେ ଅଜସ୍ର ଓଡ଼ିଆ ପାଠ୍ୟପୁସ୍ତକ ଓ ବହୁ ଉପାଦେୟ କାବ୍ୟ, କବିତା, ଉପନ୍ୟାସ ଓ ପ୍ରବନ୍ଧ ପ୍ରଭୃତି ସାହିତ୍ୟର ବିଭିନ୍ନ ବିଭାଗ ପ୍ରସ୍ଫୁଟିତ ହେଲା ।

 

ଏସବୁ ସତ୍ତ୍ୱେ ୧୯୩୬ ମସିହା ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଝଡ଼ଝଞ୍ଜା ଭିତରେ ଓଡ଼ିଆ ଜାତିକୁ ଗତି କରିବାକୁ ପଡ଼ିଥିଲା । ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳମଣି ଗୋପବନ୍ଧୁ ଏହି ଦୁଇ ବଳିଷ୍ଠ ଜାତୀୟ ନେତାଙ୍କ ନେତୃତ୍ୱରେ ଓଡ଼ିଶାର ଜାତୀୟ ଚେତନା ଉଦ୍ଦୀପିତ ହେଲା-ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଥିଲା ଏ ଦୁଇ ଜାତୀୟ ନେତାଙ୍କ ଜୀବନର ଲକ୍ଷ୍ୟ । ଏହି ଦୁଇ ନେତା ବାରମ୍ବାର କହିଛନ୍ତି ଯେ, ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ଜାତୀୟତା, ଭାଷା, ସାହିତ୍ୟ ଓ ସଂସ୍କୃତି ସବୁକିଛି ଗଢ଼ିଉଠିଛି-। ମଧୁସୂଦନ ଧର୍ମାନ୍ତର ଗ୍ରହଣ କରିଥିଲେ ହେଁ ସେ ୧୯୨୧ ମସିହା, ନଭେମ୍ବର ୨୧ ତାରିଖରେ ବିହାର ଓଡ଼ିଶା କାଉନ୍‌ସିଲ୍‌ରେ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିହାର ଓଡ଼ିଶା କାଉନ୍‌ସିଲ୍‌ରେ ଭାଷଣର ପ୍ରାରମ୍ଭରେ ଉଦାତ୍ତ କଣ୍ଠରେ କହିଥିଲେ-

 

‘‘It is sufficient for me to point out only this fact, which must ever be prominent in the mind of every Hindu, that the Jagannath Temple where the whole Hindu population of India resot to see the great god Jagannath. There is one peculiarity in Jagannath which is not to the found any where else, Jagannath is called the Hindu God, but he is generally known in Orissa among the Pandas and priests of Orissa as Buddha Avatar, as an incarnation, or if I may say so-a deity of Buddha creed, Buddhism was a religion which did away with caste system and you find an absence of caste rules in Jaggannath.” (Madhusudan Das the legislator-speeches, Edited by Dr. N. K. Sahu & Dr. P. K. Mishra, 1980).

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ଶହେ ପନ୍ଦର ବର୍ଷକାଳ ଓଡ଼ିଆ ଜାତିକୁ ଆନ୍ଦୋଳନ କରିବାକୁ ପଡ଼ିଥିଲା-କହିବାକୁ ଗଲେ ଦୁଇଟା ଯୁଗ ଏଥିପାଇଁ ବିତିଯାଇଛି । ଏଥିପାଇଁ କେତେ କେତେ ଓଡ଼ିଆ ଭାଷାପ୍ରେମୀ, ଓଡ଼ିଆ ଜାତିପ୍ରେମୀ ବରେଣ୍ୟ ଦେଶସେବକ ନିଃସ୍ୱାର୍ଥପର କଠିନ ସାଧନା କରି ବିଦାୟ ନେଇଛନ୍ତି ସେସବୁ ସ୍ମରଣ କଲେ ନିଜକୁ କେତେ ନ୍ୟୂନ ହେବାକୁ ପଡ଼େ ତାହା କହିହୁଏନା । ସେମାନଙ୍କ ସାଧନାର ଇତିହାସକୁ ଆମେ ଯଥାର୍ଥ ଭାବରେ ଲିପିବଦ୍ଧ କରି ପାରିନାହୁଁ । ଏହା ଅତୀବ ଲଜ୍ଜାର ବିଷୟ ।

 

ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଓଡ଼ିଆ ଭାଷା ସୁପ୍ରତିଷ୍ଠିତ ତଥାପି ଆଜି ବି ବିଚ୍ଛିନ୍ନାଞ୍ଚଳର ଲକ୍ଷ ଲକ୍ଷ ଓଡ଼ିଆ ଓଡ଼ିଶାରେ ମିଶିବା ପାଇଁ ଚିତ୍କାର କରୁଅଛନ୍ତି । ସେସବୁ ଅଞ୍ଚଳରୁ ଓଡ଼ିଆ ଶିକ୍ଷା ସଂସ୍କୃତି ଲୋପ ପାଇବା ଉପରେ-ଆନ୍ଧ୍ର ପ୍ରଦେଶ ଓ ସିଂହଭୂମିରେ ଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କର ଓଡ଼ିଆ ଶିକ୍ଷା ସଂସ୍କୃତିର ସୁରକ୍ଷା ପାଇଁ ଏବେ ବି ବହୁ ଆବେଦନପତ୍ର ଓଡ଼ିଆ ସମ୍ବାଦପତ୍ରଗୁଡ଼ିକରେ ପ୍ରକାଶ ପାଇବାରେ ଲାଗିଛି । ଯେ ପର୍ଯ୍ୟନ୍ତ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶାରେ ସଂପୂର୍ଣ୍ଣ ରୂପେ ନ ମିଶିଛି ସେ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକାମୀ ନେତୃବୃନ୍ଦଙ୍କର ଆଶା ପରିପୂର୍ଣ୍ଣ ହୋଇନାହିଁ ବୋଲି ଭାବିବାକୁ ହେବ । ତେବେ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳର ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଜିର ଓଡ଼ିଶାବାସୀ ଓ ଓଡ଼ିଶାର ନେତୃବୃନ୍ଦଙ୍କ ଚିନ୍ତା କରିବାର ସମୟ ଆସିଛି ।

***

 

ପରିଶିଷ୍ଟ

ସେକାଳର ଓଡ଼ିଶା ଓ ଓଡ଼ିଆ ଭାଷା

(ଉତ୍କଳ ସମ୍ମିଳନୀ)

 

ଏହି ପୃଥିବୀରେ ଅନେକ ଦେଶ ଅଛି । ଅନେକଗୁଡ଼ିଏ ଦେଶ ଏକତ୍ର ହୋଇ ଏକ ମହାଦେଶ ନାମରେ ପରିଚିତ ହୁଏ । ଏହି ଭାରତ ଗୋଟିଏ ଦେଶ ହେଲେହେଁ ଏହାକୁ ଏକ ମହାଦେଶ କହନ୍ତି, ଯେହେତୁ ଅନ୍ୟାନ୍ୟ ଦେଶଠାରୁ ଏହି ଦେଶର ଆୟତନ ବଡ଼, ପୁଣି ଏହି ଭାରତରେ ନାନାବିଧ ଜାତିର ଲୋକ ବାସକରନ୍ତି, ଯଥା-ବଙ୍ଗାଳୀ, ତେଲଙ୍ଗା, ଓଡ଼ିଆ ଇତ୍ୟାଦି ଏବଂ ବିଭିନ୍ନ ଧର୍ମାବଲମ୍ବୀ ଲୋକେ ମଧ୍ୟ ବାସ କରନ୍ତି, ଯଥା-ହିନ୍ଦୁ, ମୁସଲମାନ, ଜୈନ, ପାରସୀ ଇତ୍ୟାଦି ।

 

ଏହି ଭାରତ ମହାଦେଶ ପ୍ରବଳପ୍ରତାପାନ୍ୱିତ ଇଂରାଜ ଗଭର୍ଣ୍ଣମେଣ୍ଟ ଦ୍ୱାରା ଶାସିତ ଏବଂ ପରିଚାଳିତ ହେଉଅଛି । ଏହି ଭାରତ ଦେଶରେ ଭିନ୍ନ ଭିନ୍ନ ଜାତିର ଲୋକେ ଭିନ୍ନ ଭିନ୍ନ ଅଞ୍ଚଳରେ ବାସ କରନ୍ତି । ଏହି ବିଭିନ୍ନ ଅଞ୍ଚଳର ବିଭିନ୍ନ ଜାତିମାନଙ୍କୁ ଘେନି ରାଜ୍ୟ ଶାସନ ଓ ପରିପାଳନ ସୁବିଧା ନିମନ୍ତେ ଇଂରେଜ ଗଭର୍ଣ୍ଣମେଣ୍ଟ ଏହି ଭାରତ ମହାଦେଶକୁ ବିଭିନ୍ନ ପ୍ରଦେଶରେ ବିଭକ୍ତ କରିଅଛନ୍ତି, ଯଥା-ମାନ୍ଦ୍ରାଜ, ବଙ୍ଗଳା, ବମ୍ବେଇ, ପଞ୍ଜାବ ଇତ୍ୟାଦି । ପ୍ରତ୍ୟେକ ପ୍ରଦେଶ ସକାଶେ ଜଣେ ଲେଖାଁଏ ଗଭର୍ଣ୍ଣର ବା କମିଶନର ନିଯୁକ୍ତ ଅଛନ୍ତି । ପୁଣି ଏହି ସମସ୍ତ ପ୍ରାଦେଶିକ ଗଭର୍ଣ୍ଣମେଣ୍ଟ ଉପରେ ସମଗ୍ର ଭାରତ ସକାଶେ ବଡ଼ଲାଟ ମହୋଦୟ ନିଯୁକ୍ତ ଅଛନ୍ତି । ଏକ ପ୍ରାଦେଶିକ ଗଭର୍ଣ୍ଣମେଣ୍ଟଙ୍କ ସହିତ ଅନ୍ୟ ପ୍ରାଦେଶିକ ଗଭର୍ଣ୍ଣମେଣ୍ଟଙ୍କର କୌଣସି ବିଶେଷ ସମ୍ବନ୍ଧ ନାହିଁ । କିନ୍ତୁ ସମସ୍ତେ ଭାରତ ଗଭର୍ଣ୍ଣମେଣ୍ଟଙ୍କ ଅଧୀନ ଅଟନ୍ତି । ବିଭିନ୍ନ ପ୍ରାଦେଶିକ ଗଭର୍ଣ୍ଣମେଣ୍ଟଙ୍କର ବିଭିନ୍ନ ଶାସନପ୍ରଣାଳୀ । ଏମାନଙ୍କର ବିଶ୍ୱବିଦ୍ୟାଳୟ ଅର୍ଥାତ୍ ଶିକ୍ଷାବିଭାଗ ଭିନ୍ନ, ଅଦାଲତ (ସିଭିଲ) ଓ ଫୌଜଦାରି (କ୍ରିମିନାଲ) ବିଚାର ବିଭାଗ ଭିନ୍ନ, ପୋଲିଶ ବିଭାଗ ଭିନ୍ନ ଓ ପ୍ରଜାମାନଙ୍କ ଉପରେ ଦର ନିରୂପଣ ପ୍ରଣାଳୀ ମଧ୍ୟ ଭିନ୍ନ । ଏକ ପ୍ରାଦେଶିକ ଗଭର୍ଣ୍ଣମେଣ୍ଟର ଲୋକେ ଅନ୍ୟ ପ୍ରାଦେଶିକ ଗଭର୍ଣ୍ଣମେଣ୍ଟ ନିକଟରେ ଆପଣାର ସୁଖ ଦୁଃଖ ଗୁହାରି ଜଣାଇ ତହିଁର ପ୍ରତିକାର ପାଇ ପାରନ୍ତି ନାହିଁ ।
 

ପୂର୍ବରୁ କୁହାଯାଇଅଛି, ନାନାବିଧ ଜାତିର ଲୋକେ ଭାରତରେ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ଉତ୍କଳୀୟମାନେ ଏକ ଜାତିର ଲୋକ । ଏମାନଙ୍କର ପ୍ରଦେଶକୁ ଉତ୍କଳ କୁହାଯାଏ । ଏହି ଉତ୍କଳଦେଶ ଏକ ସମୟରେ ଉତ୍ତରରେ କାଂଶବାଂସ ନଦୀଠାରୁ ଦକ୍ଷିଣରେ ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମୟାନ୍ତରରେ ବୃଦ୍ଧିପ୍ରାପ୍ତ ହୋଇ ଉତ୍ତରରେ ହୁଗୁଳୀ ନଦୀ, ଦକ୍ଷିଣରେ ଗୋଦାବରୀ ନଦୀ ଓ କର୍ଣ୍ଣାଟ ଦେଶ, ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ କଳାହାଣ୍ତି ଓ ବସ୍ତର-ଏହି ସୀମା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସ୍କନ୍ଦପୁରାଣରେ ଲିଖିତ ଅଛି ଯେ ମହାନଦୀ, ଋଷିକୁଲ୍ୟା ଓ ସୁବର୍ଣ୍ଣରେଖା ଯେଉଁ ପ୍ରଦେଶରେ ପ୍ରବାହିତ ହୁଏ, ସେହି ପ୍ରଦେଶକୁ ଉତ୍କଳଖଣ୍ତ ବୋଲାଯାଏ । ଏହି ଉତ୍କଳଖଣ୍ତର କେନ୍ଦ୍ରସ୍ଥାନ ଓଡ଼ିଶା । ମୋଗଲବନ୍ଦି ଓ ଗଡ଼ଜାତମାନ ମିଶି ଏହାର ପରିମାଣ ଫଳ ୨୪,୦୦୦ ବର୍ଗମାଇଲ । ୧୮୭୦ ସାଲ ଗଣନାନୁସାରେ ଲୋକସଂଖ୍ୟା ୪୫ ଲକ୍ଷ ଥିଲା । ଯାଜପୁର ଓଡ଼ିଶା ରାଜାମାନଙ୍କର ପ୍ରଧାନ ରାଜଧାନୀ ଥିଲା । ଗଙ୍ଗବଂଶ ନରପତି ଅନଙ୍ଗଭୀମଦେବ ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ । ପରମହଂସ ବାଜପେୟଙ୍କ ତତ୍ତ୍ୱାବଧାନରେ ଏହି ଦେବାଳୟ ନିର୍ମିତ ହୋଇଥିଲା । ବୁଦ୍ଧମୂର୍ତ୍ତି ଜଗନ୍ନାଥଙ୍କୁ ଘେନି ଆଜି ଭାରତରେ ପୁରୀର ମାହାତ୍ମ୍ୟ ବଢ଼ିଅଛି । ଏହି ଓଡ଼ିଶାଖଣ୍ତରେ ମଗଧରାଜବଂଶୀୟ କେଶରୀ ରାଜାମାନେ ରାଜତ୍ୱ କରୁଥିଲେ, ତତ୍ପରେ ଗଙ୍ଗବଂଶୀୟ ରାଜାମାନେ ରାଜତ୍ୱ କଲେ । ଗଙ୍ଗବଂଶୀୟ ରାଜା କପିଳେନ୍ଦ୍ରଦେବଙ୍କ ସନ୍ତତିମାନେ ବିତାଡ଼ିତ ହୋଇ ସମ୍ବଲପୁର ଓ ଗଞ୍ଜାମରେ ସାମନ୍ତରାଜତ୍ୱ ସ୍ଥାପନ କଲେ । ଗଞ୍ଜାମ ଅଞ୍ଚଳର ଏହି ସାମନ୍ତ ରାଜାମାନେ କାଳକ୍ରମେ ହୀନବଳ ହେଲାରୁ ଗଞ୍ଜାମ ହାଇଦରାବାଦ ନବାବଙ୍କ ଅଧୀନ ହୋଇ ପ୍ରାକୃତିକ ଓଡ଼ିଶାରୁ ବିଚ୍ଛିନ୍ନ ହୋଇପଡ଼ିଲା । ପୁଣି ମାଦଳାପାଞ୍ଜିରୁ ପ୍ରମାଣ ମିଳୁଅଛି ଯେ ଗଙ୍ଗବଂଶୀୟ ରାଜା ଅନଙ୍ଗଭୀମଦେବଙ୍କ ସମୟରେ ଏହି ଓଡ଼ିଶାଖଣ୍ତର ବିସ୍ତୃତି ଉତ୍ତରରେ ବଢ଼ାଇବହିର୍ନଦୀ (ବୁଢ଼ାବଳଙ୍ଗ) ଦକ୍ଷିଣରେ ରାଜମହେନ୍ଦ୍ରି ଏବଂ ପଶ୍ଚିମରେ ବୌଦ ସୁନପୁର ସୀମା ପର୍ଯ୍ୟନ୍ତ ଥିଲା । ମୋଗଲ ରାଜତ୍ୱ ହୀନପ୍ରଭ ହେଲାରୁ ସୁଜାଉଦ୍ଦିନଙ୍କ ସୁବାଦାରୀ ସମୟରେ ମେଦିନୀପୁର ଓଡ଼ିଶା ସୀମାରୁ ଚ୍ୟୁତ ହୋଇ ବଙ୍ଗ ସୀମାର ଅନ୍ତର୍ଗତ ହେଲା, ପୁଣି ମହମ୍ମଦ ତକି ଓଡ଼ିଶାର ଶାସନକର୍ତ୍ତା ଥିଲାବେଳେ ଚିଲିକାଠାରୁ ଖେମିଡ଼ି ପର୍ଯ୍ୟନ୍ତ ନିଜାମଙ୍କ ସ୍ୱାଧିକାରଭୁକ୍ତ ହେଲା । ୧୭୬୧ ଖ୍ରୀଷ୍ଟାବ୍ଦରେ ଗଞ୍ଜାମ ଜିଲ୍ଲା ଅନ୍ତଃପାତୀ ଖେମିଡ଼ିର ରାଜା ନାରାୟଣଦେବ ଆପଣାକୁ ଖୋରଧା ସିଂହାସନର ଉତ୍ତରାଧିକାରୀ ବିବେଚନା କରି ସୈନ୍ୟସହ ବୀରକେଶରୀଦେଙ୍କ ବିରୁଦ୍ଧରେ ଯାତ୍ରା କଲେ ଏବଂ ଜୟୀ ହେଲେ, କିନ୍ତୁ ଅବଶେଷରେ ମରହଟ୍ଟାମାନଙ୍କ ସାହାଯ୍ୟ ଯୋଗୁଁ ଖୋରଧା ରାଜ୍ୟରୁ ବିତାଡ଼ିତ ହେଲେ ।

 

ଏହି ସକଳ ଐତିହାସିକ ପ୍ରମାଣରୁ ସୁସ୍ପଷ୍ଟ ଜଣାଯାଏ ଯେ ସୂର୍ଯ୍ୟବଂଶୀୟ ଓ ଗଙ୍ଗବଂଶୀୟ ରାଜାମାନଙ୍କ ସମୟରେ ଗଞ୍ଜାମ ଜିଲ୍ଲା ଓଡ଼ିଶାର ଅନ୍ତର୍ଗତ ଥିଲା । ସେତେବେଳେ ଏହି ଜିଲ୍ଲାର ବର୍ତ୍ତମାନ ରାଜା ଜମିଦାରମାନଙ୍କ ପୂର୍ବପୁରୁଷମାନେ ପୁରୀ ମହାରାଜାଙ୍କ ସାମନ୍ତସ୍ୱରୂପ ଥାଇ ବିଶେଷ ବିଶେଷ ସରତରେ ଆପଣା ଆପଣା ଜମିଦାରୀ ଭୋଗ କରୁଥିଲେ । ଓଡ଼ିଶା ରାଜବଂଶର ପତନ ପରେ ଗଞ୍ଜାମ ଜିଲ୍ଲା ହାଇଦରାବାଦ ନିଜାମଙ୍କ ଅଧୀନ ହେଲା । ପୁଣି ୧୭୬୬ ଖ୍ରୀଷ୍ଟାବ୍ଦରେ ଏହି ଜିଲ୍ଲା ଇଂରେଜ ଶାସନାଧୀନ ହେଲା । କାଳବଶରୁ ଗଞ୍ଜାମ ଓଡ଼ିଶାରୁ ବାହାର ହୋଇ ନିଜାମଙ୍କ ଅଧୀନ ହେଲାପରେ ଏହା ନିଜାମ ଅଧିକୃତ ଦକ୍ଷିଣାଞ୍ଚଳର ଅନ୍ୟାନ୍ୟ ଜିଲ୍ଲା ସହିତ ମିଶିକରି ଥିଲା । ଏହି ସମୟରେ ଯେତେବେଳେ ପ୍ରବଳ ପ୍ରତାପଶାଳୀ ଇଂରେଜ ଗଭର୍ଣ୍ଣମେଣ୍ଟ ଏହି ଜିଲ୍ଲାଗୁଡ଼ିକୁ କରାୟତ୍ତ କରିନେଲେ, ସେତେବେଳେ ଗଞ୍ଜାମ ଜିଲ୍ଲା ମାନ୍ଦ୍ରାଜ ହତାର ଉତ୍ତର ସର୍କାରରେ ମିଶି ରହିଗଲା । ସେହି ସମୟରୁ ଗଞ୍ଜାମ ଜିଲ୍ଲା ମାତୃଭୂମି ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟଙ୍କ ଅଧୀନ ରହିବାକୁ ଲାଗିଲା । ଏହି ଐତିହାସିକ ନିଦର୍ଶନ ଛଡ଼ା ଗଞ୍ଜାମ ଓ ରାଜନୈତିକ ଓଡ଼ିଶା ମଧ୍ୟରେ ଅନ୍ୟାନ୍ୟ ଅନେକ ସମ୍ବନ୍ଧ ଏବଂ ସାମଞ୍ଜସ୍ୟ ଅଛି । ପ୍ରତାପରୁଦ୍ରଦେବଙ୍କ ସମୟରୁ ସମଗ୍ର ପ୍ରାକୃତିକ ଓଡ଼ିଶାରେ ବୈଷ୍ଣବ ଧର୍ମର ବିସ୍ତାର ହେଲା । ଧର୍ମପ୍ରଚାରକ ଚୈତନ୍ୟ ଦେବ ନଦିଆଠାରୁ ଓଡ଼ିଶାକୁ ଆଗମନ କରିଥିଲେ ଏବଂ ଓଡ଼ିଶାରେ ଜଗନ୍ନାଥ ଦାଶ ଜନ୍ମଗ୍ରହଣ କରିଥିଲେ । ପୁଣି ପ୍ରଥମ ଦିବ୍ୟସିଂହ ଦେବଙ୍କ ସମୟରେ ଉତ୍କଳ ସାହିତ୍ୟ-ଗୌରବ ଉପେନ୍ଦ୍ର ଭଞ୍ଜ ଏବଂ ଦୀନକୃଷ୍ଣ ଦାସ ପ୍ରଭୃତି ଖ୍ୟାତନାମା କବିମାନେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ ।

 

ପ୍ରାକୃତିକ ଓଡ଼ିଶା ଓ ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ଆକୃତି, ଜଳବାୟୁ, ଜାତି, ଧର୍ମ, ଭାଷା ଏବଂ ଆଚାର ବ୍ୟବହାର ମଧ୍ୟରେ ଯଥେଷ୍ଟ ସମାନତା ଦେଖାଯାଏ । ପୂର୍ବ, ଉତ୍ତର ଓ ପଶ୍ଚିମ ତିନି ଦିଗରେ ଓଡ଼ିଶା ଗଞ୍ଜାମକୁ ଲାଗିଅଛି । ଗଞ୍ଜାମ ମାନ୍ଦ୍ରାଜ ପ୍ରେସିଡେନ୍‌ସିର ସର୍ବୋତ୍ତର ଜିଲ୍ଲା । ଗଞ୍ଜାମ ଓ ଓଡ଼ିଶା ଉଭୟର ସୀମାରେ ଚିଲିକା ହ୍ରଦ ଅବସ୍ଥିତ; ଏହା ଗଞ୍ଜାମ ଜିଲ୍ଲାର ଦକ୍ଷିଣତମ ତାଲୁକା ଚିକାକୋଲକୁ ଛାଡ଼ି ଦେଲେ ସମଗ୍ର ଗଞ୍ଜାମ ଜିଲ୍ଲା ଏବଂ ବିଶାଖାପାଟଣା ଜିଲ୍ଲାର ଜୟପୁର ତାଲୁକା ଓ ମାଳ ପ୍ରଦେଶର ପ୍ରାୟ ସମସ୍ତ ଅଧିବାସୀ-ରାଜା, ଜମିଦାର, ମହାଜନ, ରୟତ, ଶିଳ୍ପୀ ପ୍ରଭୃତି ସମସ୍ତେ ଓଡ଼ିଆ । ୧୯୦୦ ସାଲର ଲୋକଗଣନାନୁସାରେ ଏହି ଉତ୍କଳଭାଷୀ ପ୍ରଦେଶର ଲୋକସଂଶ୍ୟା ପ୍ରାୟ ୧୮ ଲକ୍ଷ ଥିବାବେଳେ ତେଲଙ୍ଗା ଓ ଅନ୍ୟାନ୍ୟ ଜାତିର ଲୋକସଂଖ୍ୟା ପ୍ରାୟ ୩ ଲକ୍ଷ ମାତ୍ର ।

 

ଦକ୍ଷିଣାଞ୍ଚଳରୁ ତୈଲଙ୍ଗ ପ୍ରଦେଶରୁ ବହୁକାଳ ହେଲା ଅନେକ ଲୋକ ଆସି ଗଞ୍ଜାମରେ ବାସ କରିଥିବାରୁ ସେମାନେ ଆଜି ଆଚାର, ବ୍ୟବହାର, ଧର୍ମ ଏବଂ ଭାଷାରେ ସଂପୂର୍ଣ୍ଣ ଓଡ଼ିଆ ହୋଇ ପଡ଼ିଅଛନ୍ତି । ତେଲଙ୍ଗାମାନଙ୍କ ମଧ୍ୟରେ ‘ଘର ନାମ’ ପ୍ରସିଦ୍ଧ ଅଛି । ଏହି ‘ଘର ନାମ’ ଛଡ଼ା ଏମାନଙ୍କର ତୈଲଙ୍ଗ ଜାତିତ୍ୱର ଅନ୍ୟ କୌଣସି ଚିହ୍ନ ନାହିଁ । ଏମାନେ ତେଲୁଗୁ ଭାଷା ଆଦୌ ଜାଣନ୍ତି ନାହିଁ, ତେଲୁଗୁ ଭୂଷଣ ବା ପରିଧାନ ଧାରଣ କରନ୍ତି ନାହିଁ, ପୁଣି ଏମାନେ ଓଡ଼ିଆମାନଙ୍କ ଜାତୀୟ ରୀତିନୀତି, ପୁଣ୍ୟ ପର୍ବ ଓ ଜାନିଯାତ୍ରା ପ୍ରଭୃତି ପାଳନ କରନ୍ତି । ଏମାନେ ଉତ୍କଳୀୟଙ୍କ ସହିତ ମିଳି ମିଶି ରହନ୍ତି, ପୁଣି ସେମାନଙ୍କ ସୁଖ ଦୁଃଖରେ ଭାଗୀ ହୋଇଥାନ୍ତି । ବିଗତ ଜନସଂଖ୍ୟା ଗଣନାନୁସାରେ ଏମାନଙ୍କର ଘରନାମ ଥିବା ହେତୁରୁ ଏମାନଙ୍କୁ ତେଲୁଗୁ ବୋଲି ଗଣନା କରାଯାଇଅଛି । ଏହିପରି ତେଲୁଗୁ ଲୋକସଂଖ୍ୟାରେ ଭୁକ୍ତ ହୋଇଥିବା କେତେକ ଉତ୍କଳଭାଷୀ ଲୋକଙ୍କ ସଂଖ୍ୟା ନିମ୍ନରେ ପ୍ରଦତ୍ତ ହେଲା-

 

କମାର

୪୧୨୩

ବେଲମା

୭୪୩୧୪

ବୋଦରି

୧୯୯୦

ସାଲିଆ

୧୧୮୩୮

କାଳିଞ୍ଜି

୧୧୦୭୧

ଡମ

୬୪୮୧୫

କୁମୁଟି

୨୪୩୦୦

କାମ୍ପ

୧୫୦୨୫୩

 

ମୋଟ ପ୍ରାୟ ସାଢ଼େ ତିନିଲକ୍ଷ ।

 

ପ୍ରକୃତିର ନିୟମ ଏହି ଯେ ପରିଣାମରେ ବଳବାନ୍‌ ଲୋକର ଜୟ ହୁଏ । ବହୁସଂଖ୍ୟକ ଲୋକ ମଧ୍ୟରେ ସ୍ୱଳ୍ପସଂଖ୍ୟକ ଲୋକ ଆପଣାର ପାର୍ଥକ୍ୟ ରଖି ପାରନ୍ତି ନାହିଁ । ଗଞ୍ଜାମର ଉତ୍ତରାଞ୍ଚଳରେ ତେଲୁଗୁ ଜାତୀୟ ଲୋକେ ଯେପରି ଓଡ଼ିଆ ଭାଷା କହି ପାରନ୍ତି, ପୁଣି ଅନେକେ ତେଲୁଗୁ (ଆପଣାର ମାତୃଭାଷା) ଆଦୌ ଜାଣନ୍ତି ନାହିଁ ଏବଂ ନିଜର ‘ଘର ନାମ’ ସ୍ପଷ୍ଟରୂପେ ବୁଝିପାରି ନ ଥାନ୍ତି, ସେହିପରି ଗଞ୍ଜାମର ଦକ୍ଷିଣ ସୀମାବର୍ତ୍ତୀ ଚିକାକୋଲ ତାଲୁକା ଓ ତନ୍ନିକଟବର୍ତ୍ତୀ ପ୍ରଦେଶରେ ଓଡ଼ିଆ ଲୋକେ ମଧ୍ୟ ଆପଣାର ମାତୃଭାଷା ଓଡ଼ିଆ ଭଲରୂପେ କହି ପାରନ୍ତି ନାହିଁ କିମ୍ବା ବୁଝି ପାରନ୍ତି ନାହିଁ । ଓଡ଼ିଆମାନଙ୍କର ‘ଘର ନାମ’ (ଯାହାକୁ ତେଲଙ୍ଗା ଲୋକେ ‘ଇଣ୍ଟପେରୁ’ କହନ୍ତି) ନ ଥିଲେହେଁ ଏମାନେ ବହୁସଂଖ୍ୟକ ତେଲଙ୍ଗା ଲୋକଙ୍କ ସହିତ ମିଳିମିଶି ରହିବାରୁ ଆପଣା ଆପଣା ବଂଶ, ସଂଜ୍ଞା ବା ଜାତିର ନାମକୁ ନେଇ ‘ଘର ନାମ’ ରୂପରେ ବ୍ୟବହାର କରିଥାନ୍ତି । ପାଠକମାନଙ୍କ ବିଶଦ ଜ୍ଞାନ ସକାଶେ ଏହି ସ୍ଥାନରେ କେତେଗୋଟି ଦୃଷ୍ଟାନ୍ତ ଦେବା ଆବଶ୍ୟକ । ତେଲୁଗୁ ନାମ, ଯଥା- ସିଂହାଦ୍ରି ଗୋପାଳଂ, ନ୍ୟାୟପତି ରାମାନୁଜଂ, କାଞ୍ଚାରା ସୋମାନ୍ନା, ଚିନ୍ତାଲୁରୁ ଆପ୍‌ପୁଡ଼ୁ, ଉପୁଲୁରୁ ଲିଙ୍ଗାନ୍ନା ଇତ୍ୟାଦି । ନାମ ପୂର୍ବବର୍ତ୍ତୀ ରେଖାଚିହ୍ନିତ ପଦଗୁଡ଼ିକ ‘ ଘରନାମ’ ଅଟେ । ଏହି ରୀତିର ଅନୁକରଣରେ ଚିକାକୋଲ ଅଞ୍ଚଳର ଓଡ଼ିଆମାନେ ଆପଣାର ବଂଶ ନାମ ବା ସଂଜ୍ଞା ନତୁବା ଜାତି ନାମକୁ ନାମ ପୂର୍ବରେ ଯୋଗକରି କହିଥାନ୍ତି, ଯଥା- ବିଶ୍ୱାଳ ରାମ, ପରିଡ଼ା ଦୀନବନ୍ଧୁ, ବେହେରା ଜଗନ୍ନାଥ, ପ୍ରଧାନ ବନମାଳୀ ନୁତୁବା ପନ୍ଦରା ଶିବ, କେଉଟ କାଳିଆ ଇତ୍ୟାଦି । ଗଞ୍ଜାମର ଉତ୍ତରାଞ୍ଚଳର ଓଡ଼ିଆମାନେ ଚିକାକୋଲ ତାଲୁକାର ଓଡ଼ିଆମାନଙ୍କ ସହିତ ବନ୍ଧୁ ସମ୍ପର୍କ ବା ମିତ୍ରଭାବ ରଖିବା ଦୂରେ ଥାଉ, ଚିକାକୋଲ ଅଞ୍ଚଳରେ ଓଡ଼ିଆ ଲୋକ ନାହାନ୍ତି ବୋଲି ଏମାନଙ୍କର ଧାରଣା । ‘‘ଚିକାକୋଲ ପଠାଣ କାହାର ଗୋତ୍ର ?’’ ବୋଲି ଗଞ୍ଜାମରେ ଏକ ପ୍ରବାଦ ସିଦ୍ଧ କଥା ଅଛି । ଗଞ୍ଜାମରେ ତେଲୁଗୁ ଲୋକେ ଯେତେ ସହଜରେ ଏବଂ ଯେଉଁ ସୁବିଧାର ସହିତ ଓଡ଼ିଆ ଭାଷା ଶିଖି ପାରନ୍ତି, ଓଡ଼ିଆମାନେ ସେହିପରି ତେଲୁଗୁ ଭାଷା ଜାଣିପାରନ୍ତି ନାହିଁ । ତେଲୁଗୁ ଲୋକଙ୍କ ସ୍ତ୍ରୀ ଓ ବାଳକ ବାଳିକାଗଣ ଓଡ଼ିଆ ଭାଷା କହି ପାରନ୍ତି ଏବଂ ବୁଝି ପାରନ୍ତି, କିନ୍ତୁ ଓଡ଼ିଆମାନେ ସେପରି ତେଲୁଗୁ ଭାଷା ଜାଣି ପାରନ୍ତି ନାହିଁ ।

 

ତଥାପି ଓଡ଼ିଆ ଓ ତେଲଙ୍ଗାଙ୍କ ମଧ୍ୟରେ ଯଥେଷ୍ଟ ପରିମାଣରେ ଜାତୀୟ ବୈଲକ୍ଷଣ୍ୟ ଦେଖାଯାଏ । ସଙ୍ଗତିସମ୍ପନ୍ନ ନବାଗତ ତେଲୁଗୁ ବ୍ୟକ୍ତିମାନେ ଆପଣାର ଜାତୀୟ ବିଶେଷତ୍ୱ ରକ୍ଷା କରିବାକୁ ସ୍ୱଭାବତଃ ପ୍ରୟାସୀ । ତେଲୁଗୁମାନଙ୍କର ପଞ୍ଜିକା ପୃଥକ୍‌ । ଏମାନେ ଦୃଗଣିତ ପଞ୍ଜିକା ବ୍ୟବହାର କରନ୍ତି । ଏମାନଙ୍କର ଦିନଗଣନା ପ୍ରଣାଳୀ ପୃଥକ୍‌ । ଏମାନେ ଅମାବାସ୍ୟାକୁ ଅମାବାସ୍ୟା ମାସ ଗଣନା କରନ୍ତି । ଓଡ଼ିଆମାନଙ୍କର ପୁଣ୍ୟ ପର୍ବ ଓଷା ବ୍ରତ ବିଧାନ ସବୁ ତେଲୁଗୁମାନଙ୍କଠାରୁ ପୃଥକ୍‌ । ଶୁଭାଶୁଭ କାର୍ଯ୍ୟବେଳେ ସଙ୍କଳ୍ପ ବିଧାନ କଲାବେଳେ ଏମାନେ ‘‘ଉତ୍କଳେ ଦେଶେ’’ ବୋଲି କହନ୍ତି । ‘ଓଡ଼ିଆ ଶବ୍ଦରୁ ଓଡ଼ିଆମାନେ ଓଡ଼ିଶାବାସୀ ଥିବା ସୁସ୍ପଷ୍ଟ ପ୍ରତୀୟମାନ ହେଉଅଛି । ଅତି ପୂର୍ବରେ ଉଢ୍ର ବା ଓଡ଼ ନାମକ ଉତ୍କଳ ଜାତି ଆସି ଏହି ଅଞ୍ଚଳରେ ବଣ କାଟି ବସତି ସ୍ଥାପନ କଲେ ବୋଲି କିମ୍ବଦନ୍ତୀ ଅଛି । ଆଜି ପର୍ଯ୍ୟନ୍ତ ଏ ଦେଶରେ ରାଜାମାନେ ପୁରୀ ରାଜାଙ୍କୁ ଆପଣାର ମହାରାଜା ସ୍ୱରୂପ ଗ୍ରହଣ କରନ୍ତି, କିନ୍ତୁ ତେଲୁଗୁମାନେ ସେହିପରି ବିଜୟନଗର ରାଜାଙ୍କୁ ମହାରାଜା ରୂପେ ଗ୍ରହଣ କରନ୍ତି ।

 

ସୁବିଶାଳ ମାନ୍ଦ୍ରାଜ ପ୍ରେସିଡେନ୍‌ସିରେ ଗଞ୍ଜାମ ଜିଲ୍ଲାର ବହୁ ଅସୁବିଧା ଏବଂ ଦୁଃଖ । ଏହି ମାନ୍ଦ୍ରାଜ ପ୍ରେସିଡେନ୍‌ସିରେ ତେଲୁଗୁ, ତାମିଲ, ମଳୟାଳ ଏବଂ କନଡ଼ା ଏହି ଚାରିଗୋଟି ପ୍ରଧାନ ଭାଷା । ଏହି ହତାର ଉତ୍ତରତମ ଜିଲ୍ଲା ଗଞ୍ଜାମରେ କେବଳ ଓଡ଼ିଆ ଭାଷାର ବ୍ୟବହାର ହୁଏ । ଏହି ପ୍ରକାଣ୍ତ ମାନ୍ଦ୍ରାଜ କ୍ଷେତ୍ରରେ ଗଞ୍ଜାମ ଏକ ଗୋଷ୍ପଦସ୍ୱରୂପ । ବହୁସଂଖ୍ୟକ ଲୋକଙ୍କ ସୁଖ ସୁବିଧା ବିବେଚନାରେ ସ୍ୱଳ୍ପସଂଖ୍ୟକ ଓଡ଼ିଆଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ରଖା ଯାଇପାରେ ନାହିଁ । ମାନ୍ଦ୍ରାଜ ପ୍ରେସିଡେନ୍‌ସିରେ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ତାମିଲ, ତେଲୁଗୁ, ମଳୟାଳ ଏବଂ କନଡ଼ା ଭାଷା ସହିତ ପ୍ରଥମେ ଇଂରାଜୀ ଶିକ୍ଷା ଦିଆଗଲା । ଏହି ଶିକ୍ଷାବିଧାନର ପ୍ରାୟ ୫୦ ବର୍ଷ ପରେ ୧୮୫୮ ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଗୃହୀତ ହେଲା । ସେପର୍ଯ୍ୟନ୍ତ ଓଡ଼ିଆମାନଙ୍କୁ ତେଲୁଗୁ ଭାଷାଦ୍ୱାରା ଇଂରାଜୀ ଶିକ୍ଷା କରିବାକୁ ପଡ଼ୁଥିଲା । ତେଲେଙ୍ଗାମାନେ ଆପଣା ମାତୃଭାଷା ସାହାଯ୍ୟରେ ସହଜରେ ଇଂରାଜୀ ଶିକ୍ଷା କରି ଗଞ୍ଜାମରେ ଆସି ଆଧିପତ୍ୟ କଲେ, ପୁଣି ଓଡ଼ିଆଙ୍କର ଶିକ୍ଷକ ହେଲେ । ତେଲୁଗୁ ଶିକ୍ଷକମାନଙ୍କୁ ଓଡ଼ିଆ ଭାଷା ଆସେ ନାହିଁ । ସୁତରାଂ ନିରୀହ ଓଡ଼ିଆମାନଙ୍କୁ ତେଲୁଗୁ ଭାଷାଦ୍ୱାରା ରାଜଭାଷା ଶିକ୍ଷା କରିବାକୁ ପଡ଼ିଲା । ଯେହେତୁ ସ୍କୁଲମାନଙ୍କରେ ତେଲୁଗୁ ଭାଷା ଦ୍ୱିତୀୟ ଭାଷାରୂପେ ବ୍ୟବହୃତ ହେଲା । ଏହି କାରଣରୁ ଓଡ଼ିଆମାନେ ପଛରେ ପଡ଼ିଗଲେ ଏବଂ ତେଲେଙ୍ଗାମାନଙ୍କ ସହିତ ବିଦ୍ୟାଶିକ୍ଷାରେ ବା ରାଜକାର୍ଯ୍ୟରେ ପ୍ରତିଯୋଗିତା କରିପାରିଲେ ନାହିଁ । ଗଞ୍ଜାମର ଓଡ଼ିଆମାନେ ଆପଣାର ମାତୃଭାଷା ଓଡ଼ିଆ ମଧ୍ୟ ଆଉ ଭଲକରି ଶିଖି ପାରିଲେ ନାହିଁ । ଓଡ଼ିଆ ଭାଷା ପ୍ରତି ଆଗ୍ରହ ରହିଲା ନାହିଁ, ଯେହେତୁ ତେଲୁଗୁ ଭାଷାରେ ସକଳପ୍ରକାର କାର୍ଯ୍ୟ ଚଳିଲା । ତେଲୁଗୁ ଭାଷା ଶିକ୍ଷା ନ କଲେ ରାଜକାର୍ଯ୍ୟ ବୁଝାଯିବ ନାହିଁ, ପୁଣି ରାଜସମ୍ମାନ ପ୍ରାପ୍ତ ହେବ ନାହିଁ-ଓଡ଼ିଆମାନଙ୍କ ମନରେ ଏହି ଧାରଣା ଜାତ ହେଲା । ଆଜିପର୍ଯ୍ୟନ୍ତ ଅନେକ ଓଡ଼ିଆ ଲୋକେ ତେଲୁଗୁ ଭାଷା ଜାଣୁ ନ ଥିଲେହେଁ ତେଲୁଗୁ ଅକ୍ଷରତକ ଶିଖି ତେଲୁଗୁରେ ସ୍ୱାକ୍ଷର କରୁଅଛନ୍ତି, ତେଲୁଗୁ ସ୍ୱାକ୍ଷରର ଅଧିକ ମୂଲ୍ୟ ଓ ଗୌରବ ଅଛି ବୋଲି ମନେ କରନ୍ତି । ଏପରି କିଛିକାଳ ବହି ଗଲା ପରେ ସ୍ୱନାମଧନ୍ୟ ଦୁଇ ଚାରି ଜଣ ଗଞ୍ଜାମବାସୀ ଓଡ଼ିଆଙ୍କ ପ୍ରାର୍ଥନା ଗ୍ରହଣ କରି ଆମ୍ଭମାନଙ୍କ ନ୍ୟାୟନିଷ୍ଠ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଏବଂ ଗଞ୍ଜାମ ଜିଲ୍ଲାର କଚେରୀ ପ୍ରଭୃତିରେ ଓଡ଼ିଆଭାଷା ପରିଗୃହୀତ ହେବାର ଆଦେଶ କଲେ । ଏହି ଦେଶହିତ କାର୍ଯ୍ୟରେ ସ୍ୱର୍ଗୀୟ ବଳରାମ ମହାରଣା ଏବଂ ଉଇଲିୟମ୍‌ ମାହାନ୍ତି ପୁଣି ବର୍ତ୍ତମାନ ପେନ୍‌ସନ୍‌ପ୍ରାନ୍ତ ଶ୍ରୀଯୁକ୍ତ ଡାନିଏଲ ମହାନ୍ତି ଗଞ୍ଜାମରେ ଚିରସ୍ମରଣୀୟ ଅଛନ୍ତି । କିନ୍ତୁ ଦୁଃଖର ବିଷୟ, ଗଭର୍ଣ୍ଣମେଣ୍ଟଙ୍କର ଉକ୍ତ ଆଦେଶମାନ ଯଥାବିଧି କାର୍ଯ୍ୟରେ ପରିଣତ ହୋଇ ପାରୁନାହିଁ । ଓଡ଼ିଆମାନଙ୍କ ମଧ୍ୟରେ ଉଚ୍ଚ ଇଂରାଜୀ ଶିକ୍ଷିତ ଲୋକଙ୍କ ଅଭାବରୁ, ପୁଣି ଆମ୍ଭମାନଙ୍କର ତେଲେଙ୍ଗା ଭାଇମାନେ ଟିକିଏ ସ୍ୱାର୍ଥପର ହୋଇ ଓଡ଼ିଆମାନଙ୍କ ଉନ୍ନତି ସାଧନରେ ଉଦାସୀନ ବା ପ୍ରତିବନ୍ଧକ ହେବାରୁ ଗଞ୍ଜାମର ସରକାରୀ ଅଫିସମାନଙ୍କରେ ଯଥେଷ୍ଟ ପରିମାଣରେ ଓଡ଼ିଆ ଭାଷାର ବ୍ୟବହାର ହୋଇପାରୁ ନାହିଁ କିମ୍ବା ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାରେ ପ୍ରକୃତ ଉଚ୍ଚଶିକ୍ଷା ଦିଆଯାଇ ପାରୁନାହିଁ । ଗଞ୍ଜାମର ଓଡ଼ିଆ ଛାତ୍ରମାନଙ୍କର ଓଡ଼ିଆ ସାହିତ୍ୟ ଜ୍ଞାନ ଏତେ ମନ୍ଦ, ଏତେ କଦର୍ଯ୍ୟ ଯେ ଉପେନ୍ଦ୍ର, କବିସୂର୍ଯ୍ୟ ପ୍ରଭୃତି କବିମାନଙ୍କ ଜନ୍ମସ୍ଥାନ ଗଞ୍ଜାମର ଏମାନେ ସନ୍ତାନ ବୋଲି ଆପଣାର ପରିଚୟ ଦେବାକୁ ଲଜ୍ଜିତ ହେବେ । ପୁଣି ଆଜିକାଲି କାଳକ୍ରମେ ଓଡ଼ିଆମାନଙ୍କ ମଧ୍ୟରେ ଅନେକ ଲୋକ ଆଶାନୁରୂପ ଉପଯୁକ୍ତ ବିଦ୍ୟାଶିକ୍ଷା ପାଉଥିଲେହେଁ ଗଭର୍ଣ୍ଣମେଣ୍ଟ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ କର୍ମଚାରୀ ସଂଖ୍ୟା ଅତି ନ୍ୟୂନ । ଗଞ୍ଜାମରୁ ଚିକାକୋଲ୍‌ ତାଲୁକା ବାଦ ଦେଲେ ଏହି ଜିଲ୍ଲାରେ ତେଲୁଗୁ ଭାଷାରେ ଲେଖାପଢ଼ା ଜାଣିବା ଲୋକସଂଖ୍ୟା ସରକାରୀ ରିପୋର୍ଟ ଅନୁସାରେ ୧୭୯୮୨ ଥିଲାବେଳେ ଓଡ଼ିଆ ଭାଷାରେ ଲେଖାପଢ଼ା ଜାଣିବା ଲୋକସଂଖ୍ୟା ୪୬୧୪୧ । ଏହି ହିସାବ ଅନୁସାରେ ତେଲୁଗୁ ଭାଷାରେ ଶିକ୍ଷିତ ଲୋକସଂଖ୍ୟା ଅପେକ୍ଷା ଓଡ଼ିଆ ଭାଷାରେ ଶିକ୍ଷିତ ଲୋକସଂଖ୍ୟା ପ୍ରାୟ ତିନିଗୁଣ ବେଶି । କିନ୍ତୁ ହେଲେ କ’ଣ ହେବ, ଓଡ଼ିଆ ଭାଷାର ଅନାଦର ଏବଂ ଅନାବଶ୍ୟକତା ହେତୁରୁ ଓଡ଼ିଆମାନେ ଉନ୍ନତି ଲାଭ କରି ପାରନ୍ତି ନାହିଁ । ଗଞ୍ଜାମରେ ସ୍କୁଲ ଏବଂ କଲେଜମାନଙ୍କରେ ଯଥେଷ୍ଟ ସଂଖ୍ୟକ ଉପଯୁକ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତ ନ ଥିବାରୁ ଉତ୍କଳ ସାହିତ୍ୟରେ ଉପଯୁକ୍ତ ଶିକ୍ଷା ଦିଆ ଯାଇପାରେ ନାହିଁ । ଫଳରେ ଦେଖା ଯାଉଅଛି ଯେ, ଗଞ୍ଜାମର କଲେଜ ଶ୍ରେଣୀର ଛାତ୍ରମାନେ ମଧ୍ୟ ଓଡ଼ିଶାର ସେକେଣ୍ଡାରି ଶ୍ରେଣୀର ଛାତ୍ରମାନଙ୍କଠାରୁ ଭାଷାଜ୍ଞାନରେ ନ୍ୟୂନ । ପୁଣି ଗଭର୍ଣ୍ଣମେଣ୍ଟ ସ୍କୁଲମାନଙ୍କରେ ତେଲେଙ୍ଗା ଶିକ୍ଷକମାନେ ନିଯୁକ୍ତ ହୋଇଥିବାରୁ ନିମ୍ନଶ୍ରେଣୀର ଉତ୍କଳ ବାଳକମାନେ ଆପଣାର ମାତୃଭାଷା ସାହାଯ୍ୟରେ ସହଜରେ ଇଂରାଜୀ ଶିକ୍ଷା କରି ପାରନ୍ତି ନାହିଁ, ଯେହେତୁ ଓଡ଼ିଆ ଭାଷା ଭଲରୂପେ ଜାଣି ନ ଥିବା ତେଲେଙ୍ଗା ଶିକ୍ଷକମାନେ କ୍ଷୁଦ୍ର ବାଳକମାନଙ୍କୁ କୌଣସି ବିଷୟ ବିଶଦରୂପେ ବୁଝାଇ ଦେଇ ପାରନ୍ତି ନାହିଁ । ଗଞ୍ଜାମରେ ଓଡ଼ିଆମାନଙ୍କ ସକାଶେ ଉଚ୍ଚ ଧରଣର ଆଦର୍ଶ ବାଳିକା ବିଦ୍ୟାଳୟ ନାହିଁ । ଗଭର୍ଣ୍ଣମେଣ୍ଟ ସ୍ଥାପିତ ବଡ଼ ବଡ଼ ବାଳିକା ବିଦ୍ୟାଳୟମାନଙ୍କରେ ତେଲେଙ୍ଗା ଶିକ୍ଷକମାନେ ନିଯୁକ୍ତ ଥିବାରୁ ଏବଂ ଓଡ଼ିଆ ଭାଷାରେ ଶିକ୍ଷା ଦେବାର ବନ୍ଦୋବସ୍ତ ନ ଥିବାରୁ ଓଡ଼ିଆ ବାଳିକାମାନେ ଉକ୍ତ ସ୍କୁଲରେ ପଢ଼ନ୍ତି ନାହିଁ । ପୁଣି ଉତ୍କଳ ବାଳିକାଙ୍କ ଅଭାବ ଦେଖି କର୍ତ୍ତୃପକ୍ଷମାନେ ମଧ୍ୟ ଓଡ଼ିଆ ଶିକ୍ଷାର ଆୟୋଜନ କରିନଥାନ୍ତି । ଏହିପରି ଗଞ୍ଜାମରେ ବାଳକ ବାଳିକା ଉଭୟଙ୍କର ଭଲ ଶିକ୍ଷା ହୋଇପାରେ ନାହିଁ । ବର୍ତ୍ତମାନ ଦେଖନ୍ତୁ, ଗଞ୍ଜାମରେ ଦୁଇଗୋଟି କଲେଜ ଅଛି । ଖଲ୍ଲିକୋଟ କଲେଜ ଏବଂ ପାରଳା କଲେଜ । ଏହି ଜିଲ୍ଲାରେ ଓଡ଼ିଆଜାତି ଏବଂ ଉତ୍କଳଭାଷୀ ସଂଖ୍ୟା ତେଲେଙ୍ଗାମାନଙ୍କଠାରୁ ବହୁ ଗୁଣରେ ଅଧିକ ଥିଲେହେଁ, ଓଡ଼ିଆ ଛାତ୍ରଙ୍କ ସକାଶେ ଅଧା ବେତନ ଧାର୍ଯ୍ୟ ହୋଇଥିଲେହେଁ, ପୁଣି ଓଡ଼ିଆ ରାଜାଙ୍କ କର୍ତ୍ତୃକ ଉକ୍ତ କଲେଜମାନ ପ୍ରତିଷ୍ଠିତ ହୋଇଥିଲେହେଁ ଖଲ୍ଲିକୋଟ କଲେଜର ଛାତ୍ରସଂଖ୍ୟା ପ୍ରାୟ ୧୦୦୦ରୁ ଓଡ଼ିଆ ଛାତ୍ରସଂଖ୍ୟା ୨୦୦ ମାତ୍ର, ପୁଣି ପାରଳା କଲେଜର ମୋଟ ଛାତ୍ରସଂଖ୍ୟା ପ୍ରାୟ ୧୦୦୦ରୁ ଓଡ଼ିଆ ଛାତ୍ରସଂଖ୍ୟା ୩୦୦ ମାତ୍ର । ଏହାର କାରଣ ଓଡ଼ିଆ ଶିକ୍ଷକର ଅଭାବ । ଓଡ଼ିଆ ଭାଷାରେ ଶିକ୍ଷା ଦିଆ ଯାଇପାରେ ନାହିଁ । ତେଲୁଗୁ ତାମିଲ ଶିକ୍ଷକଙ୍କର ଓଡ଼ିଆ ଛାତ୍ର ପ୍ରତି ସ୍ୱଭାବତଃ ସହାନୁଭୂତି ରହେ ନାହିଁ । ତେଲେଙ୍ଗାମାନେ ଓଡ଼ିଆଙ୍କ ଉନ୍ନତିରେ ସୁଖୀ ହୁଅନ୍ତି ନାହିଁ । ପୁଣି ସେମାନଙ୍କ ଅଶିକ୍ଷା ଏବଂ ଅଭାବ ଦୂର କରିବାକୁ ଚେଷ୍ଟା କରନ୍ତି ନାହିଁ । ଏହି ସକଳ ଅସୁବିଧା ଓ ବାଧାବିଘ୍ନ ଅତିକ୍ରମ କରି କେହି କେହି ଛାତ୍ର ବ୍ରହ୍ମପୁର ବା ପାରଳା କଲେଜରୁ ମେଟ୍ରିକ୍ୟୁଲେସନ ଓ ଏଫ.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମଧ୍ୟ ବିଜୟନଗର, ରାଜମହେନ୍ଦ୍ର ଓ ମାନ୍ଦ୍ରାଜ ପ୍ରଭୃତି ସ୍ଥାନମାନଙ୍କୁ ଯାଇ ଉଚ୍ଚଶିକ୍ଷା କରି ପାରନ୍ତି ନାହିଁ । ଏହାର କାରଣ ଏହି ଯେ, ପ୍ରଥମତଃ ତେଲୁଗୁ ଦେଶରେ ଓଡ଼ିଆ ଛାତ୍ରମାନଙ୍କର ଖାଇବା ପିଇବାର କୌଣସି ସୁବିଧା ନାହିଁ । ତେଲେଙ୍ଗାମାନଙ୍କ ଘରେ ଓଡ଼ିଆମାନେ ଖାଆନ୍ତି ନାହିଁ । ତେଲେଙ୍ଗାମାନଙ୍କ ରନ୍ଧା ପ୍ରଣାଳୀ ଓ ଖାଦ୍ୟପଦାର୍ଥ ଓଡ଼ିଆମାନଙ୍କଠାରୁ ଭିନ୍ନ । ଦ୍ୱିତୀୟତଃ ଏହି ସ୍ଥାନମାନ ଗଞ୍ଜାମରୁ ବହୁ ଦୂରବର୍ତ୍ତୀ । ଗମନାଗମନରେ ବହୁତ ଧନ ବ୍ୟୟ ହୁଏ । ଗରିବ ଓଡ଼ିଆମାନେ ଏତେ ବ୍ୟୟ କରିପାରନ୍ତି ନାହିଁ । ତୃତୀୟତଃ ଓଡ଼ିଆ ଛାତ୍ରମାନଙ୍କର ଓଡ଼ିଆ ସାହିତ୍ୟ ଶିକ୍ଷା ପାଇଁ ଏହି ସ୍ଥାନମାନଙ୍କରେ କୌଣସି ଆୟୋଜନ କରାଯାଇ ନାହିଁ । ସ୍କୁଲ ଏବଂ କଲେଜମାନଙ୍କରେ ଓଡ଼ିଆ ପଣ୍ଡିତ ନିଯୁକ୍ତ ନାହାନ୍ତି । ପୁଣି କୌଣସି ପଣ୍ଡିତଙ୍କ ନିକଟକୁ ଯାଇ ଓଡ଼ିଆ ସାହିତ୍ୟ ଶିକ୍ଷା କରିବାର ଉପାୟ ନାହିଁ । ରାଜମହେନ୍ଦ୍ର ବା ମାନ୍ଦ୍ରାଜରେ ଉତ୍କଳ ପଣ୍ଡିତ କାହୁଁ ପାଇବ ? ଚତୁର୍ଥତଃ ଏହି ସୁଦୂରବର୍ତ୍ତୀ ତେଲୁଗୁ ତାମିଲ ପ୍ରଦେଶମାନଙ୍କରେ ଓଡ଼ିଆମାନଙ୍କର ଏପରି ବନ୍ଧୁ ବା ପରିଚିତ ଲୋକ ଅତ୍ୟନ୍ତ ବିରଳ, ଯାହାଙ୍କଠାରୁ ସେମାନେ ସମୟ ସମୟରେ ସାହାଯ୍ୟ ଶୁଶ୍ରୂଷା ପାଇ ପାରିବେ । ଏହିପରି ନାନାବିଧ କାରଣରୁ ଓଡ଼ିଆ ଛାତ୍ରମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ରହନ୍ତି ।

 

ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ବା ଉପଯୁକ୍ତ ପରିମାଣରେ ଓଡ଼ିଆମାନେ ଗଭର୍ଣ୍ଣମେଣ୍ଟ କାର୍ଯ୍ୟରେ ନିଯୁକ୍ତ ହୋଇ ନାହାନ୍ତି । କଚେରିମାନଙ୍କରେ ଓଡ଼ିଆ ଭାଷାର ଯଥେଷ୍ଟ ବ୍ୟବହାର ହୁଏ ନାହିଁ ବୋଲି ଏବଂ ତେଲୁଗୁ କର୍ମଚାରୀମାନଙ୍କର ସାହାଯ୍ୟ ସହାନୁଭୂତି ପାଆନ୍ତି ନାହିଁ ବୋଲି ଓଡ଼ିଆମାନେ ଇଂରାଜୀ ଶିକ୍ଷାରେ ଆସ୍ଥା ରଖନ୍ତି ନାହିଁ ଏବଂ ନିଜ ମାତୃଭାଷା ପ୍ରତି ହେୟଜ୍ଞାନ କରନ୍ତି । ଗଭର୍ଣ୍ଣମେଣ୍ଟ କଚେରିମାନଙ୍କରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ସକାଶେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ବାରମ୍ୱାର କଡ଼ା ହୁକୁମ ଜାରି କରୁଥିଲେ ହେଁ ଏହି ଆଦେଶମାନ କାର୍ଯ୍ୟରେ ପରିଣତ ହୁଏ ନାହିଁ, କାରଣ ବହୁସଂଖ୍ୟକ ଓଡ଼ିଆ କର୍ମଚାରୀ ନାହାନ୍ତି, ପୁଣି ତେଲୁଗୁ କର୍ମଚାରୀମାନେ ଓଡ଼ିଆ ଭାଷାରେ କାର୍ଯ୍ୟ ଚଳାଇବା ଭଳି ଓଡ଼ିଆ ଭାଷା ଶିକ୍ଷା କରି ନାହାନ୍ତି, କିମ୍ୱା କରିବାକୁ ଚେଷ୍ଟା କରନ୍ତି ନାହିଁ । ଯେଉଁମାନେ ଓଡ଼ିଆ ଭାଷାର କିଛି ଅକ୍ଷର ଶିଖି ଲେଖାପଢ଼ା କରିବାକୁ ବସନ୍ତି, ସେମାନଙ୍କ ଲିପି ଓ ଭାଷା ଗରିବ ଓଡ଼ିଆଙ୍କ ପକ୍ଷରେ ଅନେକ ସମୟରେ ଗ୍ରୀକ୍‌ ଭାଷା ପରି ବୋଧହୁଏ । କଚେରିମାନଙ୍କରେ ଓଡ଼ିଆ ସାକ୍ଷିମାନଙ୍କଠାରୁ ତେଲୁଗୁ ଭାଷାରେ ଜବାନବନ୍ଦି ନିଆଯାଏ । ଅନେକ ସମୟରେ ତେଲଙ୍ଗା ମାଜିଷ୍ଟ୍ରେଟମାନେ ଓଡ଼ିଆ ଆସାମିମାନଙ୍କ ମନର ଭାବ ବୁଝି ପାରନ୍ତି ନାହିଁ । ଓଡ଼ିଆ ଭାଷାରେ ସାକ୍ଷ୍ୟ ଗ୍ରହଣ କରିବା ସକାଶେ କଲେକ୍ଟର ମହାଶୟ କଡ଼ା ଆଦେଶ ଜାରି କରୁଥିଲେ ହେଁ ତାହାର ଅମଳ ଚଳି ପାରେ ନାହିଁ । ନୋଟିସ ଓ ସମନମାନ ତେଲୁଗୁ ଭାଷାରେ ଲିଖିତ ହୋଇ ଓଡ଼ିଆ ଲୋକଙ୍କୁ ଦିଆଯାଏ । ପଲ୍ଲିଗ୍ରାମସ୍ଥ ଓଡ଼ିଆ ଲୋକେ ଏହି ନୋଟିସ ବା ସମନ ପାଇ ତହିଁର କୌଣସି ମର୍ମ ବୁଝି ପାରନ୍ତି ନାହିଁ, ନିକଟସ୍ଥ କୌଣସି ସହରକୁ ଯାଇ କୌଣସି ତେଲୁଗୁ ଜାଣିବା ଲୋକକୁ କିଛି ପଇସା ଦେଇ ଉକ୍ତ ନୋଟିସ ବା ସମନର ଅର୍ଥ ବୁଝନ୍ତି । ଏଥିସକାଶେ ଗରିବ ଓଡ଼ିଆମାନଙ୍କୁ ବହୁ ଧନ ବ୍ୟୟ ଏବଂ ଶ୍ରମ ସ୍ୱୀକାର କରିବାକୁ ହୁଏ । ଡାକଘରମାନଙ୍କରୁ ତେଲୁଗୁ ଭାଷାରେ ମନିଅର୍ଡ଼ର ପ୍ରଭୃତି ଫାରମମାନ ଦିଆଯାଏ, ପୁଣି ଅଦାଲତ ଓ କୋର୍ଟମାନଙ୍କରେ ଅଭିଯୋଗପତ୍ରମାନ ତେଲୁଗୁ ଭାଷାରେ ଅନୁବାଦିତ ହୋଇ ଦାଖଲ ହୁଏ । ଓଡ଼ିଆଭାଷାନଭିଜ୍ଞ ଓକିଲମାନଙ୍କର ଅଯଥା ଅନୁବାଦ ହେତୁରୁ ସମୟ ସମୟରେ ମହକିଲମାନେ ଅନେକ କ୍ଷତିଗ୍ରସ୍ତ ହୋଇଥାନ୍ତି । ପୁଣି ଅନେକ ରେଭିନ୍ୟୁ କର୍ମଚାରୀମାନେ ମଧ୍ୟ ଓଡ଼ିଆ ଭାଷା ଭଲରୂପେ ବୁଝି ନ ପାରିବାରୁ ପ୍ରଜାମାନଙ୍କର ଗୁହାରି ହୃଦୟଙ୍ଗମ କରି ପାରି ନଥାନ୍ତି । ଏହି ସ୍ଥାନରେ ଏହା ମଧ୍ୟ ବକ୍ତବ୍ୟ ଯେ କତିପୟ ଶିକ୍ଷିତ ଓଡ଼ିଆମାନଙ୍କର ଉତ୍କଳ ସମାଜ ପକ୍ଷରୁ ବାରମ୍ୱାର ପ୍ରାର୍ଥନା କରାଯିବାକୁ ସମ୍ପ୍ରତି ନୋଟିସ, ସମନ, ମନିଅର୍ଡ଼ର ଫାରମ ପ୍ରଭୃତି ଓଡ଼ିଆ ଭାଷାରେ ଲିଖିତ ହେଉଅଛି । ତଥାପି ଅନେକ ସମୟରେ ଏବଂ ଅନେକ ସ୍ଥାନରେ ଓଡ଼ିଆ ଫାରମମାନ ଗଚ୍ଛିତ ଥିଲେ ସୁଦ୍ଧା ତେଲୁଗୁ ଗୁମାସ୍ତାମାନଙ୍କ ଦ୍ୱାରା ତେଲୁଗୁ ଫାରମ ବ୍ୟବହୃତ ହୁଏ ଏବଂ ନୋଟିସ ପ୍ରଭୃତି ତେଲୁଗୁ ଭାଷାରେ ଲିଖିତ ହୁଏ । ପୁଣି କେହି କେହି ନ୍ୟାୟନିଷ୍ଠ କର୍ମଚାରୀମାନେ, ମୁନ୍‌ସଫ୍‌ ଏବଂ ମାଜିଷ୍ଟ୍ରେଟମାନେ ଓଡ଼ିଆଙ୍କ ନ୍ୟାଯ୍ୟ ଦାବୀ ଗ୍ରହଣ କରି ଓଡ଼ିଆ ଭାଷାରେ ଲିଖିତ କାଗଜପତ୍ର ଆଗ୍ରହ ସହିତ ଗ୍ରହଣ କରି ଓଡ଼ିଆ ଭାଷାର ବହୁଳ ପ୍ରଚାର ପ୍ରତି ଦୃଷ୍ଟି ରଖନ୍ତି; କିନ୍ତୁ ଏହି ରୀତି ଚିରସ୍ଥାୟୀ ହୁଏ ନାହିଁ, ଯେହେତୁ ଏମାନେ ସ୍ଥାନାନ୍ତରିତ ହେଲେ ପୁନରପି ଓଡ଼ିଆ ବଦଳରେ ତେଲୁଗୁ ବ୍ୟବହୃତ ହୁଏ । ରେଜିଷ୍ଟରୀ ଅଫିସମାନଙ୍କରେ ବହୁ ସଂଖ୍ୟକ ଦସ୍ତାବିଜ ଯେଉଁ ଭାଷାରେ ଲିଖିତ ହୁଏ, ସେହି ଭାଷାରେ ଉକ୍ତ ଦସ୍ତାବିଜଗୁଡ଼ିକର ସୂଚୀପତ୍ର ଏବଂ ସାରସଂଗ୍ରହ ଲେଖାଯିବ ବୋଲି କର୍ତ୍ତୃପକ୍ଷମାନଙ୍କର ଆଦେଶ ଥିଲେହେଁ ତେଲୁଗୁ ଲୋକମାନେ ସବ୍‌ରେଜିଷ୍ଟ୍ରାର ଏବଂ ରେଜିଷ୍ଟ୍ରାର ଥିବା ହେତୁରୁ ରେଜିଷ୍ଟରୀ ଅଫିସରେ ଇଣ୍ଡେକ୍‌ସ ବହିଗୁଡ଼ିକ ଏପର୍ଯ୍ୟନ୍ତ ତେଲୁଗୁ ଭାଷାରେ ଲିଖିତ ହେଉଥିଲା । ବର୍ତ୍ତମାନ ରେଜିଷ୍ଟରୀ ବିଭାଗରେ ଦୁଇଜଣ ଓଡ଼ିଆ ସବ୍‌ରେଜିଷ୍ଟ୍ରାର ନିଯୁକ୍ତ ହେଲାରୁ ଓଡ଼ିଆ ଦସ୍ତାବିଜର ଇଣ୍ଡେକ୍‌ସ ଓଡ଼ିଆ ଭାଷାରେ ଲେଖା ଯାଉଅଛି । ଇଚ୍ଛାପୁର ଗୋଟିଏ ଓଡ଼ିଆଭାଷୀ ତାଲୁକା ହେଲେହେଁ ତେଲୁଗୁ ସବ୍‌ରେଜିଷ୍ଟ୍ରାରମାନଙ୍କ ଅମଳରେ ଇଚ୍ଛାପୁର ଅଫିସରେ ସମସ୍ତ ଦଲିଲପତ୍ର ତେଲୁଗୁ ଭାଷାରେ ଲେଖାଯାଉଥିଲା । ସେଠାରେ ଜଣେ ଓଡ଼ିଆ ସବ୍‌ରେଜିଷ୍ଟ୍ରାର ନିଯୁକ୍ତ ହେବାରୁ ସେଠାର ଦସ୍ତାବିଜମାନ ଓଡ଼ିଆ ଭାଷାରେ ଲେଖାଗଲା । କିନ୍ତୁ, ଯେତେବେଳେ ଉକ୍ତ ଓଡ଼ିଆ ସବ୍‌ରେଜିଷ୍ଟ୍ରାର ସେଠାରୁ ବଦଳି ହୋଇଗଲେ, ଓଡ଼ିଆ ଭାଷାରେ ଲିଖିତ ଦସ୍ତାବିଜ ସଂଖ୍ୟା ଦିନକୁ ଦିନ କମି ଯାଉଅଛି । ଏଥିରୁ ସୁସ୍ପଷ୍ଟ ଜଣା ଯାଉଅଛି ଯେ ଗଞ୍ଜାମରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କ ଆଦେଶ ଥିଲେହେଁ ତେଲେଙ୍ଗା କର୍ମଚାରୀମାନେ ଓଡ଼ିଆ ଭାଷାର ଯଥେଷ୍ଟ ବ୍ୟବହାର କରିବାକୁ କୁଣ୍ଠିତ ହୁଅନ୍ତି ।

 

ଗଞ୍ଜାମରେ ତେଲୁଗୁ ଓ ତାମିଲ କର୍ମଚାରୀମାନଙ୍କ ଆଧିକ୍ୟ ହେତୁ, ଓଡ଼ିଆଭାଷାର ବ୍ୟବହାର ଊଣା ହେବା ହେତୁ, ଓଡ଼ିଆଭାଷାନଭିଜ୍ଞ ତେଲୁଗୁ କର୍ମଚାରୀମାନେ ଓଡ଼ିଆ ଭାଷାର ଅନୁବାଦକ ହେବା ହେତୁ, ଓଡ଼ିଆଭାଷାର ବିଶୁଦ୍ଧତା ଦିନକୁଦିନ ନଷ୍ଟ ହେଉଅଛି । ତେଲଙ୍ଗା ଲୋକମାନେ ଅଧା ତେଲୁଗୁ ଏବଂ ଅଧା ଓଡ଼ିଆ କରି କହନ୍ତି ଏବଂ ଲେଖନ୍ତି । ଏହି ଅନୁବାଦର କେତେଗୋଟି ଦୃଷ୍ଟାନ୍ତ ନିମ୍ନରେ ପ୍ରଦତ୍ତ ହେଲା । ରେଜିଷ୍ଟରୀ ଅଫିସମାନଙ୍କରେ ‘‘Execution admitted by’’ ଏହାର ଅନୁବାଦ ‘‘ଲେଖିଦେଲା ପରି ଅପି ଘେନିବାର’’ ବୋଲି ଧାର୍ଯ୍ୟ ହୋଇଅଛି । ଲେଖିଦେବାର ଏହି ଯେ = ଲେଖି ଘେନିବାର କି ବୋଇଲେ, ପୈଠ କରିବା = ଚେଲୁ କରିବା, ସାକ୍ଷ ଦେବା = ସାକ୍ଷ ପାଲିକିବା, ବଣ୍ଟନପତ୍ର = ପାରିଖାତୁ, ବିଭାଗ = ଅନ୍ତୁ, ଦୁର୍ଭିକ୍ଷ = କାରୁଗୁ, ପାଚଲାକଦଳୀ = କଦଳୀ ପାକଲା, ଇତ୍ୟାଦି ।

 

ଭାରତୀୟ ଭାଷାଗୁଡ଼ିକୁ ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ କରଯାଇ ପାରେ, ଯଥା-ଆାର୍ଯ୍ୟ ଏବଂ ଦ୍ରାବିଡ଼ । ଯେଉଁ ଭାଷାମାନ ସଂସ୍କୃତରୁ ଅପଭ୍ରଷ୍ଟ ହୋଇ ବାହାରିଅଛି, ତାହା ସବୁ ଆର୍ଯ୍ୟ, ଯଥା-ହିନ୍ଦି, ବଙ୍ଗଳା, ମହାରାଷ୍ଟ୍ର ଏବଂ ଓଡ଼ିଆ । ଏହି ଭାଷାମାନଙ୍କ ମଧ୍ୟରେ ପରସ୍ପର ସମ୍ୱନ୍ଧ ଦେଖାଯାଏ । ତେଲୁଗୁ, ତାମିଲ ପ୍ରଭୃତି ଦାକ୍ଷିଣାତ୍ୟ ଭାଷାଗୁଡ଼ିକୁ ଦ୍ରାବିଡ଼ କୁହାଯାଏ । ସୁତରାଂ ଓଡ଼ିଆ ସହିତ ତେଲୁଗୁର କୌଣସି ସମ୍ୱନ୍ଧ ନାହିଁ । ଗଞ୍ଜାମର ଓଡ଼ିଆଭାଷା ତେଲୁଗୁ ସଂସ୍ରବରେ କଦାକାର ଧାରଣ କରି ଦିନକୁଦିନ ଲୁପ୍ତପ୍ରାୟ ହେଉଅଛି ।

 

ମାନ୍ଦ୍ରାଜ ପ୍ରେସିଡେନ୍‌ସିରେ ଦ୍ରାବିଡ଼ଭାଷାର ବହୁଳ ବ୍ୟବହାର ଓ ଆନ୍ଧ୍ର ଦ୍ରାବିଡ଼ ଜାତିର ପ୍ରାଦୁର୍ଭାବ ଥିବା ହେତୁରୁ ଏହି ପ୍ରେସିଡେନ୍‌ସିରେ ତେଲୁଗୁ ଓ ତାମିଲମାନଙ୍କର ପୂଣ୍ୟପର୍ବାଦି ଉତ୍ସବମାନଙ୍କରେ ଗଭର୍ଣ୍ଣମେଣ୍ଟ କଚେରୀମାନ ବନ୍ଦ ହୋଇଯାଏ, କିନ୍ତୁ ଓଡ଼ିଆଙ୍କ ବିଶେଷ ପର୍ବଦିନମାନଙ୍କରେ କଚେରୀ ଛୁଟି ହୁଏ ନାହିଁ । ତେଲୁଗୁ ଓ ତାମିଲମାନଙ୍କର ବର୍ଷାରମ୍ଭ ଦିନରେ, ‘‘ପୋଙ୍ଗଲ’’ ବା ମକର ସଂକ୍ରାନ୍ତି ଉତ୍ସବରେ ଏବଂ ‘‘ବୈକୁଣ୍ଠ ଏକାଦଶୀ’’ରେ ଛୁଟି ଦିଆଯାଏ । ଏ ଦିନମାନଙ୍କରେ ଓଡ଼ିଆମାନଙ୍କର କୌଣସି ଉତ୍ସବ ବା ପର୍ବ ପାଳନ ବିଧାନ ନାହିଁ । ଦୋଳପୂର୍ଣ୍ଣିମା, କୁମାରପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟା, ଶମ୍ୱରଦଶମୀ, ଗୁଣ୍ଡିଚାଯାତ୍ରା ପ୍ରଭୃତି ଓଡ଼ିଆମାନଙ୍କର ଉତ୍ସବ ଦିନମାନଙ୍କରେ ଛୁଟି ଦିଆଯାଏ ନାହିଁ ।

 

ପୂର୍ବେ କୁହାଯାଇଅଛି, ଆନ୍ଧ୍ର ଏବଂ ଉତ୍କଳୀୟମାନଙ୍କ ଗଣନା ପ୍ରଣାଳୀରେ ପ୍ରଭେଦ ଦେଖାଯାଏ । ଅମାବାସ୍ୟାଠାରୁ ଆନ୍ଧ୍ରମାନଙ୍କର ଚାନ୍ଦ୍ରମାସର ଗଣନା ଆରମ୍ଭ ହୁଏ ଏବଂ ଉତ୍କଳୀୟମାନଙ୍କର ପୂର୍ଣ୍ଣିମାରୁ ଆରମ୍ଭ ହୁଏ । ପୁଣି ପଞ୍ଜିକା ଭେଦରେ ଆନ୍ଧ୍ର ଏବଂ ଉତ୍କଳୀୟ ମଧ୍ୟରେ ତିଥିବିଶେଷର ଭେଦ ସଙ୍ଗେ ସଙ୍ଗେ ଅନେକ ସମୟରେ ଉତ୍ସବାଦି ବିଧାନର ପ୍ରଭେଦ ଘଟିଥାଏ । ଆନ୍ଧ୍ରମାନଙ୍କ ପକ୍ଷରେ ଯେଉଁଦିନ ଅମାବାସ୍ୟା, ଉତ୍କଳୀୟମାନଙ୍କ ପକ୍ଷରେ ସେ ଦିନ ପ୍ରତିପତ୍‌ ହୋଇପାରେ; ଏହିପରି ଏକ ଜାତିର ଏକାଦଶୀ ଦିନ ଅନ୍ୟ ଜାତିର ହୁଏତ ଦ୍ୱାଦଶୀ ପାରଣା ହୋଇଥାଇପାରେ । ଗଞ୍ଜାମର ଓଡ଼ିଆମାନେ ଏହିପରି ଆପଣା ଜାତୀୟ ଉତ୍ସବ ଆନନ୍ଦରୁ ବଞ୍ଚିତ ହୋଇ ଆପଣାର ପୂଣ୍ୟପର୍ବାଦି ଉତ୍ସବ ଦିନମାନଙ୍କରେ ବାଧ୍ୟହୋଇ କାମ କରନ୍ତି । ଏଥିଲାଗି ଏମାନଙ୍କୁ କେତେ କଷ୍ଟ ଭୋଗ କରିବାକୁ ହୁଏ, ତାହା ନ୍ୟାୟନିଷ୍ଠ କର୍ତ୍ତୃପକ୍ଷମାନେ ସହଜରେ ଅନୁମାନ କରି ପାରିବେ ।

 

ଗଞ୍ଜାମ ଜିଲ୍ଲାରୁ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ବହୁ ଦୂରରେ ଅବସ୍ଥିତ । ଗଞ୍ଜାମବାସୀ ଓଡ଼ିଆମାନଙ୍କ ପକ୍ଷରେ ମାନ୍ଦ୍ରାଜ ଯାତ୍ରା ବହୁ ବ୍ୟୟସାପେକ୍ଷ । ମାନ୍ଦ୍ରାଜରେ କେହି ଜଣେ ସୁଦ୍ଧା ଓଡ଼ିଆ ବାସ କରିନାହାନ୍ତି । ଓଡ଼ିଆମାନେ ମାନ୍ଦ୍ରାଜର ତେଲୁଗୁ ଓ ତାମିଲଭାଷା ଆଦୌ ବୁଝନ୍ତି ନାହିଁ-। ଓଡ଼ିଆମାନଙ୍କର ସେଠାରେ ଖାଇବା ପିଇବାର ସୁବିଧା ନାହିଁ, ବନ୍ଧୁବାନ୍ଧବ ବା ପରିଚିତ ଲୋକ ନାହାନ୍ତି । ଏହି କାରଣରୁ ଗଞ୍ଜାମର ଓଡ଼ିଆ ସାଧାରଣ ଗଭର୍ଣ୍ଣମେଣ୍ଟ ବିଷୟ ବୁଝନ୍ତି ନାହିଁ ଏବଂ କର୍ତ୍ତୃପକ୍ଷଙ୍କ ନିକଟରେ ଆପଣାର ଦୁଃଖ କଷ୍ଟ ସହଜରେ ଜଣାଇ ପାରନ୍ତି ନାହିଁ । ସୁତରାଂ ଗଭର୍ଣ୍ଣମେଣ୍ଟ ମଧ୍ୟ ଏହି ସୁଦୂରବର୍ତ୍ତୀ ପଶ୍ଚାତ୍‌ପଦ ଜାତିର ଦୁଃଖ କଷ୍ଟ ଓ ଅଭାବଗୁଡ଼ିକ ଜାଣିପାରି ତହିଁର ପ୍ରତିକାର କରିବାକୁ ଅବକାଶ ପାଇପାରନ୍ତି ନାହିଁ ।

 

ଗଞ୍ଜାମର ଓଡ଼ିଆମାନେ ବଙ୍ଗାଳିଙ୍କ ପରି ସାଧାରଣତଃ ଚୈତନ୍ୟଧର୍ମାବଲମ୍ୱୀ ଅଟନ୍ତି । ଏମାନଙ୍କ କର୍ଣ୍ଣଗୁରୁମାନେ ପୁରୀ ଅଞ୍ଚଳରେ ବାସ କରନ୍ତି । ତେଲଙ୍ଗା ସାଧାରଣ ଚୈତନ୍ୟଧର୍ମ କଣ ଆଦୌ ବୁଝନ୍ତି ନାହିଁ । ସୁତରାଂ ତେଲଙ୍ଗା ଓ ଓଡ଼ିଆମାନେ ଏକତ୍ର ଉପାସନା କରିପାରନ୍ତି ନାହିଁ । ଓଡ଼ିଆମାନଙ୍କ ସଂକୀର୍ତ୍ତନମଣ୍ଡଳୀରେ ତେଲଙ୍ଗାମାନେ ଯୋଗ ଦେଇପାରନ୍ତି ନାହିଁ । ଉଭୟ ଜାତି ହିନ୍ଦୁଧର୍ମର ଅନ୍ତର୍ଗତ ହେଲେହେଁ ସାମ୍ପ୍ରଦାୟିକ ମତଭେଦରେ ପୃଥକ୍‌ ଅଟନ୍ତି । ଏହି ମତାନୈକ୍ୟ ହେତୁରୁ ସେମାନଙ୍କ ମଧ୍ୟରେ ପରସ୍ପର ସହାନୁଭୂତିର ଅଭାବ ଦେଖାଯାଏ ।

 

ଆନ୍ଧ୍ର ଏବଂ ଉତ୍କଳୀୟଙ୍କ ମଧ୍ୟରେ ରୀତି-ନୀତି, ଆଚାର-ବ୍ୟବହାରରେ ଅନେକ ପ୍ରଭେଦ ଦେଖାଯାଏ । ଶୁଦ୍ଧ, ଶ୍ରାଦ୍ଧ ଓ ବ୍ରତ-ବିବାହ ପ୍ରଭୃତି ଶୁଭାଶୁଭ କାର୍ଯ୍ୟମାନଙ୍କରେ ଏମାନଙ୍କର ପୁରୋହିତମାନଙ୍କର କର୍ମକାଣ୍ଡ ଏକାନ୍ତ ପୃଥକ୍‌ । ଆନ୍ଧ୍ରମାନେ ମାତୁଳା କନ୍ୟା ବିବାହ କରନ୍ତି, ଏମନ୍ତ କି ଏମାନଙ୍କ ମଧ୍ୟରେ କୌଣସି କୌଣସି ଜାତିର ଲୋକେ ଆପଣା ମାମୁର ଝିଅକୁ ବିବାହ କରିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଓଡ଼ିଆ ସାଧାରଣ ମାମୁଁଝିଅକୁ ଭଉଣୀ ବୋଲି ଜ୍ଞାନ କରନ୍ତି । ଆନ୍ଧ୍ରମାନଙ୍କ ମଧ୍ୟରେ ବ୍ରାହ୍ମଣ ଛଡ଼ା ଅନ୍ୟାନ୍ୟ ଅନେକ ସଚ୍ଛୂଦ୍ର ଜାତିର ଲୋକେ ମଦିରା ବ୍ୟବହାର କରନ୍ତି ଏବଂ କୁକୁଟ ମାଂସ ଭକ୍ଷଣ କରନ୍ତି । ଏଥିସକାଶେ କୌଣସି ଜାତିଗତ ବା ଧର୍ମଗତ ନିଷେଧ ନାହିଁ । ଏହା ବ୍ୟବହାର କରିବା ହେତୁ କେହି ଜାତିଭ୍ରଷ୍ଟ ହୁଅନ୍ତି ନାହିଁ । କିନ୍ତୁ ଓଡ଼ିଆମାନଙ୍କ ମଧ୍ୟରେ ମଦ କୁକୁଡ଼ା ସର୍ବତୋଭାବେ ନିଷେଧ କରାଯାଇ ଅଛି । ଗଉଡ଼ ଭଣ୍ଡାରି ପ୍ରଭୃତି ସଚ୍ଛୂଦ୍ରମାନେ ମଦ୍ୟ ବା କୁକ୍‌କୁଟ ସ୍ପର୍ଶ କରିପାରିବେ ନାହିଁ । ଏମାନଙ୍କ ମଧ୍ୟରେ କେବଳ ନିହାତି ନୀଚ ଜାତିର ଲୋକେ ଅର୍ଥାତ୍‌ ଧୋବା, ବାଉରି, ହାଡ଼ି, ପାଣ ପ୍ରଭୃତି ଚଣ୍ଡାଳଶ୍ରେଣୀଭୁକ୍ତ ଲୋକେ ମଦ୍ୟ ଏବଂ କୁକ୍‌କୁଟ ମାଂସ ଗ୍ରହଣ କରନ୍ତି । ଓଡ଼ିଆମାନଙ୍କ ମଧ୍ୟରେ ଧୋବା ଏକ ଅସ୍ପୃଶ୍ୟଜାତି, କିନ୍ତୁ ତେଲଙ୍ଗାମାନଙ୍କ ଗୃହରେ ଏମାନେ ଭଣ୍ଡାରି ପରି ସକଳ କାର୍ଯ୍ୟ କରନ୍ତି । ତେଲୁଗୁ ବ୍ରାହ୍ମଣମାନେ ସଚ୍ଛୂଦ୍ର କଥା ଦୂରେ ଥାଉ, ଉତ୍କଳ ବ୍ରାହ୍ମଣମାନଙ୍କଠାରୁ ମଧ୍ୟ ଜଳ ପର୍ଯ୍ୟନ୍ତ ଗ୍ରହଣ କରନ୍ତି ନାହିଁ । କିନ୍ତୁ ଉତ୍କଳ ବ୍ରାହ୍ମଣମାନେ ଗୋପ, ନାପିତ ପ୍ରଭୃତି ସଚ୍ଛୂଦ୍ରମାନଙ୍କଠାରୁ ଜଳ ଗ୍ରହଣ କରିବାକୁ ନିଷେଧ କରନ୍ତି ନାହିଁ । ଆନ୍ଧ୍ର ବ୍ରାହ୍ମଣମାନେ ନିରାମିଷଭୋଜୀ, କିନ୍ତୁ ଉତ୍କଳ ବ୍ରାହ୍ମଣମାନଙ୍କ ମଧ୍ୟରେ ମତ୍ସ୍ୟ ମାଂସ ଭକ୍ଷଣର ନିଷେଧ ନାହିଁ । ଆନ୍ଧ୍ର ଏବଂ ଉତ୍କଳ ଉଭୟ ଜାତି ମଧ୍ୟରେ ଖାଦ୍ୟପାନ ପ୍ରଣାଳୀ ମଧ୍ୟ ପୃଥକ୍‌ ।

 

ଓଡ଼ିଆ ତେଲଙ୍ଗା ମଧ୍ୟରେ ଆଉ ଏକ ପ୍ରଧାନ ପ୍ରଭେଦ ଦେଖାଯାଏ । ଉତ୍କଳ ମହିଳାଗଣ ଅନ୍ତଃପୁରବାସିନୀ । ଏମାନେ ବାହାରେ ଆସି ପ୍ରକାଶ୍ୟ ଭାବରେ ବିଚରଣ କରିପାରନ୍ତି ନାହିଁ । କିନ୍ତୁ ତେଲୁଗୁଜାତିର ସ୍ତ୍ରୀମାନଙ୍କର ବିଶେଷତଃ ବ୍ରାହ୍ମଣ ସ୍ତ୍ରୀମାନଙ୍କର ଅବରୋଧପ୍ରଥା ନାହିଁ । ଏମାନେ ବାହାରେ ସ୍ୱଚ୍ଛନ୍ଦରେ ବିଚରଣ କରିପାରନ୍ତି । ଓଡ଼ିଆ ଓ ତେଲୁଗୁ ମଧ୍ୟରେ ବେଶଭୂଷା ଓ ପରିଧାନ ରୀତି ମଧ୍ୟ ଭିନ୍ନ ପ୍ରକାର । ଓଡ଼ିଆମାନଙ୍କ ମଧ୍ୟରେ ପୁରୁଷମାନେ ସାଧାରଣତଃ ୮।୯ ହାତ ଲମ୍ୱ ଲୁଗା ପିନ୍ଧନ୍ତି, କିନ୍ତୁ ତେଲଙ୍ଗାମାନଙ୍କର ୫ ବା ୬ ହାତ ହେଲେ ଯଥେଷ୍ଟ, ଯେହେତୁ ଏମାନେ ଆପଣା ପଛପଟରେ କଛାରୁ ହାତେ ବା ଦୁଇହାତ ଲମ୍ୱରେ ଗୋଟିଏ ଫେର ଛାଡ଼ି ଦେଇଥାନ୍ତି । ଓଡ଼ିଆ ସ୍ତ୍ରୀମାନେ ଅବଗୁଣ୍ଠନବତୀ, ଅର୍ଥାତ୍‌ ଏମାନେ ମୁଣ୍ଡରେ ଓଢ଼ଣା ଦେଇଥାନ୍ତି; କିନ୍ତୁ ତେଲୁଗୁ ସ୍ତ୍ରୀମାନଙ୍କର ଓଢ଼ଣା ଦେବା ନିଷିଦ୍ଧ । ଏମାନଙ୍କ ମଧ୍ୟରେ ଅବଗୁଣ୍ଠନ ବିଧବାର ଚିହ୍ନରୂପେ ଗୃହୀତ ହୁଏ । ଏହିପରି, ନାନାବିଧ ବେଶଭୂଷା ଘେନି ତେଲୁଗୁମାନେ ଆପଣାକୁ ସଭ୍ୟ ମନେକରନ୍ତି ଏବଂ ଓଡ଼ିଆମାନଙ୍କୁ ଅସଭ୍ୟ ବୋଲି ଘୃଣା କରନ୍ତି ।

 

ଜାତିରେ, ଭାଷାରେ, ଧର୍ମରେ, ଆଚାର ବ୍ୟବହାରରେ, ରୀତି-ନୀତିରେ, ଖାଦ୍ୟପାନରେ ଓ ବେଶଭୂଷାରେ ଉତ୍କଳୀୟମାନେ ଆନ୍ଧ୍ରମାନଙ୍କଠାରୁ ଏତେ ପୃଥକ୍‌ ଥିବା ସ୍ଥଳେ ଗଞ୍ଜାମର ଓଡ଼ିଆମାନେ ଦକ୍ଷିଣାଞ୍ଚଳର ତେଲୁଗୁଅଧିବାସୀଙ୍କ ସହିତ ବନ୍ଧୁ ସମ୍ୱନ୍ଧ ସ୍ଥାପନ କରିବା ଏକାନ୍ତ ଅସମ୍ଭବ । ଗଞ୍ଜାମର ଓଡ଼ିଆମାନଙ୍କର ଓଡ଼ିଶା, ପୁରୀ, ବାଲେଶ୍ୱର ଓ ସମ୍ୱଲପୁରର ଅଧିବାସୀ ସ୍ୱଜାତୀୟ ଓଡ଼ିଆଙ୍କ ସହିତ ବନ୍ଧୁ କରିବା କଥା, କିନ୍ତୁ ରାଜନୈତିକ ସମ୍ୱନ୍ଧ ଅଭାବରୁ ଏମାନେ ପ୍ରାକୃତିକ ଓଡ଼ିଶା ଅଞ୍ଚଳକୁ ସହଜରେ ଯାଇ ନ ପାରି ଆପଣା ମଧ୍ୟରେ ବୈବାହିକ ସମ୍ୱନ୍ଧ ସ୍ଥାପନରେ ଅନେକ ଅସୁବିଧା ଭୋଗ କରୁଅଛନ୍ତି । ଏମାନେ ଏକ ଦିଗରେ ଆପଣାର ସ୍ୱଜାତୀୟ ଓଡ଼ିଶାବାସୀ ଓଡ଼ିଆଙ୍କଠାରୁ ବିଚ୍ଛିନ୍ନ ରହି ପୁଣି ଅନ୍ୟ ଦିଗରେ ପ୍ରବଳ ଏବଂ ଉନ୍ନତ ଆନ୍ଧ୍ରମାନଙ୍କ ସହିତ ପ୍ରତିଯୋଗିତା କରି ନ ପାରି ଏହି ଭାରତ ସାମ୍ରାଜ୍ୟରେ ଜାତୀୟ ଉନ୍ନତି କରିପାରୁ ନାହାନ୍ତି ।

 

ସମ୍ପ୍ରତି ସମଗ୍ର ଉତ୍କଳ ପ୍ରଦେଶର କେନ୍ଦ୍ରସ୍ଥାନ ଓଡ଼ିଶା । ଗଞ୍ଜାମ ପ୍ରଭୃତି ବିଚ୍ଛିନ୍ନ ଉତ୍କଳଭାଷୀ ପ୍ରଦେଶଗୁଡ଼ିକ ଓଡ଼ିଶା ସହିତ ମିଶ୍ରିତ ହେଲେ, ଉତ୍କଳୀୟ ଜନସଂଖ୍ୟା ଏକ କୋଟିରୁ ଊର୍ଦ୍ଧ୍ୱ ହେବ । ସେତେବେଳେ ଏକତ୍ରିତ ଉତ୍କଳ ଜାତି ଏକ ପ୍ରାଦେଶିକ ଶାସନାଧୀନ ରହି ଆପଣାର ଜାତୀୟ ଉନ୍ନତି ସାଧନ କରିପାରିବ ଏବଂ କାଳକ୍ରମେ ଉନ୍ନତ ଆନ୍ଧ୍ର ଓ ବଙ୍ଗୀୟ ଜାତି ସହିତ ପ୍ରତିଯୋଗିତା କରି ପାରିବ, ଏଥିରେ ସନ୍ଦେହ ନାହିଁ ।

 

ଇଂରେଜମାନେ ଓଡ଼ିଶାକୁ ପ୍ରାୟ ୧୦୦ ବର୍ଷ ହେଲା ଆସିଅଛନ୍ତି, କିନ୍ତୁ ଅନେକ ପୂର୍ବରୁ ଗଞ୍ଜାମକୁ ଆସିଅଛନ୍ତି । ସୁତରାଂ ଓଡ଼ିଶା ଅପେକ୍ଷା ବହୁଦିନ ପୂର୍ବରୁ ଇଂରାଜୀ ସଭ୍ୟତା ଗଞ୍ଜାମକୁ ସ୍ପର୍ଶ କରିଅଛି । ତଥାପି ଆଜି ଗଞ୍ଜାମ ଅପେକ୍ଷା ଓଡ଼ିଶା ଉନ୍ନତତର । ପୁରୀଜିଲ୍ଲା ଏକ ରକ୍ଷଣଶୀଳ ବ୍ରାହ୍ମଣପ୍ରଧାନ ସ୍ଥାନ; ଏଠାରେ ଲୋକଙ୍କର ଇଂରାଜୀ ଶିକ୍ଷା ପ୍ରତି ଯଥେଷ୍ଟ ଶ୍ରଦ୍ଧା ନାହିଁ; ଏଠାରେ ରାଜା, ଜମିଦାର ପ୍ରାୟ ନାହାନ୍ତି । ଏତେ ବିଘ୍ନ ଥିଲେହେଁ ପୁରୀଜିଲ୍ଲା ଗଞ୍ଜାମ ଅପେକ୍ଷା ଅନେକାଂଶରେ ଭଲ । ଏହି ଜିଲ୍ଲାର ଅନେକ ବି.ଏ., ଏମ୍‌.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଅଛନ୍ତି । ଏମାନଙ୍କ ମଧ୍ୟରୁ ଅନେକେ ଓକିଲ, ଡେପୁଟି କଲେକ୍ଟର ଏବଂ ସବ୍‌ଡେପୁଟି କଲେକ୍ଟର କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ଏହି ଜିଲ୍ଲାରେ ସଂସ୍କୃତ ପଣ୍ଡିତଙ୍କ ସଂଖ୍ୟା ଦୁଇ ତିନିଶତରୁ ଊଣା ହେବ ନାହିଁ । ପୁଣି ଦେଶୀୟ ଭାଷାରେ ସୁଶିକ୍ଷିତ ଲୋକସଂଖ୍ୟା ସର୍ବାପେକ୍ଷା ଅଧିକ ଏବଂ ସମସ୍ତ କାର୍ଯ୍ୟାଳୟ ଉତ୍କଳୀୟ କର୍ମଚାରୀରେ ପରିପୂର୍ଣ୍ଣ । ଜନସଂଖ୍ୟା, ଅନୁପାତରେ ଦେଖିବାକୁ ଗଲେ ଓଡ଼ିଶାର ଉଚ୍ଚ ଶିକ୍ଷିତ ଏବଂ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଗଞ୍ଜାମ ଅପେକ୍ଷା ଅନେକ ଗୁଣରେ ବେଶି । ଅନେକେ ବି.ଏ., ବି.ଏଲ୍‌., ଏଲ୍‌.ଏ., ଏମ୍‌.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସ୍କୁଲ ସବ୍‌ଇନ୍‌ସପେକ୍ଟର, ନର୍ମାଲ ସ୍କୁଲ ହେଡ୍‌ମାଷ୍ଟର, ସ୍କୁଲ ଇନ୍‌ସ୍ପେକ୍ଟର, ଡେପୁଟି ଇନ୍‌ସ୍ପେକ୍ଟର, ପ୍ରୋଫେସର, ପୋଲିସ ଇନ୍‌ସ୍ପେକ୍ଟର, ସବ୍‌ଇନ୍‌ସ୍ପେକ୍ଟର, ମ୍ୟୁନିସିପାଲ୍‌ ଚେୟାର୍‌ମେନ୍‌, ମୋକ୍ତାର, ମୁନ୍‌ସଫ୍‌, ଅନୁବାଦକ, ସବ୍‌ଡେପୁଟି, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ ସର୍ଜନ, ଇଞ୍ଜିନିଅର ପ୍ରଭୃତି କାର୍ଯ୍ୟରେ ନିଯୁକ୍ତ ଅଛନ୍ତି-। ଓଡ଼ିଶାର ଓଡ଼ିଆମାନେ ଜିଲ୍ଲା ମାଜିଷ୍ଟ୍ରେଟ୍‌, ଗଭର୍ଣ୍ଣମେଣ୍ଟ ଏଜେଣ୍ଟ, ବ୍ୟବସ୍ଥାପକ ସଭାର ସଭ୍ୟ, କମିଶନରଙ୍କ ପର୍ସନାଲ ଆସିଷ୍ଟାଣ୍ଟ୍‌, ଗଡ଼ଜାତ ମାହାଲର ଆସିଷ୍ଟାଣ୍ଟ୍‌ ସୁପରିଟେଣ୍ଡେଣ୍ଟ୍‌, ରାୟ ବାହାଦୂର, ସି.ଆଇ.ଇ., ମହାରାଜା, ରାଜା ବାହାଦୂର ଏବଂ ମହାମହୋପାଧ୍ୟାୟ ପର୍ଯ୍ୟନ୍ତ ପଦବୀ ପ୍ରାପ୍ତ ହୋଇଅଛନ୍ତି । ଗଭର୍ଣ୍ଣମେଣ୍ଟ ଅଫିସମାନଙ୍କରେ ସାଧାରଣ କର୍ମଚାରୀ ମାତ୍ରେ ପ୍ରାୟ ସମସ୍ତେ ଓଡ଼ିଆ । ଦୃଷ୍ଟାନ୍ତସ୍ୱରୂପ କଟକର ପ୍ରଧାନ ବିଚାରାଳୟାଦିମାନଙ୍କରେ ନିଯୁକ୍ତ ଥିବା କର୍ମଚାରୀ ସଂଖ୍ୟାର ବିବରଣ ଦେଖାଯାଉ :-

 

 

ଜଜ୍‌, ସବ ଜଜ୍‌ ଓ ମୁନ୍‌ସଫ୍‌

ଓଡ଼ିଆ

ବଙ୍ଗାଳୀ

୪୬

ଜିଲ୍ଲା କଲେକ୍ଟର ଓ ମାଜିଷ୍ଟ୍ରେଟ କୋର୍ଟରେ

ଓଡ଼ିଆ

ବଙ୍ଗାଳୀ

ତେଲେଙ୍ଗା

୧୩୦

କମିଶନର କୋର୍ଟରେ

ଓଡ଼ିଆ-

ମାନ୍ଦ୍ରାଜୀ

ବଙ୍ଗାଳୀ

ୟୁରେସିଆନ

୨୦

 

ପ୍ରାୟ ଆଠବର୍ଷ ପୂର୍ବେ ଏହି ହିସାବ ଧରା ଯାଇଥିଲା । ଲୋକସଂଖ୍ୟା ଓ ରାଜକର୍ମଚାରୀ ମଧ୍ୟରେ ଏହି ଅନୁପାତରେ ଦେଖିବାକୁ ଗଲେ ଓଡ଼ିଶାରେ ବିଜାତୀୟ କର୍ମଚାରୀଙ୍କ ସଂଖ୍ୟା ଯେତେ, ଗଞ୍ଜାମରେ ଉତ୍କଳୀୟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ସେତେ ହେବ କହିଲେ ଚଳିପାରେ । ଓଡ଼ିଶାରେ ପ୍ରତ୍ୟେକ କଚେରୀ, ପ୍ରତ୍ୟେକ କାର୍ଯ୍ୟାଳୟ ଓଡ଼ିଆ କର୍ମଚାରୀରେ ପୂର୍ଣ୍ଣ । ରାଜାମାନଙ୍କର ଦେବାନ ମ୍ୟାନେଜର ପ୍ରାୟ ସମସ୍ତେ ଓଡ଼ିଆ । ପୁଣି ଗଭର୍ଣ୍ଣମେଣ୍ଟ ଅଫିସମାନଙ୍କରେ ଛୋଟ ବଡ଼ ପ୍ରାୟ ସକଳ କାର୍ଯ୍ୟ ଉତ୍କଳୀୟମାନଙ୍କ ଅଧିକୃତ । ଡାକ୍ତର ଏବଂ ସବ୍‌ ଓଭରସିଅର ଅଧିକାଂଶ ଓଡ଼ିଆ । କଟକ ସର୍ଭେ ସ୍କୁଲ ଓ କଟକ ମେଡ଼ିକାଲ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ଅନେକ ଓଡ଼ିଆ ବିଦେଶରେ ଯାଇ କାର୍ଯ୍ୟ କରୁଅଛନ୍ତି । କେତେଜଣ ବ୍ରହ୍ମଦେଶରେ ଏବଂ ଚୀନ୍‌ ଦେଶରେ ଚିକିତ୍ସା ଏବଂ ଡାକ ବିଭାଗରେ କାର୍ଯ୍ୟ କରୁଥିଲେ । କେତେଜଣ ଆସାମରେ ଏବଂ ଦାର୍ଜିଲିଂରେ ଡାକ୍ତରୀ କାର୍ଯ୍ୟ କରିଅଛନ୍ତି । ଜଣେ ଆଲିପୁର ପ୍ରେସିଡେନ୍‌ସି ଜେଲରେ, ପୁଣି ଜଣେ ସେଠାର ସରକାରୀ ଡାକ୍ତରଖାନାରେ ଡାକ୍ତର ପଦରେ ନିଯୁକ୍ତ ଥିଲେ । ଏହିପରି, ଓଡ଼ିଆମାନେ ଦେଶାନ୍ତର ଯାଇ ଦକ୍ଷତା ସହିତ କାର୍ଯ୍ୟ କରି ଆସିଅଛନ୍ତି । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଓଡ଼ିଶାବାସୀ ଓଡ଼ିଆମାନେ ବଙ୍ଗ ବିଭାଗରେ ରହି ଉନ୍ନତ ବଙ୍ଗାଳୀଙ୍କ ସହିତ ପ୍ରତିଯୋଗିତା କରି ବିଦ୍ୟା ଓ ପଦଗୌରବ ଲାଭ କରିବାକୁ ସମର୍ଥ ହୋଇଅଛନ୍ତି ।

 

ବଙ୍ଗାଳୀ ସଂସ୍ରବରୁ ଯେ ଓଡ଼ିଶାର ଓଡ଼ିଆମାନେ ଏତେଦୂର ଉନ୍ନତି ଲାଭ କରିବାକୁ ପାରିଲେ, ଏହା ବୋଲାଯାଇ ନପାରେ । ତାହାହେଲେ, ଗଞ୍ଜାମର ଓଡ଼ିଆମାନେ ମଧ୍ୟ ଉନ୍ନତ ତେଲୁଗୁ ଜାତି ସଙ୍ଗରେ ରହି ଉନ୍ନତି ଲାଭ କରି ପାରିଥାନ୍ତେ । ବଙ୍ଗାଳୀ ସହିତ ଓଡ଼ିଆଙ୍କର ଭାଷାରେ, ଧର୍ମରେ, ରାଜନୀତିରେ, ଆଚାର ବ୍ୟବହାର ଏବଂ ବେଶଭୂଷାରେ ବେଶି ସମ୍ୱନ୍ଧ ଥିଲେ ସୁଦ୍ଧା ଓଡ଼ିଶା-ଓଡ଼ିଆଙ୍କର ଅପେକ୍ଷାକୃତ ଅଧିକ ଉନ୍ନତିର କାରଣ କେବଳ ଓଡ଼ିଶାରେ ଓଡ଼ିଆଭାଷାରେ ବ୍ୟବହାର ଏବଂ ଉତ୍କଳ ସାହିତ୍ୟର ବହୁଳ ଚର୍ଚ୍ଚା । ଗତ ପ୍ରାଦେଶିକ ବିଭାଗ ଏବଂ ମିଶ୍ରଣବେଳେ ସମ୍ୱଲପୁର ଯେପରି ଓଡ଼ିଶା ସହିତ ମିଳିତ ହେଲା, ଆଜି ଯଦି ମହାମହିମ ବଡ଼ଲାଟଙ୍କ ମହିୟସୀ କୃପାରୁ ଗଞ୍ଜାମ ଜିଲ୍ଲା ଓଡ଼ିଶା ସହିତ ମିଶି ଏକ ପ୍ରାଦେଶିକ ଶାସନାଧୀନ ରହେ, ତେବେ ଗଞ୍ଜାମରେ ସମସ୍ତ ରାଜକାର୍ଯ୍ୟ ଓଡ଼ିଆଭାଷାରେ ଚଳିବ, ରାଜକାର୍ଯ୍ୟମାନଙ୍କରେ ଓଡ଼ିଆ ଲୋକେ ନିଯୁକ୍ତ ହେବେ, ଓଡ଼ିଆମାନେ ଓଡ଼ିଆଙ୍କର ଭାଷା ଓ ଭାବ ସହଜରେ ବୁଝି ପାରିବେ, ଚତୁର୍ଦ୍ଦିଗରେ ଓଡ଼ିଆ ସ୍କୁଲ ସ୍ଥାପିତ ହେବ, ଓଡ଼ିଆ ଶିକ୍ଷକମାନେ ନିଯୁକ୍ତ ହେବେ, ଓଡ଼ିଆ ଶିକ୍ଷକଙ୍କଠାରୁ ଓଡ଼ିଆ ପିଲାମାନେ ସହଜରେ ବିଦ୍ୟାଶିକ୍ଷା କରିପାରିବେ, ଏହିପରି ଓଡ଼ିଆଭାଷା ସଙ୍ଗେ ସଙ୍ଗେ ଓଡ଼ିଆ-ସାହିତ୍ୟ ଏବଂ ଓଡ଼ିଆ ଜାତିର ଉନ୍ନତି ହେବ । ଗଞ୍ଜାମ ଓଡ଼ିଶା ସହିତ ମିଶିଲେ ଗଞ୍ଜାମର ଛାତ୍ରମାନେ କଟକ ଯାଇ ବିଦ୍ୟାଶିକ୍ଷା କରି ପାରିବେ । ଏଠାରେ ବି. ଏ. ଏବଂ ଏମ. ଏ. ପର୍ଯ୍ୟନ୍ତ ପଢ଼ିବାର ସୁବିଧା ଅଛି । ନର୍ମାଲ, ସର୍ଭେ ଏବଂ ମେଡ଼ିକାଲ ସ୍କୁଲମାନ ଅଛି । ପୁଣି ବାଳିକାମାନଙ୍କ ସକାଶେ ଉଚ୍ଚଶିକ୍ଷାର ବିଦ୍ୟାଳୟ ଅଛି । କଟକର ଜଳବାୟୁ ସ୍ୱାସ୍ଥ୍ୟକର । ମାନ୍ଦ୍ରାଜ ତୁଳନାରେ ସେଠାରେ ଖାଦ୍ୟଦ୍ରବ୍ୟର ଦର ଶସ୍ତା, ଘରଭଡ଼ା ମଧ୍ୟ ସାମାନ୍ୟ, ମାସିକ ୫।୬ ଟଙ୍କା ବ୍ୟୟରେ ସାଧାରଣ ଭାବରେ ଜଣେ ଛାତ୍ର ଚଳି ଯାଇପାରେ । ବ୍ରହ୍ମପୁରଠାରୁ କଟକ ରେଳପଥରେ ଚାରିଘଣ୍ଟା ଦୂର ମାତ୍ର । କଟକରେ ଓଡ଼ିଆ ଅଭିଭାବକମାନଙ୍କର ଅଭାବ ନାହିଁ । ଛାତ୍ରମାନଙ୍କର ଅଭାବ ରହିବ ନାହିଁ । ଅନେକ ବନ୍ଧୁବାନ୍ଧବ ଓ ପରିଚିତ ଲୋକ ସାହାଯ୍ୟ ଦେବାକୁ ମିଳିବେ । ଏହି ସକଳ ସୁବିଧା ପାଇ ଗଞ୍ଜାମର ଛାତ୍ରମାନେ କଟକରେ ରହି ବିଭିନ୍ନ ବିଭାଗରେ ବିଦ୍ୟୋନ୍ନତି ଲାଭ କରି ଶିକ୍ଷକ, ଓଭରସିଅର, ଡାକ୍ତର, ଓକିଲ, ମୁନ୍‌ସଫ୍‌ ପ୍ରଭୃତି କାର୍ଯ୍ୟରେ ନିଯୁକ୍ତ ହୋଇ ଜାତୀୟ ଭାଇମାନଙ୍କର ମଙ୍ଗଳ ସାଧନ କରିବେ । ଓଡ଼ିଶାରେ ସଂସ୍କୃତ ଶିକ୍ଷାର ସୁନ୍ଦର ବ୍ୟବସ୍ଥା ଅଛି, ମାନ୍ଦ୍ରାଜରେ ସେପରି ନାହିଁ । ତେଲୁଗୁ ଛାତ୍ରମାନଙ୍କ ଅପେକ୍ଷା ବଙ୍ଗାଳୀ ଓ ଓଡ଼ିଆ ଛାତ୍ରମାନେ ସହଜରେ ସଂସ୍କୃତ ଭାଷା ଶିକ୍ଷା କରି ପାରନ୍ତି, ଯେହେତୁ ଓଡ଼ିଆ ଓ ବଙ୍ଗଳା ସଂସ୍କୃତର ଅପଭ୍ରଂଶ ମାତ୍ର । ସଂସ୍କୃତ ଭାଷାର ଚର୍ଚ୍ଚା ନ କଲେ ଓଡ଼ିଆଭାଷାର ଉନ୍ନତି ସାଧିତ ହୋଇପାରେ ନାହିଁ, ଯେପରି କି ମାତାର ଅଭାବରେ ଶିଶୁର ରକ୍ଷା ଅସମ୍ଭବ ।

 

ପ୍ରାକୃତିକ ଉତ୍କଳରେ ରାଜା, ମହାରାଜା, ଜମିଦାର, ଧନୀବ୍ୟକ୍ତିମାନେ ଅନେକ ଅଛନ୍ତି, କିନ୍ତୁ ଏମାନେ ବିଭିନ୍ନ ହୋଇ ପଡ଼ିଥିବା ହେତୁ ସମ୍ମିଳିତ ଚେଷ୍ଟାର ଅଭାବରୁ ସେମାନଙ୍କର ସାମର୍ଥ୍ୟ ଓ କ୍ଷମତା ସବୁ ଫଳପ୍ରଦ ହୋଇ ପାରୁନାହିଁ । ଗଞ୍ଜାମ ଓଡ଼ିଶା ସହିତ ସମ୍ମିଳିତ ହେଲେ ରାଜାମାନଙ୍କ କ୍ଷମତା ଓ ଜମିଦାରମାନଙ୍କ ସ୍ୱପ୍ନ ଅକ୍ଷୁଣ୍ଣ ରହିବ, ପୁଣି ସେମାନଙ୍କର ପଦମର୍ଯ୍ୟାଦା ଓ ନେତୃତ୍ୱ ଉତ୍ତରୋତ୍ତର ବର୍ଦ୍ଧିତ ହେବ ।

 

ବଙ୍ଗ ବିଭାଗରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରତିଷ୍ଠିତ ଅଛି । ଓଡ଼ିଶାରେ ମଧ୍ୟ ଚିରସ୍ଥାୟୀ ବନ୍ଦୋବସ୍ତ କରିଦେବେ ବୋଲି ୧୮୦୪ ସାଲରେ ଗଭର୍ଣ୍ଣମେଣ୍ଟ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଜ୍ଞା ପାଳନ କରିବା ନ୍ୟାୟସଙ୍ଗତ । କାଳକ୍ରମେ ନ୍ୟାୟଶୀଳ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଏହି ପ୍ରତିଜ୍ଞା ପାଳନ କରି ପାରନ୍ତି । ଗଞ୍ଜାମ ଜିଲ୍ଲା ରାଜନୈତିକ ଓଡ଼ିଶାରେ ମିଶିଲେ, କାଳକ୍ରମେ ଏହି ଭାଗ୍ୟ ଭୋଗ କରିପାରେ ।

 

ବର୍ତ୍ତମାନ ଗଞ୍ଜାମ-ଓଡ଼ିଆଙ୍କ କଥା ଓଡ଼ିଶା-ଓଡ଼ିଆଙ୍କ ମନକୁ ଆକର୍ଷଣ କରେନାହିଁ । ପୁଣି କଟକ-ଓଡ଼ିଆଙ୍କ ସୁଖ ଦୁଃଖ ପ୍ରତି ଗଞ୍ଜାମ-ଓଡ଼ିଆଙ୍କର ସହାନୁଭୂତି ରହି ପାରେନାହିଁ । କିନ୍ତୁ ସମଗ୍ର ପ୍ରାକୃତିକ ଉତ୍କଳ ଏକ ଶାସନ ସୂତ୍ରରେ ଆବଦ୍ଧ ରହିଲେ, ଏକ କୋଟିରୁ ଊର୍ଦ୍ଧ୍ୱ ଓଡ଼ିଆଙ୍କ ସ୍ୱାର୍ଥ ସମ୍ମିଳିତ ହେବ ଏବଂ ଏମାନଙ୍କ ମଧ୍ୟରେ ପରସ୍ପର ବନ୍ଧୁତାର କ୍ଷେତ୍ର ବିସ୍ତୃତ ହେବ । ଆଜି ଗଞ୍ଜାମ ଓଡ଼ିଆମାନେ ଆପଣା ମଧ୍ୟରେ ବୈବାହିକ ସମ୍ୱନ୍ଧ ସ୍ଥାପନ କରିବାରେ ଯେଉଁ ଅସୁବିଧା ଭୋଗ କରୁଅଛନ୍ତି, ତାହା ସବୁ ଦୂର ହେବ । ଯେହେତୁ ସୁବିଶାଳ ପ୍ରାକୃତିକ ଉତ୍କଳ ପ୍ରଦେଶରେ ଇଚ୍ଛାନୁସାରେ ବର କନ୍ୟା ନିର୍ବାଚନର ସୁବିଧା ବଢ଼ିବ । ପରସ୍ପର ଖାଦ୍ୟପାନ ସମ୍ପର୍କ ଓ ଆଦାନ ପ୍ରଦାନ ପୂର୍ବକ ବନ୍ଧୁ ସମ୍ୱନ୍ଧ ସ୍ଥାପନରେ ପରସ୍ପର ପ୍ରତି ସହାନୁଭୂତି ବଢ଼େ । ଏହି ସହାନୁଭୂତିରୁ ଏକତା ଜନ୍ମେ । ଜାତୀୟ ଏକତାହିଁ ଜାତୀୟ ଉନ୍ନତିର ମୂଳ କାରଣ । ସମଗ୍ର ଉତ୍କଳର ସମ୍ମିଳନ ହେଲେ, ଏହି ଏକତା ପ୍ରତିଷ୍ଠିତ ହେବ । ଜାତୀୟ ଏକତାରୁ ଜାତୀୟ ଶିକ୍ଷା, ଜାତୀୟ ସଭ୍ୟତା ଏବଂ ଜାତୀୟ କ୍ଷମତା ଜନ୍ମେ । ଜାତୀୟ ଶିକ୍ଷାରୁ ଜାତୀୟ ସାହିତ୍ୟ ଏବଂ ଜାତୀୟ ବିଜ୍ଞାନ ପୁଷ୍ଟି ଲାଭ କରେ ଏବଂ ଉତ୍ତରୋତ୍ତର ଉନ୍ନତ ହୋଇଉଠେ । ଯେଉଁ ଜାତିରେ ସାହିତ୍ୟ ଓ ବିଜ୍ଞାନ ଯେଉଁ ପରିମାଣରେ ବିସ୍ତୃତ, ସେହି ଜାତି ସେହି ପରିମାଣରେ ସୁଖ-ସ୍ୱାଚ୍ଛନ୍ଦ୍ୟର ଅଧିକାରୀ । ଜାତୀୟ ଏକତାରୁ ଜାତୀୟ କ୍ଷମତା ସଙ୍ଗେ ସଙ୍ଗେ ଜାତୀୟ ଗୌରବ ବଢ଼େ । ଏହି ଏକ ଦୃଷ୍ଟାନ୍ତ ପ୍ରତି ଲକ୍ଷ୍ୟ କରନ୍ତୁ । ଅନେକ ସୂତ୍ର ଏକତ୍ର ହେଲେ, ସୂତ୍ରଗୁଚ୍ଛ ଦ୍ୱାରା ମତ୍ତହସ୍ତୀ ସୁଦ୍ଧା ଆବଦ୍ଧ ରହେ । କିନ୍ତୁ ଉକ୍ତ ସୂତ୍ରଗୁଡ଼ିକ ବିଭିନ୍ନ ହେଲେ ମଶକ ପଦଦ୍ୱାରା ମଧ୍ୟ ଛିନ୍ନ ହୋଇଯାଏ । ସାମାଜିକ, ସାହିତ୍ୟିକ, ବୈଷୟିକ ଏବଂ ରାଜନୈତିକ ମିଳନଦ୍ୱାରା ଜାତୀୟ ମିଳନ ବା ଏକତା ସମ୍ପାଦିତ ହୁଏ । ଅତଏବ ସମଗ୍ର ଉତ୍କଳଭାଷୀ ପ୍ରଦେଶଗୁଡ଼ିକୁ ଏକ ଶାସନାଧୀନ ରଖିବା ଉଚିତ । ଦକ୍ଷିଣ ଅଞ୍ଚଳର ପ୍ରବଳ ଦ୍ରାବିଡ଼ମାନଙ୍କ ପ୍ରଭାବରୁ ପ୍ରାୟ ସମଗ୍ର ଗଞ୍ଜାମ ଜିଲ୍ଲା ଓ ବିଶାଖାପାଟଣା ଜିଲ୍ଲାର ଏକ ଅଂଶ, ଉନ୍ନତ ବଙ୍ଗବିଭାଗ ମଧ୍ୟରୁ ମାନଭୂମ ଓ ମେଦିନୀପୁରର ଦକ୍ଷିଣାଂଶମାନ ଓ କାନ୍ଥି ବିଭାଗ, ରାୟପୁର ଜିଲ୍ଲାରୁ ଖଡ଼ିଆଳ, ବସ୍ତର ଓ ଫୁଲଝର, ବିଳାସପୁର ଜିଲ୍ଲାରୁ ଚନ୍ଦ୍ରପୁର, ପଦ୍ମପୁର ଓ ମାଲଗୋରଦା ଜମିଦାରୀ ସହିତ ରାୟଗଡ଼ ଓ ସାରଙ୍ଗଗଡ଼ ଷ୍ଟେସନମାନ ବାହାର ହୋଇ ଉତ୍କଳ-କେନ୍ଦ୍ର ଓଡ଼ିଶା ସହିତ ମିଶି ରହିବା ଉଚିତ । ଯେହେତୁ ଏହି ପ୍ରଦେଶମାନ ନ୍ୟୂନାଧିକ ପରିମାଣରେ ଉତ୍କଳଭାଷୀଙ୍କ କର୍ତ୍ତୃକ ଅଧିକୃତ । ଏହି ପ୍ରଦେଶମାନ ବିଭିନ୍ନ ପ୍ରବଳ ଜାତି ସଂସ୍ରବରେ ରହି ନିଜର ଜାତୀୟ ପାର୍ଥକ୍ୟ ହରାଇ ବସିଅଛନ୍ତି । ଅନେକ ନିଜ ମାତୃଭାଷା ପର୍ଯ୍ୟନ୍ତ ବିସ୍ମୃତ ହୋଇ ପଡ଼ିଲେଣି, ଯଥା-କାନ୍ଥି, ମେଦିନୀପୁର ଓ ବିଶାଖାପାଟଣାର ଅଂଶମାନ । ଏହି ପ୍ରଦେଶ ସକଳ ଯଦି ଏକ ଶାସନାଧୀନ ରହି ରାଜନୈତିକ ଏବଂ ସାମାଜିକ ଏକତା ଲାଭ କରେ, ତାହାହେଲେ ଏହି ସକଳ ପ୍ରଦେଶର ଅଧିବାସୀମାନେ ଉନ୍ନତ ବଙ୍ଗ, ଆନ୍ଧ୍ର ଓ ହିନ୍ଦି ଜାତି ସଂସ୍ରବରୁ ଯେଉଁ ଶିକ୍ଷା, ସଭ୍ୟତା ଓ ଅଭିଜ୍ଞତା ପ୍ରାପ୍ତ ହୋଇଅଛନ୍ତି, ତାହା ସବୁ ନିଜ ଜାତୀୟ ଉନ୍ନତି ସାଧନରେ ଲାଗିବ । ସେତେବେଳେ ଏମାନଙ୍କୁ ପରମୁଖାପେକ୍ଷୀ ଭାବ ପରିତ୍ୟାଗ କରି ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । କର୍ମରୁ ଫଳ ହୁଏ, ତାଡ଼ନାରୁ ଗୁଣ ଜନ୍ମେ ଏବଂ ବିପଦରୁ ଶିକ୍ଷାଲାଭ ହୁଏ । ବହୁକାଳ ସଞ୍ଚିତ ଏହି ଗୁଣ, କର୍ମ ଓ ଶିକ୍ଷା ଘେନି ଉତ୍କଳୀୟମାନେ ନିଜ ଜାତୀୟ ଉନ୍ନତି ସାଧନରେ ପାରଗ ହେବେ ।

 

ଆଜି ମହାମହିମ ସମ୍ରାଟଙ୍କର ଶୁଭଦୃଷ୍ଟି ପଡ଼ିଅଛି, ଏତେବେଳେ ଏହି ଜାତୀୟ ବିଭାଗ ବା ପ୍ରାଦେଶିକ ସୀମା ନିର୍ଦ୍ଧାରଣ ବେଳେ ଉତ୍କଳୀୟମାନେ ଚେଷ୍ଟା କଲେ, ଅବଶ୍ୟ ସଫଳ ହେବେ । ଯଦିଚ କାଳେ କୌଣସି ପ୍ରବଳ ଅଦୃଷ୍ଟ କାରଣରୁ ବର୍ତ୍ତମାନ ଉତ୍କଳୀୟମାନଙ୍କର ରାଜନୈତିକ ମିଳନ ହୋଇ ନପାରେ, ତେବେ ସୁଦ୍ଧା ଏହି ଚେଷ୍ଟାରୁ ବିରତ ହେବା ଉଚିତ ନୁହେଁ । କ୍ଷଣିକ ଉତ୍ତେଜନାରେ ପଡ଼ି କାର୍ଯ୍ୟ କଲେ ଫଳ ହୁଏନାହିଁ, ଯଦି ହୁଏ ତେବେ ଭଲ ହୁଏନାହିଁ । ଆଜୀବନ ଏହି ପବିତ୍ର ଜାତୀୟ ମିଳନ ସକାଶେ ଅଦମ୍ୟ ଉତ୍ସାହ ସହକାରେ ଯତ୍ନ କରିବାକୁ ହେବ । ଦାସ ଦାସୀମାନେ ଚିରକାଳ ଦାସତ୍ୱ ଭୋଗ କରି ମୁକ୍ତିଲାଭକୁ ଇଚ୍ଛା କରନ୍ତି ନାହିଁ । ତଦ୍ରୂପ ଲୋକ ସାଧାରଣ ବହୁକାଳ ବିଚ୍ଛେଦ ପରେ ମିଳନର ଫଳ ବୁଝି ପାରୁ ନାହାନ୍ତି । ସାଧାରଣ ସମାଜରେ ଜାତୀୟ ଜୀବନର ଅଭାବ । ବ୍ୟକ୍ତିଗତ ହୃଦୟରେ ଜାତୀୟ ଜୀବନ-ସ୍ରୋତ ପ୍ରବାହିତ ନ ହେଲେ, ଜାତୀୟ ମିଳନ ଏବଂ ଜାତୀୟ ଉନ୍ନତିର ପଥ ଉନ୍ମୁକ୍ତ ହୋଇପାରେ ନାହିଁ । ଅତଏବ ଉତ୍କଳର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ନିକଟରେ ଏହି ନିବେଦନ-ସେମାନେ ଆପଣା ସମାଜରେ ଏହି ଜାତୀୟ ଜୀବନ ସଞ୍ଚାର କରନ୍ତୁ, ଆଜି ନ ହେଲେ ସୁଦ୍ଧା ଦିନେ ଉତ୍କଳର ସମ୍ମିଳନ ସଙ୍ଗେ ସଙ୍ଗେ ଓଡ଼ିଆ ଜାତିର ଅପୂର୍ବ ଉନ୍ନତି ହେବ ।

 

ଉତ୍କଳ ସାହିତ୍ୟ, ୧୩୧୯,

(ଜଣେ ଉତ୍କଳୀ)

***

 

 

 

 

 

 

 

 

 

 

ସ୍ୱତନ୍ତ୍ର-ଉତ୍କଳ ଗଠନର ପରବର୍ତ୍ତୀ ଓଡ଼ିଆ-ସାହିତ୍ୟ

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ (୧୯୩୬-ଏପ୍ରିଲ ପହିଲା) ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ଦୀର୍ଘ ପଚାଶ ବର୍ଷ ଧରି ବିଭିନ୍ନ ରୂପ ରୂପାନ୍ତର ଦେଇ ଗତି କରି ଆସିଛି । ଏହି ଗତି ପ୍ରବାହକୁ ତିନୋଟି ସ୍ତର ଦେଇ ବିଚାର କରାଯାଇ ପାରେ । ପ୍ରଥମ ସ୍ତର ସ୍ୱତନ୍ତ୍ର ପ୍ରଦେଶ ଗଠନଠାରୁ ସ୍ୱାଧୀନତା ଲାଭ ଓ ଛତିଶ ଗଡ଼ଜାତକୁ ମିଶାଇ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ ପର୍ଯ୍ୟନ୍ତ ।

 

Unknown

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରବର୍ତ୍ତୀ ଓଡ଼ିଆ

ଉପନ୍ୟାସ : ଏକ ଦୃଷ୍ଟିପାତ

ଶ୍ରୀ ବୈଷ୍ଣବ ଚରଣ ସାମଲ

 

ଏହି ସମୟ ସ୍ୱାଧୀନତା ସଂଗ୍ରାମର ଅଗ୍ନି-ଯୁଗ । ଏହା ପୁଣି ବିଶ୍ୱ ମହାସମର (୧୯୩୯-୪୫)ର ଲୋମହର୍ଷଣକାରୀ ସମୟ ଓ ବିଜ୍ଞାନର ଅଭିନବ ମାରଣାସ୍ତ୍ର ଉଦ୍‌ଘାଟନର ଦଶନ୍ଧି । ଏହି ଦଶନ୍ଧିହିଁ ମଣିଷର ଗୋଟିଏ ହାତରେ ଧରାଇ ଦେଇଥିଲା, ବିଶ୍ୱଧ୍ୱଂସୀ ଆଣବିକ ବୋମା, ଅନ୍ୟ ହାତରେ ଧରାଇ ଥିଲା, ଶାନ୍ତି ଓ ମୈତ୍ରୀର ବାଣୀ-ମନ୍ତ୍ର-ପୋଥି । ପୁନଶ୍ଚ ଏହି ଦଶନ୍ଧି ହିଁ ଦେଖିଥିଲା ଭାରତବର୍ଷର ମୁକ୍ତି-ସଂଗ୍ରାମର ପ୍ରଚଣ୍ଡ ରୂପ । ଗୋଟାଏ ଜାତୀୟ ସ୍ୱାଭିମାନ ଆକୁମାରୀ ହିମାଚଳ ଖେଳି ଯାଇଥିଲା । ଏହି ସ୍ୱାଭିମାନ ସୃଷ୍ଟି କରିଥିଲା-ଐତିହ୍ୟବୋଧ, ପରମ୍ପରାବୋଧ ଓ ଦେଶପାଇଁ ଆତ୍ମଉତ୍ସର୍ଗୀକୃତ ଭାବ । ଏହି ସ୍ୱାଭିମାନର ଅନ୍ତିମ ରକ୍ତାକ୍ତ ପରିଣତି ଅଗଷ୍ଟ-ବିପ୍ଲବ (୧୯୪୨) ଗାନ୍ଧିଜୀଙ୍କର ଇଂରେଜମାନଙ୍କୁ ଭାରତଛାଡ଼ (Quit India) ଆହ୍ୱାନ ଓ ଭାରତୀୟମାନଙ୍କୁ କର ବା ମର (do or die) ଉଦ୍‌ବୋଧନ ସେତେବେଳେ ସମଗ୍ର ଭାରତବର୍ଷରେ ସୃଷ୍ଟି କରିଥିଲା, ଅପୂର୍ବ ବୈଦୁତିକ ଉନ୍ମାଦନା । ଅନ୍ୟ ପକ୍ଷରେ ଏହି ଦଶନ୍ଧିରେ ଗାନ୍ଧିଜୀଙ୍କର ହରିଜନ ଆନ୍ଦୋଳନ ମଧ୍ୟ ଏକ ନୂତନ ମାନବିକ ଚେତନା ସୃଷ୍ଟି କରିଥାଏ । ଏହି ଦଶନ୍ଧିହିଁ ଥିଲା ବହୁ ବ୍ୟଥା ଓ ବ୍ୟର୍ଥତାର ଦଶନ୍ଧି, ଆଶା ଓ ଆଶ୍ୱାସନାର ଦଶନ୍ଧି, ସ୍ୱାଭିମାନ ଓ ସ୍ୱରାଜର ଦଶନ୍ଧି । ଏହି ସମୟରେ ଦେଖା ଦେଇଥିଲା, ଆତ୍ମରକ୍ଷା ପାଇଁ ଇଂରେଜମାନଙ୍କର ଶେଷ ସଂଗ୍ରାମ, ରାଜା ଓ ଜମିଦାରମାନଙ୍କର ଆପଣାର ସ୍ଥିତି ରକ୍ଷା ପାଇଁ ଶେଷ ପ୍ରଚେଷ୍ଟା ଓ ସ୍ୱାଧୀନତାର ସ୍ୱର୍ଣ୍ଣ-ଉଷାର ଆଦ୍ୟ ଝଲକ । ଏହି ଦଶନ୍ଧି ହିଁ ହେଲା, ଅଖଣ୍ଡ ଭାରତବର୍ଷର ଖଣ୍ଡିତ ରୂପର ଅଶ୍ରୁଳ ଦ୍ରଷ୍ଟା, ସାଂପ୍ରଦାୟିକ ସଂଘର୍ଷର ନୀରବ ସାକ୍ଷୀ । ଭାରତବର୍ଷରେ ଏପରି ଏକ ଅବସ୍ଥା ସୃଷ୍ଟି ହୋଇଥିଲାବେଳେ ଓଡ଼ିଶା ଏହି ଦଶନ୍ଧିରେ ଅଣ୍ଟା ସଳଖି ପ୍ରଥମଥର ପାଇଁ ଛିଡ଼ା ହେଲା । ୧୯୦୩ରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଯେଉଁ ଆନ୍ଦୋଳନ ହୋଇ ଆସିଥିଲା ତାହା ୧୯୩୬ରେ ଆଂଶିକ ସଫଳତା ଲାଭ କଲା ମାତ୍ର ଛଅଗୋଟି ଜିଲ୍ଲାକୁ ନେଇ । ୧୯୪୮ରେ ଏହାର ହେଲା ପୂର୍ଣ୍ଣତା ତେରଗୋଟି ଜିଲ୍ଲାକୁ ନେଇ । ଭାଷାକୈନ୍ଦ୍ରିକ ଜାତୀୟତାବୋଧକୁ କେନ୍ଦ୍ର କରି ଊନବିଂଶ ଶତାବ୍ଦୀର ଶେଷ ତିନି ଦଶନ୍ଧିରୁ ଯେଉଁ ଆତ୍ମଜାଗୃତିର ସ୍ୱର ସୃଷ୍ଟି ହୋଇ ଆସିଥିଲା ୧୯୦୩ ଉତ୍କଳ ସମ୍ମିଳନୀ ପରଠାରୁ ତାହା ସୀମା କୈନ୍ଦ୍ରିକ ଜାତୀୟତାବୋଧରେ ପରିଣତ ହୋଇ ଆତ୍ମପ୍ରତିଷ୍ଠା ପାଇଁ ଆଶାନ୍ୱିତ ହୋଇଥିଲା । ଉତ୍କଳର ଭାଷା ଓ ସୀମାକୈନ୍ଦ୍ରିକ ଜାତୀୟତାବୋଧ କ୍ରମେ ୧୯୨୧ରୁ ମହାଭାରତୀୟ ସ୍ୱରାଜୀ ଜାତୀୟତାବୋଧରେ ରୂପାନ୍ତରିତ ହୋଇ ୧୯୩୬ ବେଳକୁ ଆତ୍ମପ୍ରତିଷ୍ଠା ଲାଭ କଲା ଏବଂ ଆପଣାର ଶକ୍ତି ଓ ସାମର୍ଥ୍ୟକୁ ପ୍ରକାଶ କଲା । ଉତ୍କଳ ସମ୍ମିଳନୀ ଓ ସତ୍ୟବାଦୀ ଗୋଷ୍ଠୀ ଦେଇ ଯେଉଁ ଉତ୍କଳୀୟବୋଧ ପ୍ରକାଶ ପାଇ ଆସିଥିଲା ତାହାର ପୂର୍ଣ୍ଣତା ପରେ ଭାରତୀୟତାବୋଧରେ ତାହା ନିଜକୁ କଲା ପ୍ରତିଷ୍ଠିତ । ଏହି ସମୟରେ ଦେଖା ଦେଲା ପ୍ରଜାଆନ୍ଦୋଳନ ଓ ଦେଶୀୟ ରାଜତନ୍ତ୍ର ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା, କୃଷକ ଓ ଶ୍ରମିକମାନଙ୍କର ନବୋତ୍‌ଥାନ, ଶିକ୍ଷା ପ୍ରତି ନୂତନ ଆଗ୍ରହ ଓ ଉଚ୍ଚଶିକ୍ଷା ବିସ୍ତାର ପାଇଁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା (୧୯୪୩) ଏବଂ ସଂସ୍କାରଧର୍ମୀ ଆନ୍ଦୋଳନ । ୧୯୩୬ରେ ଭଗବତୀଚରଣଙ୍କ ନବଯୁଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆଧୁନିକ ପତ୍ରିକା ପ୍ରକାଶ ପାଇ ମାର୍କସବାଦର କଲା ନୂତନ ଆବାହନ । ଏକ ଦିଗରେ ସତ୍ୟ, ଧର୍ମ, ଅହିଂସା, ସହିଷ୍ଣୁତା ଓ ହୃଦୟ ପରିବର୍ତ୍ତନ ଗାନ୍ଧିଜୀଙ୍କ ଚିନ୍ତାଧାରା ଦେଇ ପ୍ରକାଶ ପାଉଥିଲାବେଳେ ଅନ୍ୟ ଦିଗରେ ମାର୍କ୍‍ସବାଦୀ ଶ୍ରେଣୀ-ସଂଗ୍ରାମ ଓ ଦ୍ୱନ୍ଦ୍ୱାତ୍ମକ ବସ୍ତୁବାଦୀ ଚିନ୍ତାଧାରା ପ୍ରକାଶ ପାଇବାକୁ ଲାଗିଲା । ଏହା ଫଳରେ ଧର୍ମ, ଭାଗ୍ୟ, ଭଗବାନ, କର୍ମଫଳ ଓ ପୌରହିତ୍ୟ ପ୍ରଥା ବିରୁଦ୍ଧରେ ପ୍ରକାଶ ପାଇଲା ସାମାଜିକ ପ୍ରତିକ୍ରିୟା । ଏହି ସମୟରୁ ହିଁ ଶୋଷଣର କାରଣ ଅନୁସନ୍ଧାନ କରାଗଲା ଓ ଶୋଷଣର ଅବସାନ ପାଇଁ ସଚେତନ ପ୍ରୟାସ ହେଲା । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଜାତିର ଆତ୍ମପ୍ରତିଷ୍ଠା କରିବାର ବାସନା ହେଲା ସ୍ପଷ୍ଟ ଓ ବଳିଷ୍ଠ ।

 

ପ୍ରଥମ ସ୍ତର (୧୯୩୬-୧୯୪୯) ପରେ ଦ୍ୱିତୀୟସ୍ତର (୧୯୫୦-୧୯୭୦) ଏହି କୋଡ଼ିଏ ବର୍ଷ ମଧ୍ୟରେ ସ୍ୱାଧୀନତାର ସ୍ୱପ୍ନଭଙ୍ଗ ଦେଇ ସ୍ୱାଭିମାନ, ସ୍ୱାଧିକାର ଓ ଆତ୍ମପ୍ରତିଷ୍ଠାର ସ୍ୱର ଯେପରି ହେଲା ନିଷ୍ପ୍ରଭ । ପ୍ରଥମ ସ୍ତରର ଗାନ୍ଧିବାଦୀ ସମାଜବାଦ ଦ୍ୱିତୀୟ ସ୍ତରରେ ଥିଲେହେଁ ତାହା ଯେପରି କ୍ରମେ ହୋଇଗଲା ବିଲୟମାନ । ପ୍ରଥମ ସ୍ତରର ମାର୍କ୍‍ସବାଦୀ ଶ୍ରେଣୀ-ସଂଗ୍ରାମ ଓ ସମାଜବାଦ ଦ୍ୱିତୀୟ ସ୍ତର ବେଳକୁ ହୋଇଗଲା ବିଡ଼ମ୍ୱିତ । ଏକା ନୂତନ ଗଣତାନ୍ତ୍ରିକ ସମାଜବାଦ ଭିତରେ ଏସବୁ ଯେପରି ହେଲା ପରିତ୍ୟକ୍ତ । ଅବଶ୍ୟ ଏହି ସମୟରେ ନିମ୍ନବର୍ଗ ଓ ନିମ୍ନଜାତିର ହେଲା ନବୋତ୍‌ଥାନ । ଏହି ସମାଜ ପ୍ରତି ଉଚ୍ଚବର୍ଗର ପ୍ରକାଶ ପାଇଲା ଦୟା-ଦୃଷ୍ଟି । ପ୍ରଥମ ସ୍ତରର ସାଂପ୍ରଦାୟିକ ସଂଘର୍ଷ ଦ୍ୱିତୀୟ ସ୍ତରରେ ମଧ୍ୟ ସୃଷ୍ଟି କଲା କରୁଣ ପରିସ୍ଥିତି । ସଂହତି ହୋଇଛି ବିଡ଼ମ୍ୱିତ । ସ୍ୱାଧୀନତାର ସ୍ୱପ୍ନଭଙ୍ଗ, କ୍ଷମତା ରାଜନୀତିର ଉଲ୍ଲଙ୍ଗ କାଳରଡ଼ି, ରାଜନୀତି-ଚାକିରି-ଶିଳ୍ପ ଓ ବ୍ୟବସାୟକୁ ନେଇ ଗଢ଼ି ଉଠିଥିବା ନୂତନ ଅଭିଜାତ ଗୋଷ୍ଠୀର ଅଭ୍ୟୁଦୟ, ନିମ୍ନ ମଧ୍ୟବିତ୍ତର ଅସହାୟତା, ବୁର୍ଜୁୟା ଓ ପେଟି ବୁର୍ଜୁୟା ଚିନ୍ତାଧାରାର ଉତ୍ତୋଳନ, ପାଶ୍ଚାତ୍ୟ ବସ୍ତୁବାଦର ପକ୍ଷ ବିସ୍ତାର ଓ ନୂତନ ଅଭିଜାତ ମଣିଷର ଅହଂର ଓଁକାର, ଅସହାୟତାବୋଧ, ଯୌନ ଅବକ୍ଷୟ, ମୂଲ୍ୟବୋଧର ବିପର୍ଯ୍ୟୟ ଓ ମୂଲ୍ୟର ପ୍ରତିଷ୍ଠା, ଐତିହ୍ୟ ଓ ପରମ୍ପରା ପ୍ରତି ଅନାସକ୍ତି, ପଲ୍ଲୀଜୀବନର କ୍ରମ ବିଷଣ୍ଣତା ଓ ନଗର ଜୀବନର ଜଟିଳତା, ଷାଠିଏ ଉତ୍ତର କାଳରେ ନକ୍‌ସାଲବାଦୀ ଆନ୍ଦୋଳନ ଓ ପ୍ରତିକ୍ରିୟା, ନବମାନବର ଜୈତ୍ରଯାତ୍ରା, ଅଧ୍ୟାତ୍ମ ଚେତନାର ଚିତ୍ତ-ସଂଘର୍ଷ, ଐତିହାସିକ ପ୍ରେକ୍ଷାପଟ ଉପରେ ଜାତୀୟ ଚିତ୍ତବୃତ୍ତିର ବିଶ୍ଳେଷଣ, ମାନବତାବାଦୀ ଆହ୍ୱାନ, ରାଜନୀତିକ ଅବମୂଲ୍ୟବୋଧ ଓ ପରିଣତି, ମନସ୍ତାତ୍ତ୍ୱିକ ଓ ଚେତନାପ୍ରବାହ ଭିତ୍ତିକ ଅନୁଶୀଳନ, ଜାତୀୟତା ଦେଇ ଅନ୍ତର୍ଜାତୀୟତାର ସ୍ୱରଲିପି, ନୂତନ ନୈତିକତା ଓ ସର୍ବୋପରି ଆତ୍ମ- ଅନ୍ୱେଷାବୋଧ ଆଦି ନାନା ପ୍ରସଙ୍ଗ ଏହି ଦ୍ୱିତୀୟ ସ୍ତରରେ ଦେଖିବାକୁ ମିଳିଥାଏ । ତୃତୀୟ ସ୍ତର (୧୯୭୧-୮୬) ଦ୍ୱିତୀୟ ସ୍ତରର ପ୍ରେକ୍ଷାପଟ ଉପରେ ନୂତନ ମୂଲ୍ୟବୋଧ ପାଇଁ ଏକ ଆଶାନ୍ୱିତ ଆହ୍ୱାନ । ଏହି ସ୍ତରରେ ଅଛି ଗାନ୍ଧିବାଦୀ ଓ ମାର୍କସବାଦୀ ଚିନ୍ତାଧାରାର ବିଚାର ବିଶ୍ଳେଷଣ ସହିତ ପାଶ୍ଚାତ୍ୟ ବସ୍ତୁବାଦ ପ୍ରଭାବରେ ଅବକ୍ଷୟର କରୁଣ ପରିଣତି ଏବଂ ସେଥିରୁ ଆତ୍ମମୁକ୍ତିର ଅନୁସନ୍ଧିତ୍ସା ଓ ଅହଂବୋଧ ପ୍ରତି ତୀବ୍ର ଆକ୍ଷେପ ଏବଂ ମାନବିକତାର ଉତ୍ତରଣ ପାଇଁ ଆହ୍ୱାନ । ଏହି ସମୟ ଥିଲା ଆଉ ଏକ ସଙ୍କଟର ସମୟ । ଭାରତୀୟ ସାମାଜିକ ତଥା ରାଜନୀତିକ ସ୍ତରରେ ନକ୍‌ସାଲବାଦର ଉତ୍‌ଥାନ, ଜରୁରିକାଳୀନ ପରିସ୍ଥିତିର ଘୋଷଣା ଓ ରାଜନୀତିକ ସଙ୍କଟ, ଭାରତୀୟ ରାଜନୀତିରେ ବ୍ୟକ୍ତିବାଦର କ୍ରମ-ପ୍ରତିଷ୍ଠା ଓ ଜାତୀୟ ସ୍ତରରେ ନାନା ବିପର୍ଯ୍ୟୟ, ସ୍ୱାଭିମାନ-ବିଲୁପ୍ତ ନାନା ଅବକ୍ଷୟର ସୂଚନା ଏହି ସମୟରେ ଦେଖିବାକୁ ମିଳିଥାଏ । ଓଡ଼ିଆ ଉପନ୍ୟାସ (୧୯୩୬-୧୯୮୬) ଏହି ସମସ୍ତ ଭାବଧାରାକୁ ନେଇ କିପରି ଗତି କରିଛି ତାହା ଆଲୋଚନା କରିବା ଏହି ସନ୍ଦର୍ଭର ଲକ୍ଷ୍ୟ ।

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଅର୍ଦ୍ଧଶତାବ୍ଦୀ (୧୮୮୮-୧୯୩୬) ଧରି ଗତି କରି ଆସିଥିଲା । ଉମେଶ ଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ’(୧୮୮୮)ଠାରୁ ସଚ୍ଚିଦାନନ୍ଦ ରାଉତରାୟଙ୍କର ‘ଚିତ୍ରଗ୍ରୀବ’ (୧୯୩୬) ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଆପଣାର ଭିତ୍ତି ପ୍ରସ୍ତୁତ କରିସାରିଥିଲା । ଏହି ସମୟରେ ଐତିହାସିକ ଉପନ୍ୟାସ ରଚନା କରିବାର ଏକ ଜାତୀୟ ପ୍ରବୃତ୍ତି ଦେଖା ଦେଇଥିଲେହେଁ ସମକାଳୀନ ସାମାଜିକ ଚିତ୍ତ-ବୃତ୍ତି ଥିଲା ଉପନ୍ୟାସର ମୁଖ୍ୟ ଆବେଦନ । ଫକୀର ମୋହନ ଏହି ସାମାଜିକ ଆବେଦନର ପ୍ରମୁଖ ରୂପକାର । ଭୂମିକୈନ୍ଦ୍ରିକ ଅର୍ଥନୀତି ଉପରେ ଶୋଷକ ଓ ଶୋଷିତର ସମ୍ପର୍କକୁ ଦେଖାଇ ଗ୍ରାମ୍ୟ ଜୀବନର ସ୍ୱାଭାବିକ ଚିତ୍ର ଓ ଚରିତକୁ ସେ ବେଶ୍‌ ଜୀବନ୍ତ ଭାବରେ ଫୁଟାଇଛନ୍ତି । ତାଙ୍କ ଉପନ୍ୟାସରେ ଅଛି ବାସ୍ତବ ଜୀବନର ଚିତ୍ତ-ସଂଘର୍ଷ । ଆଦର୍ଶ ହୋଇ ଯାଇଛି ମୁଖ୍ୟ ଅନ୍ତଃସ୍ୱର । କର୍ମଫଳ ଓ ଭାଗ୍ୟବାଦ ଦେଇ ଆଦର୍ଶ ଓ ନୀତିବାଦ ହୋଇଛି ପ୍ରତିଷ୍ଠିତ । ସ୍ୱାଭିମାନହୀନ ପରାଧୀନତା ପରିପୀଡ଼ିତ ଉତ୍କଳୀୟ ସମାଜରେ ନୂତନ ସୃଷ୍ଟ ସାମନ୍ତବାଦର ଶୋଷଣ ଯେପରି ହୋଇଯାଇଛି ସୁତୀବ୍ର । ଉତ୍କଳୀୟ ସମାଜ ଯେପରି ହୋଇଯାଇଛି ମେରୁଦଣ୍ଡହୀନ । ତଥାପି ଫକୀର ମୋହନ ଏହି ପରିବେଶ ମଧ୍ୟରେ ଅଭିଜାତ ଗାଣତନ୍ତ୍ରିକ ଚିନ୍ତାଧାରା ଦେଇ ଧର୍ମଭିତ୍ତିକ ସମାଜବାଦ (Religious Socialism)ପ୍ରତିଷ୍ଠା ପାଇଁ ଦେଇଛନ୍ତି ଆଶାନ୍ୱିତ ଆହ୍ୱାନ । ଫକୀରମୋହନୀୟ ଚିନ୍ତା ଓ ଚେତନାର ଅବକ୍ଷୟୀ ରୂପ ଚିନ୍ତାମଣି ମହାନ୍ତି ଓ କୁନ୍ତଳା କୁମାରୀ ସାବତଙ୍କ ଉପନ୍ୟାସରେ ପ୍ରକାଶିତ । ଏହି ସମୟରେ ନନ୍ଦକିଶୋର ବଳ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ମୁକୁନ୍ଦ ଦାଶ, ତାରିଣୀ ଚରଣ ରଥ, ରାମଚନ୍ଦ୍ର ଆଚାର୍ଯ୍ୟ, ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଔପନ୍ୟାସିକମାନେ ବିଭିନ୍ନ ଉପନ୍ୟାସମାନ ରଚନା କରିଥିଲେହେଁ ସେ ସବୁ ଫକୀର ମୋହନଙ୍କ ଉପନ୍ୟାସରୁ କୌଣସି ସ୍ୱାତନ୍ତ୍ର୍ୟ ସୃଷ୍ଟି କରିପାରି ନାହାନ୍ତି । ବୈଷ୍ଣବ ଚରଣ ଦାସଙ୍କର ‘ମନେ ମନେ’ (୧୯୨୬), ଉପେନ୍ଦ୍ର କିଶୋର ଦାସଙ୍କର ‘ମଲାଜହ୍ନ’ (୧୯୨୮) ଓ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘ମାଟିର ମଣିଷ’ (୧୯୩୦) ଉପନ୍ୟାସ ତ୍ରୟୀ ଥିଲା ଫକୀରମୋହନୋତ୍ତର ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ବବର୍ତ୍ତୀ ସମୟର ତିନୋଟି କ୍ରାନ୍ତି । ‘ମନେ ମନେ’ ଓ ‘ମଲାଜହ୍ନ’ ମନସ୍ତାତ୍ତ୍ୱିକ କ୍ରାନ୍ତି ସୃଷ୍ଟି କରିଥିଲାବେଳେ ‘ମାଟିର ମଣିଷ’ ସୃଷ୍ଟି କରିଥିଲା ଗାନ୍ଧିବାଦୀ ଆଦର୍ଶର କ୍ରାନ୍ତି । କାହ୍ନୁଚରଣ, ହରେକୃଷ୍ଣ ମହତାବ, ଗୋବିନ୍ଦ ତ୍ରିପାଠୀ ପ୍ରମୁଖ ଉପନ୍ୟାସମାନ ରଚନା କରିଥିଲେହେଁ ବିଶେଷ କିଛି ନୂତନତା ଦେଖାଇ ନାହାନ୍ତି । ଏ ସମୟର ଐତିହାସିକ ଉପନ୍ୟାସମାନ ଜାତୀୟ ସ୍ୱାଭିମାନ ଓ ସ୍ୱାଧିକାର ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲାବେଳେ ସାମାଜିକ ଓ ସଂସ୍କାରମୂଳକ ଉପନ୍ୟାସମାନ ଜାତୀୟ ଜୀବନର ସୂକ୍ଷ୍ମ ଅନୁଶୀଳନ କରି ତା’ର ବିପର୍ଯ୍ୟୟର କାରଣ ଅନୁସନ୍ଧାନ କରିଥିଲା ଓ ଭବିଷ୍ୟତର ନୂତନ ଜୀବନବୋଧ ପାଇଁ ପ୍ରେରଣା ଦେଇଥିଲା ।

 

ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ ହେଲାପରେ ଉପନ୍ୟାସ ଧାରାରେ ଯେପରି ଦେଖା ଦେଲା ନୂତନ ଜୀବନ-ସ୍ପନ୍ଦନ । ଏହି ନୂତନ ସ୍ପନ୍ଦନର ପ୍ରଥମ ସ୍ୱର ଝଂକୃତ ହେଲା ସଚ୍ଚିଦାନନ୍ଦ ରାଉତରାୟଙ୍କର ‘ଚିତ୍ରଗ୍ରୀବ’ ଉପନ୍ୟାସରେ । ଆଦର୍ଶ ନୁହେଁ, ବାସ୍ତବତାର ପ୍ରଥମ ସ୍ୱର-ଲିପି; ସହିଷ୍ଣୁତା ନୁହେଁ, ସଂଗ୍ରାମର ପ୍ରଥମ ବାଣୀ-ରୂପହିଁ ଚିତ୍ରଗ୍ରୀବ ଉପନ୍ୟାସ । ଏହାହିଁ ପ୍ରଥମେ ଘୋଷଣା କଲା- ‘ପ୍ରତ୍ୟେକ ସଭ୍ୟତା ପକ୍ଷରେ ବାଲ୍ମୀକିଙ୍କର ଲେଖନୀ ପୂର୍ବରୁ ଦସ୍ୟୁ ରତ୍ନାକରର ଗଦାଟା ଆଗ ଦରକାର । ଆଗେ ମଣିଷକୁ ଶରୀରଆଡ଼ୁ ବଞ୍ଚିବାକୁ ହେବ । ଦସ୍ୟୁ ସେହି ଶାରୀରିକ ଶକ୍ତିର ପ୍ରତୀକ । ମଣିଷ ଆଗେ ବଞ୍ଚୁ । ତା’ପରେ ସେ କବିତା ଲେଖିବ, ସ୍ୱପ୍ନ ଦେଖିବ, ଅଭିସାର କରିବ କିମ୍ୱା ବଂଶୀ ବଜାଇବ ।’ କେବଳ ଏତିକି ନୁହେଁ, ଏହା ପୁଣି ଉଦ୍‌ଘୋଷଣ କଲା- ‘ଯେଉଁଠି ସଂଘର୍ଷ ନାହିଁ, ବୈଚିତ୍ର୍ୟ ନାହିଁ, ସେଠି ଜୀବନ ନାହିଁ ।’ ମୃତ୍ୟୁର ଅସହ୍ୟ ଶୀତଳତାରେ ଯେଉଁଠି ସ୍ୱର୍ଗ ସ୍ଥିର, ଯେଉଁଠି ଗୋଟାଏ ନିର୍ଜୀବ ଗତିହୀନ ଶାନ୍ତି ସ୍ଥାଣୁ ସରୀସୃପ ପରି ଚିରଦିନ ଏକୁଟିଆ ଅଧିକାର କରି ବସିଛି, ସେଠି ଜୀବନର ସ୍ଫୁର୍ତ୍ତି ପାଇପାରିବା ଅସମ୍ଭବ । ପୃଥିବୀ ହିଁ ଜୀବନର ତୀର୍ଥକ୍ଷେତ୍ର । କାରଣ ସେଠି ଉତ୍ତାପ ଅଛି, ସଂଘର୍ଷ ଅଛି, ଆଉ ଅଛି ଜୀବନର ପୂର୍ଣ୍ଣତମ ବିକାଶ ପକ୍ଷରେ ଯେଉଁ ଜିନିଷଟା ସର୍ବାପେକ୍ଷା ବେଶୀ ଦରକାର, ସେଇ ଆଘାତ ।’’ ମଣିଷ ଚିରଦିନ ମଣିଷ । ଏହି ପୃଥିବୀ ତା’ର ସତ୍ୟ ଓ ପୂଣ୍ୟକ୍ଷେତ୍ର । ଏଠି ଗୁଡ୍‌କଣ୍ଡକ୍ଟ ପ୍ରାଇଜ ପାଇଥିବା ଯୁବକର ଆବଶ୍ୟକତା ନାହିଁ, ଅଛି ରାଣ୍ଡୀପୁଅ ଅନନ୍ତାର - ଯିଏ ଷଣ୍ଢ ଲାଙ୍ଗୁଡ଼ ଧରି ପାରୁଥିବ, ଡାହୁପୁଆ ଖେଳରେ ଓସ୍ତାଦ ହୋଇଥିବ, ସବ୍ୟସାଚୀ ପରି ଟେକା ମାରି ପାରୁଥିବ, ନଈବଢ଼ିବେଳେ ବନ୍ଧ ତଳେ ଶୋଇପଡ଼ି ଗାଁଟାକୁ ରକ୍ଷା କରିପାରୁଥିବ । ଫକୀରମୋହନଙ୍କ ରାଣ୍ଡୀପୁଅ ଅନନ୍ତା ସଚ୍ଚି ରାଉତରାୟଙ୍କ ହାତରେ ନେଇଛି ଏକ ନୂତନ ସାମାଜିକ ରୂପ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ହେବା ସମୟର ବିସ୍ମୃତ ଜାତୀୟ ଜୀବନ ପ୍ରତି ଏହା ହିଁ ଥିଲା ସାଂଗ୍ରାମିକ ଆହ୍ୱାନ ।

 

‘ଚିତ୍ରଗ୍ରୀବ’ ପରବର୍ତ୍ତୀ ୧୪ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍‌ ସ୍ୱାଧୀନତା ଲାଭ ଓ ସାଧାରଣତନ୍ତ୍ର ପ୍ରତିଷ୍ଠା (୧୯୫୦) ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଗତିକରିଛି ନୂତନ ନୂତନ ପରୀକ୍ଷା ନିରୀକ୍ଷା ମଧ୍ୟଦେଇ । ଏହି ସମୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ରାମପ୍ରସାଦ ସିଂହ, କାଳିନ୍ଦୀଚରଣ ପାଣିଗ୍ରାହୀ, ପ୍ରାଣକୃଷ୍ଣ ସାମଲ, ନିତ୍ୟାନନ୍ଦ ମହାପାତ୍ର, କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ଚକ୍ରଧର ମହାପାତ୍ର, ବଟକୃଷ୍ଣ ପ୍ରହରାଜ, ଚନ୍ଦ୍ରମଣି ଦାସ, ରାଜକିଶୋର ପଟ୍ଟନାୟକ, ଜଗବନ୍ଧୁ ମହାପାତ୍ର, ଲକ୍ଷ୍ମୀଧର ନାୟକ, ଜ୍ଞାନୀନ୍ଦ୍ର ବର୍ମା, ଅନନ୍ତପ୍ରସାଦ ପଣ୍ଡା ପ୍ରମୁଖ ଔପନ୍ୟାସିକମାନେ ବିଭିନ୍ନ ଦୃଷ୍ଟିକୋଣରୁ ଉପନ୍ୟାସମାନ ରଚନା କରି ଓଡ଼ିଆ ଉପନ୍ୟାସକୁ ଦେଲେ ନୂତନ ରୂପ ଓ ଛଟା । କର୍ମଫଳ ଓ ଭାଗ୍ୟବାଦରୁ ଉପନ୍ୟାସର ହେଲା କ୍ରମ-ମୁକ୍ତି । ପ୍ରେମର ରୋମାଣ୍ଟିକ ପ୍ରବାହରୁ ମଧ୍ୟ ଉପନ୍ୟାସ ହେଲା ସ୍ୱତନ୍ତ୍ର । ଜୀବନ ଓ ସମାଜର ସମସ୍ୟା ହେଲା ମୁଖ୍ୟ । ଜାତୀୟ ଜୀବନ ହେଲା ସ୍ପଷ୍ଟ । ସାଧାରଣ ମଣିଷ କଲା ଆପଣାର ଶକ୍ତି-ପୂଜା । ସର୍ବହରା ଓ ନିମ୍ନବର୍ଗର ହେଲା ନୂତନ ନୈବେଦ୍ୟ ।

 

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ‘କଣାମାମୁ’ (୧୯୩୭/୪୭/୫୨) ଥିଲା ସ୍ୱତନ୍ତ୍ରୋତ୍ତର ଉତ୍କଳର ଜାତୀୟ ସ୍ୱାଭିମାନୀ ଭାବଧାରାର ଏକ ମର୍ମଲିପି । ଯେଉଁ ଶକ୍ତି-ଉପାସନା ପାଇଁ ‘ଚିତ୍ରଗ୍ରୀବ’ରେ ଥିଲା ଆହ୍ୱାନ ‘କଣାମାମୁ’ରେ ତାହା ହୋଇଛି ଆରାଧିତ । ‘ଚିତ୍ରଗ୍ରୀବ’ରେ ଯୁବକପାଇଁ ଯାହା ଥିଲା ସ୍ୱପ୍ନ ‘କଣାମାମୁ’ରେ ତାହା ହୋଇଛି ବାସ୍ତବାୟିତ । ବିଦେଶୀ ଭାଷା, ଭାବ, ପୋଷାକ ଓ ଖେଳପ୍ରତି ଅଛି ଏଥିରେ ଜାତୀୟ ଘୃଣା । ଇଂରାଜୀ କସରତ ଓ ଖେଳ ମଣିଷକୁ କରିଦେଇଛି ହୀନବଳ । ‘‘X X X ସେସବୁ ବିଦେଶୀ ଖେଳରେ ଲାଭଠୁଁ ଲୋକସାନ ବେଶୀ । ମନ ହେବ ତ ବାଗୁଡ଼ି ଖେଳ, ଦାଣ୍ଡିଆ ଖେଳ, ଡାଳମାଙ୍କୁଡ଼ି, ପାଣିକୁଆ - ୟାକୁ ଖେଳ ।’’ ସ୍ୱତନ୍ତ୍ରୋତ୍ତର ଓଡ଼ିଆ ଯୁବକମାନଙ୍କ ପ୍ରତି ଏହା ଥିଲା ସ୍ୱାଭିମାନୀ ଆହ୍ୱାନ । ଏହି ଜାତୀୟ ସ୍ୱାଭିମାନ ସହିତ ସାମାଜିକ ସ୍ତରରେ ଏକ ନୂତନ ସମାଜବାଦୀ ଚେତନା ପ୍ରକାଶ ପାଇଲା ରାମପ୍ରସାଦ ସିଂହଙ୍କ ଉପନ୍ୟାସମାନଙ୍କରେ । ‘ହୋମଶିଖା’ (୧୯୩୭) ସେହି ଚେତନାର ଏକ ଆଶାନ୍ୱିତ ଜିଜ୍ଞାସା । ‘‘X X X ଭଗବାନ କିଏ ? ଗରିବର ଦୁଃଖ ଯନ୍ତ୍ରଣା ଦେଖି ଯାହାର ହୃଦୟ ନ ଟଳେ, ବଡ଼ଲୋକର ପାପ ଅତ୍ୟାଚାର ଦେଖି ଯେ ବିରକ୍ତ ହୋଇ ନ ଉଠେ, ସେ କି ଭଗବାନ ?’’ ୧୯୩୬ ମସିହା ବେଳକୁ ଯେଉଁ ମାର୍କସୀୟ ସମାଜ-ଦର୍ଶନ ପ୍ରଭାବ ପକାଇବାକୁ ଆରମ୍ଭ କରିଥିଲା ତାହାର ଏହା ମନୋଜ୍ଞ ରୂପ-ଚିତ୍ର । ଗରିବ ବ୍ୟକ୍ତି ଧରଣୀ ତୀବ୍ର ମାନସିକ ପ୍ରତିକ୍ରିୟାଜନିତ କ୍ରୋଧରେ ବୀରେଶ୍ୱର ବାବୁଙ୍କୁ ହତ୍ୟା କରିଛି ଏବଂ ବିଚାରାଳୟରେ ସେ ପ୍ରଶ୍ନ କରିଛି- ‘ଗରିବ ଲୋକପାଇଁ କ’ଣ କିଛି ଆଇନ ନାହିଁ ? X X X ଆଉ ବୀରେଶ୍ୱରକୁ ମୁଁ ମାରିଛି, ହଁ, ହଁ - ମୁଁ ମାରିଛି । ମୋ ସ୍ତ୍ରୀ ପୁତ୍ରକୁ ଯେ ମାରିଛି ।’’ ସୁବିଧାବାଦୀ ଉପଭୋଗୀ ଶୋଷକ ମଣିଷର ହତ୍ୟା ପ୍ରସଙ୍ଗ ଭଗବତୀ ଚରଣଙ୍କ ‘ଶିକାର’ ଗଳ୍ପରୁ ଉତ୍ସରିତ । ରାମପ୍ରସାଦଙ୍କ ‘ହୋମଶିଖା’ ଓ ‘ଶେଷରାତି’ ଗଳ୍ପ ଦେଇ ଏହାର ଦର୍ପିତ ଅଭିଯାନ । ଗୋପୀନାଥ ମହାନ୍ତିଙ୍କ ପରଜା (୧୯୪୬) ଉପନ୍ୟାସରେ ଏହାର ପୂର୍ଣ୍ଣତା ଓ ପରିବର୍ତ୍ତନ । ‘ସମାପ୍ତି’, ‘ପୂର୍ବରାଗ’ (୧୯୪୪), ‘ମରୀଚିକା’ (୧୯୪୬) ‘ପୂଜାରବଳି’ ଓ ‘ଅଗ୍ନିପଥେ’ ପରି ଉପନ୍ୟାସରେ ମଧ୍ୟ ରାମପ୍ରସାଦ ପରିବର୍ତ୍ତିତ ସାମାଜିକ ଜୀବନର ଚିତ୍ତ-ସଂଘର୍ଷକୁ ପ୍ରକାଶ କରିଅଛନ୍ତି । ୧୯୪୨/୪୩ ମସିହାର ଦୁର୍ଭିକ୍ଷର ଚିତ୍ର ‘ସମାପ୍ତି’ ଉପନ୍ୟାସରେ ଯେପରି ଚିତ୍ରିତ ସେହିପରି ସର୍ବହରାର ନବୋତ୍‌ଥାନ ମଧ୍ୟ ବର୍ଣ୍ଣିତ । ସାମାଜିକ ଓ ରାଜନୀତିକ ସମସ୍ୟାର ସମାଧାନ ପାଇଁ ବିପ୍ଳବର ହେଲା ପ୍ରତିଷ୍ଠା । ‘ହୋମଶିଖା’ରେ ରାମପ୍ରସାଦ କହନ୍ତି- ‘ବିପ୍ଳବ ଅର୍ଥ ନିରର୍ଥକ ହତ୍ୟା, ଆକ୍ରୋଶମୟ ଧ୍ୱଂସ ନୁହେଁ । ବିପ୍ଳବ ଅର୍ଥ ଗଠନମୂଳକ ଧ୍ୱଂସ, ଶାନ୍ତି ସ୍ଥାପନ ନିମିତ୍ତ ଅଶାନ୍ତିର କାରଣ ଉଚ୍ଛେଦ । ଏହାହିଁ ଥିଲା ବୋଧହୁଏ ସ୍ୱତନ୍ତ୍ରୋତ୍ତର ଉତ୍କଳର ସାମାଜିକ ଆବେଦନ । ଜଗଦବନ୍ଧୁ ମହାପାତ୍ରଙ୍କର ଭଙ୍ଗା ସଂସାର (୧୯୪୬), ବିସର୍ଜନ, ଚନ୍ଦ୍ରମଣି ଦାସଙ୍କର ମଳିକଝିଅ ଗୌରୀ, ପାନ୍ଥନିବାସ, ପଲ୍ଲୀ ରେଣୁ, ଧରାସ୍ୱର୍ଗ, ସାତପର, ପ୍ରାଣକୃଷ୍ଣ ସାମଲଙ୍କର ନୀଳକମଳ (୧୯୩୮/୩୯), ସହଯାତ୍ରିଣୀ (୧୯୪୫), ହାତୀକାଦାନ୍ତ (୧୯୪୭), ପଲ୍ଲୀଜୀବନ (୧୯୪୪) ଓ ପ୍ରେମ (୧୯୪୬) ଆଦି ଉପନ୍ୟାସମାନ ଏହି ସମୟର ଗୋଟିଏ ଗୋଟିଏ ବିଶିଷ୍ଟ ସୃଷ୍ଟି । ସ୍ୱତନ୍ତ୍ରୋତ୍ତର ଉତ୍କଳର ସାମାଜିକ ବିବର୍ତ୍ତନର ଏସବୁ ଗୋଟିଏ ଗୋଟିଏ ସୁନ୍ଦର ଆଲେଖ୍ୟ । ଏକ ଦିଗରେ ମାର୍କସୀୟ ସାମାଜିକ ଚେତନା ଭିତ୍ତିରେ ବୈପ୍ଳବିକ ଜୀବନ-ଜିଜ୍ଞାସା ଯେପରି ପ୍ରକାଶ ପାଇଛି ଅନ୍ୟଦିଗରେ ଗାନ୍ଧିବାଦୀ ମାନବିକ ସମ୍ବେଦନା ସେହିପରି ସମାଜ-ହୃଦୟକୁ ପ୍ରଭାବିତ କରିଅଛି । ନିମ୍ନବର୍ଗ ପ୍ରତି ପ୍ରକାଶ ପାଇଛି ନୂତନ ସହାନୁଭୂତି । ଜାତିଭେଦ ବିଲୋପ ପାଇଁ ସୃଷ୍ଟି ହୋଇଛି ମାନବିକ ଭାବ ଓ ଭାବନା । ରାଜା-ଜମିଦାର-ସାହୁକାର-ସରବରାକାର ଆଦି ସମାଜ ପ୍ରତି ପ୍ରକାଶ ପାଇଛି ଗଭୀର ପ୍ରତିକ୍ରିୟା । ଅଧିକନ୍ତୁ ବ୍ରିଟିଶ ଶାସନ ପ୍ରତି ମଧ୍ୟ ଦେଖା ଦେଇଛି ବୈପ୍ଳବିକ ମନୋଭାବ ।

 

ହରେକୃଷ୍ଣ ମହତାବଙ୍କର ପ୍ରତିଭା, ଅବ୍ୟାପାର, ଟାଉଟର ଓ ନୂତନଧର୍ମ ଉପନ୍ୟାସଗୁଡ଼ିକରେ ଅଛି ଓଡ଼ିଶାର ରାଜନୀତିକ ଓ ସାମାଜିକ ଜାଗରଣର ଚିତ୍ର । ଗାନ୍ଧିବାଦର ଏସବୁ ନୂତନ ପରୀକ୍ଷା । ତଥାପି ରାମପ୍ରସାଦ ସିଂହ ବା ହରେକୃଷ୍ଣ ମହତାବଙ୍କ ଉପନ୍ୟାସ କଳାତ୍ମକ ମହିମା ଅର୍ଜନ କରିପାରିଲେ ନାହିଁ । ତେଣୁ ସ୍ୱାଧୀନତା ପରେ ସେସବୁ ଉପନ୍ୟାସର ପ୍ରଭାବ ରହିଲା ନାହିଁ । ପ୍ରାକ୍‌ ସ୍ୱାଧୀନତା କାଳରେ ଲକ୍ଷ୍ମୀଧର ନାୟକ ମଧ୍ୟ ରଚନା କରିଥିଲେ ‘ସର୍ବହରା’ ଓ ‘ହା’ରେ ଦୁର୍ଭାଗା ଦେଶ’ (୧୯୪୭) ପରି ଉପନ୍ୟାସ । ‘ହା’ ରେ ଦୁର୍ଭାଗା ଦେଶ’ ଉପନ୍ୟାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଭାରତୀୟ ଜୀବନର ନୈତିକ ଅଧୋପତନକୁ ପ୍ରକାଶ କରାଯାଇଥିଲେ ମଧ୍ୟ ଏଥିରେ ସ୍ୱାଧୀନତା ପରବର୍ତ୍ତୀ ସାମାଜିକ, ରାଜନୀତିକ, ସାଂସ୍କୃତିକ ଓ ପ୍ରଶାସନିକ ଦୁର୍ନୀତି ଓ ଦୁର୍ଗତିର ଚିତ୍ରକୁ ଦେଖାଇ ଦିଆଯାଇଅଛି । ଲକ୍ଷ୍ମୀଧରଙ୍କ ଉପନ୍ୟାସରେ ଅଛି ସମାଜବାଦୀ ବାସ୍ତବତାର ସ୍ୱର ଜାତୀୟ ସ୍ୱାଭିମାନର ଦୀପ୍ତ ମାତ୍ର ଏକ ରୋମାଣ୍ଟିକ ଭାବ ପ୍ରବାହରେ ତାହା ହୋଇଯାଇଛି ଛାୟାବଦ୍ଧ । ସ୍ୱାଧୀନତାର ପ୍ରାକ୍‌ କାଳରେ ସାଂପ୍ରଦାୟିକ ସଂଘର୍ଷର ଯେଉଁ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା ତାହା ମଧ୍ୟ ଔପନ୍ୟାସିକଙ୍କ ଚିତ୍ତ-ବୃତ୍ତିରେ ସୃଷ୍ଟି କରିଥିଲା ଭାବାନ୍ତର । ଏଥିପାଇଁ ବୋଧହୁଏ ପ୍ରାଣକୃଷ୍ଣ ସାମଲ ରଚନା କରିଥିଲେ ‘ପ୍ରେମ’ ଓ ଜ୍ଞାନୀନ୍ଦ୍ର ବର୍ମା ରଚନା କରିଥିଲେ ଭୂମିକା (୧୯୪୭) ଉପନ୍ୟାସ । ପ୍ରଥମଟିରେ ଅଛି ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ମିଳନ ପାଇଁ ବୈବାହିକ ସମ୍ୱନ୍ଧର ଗୁରୁତ୍ୱ ଏବଂ ଦ୍ୱିତୀୟଟିରେ ଅଛି ଏହି ଉଭୟ ସଂପ୍ରଦାୟ ମଧ୍ୟରେ ସଂହତି ଓ ମୈତ୍ରୀ ପାଇଁ ମାନବିକ ଆବେଦନ ।

 

କାହ୍ନୁଚରଣଙ୍କର ‘ଶାସ୍ତି’ (୧୯୪୬) ଏହି ସମୟର ଏକ ବିଶିଷ୍ଟ ଉପନ୍ୟାସ । ‘ହା’ ଅନ୍ନ’ (୧୯୩୨)ର ଏହା ଦ୍ୱିତୀୟ ପର୍ଯ୍ୟାୟ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ସମୟର ସାମାଜିକ ଚିତ୍ତ-ସ୍ପନ୍ଦନର ଏହା ମନ୍ମୟ ଆଲେଖ୍ୟ । ଏଥିରେ ଶୋଷକ ଓ ଶୋଷିତର ସମ୍ପର୍କକୁ ଦେଖାଇ ଦିଆଯାଇଥିଲେ ହେଁ ଏକ ଜାତିଗତ ଦ୍ୱନ୍ଦ୍ୱ ଓ ତଜ୍ଜନିତ ପ୍ରେମର ବିପର୍ଯ୍ୟୟ ହୋଇଯାଇଛି କେନ୍ଦ୍ରବିନ୍ଦୁ-। ଦୁର୍ଭିକ୍ଷ ଫେରନ୍ତା ସନିଆ ପ୍ରେମର ବିଫଳତା ପରେ ଏକ ନୂତନ ସମାଜ ପରିକଳ୍ପନା କରିଛି । ସେ ଘୋଷଣା କରିଛି- ‘‘ଏ ଘର ମୂଲିଆର, ନଥିଲାର, ନିଜର ମନ ବୁଝିବାକୁ, ଆନନ୍ଦ ପାଇଁ ଯିଏ ଯାହାର ଦେବତା ନେଇ ବସୁ କେହି କାହାର ରୁଚିରେ ବାଧା ଦେବ ନାହିଁ, କିନ୍ତୁ ଶକ୍ତି ଅନୁଯାୟୀ ସଭିଏଁ କରିବେ କାମ । ଯାହା ଭେଇବେ ସମସ୍ତେ ବାଣ୍ଟି ଖାଇବେ ।’’ ଏଥିରେ ଗାନ୍ଧୀବାଦ ଓ ମାର୍କସବାଦର ହୋଇଛି ସମନ୍ୱୟ । ମାତ୍ର ଏହି ଆଦର୍ଶ ବାସ୍ତବତାର ଦାନା ବାନ୍ଧି ପାରିନାହିଁ । ନିମ୍ନବର୍ଗର ମଣିଷଟିଏ ସମାଜର ପରିବର୍ତ୍ତନ ପାଇଁ ଯେଉଁ ସ୍ୱପ୍ନ ଦେଖିଛି ତାହା ଭାଙ୍ଗିଯାଇଛି ସାମନ୍ତବାଦୀ ସମାଜର ଆଘାତରେ । କାହ୍ନୁଚରଣ ତେଣୁ ‘ଝଞ୍ଜା’ (୧୯୪୯) ବେଳକୁ ଗାନ୍ଧୀବାଦୀ ଦର୍ଶନକୁ ଗ୍ରହଣ କରିନେଇ ସମାଜର ଉଚ୍ଚବର୍ଗକୁ ହୃଦୟ ପରିବର୍ତ୍ତନ ଭିତ୍ତିରେ ଅବତରଣ କରାଇ ଆଣିଛନ୍ତି ନିମ୍ନ ବର୍ଗକୁ-ସହରର ଜଟିଳତାରୁ ମଣିଷକୁ ନେଇଆସିଛନ୍ତି ପଲ୍ଲୀକୁ । ଜମିଦାର ପରଶୁରାମ ବାବୁ ତେଣୁ କହିଛନ୍ତି- ‘‘ଆମେ ସମସ୍ତେ ଗୋଟିଏ ଜାତି, ମଣିଷ ଜାତି । ଜାତିର ନାଆଁ ଥାଉ; ଚାରି ପୁଅଙ୍କର ଚାରିଟି ନାମ ଦେଉଛ ତ, ସେମିତି । ସବୁ ଜାତି ବଡ଼, ସବୁ ଧର୍ମ ବଡ଼, କେହି ସାନ ନୁହେଁ । ଆମ ଭିତରେ ଭେଦାଭେଦ ରଖିବା ନାହିଁ । ସମସ୍ତେ ଆମେ ଏକାଠି ହେବା, ବଡ଼ ହେବା, ସୁଖରେ ରହିବା, ଆନନ୍ଦରେ ରହିବା, ଆମକୁ ଠାକୁରେ ସାହା ହୁଅନ୍ତୁ-।’ ଏହାହିଁ ଥିଲା ସ୍ୱତନ୍ତ୍ରୋତ୍ତର ଉତ୍କଳର ନୂତନ ସମାଜବାଦୀ ଆହ୍ୱାନ । ଏଥିରେ ଆଦର୍ଶ ଅଛି, ଏହି ଆଦର୍ଶରେ ମାଧୁର୍ଯ୍ୟ ଅଛି; ବାସ୍ତବତା ନାହିଁ, ନୂଆ ଦୁନିଆ, ନୂଆ ସମାଜ ଗଢ଼ିବାପାଇଁ କାହ୍ନୁଚରଣଙ୍କର ଥିଲା ସ୍ୱପ୍ନ ଏବଂ ଏହି ସ୍ୱପ୍ନ ‘ଶାସ୍ତି’ ଓ ‘ଝଂଜା’ ଦେଇ ‘ବଜ୍ରବାହୁ’ (୧୯୫୮) ପର୍ଯ୍ୟନ୍ତ ଗତି କରି ଆସିଛି । ନିତ୍ୟାନନ୍ଦ ମହାପାତ୍ର ମଧ୍ୟ ‘ହିଡ଼ ମାଟି’ (୧୯୪୬) ଉପନ୍ୟାସରେ ଭାରତୀୟ ମୁକ୍ତିସଂଗ୍ରାମରେ ଉତ୍କଳୀୟ ଜନ-ଜୀବନର ସମ୍ପର୍କ ଓ ଭୂମିକାକୁ ଦେଖାଇଦେବା ସଙ୍ଗେ ସଙ୍ଗେ ଗ୍ରାମ୍ୟ ଜୀବନର ମହତ୍ତ୍ୱକୁ ରୂପାୟନ କରିଛନ୍ତି-‘‘ଏଇ ଗାଁ-ଏଇ ଗାଁ-ଏଇ ଗାଁ-କେଡ଼େ ସୁନ୍ଦର-କେଡ଼େ ମିଠା ! ସତେ ଏଇ ଗାଁର ପ୍ରତି ଧୂଳି ବାଲିରେ ଯେମିତି କେତେ ପାଠ ଲେଖାଯାଇଛି ।’’ କାଳିନ୍ଦୀଚରଣଙ୍କର ‘ଲୁହାର ମଣିଷ’ (୧୯୪୭) ଉପନ୍ୟାସ ‘ମାଟିର ମଣିଷ’ (୧୯୩୦)ର ରାଜନୀତିକ ଚେତନାର ଏକ ନୂତନ ସଂସ୍କରଣ ହୋଇଥିଲେହେଁ ଏଥିରେ ଗ୍ରାମ୍ୟ ଜୀବନର ସଂଗଠନ ଓ ଭାରତୀୟ ମୁକ୍ତି-ସଂଗ୍ରାମରେ ସାଧାରଣ ଗ୍ରାମ୍ୟ ମଣିଷର ଯୋଗଦାନ ପ୍ରସଙ୍ଗ ବର୍ଣ୍ଣିତ-

 

ମାଟିର ମଣିଷ ଲୁହାର ମଣିଷ ହୋଇଗଲା ପରେ କହିଛି- ‘‘ମାଟି ହାଣୁ ହାଣୁ ଗଡ଼ିଆ ଯେମିତି ଖୋଳା ହୋଇଯାଏ, ସ୍ୱରାଜ ପାଇଁ କାମ କରୁଁ କରୁଁ ଏହା ଆସିଯିବ । ସ୍ୱରାଜ ବୋଇଲେ ଆଉକିଛି ନୁହେଁ ଭାଇ ! ସ୍ୱରାଜ ଆମେ ନିଜେ । ଆମେ ଏ ଦେଶର ସ୍ୱରାଜ, ଆମେ ଏ ଦେଶର ସବୁ । ଆମେ ଯେତେ ମାଇପି, ମରଦ, ପିଲା, ବୁଢ଼ା ଏ ଦେଶରେ ଅଛୁଁ, ତାହାର ମାଟି, ପାଣି ସବୁ ଆମର ।’’ ଏହି ସ୍ୱାଭିମାନୀ ଲୁହାର ମଣିଷ ସ୍ୱାଧୀନତା ପରକୁ ‘ଆଜିର ମଣିଷ’ (୧୯୫୬) ହୋଇଯାଇ ଏକ ବସ୍ତୁବାଦୀ ଅବକ୍ଷୟ ମଧ୍ୟରେ ଗତି କରିଛି । ମାଟିର ମଣିଷ ଓ ଲୁହାର ମଣିଷର ଆଦର୍ଶବାଦୀ ସ୍ୱରୂପ କିନ୍ତୁ ବଦଳିଯାଇଛି ହରିହର ବାହିନୀପତିଙ୍କର ‘କାରାର ମଣିଷ’ ଉପନ୍ୟାସରେ । ସମାଜର ଧନୀ ବ୍ୟକ୍ତି ଆଇନ ଓ ବିଚାରକୁ ଅକ୍ତିଆର କରି କିପରି ସାଧାରଣ ଦରିଦ୍ର ମଣିଷକୁ କାରାରୁଦ୍ଧ କରିଦିଏ ତା’ର ଏକ ମନୋଜ୍ଞ ଚିତ୍ର ଏହି ଉପନ୍ୟାସରେ ଭାସ୍ୱର ।

 

ସ୍ୱତନ୍ତ୍ରୋତ୍ତର ଉତ୍କଳରେ ଆଦିବାସୀ ଜୀବନ-ଜିଜ୍ଞାସାକୁ ନେଇ ଗୋପୀନାଥ ମହାନ୍ତି ରଚନା କଲେ ତାଙ୍କର କ୍ରାନ୍ତିକାରୀ ଉପନ୍ୟାସ ‘ପରଜା’ (୧୯୪୬) । ଇତିପୂର୍ବରୁ ସେ ରଚନା କରିଥିଲେ ‘ଦାଦି ବୁଢ଼ା’ (୧୯୪୪) । ‘ପରଜା’ ଗୋପୀନାଥ ପ୍ରତିଭାର ସାର୍ଥକ ନିଦର୍ଶନ । ଦେଶୀୟା ପରଜାର ଭୂମିକୈନ୍ଦ୍ରିକ ଅର୍ଥନୀତି ଉପରେ ଏହା ଆଧାରିତ । ଏଥିରେ ନାହିଁ ତଟସ୍ଥ ଭାବ; ଅଛି ଉତ୍ତାପ ଓ ଅଭିଭୂତ ହୋଇଯିବାର ଭାବ । ଫ୍ରଏଡୀୟ ଯୌନ-ଜିଜ୍ଞାସା ଓ ବିପର୍ଯ୍ୟସ୍ତ ପ୍ରେମର ଏହା କରୁଣ ଆତ୍ମଲିପି । ମାର୍କସୀୟ ଦ୍ୱନ୍ଦ୍ୱାତ୍ମକ ବସ୍ତୁବାଦ ସହିତ ଗାନ୍ଧିବାଦର ଅଛି ଚମତ୍କାର ସ୍ୱରଲିପି । ଗଭୀର ଆତ୍ମଦହନ ଓ ଅସହାୟତା ଭିତରେ ଆଦିବାସୀ ସରଳ ମଣିଷ ଶୋଷକ ସାହୁକାରକୁ ହତ୍ୟା କରିଛି, ମାତ୍ର ଏଥିପାଇଁ ସେ ହୋଇଛି ଅନୁତପ୍ତ । ସେ ଆଇନ ନିକଟରେ ଆତ୍ମସମର୍ପଣ କରି କହିଛି-‘ଆମେ ମଣିଷ ମାରିଛୁ, ଆମକୁ ଯେଉ ଦଣ୍ଡ ଅଛି ସେହି ଦଣ୍ଡ ଦିଅ’ । ‘ହରିଜନ’ (୧୯୪୮) ଉପନ୍ୟାସ ବେଳକୁ ଲେଖକ ଗାନ୍ଧିବାଦୀ ଆଦର୍ଶର ଆଉ ଏକ ନୂତନ ପରୀକ୍ଷା କରିଅଛନ୍ତି । ସମାଜର ସର୍ବନିମ୍ନ ସର୍ବହରା ମେହେନ୍ତର ଶ୍ରେଣୀ ପ୍ରତି ଏଥିରେ ପ୍ରକାଶ ପାଇଛି ଗଭୀର ସହାନୁଭୂତି । ସହରର ସଭ୍ୟ ଅଭିଜାତ ସମାଜର ଶୋଷଣ ଓ ଉପଭୋଗ ଲାଳସାର ତୀବ୍ରତାକୁ ଔପନ୍ୟାସିକ ଏଥିରେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ନିମ୍ନ ଜାତିର ଦୁର୍ବଳ ସର୍ବହରା ନାରୀର ଅନ୍ତରର ଜିଜ୍ଞାସାକୁ ପ୍ରକାଶ କରିଅଛନ୍ତି । ସେହି ନାରୀ କହିଛି- ‘ମାଗିଲେ ଥାଳ ପୂରେ ନାହିଁ, କାନ୍ଦିଲେ ପଥର ତରଳେ ନାହିଁ, କାହିଁକି ଆଉ ? ପୁଣି ଶେଷ ଥରକ, ଆସନ୍ତା ନାହିଁ ଟିକିଏ - ଶୁଣି ଯାଆନ୍ତା ଖାଲି ପଦେ କଥା,- ଶେଷ କଥା - ମୁଁ ଅଛୁଆଁ ନୁହେଁ, ଅଛୁଆଁ ତୁ, ମୁଁ ଖାଲି ଦରିଦ୍ର, - ଆଉ ତୁ - ଚାହିଁଲେ ପାପ ଲାଗେ, ଛୁଇଁଲେ ଛୁଆଁଣ ।’ ଏହି ଉପନ୍ୟାସରେ ଅଛି ସର୍ବହରା ମୂଲିଆର ସ୍ୱାଭିମାନ । ଶୋଷଣ ଓ କଷଣର ବିକଟ ପରିସ୍ଥିତିରେ ମଧ୍ୟ ଅଛି ଆଶା ଓ ଆଶ୍ୱାସନା । ‘ଅମୃତର ସନ୍ତାନ’ (୧୯୪୯) ବେଳକୁ ସବୁ ଦୁଃଖ ଯନ୍ତ୍ରଣା ଭିତରେ ଗୋପୀନାଥ ଉପଲବ୍‌ଧି କଲେ-‘ଜୀବନରେ ସୁଆଦ ଅଛି, ମରଣ ନାହିଁ, ଦୁଃଖ ନାହିଁ ।’ ଏହାହିଁ ଥିଲା ସ୍ୱତନ୍ତ୍ରୋତ୍ତର ଉତ୍କଳର ଚଉଦ ବର୍ଷର ଓଡ଼ିଆ ଉପନ୍ୟାସର ଗତି ଓ ପ୍ରକୃତି । ଦୁର୍ଭିକ୍ଷ, ସଭ୍ୟ ସମାଜର ଶୋଷଣ ଓ ବିଳାସ, ସାଂପ୍ରଦାୟିକ ସଂଘର୍ଷ, ଗାଁ ପ୍ରତି ମମତ୍ୱବୋଧ, ଭୂମିକୈନ୍ଦ୍ରିକ ଅର୍ଥନୀତିକୁ କେନ୍ଦ୍ର କରି ଶୋଷଣର ପୈଶାଚିକ ଉଲ୍ଲାସ, ନିମ୍ନବର୍ଗର ନବୋତ୍‌ଥାନ, ମାର୍କସୀୟ ସମାଜବାଦ ସହିତ ଗାନ୍ଧୀୟ ସମାଜବାଦର ସମନ୍ୱିତ ରୂପ, ସ୍ୱରାଜ ଭାବନା ଓ ସ୍ୱାଭିମାନ ଥିଲା ଏହି ସମୟର ଉପନ୍ୟାସର ବିଷୟ-ବିନ୍ଦୁ । ଏହି ବିଷୟକୁ ନେଇ ମାନବିକ ଭାବବୋଧର ହୋଇଥିଲା ଉତ୍ତରଣ । ସବୁ ନୈରାଶ୍ୟ ଓ ଶୋଚନୀୟତା, ବ୍ୟଥା ଓ ବିଫଳତା ଭିତରେ ଗୋଟାଏ କେମିତି ସ୍ୱାଭିମାନୀ ଜାତୀୟ ଦୀପ୍ତି ବିଛୁଡ଼ି ହୋଇ ପଡ଼ିଥିଲା । ଶୋଷଣମୁକ୍ତ ନୂତନ ସମାଜ ପାଇଁ ମଧ୍ୟ ଏକ ନୂତନ ସ୍ୱପ୍ନ ବାନା ବାନ୍ଧିଥିଲା ।

 

୧୯୫୦ ମସିହା ପରେ ସେହି ସ୍ୱପ୍ନ ଓ ସମ୍ଭାବନା ବଦଳିଗଲା । ସ୍ୱାଧୀନତା ପୂର୍ବର ସ୍ୱାଭିମାନ ଲୋପ ପାଇଗଲା । ତଥାକଥିତ ଆନ୍ତର୍ଜାତିକତାର ମୋହ ହେଲା ପ୍ରସାରିତ । ଏପରି ପରିସ୍ଥିତିରେ ଔପନ୍ୟାସିକମାନେ ନୂତନ ଧରଣର ଉପନ୍ୟାସ ରଚନା କଲେ ମଧ୍ୟ ପୂର୍ବର ଧାରାକୁ ସଂପୂର୍ଣ୍ଣ ତ୍ୟାଗ କରିଦେଲେ ନାହିଁ । କାହ୍ନୁଚରଣ ଯେଉଁ ଗାନ୍ଧିବାଦୀ ଶୋଷଣମୁକ୍ତ ନୂତନ ସାମ୍ୟ ସମାଜର ପରିକଳ୍ପନା କରିଥିଲେ ତାହା ମଧ୍ୟ ‘ବଜ୍ରବାହୁ’ ଦେଇ ‘ତମସାତୀରେ’ ପର୍ଯ୍ୟନ୍ତ ଗଡ଼ି ଆସିଛି । ‘ତମସାତୀରେ’ ବେଳକୁ ଔପନ୍ୟାସିକ ସାଂପ୍ରଦାୟିକ ସଂଘର୍ଷର କାରଣ ସଂପର୍କରେ ଧନୀ ଓ ସୁବିଧାବାଦୀ ମଣିଷକୁ ଦାୟୀ କରିଅଛନ୍ତି । ସତ୍ୟବତୀ, ଛୁଟିଲେ ଘଟ, ମେଲାଣି ମାଗେ ଆଦି ଉପନ୍ୟାସଗୁଡ଼ିକ କାହ୍ନୁଚରଣୀୟ ସମାଜବାଦୀ ଧାରାରୁ ଅଲଗା ହୋଇ ଯାଇଥିଲେ ହେଁ ସେହି ମାନବିକ ସମ୍ୱେଦନାର ଗୋଟିଏ ଗୋଟିଏ ସଫଳ ରୂପାୟନ । କାହାଣୀ-ବୃତ୍ତ ମଧ୍ୟଦେଇ ଉପନ୍ୟାସର ଗତି ଓ ସଂଘର୍ଷ ରୂପାୟନ ଏବଂ ସେଥିରେ ନରନାରୀ ହୃଦୟର ଅଶରୀରୀ ପ୍ରେମବୋଧ ବର୍ଣ୍ଣନା କାହ୍ନୁଚରଣଙ୍କ ଉପନ୍ୟାସର ବୈଶିଷ୍ଟ୍ୟ ।

 

ଅନ୍ୟ ପକ୍ଷରେ ଗୋପୀନାଥ ମଧ୍ୟ ସ୍ୱାଧୀନତା ପୂର୍ବ ଦଶନ୍ଧିରେ ଆଦିବାସୀ ଜୀବନ-ଚର୍ଯ୍ୟାକୁ ନେଇ ଯେଉଁ ଉପନ୍ୟାସମାନ ରଚନା କରିଥିଲେ ୧୯୫୦ ମସିହା ପରବର୍ତ୍ତୀ ଦଶନ୍ଧିରେ ମଧ୍ୟ ସେହି ଆଦର୍ଶକୁ ଅକ୍ଷତ ରଖିଅଛନ୍ତି । ଦୁଇପତ୍ର (୧୯୫୫), ଶିବ ଭାଇ (୧୯୫୮), ଅପହଞ୍ଚ (୧୯୬୧) ଆଦି ଉପନ୍ୟାସରେ ଆଦିବାସୀ ଜୀବନଧାରା ଥିଲେ ହେଁ ସେ ସବୁଥିରେ ‘ପରଜା’ର ଉତ୍ତାପ ନାହିଁ, ତୀବ୍ରତା ନାହିଁ କିମ୍ୱା ‘ଅମୃତର ସନ୍ତାନ’ର ଆଲୋକ ମଧ୍ୟ ନାହିଁ । ‘ଅପହଞ୍ଚ’ରେ ଅଛି ସ୍ୱାଧୀନତା ପରବର୍ତ୍ତୀ ରାଜନୀତି ଓ ବ୍ୟବସାୟ ଭିତ୍ତିରେ ନୂତନ ଅଭିଜାତ ଗୋଷ୍ଠୀର ଅଭ୍ୟୁଦୟର ଚିତ୍ର । ଆଦିବାସୀ ଯୁବକ ପାଠ ପଢ଼ି, ଉଚ୍ଚ ବର୍ଗରେ ବିବାହ କରି ଆପଣାର ନାମକୁ ବଦଳାଇ ଦେଇ ହୋଇଛି ନୂତନ ଅଭିଜାତ ମଣିଷ । ନିର୍ବାଚନରେ ଜିତି ସେ ହୋଇଛି ନେତା ଓ ଅବସ୍ଥାନ କରିଛି ସହରରେ । ବସ୍ତୁବାଦୀ ଜୀବନ-ଚର୍ଯ୍ୟା ମଧ୍ୟରେ ଥାଇ ଆପଣାର ଆଦିବାସୀ ସମାଜକୁ ଉପେକ୍ଷା କରିଛି । ତା’ର ବାପା ହୋଇଛି ଶୋଷକ । ରାଜନୀତିରେ ସ୍ଥିତିଲାଭ କରିଥିବା ଏହି ନୂତନ ଅଭିଜାତ ମଣିଷ ନିର୍ବାଚନରେ ପରାସ୍ତ ହୋଇଗଲା ପରେ ଭାଙ୍ଗି ପଡ଼ିଛି । ତା’ର ଆସିଛି ଗଭୀର ଅନୁତାପ । ସେ ପୁନର୍ବାର ଫେରି ଆସିଛି ସେହି ଆଦିବାସୀ ସମାଜ ନିକଟକୁ ଏବଂ କହିଛି-‘ଆସ ସମସ୍ତିଙ୍କର ସବୁ ଜମି ଏକାଠି ମିଶେଇ ଦେବା, ଆହୁରି ଜମି କାଢ଼ିବା, ସମସ୍ତେ କାମ କରିବା, ସମସ୍ତେ ବାଣ୍ଟିବା ଆଉ ଖାଇବା’ ଏହି ଭାବ ମଧ୍ୟ ‘ମାଟିମଟାଳ’ (୧୯୬୪) ଉପନ୍ୟାସରେ ପ୍ରତିଧ୍ୱନିତ । ‘ଯେତେ କେଉଁଠି ଯେ ଜନ୍ମ ନେଇଛନ୍ତି ସମସ୍ତିଙ୍କର ପାଟିକି ଥିବ ଆଧାର, ସମସ୍ତଙ୍କ ପାଇଁ ରହିବାକୁ ଘର ଥିବ । ସମସ୍ତଙ୍କ ପାଇଁ ସମାନ ସୁଯୋଗ ଯେପରି ସେମାନେ ପାଠ ପଢ଼ିବେ, ମଣିଷ ହେବେ, ଶ୍ରମକୁ କାର୍ଯ୍ୟରେ ଲଗାଇବାକୁ ସୁବିଧା ପାଇବେ, ରୋଗ ହେଲେ ଚିକିତ୍ସା ପାଇବେ, ଅକାମୀ ହେଲେ ପାଇବେ ଖୋଜାଲୋଡ଼ା, ସେବା ଆଦର, ସୁସ୍ଥରେ ଆନନ୍ଦରେ ବଞ୍ଚି ପାରିବେ, ଯେପରି କେହି ତାଙ୍କର ରକ୍ତ ଶୋଷି ପାରିବେ ନାହିଁ, କେହି ହେବ ନାହିଁ କାନ୍ଧ ଉପରେ ସବାର, କେହି ନାଲି ଆଖି ଦେଖାଇବ ନାହିଁ, ନାକ ଟେକିବ ନାହିଁ, ପାତର ଅନ୍ତର କରିବ ନାହିଁ, କେହି କହିବ ନାହିଁ ବେ’ ବୋଲି, ହା’ସୁ ବି କହିବ ନାହିଁ । ସ୍ନେହ ବିଶ୍ୱାସ, ଦିଆ ଘେନା, ବୁଝାମଣା ଆଉ ଦମ୍ଭିଲା ଭାଇ ପଣରେ ଛନ୍ଦାଛନ୍ଦି ହୋଇ ଏକ ପୃଥିବୀ, ଏକ ଘର, ଜୀବନ ସେଠି ସରଳ, ସୁନ୍ଦର, ଆଶା ଆନନ୍ଦରେ ଉଜ୍ଜ୍ୱଳ, ନିତିନିତି ବିକାଶରେ ବୈଚିତ୍ର୍ୟମୟ ।’ ଗୋପୀନାଥଙ୍କର ଏହି ସମାଜବାଦୀ ସ୍ୱପ୍ନ ଏକ ଆଦର୍ଶ ମାତ୍ର । କାହ୍ନୁଚରଣୀୟ ସ୍ୱପ୍ନର ଏହା ପ୍ରତିଧ୍ୱନି ବିଶେଷ ।

 

ସ୍ୱାଧୀନତା ପରେ ଓଡ଼ିଆ ଉପନ୍ୟାସର ଦ୍ୱିତୀୟ ପ୍ରସ୍ତର ଆରମ୍ଭ ଓ ବିକାଶ । ୧୯୭୧ ମସିହା ପର୍ଯ୍ୟନ୍ତ ଏହି ପ୍ରସ୍ତର ଗତି ଓ ପ୍ରକୃତି । ସ୍ୱାଧୀନତା ପରଠାରୁ ଭାରତର ତଥା ଓଡ଼ିଶାର ସାମାଜିକ ତଥା ସାଂସ୍କୃତିକ ଜୀବନରେ ଦେଖାଦେଲା ନୂତନ ପରିବର୍ତ୍ତନ । ପୂର୍ବର ଜାତୀୟ ସ୍ୱାଭିମାନ ହେଲା କ୍ରମ ବିଲୀୟମାନ । ଭାରତୀୟ ପରମ୍ପରାବୋଧ ପରିବର୍ତ୍ତେ ଆନ୍ତର୍ଜାତିକତାର ମୋହ ବିଶେଷ ପ୍ରଭାବ ବିସ୍ତାର କଲା । ରାଜନୀତିକ ସଙ୍କଟ ଓ ସଂଘର୍ଷ ତୀବ୍ରତର ହୋଇ ଉଠିବା ସଙ୍ଗେ ସଙ୍ଗେ ଏକ ବସ୍ତୁବାଦୀ ଭାବଧାରା ପ୍ରାଧାନ୍ୟ ଲାଭ କଲା । ଗାଣତନ୍ତ୍ରିକ ଆଦର୍ଶବୋଧ ପ୍ରତିଷ୍ଠିତ ହୋଇଥିଲେହେଁ ବ୍ୟକ୍ତିବାଦ ତଥାପି ଯେପରି ହୋଇ ଉଠିଲା ମୁଖର । ଏକ ପକ୍ଷରେ ସ୍ୱାଧୀନତାର ସ୍ୱପ୍ନଭଙ୍ଗ ଏବଂ ଅନ୍ୟ ପକ୍ଷରେ ଗାନ୍ଧିବାଦର କ୍ରମ ବିଲୟ, ଗାନ୍ଧିବାଦ ଓ ମାର୍କସବାଦର ଚିତ୍ତ-ସଂଘର୍ଷ ସାମାଜିକ ଜୀବନରେ ସ୍ପଷ୍ଟ ହୋଇ ଉଠିଲା । ଏହି ସମୟରେ ଗଢ଼ି ଉଠିଲା ରାଜନୀତି, ଚାକିରି ଓ ଶିଳ୍ପ ବ୍ୟବସାୟକୁ ନେଇ ଏକ ନୂତନ ଅଭିଜାତ ସମାଜ । ଏହି ସମାଜର ପ୍ରାକ୍‌ ସ୍ୱାଧୀନତା କାଳରୁ ଗଡ଼ି ଆସିଥିବା ଅଭିଜାତ ସମାଜ ସହିତ ଦେଖାଦେଲା ଆତ୍ମିକ ଦ୍ୱନ୍ଦ୍ୱ । ଏହି ଦ୍ୱନ୍ଦ୍ୱରେ ବିଗତ ଅଭିଜାତ ସମାଜର ହେଲା ବିପର୍ଯ୍ୟୟ ଏବଂ ନୂତନ ଅଭିଜାତ ସମାଜର ହେଲା ଉତ୍‌ଥାନ । ଏ ସମୟକୁ ମଧ୍ୟବିତ୍ତ ଗୋଷ୍ଠୀର ନିଃସଙ୍ଗତାବୋଧ ହେଲା ଶାଣିତ । ଗୋଟାଏ ଅବକ୍ଷୟୀ ଭାବ ଯେପରି ତୀବ୍ର ହୋଇ ଉଠିଲା । ଏହି ଅବକ୍ଷୟର ସ୍ୱରୂପ ପ୍ରକାଶ ପାଇଲା ରାଜନୀତିରେ, ସଂସ୍କୃତିରେ, ଧର୍ମରେ, ସାମାଜିକ ଜୀବନରେ ଓ ସାହିତ୍ୟରେ ନୂତନ ଶିକ୍ଷିତ ସମାଜର ଅଭ୍ୟୁଦୟ ଓ ଜନସମ୍ପର୍କ ପ୍ରତି ଉଦାସୀନତା, ଯୌନ ଅବକ୍ଷୟତା ଏବଂ ଶୂନ୍ୟତାବୋଧ ଆଦି ନାନା ପ୍ରସଙ୍ଗ ହେଲା ଏ ସମୟରେ ସ୍ପଷ୍ଟ । ଧର୍ମ ଓ ଧର୍ମ ନିରପେକ୍ଷତାର ଚିତ୍ତ-ସଂଘର୍ଷ, ସାଂପ୍ରଦାୟିକ ଦଙ୍ଗା, ଜମିଦାରୀ ଓ ମଧ୍ୟସ୍ୱତ୍ୱ ପ୍ରଥାର ବିଲୋପ, ଗାଣତନ୍ତ୍ରିକ ଭୋଟଦାନ ପ୍ରଥା, ଜାତୀୟକରଣ, ପଞ୍ଚବାର୍ଷିକ ଯୋଜନା, ରାଜା ମହାରାଜାମାନଙ୍କର ଭତ୍ତା ଉଚ୍ଛେଦ ଆଦି ନାନା ଘଟଣା ଭାରତୀୟ ଜନସମାଜରେ ସୃଷ୍ଟି କଲା ନୂତନ ଆଲୋଡ଼ନ । ଏସବୁ ଭାବ କଳାତ୍ମକ ରୂପ ନେଲା ଉପନ୍ୟାସରେ । ପ୍ରାକ୍‌ ସ୍ୱାଧୀନତା କାଳର ସାମାଜିକ ଜୀବନ-ଜିଜ୍ଞାସା ପରିବର୍ତ୍ତେ ଏ ସମୟରେ ରାଜନୀତିକ ଜୀବନ ଜିଜ୍ଞାସାର ସ୍ୱର ହେଲା ତୀକ୍ଷ୍‌ଣ । ସୁରେନ୍ଦ୍ର ମହାନ୍ତିଙ୍କର ‘ଅନ୍ଧ ଦିଗନ୍ତ’ (୧୯୬୪) ସ୍ୱାଧୀନତା ପରବର୍ତ୍ତୀ କ୍ଷମତା-ରାଜନୀତିର ଏକ ମନ୍ମୟ ଆଲେଖ୍ୟ । ଅସହଯୋଗ ଆନ୍ଦୋଳନ ଠାରୁ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ ଭାରତୀୟ ମୁକ୍ତି-ସଂଗ୍ରାମର କାହାଣୀ ମଧ୍ୟଦେଇ ଓଡ଼ିଶାର ରାଜନୀତିକ ବାତାବରଣକୁ ଏଥିରେ ବର୍ଣ୍ଣନା କରାଯାଇଅଛି । ଏଥିରେ ସ୍ପଷ୍ଟ ଭାବରେ ଗାନ୍ଧିବାଦର ବ୍ୟର୍ଥତାକୁ ଦର୍ଶାଇ ଦିଆଯାଇଅଛି । କ୍ଷମତା-ରାଜନୀତିର ଉଲ୍ଲଙ୍ଘ କାଳରଡ଼ିରେ ସାଧାରଣ ଜୀବନ କିପରି ହାହାକାରମୟ ହୋଇ ଯାଇଛି ତା’ର ଅଛି ମନ୍ମୟ ଚିତ୍ର । ଏହି ଉପନ୍ୟାସ ମଧ୍ୟ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ରାଜନୀତିକ ଓ ସାମାଜିକ ଜୀବନର ଯଥାର୍ଥ ମର୍ମଲିପି । ଲକ୍ଷ୍ମୀଧର ନାୟକ ‘ହା’ରେ ଦୁର୍ଭାଗା ଦେଶ’ରେ ରାଜନୀତିକ ସ୍ୱପ୍ନ ଭଙ୍ଗର ଯେଉଁ ଚିତ୍ର ଦେଇଥିଲେ ତା’ର ଏକ ଆଶାନ୍ୱିତ ରୂପ ପ୍ରକାଶ ପାଇଛି ‘ମୋ ସ୍ୱପ୍ନର ସହର’ (୧୯୭୭) ଉପନ୍ୟାସରେ । ଏଥିରେ କୁହାଯାଇଛି-‘ସ୍ୱାଧୀନୋତ୍ତର ଗଣତାନ୍ତ୍ରିକ ଭାରତବର୍ଷରେ ‘ଗଣ’ଇ ଦେବ ସେ ‘ନେତୃତ୍ୱ’ । ସମସ୍ତଙ୍କୁ ବାହାରିବାକୁ ପଡ଼ିବ ଏକଜୁଟ ହୋଇ, ଏକ ସାଙ୍ଗରେ । ଇଏ ସମଷ୍ଟିର ଯୁଗ, ବ୍ୟକ୍ତି ବିଶେଷର ନୁହେଁ । ସମଗ୍ର ଜାତି ଉଠିବ ହୁଙ୍କାର ଦେଇ ଅବିଚାର ବିରୁଦ୍ଧରେ, ତା’ ନ ହେଲେ ବିପଦ ଅନିବାର୍ଯ୍ୟ ।’ ଏଥିରୁ ଏକ ସମାଜବାଦୀ ଭାବର ସଙ୍କେତ ମିଳେ ।

 

ଚନ୍ଦ୍ରଶେଖର ରଥ ‘ଅସୂର୍ଯ୍ୟ ଉପନିବେଶ’ (୧୯୭୪) ଉପନ୍ୟାସରେ ସୂଚେଇ ଦେଇଛନ୍ତି ରାଜନୀତିରେ ଆଶୁଫଳ ଲାଭ ସମ୍ପର୍କରେ । ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ତୃତୀୟପର୍ବ’ (୧୯୭୭) ଓ ‘୧୯୭୫’ ଉପନ୍ୟାସ ଦୁଇଟିରେ ଗାନ୍ଧିବାଦ କିପରି ବିଲୋପ ପାଇଯାଇ ଏକ ଚରମ ବିଶୃଙ୍ଖଳ ପରିସ୍ଥିତି ସୃଷ୍ଟି ହୋଇଛି ସେ କଥାକୁ ସୂଚାଇ ଦେଇଛନ୍ତି । ସେ ସ୍ପଷ୍ଟ ଲକ୍ଷ୍ୟ କରିଛନ୍ତି ଯେ ୧୯୭୧ ମସିହା ବେଳକୁ ଗାନ୍ଧିବାଦ ସମ୍ପୂର୍ଣ୍ଣ ଲୋପ ପାଇଯାଇଛି । ‘ତୃତୀୟପର୍ବ’ ଉପନ୍ୟାସରେ ତେଣୁ ସେ କହନ୍ତି-‘ଗାନ୍ଧିଜୀଙ୍କ ଭାରତ ଆଉ ନାହିଁ ।’ ମଧ୍ୟପର୍ବର ଉପସଂହାର ୧୯୭୦ । ଏଠାରୁ ଆରମ୍ଭ ହୋଇଛି ଓଡ଼ିଆ ଉପନ୍ୟାସର ତୃତୀୟପର୍ବ ବା ସାମ୍ପ୍ରତିକ ପର୍ବ । ଏହି ସମୟରେ ଭାରତବର୍ଷରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା ଓ ରାଜନୀତିକ ସଙ୍କଟ ଦେଖାଦେଲା । ଏହାର ଚିତ୍ରକୁ ହରେକୃଷ୍ଣ ମହତାବ ‘ତୃତୀୟପର୍ବ’ ତଥା ‘୧୯୭୫’ ଉପନ୍ୟାସରେ ରୂପ ଦେଇଛନ୍ତି । ବ୍ରଜମୋହନ ମହାନ୍ତି ମଧ୍ୟ ତାଙ୍କର ‘ନିଶଦ୍ଦ ଆକାଶ ଓ ଅନ୍ଧ ପୃଥିବୀ’ ଉପନ୍ୟାସରେ ଏହି ସମୟର ଚିତ୍ରକୁ ଦେଖାଇ ଦେଲେ । ଶାନ୍ତନୁ ଆଚାର୍ଯ୍ୟଙ୍କର ‘ଶକୁନ୍ତଳା’ (୧୯୮୦) ଏହି ସମୟରେ ଏକ ଉଲ୍ଲେଖଯୋଗ୍ୟ ସୃଷ୍ଟି । ୧୯୫୧ ମସିହାର ତେଲେଙ୍ଗାନା ଚାଷୀ ଆନ୍ଦୋଳନଠାରୁ ଆରମ୍ଭ କରି ୧୯୭୦ର ନକ୍‌ସାଲବାଦ ଆନ୍ଦୋଳନର ଶେଷ ସୀମା ପର୍ଯ୍ୟନ୍ତ ଯେଉଁ ରାଜନୀତିକ ଓ ସାମାଜିକ ଚେତନା ପ୍ରକାଶ ପାଇଥିଲା ତାହା ଏହି ଉପନ୍ୟାସରେ ବର୍ଣ୍ଣିତ । ଏଥିରେ ମଧ୍ୟ ସେ ଲକ୍ଷ୍ୟ କରିଛନ୍ତି ଗାନ୍ଧିବାଦର ବିପର୍ଯ୍ୟସ୍ତ ରୂପ, ନବମାନବର କ୍ରାନ୍ତିକାରୀ ଭାବ । ଏଥିରେ ପ୍ରକାଶ ପାଇଛି ଯେତେବେଳେ ସେହି ମରଣମୁଖୀ ନକ୍‌ସାଲବାଦୀମାନେ କହିଛନ୍ତି-‘ଆମେ ଉତ୍ସର୍ଗୀକୃତ । ନବମାନବର ଜନ୍ମ ଅଛି, ମୃତ୍ୟୁ ନାହିଁ ।’ ଏହି ନବମାନବ ମଧ୍ୟ ବିଲୋପ ପାଇଗଲେ । କାରଣ ଏହି ମଣିଷ ଭାରତୀୟ ସଂସ୍କୃତି ଓ ସାମାଜିକ ଚେତନା ସହିତ ନିଜକୁ ମିଶାଇ ପାରିଲେ ନାହିଁ । ଏ ଦିଗରେ ଅନାଦି ସାହୁଙ୍କର ‘ମୁଣ୍ଡମେଖଳା’ (୧୯୮୩) ନିଶ୍ଚିତ ଭାବରେ ଏକ ଉଲ୍ଲେଖଯୋଗ୍ୟ ସୃଷ୍ଟି । ନକ୍‌ସାଲବାଦ ଭିତ୍ତିଭୂମି ଉପରେ ଏହା ଏକ ନୂତନ ପରୀକ୍ଷା । ନକ୍‌ସାଲବାଦ ସୃଷ୍ଟିର କାରଣ, ପରିଣତି ଓ ବିପର୍ଯ୍ୟୟର ସଙ୍କେତ ଏଥିରେ ଅଛି । ଗଣେଶ୍ୱର ମିଶ୍ରଙ୍କର ‘ନେତା’ (୧୯୭୩), ବିଭୂତି ପଟ୍ଟନାୟକଙ୍କର ‘ଚପଳଛନ୍ଦା’ ଅନାଦି ସାହୁଙ୍କର ‘କ୍ଷଣଭଙ୍ଗୁର’ ଏବଂ ‘ଶୋଣିତ ଫଲଗୁ’ ଆଦି ଉପନ୍ୟାସମାନଙ୍କରେ ରାଜନୀତିକ ସ୍ଥିତି-ସଂଘର୍ଷ, ବ୍ୟଥା ଓ ବ୍ୟର୍ଥତାର ଚିତ୍ର ପ୍ରଦତ୍ତ ହୋଇଅଛି ।

 

ଏହିପରି ଏକ ପରିସ୍ଥିତିରେ ଇତିହାସର ଗନ୍ତାଘର ଖୋଲି କେତେକ ଔପନ୍ୟାସିକ ଆବିଷ୍କାର କରିଛନ୍ତି ଜାତୀୟ ମୂଲ୍ୟବୋଧକୁ । ସୁରେନ୍ଦ୍ର ମହାନ୍ତିଙ୍କର ‘ନୀଳଶୈଳ’ (୧୯୬୮), ‘ନୀଳାଦ୍ରି ବିଜୟ’ (୧୯୮୦) ଓ ‘କୃଷ୍ଣାବେଣୀରେ ସଂଧ୍ୟା’ (୧୯୮୫) ସେହି ଜାତୀୟ ଓ ସାଂସ୍କୃତିକ ମୂଲ୍ୟବୋଧର ଗୋଟିଏ ଗୋଟିଏ ଅମଳିନ ସୃଷ୍ଟି । ମୂରଲୀଧର ମଲ୍ଲିକଙ୍କର ‘ରକ୍ତଶପଥ’, ‘ଦେବୀ’, ‘ମଙ୍ଗଳେ ଅଇଲା ଉଷା’, ‘ରଜନୀ ଯାଇଛି ବିତି’, ‘ଅକାଳ କୁହୁଡ଼ି’ ଆଦି ଉପନ୍ୟାସଗୁଡ଼ିକ ଐତିହାସିକ ପ୍ରେକ୍ଷାପଟ ଉପରେ ରଚିତ ହୋଇ ସାଂପ୍ରତିକ ସମାଜ ପ୍ରତି ପ୍ରଦାନ କରିଛି ଐତିହ୍ୟଗତ ଇଙ୍ଗିତ । ବାମାଚରଣ ମିତ୍ରଙ୍କର ‘ଚନ୍ଦ୍ର ଓ ଚମ୍ପା’, ବିଭୂତି ପଟ୍ଟନାୟକଙ୍କର ‘ଚପଳଛନ୍ଦା’, କାହ୍ନୁଚରଣଙ୍କର ‘ସ୍ୱପ୍ନ ନା ସତ୍ୟ’, ବସନ୍ତ କୁମାର ସାମଲଙ୍କର ‘ଶାଳବତୀ’ ଆଦି ଐତିହାସିକ ଧାରାର ଗୋଟିଏ ଗୋଟିଏ ସଫଳ ସୃଷ୍ଟି । ଯଦିଓ ଇତିହାସର ବିଷୟବସ୍ତୁକୁ ନେଇ କେତେକ ଔପନ୍ୟାସିକ ଉପନ୍ୟାସମାନ ରଚନା କରିଅଛନ୍ତି, ଏ ଦିଗରେ ସୁରେନ୍ଦ୍ର ମହାନ୍ତି ହିଁ ଏକମାତ୍ର ସଫଳ ଗୌରବର ଅଧିକାରୀ । ଇତିହାସ ମଧ୍ୟଦେଇ ସାଂସ୍କୃତିକ ଓ ଜାତୀୟ ରସ-ବିନ୍ଦୁକୁ ସେ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ସାର୍ବଜନୀନ ମାନବିକ ଭାବସତ୍ୟକୁ ରସାତ୍ମକ ଶୈଳୀରେ ରୂପାୟନ କରି କ୍ଲାସିକ୍‌ ଶିଳ୍ପୀ ଭାବରେ ପ୍ରତିଷ୍ଠା ଅର୍ଜନ କରିଅଛନ୍ତି ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ଆଦିବାସୀ ଓ ହରିଜନମାନଙ୍କ ଜୀବନଧାରାକୁ ନେଇ କେତେକ ଉପନ୍ୟାସ ମଧ୍ୟ ରଚିତ ହୋଇଅଛି । ଏଗୁଡ଼ିକୁ ମଧ୍ୟ ଆଞ୍ଚଳିକ ଉପନ୍ୟାସ କୁହାଯାଇଥାଏ । ଗୋପୀନାଥ ମହାନ୍ତିଙ୍କର ହରିଜନ, ଅମୃତର ସନ୍ତାନ, ଶିବ ଭାଇ, ଅପହଞ୍ଚ, ଯମେଶ୍ୱର ମିଶ୍ରଙ୍କର ଖମାରୀ, ଗଡ଼ତିଆ, ପରଶୁରାମ ମୁଣ୍ଡଙ୍କର ‘ବସୁନ୍ଧରା ମାଟି’ ଗଣେଶ୍ୱର ମିଶ୍ରଙ୍କର ‘ସାମୁଦ୍ରିକ’, ଗୋବିନ୍ଦ ଦାସଙ୍କର ‘ଲାସୁ’ ବ୍ରଜମୋହନ ମହାନ୍ତିଙ୍କର ‘ସାପୁଆ’ ଆଦି ଏ ଦିଗରେ ଗୋଟିଏ ଗୋଟିଏ ରମଣୀୟ ସୃଷ୍ଟି । ସାମ୍ପ୍ରଦାୟିକ ସଂଘର୍ଷ ଭିତ୍ତିଭୂମି ଉପରେ ମାନବିକ ସମ୍ବେଦନା ସୃଷ୍ଟିକରି ମୈତ୍ରୀବୋଧ ପ୍ରତିଷ୍ଠା ପାଇଁ ମଧ୍ୟ ଉପନ୍ୟାସମାନ ରଚିତ ହୋଇଅଛି । କମଳାକାନ୍ତ ଦାଶଙ୍କର ‘ଆଜାନ୍‌’, ମନ୍ମଥ ନାଥ ଦାସଙ୍କର ‘ଅସ୍ତରାଗ’, କାହ୍ନୁଚରଣଙ୍କର ‘ତମସାତୀରେ’, ଗୋପୀନାଥ ମହାନ୍ତିଙ୍କର ‘ଲୟବିଲୟ’, ଅନାଦି ସାହୁଙ୍କର ‘ଶୋଣିତ ଫଲଗୁ’ ଆଦି ଉପନ୍ୟାସମାନଙ୍କରେ ଏହାର ଅଛି ମନ୍ମୟ ମାନବିକ ଆବେଦନ । ଶ୍ରମିକମାନଙ୍କର ନାନାବିଧ ସମସ୍ୟାକୁ ନେଇ ଏହି ସମୟରେ ଲକ୍ଷ୍ମୀଧର ନାୟକଙ୍କର ‘ହା’ରେ ଦୁର୍ଭାଗା ଦେଶ’, ବ୍ରଜମୋହନ ମହାନ୍ତିଙ୍କର ‘ଅରକ୍ଷିତ ଉପନିଷଦ’ (୧୯୮୦) ଓ ଯମେଶ୍ୱର ତ୍ରିପାଠୀଙ୍କର ବିଭିନ୍ନ ଉପନ୍ୟାସ ରଚିତ ହୋଇଅଛି । ଗ୍ରାମ୍ୟ ଓ ନଗର ଜୀବନର ଚିତ୍ତ-ସଂଘର୍ଷକୁ କାହ୍ନୁଚରଣ ‘ଝଞ୍ଜା’, ‘ବଜ୍ରବାହୁ’, ‘ତୁଣ୍ଡବାଇଦ’, ‘କ୍ଷଣକ୍ଷଣକେ ଆନ’, ‘ଛୁଟିଲେ ଘଟ’, ଗୋପୀନାଥ ମହାନ୍ତି ‘ଦାନାପାଣି’, ଦିଗଦିହୁଡ଼ି, ନିତ୍ୟାନନ୍ଦ ମହାପାତ୍ର ‘ଘରଡ଼ିହ’, ‘ଭଙ୍ଗାହାଡ଼’, ସୁରେନ୍ଦ୍ର ମହାନ୍ତି ‘ଅନ୍ଧଦିଗନ୍ତ’, ‘କାଳାନ୍ତର’, ‘ନେତି ନେତି’ ରମାକାନ୍ତ ବେହେରା ‘ଅନେକ ଇତ୍ୟାଦି ପରେ’, କୁଞ୍ଜବିହାରୀ ଦାଶ ‘ମଶାଣି ତୁଳସୀ’, ‘ମଣିମା ଶୁଣିମା’, ‘କି କଥା : କଲିକତା’, ବସନ୍ତକୁମାରୀ ପଟ୍ଟନାୟକ ‘ଅମଡ଼ାବାଟ’, ‘ଚୋରାବାଲି’, ଦାଶରଥି ନନ୍ଦ ‘ଏଇପଥ’, ପ୍ରତିଭା ରାୟ ‘ପୂଣ୍ୟତୋୟା’, ‘ଅପରିଚିତା’, ଗାୟତ୍ରୀ ବସୁମଲ୍ଲିକ ‘କାବେରୀ’, ଅନାଦି ସାହୁ ‘କ୍ଷୁଧା’, ‘କ୍ଷଣଭଙ୍ଗୁର’ ଆଦି ଉପନ୍ୟାସରେ ପ୍ରକାଶ କରିଅଛନ୍ତି । ଏ ସବୁଥିରେ ନଗରଜୀବନ ସହିତ ପଲ୍ଲୀଜୀବନର ଚିତ୍ତ-ସଂଘର୍ଷ ପ୍ରକାଶ ପାଇଥିଲେହେଁ ପଲ୍ଲୀଜୀବନ ଯେପରି କ୍ରମେ ହ୍ରାସ ପାଇଯାଉଥିବା ଲକ୍ଷ୍ୟ କରାଯାଏ । ଅପର ପକ୍ଷରେ ନଗରଜୀବନର ନାନା ଜଟିଳ ଭାବରୂପ ପ୍ରକାଶ ପାଇଛି ସୁରେନ୍ଦ୍ର ମହାନ୍ତିଙ୍କର ‘ହଂସଗୀତି’ ‘(୧୯୭୭)’, କୃଷ୍ଣ ପ୍ରସାଦ ମିଶ୍ରଙ୍କର ‘ସିଂହକଟୀ’, ‘ନେପଥ୍ୟେ’, ଚନ୍ଦ୍ରଶେଖର ରଥଙ୍କର ‘ଅସୂର୍ଯ୍ୟ ଉପନିବେଶ’, ମହାପାତ୍ର ନୀଳମଣି ସାହୁଙ୍କର ‘ତାମସୀରାଧା’, ବିଭୂତି ପଟ୍ଟନାୟକଙ୍କର ‘ନାୟିକାର ନାମ ଶ୍ରାବଣୀ’, ରାଜକିଶୋର ପଟ୍ଟନାୟକଙ୍କର ‘ଚଲାବାଟ’, ‘ସଞ୍ଜବତୀ’, ଜ୍ଞାନୀନ୍ଦ୍ର ବର୍ମାଙ୍କର ‘ଏଲୋରାର ଛାୟା ବୀଥି’, ‘ଅରଣ୍ୟର କୁଜଝ୍‌ଟିକା’, ଶାନ୍ତନୁ ଆଚାର୍ଯ୍ୟଙ୍କର ‘ନରକିନ୍ନର’, ‘ଶତାବ୍ଦୀର ନଚିକେତା’, ଅନାଦି ସାହୁଙ୍କର ‘ଜଙ୍ଗଲି ସହର’ ଆଦି ଉପନ୍ୟାସମାନଙ୍କରେ । ଉପନ୍ୟାସର ଏହି ଗତିପ୍ରବାହକୁ ଲକ୍ଷ୍ୟ କଲେ ମନେହୁଏ ଓଡ଼ିଆ ଉପନ୍ୟାସ ଗ୍ରାମ୍ୟଜୀବନରୁ ତଥା ଭୂମି-କୈନ୍ଦ୍ରିକ ଅର୍ଥନୀତିରୁ ଦୂରେଇ ଯାଇଛି ଏବଂ ନଗରଜୀବନର ବସ୍ତୁବାଦୀ ଜଟିଳତା ମଧ୍ୟରେ ଗତିକରୁଛି । ଏହା ଫଳରେ ଉପନ୍ୟାସ ହରାଇ ବସୁଛି ପାରମ୍ପରିକ ମୂଲ୍ୟବୋଧ ଏବଂ ଗୁରୁତ୍ୱ ଆରୋପ କରୁଛି ସାଂପ୍ରତିକ ମୂଲ୍ୟ ଉପରେ । ସୁରେନ୍ଦ୍ର ମହାନ୍ତିଙ୍କର ‘ଅଚଳାୟତନ’ ଏହି ମୂଲ୍ୟ ଓ ମୂଲ୍ୟବୋଧର ଚିତ୍ତ-ସଂଘର୍ଷ ଉପରେ ଆଧାରିତ ଏକ ମନନଧର୍ମୀ ଉପନ୍ୟାସ ।

 

ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସର ଭିତ୍ତି ‘ମନେ ମନେ’ (୧୯୨୬) ଓ ମଲାଜହ୍ନ (୧୯୨୮) ଉପନ୍ୟାସ ଦ୍ୱୟରେ ପ୍ରସ୍ତୁତ ହୋଇଥିଲା ମାତ୍ର ଚତୁର୍ଥ ଦଶକ ଓ ପଞ୍ଚମ ଦଶକ ବେଳକୁ-। ସାମାଜିକ ଓ ରାଜନୀତିକ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବାରୁ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଉପରେ ପ୍ରାଧାନ୍ୟ ପ୍ରଦାନ କରାଗଲା ନାହିଁ । ଯଦିଓ ଏହି ସମୟରେ ଫ୍ରଏଡୀୟ ମନୋବୈଜ୍ଞାନିକ ବିଶ୍ଳେଷଣ ହୋଇଥିଲା ତାହା ସେହି ସାମାଜିକ-ଆର୍ଥନୀତିକ-ରାଜନୀତିକ ସମସ୍ୟା ମଧ୍ୟରେ ଥିଲା ଆବଦ୍ଧ । ସ୍ୱାଧୀନତା ପରବର୍ତ୍ତୀ କାଳରେ ମନସ୍ତାତ୍ତ୍ୱିକ ଓ ଚେତନା ପ୍ରବାହ ଭିତ୍ତିକ ଉପନ୍ୟାସ ରଚନା ଦିଗରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଅଛି । ଏ ଧରଣର ଉପନ୍ୟାସରେ ବ୍ୟକ୍ତି ଆଉ ସାମାଜିକ ନୁହେଁ, ସମୂହ ଜୀବନବୋଧର ଅଭିବ୍ୟକ୍ତି ନୁହେଁ; ଆପଣାର ଏକାକୀ ନିଃସଙ୍ଗ ବୃତ୍ତର ଗତିସ୍ମାନ୍‌ ଏକ ଟ୍ରାଜିକ ଚରିତ୍ର । ଏହି ବ୍ୟକ୍ତି ହେଉଛି ସ୍ୱାଧୀନତା ପରବର୍ତ୍ତୀ ଅଭିଜାତ ମଣିଷ । ନଗରର ଜଟିଳ ସଭ୍ୟତା-ସଂଜାତ ଏକ ଅସହାୟ ଚରିତ୍ର । ଗୋପୀନାଥ ମହାନ୍ତିଙ୍କର ରାହୁର ଛାୟା, ଲୟବିଲୟ, ଅନଳନଳ, ଆକାଶ ସୁନ୍ଦେରୀ, କାହ୍ନୁଚରଣଙ୍କର କା, ତୁଣ୍ଡବାଇଦ, କ୍ଷଣକ୍ଷଣକେ ଆନ, ମହାପାତ୍ର ନୀଳମଣି ସାହୁଙ୍କର ତାମସୀ ରାଧା, ଗୋବିନ୍ଦ ଦାସଙ୍କର ଅମାବାସ୍ୟାର ଚନ୍ଦ୍ର, ଶାନ୍ତନୁ ଆଚାର୍ଯ୍ୟଙ୍କର ଶତାବ୍ଦୀର ନଚିକେତା, ନରକିନ୍ନର, ଯାତ୍ରାର ପ୍ରଥମ ପାଦ, ଦକ୍ଷିଣାବର୍ତ୍ତ, ସୁରେନ୍ଦ୍ର ମହାନ୍ତିଙ୍କର ହଂସଗୀତି, ବିଭୂତି ପଟ୍ଟନାୟକଙ୍କର ଏଇମନ ବୃନ୍ଦାବନ, ବଧୂ ନିରୂପମା, ରାଜକିଶୋର ପଟ୍ଟନାୟକଙ୍କର ଚଲାବାଟ, ସିନ୍ଦୂରଗାର, ସଞ୍ଜବତୀ, ଜ୍ଞାନୀନ୍ଦ୍ର ବର୍ମାଙ୍କର ଅପରାହ୍ନର ଆକାଶ, ଅରଣ୍ୟର କୁଜ୍‌ଝଟିକା, ଦଶରଥ ସାମଲଙ୍କର ଯୋଗାଯୋଗ, କୃଷ୍ଣପ୍ରସାଦ ମିଶ୍ରଙ୍କର ସିଂହକଟୀ, ନେପଥ୍ୟେ, ଅନାଦି ସାହୁଙ୍କର କ୍ଷୁଧା, ପ୍ରସନ୍ନ ମିଶ୍ରଙ୍କର ଅସୁର, ନରସିଂହ ସାହୁଙ୍କର ଝଡ଼ର କବରୀ, ଦେବ୍ରାଜ ଲେଙ୍କାଙ୍କର ଖେଳ, ଅନ୍ଧମୁହାଣି, ଜୋକର, ବ୍ରଜମୋହନ ମହାନ୍ତିଙ୍କର ତକ୍ଷକ, ମୁଁ କୃଷ୍ଣ, କାହାଣୀ ତିନି ବନ୍ଧୁର, ବିନ୍ଦୁଏ ନିଆଁ, ନବକିଶୋର ରାଜଙ୍କର ସ୍ମୃତି ବିସ୍ମୃତି ଆଦି ମନସ୍ତାତ୍ତ୍ୱିକ ଉପନ୍ୟାସ ଭାବରେ ପ୍ରତିଷ୍ଠା ଅର୍ଜନ କରିଅଛନ୍ତି । ଏସବୁ ଉପନ୍ୟାସଗୁଡ଼ିକ ଅବଚେତନର ଅନ୍ଧାରୀ ଇଲାକାର ରହସ୍ୟକୁ ଉନ୍ମୋଚନ କରିବାରେ ସମର୍ଥ ହୋଇଅଛି ।

 

କ୍ଲାସିକ ଉପନ୍ୟାସ ଭାବରେ କାହ୍ନୁଚରଣଙ୍କର ତମସାତୀରେ, ଗୋପୀନାଥ ମହାନ୍ତିଙ୍କର ମାଟିମଟାଳ, ସୁରେନ୍ଦ୍ର ମହାନ୍ତିଙ୍କର ନୀଳଶୈଳ, ଚନ୍ଦ୍ରଶେଖର ରଥଙ୍କର ଯନ୍ତ୍ରାରୂଢ଼ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଅଛି । ଏ ସବୁଥିରୁ ଚିରନ୍ତନ ମାନବିକ ଭାବସତ୍ୟର ଉତ୍ତରଣ ଦେଖିବାକୁ ମିଳିଥାଏ । ପୌରାଣିକ ବିଷୟ ଆଧାରରେ ପ୍ରତିଭା ରାୟଙ୍କର ‘ଯାଜ୍ଞସେନୀ’ (୧୯୮୫) ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ନୂତନତମ ସଂଯୋଗ । ପୁରାଣ-ବୃତ୍ତକୁ ସାଂପ୍ରତିକ ସମାଜ-ବୃତ୍ତ ସହିତ ମିଶାଇ ଦେଇ ମାନବିକ ଚିତ୍ତ-ବୃତ୍ତିର ଏକ ଅପୂର୍ବ ରସାଲୋକ ଏହି ଉପନ୍ୟାସରେ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥାଏ । ସୁରେନ୍ଦ୍ର ମହାନ୍ତିଙ୍କର ଶତାବ୍ଦୀର ସୂର୍ଯ୍ୟ (୧୯୭୦) ଓ କୁଳବୃଦ୍ଧ (୧୯୭୮), ବ୍ରଜମୋହନ ମହାନ୍ତିଙ୍କର ‘ଲଳିତ ଲବଙ୍ଗଲତା’ ଓଡ଼ିଆ ସାହିତ୍ୟରେ ଜାତୀୟ ଐତିହ୍ୟ ଓ ସ୍ୱାଭିମାନର ଦୀପ୍ତି ବହନ କରି ଚରିତ ଉପନ୍ୟାସ ଭାବରେ ଗୌରବ ଅର୍ଜନ କରିଅଛନ୍ତି-। ଏତଦ୍‌ବ୍ୟତୀତ ସ୍ୱାଧୀନତା ପରବର୍ତ୍ତୀ କାଳରେ ଫତୁରାନନ୍ଦଙ୍କର ‘ନାକଟା ଚିତ୍ରକର’ ମଧ୍ୟ ହାସ୍ୟ ଓ ବେଦନାବୋଧର ଏକ ସ୍ୱାତନ୍ତ୍ର୍ୟ ଦାବୀ କରିଥାଏ । ଏହି ସମୟରେ ବିଶ୍ୱ ସାହିତ୍ୟରୁ ତଥା ଭାରତୀୟ ସାହିତ୍ୟରୁ ଅନେକ ଉପନ୍ୟାସ ଓଡ଼ିଆରେ ଅନୁଦିତ ହୋଇଅଛି । ଏହାଦ୍ୱାରା ଓଡ଼ିଆ ଉପନ୍ୟାସର ପରିସର ହୋଇଛି ସମ୍ପ୍ରସାରିତ । ବୈଜ୍ଞାନିକ ଉପନ୍ୟାସ ମଧ୍ୟ ରଚିତ ହୋଇ ଉପନ୍ୟାସର ଦିଗନ୍ତକୁ କଳ୍ପନା ଓ ବାସ୍ତବତା ସହିତ ମିଶାଇ ଦେଇ ଏକ ନୂତନ ଭାବାଲୋକ ପ୍ରକାଶ କରିଅଛି ।

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରବର୍ତ୍ତୀ ଦୁଇ ଦଶନ୍ଧି ଧରି ଓଡ଼ିଆ ଉପନ୍ୟାସ ବିଶେଷ ଭାବରେ ଘଟଣା ଆଧାରରେ ରଚିତ ହେଉଥିଲା । ସେଥିରେ ପ୍ରାଧାନ୍ୟ ଲାଭ କରିଥିଲା ଜାତୀୟ ଐତିହ୍ୟ ଓ ପରମ୍ପରା । ଘଟଣାର କ୍ରମପ୍ରବାହ ମଧ୍ୟରେ ଚରିତ୍ରମାନେ ଆପଣା ଆପଣାର ବ୍ୟକ୍ତି-ସତ୍ତାକୁ ପ୍ରକାଶ କରୁଥିଲେ । ଗ୍ରାମ୍ୟଜୀବନର ସ୍ଥିତି-ସଂଘର୍ଷ ଥିଲା ଉପନ୍ୟାସର କେନ୍ଦ୍ରବିନ୍ଦୁ । ଭୂମି-କୈନ୍ଦ୍ରିକ ଅର୍ଥନୀତି ଥିଲା ସେହି ବିନ୍ଦୁର ମୁଖ୍ୟ ଭାବ-ସତ୍ତା । ତାକୁହିଁ ଆଶ୍ରୟ କରି ଆତ୍ମପ୍ରକାଶ କରିଥିଲା ଶୋଷଣର ତୀବ୍ର ରୂପ । ଶୋଷକ ଓ ଶୋଷିତର ସମ୍ପର୍କ, ସଂଘର୍ଷ ଓ ସ୍ୱବିରୋଧ ତା’ରି ଭିତରେ ରୂପ ନେଇ ଏକ ମାନବିକ ସମ୍ୱେଦନାବୋଧ ପ୍ରକାଶ ପାଉଥିଲା ଏବଂ ସେଥିରୁ ସୂଚନା ମିଳୁଥିଲା ଏକ ନୂତନ ଶୋଷଣମୁକ୍ତ ସମାଜର ପରିକଳ୍ପନା । ଅଧିକନ୍ତୁ ଏହି ସମୟର ଦୁର୍ଭିକ୍ଷ, ସାଂପ୍ରଦାୟିକ ସଂଘର୍ଷ, ସ୍ୱରାଜ ଭାବନା, ନିମ୍ନବର୍ଗର ନବୋତ୍‌ଥାନ ଓ ଆତ୍ମବିଶ୍ୱାସ ମଧ୍ୟ ଉପନ୍ୟାସରେ ବଳିଷ୍ଠ ରୂପ ନେଇଥିଲା । ଏହି ଦୁଇଦଶନ୍ଧି ପରେ ଭୂମି-କୈନ୍ଦ୍ରିକ ଅର୍ଥନୀତି ପରିବର୍ତ୍ତେ ରାଜନୀତି, ଚାକିରୀ, ଓ ଶିଳ୍ପ-ବ୍ୟବସାୟ ଭିତ୍ତିକ ଅର୍ଥନୀତି ଓ କ୍ଷମତାଗତ ଚିତ୍ତ-ସଂଘର୍ଷ-ସଂଜାତ ସାମାଜିକ ଭାବ-ବଳୟ ଉପରେ ଗୁରୁତ୍ୱ ପ୍ରଦାନ କରାଗଲା । ନିମ୍ନବର୍ଗ ପରିବର୍ତ୍ତେ ଉଚ୍ଚବର୍ଗ ଓ ଉଚ୍ଚ ମଧ୍ୟବିତ୍ତ ତଥା ମଧ୍ୟବିତ୍ତବର୍ଗ ଉପନ୍ୟାସ ଜଗତରେ ଆଧିପତ୍ୟ ବିସ୍ତାର କଲେ । ତେଣୁ ସାମାଜିକ ସମୂହ ସତ୍ତା ପରିବର୍ତ୍ତେ ବ୍ୟକ୍ତି-ସତ୍ତା ହେଲା ଉପନ୍ୟାସର କେନ୍ଦ୍ର ଆଧାର । ଏହା ଫଳରେ ଉପନ୍ୟାସ ‘ଗଣ’ର ନ ହୋଇ ହୋଇ ଯାଉଛି ‘ଜଣ’ର । ଏଥିରେ ଅନୁରଣିତ ହେଉଛି ବୌଦ୍ଧିକତାର ସ୍ୱରଲିପି । ସମ୍ବେଦନା ଓ ଆବେଗ ଏଥିରୁ ଲୋପ ପାଇଯାଉଛି । ମନସ୍ତାତ୍ତ୍ୱିକତା ଓ ଚେତନା ପ୍ରବାହ ନାମରେ ସ୍ରଷ୍ଟାର ଇଚ୍ଛାକୃତ ବିଶ୍ଳେଷଣ ଦେଖିବାକୁ ମିଳୁଛି । ତଥାପି ଏ ସମୟରେ ଯେ ବୃହତ୍ତର ସାମାଜିକ ଜୀବନର ଚିତ୍ର ନାହିଁ; ନୁହେଁ । ସମାଜ-ବୃତ୍ତକୁ ଉପନ୍ୟାସ ସ୍ପର୍ଶ କରୁଛି ସତ; ବ୍ୟକ୍ତି-ବୃତ୍ତର ହୋଇଯାଉଛି ଭାବ-ରୂପ । ବାସ୍ତବବାଦ, ସ୍ଥିତିବାଦ, ମାର୍କସବାଦ, ସମାଜବାଦ, ମନୋବୈଜ୍ଞାନିକ ଭାବଧାରା ଇତ୍ୟାଦି ପ୍ରକାଶ ପାଉଥିଲେହେଁ ସେଥିରେ ସ୍ୱତନ୍ତ୍ରୋତ୍ତର ପ୍ରଥମ ଦଶନ୍ଧିର ଆଦର୍ଶବାଦୀ ସ୍ୱର ତଥାପି ହେଉଛି ଅନୁରଣିତ । ମନେ ହେଉଛି ଏକ ରୋମାଣ୍ଟିକ ମିଷ୍ଟିସିଜମ୍‌ ମଧ୍ୟକୁ ଗତି କରୁଛି ଉପନ୍ୟାସ । ଟେକ୍‌ନିକ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବାରୁ ବୌଦ୍ଧିକତା ସ୍ୱଭାବଜ ନ ହୋଇ ଇଚ୍ଛାକୃତ ହୋଇପଡ଼ୁଛି । ଭାବଜଗତ ରହିଯାଉଛି ସ୍ଥିର । ଯଦିଓ କେତେକ ଉପନ୍ୟାସରେ କିଛି କିଛି ନୂତନତାର ପରୀକ୍ଷା କରାଯାଇଅଛି ତଥାପି ତାହା ସେହି ପ୍ରଥାସିଦ୍ଧ ଉପନ୍ୟାସ (Well-made novel)ର ଭିନ୍ନ ରୂପବିଶେଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ୱତନ୍ତ୍ରୋତ୍ତର ଦୀର୍ଘ ପଚାଶ ବର୍ଷର ଓଡ଼ିଆ ଉପନ୍ୟାସର ଏହାହିଁ ଗତି ଓ ପ୍ରକୃତି ।

 

ଅଧ୍ୟାପକ, ଓଡ଼ିଆ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀବିହାର, ଭୁବନେଶ୍ୱର

 

ଜନମଭୂମି ଯେ             ମାଟି ପଥରର

ଜନନୀ କି ବଳି ବଡ଼ ?

ସେ ଜନମଭୂମି            ସେବା ଯେ କରଇ

ନର ଜନ୍ମ ଧନ୍ୟ ତା’ର ।

- ପଣ୍ଡିତ ଗୋଦାବରୀଶ

***

 

ଓଡ଼ିଆ ଗଦ୍ୟ ସାହିତ୍ୟରେ କ୍ଷୁଦ୍ରଗଳ୍ପ ଏକ ଶ୍ରୀମନ୍ତ ବିଭାବ । ଏହାକୁ ମନୋରଞ୍ଜନସର୍ବସ୍ୱ ଓ ଗଳ୍ପ-ରସସିକ୍ତ ଲୋକକାହାଣୀର ପରମ୍ପରାରୁ ମୁକ୍ତ କରି ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ । ତାଙ୍କ ରଚିତ ‘ରେବତୀ’ (୧୮୯୮) ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ଭାବେ ମାନ୍ୟତାପ୍ରାପ୍ତ । ଫକୀରମୋହନଙ୍କ ଏଇ ସାଫଲ୍ୟ ପଛରେ ଥିଲା ବ୍ୟକ୍ତିଗତ ଓ ସାମାଜିକ ଜୀବନ-ମନନ-ପ୍ରସୂତ ବିପୁଳ ଅଭିଜ୍ଞତା ତଥା ମୌଳିକ କଥାସାହିତ୍ୟସୃଜନର ଜାତୀୟ ଦାୟିତ୍ୱବୋଧ । ଏଣୁ ଲୋକ-କାହାଣୀ ସମୃଦ୍ଧ, ନୀତି ଉପଦେଶକଳ୍ପନା ଅତିକଳ୍ପନା ବିମଣ୍ଡିତ, ଗଦ୍ୟଶିଳ୍ପବିରଳ କାବ୍ୟଚର୍ଚ୍ଚାମୟ ପରିବେଶରେ ଆରମ୍ଭ ହୋଇଥିଲା ଫକୀରମୋହନୀୟ କଥାସାହିତ୍ୟର ଦୃପ୍ତ ଜୟଯାତ୍ରା । କ୍ଷୁଦ୍ରଗଳ୍ପ ପରି ଗଦ୍ୟ ସାହିତ୍ୟର ଅନ୍ୟାନ୍ୟ ବିଭାବର ପ୍ରାଥମିକ ପ୍ରସ୍ତୁତିପର୍ବର ସାରସ୍ୱତ ଲଗ୍ନ ଥିଲା ଊନବିଂଶ ଶତାବ୍‌ଦୀର ଶେଷପାଦ । ୧୯୩୬ରୁ ୧୯୮୬-ଏଇ ପଚାଶ ବର୍ଷର ଓଡ଼ିଆ ଗଳ୍ପସାହିତ୍ୟର କ୍ରମିକ ଅଗ୍ରଗତିର ମୁଖ୍ୟ ପୃଷ୍ଠବନ୍ଧ ଭାବରେ ଫକୀରମୋହନୀୟ କଥା-ଯୁଗର ଭୂମିକା ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ ।

 

ପଚାଶ ବର୍ଷର ଓଡ଼ିଆ ଗଳ୍ପ-ସାହିତ୍ୟ

(୧୯୩୬-୧୯୮୬)

ଶ୍ରୀ ଶତ୍ରୁଘ୍ନ ପାଣ୍ଡବ

 

(ଏକ)

ଫକୀର ମୋହନଙ୍କ କଥା ସାହିତ୍ୟ ବିଶେଷତଃ ସମାଜ-ନିର୍ଭର; ଓଡ଼ିଶାର ତତ୍‌କାଳୀନ ସମାଜ ଜୀବନର ନିଖୁଣ ପ୍ରତିବିମ୍ୱ । ‘ରେବତୀ’, ‘ରାଣ୍ଡୀପୁଅ ଅନନ୍ତା’, ‘ଡାକମୁନ୍‌ସୀ’ ଆଦି ଗଳ୍ପ ତାଙ୍କ ଶିଳ୍ପୀମାନସର ସର୍ବଶ୍ରେଷ୍ଠ ପ୍ରତିନିଧି । ଅନ୍ୟ ଗଳ୍ପଗୁଡ଼ିକ ରସୋତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ତାକୁ ପ୍ରାକୃତିକ-ପ୍ରେରଣା-ପ୍ରସୂତ ନ କହି କଳ୍ପନା ଓ ବୁଦ୍ଧିର ସମନ୍ୱୟ ପ୍ରସୂତ କହିଲେ ଅଯଥାର୍ଥ ହେବ ନାହିଁ । ଏଗୁଡ଼ିକ ସାମାଜିକ ସମସ୍ୟା ଓ ମୂଲ୍ୟବୋଧ ଉପସ୍ଥାପନରେ ଅଧିକ ସାର୍ଥକ । ଫକୀରମୋହନୀୟ ଶୈଳୀ ଓ ଭାଷାବିନ୍ୟାସର ଛିଟା ସର୍ବତ୍ର ଅନାୟାସ-ପ୍ରାପ୍ୟ । ଓଡ଼ିଶାର ଲୋକ ଜୀବନର ଭାଷା, ପରିବେଶ ଉପଯୋଗୀ ବିଦେଶୀ (ଯାବନିକ/ଇଂରାଜୀ/ପାର୍ସି ଇତ୍ୟାଦି) ଭାଷାର ପ୍ରୟୋଗ ଏବଂ କାହାଣୀ-ସୁଲଭ ଉପସ୍ଥାପନା ରୀତି ଫକୀରମୋହନଙ୍କ ସାହିତ୍ୟକୁ ପଟାନ୍ତରହୀନ କରି ଗଢ଼ିଛି ।

 

ବିଂଶ ଶତାଦ୍ଦୀର ପ୍ରାରମ୍ଭ କାଳରୁ ୧୯୩୫-୪୦ ମସିହାଯାଏ ଫକୀରମୋହନୀୟ ଆଙ୍ଗିକ ଓ ଆତ୍ମିକ ଆଭିମୁଖ୍ୟର ଅନୁସରଣ ଓ ବିକାଶ ସହିତ ଓଡ଼ିଆ କ୍ଷୁଦ୍ରଗଳ୍ପର ପ୍ରାଣପ୍ରବାହରେ ଯେଉଁମାନେ ନୂତନତା ବା ମୌଳିକତା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବାଙ୍କନିଧି ପଟ୍ଟନାୟକ, ଦୟାନିଧି ମିଶ୍ର, ଦିବ୍ୟସିଂହ ପାଣିଗ୍ରାହୀ, କବିଶେଖର ଚିନ୍ତାମଣି ମହାନ୍ତି ପ୍ରମୁଖ ସର୍ବାଗ୍ରେ ସ୍ମରଣକୁ ଆସନ୍ତି । ଏମାନେ ଓଡ଼ିଆ କ୍ଷୁଦ୍ରଗଳ୍ପର ବିଧିବଦ୍ଧ ଛାଞ୍ଚ-ପ୍ରସ୍ତୁତକାରୀ । ଫକୀରମୋହନ କଥାଯୁଗର ପ୍ରାଣପିଣ୍ଡ ଥିଲା ଗ୍ରାମୀଣ ସଂସ୍କୃତିଭିତ୍ତିକ । ସଂସ୍କାରଚେତନା ସହିତ କର୍ମବାଦ ତଥା ପାପପୁଣ୍ୟ ବୋଧର ଏକ ବଳିଷ୍ଠ ପରିପ୍ରକାଶ ଏ ଯୁଗର ଗଳ୍ପ-ସାହିତ୍ୟରେ ଲକ୍ଷ୍ୟ କରାଯାଏ ।

 

୧୯୩୫-୩୬ ବେଳକୁ ଓଡ଼ିଆ-ସାହିତ୍ୟରେ ନୂତନ ଚିନ୍ତାଚେତନାର ଅଭ୍ୟୁଦୟ ସଂଘଟିତ ହେଉଥିଲା । ଗୋଟିଏ ପଟରେ ସ୍ୱରାଜ୍ୟ ଓ ସ୍ୱାଧୀନତା ଆନ୍ଦୋଳନର ଜାତୀୟ ପୃଷ୍ଠଭୂମି, ସେଥି ସହିତ ମାର୍କ୍‍ସ ପ୍ରବର୍ତ୍ତିତ ସାମ୍ୟଚେତନା ଏବଂ ଅନ୍ୟ ପଟରେ ରାବୀନ୍ଦ୍ରିକ ରୋମାଣ୍ଟିକ ଚେତନା । ଏଥି ସହିତ ଫ୍ରଏଡ୍‌ ପ୍ରବର୍ତ୍ତିତ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣ ଏବଂ ଡାରଉଇନଙ୍କ ବିବର୍ତ୍ତନବାଦର ପ୍ରଭାବ ସାହିତ୍ୟ ଶିଳ୍ପୀଙ୍କୁ ଆନ୍ତର୍ଜାତିକ ପୃଷ୍ଠଭୂମି ସହିତ ପରିଚିତ କରିଥିଲା । ୧୯୩୬ ମସିହା ବେଳକୁ ‘ନବଯୁଗ ସାହିତ୍ୟ ସଂସଦ’ର ପ୍ରତିଷ୍ଠା ସଙ୍ଗେ ସଙ୍ଗେ ତା’ର ମୁଖପତ୍ର ଭାବେ ‘ଆଧୁନିକ’ ପ୍ରକାଶ ପାଇଥିଲା । ଏ ସମୟର ପ୍ରମୁଖ କଥାଶିଳ୍ପୀ କାଳିନ୍ଦୀ ଚରଣ ପାଣିଗ୍ରାହୀ ତାଙ୍କ ଅନୁଜ ଭଗବତୀ ଚରଣ ପାଣିଗ୍ରାହୀ । କାଳିନ୍ଦୀଚରଣ ଜଣେ ବିଶିଷ୍ଟ ମାନବବାଦୀ ଓ ମରମୀ ଶିଳ୍ପୀ । ‘ଶିକାର’, ‘ହାତୁଡ଼ି ଓ ଦା’, ‘ଜଙ୍ଗଲି’ ପ୍ରଭୃତି ଗଳ୍ପଦେଇ ଭଗବତୀ ମାନସର କଳାଗତ ଉତ୍ତରଣ ଘଟିଛି । ଓଡ଼ିଆ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ଗଳ୍ପ ‘ଶିକାର’ ସମ୍ପର୍କରେ କେତେକ ଆଲୋଚକ (ଡଃ ନଟବର ସାମନ୍ତରାୟ, ଅଧ୍ୟାପକ ବୈଷ୍ଣବ ଚରଣ ସାମଲ, ଡଃ ନିତ୍ୟାନନ୍ଦ ଶତପଥୀ)ଙ୍କ ବିଭିନ୍ନ ମତ ସତ୍ତ୍ୱେ ବି ଏହା ସାମ୍ୟବାଦୀ ଚିନ୍ତା ବା ପ୍ରଗତି ଚେତନାର ଏକ ପ୍ରାଥମିକ କଳାତ୍ମକ ରୂପାୟନ । ଏଇ ପ୍ରସଙ୍ଗରେ ସୁରେନ୍ଦ୍ର ମହାନ୍ତିଙ୍କ ମତକୁ ବିଚାର କରାଯାଇପାରେ । ୧୯୩୮ ମସିହାରେ ପ୍ରକାଶିତ ତାଙ୍କର ପ୍ରଥମ ଗଳ୍ପ ‘ବନ୍ଦୀ’ ସମ୍ପର୍କରେ କହିବାକୁ ଯାଇ ଶ୍ରୀ ମହାନ୍ତି କହନ୍ତି- ‘ସ୍ୱର୍ଗତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଆଧୁନିକ’ ପତ୍ରିକା ପ୍ରକାଶ ପାଇଲା ବୋଧହୁଏ ୧୯୩୬ ସାଲରେ । ତାଙ୍କର ‘ଶିକାର’ ଗଳ୍ପଟି ପ୍ରକାଶ ପାଇଥିଲା ଏହି ପତ୍ରିକାରେ । ଏହି ଗଳ୍ପଟିକୁ ଓଡ଼ିଆରେ ପ୍ରଗତିଶୀଳ ଚେତନାର ପ୍ରଥମ ବାର୍ତ୍ତାବହ ବୋଲି ସମାଲୋଚକମାନେ କହିଥାନ୍ତି । କିନ୍ତୁ ଗଳ୍ପଟି ପଢ଼ି ମୋର ମନେ ହେଉଛି ‘ଶିକାର’ ଗଳ୍ପର ଘିନୁଆ ଅପେକ୍ଷା ‘ବନ୍ଦୀ’ ଗଳ୍ପର ଦାସିଆ ଶ୍ରେଣୀସଂଘର୍ଷ ଚେତନାର ଜଣେ ଜ୍ୱଳନ୍ତତର ପ୍ରତିନିଧି । ଘିନୁଆ ଜମିଦାରକୁ ହତ୍ୟା କରିଛି । ତା’ର ସ୍ତ୍ରୀ ପ୍ରତି ଅସଦାଚରଣ କରିଥିବାରୁ । ଇଏ ଆଦିବାସୀ ସମାଜର ନିତ୍ୟନୈମିତ୍ତିକ ଘଟଣା......କିନ୍ତୁ ଲୁଣ୍ଠନପିଷ୍ଟ ଦାସିଆ ମହାଜନକୁ ହତ୍ୟା କରିଛି ଏକ ଶୋଷକକୁ ନିପାତ କରିବା ପରି ଅତି ସଚେତନ ଭାବରେ । ଏହା ପଛରେ ଦାସିଆର ଉତ୍ତେଜନା ବା ଉନ୍ମାଦନା ନାହିଁ । ଅଛି ସ୍ଥିର ସଂକଳ୍ପ-। ତେବେ ଭଗବତୀ ବାବୁ ‘ପ୍ରଗତିଶୀଳ’ ସାହିତ୍ୟର ନାନ୍ଦିକାର ରୂପେ ମାନ୍ୟତାପ୍ରାପ୍ତ । ମୁଁ ତାହାର ଚାଲେଞ୍ଜ କରୁନାହିଁ । ଏପର୍ଯ୍ୟନ୍ତ ଯାହା ଲେଖିଲି ତାହା କେବଳ ତଥ୍ୟ ଦୃଷ୍ଟିରୁ ।’ (୧) ଗୋପୀନାଥ ମହାନ୍ତି ଏକ ଆତ୍ମକଥନରେ ‘ପରଜା’ ଉପନ୍ୟାସ ଓ ‘ଶିକାର’ ବିଷୟରେ ଆଲୋଚନା ପ୍ରସଙ୍ଗରେ କହନ୍ତି- ‘‘ବସ୍ତୁତଃ ଶିକାର ଗଳ୍ପରେ ହିଂସ୍ର ବ୍ୟକ୍ତିଙ୍କୁ ହିଂସ୍ର ପଶୁ ବୋଲି ଭାବି ହତ୍ୟା କରିବା କାହାଣୀଟି ଭଗବତୀ ବାବୁ ବ୍ୟବହାର କରିବା ଗୋଟିଏ କଳ୍ପନାପ୍ରସୂତ ଚମତ୍କାର ପ୍ରତୀକ ।’’-(୨)

 

(୧)

ମୋର ପ୍ରଥମ ଗଳ୍ପ : ଜୀବନସ୍ମୃତି- ‘ଅଧୁନା’ - ମେ’ ୧୯୮୨ !

(୨)

ମୋ’ ଲେଖା ‘ପରଜା’ ବିଷୟରେ ଦି’ପଦ - ନିସ୍ୱନ - ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ୧୯୮୫ ।

 

ଏଇ ପ୍ରଗତିବାଦୀ କଥା-ସାହିତ୍ୟ ଭଗବତୀଙ୍କ ପରେ ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ ପ୍ରଭୃତିଙ୍କ ଦ୍ୱାରା ଗତିମୁଖର ଓ ସମୃଦ୍ଧ ହୋଇ ପାରିଥିଲା । ଏଇ ଆଭିମୁଖ୍ୟଟି ଭଗବତୀଙ୍କ ମୃତ୍ୟୁ ପରେ ମହଳଣ ପଡ଼ି ଯାଇଥିଲା । ଏ ସମ୍ପର୍କରେ ସମାଲୋଚକଙ୍କ ମତ ଉଦ୍ଧାର କରାଯାଇପାରେ । ‘କମ୍ରେଡ଼୍‌ ଭଗବତୀ ପାଣିଗ୍ରାହୀଙ୍କ ମୃତ୍ୟୁ (23.10.43) ପରେ ପରେ ପ୍ରଗତି ଚେତନାର ଉତ୍ସାହ ମଉଳି ପଡ଼ିଲା । ରୋମାଣ୍ଟିକ କଳ୍ପନା ପ୍ରବଣତା ବିରୁଦ୍ଧରେ ପ୍ରଗତି ଚେତନା ଥିଲା ଏକ ତୀବ୍ର ପ୍ରତିକ୍ରିୟା । ତେବେ ଦେହ ଶ୍ରମନିର୍ଭର ଦରିଦ୍ର କୃଷକ ଓ ଶ୍ରମିକଙ୍କ ଦୁଃଖ ଦୈନ୍ୟ ଲାଞ୍ଛିତ ଜୀବନ ଓ ପରିବେଶକୁ ଘେନି ଏହି ଚେତନାର ଯେଉଁସବୁ କ୍ଷୁଦ୍ରଗଳ୍ପ ରଚିତ ହୋଇଛି, ସେଥିରେ ମଧ୍ୟବିତ୍ତ ଲେଖକଙ୍କ ରୋମାଣ୍ଟିକ ଭାବାବେଗ ପ୍ରକଟିତ ନ ହୋଇଛି ବୋଲି କହି ହେବନାହିଁ । ଅଧିକାଂଶ ଲେଖକଙ୍କ ମାର୍କ୍‍ସବାଦ ବିଜଡ଼ନ (Involvement) ଥିଲା ମଧ୍ୟ ବେଶ୍‌ ନାଟକୀୟ । ସାମ୍ୟବାଦ ତାଙ୍କ ମୁହଁର କଥା । ତଥାପି ଏଠି ସ୍ମରଣ ରଖିବାକୁ ହେବ ଯେ ଏହି ପ୍ରଗତି ଚେତନା ଅଭୁକ୍ତ ହତଭାଗା କୃଷକ ଓ ଶ୍ରମିକଙ୍କ ସୁଖ ଦୁଃଖ କଥା ଉଚ୍ଚ କଣ୍ଠରେ କହି ଓଡ଼ିଆ କ୍ଷୁଦ୍ରଗଳ୍ପକୁ ତୀକ୍ଷ୍‌ଣ ସାମାଜିକ ବାସ୍ତବ ଦୃଷ୍ଟିରେ ଦୀକ୍ଷିତ କରିଥିଲା । ସାଧାରଣ ମଣିଷର ଅଭାବ ଅଭିଯୋଗ ପ୍ରତି କ୍ଷୁଦ୍ରଗଳ୍ପ ସମ୍ୱେଦନଶୀଳ ହୋଇ ଉଠିଥିଲା ।’ (୩)

 

(୩)

ସୃଜ୍ୟମାନ ଓଡ଼ିଆ କ୍ଷୁଦ୍ରଗଳ୍ପ :୧୯୭୨ - ସାହିତ୍ୟ ସନ୍ଧାନ - ଦାସରଥି ଦାସ ।

 

ସତ୍ୟବାଦୀ ଚେତନାର ପ୍ରଭାବ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଯାଏଁ ବଳବତ୍ତର ଥିଲା । ଫଳତଃ ବ୍ୟକ୍ତିତ୍ୱ ଓ ଐତିହ୍ୟକୁ ଭିତ୍ତିକରି ସାମାଜିକ, ଜାତୀୟ ଜୀବନ ପରିପ୍ରେକ୍ଷୀରେ କିଛି କଳାତ୍ମକ ଗଳ୍ପ ରଚିତ ହୋଇଥିଲା । ଏଇ ଚେତନାର ପ୍ରମୁଖ ଭାଷ୍ୟକାର ଗୋଦାବରୀଶ ମହାପାତ୍ର-। ଭଗବତୀ ଓ କାଳିନ୍ଦୀଚରଣଙ୍କ ପରେ ଗୋଦାବରୀଶ ମହାପାତ୍ର, ଗୋପୀନାଥ ମହାନ୍ତି, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ଅନନ୍ତପ୍ରସାଦ ପଣ୍ଡା, ସଚ୍ଚିଦାନନ୍ଦ ରାଉତରାୟ, ନିତ୍ୟାନନ୍ଦ ମହାପାତ୍ର, ପ୍ରମୁଖଙ୍କଦ୍ୱାରା ଓଡ଼ିଆ କ୍ଷୁଦ୍ରଗଳ୍ପ ଶ୍ରୀ ଓ ସମୃଦ୍ଧି ପାଇଛି । ଏଇ କଥା ଶିଳ୍ପୀଙ୍କ ଭିତରୁ ଅନେକେ ଏ ପର୍ଯ୍ୟନ୍ତ ଏଇ ଅର୍ଦ୍ଧଶତାବ୍ଦୀ ଧରି ଗଳ୍ପ ରଚନା ଅବ୍ୟାହତ ରଖିଛନ୍ତି ।

 

୧୯୩୬ ମସିହା ପରେ ସାମାଜିକ ପ୍ରଗତି ଯୋଗୁଁ ସହରୀ ସଭ୍ୟତାର ଅୟମାରମ୍ଭ ଓଡ଼ିଶାରେ ଘଟୁଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷାୟତନର ସଂପ୍ରସାରଣ ସହିତ ଶିକ୍ଷିତ ଓଡ଼ିଆଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିଲା । ଲୋକଙ୍କ ଜୀବନଧାରା ଯାନ୍ତ୍ରିକ ବା ଜଟିଳ ନଥିଲା । ଧରାବନ୍ଧା ସାଧାରଣ ସାମାଜିକ ଘଟଣାକୁ ଉପଜୀବ୍ୟ କରି ଓଡ଼ିଆ ଗଳ୍ପ ଲେଖାଯାଉଥିଲା । ଏ ସମୟର କଥାବସ୍ତୁରେ ନିର୍ଦ୍ଦିଷ୍ଟତା ଥିଲା କହିଲେ ଚଳେ । ପ୍ରାୟତଃ ସମାଜ-ସଚେତନ ଦୃଷ୍ଟୀଭଂଗୀର ଗଳ୍ପ ଲେଖାଯାଉଥିଲା-। ସମାଜର ତଥାକଥିତ ବଡ଼ପଣ୍ଡାମାନଙ୍କର ଅତ୍ୟାଚାର ଓ ସାମାଜିକ କୁସଂସ୍କାରର କାହାଣୀ ମୁଖ୍ୟତଃ ଏ ସମୟର ଗଳ୍ପରେ ପ୍ରତିଫଳିତ । ମହାଜନ, ଜମିଦାରଙ୍କ ସହ ପ୍ରଶାସନିକ କର୍ମଚାରୀ ଏବଂ ଅନ୍ୟ ପକ୍ଷରେ ସାଧାରଣ ମଣିଷ ଗଳ୍ପର ଚରିତ୍ର ଥିଲେ । ‘ତେବେ ପାରିବାରିକ ଦୁଃଖ ସୁଖ ଓ ସମ୍ୱନ୍ଧ ବିବାହ ଆଦିକୁ ନେଇ ମଧ୍ୟ ବହୁ ଗଳ୍ପ ଲେଖାଯାଉଥିଲା । ପୁଣି ନିରୀହ ଅଜ୍ଞ ନିଃସହାୟ ମଣିଷଟି ଉପରେ ନାନାବିଧ ଦେବ ବିପତ୍ତିକୁ ନେଇ କେତେ କେତେ କରୁଣାରସାତ୍ମକ କାହାଣୀ ମଧ୍ୟ କଥାକାରମାନେ ଲେଖୁଥିଲେ । ମୋଟ ଉପରେ ଫକୀରମୋହନଙ୍କ ଅମଳରୁ ୧୯୪୭-୪୮ ମସିହା ପର୍ଯ୍ୟନ୍ତ ଆମର କଥା ସାହିତ୍ୟର ବିଷୟବସ୍ତୁ ଥିଲା ଯେମିତି ସାମାଜିକ ଓ ଆଭିମୁଖ୍ୟ ଥିଲା ମଧ୍ୟ ସେମିତି ଏକ ନୈତିକ ବା ସଂସ୍କାରଧର୍ମୀ ବାସ୍ତବତାର ସ୍ପଷ୍ଟ ଓ ସୈଦ୍ଧାନ୍ତିକ ଉଚ୍ଚାରଣ ।’ (୪)

 

(୪)

ଓଡ଼ିଆ ଗଳ୍ପ ସାହିତ୍ୟରେ ଆଧୁନିକତା ଓ ଗୋପୀନାଥ ମହାନ୍ତି - ମହାପାତ୍ର ନୀଳମଣି ସାହୁ : ଇସ୍ତାହାର : ୧୫ : ୧୯୮୧ ।

 

୧୯୩୬-୧୯୫୦ ଯାଏଁ କେବଳ ସ୍ୱାଧୀନତା ଆନ୍ଦୋଳନ ନୁହେଁ, ପୃଥିବୀ ପୃଷ୍ଠରେ ଦୁଇଦୁଇଟି ବିଶ୍ୱଯୁଦ୍ଧ ସଂଘଟିତ ହୋଇଛି । ଏଣୁ, ଏଇ କେତେକ ବର୍ଷର ସମୟ ସୀମା ଭିତରେ ପାରିପାର୍ଶ୍ୱିକ ଘଟଣା ବୈଚିତ୍ର୍ୟକୁ ଲକ୍ଷ୍ୟ କଲେ ଏହାକୁ ଏକ ଚେତନା ସମନ୍ୱୟର କାଳ ବୋଲି କହିପାରିବା । ବିଭିନ୍ନ ଚିନ୍ତା ଚେତନା ସାହିତ୍ୟ ପାଇଁ ଉପାଦାନ ଓ ଅନୁଭୂତିର ସାମଗ୍ରୀ ଯୋଗାଇଛି-। ଭାରତୀୟ ସ୍ୱାଧୀନତା ଆନ୍ଦୋଳନର କାହାଣୀକୁ କେନ୍ଦ୍ରକରି ସର୍ବଭାରତୀୟ ସ୍ତରରେ ଯେଉଁ ସାହିତ୍ୟ ରଚନା କରାଯାଇଥିଲା, ତାକୁ ‘ଗାନ୍ଧୀ ଆନ୍ଦୋଳନର ସାହିତ୍ୟ’ ବୋଲି କୁହାଯାଇ ପାରିବ । ଏହାର ସମୟ ସୀମା ୧୯୨୦ ମସିହାଠାରୁ ୧୯୬୦ ମସିହାଯାଏ । ତେବେ ଏଇ ଗାନ୍ଧୀ ଆନ୍ଦୋଳନକେନ୍ଦ୍ରିତ ପ୍ରତ୍ୟକ୍ଷ କଥା ସାହିତ୍ୟର ନମୁନା ଆମ ସାହିତ୍ୟରୁ କମ୍‌ ମିଳିବ । ସମକାଳୀନ ଭାରତୀୟ କଥାସାହିତ୍ୟ ତୁଳନାରେ ଏ ନେଇ ଓଡ଼ିଆ ସାହିତ୍ୟର ସୃଷ୍ଟି ଓ ଦୃଷ୍ଟି ଖୁବ୍‌ ଆଖିଦୃଶିଆ ନୁହେଁ । ଏ ସମ୍ପର୍କରେ ଗାଳ୍ପିକ ରବି ପଟ୍ଟନାୟକଙ୍କ ମତ ପ୍ରାସଙ୍ଗିକ ମନେହୁଏ । ‘ମନେହୁଏ, ସେହି ସମୟରେ ଓଡ଼ିଶାରେ ଏହି ସ୍ୱାଧୀନତା ଆନ୍ଦୋଳନ ସେପରି ତୀବ୍ର ନ ଥିଲା - ସେହିପରି ତା’ର ସାହିତ୍ୟରେ ସେଇକଥା ପ୍ରତିଫଳିତ ହୋଇନାହିଁ । ତେଣୁ ଯଥାର୍ଥରେ କହିବାକୁ ଗଲେ ଓଡ଼ିଆ ସାହିତ୍ୟରେ ‘ସ୍ୱାଧୀନତାର ସଂଗ୍ରାମୀ ସାହିତ୍ୟ’ ବୋଲି କିଛି ନାହିଁ କେବଳ କେତୋଟି ଦେଶାତ୍ମବୋଧକ ପ୍ରଚାରଧର୍ମୀ ଗୀତି କବିତାର ଚଟିବହି ଛଡ଼ା । ଓଡ଼ିଆମାନେ ସ୍ୱତନ୍ତ୍ର ପ୍ରଦେଶ ପାଇବା ପାଇଁ ବୋଧହୁଏ ଏପରି ଗଭୀର ଆନ୍ଦୋଳନରେ ମଜ୍ଜି ଯାଇଥିଲେ ଏବଂ ବ୍ରିଟିଶ ଶାସକମାନଙ୍କ ପାଖରୁ ଭାଷାର ସୁରକ୍ଷା ପାଇଁ ଯେଉଁ ସହଯୋଗ ପାଉଥିଲେ ସେଥିପାଇଁ ସେମାନଙ୍କ ବିରୁଦ୍ଧରେ କିଛି ଲେଖିବା ଗର୍ହିତ ଅପରାଧ ବୋଲି ମନେକରୁଥିଲେ ।’ (୫)

 

(୫)

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପର ପ୍ରତିଶ୍ରୁତି ରବି ପଟ୍ଟନାୟକ - ଇସ୍ତାହାର : ୨୭ : ୧୯୮୪

 

ଉଚ୍ଚଶିକ୍ଷାର ପ୍ରସାର ଫଳରେ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ସ୍ୱାଧୀନତା ପ୍ରାପ୍ତି ପରେ ଏହାର ସାମାଜିକ ଜୀବନରେ ବହୁ ପରିବର୍ତ୍ତନ ସଂଘଟିତ ହୋଇଛି । କୁଟୀରଶିଳ୍ପର ପ୍ରସାର ବ୍ୟାହତ ହୋଇଛି, ପଲ୍ଲୀ-ସଂସ୍କୃତିର ସ୍ୱାଭାବିକତା ତୁଟିଯାଇଛି । ସହରୀ ସଭ୍ୟତାର ଜଟିଳତା, ଦ୍ୱନ୍ଦ୍ୱ ସର୍ବୋପରି ତା’ର ଜୀବନଧାରା କ୍ଷୁଦ୍ରଗଳ୍ପର ପ୍ରାଣପ୍ରବାହକୁ ବଦଳାଇ ଦେଇଛି । ୧୯୫୦ ପରବର୍ତ୍ତୀ ଗାଳ୍ପିକ ଏଣୁ ଆନ୍ତର୍ଜାତିକ ଗଳ୍ପାଦର୍ଶ ଆଡ଼କୁ ବେଶୀ ମୁହାଁଇଛି । ନିଜର ମୌଳିକତା ସହ ଆହରଣ ଓ ସମୃଦ୍ଧିକରଣର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରତିକ୍ରିୟା ମଧ୍ୟ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଲକ୍ଷ୍ୟ କରାଯାଇପାରେ । ସମାଜ ପ୍ରାଧାନ୍ୟ ନ ପାଇ ଗଳ୍ପରେ ବ୍ୟକ୍ତି ପ୍ରାଧାନ୍ୟ ପାଇଛି ଏବଂ ଗଳ୍ପରେ ବୌଦ୍ଧିକତାର ଅନୁପ୍ରବେଶ ଘଟିଛି । ଗଳ୍ପରେ ପାଶ୍ଚାତ୍ୟ ଜୀବନାଦର୍ଶ ଓ ଶୈଳୀର ପ୍ରଭାବ ପରିଲକ୍ଷିତ ହୁଏ । ସମାଲୋଚକଙ୍କ ମତରେ ‘ଆମର ଶିକ୍ଷା, ସଭ୍ୟତା, ଜୀବନଯାତ୍ରା, ସମାଜ ବ୍ୟବସ୍ଥା ଓ ନୀତି ମୂଲ୍ୟାୟନ ସବୁ ପାଶ୍ଚାତ୍ୟାଦର୍ଶକୁ ଧ୍ରୁବଜ୍ଞାନ କରି ତା’ର ନିକଟବର୍ତ୍ତୀ ହେବାକୁ ଉନ୍ମୁଖ ରହିଛି । ପୂର୍ବର ସଂକୋଚ ଆଉ ନାହିଁ । ସ୍ୱାଭାବିକ ଭାବରେ ତେଣୁ ପାଶ୍ଚାତ୍ୟ କ୍ଷୁଦ୍ରଗଳ୍ପ ଆମ ମନ ଓ ହୃଦୟକୁ ଖୋରାକ ଯୋଗାଇବାକୁ ସମର୍ଥ ହୋଇଛି । ସ୍ୱାଧୀନତାପ୍ରାପ୍ତିର ଉତ୍ତର ଦେଶକାଳର ପଟ୍ଟଭୂମିରେ ପାଶ୍ଚାତ୍ୟ ଭାବାଦର୍ଶ ଓ କ୍ଷୁଦ୍ରଗଳ୍ପ ସାହିତ୍ୟର ଅଭିଘାତରେ ଆମର ସୃଜ୍ୟମାନ କ୍ଷୁଦ୍ରଗଳ୍ପ ସୃଷ୍ଟ ଓ ପୁଷ୍ଟ ହେଉଛି ।’ (୬)

 

(୬)

ସୃଜ୍ୟମାନ ଓଡ଼ିଆ କ୍ଷୁଦ୍ରଗଳ୍ପ : ୧୯୭୨ - ସାହିତ୍ୟ ସନ୍ଧାନ - ଦାଶରଥି ଦାସ ।

 

ବୈଷୟିକ ବା ଯାନ୍ତ୍ରିକ ପ୍ରଗତି ସହିତ ୧୯୫୦ ପରବର୍ତ୍ତୀ ଗଳ୍ପରେ ରାଜନୈତିକ ଚେତନାର ଅଭ୍ୟୁଦୟ ଲକ୍ଷ୍ୟ କରିହୁଏ । ‘ମାଗୁଣିର ଶଗଡ଼’, ‘ଗୋପୀ ସାହୁର ଦୋକାନ’ ଆଦି ଗଳ୍ପଗୁଡ଼ିକ ଯନ୍ତ୍ର ସଙ୍ଗେ ତା’ର ପ୍ରତିନିଧିତ୍ୱ କଲାବେଳେ ‘ସୁଅ ମୁହଁରେ ପତର’ (ପ୍ରାଣବନ୍ଧୁ କର) ପରି ଗଳ୍ପ ସ୍ୱାଧୀନତା ପରବର୍ତ୍ତୀ ସ୍ୱପ୍ନଭଙ୍ଗକୁ ରୂପାୟିତ କରିଛି । ପୁନଶ୍ଚ ଓଡ଼ିଶାର ଜନଜୀବନକୁ ଆବୋରି ରହିଥିବା ସାମନ୍ତବାଦର ଚିତ୍ର ଊଣାଅଧିକେ ଏ ସମୟର ଗଳ୍ପରେ ଦୃଷ୍ଟିଗୋଚର ହୁଏ । ସ୍ୱାଧୀନତାପ୍ରାପ୍ତି ପରେ ଜମିଦାରୀ ଉଚ୍ଛେଦ ବା ସାମନ୍ତବାଦର ଅବକ୍ଷୟ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନୂଆ ଘଟଣା ଦେଇଛି । ୧୯୫୦ ପରବର୍ତ୍ତୀ ଗଳ୍ପରେ ସାମନ୍ତବାଦ ଓ ଅବକ୍ଷୟୀ ସାମନ୍ତବାଦର ସ୍ୱର ଶୁଭିଥାଏ । ଏଇ ଚେତନାକୁ ନେଇ ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସଙ୍କ ଗଳ୍ପ ଅପୂର୍ବ । ସ୍ୱାଧୀନତା ପରବର୍ତ୍ତୀକାଳରେ ରାଜନୀତି ଗ୍ରାମ୍ୟଜୀବନକୁ ଅଧିକ କଳୁଷିତ କରିଛି ଏବଂ ସହରୀ ଚେତନାର ପ୍ରଭାବରେ ଗ୍ରାମ୍ୟଜୀବନର ସୁନ୍ଦରପଣ ମଧ୍ୟ ବଦଳିଯାଇଛି । ବ୍ୟକ୍ତିକୈନ୍ଦ୍ରିକତା ଓ ବୌଦ୍ଧିକତାର ଅନୁପ୍ରବେଶ ଫଳରେ କ୍ଷୁଦ୍ରଗଳ୍ପ କିଛିଟା ଜଟିଳ ହୋଇଛି ।

 

ଉତ୍ତର ପଚାଶର ଗଳ୍ପ ପ୍ରତ୍ୟକ୍ଷ ଜନଜୀବନ-ସଂପୃକ୍ତି ହରାଇଛି ବୋଲି ଅଭିଯୋଗ ହୁଏ । ଏହାର କାରଣ ଗାଳ୍ପିକର ବୃତ୍ତି ଓ ପରିବେଶ । ‘ଏହି ସମୟ ହିଁ ତଥାକଥିତ ‘ମଧ୍ୟବିତ୍ତ ଇଣ୍ଟେଲେକ୍‌ଚୁଆଲିଜିମ୍‌’ର ଜନ୍ମ ସମୟ । ଜନସାଧାରଣଙ୍କଠାରୁ ବିଚ୍ୟୁତ ହେବାର ଘୋର ପ୍ରତିକ୍ରିୟା ଆରମ୍ଭ ହୋଇଥିଲା ପ୍ରାକ୍‌-ସ୍ୱାଧୀନତା ଯୁଗରୁ । ତା’ର କ୍ରମବିକାଶ ଘଟି ଶୀର୍ଷଦେଶରେ ପହଞ୍ଚିଲା ଷାଠିଏ ଦଶକର ଶେଷ ପାଦର ଏକ ଇଣ୍ଟେଲେକଚୁଆଲିଜିମ୍‌ର ଅନ୍ଧ ଗଳିରେ । ଏହି ପ୍ରକ୍ରିୟା ୧୯୭୦ ଶେଷପର୍ଯ୍ୟନ୍ତ ମଧ୍ୟ ଚାଲିଆସିଛି । ଏହି ସମୟର ସାହିତ୍ୟ ଜନସାଧାରଣଙ୍କଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ନିଜସ୍ୱ ଦୁର୍ଗରେ ବନ୍ଦୀ । ଅବୋଧ୍ୟ କବିତା, ଅବୋଧ୍ୟ ଗଳ୍ପ ତା’ର ଚୂଡ଼ାନ୍ତ ପରିଣତି । X X X ତଥାପି ଏହି ସମୟ ଓଡ଼ିଆ ଗଳ୍ପ-ସାହିତ୍ୟର ସ୍ଵର୍ଣ୍ଣଯୁଗ । ବିଶେଷତଃ ୧୯୫୫ଠାରୁ ୧୯୭୫ ଏଇ ଦୁଇ ଦଶନ୍ଧି ଯେତେ ଗାଳ୍ପିକଙ୍କୁ ଜନ୍ମଦେଇଛି, ବିଗତ ପଚାଶ ବର୍ଷରେ ସେତିକି ଗାଳ୍ପିକ ଜନ୍ମ ନେଇ ନ ଥିଲେ ।’ (୭) ସ୍ୱାଧୀନତା ପରବର୍ତ୍ତୀ ୨୦/୨୫ ବର୍ଷ ଯେ ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରକୃଷ୍ଟ ଉନ୍ମେଷ ଓ ସାଫଲ୍ୟର କାଳ-ଏହାକୁ ଯେକେହି ସ୍ୱୀକାର କରିବେ । ପରିଣତମାନଙ୍କ ସହିତ ପ୍ରତିଷ୍ଠିତ ଓ ନୂତନମାନଙ୍କ ସମନ୍ୱୟ ଏଇ ସମୟର ସ୍ୱରକୁ ସ୍ପର୍ଦ୍ଧିତ କରିଛି ।

 

(୭)

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପର ପ୍ରତିଶ୍ରୁତି - ରବି ପଟ୍ଟନାୟକ

ଇସ୍ତାହାର : ୨୭ : ୧୯୮୪ ।

 

କ୍ଷୁଦ୍ରଗଳ୍ପର ବିଷୟ ବସ୍ତୁରେ ବହୁ ପରିବର୍ତ୍ତନ ସଂଘଟିତ ହେବା ସଙ୍ଗେ ସଙ୍ଗେ କ୍ଷୁଦ୍ରଗଳ୍ପର ଚରିତ୍ର ଚିତ୍ରଶାଳାର ରୂପଭେକ ମଧ୍ୟ ବଦଳିଛି । ସ୍ୱାଧୀନତା ପରବର୍ତ୍ତୀ ରାଜନୈତିକ ଓ ବୈଷୟିକ ପ୍ରଗତିର ସୁଅରେ ବିଭିନ୍ନ ପ୍ରକାର ଚରିତ୍ରଙ୍କ ଆବିର୍ଭାବ ଘଟିଛି । କ୍ଷୁଦ୍ରଗଳ୍ପରେ ଏଣୁ ଅଭିଜାତ ଶ୍ରେଣୀର ଚରିତ୍ରଠୁଁ ଆରମ୍ଭ କରି ମଧ୍ୟବିତ୍ତ ଓ ନିମ୍ନବିତ୍ତ ଚରିତ୍ର ପର୍ଯ୍ୟନ୍ତ ବହୁ ବୃତ୍ତିଜୀବି ଓ ସାଧାରଣ ଚରିତ୍ରଙ୍କର ରୂପାୟନ । କଳକାରଖାନା, ଅଫିସ, ଶିକ୍ଷାୟତନଠୁଁ ଆରମ୍ଭ କରି ଶ୍ରମିକ ଓ ରୂପଜୀବୀ ବସ୍ତିଯାଏ ଚରିତ୍ରର ଚିତ୍ରଶାଳା ପ୍ରଲମ୍ୱିତ । ସ୍ୱାଧୀନତା ପରବର୍ତ୍ତୀ ଗଳ୍ପକାର ଭାବରେ ଓଡ଼ିଆ ଗଳ୍ପର ଶିଳ୍ପ ଓ ଆତ୍ମାକୁ ଯେଉଁମାନେ ନୂଆ ପ୍ରୟୋଗରେ ଅଭିଷିକ୍ତ କରିଛନ୍ତି ସେମାନେ ହେଲେ ସର୍ବଶ୍ରୀ ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ବାମାଚରଣ ମିତ୍ର, ମହାପାତ୍ର ନୀଳମଣି ସାହୁ, ଅଚ୍ୟୁତାନନ୍ଦ ପତି, ଅଖିଳମୋହନ ପଟ୍ଟନାୟକ, ଫତୁରା ନନ୍ଦ, ବସନ୍ତ କୁମାର ଶତପଥୀ, ବିଭୂତିଭୂଷଣ ତ୍ରିପାଠୀ, ଶାନ୍ତନୁ କୁମାର ଆଚାର୍ଯ୍ୟ, କୃଷ୍ଣପ୍ରସାଦ ମିଶ୍ର, ରବି ପଟ୍ଟନାୟକ, ବ୍ରହ୍ମାନନ୍ଦ ପଣ୍ଡା, ଚୌଧୁରୀ ହେମକାନ୍ତ ମିଶ୍ର, ବିଭୂତି ପଟ୍ଟନାୟକ, ବୀଣାପାଣି ମହାନ୍ତି ପ୍ରମୁଖ କଥାଶିଳ୍ପୀଗଣ ।

 

ଓଡ଼ିଆ କଥା ସାହିତ୍ୟର ଦିଗନ୍ତ ବହୁଧା ପ୍ରସାରିତ ହେଲାବେଳେ ଉତ୍ତର ସତୁରୀ ଗଳ୍ପରେ ସମାଜଜୀବନର ବିପର୍ଯ୍ୟୟ ସହିତ ଆତ୍ମାନୁସନ୍ଧାନ, ବ୍ୟକ୍ତିଗତ ଅସହାୟତା, ନିଃସଙ୍ଗ ଆଦି ଭାବ ଓଡ଼ିଆ କ୍ଷୁଦ୍ରଗଳ୍ପର ଆତ୍ମିକ ଦିଗକୁ ଅଧିକ ସମୃଦ୍ଧ କରିଛି । ପାଶ୍ଚାତ୍ୟ ଜୀବନାଦର୍ଶର ପ୍ରଭାବ ମଧ୍ୟ ଏହାର କାରଣ ଭାବେ ସ୍ୱୀକୃତ ହେବ । ଉତ୍ତର ସତୁରୀର ଗଳ୍ପର ଶିଳ୍ପକଳାରେ ମଧ୍ୟ ପରୀକ୍ଷା ନିରୀକ୍ଷା ସଂଘଟିତ ହୋଇ ଶୈଳୀଗତ ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଛି । ତେବେ ଆଭାସଗଳ୍ପ, ପ୍ରତୀକଗଳ୍ପ, ଅଣୁଗଳ୍ପ, ପ୍ରତିଗଳ୍ପ ଆଦି ପରୀକ୍ଷା ନିରୀକ୍ଷା ଓଡ଼ିଆ କ୍ଷୁଦ୍ରଗଳ୍ପକୁ କିଛିକାଳ ପାଇଁ ସଜାଗ ରଖିଛି । ତାକୁ ‘ମିନି ଆନ୍ଦୋଳନ’ ନାମରେ ନାମିତ କରାଯାଇପାରେ । ଏହାର କ୍ରମିକ ବିକାଶ ସମ୍ଭବ ହୋଇ ନ ଥିଲେ ମଧ୍ୟ ଏ ପ୍ରଚେଷ୍ଟା ସ୍ୱାଗତଯୋଗ୍ୟ ।

 

ଉତ୍ତର ସତୁରୀ ଗଳ୍ପରେ ସ୍ଥିତିବାଦୀ ଦର୍ଶନର ବିଶେଷ ପ୍ରଭାବ ପରିଲକ୍ଷିତ । ଗଳ୍ପର ଶିଳ୍ପ ପ୍ରକରଣ ଓ ଉପକରଣ ମଧ୍ୟ ଏ କାଳରେ କିଛିଟା ବଦଳିଛି । କାହାଣୀଧର୍ମୀ ଗଳ୍ପ ସହିତ ଅଧିକ ଭାବେ ଗଳ୍ପହୀନ ଗଳ୍ପ ମଧ୍ୟ ଲେଖାଯାଇଛି । ପରୀକ୍ଷା ନିରୀକ୍ଷା କ୍ରମରେ ପ୍ରାଚୀନ କାହାଣୀ ଓ ଲୋକଗଳ୍ପର ପୁନର୍ନ୍ୟାସ କରାଯାଇ ତାକୁ ଆଧୁନିକ ରୂପ ପ୍ରଦାନ କରାଯାଇଛି । ମିଥ୍‌ (Myth) କେବଳ କବିତାର ଉପାଦାନ ହୋଇନାହିଁ, ଗଳ୍ପ ମଧ୍ୟ ତାକୁ ଗ୍ରହଣ କରିଛି । କେବଳ ସହରୀ ପୃଷ୍ଠଭୂମି ନୁହେଁ, ପଲ୍ଲୀ ସଂସ୍କୃତିର ଜୀବନ୍ତ ଚିତ୍ର ମଧ୍ୟ ଏ ସମୟର ଗଳ୍ପରେ ଆଶାନୁରୂପ ସ୍ଥାନ ପାଇଛି । ଗଳ୍ପରେ ବ୍ୟଙ୍ଗବିଦ୍ରୂପ ଓ ହାସ୍ୟରସ ପରିପ୍ରକାଶର ମାତ୍ରା ମଧ୍ୟ ବଢ଼ିଛି । ସମକାଳୀନ ଯୁଗ ଓ ଜୀବନର ଅସହାୟତାରୁ ମୁକ୍ତି ପାଇଁ ଗଳ୍ପ ପୁରୁଷ ଏକାନ୍ତ ବ୍ୟାକୁଳ । (୮)

 

(୮)

‘ଅସହାୟତା ଓ ଅଙ୍ଗୀକାର : ନୂତନ କ୍ଷୁଦ୍ରଗଳ୍ପରେ ଆର୍ତି’ - ସୀତାକାନ୍ତ ମହାପାତ୍ର-ଗଳ୍ପଝର-୨ୟ ଖ୍ୟା : ୧୯୭୭ ଦ୍ରଷ୍ଟବ୍ୟ ।

 

ଉତ୍ତର ସତୁରୀ କାଳର ଗାଳ୍ପିକ ପାଇଁ ପୃଷ୍ଠଭୂମି ଭାବେ ରହିଛି ଦୀର୍ଘ ସତୁରୀ ବର୍ଷର କଥା-ସାହିତ୍ୟ-ପରମ୍ପରା ଏବଂ ବିଂଶ ଶତାବ୍ଦୀର ପ୍ରଥମ ପାଦରୁ ଏଯାଏ ସଂଘଟିତ ସାମାଜିକ ପରିବର୍ତ୍ତନମାନ । ଉତ୍ତର ସତୁରୀ କାଳରେ ଆତ୍ମପ୍ରକାଶ କରି ପ୍ରତିଷ୍ଠିତ ହୋଇଥିବା ଗାଳ୍ପିକମାନଙ୍କ ବ୍ୟତୀତ ଏ କାଳରେ ଉତ୍ତର-ପଚାଶ କାଳର ଗାଳ୍ପିକମାନେ ଏକାନ୍ତ ସକ୍ରିୟ ରହିଛନ୍ତି । ଏହା ଅନେକଙ୍କର ଉତ୍ତରଣ ଓ ଅବରୋହଣର ପର୍ବ । ଏ କାଳରେ ବହୁ ଗଳ୍ପ ପୁସ୍ତକର ପ୍ରକାଶନ, ପତ୍ରପତ୍ରିକାର ଅଭ୍ୟୁଦୟ, ସ୍କୁଲ, କଲେଜ ଏବଂ ପାଠାଗାର ଆଦିର ସମ୍ପ୍ରସାରଣ, ଦୈନିକ ଖବରକାଗଜ ପୃଷ୍ଠାରେ ସାପ୍ତାହିକ ସାହିତ୍ୟ ବିଭାଗର ନିୟମିତ ସଂଯୋଜନା, କ୍ଷୁଦ୍ରଗଳ୍ପର ସମୀକ୍ଷା ଓ ଅନୁଶୀଳନ, ବିଭିନ୍ନ ସାହିତ୍ୟିକ ସମ୍ମାନ ଓ ସ୍ୱୀକୃତି ପ୍ରଦାନ ଓଡ଼ିଆ ଗଳ୍ପ-ସାହିତ୍ୟକୁ ପରିପୁଷ୍ଟ କରୁଛି । ସ୍ୱତନ୍ତ୍ର ଭାବରେ ଅନେକ ଗଳ୍ପ ପତ୍ରିକା ମଧ୍ୟ ପ୍ରକାଶିତ ହେଉଛି । ଓଡ଼ିଆ ଗଳ୍ପରେ ସଂପ୍ରତି ବହୁ ଧାରା ଓ ଉପଧାରା । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ କ୍ଷୁଦ୍ରଗଳ୍ପ ଏକ ବହୁଚର୍ଚ୍ଚିତ ବିଷୟ । ଓଡ଼ିଆ ସାହିତ୍ୟ ଏକାଡେମୀ, ପ୍ରଜାତନ୍ତ୍ର ପ୍ରଚାର ସମିତି, ଶାରଳା ପୁରସ୍କାର ତଥା ଅନ୍ୟାନ୍ୟ ସାରସ୍ୱତ ଅନୁଷ୍ଠାନ ବ୍ୟତୀତ କେନ୍ଦ୍ର ସାହିତ୍ୟ ଏକାଡେମୀ କର୍ତ୍ତୃକ ଉତ୍ତର ସତୁରୀ କାଳରେ ୪ ଜଣ ବିଶିଷ୍ଟ ଗାଳ୍ପିକ ସମ୍ମାନିତ ହୋଇଛନ୍ତି । ସେମାନେ ହେଲେ ମନୋଜ ଦାସ (ମନୋଜ ଦାସଙ୍କ କଥା ଓ କାହାଣୀ), କିଶୋରୀ ଚରଣ ଦାସ (ଠାକୁର ଘର), ଅଖିଳମୋହନ ପଟ୍ଟନାୟକ (ଓ ଅନ୍ଧଗଳି), ମହାପାତ୍ର ନୀଳମଣି ସାହୁ (ଅଭିଶପ୍ତ ଗନ୍ଧର୍ବ) । ମନୋଜ ଦାସ ଇଂରାଜୀ ଭାଷାରେ ଗଳ୍ପ ଲେଖି ଓଡ଼ିଆ ଗଳ୍ପକୁ ଆନ୍ତର୍ଜାତିକ ଦରବାରରେ ପହଞ୍ଚାଇଛନ୍ତି । ଏହା ବ୍ୟତୀତ କିଶୋରୀ ଚରଣ ଦାସ, ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ କୁମାର ଆଚାର୍ଯ୍ୟ, କୃଷ୍ଣପ୍ରସାଦ ମିଶ୍ର ପ୍ରମୁଖଙ୍କ ଗଳ୍ପମାନ ପ୍ରାନ୍ତୀୟ ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ କିଛି ଅନୂଦିତ ହୋଇଛି । ସେହିପରି ମଧ୍ୟ ଇଂରାଜୀ ଓ ପ୍ରାନ୍ତୀୟ ଭାଷାର ଶ୍ରେଷ୍ଠ ଗଳ୍ପମାନ ଆମ ଭାଷାରେ ଅନୂଦିତ ହେଲାଣି । Indian Literature ଏବଂ ୧୯୮୫ରେ ପ୍ରକାଶିତ The Heritage ପତ୍ରିକାରେ ଓଡ଼ିଆ ଗଳ୍ପର ଅନୁବାଦମାନ ପ୍ରକାଶିତ ହେଉଅଛି । ଓଡ଼ିଆ କ୍ଷୁଦ୍ରଗଳ୍ପର ବହୁ ସଂକଳନ ସହିତ ନିର୍ବାଚିତ ଗଳ୍ପ ସଂକଳନମାନ ମଧ୍ୟ ସମ୍ପାଦିତ ହେଲାଣି । ଗତ ୫୦ ବର୍ଷର ଆନ୍ତର୍ଜାତିକ ଓ ଜାତୀୟ ଗଳ୍ପ ଜଗତରେ ବେଶ୍‌ ମର୍ଯ୍ୟାଦାବନ୍ତ ଆସନ ପାଇବେ ବୋଲି ଓଡ଼ିଆ କଥାକାର ଓ ସମାଲୋଚକମାନଙ୍କ ମତ ପ୍ରକାଶ ପାଇଲାଣି । ଉତ୍ତର ସତୁରୀ ଗଳ୍ପରେ ଯେଉଁ ପ୍ରମୁଖ କଥାକାରମାନେ ନୂଆ ପ୍ରୟୋଗ ଅଧିକାରୀ ସେମାନେ ହେଲେ ସର୍ବଶ୍ରୀ ରାମଚନ୍ଦ୍ର ବେହେରା, ଜଗଦୀଶ ମହାନ୍ତି, ରାଧାବିନୋଦ ନାୟକ, ସତ୍ୟ ମିଶ୍ର, ପଦ୍ମଜ ପାଳ, ରବି ସ୍ୱାଇଁ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ପ୍ରଭାତ ମହାପାତ୍ର, ନିମାଇଁ ପଟ୍ଟନାୟକ, ୰କହ୍ନେଇଲାଲ ଦାସ, ୰ଅଶୋକ ଚନ୍ଦନ, ଯଶୋଧାରା ମିଶ୍ର, ଜ୍ୟୋତ୍ସ୍ନା ରାଉତରାୟ, ତରୁଣକାନ୍ତି ମିଶ୍ର ଏବଂ ଅନ୍ୟାନ୍ୟ ଅନେକ ତରୁଣ କଥାକାର । ପରେ ପରେ ଏମାନଙ୍କ ସହିତ ଯୋଗ ଦେଇଛନ୍ତି ଦାଶ୍‌ ବେନହୁର, ଅଭୟ ବେହେରା, ରଜନୀକାନ୍ତ ମହାନ୍ତି, ଚନ୍ଦ୍ରଶେଖର ରଥ, ଜଗନ୍ନାଥ ପ୍ରସାଦ ଦାସ, ଗୌରାଙ୍ଗ ଚରଣ ଦାଶ, ସରୋଜିନୀ ସାହୁ, ସଦାନନ୍ଦ ତ୍ରିପାଠୀ, ବୀରେନ୍ଦ୍ର ମହାନ୍ତି, ପରେଶ ପଟ୍ଟନାୟକ ଆଦି କଥାକାରବୃନ୍ଦ । ଉପରଲିଖିତ କ୍ରମରେ ୫୦ ବର୍ଷର ଓଡ଼ିଆ ଗଳ୍ପ ସାହିତ୍ୟର ପୃଷ୍ଠଭୂମି, ଇତିହାସ ତଥା ବିକାଶକୁ ଦର୍ଶାଇ ଦିଆଯାଇପାରେ ।

 

(ଦୁଇ)

ଗତ ୫୦ ବର୍ଷର ଓଡ଼ିଆ କ୍ଷୁଦ୍ରଗଳ୍ପର ଗଠନକଳା ବହୁ ବୈଚିତ୍ର୍ୟମଣ୍ଡିତ । ଏହା ଏକ ବୃହତ୍ତର ସନ୍ଦର୍ଭର ଅପେକ୍ଷା ରଖେ, ଏଠାରେ ସଂକ୍ଷିପ୍ତ ଭାବେ ତା’ର ଆଲୋକପାତ କରାଯାଉଛି । ଓଡ଼ିଆ କ୍ଷୁଦ୍ରଗଳ୍ପର ଶିଳ୍ପ ପ୍ରକରଣର ବିକାଶ କ୍ରମରେ ଗୋପୀନାଥ ମହାନ୍ତିଙ୍କୁ ଆଧୁନିକତା ଓ ଅନନ୍ୟତାର ବାର୍ତ୍ତାବହ ବୋଲି ଅଭିହିତ କରାଯାଇଛି । ‘ମନୁଷ୍ୟ ତା’ର ମନ ଭିତରର ଗୋପନ କଥା କହିବାପାଇଁ, ତା’ ଆତ୍ମାର ଗୁହ୍ୟ ଉପଲବ୍‌ଧିମାନ ପ୍ରକାଶ କରିବାପାଇଁ, ଯୋଉ ଭାଷା ଦରକାର କରିବ, ଗୋପୀନାଥ ସେହିଭଳି ଭାଷାଶୈଳୀଟିଏ ଗଢ଼ିବସିଲେ । ଏହି ଭାଷାଶୈଳୀର ବିଶେଷତ୍ୱ ହେଲା-ଏହା ଦୈନନ୍ଦିନ ଜୀବନରେ ବ୍ୟବହୃତ ପାତ୍ରୋପଯୋଗୀ ଭାଷା ନ ହୋଇପାରେ ବା ଆଙ୍ଗିକ ଭାବରେ ହୋଇପାରେ - କିନ୍ତୁ ଯାହା ଏହି ଭାଷାଶୈଳୀର ମୌଳିକ ଧର୍ମ- ସେଇଟି ହେଲା, ଏହାର ବସ୍ତୁ ନିର୍ଦ୍ଦେଶ ଗୁଣ ସଙ୍ଗେ ଚେତନାବାହକତା ଗୁଣର ସମ୍ମିଳନ । ସେଇଥିପାଇଁ ଗୋପୀନାଥ ଯେକୌଣସି ବ୍ୟକ୍ତି ବା ଦୃଶ୍ୟର ବର୍ଣ୍ଣନା କଲାବେଳେ ବି ତା’ଭିତରେ ଆମେ ଦେଖୁ ଏକ ମନ୍ମୟ ଜଗତର ସ୍ପନ୍ଦନ । (୯) ଅନ୍ୟତ୍ର କୁହାଯାଇଛି, ‘ଶିଳ୍ପ ପ୍ରକରଣ ଦୃଷ୍ଟିରୁ ପ୍ରଥମେ ଗୋପୀନାଥ ମହାନ୍ତିହିଁ ଓଡ଼ିଆ କ୍ଷୁଦ୍ରଗଳ୍ପରେ ନୂତନତା ଆଣିବାପାଇଁ ପ୍ରୟାସ କରିଛନ୍ତି । କ୍ଲାସିକାଲ ଗଳ୍ପର ସୁଷମ ଅନୁପାତକୁ ଭାଙ୍ଗି ଗଳ୍ପକୁ ନୂଆ ନୂଆ ବିନ୍ୟାସ ଦେବାରେ ଗୋପୀନାଥ ମହାନ୍ତି ଗୁରୁ-। (୧୦) ଗୋପୀନାଥଙ୍କ ଭାଷା ବିନ୍ୟାସ ବହୁ କିସମର, ବିଷୟ ବୈଚିତ୍ର୍ୟ ମଧ୍ୟ । ତାଙ୍କପାଇଁ ଗଳ୍ପକଳାର Maximum material maximum effectଟି ଅଧିକ ପ୍ରଯୁଜ୍ୟ । ‘ଓଡ଼ିଆ ଗଳ୍ପ ସାହିତ୍ୟରେ ଆଧୁନିକତା ଓ ଗୋପୀନାଥ ମହାନ୍ତି’ ପ୍ରବନ୍ଧରେ ମହାପାତ୍ର ନୀଳମଣି ଓଡ଼ିଆ ଗଳ୍ପର ଭାଷାଶୈଳୀ ସମୃଦ୍ଧି ଅନ୍ୟ ଯେଉଁମାନଙ୍କର ନାମ ଉଲ୍ଲେଖ କରିଛନ୍ତି ତାହା ଯଥାଯଥ ମନେହୁଏ-ସେମାନେ ହେଲେ ରାଜକିଶୋର ରାୟ, ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ ପ୍ରମୁଖ । ତେବେ ରାଜକିଶୋର ରାୟ ଓ ନିତ୍ୟାନନ୍ଦ ମହାପାତ୍ରଙ୍କ ଗଳ୍ପରେ ରୋମାଣ୍ଟିକ ଭାବାବେଗ ସହିତ ନାଟକୀୟତାର ସୁଷମ ସମ୍ମିଶ୍ରଣ ଘଟିଛି । ଅନେକ ଗାଳ୍ପିକଙ୍କ ଲେଖାରେ ପ୍ରଚଳିତ ଭାଷାର ସରଳବର୍ଣ୍ଣ-ବିନ୍ୟାସ ପରିଲକ୍ଷିତ ହୁଏ । ଉତ୍ତର ପଚାଶର ବିଶିଷ୍ଟ ଗାଳ୍ପିକମାନେ ସ୍ୱକୀୟ ଭାଷାଶୈଳୀର ଅଧିକାରୀ । ସୁରେନ୍ଦ୍ର, ମହାପାତ୍ର ନୀଳମଣି, କିଶୋରୀଚରଣ, ରବି ପଟ୍ଟନାୟକ ପ୍ରମୁଖଙ୍କ ଦ୍ୱାରା ଓଡ଼ିଆ ଗଳ୍ପର ଭାଷା ବିବର୍ତ୍ତିତ ହୋଇଛି ।

 

(୯)

ଓଡ଼ିଆ ଗଳ୍ପ ସାହିତ୍ୟରେ ଆଧୁନିକତା ଓ ଗୋପୀନାଥ ମହାନ୍ତି-ମହାପାତ୍ର ନୀଳମଣି ସାହୁ- ଇସ୍ତାହାର-୧୫ : ୧୯୮୧ ।

(୧୦)

ଚକ୍ରବ୍ୟୁହରୁ ଅଭିମନ୍ୟୁର ମୁକ୍ତି-ରବି ସ୍ୱାଇଁ-ଇସ୍ତାହାର, ୧୯୮୨

 

ଓଡ଼ିଆ କ୍ଷୁଦ୍ରଗଳ୍ପର ଭାଷା କେତେକାଂଶରେ କବିତାମୁଖୀ । ଅର୍ଥାତ୍‌ କ୍ଷୁଦ୍ରଗଳ୍ପର ଭାଷା ହୋଇଛି ଚିତ୍ରକଳ୍ପର ଭାଷା, ଚିତ୍ରକଳ୍ପ କବିତାର ସାମଗ୍ରୀ ନ ହୋଇ କ୍ଷୁଦ୍ରଗଳ୍ପର ଅଙ୍ଗାଭରଣ ମଧ୍ୟ ହୋଇଛି । ଏହାଦ୍ୱାରା କ୍ଷୁଦ୍ରଗଳ୍ପର ବକ୍ତବ୍ୟ ପରିଚ୍ଛନ୍ନ ହେବା ସଙ୍ଗେ ସଙ୍ଗେ ନିର୍ଦ୍ଦିଷ୍ଟ ଦୃଶ୍ୟଟିଏ ମଧ୍ୟ ଦିଶିଯାଉଛି । ସୁରେନ୍ଦ୍ର ବା ଅଖିଳମୋହନଙ୍କ ଭାଷାର ଐନ୍ଦ୍ରଜାଲିକ ଆଚ୍ଛନ୍ନତାଠାରୁ ଆରମ୍ଭ କରି ରାମଚନ୍ଦ୍ର ବା ଜଗଦୀଶଙ୍କ ଯାଏ ଅସଂଖ୍ୟ ନମୁନା ଉପସ୍ଥାପନ କରାଯାଇପାରିବ । କ୍ଷୁଦ୍ରଗଳ୍ପର ଖଣ୍ଡାଂଶମାନ କବିତା ପ୍ରାୟ ଲାଗୁଛି । ଏ ପ୍ରକାର ବର୍ଣ୍ଣନାକୁ ସମାଲୋଚକେ ସାଂପ୍ରତିକ କ୍ଷୁଦ୍ରଗଳ୍ପରେ କବିତାର ଅନ୍ତରୀଣ ପ୍ରବାହ ବୋଲି ଉଲ୍ଲେଖ କରୁଛନ୍ତି । (୧୧)

 

(୧୧)

ଓଡ଼ିଆ ଗଳ୍ପ : ଗତି ଓ ପ୍ରକୃତି - ବୈଷ୍ଣବ ଚରଣ ସାମଲ ଦ୍ରଷ୍ଟବ୍ୟ ।

 

କ୍ଷୁଦ୍ରଗଳ୍ପରେ କେହି କାହାଣୀ ଉପରେ ଜୋର ଦେଲାବେଳେ କେହି ମଧ୍ୟ ପରିବେଶ, ଘଟଣା-ସମବାୟ ବା ଚରିତ୍ର ଉପରେ ପ୍ରାଧାନ୍ୟ ଆରୋପ କରୁଛନ୍ତି । ବିଧିବଦ୍ଧ ବର୍ଣ୍ଣନା ବା କାହାଣୀକୁ ଛାଡ଼ି ଉତ୍ତର ପଚାଶ କାଳର ଅଧିକାଂଶ ଗଳ୍ପ ଗଳ୍ପହୀନ । ଏହାର କାରଣ ସମ୍ପର୍କରେ ସମାଲୋଚକ କହନ୍ତି-‘ପରିବର୍ତ୍ତିତ ରୁଚି ଓ ଚେତନା ପରିପ୍ରେକ୍ଷୀରେ କ୍ଷୁଦ୍ରଗଳ୍ପରେ ମନୋବିଶ୍ଳେଷଣର ଆଧିକ୍ୟ ଯୋଗୁଁ ପରିଣତି ଆଡ଼କୁ ମୁହାଁଉଥିବା ଦ୍ରୁତ ଘଟଣା ବିନ୍ୟାସଗତ ଗଳ୍ପାଂଶ ଏତେ ତୁଚ୍ଛ ଓ ଏତେ ଗୁରୁତ୍ୱହୀନ ହୋଇପଡ଼ିଛି ଯେ, ଯାହା ଫଳରେ ସାମ୍ପ୍ରତିକ ଓଡ଼ିଆ କ୍ଷୁଦ୍ରଗଳ୍ପ କେତେକାଂଶରେ ଗଳ୍ପହୀନ ହେବା ସ୍ୱାଭାବିକ । ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଅଚ୍ୟୁତାନନ୍ଦ ପତି, ବ୍ରହ୍ମାନନ୍ଦ ପଣ୍ଡା, ଅନନ୍ତ ପଣ୍ଡା, କୃଷ୍ଣଚରଣ ବେହେରା ପ୍ରମୁଖ କେତେଜଣଙ୍କୁ ଛାଡ଼ିଦେଲେ ଅଧିକାଂଶ ଓଡ଼ିଆ ଗାଳ୍ପିକଙ୍କ ଗଳ୍ପ ପ୍ରାୟ କମ୍‌ ବେଶୀରେ ଗଳ୍ପହୀନ । (୧୨)

 

(୧୨)

ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଶିଳ୍ପାଦର୍ଶ ଓ ତା’ର ପ୍ରତି ସାମ୍ୟାତ୍ମକ ପାରସ୍ପର୍ଯ୍ୟ - ଡଃ ଆଦିକନ୍ଦ ସାହୁ - ଇସ୍ତାହାର ୨୭ : ୧୯୮୪ ।

 

ପ୍ରାଚୀନ କାହାଣୀର ରଚନା ଢଙ୍ଗ ଓ କଥାବସ୍ତୁକୁ ନେଇ ମନୋଜ ଦାସ ଆଧୁନିକ ରୀତିରେ ବେଶ୍‌ ସଫଳ ଗଳ୍ପ ରଚନା କରୁଛନ୍ତି । ଲୋକଗଳ୍ପ ବା ପ୍ରାଚୀନ କାହାଣୀ ତଥା ପୌରାଣିକ ଚରିତ୍ରମାନଙ୍କୁ ଉପଜୀବ୍ୟ କରି ସାଂପ୍ରତିକ ପରିପ୍ରେକ୍ଷୀରେ ବହୁ ଗଳ୍ପ ରଚନା କରାଯାଉଛି । ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ମହାପାତ୍ର ନୀଳମଣି, ଚୌଧୁରୀ ହେମକାନ୍ତ, ଅଚ୍ୟୁତାନନ୍ଦଙ୍କ ନାମ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ । ମନୋଜ ଦାସଙ୍କ ‘ଲକ୍ଷ୍ମୀର ଅଭିସାର’ ପୁସ୍ତକର ଗଳ୍ପ କେତୋଟି କିମ୍ୱା ସୁରେନ୍ଦ୍ର ମହାନ୍ତିଙ୍କ ‘କବି ଓ ନର୍ତ୍ତକୀ’ ସଂକଳନରେ ସଂକଳିତ ଗଳ୍ପଗୁଡ଼ିକ ଆବେଦନ ଦୃଷ୍ଟିରୁ ଅତୀତ ଓ ବର୍ତ୍ତମାନକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ପାଠକକୁ ଏକ ଚିରନ୍ତନ ଭାବଇଲାକାକୁ ନେଇଯାଆନ୍ତି । ପ୍ରାଚୀନରୂପକ ଓ ଗାଲଗଳ୍ପକୁ ଉପଜୀବ୍ୟ କରି ସାର୍ଥକ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖାଯାଇଛି । ଏହାକୁ ସାଧାରଣତଃ ଫାଣ୍ଟାସି (fantasy) ପ୍ରୟୋଗ ବୋଲି ତର୍କଣା କରାହୁଏ । ‘ଏଇ ଫାଣ୍ଟାସି ପ୍ରୟୋଗର ବଡ଼କଥା ହେଉଛି ବିଧିବଦ୍ଧ ପ୍ରତୀକ ପ୍ରୟୋଗ । ନିଜ ବକ୍ତବ୍ୟ ବା ଦର୍ଶନ ଯେଉଁସବୁ ବିଭାବ ଉପରେ ପ୍ରତିଷ୍ଠିତ ତାକୁ ଯଥେଷ୍ଟ ଭାବୋଦ୍ଦୀପକ ଓ ଅର୍ଥବାହୀ କରିବା ପାଇଁ ଏହା ସାହାଯ୍ୟ କରେ । X X X ସ୍ୱାଧୀନୋତ୍ତର ଓଡ଼ିଆ ଗଳ୍ପରେ ଫାଣ୍ଟାସି ପ୍ରୟୋଗ କରିଛନ୍ତି ମନୋଜ ଦାସ ଓ ଶାନ୍ତନୁ ଆଚାର୍ଯ୍ୟ । ଅବଶ୍ୟ ଉଭୟଙ୍କ ଉଦ୍ଦେଶ୍ୟ ଏକ ହେଲେ ମଧ୍ୟ ପ୍ରୟୋଗ ପଦ୍ଧତି ଭିନ୍ନ ବାଗର । ତେବେ ଏ ଦୁଇଜଣଙ୍କର ମୂଳ ପାର୍ଥକ୍ୟଟି ଏହି ଯେ ମନୋଜ ବିଧିବଦ୍ଧ କାହାଣୀ କହନ୍ତି ଏବଂ ଅପର ପକ୍ଷରେ ଶାନ୍ତନୁ ଘଟଣାମାନଙ୍କର ନାଟକୀୟ ଚମତ୍କାରିତା ଉପରେ ଜୋର୍‍ ଦିଅନ୍ତି । X X X’ (୧୩)

 

(୧୩)

ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପ – ଇସ୍ତାହାର - ୭ : ୧୯୭୯ ।

 

ମହାପାତ୍ର ନୀଳମଣି ସାହୁ ଓଡ଼ିଆ ଭାଷାକୁ ଗଳ୍ପରେ ବହୁପ୍ରକାର ବ୍ୟବହାର କରି ତା’ର ପ୍ରୟୋଗ ବୈଚିତ୍ର୍ୟକୁ ବ୍ୟାପ୍ତି ଦେଇଛନ୍ତି । ପ୍ରତୀକାତ୍ମକ ନାମକରଣ ବ୍ୟତୀତ କେବଳ ଗୋଟିଏ ଗୋଟିଏ ପ୍ରତୀକ ଉପରେ ସୁନ୍ଦର ସୁନ୍ଦର ଗଳ୍ପମାନ ଗଢ଼ା ହୋଇଛି । ବହୁପ୍ରକାର ଗଳ୍ପ ଲେଖା ହୋଇଛି । ଦୀର୍ଘାୟତନ ବିଶିଷ୍ଟ ଗଳ୍ପଠୁଁ ଆରମ୍ଭ କରି ପୃଷ୍ଠାଏ ଦି’ ପୃଷ୍ଠାର ମଧ୍ୟ ପୂର୍ଣ୍ଣାଙ୍ଗ ଗଳ୍ପ ଲେଖାଯାଇଛି, ଯାହାକୁ ‘ମିନି ଆନ୍ଦୋଳନ’ ପର୍ଯ୍ୟାୟଭୁକ୍ତ କରିହେବ ନାହିଁ । କେବଳ ମନୋଜ ଦାସଙ୍କଦ୍ୱାରା ଏଇପ୍ରକାର ସ୍ୱୟଂସଂପୂର୍ଣ୍ଣ ସାନ ଗଳ୍ପମାନ ଉତୁରି ପାରିଛନ୍ତି ଏବଂ ଅଳ୍ପ ଆୟତନ ଭିତରେ ପରିପୂର୍ଣ୍ଣ ଗଳ୍ପକଳାର କଳାତ୍ମକ ଗଳ୍ପମାନ ଅନ୍ୟ ଗାଳ୍ପିକଙ୍କ ପାଇଁ ଏକ ଚାଲେଞ୍ଜ୍‌ ସୃଷ୍ଟି କରିଛି ବୋଲି କହିବାକୁ ହେବ । ଶ୍ରୀ ଦାସଙ୍କର ସଦ୍ୟତମ ସଂକଳନ ‘ମନୋଜ ପଞ୍ଚବିଂଶତି’ (୧୯୮୩)ରୁ ‘ନାତୁଣୀ’, ‘ଭୋଳା ଅଜା’, ‘ଦଦୁର’ ଆଦି ଗଳ୍ପକୁ ଉଦାହରଣଭାବେ ନେଇହେବ । ଗୋପୀନାଥ ମହାନ୍ତିଙ୍କର ଅନେକ ଦୀର୍ଘ ଗଳ୍ପ ରହିଛି । ସେ ନିଜେ କହନ୍ତି- ମୋର ୩୦ ଖଣ୍ଡ ଭଳିଆ ଗଳ୍ପ ଅଛି, ଯା’ର ନାଁ ବଦଳାଇ ଦେଲେ ଉପନ୍ୟାସ ହେବ । (୧୪) ଏହା ବ୍ୟତୀତ ଦୀର୍ଘଗଳ୍ପ ବା ଉପନ୍ୟାସିକାମାନ ମଧ୍ୟ ଲେଖାଯାଇଛି । ମହାପାତ୍ର ନୀଳମଣି ସାହୁଙ୍କ ‘କପୋତ ପକ୍ଷୀ ଗୁରୁ ମୋର’ ବ୍ୟତୀତ ‘ଅଭିଶପ୍ତ ଗନ୍ଧର୍ବ’ର ଗଳ୍ପମାନ, ରବି ପଟ୍ଟନାୟକଙ୍କର ‘ରାଗ ତୋଡ଼ି’ ପୁସ୍ତକର ‘ଜମାନବନ୍ଦୀ’, ‘ଅସତ୍ୟ ସହର’ ଏବଂ ‘ପୁରୁରବା’ ଏବଂ ରାଗ ତୋଡ଼ି, ହରପ୍ରସାଦ ଦାସଙ୍କର ‘ଲୁବ୍‌ଧକର ତିନି ପ୍ରହର’, ମନୋଜ ଦାସଙ୍କର ‘ଆବୁ ପୁରୁଷ’ ଓ ‘ଧୂମ୍ରାଭ ଦିଗନ୍ତ’, ଜଗଦୀଶ ମହାନ୍ତିଙ୍କର ‘ଆଲବମରେ କେତୋଟି ମୁହଁ’, ‘ଦକ୍ଷିଣ ଦୁଆରୀ ଘର’, ପଦ୍ମଜ ପାଳ ଓ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ କେତୋଟି ଗଳ୍ପ ଆଦି ଲେଖା ଏ ପ୍ରସଙ୍ଗରେ ଉଦାହରଣ । ଛୋଟ ଗଳ୍ପକୁ ନେଇ ଯେଉଁ ପରୀକ୍ଷା ନିରୀକ୍ଷା ବା ‘ମିନି ଆନ୍ଦୋଳନ’ ଘଟିଛି, ତାହା ଉତ୍ତର ଷାଠିଏରୁ ପଞ୍ଚସ୍ତରୀ ମସିହାଯାଏ ବଳବତ୍ତର ରହିଛି । ବିଦେଶୀ ସଂସ୍କୃତି ଓ ଜୀବନଧାରା ପୃଷ୍ଠଭୂମିରେ କିଛି ଗଳ୍ପ ଲେଖାଯାଇଛି । କିଶୋରୀଚରଣ ଦାସଙ୍କ ‘ଘରବାହୁଡ଼ା’, କୃଷ୍ଣପ୍ରସାଦ ମିଶ୍ରଙ୍କ ‘ଅରଣ୍ୟ ଓ ଉପବନ’କୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ।

 

(୧୪)

ଗୋପୀନାଥ ମହାନ୍ତି- ଆକାଶବାଣୀ ସାକ୍ଷାତକାର- ତା ୭-୩-୮୬ ରିଖ ।

 

ମାନବେତର ଚରିତ୍ରକୁ ନେଇ ଗଳ୍ପ ରଚନା କରିବା ଓଡ଼ିଆ ଗଳ୍ପସାହିତ୍ୟର ବିଶିଷ୍ଟ ସଂଯୋଜନା । ବାଘ, ବିଲେଇ, କୁକୁର, ଗାଈ, ବଳଦ, ମାଙ୍କଡ଼, ଓଟଠୁଁ ଆରମ୍ଭ କରି ପାରା, ପେଚା, କପୋତ, କଇଁଛ, ପିମ୍ପୁଡ଼ି ଆଦି ବହୁ ପ୍ରାଣୀଙ୍କୁ ନେଇ ଉଚ୍ଚକୋଟୀର କଳାତ୍ମକ ଗଳ୍ପମାନ ଆମ ସାହିତ୍ୟରେ ଲେଖାଯାଇଛି- ‘ରାଜକିଶୋର ପଟ୍ଟନାୟକ, ରାଜକିଶୋର ରାୟ, ଗୋପୀନାଥ ମହାନ୍ତିଙ୍କଠୁଁ ଆରମ୍ଭ କରି ମନୋଜ ଦାସ, ମହାପାତ୍ର ନୀଳମଣି, ଅଚ୍ୟୁତାନନ୍ଦ ପତି, ଅଖିଳମୋହନଙ୍କ ବାଟ ଦେଇ ରାମଚନ୍ଦ୍ର ବେହେରାଙ୍କଯାଏଁ ଏଇ ଧାରାରେ ବହୁ ଗଳ୍ପ । ମାନବେତର ଚରିତ୍ରମାନେ ବେଳେ ବେଳେ ପ୍ରତୀକଭାବେ ବ୍ୟବହୃତ । ଏଇ ପ୍ରତୀକଗୁଡ଼ିକ ବେଳେବେଳେ ବ୍ୟଙ୍ଗବିଦ୍ରୂପର ଉପାଦାନଭାବେ ବ୍ୟବହୃତ ମଧ୍ୟ (‘ଲୁରୁର୍ଭା ଅରଣ୍ୟର ଏକ ସଂବାଦ’-ମନୋଜ ଦାସ) । ଭୌତିକ ପରିବେଶର ଗଳ୍ପ ବ୍ୟତୀତ ଭୂତ ଓ ଡାଆଣୀଙ୍କୁ ଉପଜୀବ୍ୟ କରି ମଧ୍ୟ ସୁନ୍ଦର ଗଳ୍ପ ଲେଖା ହୋଇଛି ।

 

କ୍ଷୁଦ୍ରଗଳ୍ପର ପରିବେଷଣ ଢଙ୍ଗରେ ନାଟକୀୟତା ଓ ଭାଷାର ଇଙ୍ଗୀତଧର୍ମ ଉପରେ ଅଧିକ ଜୋର୍‌ ଦିଆଯାଇଛି । କ୍ଷୁଦ୍ରଗଳ୍ପର ଭାଷାରେ ସଂସ୍କୃତ ଶଦ୍ଦର ବ୍ୟବହାର ସହିତ କ୍ଷେତ୍ର ବିଶେଷରେ ପ୍ରାନ୍ତୀୟ, ଇଂରାଜୀଭାଷାର ବ୍ୟବହାର ପରିଲକ୍ଷିତ ହୁଏ । ବେଳେ ବେଳେ ଗଳ୍ପମାନଙ୍କରେ ଭାଷା ବ୍ୟବହାର ଓ ଆନ୍ତର୍ଜାତିକତା ନାଁରେ ଓଡ଼ିଆଭାଷାର ଗନ୍ଧ ଓ ଓଡ଼ିଶାର ପ୍ରାଣସ୍ପନ୍ଦନ ନଥିବା ଭଳି ମନେହୁଏ । ଏହା ସଂସ୍କୃତି ସହିତ ଯୋଗାଯୋଗହୀନତାକୁ ସ୍ପଷ୍ଟ କରେ । ଗୋପୀନାଥ ମହାନ୍ତି କହନ୍ତି- ‘ଛପା ଅଛପା କେତେ ଓଡ଼ିଆ ଗଳ୍ପ ମୁଁ ପଢ଼ିଲାବେଳେ ଗୋଟିଏ କଥା ବାରମ୍ୱାର ଭାବିଛି, ଓଡ଼ିଆ ଲେଖକ ଏହାକୁ ଲେଖିଛନ୍ତି, ଭାଷା ତ ଓଡ଼ିଆ, କିନ୍ତୁ ଏଥିରେ ଓଡ଼ିଶା କାହିଁ ? X X’ ଓଡ଼ିଆ ଗଳ୍ପର ଭାଷା କେବଳ କାବ୍ୟିକ ହୋଇ ନାହିଁ, ବେଳେ ବେଳେ ଏହା ପ୍ରବନ୍ଧର ଭାଷା ସ୍ତରକୁ ମୁହେଁଇ ଯାଇଛି । ଘଟଣା ବା ଗଳ୍ପାଂଶକୁ ଦର୍ଶନ ସହିତ ଯୋଡ଼ିଛି । ଏଠାରେ ଗାଳ୍ପିକର ବକ୍ତବ୍ୟ ଭାଷଣଧର୍ମୀ । ଗଠନଶିଳ୍ପରେ କ୍ଷୁଦ୍ରଗଳ୍ପରେ ଅନେକ ବେଳେ ତା’ ନିଜ ବାଗ ବାଛିନେଇ ଉତୁରିଛି । କୌଣସି ଧରାବନ୍ଧା ନିୟମ ବା ବାଡ଼କୁ ସେ ମଧ୍ୟ ଅସ୍ୱୀକାର କରିଛି ।

 

ବିଗତ ୫୦ ବର୍ଷ ଗଳ୍ପ-ସାହିତ୍ୟର ଉତ୍ତରକାଳର ଅନେକଗଳ୍ପର ପରିବେଷଣ ଢଙ୍ଗରେ ପ୍ରଥମ-ପୁରୁଷୀୟ ରୀତି ଅନୁସୃତ । ଗଳ୍ପପୁରୁଷ ବହୁ ଭାବଚେତନାର ପ୍ରତିନିଧିତ୍ୱ କରିଛି । ଗଳ୍ପରେ ବ୍ୟକ୍ତିଗତତା ଅବଶ୍ୟ କବିତା ପରି ଅନ୍ତର୍ମୁଖୀ ନୁହେଁ । ସମାଲୋଚକ କହନ୍ତି-‘ଅନେକତ୍ର ଗଳ୍ପ କହିବାର ପଦ୍ଧତି ହୋଇ ଉଠିଛି, ଆତ୍ମଦୈବନିକ ଓ ସ୍ୱୀକାରୋକ୍ତିମୂଳକ । ବହିର୍ମୁଖୀନତା ଅପେକ୍ଷା ଅନ୍ତର ଆଲୋଡ଼ନ ସ୍ୱାଦୁତର ହୋଇ ରହିଛି । ଠାବେ ଠାବେ ଲେଖକଙ୍କର ଆତ୍ମ-ପ୍ରକୃତିର ପ୍ରକ୍ଷେପ ମଧ୍ୟ ଆୟାସଲକ୍ଷ୍ୟ ନୁହେଁ । ଚେତନାମଗ୍ନ ଭାବପ୍ରବାହରେ ସମାଜ ଓ ଜୀବନର ଖଣ୍ଡିତ ଦୃଶ୍ୟାବଳୀ ତୀର୍ଯକ କିମ୍ୱା ବିକୃତଭାବେ ପ୍ରକାଶିତ ହେଉଛି । ପ୍ରଥାସିଦ୍ଧ ପ୍ଲଟ ସ୍ଥାନରେ ଆପାତତଃ ଅସଂଲଗ୍ନ ଦୃଶ୍ୟରାଜିର ଆତ୍ମପ୍ରକାଶ ଘଟୁଛି । ଅନେକ ଗଳ୍ପ ହୋଇଛି, ତେଣୁ ନିର୍ଲିପ୍ତ ଧାରାବାହିକ ସଂଲଗ୍ନ କିମ୍ୱା ଅସଂଲଗ୍ନ ଦୃଶ୍ୟ ସମବାୟ ମାତ୍ର । ତାକୁ ଆଉ Pointed finger କହିଲେ ଠିକ୍‌ ହେବ ନାହିଁ ।’ (୧୫)

 

(୧୫)

ଓଡ଼ିଆ କ୍ଷୁଦ୍ରଗଳ୍ପର ଦିଗ ଓ ବାଗ-ଗୋପୀନାଥ ମହାନ୍ତି : ଇସ୍ତାହାର-୧୦ : ୧୯୮୦ ।

 

ମୋଟାମୋଟି କହିବାକୁ ଗଲେ, ବିଗତ ୫୦ ବର୍ଷର ଓଡ଼ିଆ କ୍ଷୁଦ୍ରଗଳ୍ପ ବହୁ ପରୀକ୍ଷା ନିରୀକ୍ଷା କଷଟିରେ କଷିହୋଇ ବିବିଧ ବୈଚିତ୍ର୍ୟରେ ଭରପୂର । ବହୁ ଗାଳ୍ପିକ ଆପଣା ଶକ୍ତିମତ୍ତା ନେଇ ଏହାର ଗଠନଶିଳ୍ପକୁ ବହୁ ବହୁ ବର୍ଣ୍ଣବିଭାରେ ରଞ୍ଜିତ କରିଛନ୍ତି ।

 

(ତିନି)

ବିଗତ ୫୦ ବର୍ଷର କ୍ଷୁଦ୍ରଗଳ୍ପର ଭାବଚେତନା ବା ଆତ୍ମିକ ଦିଗଟି ବହୁ ପରିବର୍ତ୍ତନ ଓ ବିବର୍ତ୍ତନର ଗଡ଼୍‌ଡ଼ାଳିକା ପ୍ରବାହରେ ନିର୍ମିୟମାନ । ଏହି ଆତ୍ମିକ ଦିଗଟି ଉପରେ ସମୟର ଅନାହତ ପ୍ରଭାବ । ୧୯୩୬ରୁ ୧୯୮୬ ମଧ୍ୟରେ ରହିଥିବା ସାମ୍ୟବୈଷମ୍ୟକୁ ଓଡ଼ିଆଗଳ୍ପ ଅଧ୍ୟୟନରୁ ନିର୍ଣ୍ଣୟ କରାଯାଇପାରେ । ୧୯୩୬ରୁ ୧୯୫୦ ଯାଏ ରଚିତ ଗଳ୍ପସକଳରେ ପ୍ରଗତିବାଦୀ ଚିନ୍ତାଧାରା, ରୋମାଣ୍ଟିକ୍‌ ଚିନ୍ତାଧାରା ସର୍ବୋପରି ବାସ୍ତବବାଦୀ ସାମାଜିକ ଦୃଷ୍ଟିଭଙ୍ଗୀ ମନସ୍ତାତ୍ତ୍ୱିକ ରୀତିକୁ ଆଶ୍ରାକରି ରଚିତ । ମାର୍କସବାସୀ ବା ପ୍ରଗତିବାଦୀ ଭାବଚେତନାଟି ଭଗବତୀଙ୍କଠୁଁ ଆରମ୍ଭ କରି ସୁରେନ୍ଦ୍ର, ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ ଇତ୍ୟାଦିଙ୍କ ଦେଇ ପ୍ରସନ୍ନ ପାଟଶାଣି ପ୍ରଭୃତି ଯୁବଶିଳ୍ପୀଙ୍କଯାଏ ପ୍ରଲମ୍ୱିତ । ତେବେ, ଏଇ ଦିଗଟି ପରବର୍ତ୍ତୀକାଳରେ ବିଶେଷତଃ ସମାଜ ରାଜନୈତିକ ସ୍ୱରୂପ ଚିତ୍ରଣରେ ରୂପାନ୍ତରିତ ହୋଇଛି ବୋଲି ମନେହୁଏ । ସାମାଜିକ ଦୁଃସ୍ଥିତିର ଚିତ୍ର, ନୈତିକ ଅଧଃପତନ ତଥା ଶୋଷଣ କଷଣର ଚିତ୍ର ପ୍ରଦାନରେ ଆମର ସମାଜ-ରାଜନୈତିକ ଦିଗଟି ମୂର୍ତ୍ତିମନ୍ତ । ସମକାଳୀନ ଗଳ୍ପରେ ସ୍ୱାଧୀନତା ପରବର୍ତ୍ତୀ ଭୋଟ ରାଜନୀତି ଓ ପ୍ରଶାସନର ବିଭିନ୍ନ ଦିଗ ବ୍ୟଙ୍ଗବିଦ୍ରୂପ ଓ ସମାଲୋଚନାର କଟୁ ଶରବ୍ୟ । ଏ ଦିଗରେ ପ୍ରମୁଖ ଶିଳ୍ପୀ ଗୋଦାବରୀଶ ମହାପାତ୍ରଙ୍କଠୁଁ ଆରମ୍ଭ କରି ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ହରେକୃଷ୍ଣ ମହତାବ, ଫତୁରାନନ୍ଦ, ଶାନ୍ତନୁକୁମାର ଆଚାର୍ଯ୍ୟ, ଚୌଧୁରୀ ହେମକାନ୍ତ, ଅଚ୍ୟୁତାନନ୍ଦ ପତି, ପଦ୍ମଜପାଳ, ରବି ସ୍ୱାଇଁ ପ୍ରମୁଖ ଗାଳ୍ପିକଙ୍କର ଅନେକ ସୁନ୍ଦର ଉଚ୍ଚକୋଟୀର କଳାତ୍ମକ ଗଳ୍ପମାନ ରହିଅଛି ।

 

ରୋମାଣ୍ଟିକ ଭାବଚେତନା ନିତ୍ୟାନନ୍ଦ, ରାଜକିଶୋର ରାୟ ପ୍ରମୁଖଙ୍କ ଗଳ୍ପରେ ଯେଉଁ ଆବେଗମୟତା ଓ ସୌନ୍ଦର୍ଯ୍ୟ-ତଲ୍ଲୀନତାର ଭାବବଳୟ ସୃଷ୍ଟି କରିଥିଲା, ତାହା ପରବର୍ତ୍ତୀକାଳର ବହୁ ଗାଳ୍ପିକଙ୍କର ଲେଖାରେ ପରବର୍ତ୍ତୀ ସାମାଜିକ ପ୍ରେକ୍ଷାପଟରେ ସଜଳ ରହିଛି । କ୍ଷେତ୍ର ବିଶେଷରେ ପ୍ରେମ, ପ୍ରଣୟ, ବିଶ୍ୱାସବୋଧ ଭିନ୍ନ ରୂପ ନେଇଛି । ପ୍ରେମର ମୂଲ୍ୟବୋଧ ଭୁଷୁଡ଼ି ପଡ଼ିଛି । ଏମିତିକି ତା’ ସ୍ଥୂଳଦେହ ସ୍ତରକୁ ମଧ୍ୟ ଖସିପଡ଼ିଲାଣି । ନାରୀ ଚରିତ୍ରର ମଧ୍ୟ ବହୁ ବହୁ ରୂପାନ୍ତର । ତଥାପି ଦେହ ଚେତନାରୁ ବିଦେହ ଚେତନାର ଶିହରିତ ଉତ୍ତୀର୍ଣ୍ଣ ଅନୁଭବରେ ଓଡ଼ିଆ କ୍ଷୁଦ୍ରଗଳ୍ପ ସମୁଜ୍ୱଳ ରହିଛି । ସୁରେନ୍ଦ୍ର ମହାନ୍ତିଙ୍କ ‘ମହାନିର୍ବାଣ’, ମହାପାତ୍ର ନୀଳମଣି ସାହୁଙ୍କ ‘ପିଙ୍ଗଳା ସେ ଅନ୍ୟ ଜଣେ’, ରବୀ ପଟ୍ଟନାୟକଙ୍କ ‘ପରକୀୟା’, ‘ରାଗତୋଡ଼ି’, କିଶୋରୀ ଚରଣ ଦାସଙ୍କ ‘ପାହାଡ଼’, ବିଭୂତିଭୂଷଣ ତ୍ରିପାଠୀ’ଙ୍କ ‘ବିଦେଶିନୀ’ ପରି ଏକାଧିକ ଗଳ୍ପ ଆମକୁ ଏକ ବିଦେହ ଅନୁଭୂତିର ଉତ୍ତରିତ ସ୍ପର୍ଶକାତରତା ପ୍ରଦାନ କରନ୍ତି । ଦେହଚେତନାଶ୍ରୟୀ ଅବଚେତନର ଯୌନଜାଙ୍ଗଲିକତାର ସ୍ୱରୂପ ସାମ୍ପ୍ରତିକ କାଳର ବହୁ ଗାଳ୍ପିକଙ୍କର ଗଳ୍ପରେ ଉଦ୍‌ଘାଟିତ । ଏ ନେଇ ଆମର ଅନେକ ସଫଳ କଳାତ୍ମକ ଗଳ୍ପ ରହିଛି । ଗୋପୀନାଥ, ସୁରେନ୍ଦ୍ରଙ୍କଠାରୁ ଆରମ୍ଭ କରି ମହାପାତ୍ର ନୀଳମଣି, ଅଖିଳ, କିଶୋରୀ ଚରଣ, ମନୋଜ ଦାସ (ଆରଣ୍ୟକ, ସମୁଦ୍ରର କ୍ଷୁଧା, ସାତଜଣ ପ୍ରବୀଣ....), ରବୀ ପଟ୍ଟନାୟକ, ନାରାୟଣ ଚୌଧୁରୀ, ଗିରି ଦଣ୍ଡସେନା ପ୍ରମୁଖଙ୍କ ଗଳ୍ପରୁ ଏହାର ଉଦାହରଣ ନିଆଯାଇପାରିବ ।

 

ମନସ୍ତାତ୍ତ୍ୱିକ ରଚନା ରୀତି ନୁହେଁ, ମନସ୍ତାତ୍ତ୍ୱିକ ଅଭିନିବେଶଟି ଏ ସମୟର କ୍ଷୁଦ୍ରଗଳ୍ପରେ ଏକ ଶୋଭନୀୟ ଦିଗ । ଏଇ ମନସ୍ତତ୍ତ୍ୱ ଦିଗଟି ଶିଶୁ ଓ କିଶୋର-କିଶୋରୀ ମନସ୍ତତ୍ତ୍ୱଠୁଁ ପ୍ରବୀଣ ବୟସ ପର୍ଯ୍ୟନ୍ତ ବିଭିନ୍ନ ଚିନ୍ତା ଚେତନା ଓ ପରିପ୍ରେକ୍ଷୀରେ ପ୍ରତିଫଳିତ । ଏ ଦ୍ୱାରା ମନୁଷ୍ୟ ଚିତ୍ତବୃତ୍ତିର ସରସକୋମଳ ଓ ଦ୍ୱନ୍ଦ୍ୱଜଟିଳ ଅନୁଭୂତିମାନ ପ୍ରକାଶ ଲାଭ କରିଅଛନ୍ତି । ଊଣା ଅଧିକେ ସମସ୍ତେ ମନସ୍ତତ୍ତ୍ୱର ଶିଳ୍ପୀ । ଏ ଦିଗରେ କିଶୋରୀ ଚରଣ ଦାସ ଶ୍ରେଷ୍ଠତ୍ୱ ହାସଲ କରିଛନ୍ତି ।

 

କ୍ଷୁଦ୍ରଗଳ୍ପ ସମକାଳୀନ ସମୟର ଅବିକଳ ପ୍ରତିଲିପି । ହୁଏତ ସମକାଳୀନତା ତା’ର ଏକମାତ୍ର ଅନ୍ତଃସ୍ୱର ହୋଇନପାରେ । ‘ରେବତୀ’, ‘ମାଗୁଣିର ଶଗଡ଼’, ‘ଗୋପୀ ସାହୁର ଦୋକାନ’ଠୁଁ ଆରମ୍ଭ କରି ଉତ୍ତର-ପଞ୍ଚସ୍ତରୀକାଳର ଜରୁରୀକାଳୀନ ପରିସ୍ଥିତିର ଗଳ୍ପମାନଙ୍କ ଯାଏଁ; (୧୬) ଏମିତିକି ୧୯୮୫ରେ ପ୍ରକାଶିତ ପ୍ରତିଭା ରାୟଙ୍କ ‘କନିଷ୍କ’ ପର୍ଯ୍ୟନ୍ତ ଗଳ୍ପରେ ସମକାଳର ବିଭିନ୍ନ ଘଟଣା ଓ ସମସ୍ୟାସଙ୍କଟର ରୂପଭେକ ଲକ୍ଷ୍ୟ କରାଯାଇପାରେ । ସହରୀ ଜୀବନଯନ୍ତ୍ରଣାର ଚିତ୍ର ଓଡ଼ିଆ କ୍ଷୁଦ୍ରଗଳ୍ପରେ ଖୁବ୍ ସୁଲଭ ନୁହେଁ । ଏ ପରିପ୍ରେକ୍ଷୀରେ ସୁରେନ୍ଦ୍ର ମହାନ୍ତିଙ୍କ ‘ଓଃ କାଲକାଟା’ ଗଳ୍ପ ଗ୍ରନ୍ଥଟି ଆଲୋଚ୍ୟ । ସମକାଳୀନତାର ସ୍ୱର ପରିପ୍ରେକ୍ଷୀରେ ଦୁର୍ଭିକ୍ଷ ଓ ସ୍ୱାଧୀନତା ପରବର୍ତ୍ତୀ ସ୍ୱପ୍ନ ଭଙ୍ଗର ଚିତ୍ର ବିଶେଷତଃ ଗୋଦାବରୀଶ ମହାପାତ୍ର ଓ ମନୋଜ ଦାସ (‘ଏକ ଚୋରିର ବୃତ୍ତାନ୍ତ’, ‘ଓଟ’, ‘ଭାଇ’, ‘ଅନ୍ଧକାର’ ଆଦି ଗଳ୍ପ) ଙ୍କ ଗଳ୍ପରେ ଦେଖିବାକୁ ମିଳେ । ବହୁ କ୍ଷୁଦ୍ରଗଳ୍ପରେ ଅବକ୍ଷୟମୁଖୀ ସାମନ୍ତବାଦର ସ୍ୱର ଆମ ସମକାଳୀନ ସମାଜ ବ୍ୟବସ୍ଥାର ଗୋଟିଏ ବଡ଼ ଦିଗକୁ ସ୍ପଷ୍ଟ କରିଥାଏ । ରେଙ୍ଗୁନ ଓ କାଳିମାଟିରେ ଜୀବନ ବିତାଉଥିବା ଶ୍ରମିକଙ୍କ ଜୀବନ କାହାଣୀ ପ୍ରାକ୍-ସ୍ୱାଧୀନତାକାଳର ଅନ୍ୟତମ ପ୍ରଧାନ ବିଷୟ ହୋଇଥିବା ସ୍ଥଳେ, ପରବର୍ତ୍ତୀ କାଳରେ ଶ୍ରମିକ ସମସ୍ୟା ଭିନ୍ନ ମୋଡ଼ ନେଇଛି । ପୁଣି ସାଂପ୍ରଦାୟିକ ଦଙ୍ଗା, ଯୌତୁକ ସମସ୍ୟା ଆଦି କ୍ଷୁଦ୍ରଗଳ୍ପରେ ପରିବର୍ତ୍ତିତ ପରିସ୍ଥିତିକୁ ନେଇ ରୂପାନ୍ୱିତ ।

 

(୧୬)

ଜରୁରୀ ପରିସ୍ଥିତିର ସୁନିର୍ବାଚିତ ଗଳ୍ପ ସଂଗ୍ରହ-ଅନ୍ଧଯୁଗର କାହାଣୀ (୧୯୭୮) ସମ୍ପାଦନା-ହୃଷୀକେଶ ମଲ୍ଲିକ ଓ ଶତ୍ରୁଘ୍ନ ପାଣ୍ଡବ ।

 

ଆଧୁନିକ ଜୀବନର ନିଃସଙ୍ଗତା, ହାହାକାର, ବ୍ୟର୍ଥତା-ବିଷାଦ ଉତ୍ତରସତୁରୀରେ ପ୍ରାୟ ଗଳ୍ପରେ ଅନୁରଣିତ । ବିଶେଷତଃ ଏଇ ଦଶକର ରାମଚନ୍ଦ୍ର ବେହେରା, ଜଗଦୀଶ ମହାନ୍ତି, ସତ୍ୟ ମିଶ୍ର, ଯଶୋଧାରା ମିଶ୍ର, ରବି ସ୍ୱାଇଁ ପ୍ରମୁଖଙ୍କ ଗଳ୍ପରେ ଏଇ ଭାବଟି ଏକାନ୍ତ ରସୋତ୍ତୀର୍ଣ୍ଣ । ଗଳ୍ପ ସଂକଳନର ନାଁ ଏଣୁ ‘ଅନ୍ଧ ଗଳିର ଅନ୍ଧକାର’ (ରବି ପଟ୍ଟନାୟକ), ‘ଅଚିହ୍ନା ପୃଥିବୀ’, ଅବଶିଷ୍ଟ ଆୟୁଷ (ରାମଚନ୍ଦ୍ର ବେହେରା) ‘ମୁଁ ଏକ ବନ୍ଦୀଶାଳା’, ‘ଡେଙ୍ଗା ମଣିଷ’ (ରବି ସ୍ୱାଇଁ) ‘ଦ୍ୱୀପ’ (ଯଶୋଧାରା ମିଶ୍ର) । ପାରିବାରିକ ପଟ୍ଟଭୂମିରେ ବହୁପ୍ରକାର ମାନସିକତାର ଗଳ୍ପ ଲେଖା ହୋଇଛି-। ଗୋପୀନାଥ ମହାନ୍ତିଙ୍କ ‘ଘର’ ଏବଂ ଅନନ୍ତ ପ୍ରସାଦ ପଣ୍ଡାଙ୍କ ‘ଟାଇପ୍ ଫୋର’ଠୁଁ ଆରମ୍ଭ କରି ବାମାଚରଣ ମିତ୍ର, ମହାପାତ୍ର ନୀଳମଣି, ବିଜୟକୃଷ୍ଣ ମହାନ୍ତି, ରାମଚନ୍ଦ୍ର ବେହେରା, ଦାଶବେନହୁର (ନାଭି ସମୁଦ୍ର)ଙ୍କ ଯାଏଁ ବହୁ ଗାଳ୍ପିକଙ୍କର ଗଳ୍ପମାନ ଏ ଦିଗକୁ ସମୃଦ୍ଧ କରିଛନ୍ତି । ବିଶେଷତଃ ଏ ଦିଗରେ ମହାପାତ୍ର ନୀଳମଣିଙ୍କ ଗଳ୍ପଗୁଡ଼ିକ ଅପୂର୍ବ ଓ ଅନବଦ୍ୟ, ଅସାଧାରଣ ଓ ଉତ୍ତୀର୍ଣ୍ଣ ।

ହାସ୍ୟରସ ଓ ବ୍ୟଙ୍ଗବିଦ୍ରୂପ ପ୍ରୟୋଗ ଗତ ୫୦ ବର୍ଷର ଗଳ୍ପ-ସାହିତ୍ୟରେ ଏକ ଦୃଶ୍ୟଦିଗ-। ମହାପାତ୍ର ନୀଳମଣି ସାହୁ, ମନୋଜ ଦାସ ହାସ୍ୟରସର ଉତ୍ତାଳତରଙ୍ଗ ମଧ୍ୟରେ ଜୀବନର ବିଷାଦମୟ ଓ ଅସହାୟ ଦିଗଟିକୁ ଆଶ୍ୱାସନାର ଭଙ୍ଗୀରେ ଆଉଁସି ଦିଅନ୍ତି । ଅଧିକନ୍ତୁ ମନୋଜ ଦାସଙ୍କଠାରେ ହାସ୍ୟରସ ଅନ୍ତରାଳରେ ମଧୁର ବ୍ୟଙ୍ଗବିଦ୍ରୂପର ନିପୁଣ ପରିଚୟ ମିଳେ । ଫତୁରା ନନ୍ଦ, ଚୌଧୁରୀ ହେମକାନ୍ତ, କୁଳମଣି ମହାପାତ୍ର ପ୍ରଭୃତିଙ୍କ ଲେଖାରେ ହାସ୍ୟରସ ଓ ବ୍ୟଙ୍ଗବିଦ୍ରୂପ ଅନ୍ତରାଳରେ ସାମାଜିକ ଆଭିମୁଖ୍ୟ ପ୍ରାଧାନ୍ୟ ପାଇଥାଏ । ରାଜନୈତିକ ସ୍ୱରୂପ ଓ ଶାସନ ବ୍ୟବସ୍ଥାକୁ ବ୍ୟଙ୍ଗ କରିବାରେ ଉପରୋକ୍ତ ଶିଳ୍ପୀଙ୍କ ବ୍ୟତୀତ ଶାନ୍ତୁନୁ କୁମାର ଆଚାର୍ଯ୍ୟ ଓ ଅଚ୍ୟୁତାନନ୍ଦ ପତିଙ୍କ ସ୍ୱର ମଧ୍ୟ ଖୁବ୍ ଶାଣିତ ଓ ପ୍ରତ୍ୟକ୍ଷ ।

ଆମ କ୍ଷୁଦ୍ରଗଳ୍ପରେ ସମକାଳୀନ ସାମାଜିକ ପରିସ୍ଥିତି ଓ ଜୀବନର ଅସହାୟତା ପ୍ରତିଫଳିତ ହେଲାବେଳେ ଏକ ଏକ ଅପାର୍ଥିବ ବ୍ୟାକୁଳତା, ଆଧ୍ୟାତ୍ମିକ ସ୍ପର୍ଶ କାତରତା ବା ଅନନ୍ୟ ଉତ୍ତୀର୍ଣ୍ଣ ଅନୁଭବ ଆମ ଭିତରକୁ ଉଖାରି ନିଖାରି ଅଦଳ ବଦଳ କରିଦିଏ, ଭିନ୍ନ ଅନୁଭୂତିର ସ୍ପର୍ଶ ଦେଇଯାଏ । ମହାପାତ୍ର ନୀଳମଣି ସାହୁଙ୍କ ‘କପୋତ ପକ୍ଷୀ ଗୁରୁ ମୋର’, ‘ଅନ୍ଧରାତିର ସୂର୍ଯ୍ୟ’ ପ୍ରଭୃତି ଗଳ୍ପ, ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ହୃଦ କୋଲପ’ ‘ଅଦିନ ବଉଳ’, ‘ଅରଣ୍ୟର ଚୂଳ’, ଅଖିଳମୋହନଙ୍କ ‘ସିଦ୍ଧାର୍ଥର ଉପକଥା’, ମନୋଜ ଦାସଙ୍କ ‘ଆବୁପୁରୁଷ’, ବସନ୍ତ କୁମାର ଶତପଥୀ, ବିଭୂତିଭୁଷଣ ତ୍ରିପାଠୀ, ଚନ୍ଦ୍ରଶେଖର ରଥ, ରାମଚନ୍ଦ୍ର ବେହେରାଙ୍କର କେତେକ ଗଳ୍ପ ଆମକୁ ପାର୍ଥିବ ଅସାରତା ଓ ଅସ୍ଥିରତା ଭିତରୁ ଏକ ଉଜ୍ଜ୍ୱଳ ଆଶାଘନ ବିଶ୍ୱାସବୋଧ ଆଡ଼କୁ ନେଇ ଯାଆନ୍ତି, ଆମକୁ ସମାହିତ କରନ୍ତି ।

ଏ ସମୟର ଅଧିକାଂଶ କ୍ଷୁଦ୍ରଗଳ୍ପର ଘଟଣା ସଂଘଟନ ଓ ଚରିତ୍ରମାନେ ପ୍ରାୟତଃ ଗଳ୍ପ ପୁରୁଷର ନିଜସ୍ୱ ପରିବେଶଭିତ୍ତିକ । ଯଦିଓ ରୂପଜୀବୀମାନଙ୍କଠୁ ଆରମ୍ଭ କରି ଶବର (ନାରାଚ ଉବାଚ-ରଜନୀକାନ୍ତ ମହାନ୍ତି) ପର୍ଯ୍ୟନ୍ତ ଚରିତ୍ର ଆମ ଗଳ୍ପର ଅଙ୍ଗୀଭୂତ; ତଥାପି ଖଣିଶ୍ରମିକ, ନୋଳିଆ, ଆଦିବାସୀ ,ଏବଂ ବହୁ ବହୁ ବୃତ୍ତିର ଚରିତ୍ର ଆମ ଗଳ୍ପରେ ଅନୁପସ୍ଥିତ, ସହରୀ ସଭ୍ୟତା ଓ ଯନ୍ତ୍ରଜୀବନ କ୍ଲାନ୍ତ ମଣିଷର ଚିତ୍ର ଆମ ଗଳ୍ପରେ ଦୁର୍ଲ୍ଲଭ । ସାତକଡ଼ି ହୋତାଙ୍କ ଗଳ୍ପରେ ରେଳବିଭାଗ ପରିସରର ଚିତ୍ର ସୁଲଭ ହେଲାବେଳେ ଦୁର୍ଗାମାଧବ ମିଶ୍ରଙ୍କ ଗଳ୍ପରେ ମିଳେ ପୋଲିସ୍ ପ୍ରଶାସନର ବିଭିନ୍ନ ଚିତ୍ର । ଓଡ଼ିଶାର ଅଧିକାଂଶ ଗାଳ୍ପିକ ଚାକିରିଜୀବୀ ହୋଇଥିବାରୁ ବହୁ ସମୟରେ ସେମାନଙ୍କର ସ୍ୱର ନିର୍ଭୀକ ନୁହେଁ, ମୁକ୍ତ ନୁହେଁ । ନାରୀ-ମନସ୍ତତ୍ତ୍ୱକୁ ଭିତ୍ତିକରି ବିଶେଷ କରି ବୀଣାପାଣି ମହାନ୍ତିଙ୍କ ଗଳ୍ପ ଅତ୍ୟନ୍ତ ଶକ୍ତିଶାଳୀ ।

ଏ ସମୟର ଗଳ୍ପ ତା’ର ପରମ୍ପରାକୁ ମାନ୍ୟ ପ୍ରଦାନ କରିଛି । ଭାଗବତ ଓ ପୁରାଣର କଥାବସ୍ତୁ ଓ ସତ୍ୟ ସାଂପ୍ରତିକ ପରିସ୍ଥିତିରେ ରୂପାୟିତ ହୋଇଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ ‘ଶ୍ରୀକୃଷ୍ଣଙ୍କ ଶେଷହସ’, ‘ଯଦୁବଂଶ’, ମହାପାତ୍ର ନୀଳମଣିଙ୍କ ‘କପୋତ ପକ୍ଷୀ ଗୁରୁ ମୋର’ ପ୍ରଭୃତି ଗଳ୍ପ ଏହାର ନମୂନା । ଓଡ଼ିଶାର ଜାତୀୟ ବ୍ୟକ୍ତିତ୍ୱ ଗୁଡ଼ିକ ମଧ୍ୟ ଗଳ୍ପରେ ରୂପାୟିତ ହୋଇଛନ୍ତି । ଗୋଦାବରୀଶ ମହାପାତ୍ରଙ୍କ ରଚିତ ଗୋପବନ୍ଧୁଙ୍କ ସମ୍ପର୍କିତ ଏକାଧିକ ଗଳ୍ପ କିମ୍ବା ରାଜକିଶୋର ରାୟଙ୍କର ‘ଆଚାର୍ଯ୍ୟେ ଥିଲେ ବୋଲି’, କିମ୍ବା ଶାନ୍ତନୁକୁମାର ଆଚାର୍ଯ୍ୟଙ୍କର ‘ଭୁଲିଗଲୁ କିରେ ?’ ଏ ପ୍ରସଙ୍ଗରେ ସର୍ବଶ୍ରେଷ୍ଠ ଉଦାହରଣ । କଥାଶିଳ୍ପୀ ସେନାପତିଙ୍କ ରଚନାରୀତିର ପ୍ରଭାବ ଊଣାଅଧିକେ ଆମର ଅନେକ ଗାଳ୍ପିକଙ୍କ ଉପରେ ବାରି ହୁଏ । ଫକୀର ମୋହନ ଏଣୁ ପରମ୍ପରାର ସାମଗ୍ରୀରେ ପରିଣତ ହେଲେଣି । ପୁଣି ଫକୀରମୋହନଙ୍କର ‘ରେବତୀ’, ‘ରାଣ୍ଡିପୁଅ ଅନନ୍ତା’ ଆଦି ଗଳ୍ପଗୁଡ଼ିକୁ ସାଂପ୍ରତିକ ପରିସ୍ଥିତିରେ ଚିତ୍ରିତ କରାଯାଇ ବହୁ ନୂଆ ଢଙ୍ଗର ଗଳ୍ପ ଲେଖା ଗଲାଣି ।

ପାଶ୍ଚାତ୍ୟ-ସାହିତ୍ୟର ସ୍ଥିତିବାଦୀ ଦର୍ଶନ ପ୍ରତ୍ୟକ୍ଷ ଭାବରେ ହେଉ ବା ସ୍ୱାଭାବିକ ଭାବରେ ହେଉ, ଏ ସମୟର ଅନେକ ଗାଳ୍ପିକଙ୍କୁ ପ୍ରଭାବିତ କରିଛି । ରବି ପଟ୍ଟନାୟକ ଓ ଜଗଦୀଶ ମହାନ୍ତି ଆମ ମାଟିରେ ପାଶ୍ଚାତ୍ୟଦର୍ଶନ ଓ କଥା ବସ୍ତୁର ସମୀକରଣ ପାଇଁ ଉଦ୍ୟମ କରିଛନ୍ତି ।

ଗତ ୫୦ ବର୍ଷର ଓଡ଼ିଆ କ୍ଷୁଦ୍ରଗଳ୍ପର ଭାବଚେତନା ବହୁଧା ପ୍ରସାରିତ । ଗୋଟିଏ ଗୋଟିଏ ଭାବଚେତନା ନେଇ ବିଭିନ୍ନ ମାନସିକତାର ଗଳ୍ପ ମଧ୍ୟ ଲେଖାଯାଇଛି । କାହାଣୀ ଅପେକ୍ଷା ଘଟଣା, ସମାଜ ଅପେକ୍ଷା ବ୍ୟକ୍ତି, ଏଥିରେ ଅଧିକ ପ୍ରାଧାନ୍ୟ ପାଇଛି । ‘ଆଜି ଆଧୁନିକ ବ୍ୟକ୍ତିମଣିଷ କ୍ଷୁଦ୍ରଗଳ୍ପର ନାୟକ । ସେ ପ୍ରାୟ ସହରବାସୀ ଭୂମିହୀନ ମଧ୍ୟବିତ୍ତ ଚାକିରୀଜୀବୀ । ତାଙ୍କର ଚରିତ୍ରରେ ଆନ୍ତର୍ଜାତିକ ଆଧୁନିକ ମଣିଷ ଜୀବନର ବିଚିତ୍ର ରୂପ, ବହୁବିଧ ସମସ୍ୟା, ଜଟିଳ ଅନ୍ତର୍ଦ୍ୱନ୍ଦ୍ୱ, ବିଚ୍ଛିନ୍ନତାବୋଧ, ଆଶାଭଙ୍ଗ, ନୈସଙ୍ଗ୍ୟ, ଶୂନ୍ୟତା, ଅନିବାର୍ଯ୍ୟ ବିଷାଦ, ବ୍ୟର୍ଥତାବୋଧ ତଥା ସଂଶୟ ଜିଜ୍ଞାସାଦିକୁ ପରିସ୍ଫୁଟ କରାଯାଉଛି । ସହର ଅନିବାର୍ଯ୍ୟ ଭାବରେ ହୋଇଛି, ସେହି ଜୀବନର ଯଥାର୍ଥ ପଟ୍ଟଭୂମି । ମାଟି ଓ ମାଟିର ମଣିଷ ଗଳ୍ପରୁ ବିଦାୟ ନେଇଛନ୍ତି । କ୍ଷୁଦ୍ରଗଳ୍ପର ଜୀବନ ଜିଜ୍ଞାସା ହୋଇଛି, ମୁଖ୍ୟତଃ ଆଧୁନିକ ମଧ୍ୟବିତ୍ତ ମଣିଷର ଆତ୍ମାନୁସନ୍ଧାନ । (୧୭)       

 

(୧୭)

ସୃଜ୍ୟମାନ ଓଡ଼ିଆ କ୍ଷୁଦ୍ରଗଳ୍ପ : ୧୯୭୨ ସାହିତ୍ୟ ସନ୍ଧାନ - ଦାଶରଥି ଦାସ ।

 

(ଚାରି)

ଓଡ଼ିଆ କ୍ଷୁଦ୍ରଗଳ୍ପର ଭାବଚେତନା ଆଉ ଗୋଟେ ଯୋଡ଼େ କଥା କହି ଆମେ ଉପସଂହାରରେ ଏ ସମୟର ଅନ୍ୟାନ୍ୟ ଗାଳ୍ପିକମାନଙ୍କର ତାଲିକାଟିଏ ଦେବୁ । ଏ ସମୟର ଗାଳ୍ପିକ ମହାପାତ୍ର ନୀଳମଣି ସାହୁ ତାଙ୍କ ‘ଅଭିଶପ୍ତ ଗନ୍ଧର୍ବ’ର ଗଳ୍ପମାନଙ୍କୁ ଆତ୍ମଜୀବନୀମୂଳକ ଗଳ୍ପ ବୋଲି ତର୍ଜମା କରିଛନ୍ତି - ଏହା ଆମ ଗଳ୍ପର ଏକ ନୂଆଦିଗ । ପ୍ରାଚୀନ ସଂସ୍କୃତ ରଚନା ‘ବେତାଳ ପଞ୍ଚବିଂଶତି’ ଅବଲମ୍ବନରେ ମନୋଜ ଦାସ ତାଙ୍କ ଗଳ୍ପଗ୍ରନ୍ଥର ନାମ ରଖିଛନ୍ତି ‘ମନୋଜ ପଞ୍ଚବିଂଶତି’ (୧୯୮୩) । ‘ମଶାଣିର ଫୁଲ’, ‘ମାଟିର ତାଜ’ ପରେ ଗଳ୍ପରଚନାରୁ ବିରତ ରହିଥିବା ସଚ୍ଚିଦାନନ୍ଦ ରାଉତରାୟ ଉତ୍ତରସତୁରୀ କାଳରୁ ନିୟମିତ ଗଳ୍ପ ରଚନାରେ ସକ୍ରିୟ ଅଛନ୍ତି । ତାଙ୍କର ନିକଟରେ ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ନାମରେ ଗଳ୍ପ ସଂକଳନଟିଏ ପ୍ରକାଶ ପାଇଛି । କବି ଓ ନାଟ୍ୟକାର ଜଗନ୍ନାଥ ପ୍ରସାଦ ଦାସ, ପ୍ରାବନ୍ଧିକ ଔପନ୍ୟାସିକ ଚନ୍ଦ୍ରଶେଖର ରଥ, କବି ରମାକାନ୍ତ ରଥ ଉତ୍ତରଅଶୀ କାଳରୁ ବିଧିବଦ୍ଧ ଭାବେ ଗଳ୍ପ ରଚନା କରୁଛନ୍ତି । ଏ ଭିତରେ ଚନ୍ଦ୍ରଶେଖର ରଥ ଅର୍ଦ୍ଧଶତାଧିକ ଗଳ୍ପ ରଚନା କଲେଣି । ‘ସୁଚରିତା’ ପରି ମହିଳା ପତ୍ରିକାର ପ୍ରକାଶନ ନାରୀ ଲେଖିକାଙ୍କ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରିଛି । ଲଘୁ ମନୋରଞ୍ଜନ ସହିତ ବୌଦ୍ଧିକ ଆନନ୍ଦ ପ୍ରଦାନ, ‘କଳା ପାଇଁ କଳା’ ଏବଂ ‘ଜୀବନ ପାଇଁ କଳା’ ଉଭୟ ମତକୁ ମାନ୍ୟ କରି ଏ ସମୟର କ୍ଷୁଦ୍ରଗଳ୍ପ ନୂତନ ନୂତନ ସରଣୀ ସନ୍ଧାନରେ ବେଶ୍ ଗତିଶୀଳ ।

 

ବିଗତ ୫୦ ବର୍ଷର ସମୟ ସୀମା ଭିତରେ ଆଲୋଚନାର ବିଭିନ୍ନ ପ୍ରସଙ୍ଗରେ ନାମୋଲ୍ଲେଖ କରାଯାଇଥିବା ଗାଳ୍ପିକମାନଙ୍କ ବ୍ୟତୀତ ଅନ୍ୟ ପ୍ରତିଷ୍ଠିତ, ପରିଚିତ ଏବଂ ନୂତନ ଗାଳ୍ପିକମାନଙ୍କର ନାମ ନିମ୍ନ ପ୍ରକାରେ ଉଲ୍ଲେଖ କରାଯାଇ ପାରେ । ସେମାନେ ହେଉଛନ୍ତି, ସର୍ବଶ୍ରୀ ରବିନାୟଣ ବିରାଳ, ହରେକୃଷ୍ଣ ମହତାବ, ଲକ୍ଷ୍ମୀଧର ନାୟକ, ରସାନନ୍ଦ ସାହୁ, ପ୍ରାଣକୃଷ୍ଣ ସାମଲ, ସୁନନ୍ଦ କର, ସୀତା ଦେବୀ ଖାଡ଼ଙ୍ଗା, ବିବୁଧେନ୍ଦ୍ର ମିଶ୍ର, ଦଶରଥ ସାମଲ, ଅବନୀ କୁମାର ବରାଳ, କୃଷ୍ଣଚରଣ ବେହେରା, ଚନ୍ଦ୍ରମଣି ଦାସ, ନନ୍ଦିନୀ ଶତପଥୀ, ଯଦୁନାଥ ଦାସ ମହାପାତ୍ର, ଶେଖ ମତଲୁବ ଅଲ୍ଲୀ, କଳ୍ପନା କୁମାରୀ ଦେବୀ, ମିହିରକୁମାରୀ ମହାନ୍ତି, ଜଗନ୍ନାଥ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ (ପ୍ରୀତମ୍), ରତ୍ନାକର ଚଇନି, ଗୋବିନ୍ଦ ଦାସ, ରାଜେଶ୍ୱରୀ ଦଳବେହେରା, ଚନ୍ଦ୍ରମଣି ପଣ୍ଡା, ନିଖିଳାନନ୍ଦ ପାଣିଗ୍ରାହୀ, ଗୁରୁ ମହାନ୍ତି, ସଦାଶିବ ଦାସ, ପୂର୍ଣ୍ଣାନନ୍ଦ ଦାନୀ, ବନଜ ଦେବୀ, ପ୍ରଫୁଲ୍ଲତା ମହାପାତ୍ର, ରମେଶ ଧଳ, ଶାନ୍ତି ଧଳ, ଶାନ୍ତି ମହାପାତ୍ର, ଶକୁନ୍ତଳା ପଣ୍ଡା, ଶକୁନ୍ତଳା ଦେବୀ, ସୁଧାଂଶୁବାଳା ପଣ୍ଡା, ଶୈଳରାଣୀ ମିଶ୍ର, ଅକ୍ଷୟ କୁମାର ମହାନ୍ତି, ଫନୀ ମହାନ୍ତି, ଜେନାମଣି ନରେନ୍ଦ୍ର କୁମାର, ନବକିଶୋର ରାଜ, ପ୍ରମୋଦ ପଣ୍ଡା, ପୂର୍ଣ୍ଣ ମହାପାତ୍ର, ସୁନିଲ ମିଶ୍ର, ରାମନାଥ ପଣ୍ଡା, ହରିହର ମିଶ୍ର, ଅନ୍ନଦା ପ୍ରସାଦ ରକ୍ଷିତ, ରଘୁନାଥ ସେନାପତି, ହରିହର ଦାସ, ନନ୍ଦକିଶୋର ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ରବୀନ୍ଦ୍ର କୁମାର ପୁହାଣ, ରବୀନ୍ଦ୍ର କୁମାର ଦାସ, ଯଜ୍ଞଦତ୍ତ ଆର୍ଯ୍ୟ, ଉମାଶଙ୍କର ପଣ୍ଡା, ଉମାଶଙ୍କର ମିଶ୍ର, ଶ୍ରୀ ନିବାସ ଉଦ୍‌ଗାତା, ପୁଷ୍ପାଞ୍ଜଳି ନାୟକ, ଅଞ୍ଜଳି ପାଢ଼ୀ, ଜୀବନକୃଷ୍ଣ ମହାପାତ୍ର, ଶ୍ରୀ ଚନ୍ଦନ, ଶୁଭେନ୍ଦୁ ମୁଣ୍ଡ, ରାଜୁ ଷଢ଼ଙ୍ଗୀ, କୈଳାସ ଲେଙ୍କା, କୁଞ୍ଜ ରାୟ, ସତ୍ୟନାରାୟଣ ପଣ୍ଡା, ନାରାୟଣ ପଣ୍ଡା, ଶତୃଘ୍ନ ପାଣ୍ଡବ, କନକଲତା ମହାନ୍ତି, ମାନସ ଦାସ, ମାନସୀ ଦାସ, ନାରାୟଣ ପୃଷେଠ୍‌, ରାମ ପ୍ରସାଦ ପୁରୋହିତ, ହରପ୍ରସନ୍ନ ଦାସ, ମନୋଜ ମହାପାତ୍ର, ପ୍ରିୟବ୍ରତ ଦାସ, ବିଶୁ ମିଶ୍ର, ନରସିଂହ ନନ୍ଦ, ରାଧୁ ମିଶ୍ର, ଜୟନ୍ତ କୁମାର ବିଶ୍ୱାଳ, ସୁରେନ୍ଦ୍ରନାଥ ଖୁଣ୍ଟିଆ, ନୀଳମଣି ସାହୁ, ରଜତ ମହାପାତ୍ର, ଶୋଭନ ଦାସ, ଭୂପେନ ମହାପାତ୍ର, ଶ୍ୟାମା ପ୍ରସାଦ ଚୌଧୁରୀ, କୈଳାସ ଷଡ଼ଙ୍ଗୀ, ରମେଶ ପଟ୍ଟନାୟକ, ଚିତ୍ତରଞ୍ଜନ ତ୍ରିପାଠୀ, କବିତା ବାରିକ, ଭୀମପୃଷ୍ଟି, ଅକ୍ଷୟ କୁମାର ବେହେରା, ବଂଶୀଧର ରାଉତ, ସୁରେଶ ବଳବନ୍ତ ରାୟ, ଶଶୀରଥ, ଜୟନ୍ତୀ ରଥ, ଲକ୍ଷ୍ମୀପ୍ରିୟା ଜେନା, ରବିନାରାୟଣ ସାମଲ, ରାମଚନ୍ଦ୍ର ସାହୁ, କାଳିନ୍ଦୀ ଚରଣ ଜେନା, କମଳାକାନ୍ତ ମହାପାତ୍ର, ରଘୁନାଥ ମହାପାତ୍ର, ଯୁଗଳ କିଶୋର ଦତ୍ତ, ଗିରିଶ ସାହୁ, ମନୋରମା ମହାପାତ୍ର, ବିଭା ମହାନ୍ତି, ଗିରୀଶ ଦାସଗୁପ୍ତ, ଡଃ ପ୍ରଫୁଲ୍ଲ କୁମାର ମହାନ୍ତି, ବିନୋଦ ରାଉତରାୟ, ଅଳକା ଚାନ୍ଦ, ସ୍ୱର୍ଣ୍ଣ ଦେବୀ, ସୁଷମା ମହାନ୍ତି, ପ୍ରଫୁଲ୍ଲ ଗିରି, ଦେଶବନ୍ଧୁ ସ୍ୱାଇଁ, ବ୍ରଜମୋହନ ମହାନ୍ତି, ରଣଧୀର ଦାସ, ମହାମେଘବାହନଐର ଖାରବେଳ ସ୍ୱାଇଁ, ହୃଷୀକେଶ ପଣ୍ଡା, ପ୍ରକାଶ କୁମାର ପରିଡ଼ା, ଗୌରହରି ଦାସ, ଭାଗୀରଥି ନେପାକ ପ୍ରମୁଖ କଥାଶିଳ୍ପୀ ବୃନ୍ଦ ।।

 

ଓଡ଼ିଆ ବିଭାଗ,

ଜଟଣୀ ମହାବିଦ୍ୟାଳୟ,

ଜଟଣୀ-୭୫୨୦୫୦, ପୁରୀ ।।

***

 

ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନ ସହିତ ଆଧୁନିକ ଓଡ଼ିଆ-କବିତାର ସମ୍ପର୍କ କ’ଣ ? ଏହିପରି ଏକ ନାମକରଣ କାହିଁକି ବା ? ଏଥିରୁ କ’ଣ ଆମେ ଧରିନେବା ଯେ ଉତ୍କଳ ପ୍ରଦେଶ ଗଠନ ଆଧୁନିକ ଓଡ଼ିଆ-କବିତାର ସ୍ୱରକୁ ନିୟନ୍ତ୍ରଣ କରିଛି ? କିମ୍ବା ୧୯୩୬ ମସିହା ଏପ୍ରିଲ ପହିଲା ପରେ ପରେ ଆଧୁନିକ ଓଡ଼ିଆ କବିତାର ଭାବ ଓ ଭାଷା, ଚିନ୍ତା ଓ ଚେତନାରେ ବିପୁଳ ପରିବର୍ତ୍ତନ ଆସିଛି ? ମୋଟାମୋଟି ଭାବରେ ଏକ ନୂଆ ପ୍ରଦେଶ ଗଠନ ସହିତ ସେହି ପ୍ରଦେଶର କାବ୍ୟ-କବିତାର ସଂପର୍କ କ’ଣ, ତାହା ନିରୂପଣ କରାଯିବା ଉଚିତ । ଅନ୍ତତଃ ଏହା କୁହାଯାଇ ପାରେ ଯେ, ଏକ ଆକସ୍ମିକ କାରଣରୁ ଆଧୁନିକ ଓଡ଼ିଆ-କବିତାର ଜନ୍ମଜାତକ ସହିତ ଆଧୁନିକ ଉତ୍କଳପ୍ରଦେଶ ଗଠନ ସମ-ସମୟବର୍ତ୍ତୀ ।

 

Unknown

ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନ ପରବର୍ତ୍ତୀ ଆଧୁନିକ ଓଡ଼ିଆ-କବିତା

ଡକ୍‌ଟର ନିତ୍ୟାନନ୍ଦ ଶତପଥୀ

 

ଆଧୁନିକ ଓଡ଼ିଆ-କବିତାର ଜନ୍ମକାଳକୁ ୧୯୩୫ ବୋଲି ଧରାଗଲେ (୧) ମାତ୍ର ଗୋଟିଏ ବର୍ଷ ପରେ ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠିତ ହୋଇଛି । ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନର ପ୍ରଚ୍ଛଦପଟ୍ଟରେ ଯେତେ ସ୍ୱପ୍ନ, ସାଧନା ଓ ସଂଗ୍ରାମ ରହିଛି ପ୍ରାୟ ଚଉଠ-ଶତାବ୍ଦୀ ଧରି ସତ୍ୟବାଦୀ ଯୁଗର ସୃଷ୍ଟିରେ ତାହା ରୂପାୟିତ ହୋଇଅଛି । ଆଧୁନିକ ଓଡ଼ିଆସାହିତ୍ୟରେ ଯେଉଁ ନୂତନ-ଜାତୀୟତାବୋଧ ଗଣମାନସକୁ ଉଚ୍ଚାଟିତ କରିଥିଲା, ତାହାର ସ୍ରଷ୍ଟାଭାବେ କବି ରାଧାନାଥ ହିଁ ସ୍ୱୀକୃତ ହେବେ । ୧୯୦୮ ମସିହାରେ ତାଙ୍କର ମୃତ୍ୟୁ ପରେ କବି ଗୋପବନ୍ଧୁ, ପଦ୍ମଚରଣ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, କବି କୃଷ୍ଣମୋହନ ଏହି ଜାତୀୟତାର ସ୍ୱରକୁ କାବ୍ୟ-କବିତାରେ ସ୍ୱରାୟିତ କରୁଥିବାବେଳେ ପ୍ରାୟ ୧୯୦୯-୧୦ ବେଳକୁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ହୁଏ-। ଗୋପବନ୍ଧୁ, ନୀଳକଣ୍ଠ ଓ ଗୋଦାବରୀଶ ପ୍ରମୁଖ ଉଗ୍ର ଜାତୀୟତାବାଦୀ କବିଗଣଙ୍କ କାବ୍ୟ-କବିତାରେ କେବଳ ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନର ସ୍ୱପ୍ନ ନୁହେଁ, ଏକ ସ୍ୱତନ୍ତ୍ର ସ୍ପର୍ଦ୍ଧାଶୀଳ ସ୍ୱାଭିମାନସଂପନ୍ନ ଓଡ଼ିଆଜାତି ଗଠନର ସ୍ୱପ୍ନ ମଧ୍ୟ ପ୍ରତିଫଳିତ ହୋଇଥିବା ସ୍ପଷ୍ଟ ଲକ୍ଷ୍ୟ କରାଯାଇ ପାରେ । ୧୯୨୦-୨୧ ବେଳକୁ ସତ୍ୟବାଦୀ ଜାତୀୟ ସ୍କୁଲ ସମଗ୍ର ଓଡ଼ିଶାର ଆଶା ଓ ଆକାଙ୍‌କ୍ଷାର ପ୍ରତୀକ ଭାବେ ବକୁଳ ଛୁରୀଅନା ବନରୁ ଏହି ଜାତୀୟ ଗୌରବକୁ ପ୍ରଖ୍ୟାପିତ କରୁଥିବା ବେଳେ ଭାରତୀୟ ସ୍ୱାଧୀନତାର ଆହ୍ୱାନରେ ଓଡ଼ିଶାପ୍ରଦେଶ ଗଠନର ସ୍ୱପ୍ନ ବିଳମ୍ବିତ ହୋଇଥିଲେ ବି ଏକ ବୃହତର ଜାତୀୟ ଆହ୍ୱାନରେ ସତ୍ୟବାଦୀ କବିବୃନ୍ଦଙ୍କ ଲମ୍ଫ ପ୍ରଦାନ ଏକ ଗୌରବପୂର୍ଣ୍ଣ ଭୂମିକା ବରଣ କରି ନେଇଅଛି । କିନ୍ତୁ ୧୯୨୧ ଠାରୁ ୧୯୩୫ ମସିହା ମଧ୍ୟରେ ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନର ସ୍ୱପ୍ନ ଯେଉଁ ତରୁଣ କବିମାନଙ୍କ ଚେତନାରେ ବାରମ୍ବାର ଆନ୍ଦୋଳିତ ହୋଇଛି, ସେମାନଙ୍କ ମଧ୍ୟରୁ କବି କୁନ୍ତୁଳାକୁମାରୀ, ପଦ୍ମଚରଣ ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ମାୟାଧର ମାନସିଂହ, କୁଞ୍ଜବିହାରୀ ଦାଶ, ରାଧାମୋହନ ଗଡ଼ନାୟକ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ ଏହିପରି କେତେଜଣ କବିଙ୍କୁ ଉଲ୍ଲେଖ କରାଯାଇ ପାରେ । ମୋଟ ଉପରେ ସତ୍ୟବାଦୀ ଯୁଗାଦର୍ଶ ସବୁଜ ଗୋଷ୍ଠୀର ଉଗ୍ର ରୋମାଣ୍ଟିକ୍ ପଳାୟନବାଦୀ ଦୃଷ୍ଟିଭଙ୍ଗୀରେ ପରାହତ ନ ହୋଇ ଏହି ସମୟରେ ନିଜର ସ୍ୱତନ୍ତ୍ର କାବ୍ୟଭାଷା ଓ ଅଭିଳାଷ ପ୍ରକାଶ କରିପାରିଛି । ତେଣୁ ସତ୍ୟବାଦୀ ଯୁଗ ୧୯୩୫ ମସିହା ପର୍ଯ୍ୟନ୍ତ ପ୍ରବହମାନ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ-। ରାଧାନାଥଙ୍କ କାଳରୁ ଅର୍ଥାତ ୧୮୭୦ ମସିହାରୁ ୧୯୩୫ ମସିହା ପର୍ଯ୍ୟନ୍ତ ଓଡ଼ିଆ-ସାହିତ୍ୟରେ ଏହିପରି ଏକ ରୋମାଣ୍ଟିକ୍-ଅତିଭୌତିକ-ଜାତୀୟବାଦୀ କାବ୍ୟଧାରା ହିଁ ପ୍ରଚଳିତ ହୋଇ ଆସିଛି । ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନ ଯୋଗୁ ନ ହେଲେ ବି ବହୁବିଧ ଐତିହାସିକ କାରଣରୁ ଏହି ସମୟରୁ ହିଁ ଓଡ଼ିଆ-କବିତା ସ୍ପଷ୍ଟତଃ ଏକ ଭିନ୍ନ ମୋଡ଼ ନେଇଛି । ଓଡ଼ିଆ-କାବ୍ୟସ୍ୱର ଓ କାବ୍ୟ ଆଙ୍ଗିକରେ ସ୍ପଷ୍ଟ ପରିବର୍ତ୍ତନ ଘଟିଛି । ଏକପକ୍ଷରେ ଭାରତୀୟ ସ୍ୱାଧୀନତାକାମୀ ଜାତୀୟତାବାଦୀ କବିମାନଙ୍କ କାବ୍ୟସ୍ୱର ସହିତ ଏକ ନୂତନ ମାନବତାବାଦୀ ବାମପନ୍ଥୀ ଜଟିଳ କାବ୍ୟସ୍ୱର ମିଶିଯାଇଛି । ଏକ ପକ୍ଷରେ କବି ନିତ୍ୟାନନ୍ଦ ମହାପାତ୍ର, କୁଞ୍ଜବିହାରୀ ଦାସ, ହରେକୃଷ୍ଣ ମହାତାବ ପ୍ରମୁଖ କବିମାନଙ୍କ କାବ୍ୟସ୍ୱରରେ ସ୍ୱାଧୀନତାର ଆଶା ଓ ଆକାଙ୍‌କ୍ଷାର ସ୍ୱର ରୂପାୟିତ ହେଉଥିଲା ବେଳେ, ଅନ୍ୟ ପକ୍ଷରେ କବି ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ମନମୋହନ ମିଶ୍ର, ଲକ୍ଷ୍ମୀଧର ନାୟକ ପ୍ରମୁଖ କବିମାନଙ୍କ ସ୍ୱରରେ ଏକ ନୂତନ ସମାଜ ଗଠନର ଆକାଙ୍‌କ୍ଷା ଓ ଆକୃତି ପ୍ରକଟିତ ହେଉଥିଲା । ଇତିହାସ ଦୃଷ୍ଟିରୁ ମାର୍କ୍‍ସ ପ୍ରବର୍ତ୍ତିତ ସାମ୍ୟବାଦୀ ଚେତନା ସହିତ ଏହି କାବ୍ୟ ସ୍ୱରର କିଛିଟା ସାମ୍ୟ ପ୍ରତିଷ୍ଠିତ ହୋଇଥିବାରୁ ସମାଲୋଚକମାନେ ଏମାନଙ୍କୁ ବାମପନ୍ଥୀ କବି ଭାବେ ଚିହ୍ନିତ କରିବାକୁ ଉଦ୍ୟମ କରିଛନ୍ତି । କିନ୍ତୁ ରୋମାଣ୍ଟିକ୍ ଚେତନାକୁ ତଥାପି ଉପେକ୍ଷା କରିପାରି ନ ଥିବାରୁ ଓ ଭାରତୀୟ ଚିନ୍ତା, ଦର୍ଶନ, ଗାନ୍ଧୀବାଦ ଆଦିର ପ୍ରବଳ ପ୍ରଭାବ ସମସମାୟିକ କବିମାନଙ୍କ କାବ୍ୟମାନସରେ ବଳବତ୍ତର ଥିବାରୁ ବୈପ୍ଳବିକ ମାର୍କସବାଦ ଅପେକ୍ଷା ଏହି ସମୟର କବିତାରେ ମାନବତାବୋଧର ବିପୁଳ ପ୍ରତିଶ୍ରୁତି ମିଳିଅଛି । ସଚ୍ଚିଦାନନ୍ଦଙ୍କ ‘ଅଭିଯାନ’, ‘ରକ୍ତଶିଖା’, ‘ବାଜିରାଉତ’ ଓ ‘ପାଣ୍ଡୁଲିପି’ର କବିତା କାଳିନ୍ଦୀଚରଣଙ୍କ ଆଗାମୀ ଓ ‘ଛୁରୀଟିଏ ଲୋଡ଼ା’ ର କାବ୍ୟସ୍ୱର, ବୈକୁଣ୍ଠ ନାଥଙ୍କ ‘ହରିଜନ’, ‘ଉମା’, ‘ଗଣବନ୍ଧୁ ଗାନ୍ଧୀ’, ‘ସାବଧାନ ଶ୍ରମଜୀବୀ’ ଆଦି କେତୋଟି କବିତା ଓ ଅନନ୍ତ ପଟ୍ଟନାୟକଙ୍କ ‘ଶାନ୍ତିଶିଖା’, ମନମୋହନ ମିଶ୍ରଙ୍କ କେତେକ କବିତାକୁ ଏହି ପ୍ରଗତିକାମୀ ମାନବତାବାଦୀ ପର୍ଯ୍ୟାୟଭୁକ୍ତ କରାଯିବ ।

 

(୧)

ଆଧୁନିକ ଓଡ଼ିଆ-କବିତାର ଉନ୍ମେଷ, ବିକାଶ ଓ ଉତ୍ତରଣ-ଦ୍ରଷ୍ଟବ୍ୟ

 

(ପ୍ରମୁଖ କବି କତିପୟ)- ଡଃ ନିତ୍ୟାନନ୍ଦ ଶତପଥୀ

 

୧୯୩୫-୩୬ ଠାରୁ ୧୯୪୭-୫୦ ପର୍ଯ୍ୟନ୍ତ ଓଡ଼ିଆ-କବିତାରେ ଏହିପରି ବହୁ ମିଶ୍ରିତ ସ୍ୱରର ପ୍ରତିଶ୍ରୁତି ଶୁଣିବାକୁ ମିଳେ । ଏପରିକି ଜାତିର ପିତା ବାପୁଜୀଙ୍କ ମୃତ୍ୟୁରେ ଶୋକାତୁର କବିମାନସରୁ ଉତୁରି ପଡ଼ିଥିବା ରାଶି ରାଶି କବିତାରେ ଆମେ ଜାତୀୟ ଜୀବନରେ ଏକ ଗଭୀର ଆଶଙ୍କାର ସ୍ୱର ପ୍ରକଟିତ ହୋଇଥିବା ଲକ୍ଷ୍ୟ କରିବା । ଗାନ୍ଧୀବାଦ ହେଉ ବା ମାର୍କସବାଦ ହେଉ, ଏହି ଉଭୟ ସ୍ୱର ଯେ ୧୯୫୦ ମସିହା ବେଳକୁ ଓଡ଼ିଆ-କବିତା କ୍ଷେତ୍ରରୁ ଦ୍ରୁତ ବିଦାୟ ନେଉଥିଲା, ତାହା ସ୍ୱାଧୀନତା ପରବର୍ତ୍ତୀ ପ୍ରୟୋଗବାଦୀ କାବ୍ୟ ସ୍ୱରରୁ ସ୍ପଷ୍ଟ ହୋଇଯାଇଛି । କିନ୍ତୁ ଓଡ଼ିଆ-କବିତାର କାବ୍ୟ ଆଙ୍ଗିକରେ ସଚ୍ଚିବାବୁ ଯେଉଁ ନୂତନ ପରୀକ୍ଷା ଏହି ସମୟରେ କରିଥିଲେ, ତାହା ୧୯୫୦ ମସିହା ପରବର୍ତ୍ତୀ କବିତାକୁ ଯେ ଅଧିକ ପରିମାଣରେ ସ୍ୱାଧୀନତା ଦେଇଥିଲା, ଏ କଥା ସ୍ୱୀକାର କରିବାକୁ ହେବ । ଏପରିକି, ଏହି ନୂତନ ଆଙ୍ଗିକ ରୀତିର ପ୍ରଚଳନରେ ଓଡ଼ିଆ-କବିତା ଗଦ୍ୟ-କବିତାର ଅନ୍ତଃଛନ୍ଦକୁ ବରଣ କରିନେଇ ହୁଇଟ୍‌ ମ୍ୟାନ୍-ଏଲିୟଟ୍ ପ୍ରଚଳିତ କାବ୍ୟ ଆଙ୍ଗିକ ସହ ଯୋଗସୂତ୍ର ସ୍ଥାପନ କରିବାକୁ ପ୍ରସ୍ତୁତ ହୋଇ ରହିଥିଲା । ରୂପକଳ୍ପ, ରୂପକ, ଉପମା ଓ ପ୍ରତୀକ ପ୍ରଚଳନରେ ଏହି ସମୟରୁ ହିଁ ଓଡ଼ିଆ କବିତାରେ ଏକ ନୂତନ ଚେତନା ପ୍ରତିଷ୍ଠିତ ହେଲା । କାବ୍ୟ ଆତ୍ମିକ ଓ ଆଙ୍ଗିକରେ ଏଇ ଯେଉଁ ପରିବର୍ତ୍ତନ ଆସିଲା, ତାହା ୧୯୫୦-୬୭ କାଳରେ ବହୁ ନୂତନ ପରୀକ୍ଷାକୁ ଆବୋରି ବସିଥିବା ସ୍ପଷ୍ଟ ଲକ୍ଷ୍ୟ କରାଯିବ ।

 

୧୯୪୭-୫୦ ମସିହା ବେଳକୁ ବହୁ କବିଙ୍କ ରଚନାରେ ସ୍ୱାଧୀନତାର ସ୍ୱପ୍ନଭଙ୍ଗଜନିତ ମାନସିକ ଓ ସାମାଜିକ ପ୍ରତିକ୍ରିୟାର ସ୍ୱର କ୍ରମେ ସ୍ପଷ୍ଟ ହୋଇ ଆସୁଥିଲା । କବି ରଘୁନାଥ ଦାସଙ୍କ ‘ଅଗଷ୍ଟ ପନ୍ଦର’ ଶୀର୍ଷକ ତିନୋଟି କବିତା, ସଚ୍ଚିଦାନନ୍ଦଙ୍କ ‘ହସନ୍ତ’, ଏହି ପ୍ରତିକ୍ରିୟାର ସଙ୍କେତ ବହନ କରେ । ୧୯୪୨ ମସିହାର ସହିଂସ ଭାରତୀୟ ମୁକ୍ତି ସଂଗ୍ରାମ ଓ ୧୯୪୫ ମସିହା ପୃଥିବୀ ମହାଯୁଦ୍ଧ ପରବର୍ତ୍ତୀ ସାମାଜିକ ଅନିଶ୍ଚିତତା ଓ ଆର୍ଥନୀତିକ ଅସମତା ଆମ କବିମାନଙ୍କୁ ବୈପ୍ଲବିକ ମାର୍କସୀୟ ଚେତନାଠାରୁ କ୍ରମେ ଯେ ଦୂରେଇ ନେଉଥିଲା, ଏହି ଐତିହାସିକତାକୁ ଅସ୍ୱୀକାର କରାଯାଇପାରିବ ନାହିଁ । କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ‘ଅଗ୍ନିଶଙ୍ଖ’ ଓ କୁଞ୍ଜବିହାରୀଙ୍କ ‘ମାଟି ଓ ଲାଠି’, କାବ୍ୟ ଦୁଇଟିରେ ତଥା ମାୟାଧର ମାନସିଂହଙ୍କ କାବ୍ୟ ‘କମଳାୟନ’ରେ ଏହି ଐତିହାସିକ ସତ୍ୟକୁ ସନ୍ଧାନ କରାଯାଇ ପାରିବ । ମାନସିଂହଙ୍କ କାବ୍ୟନାୟକ କମଳ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଙ୍ଗନରୁ ଦୂରେଇ ଯାଇ ଆନ୍ତର୍ଜାତିକ ଭୌଗୋଳିକ ବାତାବରଣ ଭିତରେ ଏକ ବୃହତ୍ତର ସତ୍ୟର ସନ୍ଧାନ କରୁଥିବାବେଳେ କବି କୁଞ୍ଜବିହାରୀଙ୍କ କାବ୍ୟନାୟକ ସତବାଜି, ନା ଗାନ୍ଧୀ ନା ମାର୍କସ, କୌଣସି ଚିନ୍ତାଧାରାର ପୋଷକତା କରିନପାରି ହତଭମ୍ବ ହୋଇପଡ଼ିଥିବା ଲକ୍ଷ୍ୟ କରାଯିବ । ମୋଟ-ଉପରେ ୧୯୩୫-୩୬ ମସିହାରୁ ଆଧୁନିକ ଓଡ଼ିଆ-କବିତା ଏକ ନିଶ୍ଚିତ ମୋଡ଼ ନେଇଥିଲେ ବି ୧୯୪୭-୫୦ ମଧ୍ୟରେ ଏହା କୌଣସି ନିର୍ଦ୍ଦିଷ୍ଟ ପଥ ଆବିଷ୍କାର କରିନପାରି ଏକ ମିଶ୍ରିତ ସ୍ୱର ପ୍ରକାଶ କରିବାକୁ ବାଧ୍ୟ ହୋଇଛି । ଭାରତୀୟ ତଥା ପୃଥିବୀୟ ଐତିହାସିକ ଘଟଣାବଳୀର କବଳରୁ କବିମାନେ ନିଜକୁ ଦୂରେଇ ରଖିପାରିନାହାଁନ୍ତି । ତେଣୁ ଏହି ସମୟର କବିତାରେ ଭାବ ଦୃଷ୍ଟିରୁ ଆମେ ଯେତିକି ପରିମାଣରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆକାଂକ୍ଷା ଉଜ୍ଜୀବିତ ହୋଇଥିବାର ଦେଖିବା, ସେହିପରି ଏକ ସାମ୍ୟବାଦୀ ସମାଜ ଗଠନର ସ୍ୱର ଉତ୍କୂଳିତ ହୋଇଥିବା ଲକ୍ଷ୍ୟ କରିବା । କିନ୍ତୁ ନିଶ୍ଚିତ ଭାବେ କୁହାଯାଇପାରିବ ଯେ, ୧୯୩୫ ମସିହା ପୂର୍ବବର୍ତ୍ତୀ କବିତାରେ ପ୍ରକାଶ ପାଇିଥିବା ଭାଗବତବୋଧମୂଳକ ଆଧ୍ୟାତ୍ମିକ, ଅତିଭୌତିକ, ରହସ୍ୟବାଦୀ କାବ୍ୟସ୍ୱର, ଏ ପର୍ଯ୍ୟାୟରେ ପ୍ରାୟ ତିରୋହିତ ହୋଇଯାଇଛି । କାବ୍ୟସ୍ୱରରେ ଦୂରବର୍ତ୍ତୀ ମୋହ ପରିବର୍ତ୍ତେ ସମୀପବର୍ତ୍ତୀ ଅନୁଯୋଗ ବିଶେଷ ପ୍ରକାଶ ପାଇଛି ।

 

ଆଧୁନିକ ଓଡ଼ିଆ-କବିତାର ୧୯୫୦-୬୭ ମଧ୍ୟବର୍ତ୍ତୀ ସମୟକୁ ପ୍ରୟୋଗବାଦୀ (ପରୀକ୍ଷାବାଦୀ) କାବ୍ୟଧାରା ଭାବେ ନାମିତ କରାଯିବ । ପ୍ରୟୋଗବାଦୀ କବିମାନେ ଯୁଦ୍ଧ ପରବର୍ତ୍ତୀ ସମାଜ ଆର୍ଥନୀତିକ ବାସ୍ତବ ସ୍ଥିତି ପ୍ରତି ଥିଲେ ଅତ୍ୟନ୍ତ ସଚେତନ । ତେଣୁ ଏ ସମୟର କାବ୍ୟ-କବିତା ଜୀବନର ବାସ୍ତବ ରୂପ ବହନ କରିବାରେ ସମର୍ଥ ହୋଇପାରିଛି । ଏପିରିକି, ପ୍ରେମ ପରି ଏକ ବ୍ୟକ୍ତିଗତ ବ୍ୟାପାରରେ ବି କବିମାନେ ବିଶେଷ ଆସକ୍ତି ପ୍ରକାଶ ନ କରି, ଏହାର ସମାଜ-ଆର୍ଥନୀତିକ ବାସ୍ତବ ପରିବେଶ ଓ ପରିଣତି ପ୍ରତି ସଚେତନ ହୋଇଛନ୍ତି । ତେଣୁ ଏ ସମୟର କବିତାରେ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ରୋମାଣ୍ଟିକ୍ ନ ହୋଇ ବାସ୍ତବବାଦୀ ବ୍ୟଙ୍ଗାତ୍ମକ ଓ ପ୍ରତିକ୍ରିୟାଶୀଳ ରୂପ ବହନ କରିଛି । ସ୍ୱାଭାବିକ ଭାବେ ଏ ସମୟର ଭାରତୀୟ କବିତାରେ ଘଟିଛି ସ୍ୱାଧୀନତାଜନିତ ମୋହଭଙ୍ଗ । ସଚେତନ କବି ସମାଜ-ରାଜନୈତିକ ବ୍ୟବସ୍ଥାରେ ଅତି ଉତ୍କଟ ପ୍ରତାରଣା ଉପଲବ୍‌ଧି କରିଛି । ଯୋଜନା ସମାଜରେ ଆର୍ଥନୀତିକ ସାମ୍ୟ ଆଣି ଦେବାରେ ବିଫଳ ହୋଇଛି । ତେଣୁ କବିତାରେ ଉତ୍କଟ ହତାଶା, ମାନସିକ ସଂଘର୍ଷ, ନିଃସଙ୍ଗତାବୋଧ ଓ ଅନିକେତଭାବ ପରିଲକ୍ଷିତ ହୁଏ । ଏହାର ସ୍ୱାଭାବିକ ପରିଣତିରେ ଓଡ଼ିଆ-କବିତାର ସ୍ୱରରେ ଏକ ବିଚ୍ଛିନ୍ନତାବୋଧ ଓ ମୃତ୍ୟୁଚେତନା ସ୍ପଷ୍ଟ ହୋଇଛି । ଏହିପରି, ଏକ ମାନସିକ ପରିସ୍ଥିତିରେ କବି ପରିବାର, ସମାଜ, ଧର୍ମ ଓ ସଙ୍ଗଠନ-ସବୁଠାରୁ କ୍ରମେ ବିଚ୍ଛିନ୍ନ ହୋଇପଡ଼ି ଏକ ଉତ୍କଟ ଆନ୍ତରୀଣତା (alienation) ମଧ୍ୟରେ ତା’ର ନିଜସ୍ୱ କାବ୍ୟସ୍ୱର ପ୍ରକାଶ କରିଛି । ମୋଟ ଉପରେ ଏହି ସମୟର କବିତାରେ ଉତ୍କଟ ମାନସିକ ଆଲୋଡ଼ନ ଗଭୀର ନୈରାଶ୍ୟ, ଆତ୍ମକୈନ୍ଦ୍ରିକତା, ପାପବୋଧ, ମୃତ୍ୟୁର ଆତଙ୍କ ବିଚ୍ଛିନ୍ନତାବୋଧ ଓ ଜୀବନଚର୍ଯ୍ୟା ପ୍ରକଟିତ ହୁଏ । କତିପୟ କାବ୍ୟପଙ୍‌କ୍ତିରୁ ଏହି ଯୁକ୍ତି ସାବ୍ୟସ୍ତ କରାଯାଇ ପାରିବ ।

 

(୧)

)‘‘ଭୟ ଏବଂ ପାପ ମିଶି ଏ ସମୟ ଅନ୍ତସତ୍ତ୍ୱା/ଜୀବନର ଭଗ୍ନାଂଶ କେବଳ

ତେଣୁ ଏଇ ସହରର ଗଳିରେ ଛିନ୍ନ ପ୍ରାଣହୀନ ଦେହ ଓ କାମନା

ତେଣୁ ଏ ସହରରେ ବିବର୍ଣ୍ଣ ଦେହରେ ଶୀତ ଖଦଡ଼ ଓ ଉଲ୍‌ର ପୋଷାକ

ଭିତରେ ହଠାତ୍ ଆସି ଛିଡ଼ାହୁଏ, ସାମ୍ନାରେ/ଅଭିଶପ୍ତ ମଣିଷର ପାପ

ଆଉ ଭୟର ପ୍ରେତାତ୍ମା ।’’

-‘ହରେକୃଷ୍ଣ ଦାସ’ - ଗୁରୁପ୍ରସାଦ ମହାନ୍ତି

 

(୨)

)‘‘ମୁଁ ଶୁଣିଲି କାନରେ ମୋ ହାଡ଼ ଆଉ ମାଂସର ସ୍ପନ୍ଦନ

ମୁଁ ଦେଖିଲି ବାମ ଅଙ୍ଗ ପଙ୍ଗୁ ମୋର ବର୍ଣ୍ଣ ମୋର ଇଷତ୍ ପିଙ୍ଗଳ ।’’

-‘କାଳପୁରୁଷ’ - ଗୁରୁପ୍ରସାଦ ମହାନ୍ତି

 

(୩)

‘‘ତମେ କେବେ ଦେଖିପାର ପ୍ରଜ୍ଜ୍ୱଳିତ ଅସ୍ତିତ୍ୱ ମୋହର

ଅନୁମାନ କରିପାର ମୁଁ ଜଳୁଚି ଓ ଜଳୁଚି ତୀବ୍ର ଦରଜରେ

ମିଡ଼ିୟମ ଧୋତି ଏବଂ ଇସ୍ତ୍ରୀକରା ଅଧା କାମିଜିରେ ।’’

-‘ଲଣ୍ଠନ’ - ରମାକାନ୍ତ ରଥ

 

(୪)

)‘‘ମାନୁଚି ଆମର ସବୁ କର୍ମ ହେଲା ଭ୍ରାନ୍ତ ସ୍ୱାର୍ଥପର

ମାନୁଚି ବଞ୍ଚିଚୁ ଆମେ କାମନା ଓ ସମ୍ଭୋଗ ଆଶାରେ

ଆହୁରି ମାନୁଚି ପାପ, ନୀଚତାର ଅତଳ ଗର୍ଭରେ

ଆମେ ବାଟ ହରାଇବୁ ମିଥ୍ୟା ଏକ ତୃପ୍ତିର ଆଶାରେ ।’’

-‘ଆଳାପ’ - ରମାକାନ୍ତ ରଥ

 

(୫)

‘‘ମୋର ଚଉଦିଗେ ମୃତ୍ୟୁ ଏବଂ ତା’ର ଥଣ୍ଡା ଥଣ୍ଡା ହାତ

ଚିପିବାକୁ ଆସେ ତୁମ ବେକ ।’’

-ରମାକାନ୍ତ ରଥ

 

(୬)

‘‘ସବୁ ଯାଏ ଜଳିପୋଡ଼ି ମନ ଓ ଇନ୍ଦ୍ରିୟ

ଜଳିଯାଏ ଅନୁଭୂତି ସକଳ ଭାବନା

ସବୁ ସମ୍ଭାବନା ଆହା ସବୁ ସ୍ୱପ୍ନ ସବୁ ଆଶ୍ୱାସନା

ଦାଉ ଦାଉ ଧପ ଧପ ଆକାଶକୁ କୁଦାମାରେ ନିଆଁ

ଲହ ଲହ ରକ୍ତଜିହ୍ୱ ଆକାଶ ପୃଥିବୀ ଭରେ

ସ୍ଫୁଲିଙ୍ଗ ଓ ଧୂଆଁ ।’’

-‘ମୃତ୍ୟୁ ନାଚ’ - ସୀତାକାନ୍ତ ମହାପାତ୍ର

 

(୭)

ମୃତ୍ୟୁ କ’ଣ ? ମୁକ୍ତି କି ନାଇଁ ତା’ ହାତରୁ ?

ଉଦ୍ଧାରର ରାସ୍ତା କି ନାଇଁ ?

ସେ କି ଖାଲି ବିରାଟ ଶୂନ୍ୟତା ?

-‘ଏକ କୁମାରୀର ଆତ୍ମହତ୍ୟାରେ’ (ସ୍ୱଗତ) - ସଚ୍ଚିଦାନନ୍ଦ ରାଉତରାୟ

 

ଏହିପରି ରାଶି ରାଶି ପଂକ୍ତି ଉଦ୍ଧାର କରାଯାଇପାରେ ।

ଏସବୁ କାବ୍ୟ ପଂକ୍ତିରେ ଆଧୁନିକ ମଣିଷର ଯେଉଁ ଯନ୍ତ୍ରଣାଦାୟକ ପରିବେଶ, ପାପବୋଧ, ମୃତ୍ୟୁର ଭୟ, ବ୍ୟକ୍ତିଗତ ଅନୁଭୂତିର ଅଭିବ୍ୟକ୍ତି ଘଟିଛି, ତାହା ୧୯୫୦ ପୂର୍ବବର୍ତ୍ତୀ କବିତାରେ ପ୍ରାୟ ନ ଥିଲା । ଏପରିକି ଯୁଦ୍ଧ ପରବର୍ତ୍ତୀ ସମୟରେ ମୃତ୍ୟୁ ଭାବନା ଓ ତଜ୍ଜନିତ ଆତଙ୍କରୁ କାବ୍ୟନାୟକର ମୁକ୍ତି ନାହିଁ । ଗୁରୁପ୍ରସାଦ ମହାନ୍ତିଙ୍କ ‘କାଳପୁରୁଷ’ ରମାକାନ୍ତଙ୍କ ‘ଅନେକ କୋଠରୀ’ ଓ ସୀତାକାନ୍ତଙ୍କ ‘ଅଷ୍ଟପଦୀ’ର ଅତି ଅନ୍ତରଙ୍ଗ କାବ୍ୟ ସ୍ୱରଟି ଏହି ଚେତନାକୁ କେନ୍ଦ୍ରକରି ସଙ୍ଗଠିତ । ସମସାମୟିକ ଓଡ଼ିଆ-କବିତାରୁ ଏହାର ପର୍ଯ୍ୟାପ୍ତ ଉଦାହରଣ ଦିଆଯାଇ ପାରିବ । (୨) ପୂର୍ବରୁ କବି ନିଜସ୍ୱ ଅନୁଭୂତି ପ୍ରତି ଏତେ ବେଶି ଅନ୍ତରଙ୍ଗ ହୋଇଥିବାର ନଜିର୍‍ ଆମେ ପ୍ରାକ୍-୧୯୫୦ କବିତାରେ ପାଇବା ନାହିଁ । କିନ୍ତୁ ଏଇ ଭାବନାଗୁଡ଼ିକୁ ପ୍ରକାଶ କରିବାରେ ପ୍ରୟୋଗବାଦୀ କବିମାନେ ଯଥେଷ୍ଟ ଚାତୁର୍ଯ୍ୟୋକ୍ତି, ବୁଦ୍ଧିମତ୍ତା, ଶାଳୀନତା, ମିଥ୍, ପ୍ରତୀକ ଓ ରୂପକଳ୍ପର ଆଶ୍ରୟ ନେଇଛନ୍ତି । ସଚ୍ଚିଦାନନ୍ଦଙ୍କ କବିତାରେ ରୂପକଳ୍ପ ଓ ପ୍ରତୀକ ପ୍ରୟୋଗରେ ବିପୁଳ ସ୍ୱାଧୀନତା ପ୍ରଦର୍ଶିତ ହୋଇଥିବାବେଳେ, ଗୁରୁପ୍ରସାଦ ଓ ରମାକାନ୍ତଙ୍କ କବିତାରେ ଉପମା ଓ ରୂପକ ପ୍ରୟୋଗରେ ଏକ କଠିନ ଓ ସୁନିୟନ୍ତ୍ରିତ ପ୍ରକାଶଭଙ୍ଗୀ ଅବଲମ୍ବିତ । ଉଭୟ ଗୁରୁପ୍ରସାଦ ଓ ରମାକାନ୍ତ ଟି.ଏସ୍.ଏଲିଏଟ୍‌ଙ୍କ କାବ୍ୟଶୈଳୀକୁ ବ୍ୟାପକ ଅନୁସରଣ କରିଥିବାରୁ ଓଡ଼ିଆ କବିତାର ଶୈଳୀରେ ପରୀକ୍ଷାମୂଳକତା ସ୍ପଷ୍ଟ ପରିଲକ୍ଷିତ ହୁଏ । କବିତାରେ ସଙ୍ଗୀତ ଓ ଛନ୍ଦ ପ୍ରତି କେହି କେହି କବି ତଥାପି ଆନ୍ତରିକତା ପ୍ରକାଶ କଲାବେଳେ ଅଧିକ ଭାଗ କବିତା ବାକ୍‌ରୀତି, ଗଦ୍ୟଛନ୍ଦ, ପଦବନ୍ଧ (poetic diction) ଆଡ଼କୁ ଅବାରିତ ଗତି କରିଛି । ଶକ୍ତିଶାଳୀ ରୂପକଳ୍ପ ପ୍ରତୀକ ଓ ମିଥ୍‌ର ପ୍ରଚଳନରେ ଏଇ କବିମାନେ ଓଡ଼ିଆ-କବିତାକୁ ଏକ ନୂତନ ବିଭୂତି ପ୍ରଦାନ କରିଛନ୍ତି ।

 

(୨)

ଦ୍ରଷ୍ଟବ୍ୟ-ଆଧୁନିକ ଓଡ଼ିଆ କବିତାରେ ମୃତ୍ୟୁଚେତନା-

‘ସମାଜ’ ଗୋପବନ୍ଧୁ ବିଶେଷାଙ୍କ, ୧୯୮୫

 

ଏଇଠି ଆଧୁନିକ କବିତାରେ ମିଥ୍ ପ୍ରଚଳନ ସମ୍ପର୍କରେ ଦୁଇପଦ କହିବା ପ୍ରାସଙ୍ଗିକ ମନେ କରୁଛି । କାରଣ, ଆଜିର କବିତାରେ ଏହା ଏକ ଅପରିହାର୍ଯ୍ୟ ବିଭୂତି ରୂପେ ପରିଗଣିତ ହେଉଛି । ପ୍ରୟୋଗବାଦୀ କବିତାରେ କବିର ନିଜସ୍ୱ ଅନୁଭୂତି ଓ ଆତ୍ମକୈନ୍ଦ୍ରିକତା ହେତୁ ଗଢ଼ି ଉଠିଥିବା ଦୁର୍ବୋଧ୍ୟତା ଅନେକ ପରିମାଣରେ ଏହି ମିଥ୍ ପ୍ରୟୋଗ ଯୋଗୁଁହିଁ ପାଠକ ସହିତ ବୁଝାମଣା ପାଇଁ ସୁଯୋଗ ସୃଷ୍ଟି କରିଛି, ଏଥିରେ ସନ୍ଦେହ ନାହିଁ । ବର୍ଷୀୟାନ କବି ସଚ୍ଚିଦାନନ୍ଦ, ଗୁରୁପ୍ରସାଦ, ଜ୍ଞାନୀନ୍ଦ୍ର ବର୍ମା, ବେଣୁଧର ଓ ଚିନ୍ତାମଣିଙ୍କଠାରୁ ଆରମ୍ଭ କରି କନିଷ୍ଠ କବି ରମାକାନ୍ତ, ସୀତାକାନ୍ତ, ଦୀପକ, ପ୍ରତିଭା, ସୌରୀନ୍ଦ୍ର ଓ ସୌଭାଗ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି କାବ୍ୟଧର୍ମ ପ୍ରତି ଆକୃଷ୍ଟ ହୋଇଛନ୍ତି । ଗୁରୁପ୍ରସାଦଙ୍କ ‘କାଳପୁରୁଷ’ ଅକ୍ରୁରରେ ଉଦ୍ଧବର ନାମ ବାରମ୍ବାର ଉଚ୍ଚାରିତ ହୋଇ ଆଧୁନିକ ମଣିଷର ଅନ୍ତର୍ଦହନ ଓ ଆଧ୍ୟାତ୍ମିକ ଆସ୍ଫୃହାର ସମ୍ଭାବନା ପ୍ରକଟିତ ହୋଇଛି । ଅକ୍ରୂର ଓ ଉଦ୍ଧବର ଅନ୍ତର୍ଦାହହିଁ ଆଧୁନିକ ମଣିଷର ଚିତ୍ତ ବିକ୍ଷୋଭ ଓ ଅନ୍ତର୍ଦାହର ପ୍ରତିରୂପ । ଶଂସିତ କାଳରେ ସୀତାକାନ୍ତ ତାଙ୍କ ‘ଅଷ୍ଟପଦୀ’ରେ ମିଥ୍‌କୁ ଏକ ବ୍ୟାପକ କାବ୍ୟବୃତ୍ତ ଭାବେ ଗ୍ରହଣ କରିଛନ୍ତି । ଉତ୍ତର-ଅଶିରେ ରମାକାନ୍ତ ସେହିପରି ପୌରାଣିକ ଚରିତ୍ର ରାଧାଙ୍କୁ ନେଇ କାବ୍ୟରଚନା କରିଛନ୍ତି । କୁବୁଜା, ଦୁର୍ଯ୍ୟୋଧନ, ତ୍ରିଶଂକୁ, ଶିଖଣ୍ଡୀ, ହରିଶ୍ଚନ୍ଦ୍ର, ଶକୁନି, ଅହଲ୍ୟା, ଶ୍ରମଣା, ଦେବକୀ, ଜଟାୟୁ, ରାବଣ, ଶକୁନ୍ତଳା ଏମାନେ ଆଧୁନିକ ଓଡ଼ିଆ-କବିତାରେ ନୂତନ ପ୍ରତୀକ ଓ ଅର୍ଥ ପ୍ରତୀକ ବହନ କରି କବିତାକୁ ନୂତନ ଶ୍ରୀ ଓ ସମୃଦ୍ଧି ପ୍ରଦାନ କରିଛନ୍ତି । ସାମ୍ପ୍ରତିକ ଓଡ଼ିଆ କବିତାର ଦୁଇଜଣ ବିଶିଷ୍ଟ କବିଙ୍କ ରଚନାରୁ ଦୁଇଟି ଉଦାହରଣ ଦିଆଯାଉଛି ।

 

‘ଶକୁନ୍ତଳା’ - ସୌଭାଗ୍ୟ କୁମାର ମିଶ୍ର-

‘‘ଦିନେ ପାହାନ୍ତି ପହର ପୋଡ଼ା ସଳିତା ଗନ୍ଧରେ

ବିଭୋର ଶୟନ କକ୍ଷ ମୁଁ ତାଙ୍କ ଭାରି ନିଦର ବାହୁବେଷ୍ଟନୀରୁ

ଖସି ପଳାଇ ଆସିଲି ଚିହ୍ନା ନଈକୂଳକୁ ।

କେଉଟକୁ କହିଲି ଡଙ୍ଗା ଫିଟା, ସଜାଡ଼ି ନେ ଜାଲ,

ମାଛକୁ କହିଲି ଉଠ୍ ବେଳ ଦେଲାଣି ଧରା ପଡ଼ିବାର ।

ମୋ ପେଟର ସାତତାଳ ପାଣି ପଙ୍କ ଭିତରେ ଲୁଚିଥିବା

ତାରାଟିକି କହିଲି ଆ ଖେଳିବା ସିଂହକୁ ଡାକିଲି ଆ ।

ବହୁ ଦୂରରୁ ଶୁଭିଲା ବାପାଙ୍କ ମନ୍ତ୍ରୋଚ୍ଚାରଣ

ମୋ ତରଳ ଅଭିମାନର ମନ୍ତ୍ରଧ୍ୱନି ପରି ।’’

 

‘ଶ୍ରମଣା’ - ପ୍ରତିଭା ଶତପଥୀ-

‘‘ଦୁଃଖ ଗ୍ଲାନି କ୍ଲାନ୍ତି ଆଉ ଅବଶୋଷ, ଆଶା, ଅଭିଳାଷ

ସବୁ ମିଶାମିଶି ହୋଇ ଠୋପାଏ ବହଳ ତେଲ

ତା’ ଭିତରେ ଜୀର୍ଣ୍ଣ ସଳିତାଟେ

ମୁଁ ଏମିତି ଜଳୁଥାଏ/କାଳେ ତୁମେ ତେଜି ଦେବ

କାଳେ ଆଲୁଅରେ/ଏ ଜଙ୍ଗଲ, ଏ ଅନ୍ଧାର, ଏ ଅଭାବ ପୂରିଯିବ ।

ଆଗାମୀ ମୁହୂର୍ତ୍ତଠାରୁ ବହୁ ବହୁ ଯୁଗ ।’’

 

ମୋଟ ଉପରେ ବ୍ୟକ୍ତିଗତ ବା ସଚରାଚର କୌଣସି ଅନୁଭୂତିକୁ ପ୍ରକାଶ କରିବାକୁ ଭାଷାର ଅକୁଳୀନତା ଏହିପରି ମିଥ୍ ପ୍ରୟୋଗରେ ଅନେକ ପରିମାଣରେ ଦୂରୀଭୂତ ହୋଇଛି । ବେଳେ ବେଳେ ଏହି ମିଥ୍‌ର ପ୍ରୟୋଗ ପ୍ରତୀକ ଭାବେ ଓଡ଼ିଆକବିତାକୁ ବିପୁଳ ସମୃଦ୍ଧି ମଧ୍ୟ ଦେଇଛି । କବି ରଘୁନାଥ ଦାସଙ୍କ ‘ମୃଗୁଣୀ’, ‘ଜଟାୟୁ’ ଏହି ପର୍ଯ୍ୟାୟଭୁକ୍ତ । ସୀତାକାନ୍ତଙ୍କ ‘ଅଷ୍ଟପଦୀ’ (୧୯୬୭) ଯଦି ନିଃସଙ୍ଗ ମଣିଷର ବିଚ୍ଛିନ୍ନତାବୋଧ ଓ ଚରମ ହତାଶା ଭିତରୁ ଜନ୍ମ ନେଇଥାଏ, ରମାକାନ୍ତଙ୍କ ‘ଶ୍ରୀ ରାଧା’ (୧୯୮୫) ଓଡ଼ିଆସାହିତ୍ୟରେ ଏକ ଅବିନାଶୀ ପୌରାଣିକ ଚେତନାକୁ ପରିବର୍ତ୍ତିତ ସମୟ ଓ ସମାଜର ପୀଠିକାରେ ନୂତନ ଭାବ ଓ ଭାଷାର ଶକ୍ତିମତ୍ତା ମଧ୍ୟରେ ଏକ ପରୀକ୍ଷାମୂଳକ ପ୍ରୟାସ । ଆଧୁନିକ ମଣିଷର କୃତ୍ରିମ ପରିବେଶ, ପ୍ରେମ ଓ ତଜ୍ଜନିତ ହତାଶା ପାଇଁ ଚିରନ୍ତନ ପୌରାଣିକ ସାହିତ୍ୟ କାଳୋତ୍ତୀର୍ଣ୍ଣ ଚରିତ୍ର ଓ ଘଟଣା ଗୁଡ଼ିକର ଯେ ତଥାପି ଆବଶ୍ୟକତା ରହିଛି, ଏ କଥା ଅସ୍ୱୀକାର କରାଯାଇ ପାରିବ ନାହିଁ ।

 

ମିଥ୍ ପରି ଶକ୍ତିଶାଳୀ ଓ ସଂପ୍ରସାରଣଶୀଳ ନୂତନ ପ୍ରତୀକ ପ୍ରୟୋଗରେ ଆଧୁନିକ ଓଡ଼ିଆ କବିତା ତା’ର ପ୍ରକାଶକ୍ଷମ ଶକ୍ତିମତ୍ତାକୁ ପ୍ରାୟ ୧୯୩୫-୩୬ ଠାରୁ ପରୀକ୍ଷା କରି ନେଇଛି । ପୃଥିବୀ ସାହିତ୍ୟରେ ପ୍ରତୀକ ପ୍ରୟୋଗ ଏକ ନୂତନ କାବ୍ୟ ଆନ୍ଦୋଳନ ଭାବେ, ଏହି ସମୟକୁ ପ୍ରତିଷ୍ଠା ଲୋଡ଼ି ସାରିଥିଲା । କେବଳ ରାମ୍ବୋ, ପଲ୍ ଭ୍ୟାଲେରୀ, ଲାଫର୍ଗ, ମାଲାର୍ମେ ବା ଏଲିୟଟ୍ ନୁହଁନ୍ତି କିମ୍ବା ବାମପନ୍ଥୀ କାବ୍ୟଚେତନାର କେତୋଟି ସଚରାଚର ପ୍ରଯୁକ୍ତ ନୂତନ ପ୍ରତୀକମାଳା ନୁହେଁ, ପ୍ରତୀକକୁ କବିତାର ପ୍ରାଣ ଭାବେ ଏହି ଶତାବ୍ଦୀର କବି ଗ୍ରହଣ କରିନେଇଛି । ସେହି ପ୍ରାଣ ସଂଚାରର ରସାଳ ଅଭିବ୍ୟକ୍ତି, ପରିମିତ ଅନୁପାତିକତା ଓ ପ୍ରୟୋଗ ବୈଶିଷ୍ଟ୍ୟରେ ହିଁ କାବ୍ୟ ଉଚ୍ଚତା ନିର୍ଣ୍ଣିତ ହୋଇଛି । କବି ଆଉ ବର୍ଣ୍ଣନାତ୍ମକ ରୀତି ଅବଲମ୍ବନରେ ପ୍ରୟାସୀ ନୁହେଁ, ବରଂ ପ୍ରତୀକ ମଧ୍ୟରେ ମନଜଗତର ତଥା ଭାବଜଗତର ଅନେକ ଅନଧିଗମ୍ୟ ଚେତନାକୁ ପ୍ରକଟିତ କରିବାରେ ସେ ପ୍ରୟାସୀ । ପୁନଶ୍ଚ ତାର ପ୍ରତୀକ ପ୍ରୟୋଗ ରୀତି ସମ୍ପୂର୍ଣ୍ଣ ବୌଦ୍ଧିକ ଓ ମାନସିକ । ଉପମାନ ଓ ଉପମେୟ ମଧ୍ୟରେ କୌଣସି ଦୃଷ୍ଟିଗତ ସାମଞ୍ଜସ୍ୟ ନ ଥାଇ ବି ନିର୍ଦ୍ଦିଷ୍ଟ କୌଣସି ଚେତନାର ଅବବୋଧରେ କବି ଚିନ୍ତାରେ ନୂତନ ପ୍ରତୀକଟିଏ ଜନ୍ମ ନେଇପାରେ । ଆଧୁନିକ ଓଡ଼ିଆ-କବିତାର ଏହି ପ୍ରାରମ୍ଭ ପର୍ବରେ (୧୯୩୫-୫୦) ସଚ୍ଚିଦାନନ୍ଦ, ଅନନ୍ତ ପଟ୍ଟନାୟକ ଓ କାଳିନ୍ଦୀଚରଣ ବାମପନ୍ଥୀ ଚେତନା ସମ୍ବଳିତ ପ୍ରତୀକ ପ୍ରୟୋଗରେ (ଫାଶୀଖୁଣ୍ଟ, କାରାଗାର, ସୂତିକା ଗୃହ, ଦା, ହାତୁଡ଼ି, ଝଡ଼, ରକ୍ତକଇଁ, କୃଷ୍ଣନାଗ, ସଂକ୍ରାନ୍ତି, ଦୂତ, ସୂର୍ଯ୍ୟ ଇତ୍ୟାଦି) ଯେଉଁ ନୂତନତା ଆଣିଥିଲେ, ପ୍ରୟୋଗବାଦୀ ଓଡ଼ିଆ-କବିତାରେ (୧୯୫୦-୬୭) ତାହା ବାସ୍ତବବାଦୀ (realistic) ଓ ଅତି-ବାସ୍ତବବାଦୀ (sur-realistic) ଚେତନାକୁ ଅବଲମ୍ବନ କରି ନୂତନ ମାନଚିତ୍ର ଧାରଣ କରିଥିବା ଲକ୍ଷ୍ୟ କରାଯିବ । କବି ରାଉତରାୟଙ୍କ ‘ଭାନୁମତୀର ଦେଶ’ କାବ୍ୟଟି ପ୍ରତୀକ ପ୍ରୟୋଗର ମାନସିକତାକୁ ପରିବ୍ୟାପ୍ତ କରିଥିବା ଅବିସମ୍ବାଦିତ । କବି ରାଉତରାୟ ମହାବଳ ବାଘର ହେଣ୍ଟାଳକୁ ଉଗ୍ର ଯୌନ-କାମନାର ପ୍ରତୀକ ଭାବେ, ଶବରୀ ଆଖିକୁ ନିରୀହତାର ପ୍ରତୀକ ଭାବେ, ଖାକୀ କପଡ଼ାକୁ ବିମର୍ଷ ଓ ବିଷାଦତାର ପ୍ରତୀକ ଭାବେ, ଅକ୍ଷିତୃତୀୟାକୁ ଶସ୍ୟ ଓ ପ୍ରଜନନର ପ୍ରତୀକ ଭାବେ ବେଶ୍ ଅର୍ଥପୂର୍ଣ୍ଣଭାବେ ବ୍ୟବହାର କରିଛନ୍ତି । ଗୁରୁପ୍ରସାଦ, ରମାକାନ୍ତ, ସୀତାକାନ୍ତ, ଦୀପକ, ସୌଭାଗ୍ୟ, ପ୍ରତିଭା, ନୃସିଂହ, ରାଜେନ୍ଦ୍ର ପ୍ରମୁଖ କବିମାନେ ପ୍ରତୀକ ପ୍ରୟୋଗରେ ଅଧିକ ସଂପ୍ରସାରଣଶୀଳ ଓ ଉଦ୍‌ବୋଧନକ୍ଷମ । ଏପରିକି ତୃତୀୟ ଚକ୍ଷୁ, ସପ୍ତମ ଋତୁ, ସମୁଦ୍ର, ଚିତ୍ରନଦୀ, ସପ୍ତମ ପୃଥିବୀ, ଅନ୍ଧ ମହୁମାଛି, ଅରଣା ମଇଁଷି, ସାହାଡ଼ାସୁନ୍ଦରୀ, କାଗଜଡ଼ଙ୍ଗାର ଶୋକ ଆଦି କବିତା ପୁସ୍ତକର ନାମକରଣରେ ଏହି ପ୍ରତୀକ ପ୍ରୟୋଗର ଅପରିହାର୍ଯ୍ୟତାକୁ ଲକ୍ଷ୍ୟ କରାଯାଇପାରେ । ସମଗ୍ର ମଣିଷ ସମାଜ ଏକ ପ୍ରତୀକାତ୍ମକ ବିଶ୍ୱରେ ବଞ୍ଚୁଥିବାବେଳେ କବି ତା’ର କାବ୍ୟ ପରିସର ମଧ୍ୟରେ ଅଧିକରୁ ଅଧିକ ପ୍ରତୀକ ପ୍ରୟୋଗ କରିବା ଏକାନ୍ତ ସ୍ୱାଭାବିକ । ସୀତାକାନ୍ତଙ୍କ ପ୍ରତୀକମାଳା ପ୍ରାତ୍ୟହିକ ଜୀବନଚର୍ଯ୍ୟାରୁ ସଂଗୃହିତ ହୋଇଥିଲେ ବି ତା’ର ମେଟାଫିଜିକାଲ୍ ଦୃଷ୍ଟି ଭଙ୍ଗୀକୁ ସ୍ୱୀକାର କରିବାକୁ ହେବ । ସମୁଦ୍ର, କଇଁଛ, ମଲା ଓଟ, ଗାଉଁଲୀ କମାର, ଗାଉଁଲୀ ତନ୍ତୀ, ମରୁଭୂମି, ନଈ ଆଦି ନାନା ଚିତ୍ରକୁ ଜୀବନ-ମୃତ୍ୟୁ-ମଣିଷ-ଭଗବାନ ଓ ବୃହତ୍ତର ଚେତନାର ପ୍ରତୀକ ରୂପେ ସେ ବ୍ୟାପକଭାବେ ବ୍ୟବହାର କରିଛନ୍ତି । ସେହିପରି ରମାକାନ୍ତ, ବିମାନ ବନ୍ଦର, ବ୍ୟୋମଯାନ, ପକ୍ଷୀ, ନଈ, ସମୁଦ୍ର, ଢେଉ, ଲଣ୍ଠନ ଆଦିକୁ ନିଜ କବିତାରେ ପ୍ରତୀକାର୍ଥରେ ପ୍ରୟୋଗ କରିଛନ୍ତି । ସୀତାକାନ୍ତଙ୍କ ‘ଘାସଫୁଲ’ ଓ ପ୍ରତିଭା ଶତପଥୀଙ୍କ ‘ସାହାଡ଼ା ସୁନ୍ଦରୀ’ ଯଥାକ୍ରମେ ସୌନ୍ଦର୍ଯ୍ୟବୋଧ ଓ ମଣିଷର inner-being ର ପ୍ରତୀକଭାବେ କବିତାରେ ପ୍ରୟୋଗ କୁଶଳତା ଲାଭ କରିଛି । ଦୀପକଙ୍କ କବିତାରେ ବିଧବା, ଖରା, ବିମାନ, ଶବ, ପଦ୍ମ, ତାରା ଆଦି ବାରମ୍ବାର ପ୍ରତୀକଭାବେ ଗୃହୀତ ହୋଇଛନ୍ତି । ସେ ମୃତ୍ୟୁକୁ ଅରଣା ମଇଁଷି ଓ ସପ୍ତମ ପୃଥିବୀକୁ ମୃତ୍ୟୁ ପରବର୍ତ୍ତୀ ଏକ ଅତିଭୌତିକ ଜଗତଭାବେ ପ୍ରତୀକିତ କରିଥିବାବେଳେ, ପ୍ରତିଭା ତାଙ୍କ କବିତାରେ ‘ସବା ସାନପୁଅ’ ଓ ‘ଦୁର୍ଦ୍ଦାନ୍ତ ପ୍ରେମିକ’ ପରି ଦୁଇଟି ଦୁଇଟି ଶବ୍ଦପୁଞ୍ଜକୁ ମୃତ୍ୟୁର ପ୍ରତୀକଭାବେ ଚିହ୍ନିତ କରିଛନ୍ତି । ତାଙ୍କ କବିତାରେ ଗୋଳିଆ ପାଣିରେ ଉବୁଟୁବୁ ହେଉଥିବା କଙ୍କଡ଼ା କିମ୍ବା ବିଷାକ୍ତ ନର୍ଦ୍ଦମା ସ୍ରୋତରେ ଛଟପଟ ହେଉଥିବା ଲାଙ୍ଗୁଡ଼ାପୋକ ଅସହାୟ ମଣିଷ ଜୀବନର ପ୍ରତୀକତା କରୁଥିବାବେଳେ; ଗୋଠ ଜଗୁଆଳ, ଐନ୍ଦ୍ରଜାଲିକ ଓ ଖୋଲା ଝର୍କା ଆଦି ଶବ୍ଦଚେତନାଗୁଡ଼ିକ ପରମପୁରୁଷ ପାଇଁ ଉଦ୍ଦିଷ୍ଟ । କବି ସୌଭାଗ୍ୟ ମିଶ୍ର ପ୍ରତୀକମାଳା ସଂଗ୍ରହ କରନ୍ତି, ତାଙ୍କ ହାତପାଆନ୍ତି ସୀମା ଓ ପରିବେଶରୁ । ତାଙ୍କ କବିତାରେ ଝିଟିପିଟି, ମାଙ୍କଡ଼ସା, ସାପ ଦୈହିକ କ୍ଷୁଧାର ପ୍ରତୀକଭାବେ ଓ ମହୁମାଛି ଆଧୁନିକ ବ୍ୟସ୍ତ ମଣିଷ ଜୀବନର ପ୍ରତିନିଧିଭାବେ ପରିକଳ୍ପିତ । ଏହିପରି ନାନାବିଧ ପ୍ରତୀକ ପ୍ରୟୋଗରେ ଓଡ଼ିଆ-କବିତା ଯେ ଯଥେଷ୍ଟ ସମୃଦ୍ଧ ହୋଇଛି, ଏ କଥା ନିର୍ବିବାଦରେ କୁହାଯାଇପାରେ ।

 

ପ୍ରତୀକ ପ୍ରୟୋଗ ପରି ରୂପକଳ୍ପ ପ୍ରୟୋଗରେ ମଧ୍ୟ ଆଲୋଚ୍ୟ ସମୟର କବିତା ଅନେକ ସ୍ୱାଧୀନତା ଓ ଅନେକ ସ୍ୱେଚ୍ଛାଚାର ନେଇ ଗତିଶୀଳ ହୋଇଛି । ରୂପକଳ୍ପକୁ କାବ୍ୟସମୃଦ୍ଧିର ଉଚ୍ଚତାଭାବେ ପାଶ୍ଚାତ୍ୟ କବିମାନେ ଗ୍ରହଣ କରିନେଲା ପରେ, ସମଗ୍ର ପୃଥିବୀର କବିତା-ରାଜ୍ୟରେ ଏକ ନୂତନ କାବ୍ୟ-ଆନ୍ଦୋଳନ ପରିଦୃଷ୍ଟ ହୁଏ । ୧୯୩୫-୫୦ ମଧ୍ୟରେ କବି ରାଉତରାୟ ଏପରି ରୂପକଳ୍ପ ପ୍ରୟୋଗରେ ସଚେତନ ପଦକ୍ଷେପ ନିଅନ୍ତି । ଅବଶ୍ୟ ତାଙ୍କ ରୂପକଳ୍ପଗୁଡ଼ିକ ଅଧିକ ରୋମାଣ୍ଟିକ୍‌ଧର୍ମୀ କିନ୍ତୁ ୧୯୫୦ ରୁ ୬୭ ମଧ୍ୟରେ ଓଡ଼ିଆ-କବିତାରେ ରୂପକଳ୍ପ ହୋଇପାରିଛି ଅଧିକ ତୀକ୍ଷ୍‌ଣ, ଶାଣିତ ଭାବବାହୀ ଓ ଲକ୍ଷ୍ୟନିଷ୍ଠ । ଆବେଗଧର୍ମକୁ ପରିହାର କରି ବାସ୍ତବତା ପ୍ରତି ଏହା ଅଧିକ ଉନ୍ମୁଖତା ପ୍ରକାଶ କରିଛି । ଏପରି ନୂତନ ରୂପକଳ୍ପ ପ୍ରୟୋଗରେ ଗୁରୁପ୍ରସାଦ, ଭାନୁଜୀ ରାଓ, ରମାକାନ୍ତ ଓ ସୀତାକାନ୍ତ ନୂତନ କାବ୍ୟ-ନେତୃତ୍ୱ ନେଇଛନ୍ତି ଓ ନିଜର କାବ୍ୟ-ଦକ୍ଷତା ପ୍ରମାଣିତ କରିଛନ୍ତି । ତେଣୁ ଆଜି ରୂପକଳ୍ପ କାବ୍ୟ-ଅଭିବ୍ୟକ୍ତିର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇ ଉଠିଛି । କବିର ବକ୍ତବ୍ୟକୁ ଅଧିକ ପ୍ରାଣବନ୍ତ ଓ ପ୍ରାଞ୍ଜଳ କରିବାରେ ପ୍ରାଚୀନ କାବ୍ୟର ଉପମା ଓ ରୂପକ ଯଥେଷ୍ଟ ନ ହେବାରୁ ଆଧୁନିକ-କାବ୍ୟରେ ରୂପକଳ୍ପର ଆବଶ୍ୟକତା ଅଧିକ ଅନୁଭୂତ ହୋଇଛି । କବିର ସୂକ୍ଷ୍ମ ଅବବୋଧ, ଗଭୀର ଚିନ୍ତନପ୍ରକ୍ରିୟା ଓ ବୌଦ୍ଧିକ ବିଚାରବୋଧରୁ ଉଦ୍‌ଭୂତ ଏହି ଚିତ୍ରକଳ୍ପନାକୁ ସାନ୍ଦ୍ର ଓ ସଙ୍ଗଠିତ କରିବାରେ କବି ଯେତିକି ସତର୍କ, ପାଠକର ବୌଦ୍ଧିକତାକୁ ସ୍ପର୍ଶ କରି ତା’ର କାବ୍ୟମୋଦକୁ ଉଦ୍‌ବୋଧିତ କରିବାରେ ସେତିକି ସଚେତନ ମଧ୍ୟ । ଏଇ ସମୟର ଓଡ଼ିଆ କବିତାରେ ପ୍ରତୀକ ପରି ରୂପକଳ୍ପ ମଧ୍ୟ ପ୍ରେମ, ମୃତ୍ୟୁ, ଈଶ୍ୱର, ଅତିଭୌତିକ ଅନୁରାଗ, ବ୍ୟକ୍ତିଗତ ଅଚରିତାର୍ଥତା ଓ ଦୃଷ୍ଟିଗତ ପ୍ରାତ୍ୟହିକ ପରିବେଶକୁ ନେଇ ଏକ ବୌଦ୍ଧିକ ଭାବାବେଗର ବାତାବରଣ ସୃଷ୍ଟି କରିଛି । ନିମ୍ନରେ କେତୋଟି ଉଦାହରଣ ଦିଆଯାଉଛି :

 

‘‘ପୌଷର କୁହୁଡ଼ିରେ ତାରା ହଜେ ଜହ୍ନ ହଜିଯାଏ,

ଝରା ପତ୍ର ଠେଲି ଠେଲି ଧୂଳି ଯାଏ, ସମୟ ବି ଯାଏ,

ଜୀବନରୁ ବର୍ଷଟିଏ ଖସିଯାଏ ଆସ୍ତେ ଖସିଯାଏ ।’’

‘ସୁନା ଝରଣା’ (ନୂତନ କବିତା) - ଗୁରୁପ୍ରସାଦ

 

କିମ୍ବା

 

‘‘ସନ୍ଧ୍ୟା କେବେ ଜଳିଯାଏ ଗାଢ଼ ଲାଲ ବଣ ନିଆଁ ପରି

ଆକାଶର କଳାଧଳା ବଉଦର ପାହାଡ଼ ଉପରେ

ସନ୍ଧ୍ୟା ପୁଣି କେବେ ନିଭେ କୁଢ଼ କୁଢ଼ କଳା କଳା ବଉଦ ଭିତରେ

କୋଇଲା ଚୂଲୀର ଶେଷ ଝିକିମିକି ରଡ଼ନିଆଁ ପରି ।’’

‘ହରେକୃଷ୍ଣ ଦାସ-୨’ (ସମୁଦ୍ର ସ୍ନାନ) - ଗୁରୁପ୍ରସାଦ

 

କବି ରମାକାନ୍ତ ସକାଳର ପାଉଁଶିଆ କୁହୁଡ଼ିକୁ ଠେଲି ଆସୁଥିବା ଖରାକୁ ମୁମୂର୍ଷୁ ମାଆର କାନି ଧରି ଆସୁଥିବା ଗୋରା ତକତକ ଏକ ଛୁଆ ସହିତ ପରିକଳ୍ପନା କରନ୍ତି ।

 

‘‘ଖରା ଆସେ କୁହୁଡ଼ିର ପଛେ ପଛେ କେଉଁ

ଗୋରା ତକ ତକ ଛୁଆ ମୁମୂର୍ଷୁ ମାଆର

କାନି ଧରି ଉଠିଆସେ ଆକାଶର ପାହାଚ ଉପରେ ।’’

‘ଖରା ଆସେ’-ରମାକାନ୍ତ ରଥ

ଏହିପରି ମଣିଷର ଅପସ୍ମୟ ଉଦ୍‌ଗତ ଯୌବନକୁ ଫେରାଇ ଦେବାକୁ ପ୍ରସ୍ତୁତ ନ ଥିବା କୃପଣ ସମୟକୁ ଲକ୍ଷ୍ୟ କରି କବି କହିଛନ୍ତି :

 

‘‘ସମୟ କୃପଣ କେଡ଼େ ମନା କରିଦେଲା

ଆଉ ଏକ ଚନ୍ଦ୍ରପକ୍ଷ ରାତି ମୋ ଦେହକୁ

କୋଇଲିର ତଣ୍ଟି ଚିପିଦେଲା; ତା’ମତରେ

ଗୋଟିଏ ଗୀତ ହିଁ ଖୁବ୍ । ଓପର ଓଳିକୁ

ଚାହୁଁ ଚାହୁଁ ରଖିଦେଲା ଦୃଷ୍ଟି ଓ ସ୍ପର୍ଶର

ଅପହଞ୍ଚ ଅନ୍ଧାରର ସିନ୍ଧୁକ ଭିତରେ ।’’

‘ଉଜ୍ଜ୍ୱଳ ଭବିଷ୍ୟତ’

 

ରମାକାନ୍ତଙ୍କ ଏ ବୈରାଗ୍ୟ କିନ୍ତୁ ସୀତାକାନ୍ତଙ୍କ କବିତାରେ ଏକ ଗଭୀର ଅତିଭୌତିକ ଅନୁରାଗରେ ଆଶାନ୍ୱିତ । ଏହି ଆର୍ଷ ଅନୁଭୂତିକୁ କବି ନିମ୍ନମତେ ପ୍ରକାଶ କରିଛନ୍ତି ।

 

‘‘ତୁମକୁ ଛୁଇଁଲେ ଥରେ ଅନ୍ଧାରରେ ଏ ମଲା ହାଡ଼ରେ

ଶବ୍ଦଙ୍କର ସମଗ୍ର ନୀଳଆକାଶ କଅଁଳିବ ।

ତମରି ମୃଦୁ ସଙ୍ଗୀତ ପ୍ରବେଶିଲେ ଏ ମଲା କାନରେ

ଥୁଣ୍ଟା ଦେହସାରା ଡାଳ ଓ ପତରରେ ଭାଙ୍ଗିଯିବ;

ନ ଦେଖି ତମରି ରୂପ/ଅନ୍ଧାର କଳାପର୍ଦାରେ କଳପିଲେ

ଦୁର୍ବାର ମରୁଭୂମିରେ ବଉଦ ଓଜାଡ଼ି ହେବ ।

ତାତିଲା ବାଲି ପାଇବ ବଉଦ ଆଶ୍ୱାସ ।

‘ବୁଢ଼ା ଭିକାରୀ’ (ଚିତ୍ରନଦୀ)

 

ଏହିପରି ରାଶି ରାଶି ରୂପକଳ୍ପର ପ୍ରୟୋଗରେ ଓଡ଼ିଆ-କବିତା ଖୁବ୍ ରସୋତ୍ତୀର୍ଣ୍ଣ ଓ ମନୋଜ୍ଞ । ଏପରି ପ୍ରୟୋଗରେ ଦୀପକ, ପ୍ରତିଭା, କମଳାକାନ୍ତ, ସୌଭାଗ୍ୟ, ସରୋଜରଞ୍ଜନ, ପ୍ରସନ୍ନ ମିଶ୍ର, ନୃସିଂହପ୍ରସାଦ ପ୍ରମୁଖ କବିମାନେ ଏହି ସମୟରେ ଅଧିକରୁ ଅଧିକ କଳାଗତ କୃଷ୍ଟି ପ୍ରଦର୍ଶନ କରିଛନ୍ତି । ଅବଚେତନ ମନର ଭାବତରଙ୍ଗ ସହିତ ଆବେଗାନୁଭୂତି ଓ ଆନୁପାତିକତାର ସମ୍ମିଶ୍ରଣରେ ଏହି ରୂପକଳ୍ପ ଓଡ଼ିଆ-କବିତାର ଭାବ ପ୍ରକାଶରେ ଆଜି ସବୁଠାରୁ ଅଧିକ ସକ୍ରିୟ ଭୂମିକା ନେଇ ଆସିଛି । ପ୍ରତୀକ ଓ ଉପମାଗର୍ଭକ ଏହି ରୂପଚେତନା କବିର ମାନସିକ ବୌଦ୍ଧିକ ଭାବଧାରା ସହ ପରିଦୃଶ୍ୟମାନ ଜଗତର ନିତିଦିନିଆ ଥିବା ଜିନିଷମାନଙ୍କୁ ଯୋଡ଼ି ଦେଇ ଏକ ଅଦ୍ଭୁତ କଳାଗତ ଜଗତ ସୃଷ୍ଟି କଲାବେଳେ ପାଠକ ଓଡ଼ିଆ-କବିତାର ସଂପ୍ରସାରଣଶୀଳ ଶକ୍ତିମତ୍ତାକୁ ଉପଲବ୍‌ଧି କରିଛି । ଦୀପକ ମିଶ୍ରଙ୍କ ‘‘ପ୍ରଥମ ପ୍ରସୂତୀ ପରି ଓଦା ବାଲିରେ ଶୋଇଥିବା ଖରା’’, ‘‘ଆକାଶରେ ଶବପରି ଝୁଲୁଥିବା ରାତ୍ରି’’, ‘‘ଘନିଷ୍ଠ ଅତିଥିପରି ଚୈତ ସକାଳେ ଫେରୁଥିବା ଶୀତ’’ ବା ବିଲେଇ ନିଶ୍ୱାସର ତୃପ୍ତିପରି ବସନ୍ତର ହସ, ସୌଭାଗ୍ୟ ମିଶ୍ରଙ୍କ ‘‘ତଳର ଗାଈଗୋଠ ବରଗଛ ଉପରେ/ଶୂନ୍ୟରୁ ଟଙ୍ଗା ଯାଇଥିବା ଚିତ୍ରପଟ୍ଟଟେ ପରି/ଫାଶୀ ଲଗେଇ ଦେବାର ନିଷ୍ପତ୍ତି ସତେଯେମିତି/ଅପେକ୍ଷା କରିଚି ଖଣ୍ଡେ ଦଉଡ଼ିର’’ (ପାହାଡ଼) ପବନରେ ଉଡ଼ୁଚି ଝିଅଙ୍କର କାନି/ହଳଦୀ ମସଲାର ବାସ୍ନା ଡେଉଁଚି ଏରୁଣ୍ଡି ବନ୍ଧ/ସଦ୍ୟ ଚାଲିଥିବା ଶିଶୁଙ୍କ ପରି-(ମାଛରଙ୍କା) କିମ୍ବା ‘‘ପାଗଳୀ ବୁଢ଼ୀ ପୃଥିବୀ ଭଙ୍ଗା ଦର୍ପଣଟେ ଧରି/ଦୂର ହସପିଟାଲର ଲମ୍ବା ବାରଣ୍ଡା ଶେଷରେ/ଲୋଟି ଯାଉଥାଏ ଉଚ୍ଚାଟ ହସରେ’’-(ସାରା ରାତି ସମୁଦ୍ର) ପ୍ରତିଭା ଶତପଥୀଙ୍କ ‘‘ଥଣ୍ଡା ଖଣ୍ଡେ ଲୋଚାକୋଚା ରୋଟିପରି କୋଳ ପଡ଼ିଥିବ ଖାଲି’’ କିମ୍ବା ‘‘କଜଳକଳା ମଥାଟି ଖାଇ ଖାଇ/ଖରାବର୍ଷା ଶୀତ ଓ କାକର/ଗଛଡାଳୁ ଖସିପଡ଼ିଥିବା ଚଢ଼େଇଙ୍କ ବସାପରି ଦିଶୁଥିବ’’-(ସବା ସାନପୁଅ) ସରୋଜ ମହାନ୍ତିଙ୍କ ‘‘ବୟସର ଅର୍ଗଳିରେ/ସମୟର କାପାଳିକ ହାତେ/ପିଲାଦିନ/ବଳି ପଡ଼ିଯାଏ ଅତି ନିଷ୍ଠୁର ଭାବରେ’’-(ମାନଚିତ୍ର) କିମ୍ବା ‘ଚିଠି କାଢ଼ି ଲଫାପାକୁ ଫିଙ୍ଗି ଦେବାଭଳି/କେବେଠାରୁ ଜ୍ୟେଷ୍ଠକୁ ସମୟ/ବିଦାକରି ଦେଲାଣି, ଆକାଶେ ଆଷାଢ଼ ବଉଦ ଭେଳା...ଜଙ୍ଗଲରେ ମୟୂରର ପୁଚ୍ଛ/କବିତାର ପଂକ୍ତି ଭଳି ଖେଳେ’’ (ମେଘ ମହ୍ଲାର) । ଏ ସବୁ ପ୍ରୟୋଗରେ କେହି କେହି କବି ଯେ ଯଥେଚ୍ଛାଚାର ଓ ଅନୁପାତହୀନତା ନ ଦେଖାଉଛନ୍ତି ନୁହେଁ, କିନ୍ତୁ ସାମଗ୍ରିକ ଭାବେ କବିତାର ଉଚ୍ଚତା ପାଇଁ ରୂପକଳ୍ପନାର ପ୍ରୟୋଗ ବୈଶିଷ୍ଟ୍ୟକୁ ଉପେକ୍ଷା କରାଯାଇ ପାରିବ ନାହିଁ ।

 

ଏ ସମୟର କବିତାରେ ପ୍ରୟୋଗାବଳୀ ସ୍ୱର ସହିତ ଏକ ପାରମ୍ପରିକ ରୋମାଣ୍ଟିକ୍‌ କାବ୍ୟସ୍ୱର ଓ ବାମପନ୍ଥୀ ମାନବବଳୀ କାବ୍ୟସ୍ୱର ତଥାପି ବଳବତ୍ତର ରହିଛି । ପ୍ରଥମ ଧାରାର କବି ଭାବେ ଗଡ଼ନାୟକ-କୁଞ୍ଜବିହାରୀ-ଜାନକୀବଲ୍ଲଭ-ବିନୋଦଚନ୍ଦ୍ର-କୃଷ୍ଣଚନ୍ଦ୍ର-ଦୁର୍ଗାଚରଣ ପରିଡ଼ା ପ୍ରମୁଖ କବିମାନେ ଓଡ଼ିଆ-କବିତା କ୍ଷେତ୍ରରେ ତାଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରଖିଥିବାବେଳେ, ଗୋଦାବରୀଶ ମହାପାତ୍ର-ମନୋଜ ଦାସ-ରବି ସିଂ-କୃଷ୍ଣଚରଣ ବେହେରା-ବ୍ରଜନାଥ ରଥ-ଦୁର୍ଗାଚରଣ ସାମନ୍ତ ଆଦି ବର୍ଷିଷ୍ଠ ଓ କନିଷ୍ଠ କବିମାନେ ସମାଜନିଷ୍ଠ ମାନବବାଦୀ ସ୍ୱର ପ୍ରତି ତଥାପି ବିମୁଖ ହୋଇନଥିଲେ । ଫଳରେ ଏହି ପ୍ରୟୋଗାବଳୀ କାଳରେ (୧୯୫୦-୬୭) ହିଁ ଓଡ଼ିଆ କବିତାକୁ ସବୁଠାରୁ ଅଧିକ ଚିତ୍ତସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଛି । ଏପରିକି କାବ୍ୟ ଆକୃତି (Form)ରେ ମଧ୍ୟ ପରାଗତ ଓ ସମାଗତର ବିପୁଳ ଦ୍ୱନ୍ଦ୍ୱ ଲାଗି ରହିଥିବା ଲକ୍ଷ୍ୟ କରାଯିବ । ସ୍ୱାଧୀନତା, ଏହାର ପ୍ରଥମ ମୋହ ଓ ମୋହଭଙ୍ଗ, ଜମିଦାରୀ ଉଚ୍ଛେଦ, ଯୋଜନା ଓ ଏହାର ପ୍ରାରମ୍ଭିକ ବିଫଳତା, ନିର୍ବାଚନ ଓ ନେତାମାନଙ୍କ ପ୍ରତାରଣାମୂଳକ ପ୍ରତିଶ୍ରୁତି, ରାଜନୈତିକ ଅନିଶ୍ଚିତତା, ଭାରତ-ଚାଇନା ଯୁଦ୍ଧ ଓ ତହିଁରୁ ଉଦ୍ଭୁତ ଏକ ବିସ୍ଫୋରଣମୁଖୀ ଜାତୀୟତାବୋଧ-ଏହିପରି ବ୍ୟାପକ ସମାଜ-ରାଜନୈତିକ-ଐତିହାସିକ ପୃଷ୍ଠଭୂମିରେ ଏ ସମୟର କାବ୍ୟସ୍ୱର ସଞ୍ଚରଣଶୀଳ ।

 

ଏହି ସମୟରେ କବିତାକୁ ରୋମାଣ୍ଟିକ-ବାସ୍ତବାବଳୀ କବିତା (Poetry of Romantic Realism) ନାମରେ ମଧ୍ୟ ଅଭିହିତ କରାଯାଇପାରେ । ସମାଜର ବାସ୍ତବସ୍ଥିତି, ଉତ୍କଟ ଅର୍ଥନୈତିକ ବୈଷମ୍ୟ, ହତାଶା ଓ ତହିଁରୁ ନିଷ୍କୃତି ପାଇଁ ଏକ ସ୍ୱପ୍ନ-ରାଜ୍ୟକୁ ପଳାୟନ ଏ ସମୟର କବିତାରେ ମଧ୍ୟ ଉପଲବ୍‌ଧି କରାଯାଇପାରେ । କବି ଅନନ୍ତ ପଟ୍ଟନାୟକ, ସଚ୍ଚିଦାନନ୍ଦ, ଗୁରୁପ୍ରସାଦ, ବେଣୁଧର, କୁଞ୍ଜବିହାରୀ, ଯଦୁନାଥ ଓ ଚିନ୍ତାମଣିଙ୍କ କବିତାରେ ଏହାର ଉଦାହରଣ ଥିଲେ ବି କବି ଗଡ଼ନାୟକଙ୍କ ‘ଧୂସର ଭୂମିକା’ (୧୯୬୨) ର ମୁଖବନ୍ଧରୁ ଗୋଟିଏ ବକ୍ତବ୍ୟ ଏଠାରେ ଉଦ୍ଧାର କରିବା ପ୍ରାସଙ୍ଗିକ ହେବ ।

 

‘‘ସାଂପ୍ରତିକ ପୃଥିବୀ ଦୁଃଖ, ବ୍ୟଥା, ବାଦବିସମ୍ବାଦ, ଭେଦାଭେଦ ଓ ନାନା ସମସ୍ୟାରେ ଭରା । ଜୀବନ ସହଜରେ ଶୁଷ୍କ ଓ ବିବର୍ଣ୍ଣ ହୋଇଯାଉଛି । ତଥାପି ଆଶାବଳୀ ମଣିଷ ଦେଖୁଛି, ତା’ର ସ୍ୱପ୍ନ-ଶ୍ୟାମଳ ସମାରୋହର ସ୍ୱପ୍ନ ।’’ ଏପରି ସ୍ୱପ୍ନ ଏକ ମାନସିକ ପ୍ରୟୋଜନୀୟତା ବୋଲି କହିବାକୁ ହେବ ।

 

ସମାଜ ପ୍ରତି ପ୍ରତିକ୍ରିୟାରୁ ରୋମାଣ୍ଟିକ୍‌-ବାସ୍ତବବାଦୀ କାବ୍ୟସ୍ୱର ଆସିପାରିଥାଏ; କିନ୍ତୁ ଜୀବନପ୍ରତି ପ୍ରତିକ୍ରିୟାରୁ ପ୍ରୟୋଗାବଳୀ କବିତାର ସୃଷ୍ଟି-ଏ ସୂକ୍ଷ୍ମ ରହସ୍ୟକୁ ଉପଲବ୍‌ଧି କରିବାକୁ ହେବ । ଜୀବନ ପ୍ରତି ମୋହହୀନ ବ୍ୟଞ୍ଜନାତ୍ମକ ଦୃଷ୍ଟିଭଙ୍ଗୀ, ବାସ୍ତବତା ପ୍ରତି ଅନ୍ତରଙ୍ଗତା, ଆତ୍ମିକ ଉପଲବ୍‌ଧର କଳାତ୍ମକ ପ୍ରକାଶ ସାଂପ୍ରତିକ କବିତାକୁ ଯେ ଖୁବ୍ ଭାବବାହୀ କରିଛି, ଏଥିରେ ସନ୍ଦେହ ନାହିଁ । ଜୀବନର ସୂକ୍ଷ୍ମ ଓ ମନସ୍ତାତ୍ତ୍ୱିକ ସମସ୍ୟାବଳୀକୁ ନେଇ ଏ କାବ୍ୟଧାରା ସଙ୍ଗଠିତ ହୋଇଥିବାରୁ କାବ୍ୟଶୈଳୀରେ ମଧ୍ୟ କୃତ୍ରିମତା ପରିହାର କରାଯାଇଛି । ଛନ୍ଦ-ନିର୍ଭର ସାଙ୍ଗୀତିକ କାବ୍ୟ-ଭାଷା ଓ ଶୈଳୀ କ୍ରମେ ଏ ସମୟରେ ଅଚଳ ହୋଇ ପଡ଼ିଛି । କିନ୍ତୁ ପଦବନ୍ଧ ଓ ଗଦ୍ୟଛନ୍ଦ ନାମରେ ସମ୍ପୂର୍ଣ୍ଣ ଗଦ୍ୟଶୈଳୀ ଓ କଂକ୍ରିଟ୍ କବିତାର ଯଥେଚ୍ଛାଚାର ଆବେଗଧର୍ମୀ ଓଡ଼ିଆ-କବିତାରେ ଏକ ବିଲକ୍ଷଣ ସୃଷ୍ଟି କରିବସିଛି । ଗୁରୁପ୍ରସାଦ, ରମାକାନ୍ତ ଓ ସୌଭାଗ୍ୟ ଯେଉଁପରି ଇଂରେଜୀ କବିତାର ଶୈଳୀକୁ ଅବଲମ୍ବନ କରିଛନ୍ତି, ସଚ୍ଚିବାବୁ ସେହିପରି ଫ୍ରେଞ୍ଚ୍‌ କବିତାର ପ୍ରଭାବରେ କିଛି କିଛି କଂକ୍ରିଟ୍ କବିତା (କବିତା-୧୯୬୨ରୁ ‘ଶୀତ’, ‘ଦର୍ପଣ’ ଆଦି କବିତା ଦ୍ରଷ୍ଟବ୍ୟ) ଲେଖିବାରେ ଉତ୍ସାହିତ ହୋଇଛନ୍ତି । ଏ ସବୁ କବିତାର ଶୈଳୀକୁ ପରବର୍ତ୍ତୀକାଳରେ କବି ରାଜେନ୍ଦ୍ର ପଣ୍ଡା (‘ଅନବତାର’) ଓ କମଳାକାନ୍ତ (‘ଉତ୍ତରଣ’) ପ୍ରମୁଖ ଅନୁକରଣ କରିଥିଲେ ବି ଏପରି କବିତା ରଚନା ପଛରେ ଦୃଷ୍ଟିଭଙ୍ଗୀ ଅପେକ୍ଷା ଭଙ୍ଗୀ (Pose) ବା ଠାଣିର ମାତ୍ରା ଅଧିକ ଥିବାରୁ ତାହା ପାଠକବର୍ଗଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିପାରି ନାହିଁ ।

 

ନାନାଦି କାରଣରୁ ପ୍ରୟୋଗବାଦୀ କବିତା ବିରୁଦ୍ଧରେ ଅଧିକରୁ ଅଧିକ ଅଭିଯୋଗର ସ୍ୱର ଶୁଣିବାକୁ ମିଳିଛି । ଏ କବିତାର ଅବୋଧ୍ୟତା, ଦୁର୍ବୋଧ୍ୟତା ଓ ଆଙ୍ଗିକ ପରୀକ୍ଷାକୁ ନେଇ ଏ ସବୁ ଅଭିଯୋଗ କେନ୍ଦ୍ରୀଭୂତ ହୋଇଛି । କାବ୍ୟ ଭାବନାରେ ବେଳେ ବେଳେ ଅନ୍ତରଙ୍ଗ ଅନୁଭୂତିର ଅଭାବ, ପ୍ରକାଶନରେ ସଙ୍ଗଠନର ଅଭାବ, ଅତିରିକ୍ତ ବ୍ୟକ୍ତିଗତତା (esotericism), ଅତିରିକ୍ତ ବୌଦ୍ଧିକତା, ଏ ସମୟର ବହୁ କବିତାକୁ ଦୁର୍ବୋଧ୍ୟ କରିଛି । ବକ୍ତବ୍ୟକୁ ସ୍ଵଷ୍ଟ ଓ ସିଧାସଳଖ ଭାବେ ନ କହି ବହୁ ଐତିହାସିକ ସୂଚନା, ଭାବବାହୀ ବୌଦ୍ଧିକ ଚେତନା, ଅପ୍ରଚଳିତ ଚିତ୍ରକଳ୍ପ ଓ ପ୍ରତୀକ ମଧ୍ୟ ଦେଇ ନିଜସ୍ୱ ଚିନ୍ତାଧାରା ପ୍ରକାଶ କଲାବେଳେ ପାଠକ ସହିତ ଅନେକ ସମୟରେ ଯୋଗସୂତ୍ର ସ୍ଥାପିତ ହୋଇପାରି ନାହିଁ । ଏହାକୁ ଭାବ ପ୍ରକାଶନରେ କବିର ବ୍ୟର୍ଥତା ଓ ଭାବବହନରେ ପାଠକର ଅସାମର୍ଥ୍ୟ, ମୋଟ ଉପରେ Communication gap ଭାବେ ନାମିତ କରାଯାଇପାରେ ।

 

କିନ୍ତୁ ଏ ସବୁ ଅଭିଯୋଗକୁ ଅତିକ୍ରମ କରି ୧୯୬୭-୮୫ କାଳରେ ସାଂପ୍ରତିକ ଓଡ଼ିଆ କବିତା କିଛି ନିର୍ଦ୍ଦିଷ୍ଟ ରୂପ ଓ ଆକୃତି ବହନ କରିଥିବା ସ୍ୱୀକାର କରିବାକୁ ହେବ । ଅବଶ୍ୟ ୧୯୬୭-୮୫ ରେ ପ୍ରକାଶିତ କବିତା ପୂର୍ବାଲୋଚିତ ପ୍ରୟୋଗବାଦୀ କବିତାର ଏକ ସଂପ୍ରସାରିତ ରୂପ ବୋଲି କୁହାଯାଇ ପାରେ । କାରଣ ସାଂପ୍ରତିକ କବିତାରେ ଯଥାର୍ଥତଃ ଉତ୍ତର ଷାଠିଏର କବିମାନେ କାବ୍ୟ-ନେତୃତ୍ୱ ଗ୍ରହଣ କରିଥିବା ସୁସ୍ପଷ୍ଟ । କାରଣ ପରଂପରାବାଦୀ ଓ ପ୍ରଗତିବାଦୀ ବର୍ଷିୟାନ କବିମାନେ ଏ ସମୟରେ ପ୍ରାୟ ନୀରବ ହୋଇ ଯାଇଛନ୍ତି । ସଚ୍ଚିବାବୁଙ୍କ କବିତାରେ ବହୁପ୍ରୋଷିତ ପୂର୍ବତନ ସାମାଜିକ ଅନୁଜ୍ଞାର ସ୍ୱର ସମ୍ପୂର୍ଣ୍ଣ ବିସର୍ଜିତ ହୋଇଥିବାବେଳେ ଦୀର୍ଘ ବିଂଶାଧିକ କାଳର ନୀରବତା ପରେ ଉତ୍ତର ସତୁରୀରେ ଶ୍ରୀ ରଘୁନାଥ ଦାସଙ୍କ (ଶ୍ରୀ ଜଟାୟୁ) କବିତା କ୍ଷେତ୍ରକୁ ପୁନରାଗମନ ସମାଜବାଦୀ କାବ୍ୟ ସନନ୍ଦର ବୈପ୍ଲବିକ ଆହ୍ୱାନକୁ ସ୍ୱରାୟିତ କରିଅଛି । ଏହା ଏକାନ୍ତ ତାତ୍‌ପର୍ଯ୍ୟର ବିଷୟ । କିନ୍ତୁ ସାଂପ୍ରତିକ କବିତାରେ ସମାଜ ଓ ପରିପାର୍ଶ୍ୱପ୍ରତି କବିର ପ୍ରତିକ୍ରିୟା ଯେଉଁପରି ତୀକ୍ଷ୍‌ଣ ଓ ଶାଣିତ, ସେହିପରି କଳାତ୍ମକ ଭାବେ ପ୍ରକାଶିତ । କିନ୍ତୁ ଏ କାବ୍ୟସ୍ୱରକୁ ସଚ୍ଚିଦାନନ୍ଦ-ଅନନ୍ତ-ରଘୁନାଥ-ମନମୋହନ-ରବି ସିଂ-ବ୍ରଜନାଥ ବା ଦୁର୍ଗାଚରଣ ସାମନ୍ତଙ୍କ ବାମପନ୍ଥୀ କାବ୍ୟସ୍ୱର ସହିତ ସମତୁଲ କରାଯାଇ ପାରିବ ନାହିଁ । ଏହି ପ୍ରବୀଣ କବିମାନେ ଅବିସମ୍ବାଦିତଭାବେ ଦୀର୍ଘଦିନ ଧରି ସାମାଜିକ ଅନାଚାର ଓ ଆର୍ଥନୀତିକ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସିଥିଲେ ବି ରାଜନୈତିକ ଓ ଅର୍ଥନୀତିକ ପରିସ୍ଥିତିକୁ କବଳିତ କରି ରଖିଥିବା ଅଶୁଭ ଶକ୍ତିର ପ୍ରଭାବରୁ ତଥାପି ଆମ ସମାଜ ମୁକ୍ତି ପାଇନାହିଁ । ସମାଜର ପ୍ରତ୍ୟେକ ସ୍ତରରେ ରୋପିତ ଦୁର୍ନୀତି ଓ ବୈଷମ୍ୟର ଚାରା ଶଂସିତ କଳରେ ବରଂ ଏକ ଏକ ମହାଦ୍ରୁମରେ ପରିଣତ ହୋଇ ବସିଛି । ସାଂପ୍ରତିକ କବିତାରେ ତେଣୁ ସମାଜର ଏ ବିରୋଧାଭାସ ବିରୁଦ୍ଧରେ ପ୍ରତିବାଦର ସ୍ୱର କ୍ଷୀଣ ହେଲେ ବି ଏକାନ୍ତ କଳାତ୍ମକ । ରମାକାନ୍ତ ରଥଙ୍କ ‘ଧନୀ ପ୍ରତି ଭୃତ୍ୟର ଭକ୍ତି’ ‘ଧୀବର’, ଶ୍ରୀ ଜଟାୟୁଙ୍କ ‘ମୃଗୁଣୀ ସ୍ତୁତି’, ରାହୁଗ୍ରାସ, ରବି ସିଂହଙ୍କ ‘ଭଗୀରଥ’ ବ୍ରଜନାଥ ରଥଙ୍କ ‘ପୋଷ୍ଟାର’, ଭୀମକାନ୍ତଙ୍କ ‘କାହାକୁ କହିବା’ ଆଉ ପ୍ରତିଭା ଶତପଥୀଙ୍କ ‘କୁଷ୍ଠୀର ମଧୁଶଯ୍ୟା’, ‘ସାବିତ୍ରୀ ଉବାଚ’, ଦୀପକ ମିଶ୍ରଙ୍କ ‘ରାବଣ ଓ ରଘୁସଂହୀତା’ ଆଦି କବିତା ଯେଉଁମାନେ ପଢ଼ିଥିବେ ସେମାନେ ନିଶ୍ଚୟ ସ୍ୱୀକାର କରିବେ ଯେ କବିତାର ପରିପାର୍ଶ୍ୱଠାରୁ ନିଜକୁ ବିଚ୍ଛିନ୍ନ କରି ରଖିପାରେ ନାହିଁ । ପରିପାର୍ଶ୍ୱ ପ୍ରତି ଏହି ପ୍ରତିକ୍ରିୟା କେତେବେଳେ ବୈପ୍ଲବିକ ପ୍ରତିବାଦର ସ୍ୱର ନେଇ କେତେବେଳେ ବା ସୂକ୍ଷ୍ମ କଳାତ୍ମକ ଅଶ୍ରୁଳ କାରୁଣ୍ୟରୂପେ ବ୍ୟଞ୍ଜନା ମଧ୍ୟରେ ଆତ୍ମପ୍ରକାଶ କରିଥାଏ । ସାମାଜିକ ନ୍ୟସ୍ତସ୍ୱାର୍ଥ, ରାଜନୈତିକ ଛଦ୍ମତା, ଆର୍ଥନୀତିକ ଅସଙ୍ଗତି, ନିଷ୍ଠୁର ଅମାନବିକତା ସବୁକାଳେ କବିକୁ ବିଦ୍ରୋହୀ କରିଥିଲେ ବି ସାଂପ୍ରତିକ ଓଡ଼ିଆ କବିତାରେ ତା’ର ରୁଦ୍ଧବେଦନା ଓ ଅସନ୍ତୋଷ କଳାତ୍ମକଭାବେ ପ୍ରକାଶିତ ହୋଇଛି ।

 

ଏହି ସମୟର କବିତା ସମାଜ ଓ ପରିପାର୍ଶ୍ୱ ପ୍ରତି ପ୍ରତିକ୍ରିୟାରେ ଯେଉଁପରି ତୀକ୍ଷ୍‌ଣ ଜୀବନ ଚର୍ଯ୍ୟାରେ ଏହାର ସ୍ୱର ସେତିକି ଗଭୀର, ନିହୀତ ଓ ଅନ୍ତରଙ୍ଗ । ପ୍ରେମ ପ୍ରତି କବିର ପ୍ରତିକ୍ରିୟା ଅପରିବର୍ତ୍ତିତ ଥିବାବେଳେ ଜୀବନ ଓ ମୃତ୍ୟୁ ପ୍ରତି ଅଧିକରେ ମାନସିକ ଆଲୋଡ଼ନ ପ୍ରକାଶ ପାଇଛି । ତା’ ମନରୁ ପାପବୋଧ, ନୈରାଶ୍ୟ ଓ ମୃତ୍ୟୁର ଆତଙ୍କ ଦୂର ହୋଇ ଜୀବନ ଓ ମୃତ୍ୟୁ ସହିତ ବିପୁଳ ବୁଝାମଣା ପ୍ରତିଷ୍ଠିତ ହୋଇଛି । ମୃତ୍ୟୁ ଓ ଜୀବନଚେତନା ସାଂପ୍ରତିକ କବିତାରେ ଏକ ମାନସିକ ଆବେଗ ଭାବେ ପ୍ରତିଷ୍ଠିତ ହୋଇଛି । ଉଦାହରଣ ସ୍ୱରୂପ ରମାକାନ୍ତଙ୍କ କବିତାରେ ମୃତ୍ୟୁକୁ ଏକ ଆରାମଦାୟକ ସ୍ୱାଭାବିକ ପରିଣତି ଭାବେ ଗ୍ରହଣ କରାଯାଇଛି । ସେ ମୁର୍ଦ୍ଦାରଙ୍କ ଚତୁର୍ଦ୍ଦିଗରେ ଅନିର୍ବଚନୀୟ ସୌନ୍ଦର୍ଯ୍ୟ ଉପଲବ୍‌ଧି କରନ୍ତି । ମୃତ୍ୟୁ ପ୍ରତି ଅଯଥା ଦୁଃଶ୍ଚିନ୍ତା ବା ଆତଙ୍କ କାହିଁକି ? (ଉଜ୍ଜ୍ୱଳ ଭବିଷ୍ୟତ, ଶାଗୁଣା) କବି ଦୀପକ ମିଶ୍ର ମୃତ୍ୟୁକୁ ନିରାପଦ ରମଣୀୟ ସ୍ଥାନ ଭାବେ ପରିକଳ୍ପନା କରନ୍ତି ଓ ରମଣୀର କୋଳପରି ସେଠାରୁ ପ୍ରସ୍ଥାନ ପାଇଁ ତାଙ୍କ ମନ ଚାହେଁ ନାହିଁ । କବି ପ୍ରତିଭା ମୃତ୍ୟୁକୁ ଦୁର୍ଦ୍ଦାନ୍ତ ପ୍ରେମିକ ଭାବେ ପରିକଳ୍ପନା କରନ୍ତି । କବି କମଳାକାନ୍ତ ନିର୍ଜନ, ନିଃସଙ୍ଗ, ପ୍ରତିଶ୍ରୁତିହୀନ ଜୀବନ ପାଇଁ ମୃତ୍ୟୁକୁ ନୂତନ ବସନ୍ତର ଆଗମନଭାବେ ପରିକଳ୍ପନା କରିଛନ୍ତି । ସୀତାକାନ୍ତଙ୍କ କବିତାରେ ଗୋଡ଼ ଓ ମୁଣ୍ଡପୋତି ଠିଆ ହେବାର ଆଜୀବନ ବିରକ୍ତିରୁ ମୃତ୍ୟୁ ଏକ ପରମ ତୃପ୍ତିର ଆସ୍ୱାଦନ ଦିଏ (‘ସମୁଦ୍ର’) । ତେଣୁ ସାମ୍ପ୍ରତିକ କବି ମୃତ୍ୟୁକୁ ଏକ ବାଦ ବା ଦର୍ଶନଭାବେ କିମ୍ବା ବଞ୍ଚିବାର ଏକ ନିୟମ ଭାବେ ସ୍ୱୀକାର କରିନେଇଛି । ମୃତ୍ୟୁପାଇଁ ତା’ର ଆଉ ଆତଙ୍କ ନାହିଁ, ବରଂ ତା’ ପାଇଁ ଏ ସମୟର କାବ୍ୟଚେତନାରେ ଏକ ଅପ୍ରତିହତ ଅନ୍ୱେଷଣର ଭାବ ପ୍ରକାଶ ପାଇଛି ।

 

ମୃତ୍ୟୁଚେତନାର ଅବଶ୍ୟମ୍ଭାବୀ ପରିଣତି ଭାବେ ସାମ୍ପ୍ରତିକ ଓଡ଼ିଆ-କବିତାର ଏକ ବୃହତ୍ତମ ଶକ୍ତି ପାଖରେ ଆତ୍ମ-ସମର୍ପଣର ସ୍ୱର ବା ଏକ ଇନ୍ଦ୍ରିୟୋତ୍ତର କାବ୍ୟସ୍ୱର କ୍ରମେ ସ୍ପଷ୍ଟ ହୋଇଛି । ୧୯୬୦ ମସିହା ବେଳକୁ ଓ କିଞ୍ଚିତ୍ ପରେ ସଚ୍ଚିଦାନନ୍ଦ, ବେଣୁଧର, ଗୁରୁପ୍ରସାଦଙ୍କ କବିତାରେ ଯେଉଁ ଆଧ୍ୟାତ୍ମିକ ଅନୁଯୋଗ ପ୍ରକାଶ ପାଇଥିଲା ସାଂପ୍ରତିକ କବିତାରେ ତାହା ଅଧିକ ଅର୍ଥବାହୀ ହୋଇ ଉଠିଛି । (୩) ସଂପ୍ରତି ଏହି କାବ୍ୟସ୍ୱର ଆମ କବିତାର ପାରମ୍ପରିକ ଏକ ପ୍ରାକ୍-୧୯୩୫ କାବ୍ୟସ୍ୱର ସହିତ ଯୋଗସୂତ୍ର ସ୍ଥାପନ କରେ । ଏହି ପରମ୍ପରା ଉପରେ ସୀତାକାନ୍ତଙ୍କ ‘ଆରଦୃଶ୍ୟ’, ରମାକାନ୍ତଙ୍କ ‘ସପ୍ତମଋତୁ’ର କାବ୍ୟଭାବନା ସଂଘଠିତ । କବି ଅନୁଭବ କରିଛି ମାଟିରେ ପାଦ ଦୁଇଟି ଥାପି ଥିଲେ ବି ହାତ ତା’ର ସଂପ୍ରସାରିତ ହୋଇ ରହିଛି ଉର୍ଦ୍ଧ୍ୱ ଆକାଶକୁ । କବିତାରେ ମନ ଓ ଦେହ କଥା ଅନେକ କୁହାଗଲାପରେ ଆତ୍ମା ଓ ପରମାତ୍ମାର ସମ୍ପର୍କ ବିଷୟରେ ତଥା ମୃତ୍ୟୁ-ଉତ୍ତର ଏକ ଜଗତ୍‌ ବିଷୟରେ ଏ ସମୟରେ ପୁନଶ୍ଚ କବି କହିବାକୁ ଆରମ୍ଭ କରିଛି । ଏହି ମର୍ମରେ ସର୍ବଶକ୍ତିମାନ୍ ଭଗବାନଙ୍କଠାରେ ତା’ର ଶ୍ରଦ୍ଧା, ବିଶ୍ୱାସ ଓ ସମର୍ପଣ ନିବେଦିତ ମଧ୍ୟ । ଏପରିକି କବିଚିନ୍ତାରେ ଏକ ବଳିଷ୍ଠ ଆଶାବାଦ ମଧ୍ୟ ପ୍ରକଟିତ ହୋଇଛି । ବ୍ୟକ୍ତିଗତ ସ୍ଥିତି ଓ ସୀମାର ଅସାରତାଜନିତ ଉପଲବ୍‌ଧିରୁ ତଥା ନିଜସ୍ୱ ସୀମିତ ଅକୁଳାନ ପୁରୁଷାକାର ମଧ୍ୟରୁ କାବ୍ୟନାୟକ ମନରେ ଏକ ଶାଶ୍ଵତ ଅତିଭୌତିକ ଶକ୍ତିପ୍ରତି ବିଶ୍ୱାସ ଦୃଢ଼ୀଭୂତ ହୋଇଛି ।

 

(୩)

ଏ ପ୍ରସଙ୍ଗରେ ସଚ୍ଚିବାବୁଙ୍କ ‘ସ୍ୱଗତ’ କବିତାର ଶୁଭ୍ର ଆମ୍ବୁଲାନ୍‌ସ, ‘ସୀମାନ୍ତଟ୍ରେନ୍’ କବିତାର ସୀମାନ୍ତଟ୍ରେନ୍ ପ୍ରତୀକ ; ଗୁରୁପ୍ରସାଦଙ୍କ ‘ଅକ୍ରୂର ଉବାଚ’, ବେଣୁଧରଙ୍କ ‘ପିଙ୍ଗଳାର ସୂର୍ଯ୍ୟ’, ‘ନିଶୀଥର ଗୀତ’, ‘ଆଶାବରୀ’ ଆଦି କବିତା ଦ୍ରଷ୍ଟବ୍ୟ ।

 

‘‘ସ୍ୱର୍ଗୀୟ ଆଲୋକରେ ଉଦ୍‌ଭାସିତ ମୃତୁହୀନ ଭବିଷ୍ୟତ କାଳ’’

କିମ୍ବା ‘‘ସେ ଏକ ପୃଥକ୍ ଋତୁ । ତାହା ପରି ଋତୁ ଏ ପର୍ଯ୍ୟନ୍ତ ସେଦିନୁ ଆସିନାହିଁ ।’’

 

କିମ୍ବା ‘‘କାଲି ସଂଧ୍ୟା ପୂର୍ବେ ଯାହାଥିଲା ଏଠି

ଏକ ଥୁଣ୍ଟା ଗଛ ତାହା ଆଜି ଅବନତ କଦମ୍ବଭାରରେ’’

 

ଏହିପରି ପର୍ଯ୍ୟାପ୍ତ ଓ ବହୁଳ ସୁଲଭ କାବ୍ୟ ପଙ୍‌କ୍ତିମାନଙ୍କୁ ବିଶ୍ଲେଷଣ କଲେ ଏହି ମେଟାଫିଜିକଲ୍ କାବ୍ୟସ୍ୱରର ତାତ୍‌ପର୍ଯ୍ୟ ବୁଝିହେବ । କିନ୍ତୁ ଏ ସ୍ୱର ବେଳେ ବେଳେ ଏକାନ୍ତ ବାଷ୍ପରୁଦ୍ଧ । ତେଣୁ ଖୁବ୍ ସହଜରେ ଶୁଣାଯାଏ ନାହିଁ । ପୁଣି ଏ ସ୍ୱର ଯେପରି କବି ଅନ୍ତରର ଚିରନ୍ତନ ଏକ ନିସ୍ତବ୍‌ଧ ଇଲାକାରୁ ଶୁଣାଯାଏ; ଫଳରେ ବେଳେ ବେଳେ ଅତ୍ୟନ୍ତ ଅସ୍ପଷ୍ଟ ମଧ୍ୟ । ସୀତାକାନ୍ତ ତାଙ୍କ ‘ଚିତ୍ରନଦୀ’ ର ମୁଖବନ୍ଧରେ କହିଛନ୍ତି-‘‘ପଞ୍ଜୁରୀର ରଇତ ଏଇ ମଣିଷ । ତା’ ହାତରେ ଶୂନ୍ୟ ବଇଁଶୀରେ କେଉଁ ସୁଦୂରର ସଙ୍ଗୀତ । କେଉଁଠି ତା’ର ସ୍ଥାୟୀ ଘର ? କେଉଁ ପଞ୍ଜୁରୀରୁ କେଉଁଥି ପାଇଁ ଶୂନ୍ୟପକ୍ଷ ମେଲି ତାକୁ ଉଡ଼ିଯିବାକୁ ହୁଏ ।’’ ମାନବିକ ଅକ୍ଷମତା ଓ ଆଧ୍ୟାତ୍ମିକ ପଙ୍ଗୁତା ବିଷୟରେ ସଚେତନ ତାଙ୍କ କାବ୍ୟନାୟକ ଗଭୀର ଭଗବତ୍ ବିଶ୍ୱାସ ଓ ଆଧ୍ୟାତ୍ମିକ ଅନୁରାଗରେ ଉପରକୁ ଚାହିଁ ରହେ; ଠିକ୍; ଯେପରି ଏଇ ବିଶ୍ୱାସରେ ଦୀପକଙ୍କ କାବ୍ୟଚିନ୍ତାରେ ଥୁଣ୍ଟାଗଛବି ପୁଷ୍ପିତ ହୋଇଯାଏ, ମରୁଭୂମିରେ ବର୍ଷା ଧାରା ଅଜାଡ଼ି ହୋଇ ପଡ଼େ (‘ସମର୍ପଣ’) । କବି ଲକ୍ଷ୍ମୀକାନ୍ତଙ୍କ ‘ଭୂମା’ କାବ୍ୟଗ୍ରନ୍ଥ ଓ ମମତା ଦାଶଙ୍କ ‘ଏକତ୍ର ଚନ୍ଦ୍ରସୂର୍ଯ୍ୟ’ କବିତା ସଂକଳନରୁ ଏଇ ଅନୁଭୂତିର ଚମତ୍କାର ସ୍ୱର ଶୁଣିବାକୁ ମିଳେ । କବି ସୌଭାଗ୍ୟ ମିଶ୍ରଙ୍କ ‘ଯାତ୍ରାସଙ୍ଗୀତ’ ଓ ପ୍ରତିଭା ଶତପଥୀଙ୍କ ‘ଗୋଠ ଜଗୁଆଳ’ର ଆତ୍ମିକ କାବ୍ୟ-ଭାବନା ଏହି ରହସ୍ୟାନୁଭୂତି ଉପରେ ସଙ୍ଗଠିତ ।

 

‘‘ଆୟୁଷ୍ମାନ୍ ମଣିଷ/ଗାଧୋଇ ସାରି ଧର୍ମକର୍ମ କରେ

ପ୍ଲେନ୍‌ଚଢ଼ି ଦୂର ଦେଶକୁ ଉଡ଼ିଯାଏ ବେଳ ଆସିଲେ’’

-(ଯାତ୍ରାସଙ୍ଗୀତ)

କିମ୍ବା ‘‘ବଇଁଶୀ ଧଇଲେ ଆକାଶ ଦି’ଭାଗ ହୁଏ/ସ୍ୱର୍ଗ ଦିଶିଯାଏ

କେଉଁ ଏକ ସନ୍ନ୍ୟାସୀର ଉଦାର ନିବିଷ୍ଟ ଆଖି ଚାହିଁରହେ

ନା ଗୋଠ, ନା ଘରଦ୍ୱାର/ଆଉ କିଛି ମନେ ରହେ’’

-(ଗୋଠ ଜଗୁଆଳ)

 

ସେଇ ବଳିଷ୍ଠ ଆଶାବାଦର ସ୍ୱର କମଳାକାନ୍ତ (‘ଅପେକ୍ଷା କେବଳ’) ଜଗନ୍ନାଥ ପ୍ରସାଦ ଦାସ (‘ଯାଦୁକରର ଖେଳ ସରିଲେ’), ସରୋଜ ମହାନ୍ତି (‘ପକ୍ଷୀ’) ନାନା ପ୍ରତୀକ ଓ ରୂପକଳ୍ପ ମଧ୍ୟରେ ପ୍ରକାଶ କରିଛନ୍ତି । ସାଂପ୍ରତିକ ଓଡ଼ିଆ କବିତାରୁ ବ୍ୟକ୍ତିଗତ ବିଫଳତା, ଅଚରିତାର୍ଥତା, ନୈରାଶ୍ୟ, ଯନ୍ତ୍ରଣାବୋଧ ଓ ବିଚ୍ଛିନ୍ନତାବୋଧରୁ ପାରହୋଇ କ୍ରମେ ଅତିଭୌତିକ ବିଶ୍ୱାସରେ ଆଶାୟିତ ଆହ୍ୱାନ ଶୁଣାଇ ଚାଲିଛି ।

 

ଉପସଂହାରରେ କୁହାଯାଇପାରେ ଯେ, ଆବେଗ ସହିତ ବୌଦ୍ଧିକତାର ସମବାୟରେ ସାଂପ୍ରତିକ କବିତା ଯେତିକି ରୋମାଣ୍ଟିକ୍ ସେତିକି ବାସ୍ତବବାଦୀ । ଏହାର ସ୍ୱର ପ୍ରୟୋଗବାଦୀ କାଳର କ୍ଳିଷ୍ଟତାକୁ ଅତିକ୍ରମ କରି କ୍ରମେ ଅଧିକ ସ୍ୱଚ୍ଛ, ସୁବୋଧ୍ୟ ଭାବବାହୀ ଓ ସଂପ୍ରସାରଣଶୀଳ ହେବାରେ ଲାଗିଛି । ସଂପ୍ରତି ଓଡ଼ିଆ କବିତା ସଂପୂର୍ଣ୍ଣ ଭାବେ ତା’ର ନିଜସ୍ୱ ବିଭବକୁ ଖୋଜୁଛି । ତା’ର ମୂଳ ବା ପରଂପରା ସହିତ ଯୋଗସୂତ୍ର ଲୋଡ଼ୁଛି ଓ ନିଜସ୍ୱ ଶକ୍ତିମତ୍ତା ପ୍ରତି ସଚେତନ ହେଉଛି । ବୁଦ୍ଧିବାଦୀ ପରୀକ୍ଷା, ପ୍ରୟୋଗ ଓ ବ୍ୟକ୍ତିଗତ ତା’ଠାରୁ କବିତା କ୍ରମେ ମୁକ୍ତ ହୋଇ ସାଧାରଣ ପାଠକ ସହ ଯୋଗାଯୋଗ ସ୍ଥାପନ ପାଇଁ ବ୍ୟାକୁଳତା ପ୍ରକାଶ କରୁଛି । କବିତାର ଭାବ ଓ ଭାଷା କ୍ରମେ ସରଳ ହେଉଛି । ଶକ୍ତିଶାଳୀ ରୂପକଳ୍ପ, ପ୍ରତୀକ ଓ ମିଥ୍‌ର ସ୍ଥାପତ୍ୟ ମଧ୍ୟରେ କାବ୍ୟଚେତନାକୁ ପ୍ରକାଶ କଲାବେଳେ ସାଂପ୍ରତିକ କବିମାନେ ମୁକ୍ତଛନ୍ଦ, ଗଦ୍ୟଛନ୍ଦ ଓ ବାକ୍‌ରୀତି—ଯାହା ଅବଲମ୍ବନ କରନ୍ତୁନା କାହିଁକି ତା’ର ଶ୍ରୁତିମଧୁର ଲାଳିତ୍ୟ ପ୍ରତି କ୍ରମେ ସଚେତନ ହେଉଛନ୍ତି । କାବ୍ୟଭାଷା ଓ ଶୈଳୀରେ ଅଧିକ ନମନୀୟତା ବା ଋଜୁତା, କାବ୍ୟ ଭାବନାରେ ଅଧିକ ସ୍ୱଚ୍ଛତା ଓ ରୁଚିଶୀଳତା, ଅନ୍ତଃଛନ୍ଦରେ ସାଙ୍ଗଠନିକ ଶ୍ରୁତିମାଧୁର୍ଯ୍ୟ, ସବୁ ଦିଗରୁ ଓଡ଼ିଆ କବିତାରେ ସଂପ୍ରତି ଯେଉଁ ସାଫଲ୍ୟ ଆସିଛି ତାହା ଓଡ଼ିଆ ଭାଷାର ପ୍ରାଚୀନତା ଓ ପରିପକ୍ୱତାର ସୂଚନା ଦିଏ । ପ୍ରବୀଣ କାବ୍ୟ ମାନସରୁ ‘ଶ୍ରୀରାଧା’ ପରି କାବ୍ୟଗ୍ରନ୍ଥଟିଏ ଆମ କାବ୍ୟ-ସାହିତ୍ୟର ଉଚ୍ଚତାକୁ ଚିହ୍ନିତ କରିପାରିଛି । ଏହି ପୌରାଣିକ ଚରିତ୍ରରେ ଆଧୁନିକ ମଣିଷର ବ୍ୟଥା ଓ ବେଦନା, ଆକୁତି ଓ ଆକୁଳତା, ଦହନ ଓ ନିର୍ବାସନ, ଅପେକ୍ଷା ଓ ଉପେକ୍ଷା ଏକାନ୍ତ ଲୌକିକ ଓ ଅନ୍ତରଙ୍ଗ ଭାବେ ପ୍ରକାଶ ପାଇପାରିଛି-ଅଥଚ କାବ୍ୟ ଅନେକ ପରିମାଣରେ ତା’ର ଧ୍ରୁପନ୍ଦୀ ଗାମ୍ଭୀର୍ଯ୍ୟ ମଧ୍ୟ ରକ୍ଷା କରିପାରିଛି । ପୌରାଣିକ ଚେତନାଗୁଡ଼ିକୁ ଏ ସାହିତ୍ୟରେ ରସୋତ୍ତୀର୍ଣ୍ଣ କରି ପ୍ରକାଶ କରିବାରେ ଏ ଭାଷାର ଯେଉଁ ଶକ୍ତିମତ୍ତା ରହିଛି ତା’ସହିତ ଉନ୍ନତ ରୁଚି ଓ ପ୍ରବୀଣ ମନର ଆତ୍ମୀୟ ସଂଯୋଗରେ ଏ କବିତା ଯେ ଏକ ସୂତନ ସମ୍ଭାବନାର ଦ୍ୱାରଦେଶରେ ଆଜି ଉପନୀତ-ଏ କଥା ବାରମ୍ବାର କହିବାରେ ମୋର କୁଣ୍ଠା ନାହିଁ ।

 

ଆଧୁନିକ ଓଡ଼ିଆ କବିତାର ଉନ୍ମେଷ ପର୍ବକୁ ୧୯୩୫-୩୬ ବୋଲି ଉଲ୍ଲେଖ କଲାବେଳେ କବିଗୁରୁ ରାଧାନାଥଙ୍କଠାରୁ ୧୯୩୫ ମସିହା ପର୍ଯ୍ୟନ୍ତ ପ୍ରବର୍ତ୍ତିତ କାବ୍ୟଧାରା ତମାଦି ହୋଇଗଲା ବୋଲି କେହି ଯେପରି ନ ବୁଝନ୍ତି । ୧୯୩୫ ମସିହା ବେଳକୁ ତାହାହିଁ ଥିଲା ଆଧୁନିକ ଓଡ଼ିଆ କବିତା - ଯାହାକୁ ରୋମାଣ୍ଟିକ୍ ଧାରାଭାବେ ମୁଖ୍ୟତଃ ନାମକରଣ କରାଯିବ । ୧୯୩୫-୩୬ ଠାରୁ ପ୍ରଗତିବାଦୀ କାବ୍ୟଧାରାର ଉନ୍ମେଷ ଘଟି ବହୁ ପରୀକ୍ଷା ଓ ପ୍ରୟୋଗ ମଧ୍ୟରେ ଆଜି ଓଡ଼ିଆ କବିତା ୧୯୮୬ ମସିହାରେ ପହଞ୍ଚିଛି । ଐତିହାସିକତା ଦୃଷ୍ଟିରୁ ଏପରି କବିତାର ଜନ୍ମପର୍ବ ନିଶ୍ଚିତ ଭାବେ ଚଳିତ ଶତାବ୍ଦୀର ୪ର୍ଥ ଦଶନ୍ଧିର ମଧ୍ୟଭାଗ ବା ୧୯୩୫-୩୬ ମସିହା ରୂପେ ନିର୍ଣ୍ଣିତ ହେବ । ଏହି ସମୟ ସହିତ ସ୍ୱତନ୍ତ୍ର ଉତ୍କଳଗଠନ ସମ-ସମୟବର୍ତ୍ତୀ ଓ ଏହାହିଁ ଉଗ୍ର ସତ୍ୟବାଦୀ କାବ୍ୟଧାରାର ଶେଷପର୍ବ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରବର୍ତ୍ତୀ ଓଡ଼ିଆ କାବ୍ୟକବିତାରେ ନୂତନ ମୋଡ଼ ଓ ବିପୁଳ ସ୍ୱାତନ୍ତ୍ର୍ୟ ପ୍ରକଟିତ ହୋଇଥିବାରୁ ଆଧୁନିକ ଓଡ଼ିଆ କବିତାର ଜନ୍ମପର୍ବଭାବେ ଏଇ ସମୟକୁ ଏଣିକି ଚିହ୍ନିତ କରାଯିବା ଅଧିକ ଯୁକ୍ତିଯୁକ୍ତ

ହେବ ।

***

 

ଗଜପତି ମୁକୁନ୍ଦଦେବଙ୍କ ପରାଜୟରେ ଓଡ଼ିଶାର ସ୍ୱାଧୀନତା ବିଲୁପ୍ତ ହୋଇଗଲା । ୧୫୬୮ ମସିହା ପରେ ଓଡ଼ିଶାରେ କୌଣସି ଦୃଢ଼ କେନ୍ଦ୍ରୀୟ ଶାସନର ଅଭାବରେ ଆଗଙ୍ଗା ଗୋଦାବରୀ ବିସ୍ତୃତ ବିଶାଳ ସାମ୍ରାଜ୍ୟ କ୍ରମଶଃ ଭାଙ୍ଗିବାକୁ ଆରମ୍ଭକଲା । ଆଫଗାନ ମୋଗଲ ଏବଂ ମରହଟ୍ଟାମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଅଧିକାର କରିନେଇ ସେଠାରେ ଶାସନ ନାମରେ କେବଳ ଲୁଟତରାଜ ଚଳାଇ ଆତଙ୍କରାଜର ସୃଷ୍ଟି କଲେ । ରାଜନୈତିକ ଅସ୍ଥିରତା କ୍ରମାଗତ ଭାବରେ ଲାଗିରହିବାରୁ କଳାସଂସ୍କୃତି କ୍ଷେତ୍ରରେ ଘୋର ବିପର୍ଯ୍ୟୟ ଦେଖାଯିବା ସ୍ୱାଭାବିକ ।

 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପରବର୍ତ୍ତୀ ଓଡ଼ିଆ ସାହିତ୍ୟ : ନାଟକ

ଡଃ ହେମନ୍ତ କୁମାର ଦାସ

 

ଇଂରେଜମାନେ ଏ ଦେଶ ଅଧିକାର କରିବା ପରେ ଶାସନ କ୍ଷେତ୍ରରେ କେତେକ ସ୍ଥିରତା ଆସିଥିଲେ ମଧ୍ୟ ଭାଷା ଉପରେ ଚଡ଼କ ପଡ଼ିଲା । ଖଣ୍ଡବିଖଣ୍ଡିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କ୍ରମଶଃ ଓଡ଼ିଆ ଭାଷାକୁ ଲୋପ କରି ଦିଆଯାଇ, ତାହା ସ୍ଥାନରେ ବଙ୍ଗଳା, ହିନ୍ଦୀ କିମ୍ବା ତେଲେଗୁ ଭାଷାର ପ୍ରଚଳନ ହେବାକୁ ଲାଗିଲା । ଓଡ଼ିଆ ଭାଷା କଚେରୀ ଏବଂ ସ୍କୁଲମାନଙ୍କରୁ ବିତାଡ଼ିତ ହେଲା । ମେଦିନୀପୁର ଓ ବାଙ୍କୁଡ଼ା ଅଞ୍ଚଳରୁ ପ୍ରାୟ କୋଡ଼ିଏବର୍ଷ ମଧ୍ୟରେ (୧୮୫୦-୭୦) ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ବିଲୋପ କରିଦିଆଗଲା । ପୁରାତତ୍ତ୍ୱବିତ୍ ରାଜେନ୍ଦ୍ରଲାଲ ମିତ୍ର ଏଥିରେ ଉତ୍ସାହିତ ହୋଇ ପୁରୀ, କଟକ ଏବଂ ବାଲେଶ୍ୱରରେ ବଙ୍ଗଳା ଭାଷା ପ୍ରଚଳନ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଦେଲେ । କୁହାଗଲା ଯେ, ଓଡ଼ିଆ ହେଉଛି ବଙ୍ଗଳାର ଏକ ଉପଭାଷା, ଏ ସମ୍ପର୍କରେ ୧୮୭୦ ମସିହା ମେ ମାସ ୪ ତାରିଖଦିନ କଲିକତାସ୍ଥିତ ଏସିଆଟିକ୍ ସୋସାଇଟିର ଏକ ଆଲୋଚନା ସଭାରେ ବହୁ ଯୁକ୍ତିତର୍କ ହୋଇଥିଲା । ଓଡ଼ିଶାର ତତ୍କାଳୀନ କମିଶନର ରେଭେନ୍‌ସା ସାହେବ ତଥା ବହୁ ଭାଷାବିତ୍ ଜନ୍‌ ବୀମ୍ସଙ୍କ ଉଦ୍ୟମରେ ଓଡ଼ିଆ ଭାଷା ତାହାର ସ୍ଥିତି ଫେରିପାଇଥିଲା । ପରିଣାମରେ ଓଡ଼ିଶା ଡିଭିଜନର ଶାସନ ଓ ଶିକ୍ଷାକ୍ଷେତ୍ରରେ ଓଡ଼ିଆ ଭାଷାର ପୁନଃ ପ୍ରଚଳନ ହୋଇଥିଲା ।

 

ଜାତୀୟତାର ଯଥାର୍ଥ ଦୁର୍ଦ୍ଦିନ ଆରମ୍ଭ ହୋଇଥିଲା ମୁକୁନ୍ଦଦେବଙ୍କର ତିରୋଧାନରେ । ସେତେବେଳେ ଓଡ଼ିଶାର କୌଣସି ବଳିଷ୍ଠ ନେତୃତ୍ୱର ଅଭାବହିଁ, ସମଗ୍ର ଜାତିପାଇଁ ଘୋର ଅସୁବିଧା ସୃଷ୍ଟି କରିଥିଲା । ଇଂରେଜମାନଙ୍କ ଆଗମନରେ ଶାସନ କେତେକ ଦୃଷ୍ଟିରୁ ସ୍ଥିରତା ଫେରିପାଇବାରୁ କଳା ଏବଂ ସାହିତ୍ୟପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫକୀରମୋହନ, ରାଧାନାଥ, ମଧୁସୂଦନ, ଗୌରୀଶଙ୍କର, ରାମଶଙ୍କର, କପିଳେଶ୍ୱର ନନ୍ଦ, ଗୋବିନ୍ଦ ରଥ, ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ, ପ୍ୟାରିମୋହନ ଆଚାର୍ଯ୍ୟ, ଗୋପାଳଚନ୍ଦ୍ର ପ୍ରହରାଜ, କାମପାଳ ମିଶ୍ର, ଭିକାରିଚରଣ ପଟ୍ଟନାୟକ ପ୍ରମୁଖ ଓଡ଼ିଆଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ଅବିସ୍ମରଣୀୟ ଉଦ୍ୟମ କରିଥିଲେ । ଜନ୍‌ବୀମସଙ୍କ ଭଳି ମାନ୍ଦ୍ରାଜ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଟି.ଜେ. ମଲଟବି (T. J. Maltby) ନାମକ ଜଣେ ଭାଷାତତ୍ତ୍ୱବିତ୍ ବ୍ରିଟିଶ କର୍ମଚାରୀ ୧୮୭୩ ଖ୍ରୀ: ଅ: ରେ ‘A practical Handbook of the Oriya Language’ ନାମକ ଗ୍ରନ୍ଥ ରଚନା କରି ସେଥିରେ ଓଡ଼ିଆ ଭାଷାର ମହତ୍ୱ ଓ ପ୍ରାଚୀନତ୍ୱ ପ୍ରତିପାଦନ କରିଥିଲେ । ସେ ମାନ୍ଦ୍ରାଜ, ବଙ୍ଗଳା, ମଧ୍ୟପ୍ରଦେଶ ଏବଂ ଦେଶୀୟ ରାଜ୍ୟମାନଙ୍କରେ ବାସ କରୁଥିବା ନବେଲକ୍ଷ ଓଡ଼ିଆଙ୍କୁ ଗୋଟିଏ ଶାସନରେ ରଖିବା ନିମନ୍ତେ ବଳିଷ୍ଠ ଯୁକ୍ତିମାନ ଉପସ୍ଥାପିତ କରିଥିଲେ । ଶାସକ କେତେକ ଯଥାର୍ଥ ମହାପ୍ରାଣ ବିଦେଶୀ ଶାସକହିଁ ଏହିଭଳି ଭାବରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବୀଜ ଓଡ଼ିଆମାନଙ୍କ ହୃଦୟରେ ବପନ କରି ଦେଇଥିଲେ ବୋଲି ସ୍ୱୀକାର କରିବାକୁ ହେବ, ଯାହାର ଫଳସ୍ୱରୂପ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଏଥିନିମନ୍ତେ ପ୍ରାଥମିକ ଉଦ୍ୟମ ଆରମ୍ଭ ହୋଇଥିଲା ଭାଷା ଓ ସାହିତ୍ୟର ସମୃଦ୍ଧି ନିମନ୍ତେ ।

 

୧୮୭୫ ମସିହାରେ ଆସାମ ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲାରୁ ଏଥିପାଇଁ ଓଡ଼ିଆମାନଙ୍କର ଆକାଙ୍‌କ୍ଷା ବୃଦ୍ଧି ପାଇଲା । ଏହି ସମୟରେ ମଧୁସୂଦନ ଦାସ ସମଗ୍ର ଓଡ଼ିଆ ଜାତିକୁ ନେତୃତ୍ୱ ଦେବାକୁ ଆଗେଇ ଆସିଲେ, ତାହାର ଫଳଶ୍ରୁତି ହେଉଛି ୧୯୦୩ ମସିହାର ଉତ୍କଳ ସମ୍ମିଳନୀ (Utkal Union Conference) ଦୁଇଟି ପର୍ଯ୍ୟାୟରେ ନବଉତ୍କଳ ପ୍ରଦେଶ ଗଠନ କାର୍ଯ୍ୟ ସମ୍ଭବ ହୋଇପାରିଥିଲା । (୧) ୧୯୦୫ ମସିହାରେ ସମ୍ବଲପୁର ଜିଲ୍ଲାର ଓଡ଼ିଆ ଡିଭିଜନ୍ ସହିତ ମିଶ୍ରଣ (୨) ୧୯୩୫ ମସିହାରେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ମିଶ୍ରଣ, ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ପ୍ରତିଷ୍ଠା ପାଇଲା ୧୯୩୬ ମସିହାରେ ।

 

ଆଧୁନିକ ଓଡ଼ିଆ ସାହିତ୍ୟର ଉଦ୍‌ଭବ ହୋଇଥିଲା ପାଶ୍ଚାତ୍ୟ ସଂସର୍ଗରେ, ଯାହାର ଏକମାତ୍ର ଲକ୍ଷ୍ୟ ଥିଲା ସର୍ବଭାରତୀୟ ଦରବାରରେ ଆତ୍ମପ୍ରତିଷ୍ଠାର ବ୍ୟାକୁଳ କାମନା । ଅବ୍ୟବସ୍ଥିତ ଏକ ସମାଜକୁ ସୁଶୃଙ୍ଖଳ ରୂପଦେବାହିଁ ଥିଲା ସେକାଳର ସାହିତ୍ୟିକମାନଙ୍କର ଉଦ୍ଦେଶ୍ୟ । ଏଥିନିମନ୍ତେ ସେମାନେ ପ୍ରାଚୀନ ଉତ୍କଳର ଐତିହ୍ୟ ଏବଂ ସମୃଦ୍ଧିକୁ ଜାତି ସମ୍ମୁଖରେ ପରିବେଷଣ କରି, ସେମାନଙ୍କର ହୃଦୟରେ ଜାତୀୟତାର ପ୍ରେରଣା ସୃଷ୍ଟି କରିବା ନିମନ୍ତେ ଉଦ୍ୟମ କରିଥିଲେ । ଏହି ସାହିତ୍ୟକୁ ତେଣୁ ଜାତି ନିର୍ମାଣର ଏକ ସଚେତନ ପ୍ରୟାସ ବୋଲି କୁହାଯାଇପାରେ । ସମାଜ ନିର୍ଭରତା ମଣିଷ କ୍ଷେତ୍ରରେ ଗୋଟିଏ ଅନିବାର୍ଯ୍ୟ ପ୍ରାକୃତିକ ଘଟଣା ଏବଂ ସମାଜ ଜୀବନର ଧାରା ପୁଣି ବୈଚିତ୍ର୍ୟମୟ ଓ ପରିବର୍ତ୍ତନଶୀଳ, ସମସାମୟିକତାର ପ୍ରୟୋଜନକୁ ଆଖିରେ ରଖି ଏ କାଳର ସାହିତ୍ୟିକବୃନ୍ଦ ସ୍ମୃତିଶକ୍ତି, ଅଭିଯୋଜନ କ୍ଷମତା ଏବଂ ସବାକ୍ ଭାଷା ସାହାଯ୍ୟରେ ଯେଉଁ ନୂତନ ସାହିତ୍ୟ ସୃଷ୍ଟି କଲେ, ତହିଁରେ ମଣିଷର ସାମଗ୍ରିକ ଐତିହ୍ୟ ହିଁ ତେଣୁ ପ୍ରତିଫଳିତ ହେବା ସ୍ୱାଭାବିକ ।

 

ପ୍ରକୃତି ଦୃଷ୍ଟିରୁ ମଣିଷ ସମାଜ ସଚେତନ ଏବଂ କେତେକଟା ନିଃସଙ୍ଗ ମଧ୍ୟ । ଏହି ନିଃସଙ୍ଗତା ହିଁ ତାକୁ ଅନ୍ୟମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବା ନିମନ୍ତେ ପ୍ରେରଣା ଯୋଗାଇଥାଏ । ଅନିବାର୍ଯ୍ୟ ଆନ୍ତଃପ୍ରେରଣା ବ୍ୟଷ୍ଟିକୁ ସମଷ୍ଟି ସହିତ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହ ଯୋଗାଇଥାଏ । ଏହି ସଂଯୋଗ ରକ୍ଷା କାର୍ଯ୍ୟଦ୍ୱାରା ବ୍ୟକ୍ତିମାନସର ସହଜାତ ବୈଶିଷ୍ଟ୍ୟଗୁଡ଼ିକ ପ୍ରମୂର୍ତ୍ତ ହୋଇଥାଏ । ବ୍ୟକ୍ତିର ସମାଜ ସଚେତନତା ସମାଜର ଅପରାପର ବ୍ୟକ୍ତିର ସମାନୁଭୂତିର ଅଂଶୀଦାର ହୋଇ ସହଯୋଗିତା କରିବାକୁ ଚାହେଁ । ଶରୀର, ବୁଦ୍ଧି ଓ ଭାଗବତ ଆଦାନପ୍ରଦାନ ଦ୍ୱାରାହିଁ ବ୍ୟକ୍ତିଜୀବନର ପ୍ରତିଷ୍ଠା-ସମାଜ-ନିରପେକ୍ଷ ଜୀବ ହିସାବରେ ମଣିଷର କଳ୍ପନା କରିବା ଅସମ୍ଭବ । ବ୍ୟକ୍ତି ଏବଂ ସମାଜର ନିବିଡ଼ ସମ୍ପର୍କ ମଧ୍ୟରୁ ହିଁ ଆଧୁନିକ ଓଡ଼ିଆ ସାହିତ୍ୟର ଉଦ୍‌ଭବ ହୋଇଥିଲା । ସ୍ରଷ୍ଟାମାନଙ୍କ ସମ୍ମୁଖରେ ଥିଲା ଜାତି ଗଠନର ଏକ ଗୁରୁତର ଦାୟିତ୍ୱ । ବିଗତ ତିନିଶତାଦ୍ଦୀ ଧରି ମହାକାଳର ଭଙ୍ଗାରୁଜା ଖେଳରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଗୋଟିଏ ସମୃଦ୍ଧ ଜାତିକୁ ଧ୍ୱଂସାବଶେଷ ମଧ୍ୟରୁ ଉଦ୍ଧାର କରି, ତାହାର ନବକଳେବର ପ୍ରତିଷ୍ଠା କରିବା ଥିଲା ତେଣୁ ଆମ ସାହିତ୍ୟିକମାନଙ୍କର ପ୍ରଧାନ ଦାୟିତ୍ୱ ।

 

ମାତୃଭୂମି ଏବଂ ମାତୃଭାଷା ପ୍ରୀତି ଉତ୍କଳୀୟ ଜନତା ମଧ୍ୟରେ ଜାଗ୍ରତ କରିବାହିଁ ଥିଲା ସେ କାଳର ଚିନ୍ତାନାୟକମାନଙ୍କର ଉଦ୍ଦେଶ୍ୟ । ଶିକ୍ଷିତ ବ୍ୟକ୍ତିମାତ୍ରକେ ଏହି ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ନିଜର ପବିତ୍ର କର୍ତ୍ତବ୍ୟ ମନେ କରୁଥିଲେ । ନୂତନ ଲେଖକମାନଙ୍କୁ ମଧ୍ୟ ଯତ୍‌ପରୋନାସ୍ତି ଉତ୍ସାହ ପ୍ରଦାନ କରାଯାଉଥିଲା । ‘ଦୀପିକା’ର ପୃଷ୍ଠରେ ‘ବାବାଜୀ’ ନାଟକର କୌଣସି ସମୁଚିତ ଆଲୋଚନା ହୋଇ ନଥିବାର ଅନୁଯୋଗର ଉତ୍ତର ଦେଇ ଗୌରୀଶଙ୍କର ଲେଖିଥିଲେ, ‘‘ବାବାଜୀ ନାଟକର ଉଚିତ ସମାଲୋଚନା ନ କରି ପାଠକମାନଙ୍କ ହସ୍ତରେ ସମର୍ପଣ କରିବାର ଅଭିପ୍ରାୟ ଏହି ଯେ, ନାଟକମାନଙ୍କର ସମାଲୋଚନା ଯେରୂପ କରାଯାଏ ସେହିପରି ବାବାଜୀ ନାଟକର ସମାଲୋଚନା କଲେ, କାଳେ ଲେଖକଙ୍କର ଉତ୍ସାହ ଭାଙ୍ଗିଯିବ, ଏହି ଆଶଙ୍କାରେ ଆମ୍ଭେମାନେ ସେଥିରୁ ନିବୃତ୍ତ ହୋଇଅଛୁ ।’’ (୧) ସମାଜ ପାଇଁ ସାହିତ୍ୟ । ମୁକୁଳ ଅବସ୍ଥାରେ ଯଦି ତାହାକୁ ଭାଙ୍ଗି ଦିଆଯାଏ, ତାହାହେଲେ ତହିଁରେ ପ୍ରକୃତ କ୍ଷତି ହେବ ସମାଜର । ପ୍ରଥମାବସ୍ଥାରେ ତାକୁ ଲାଳନ ପାଳନ କରିବାକୁ ହେବ, ତା’ର ଯତ୍ନ ନେବାକୁ ହେବ, ଠିକ୍‌ ଗୋଟିଏ ସୁକୁମାର ଶିଶୁକୁ ବଢ଼ାଇଲା ଭଳି । ପତ୍ର-ପତ୍ରିକାର ସମ୍ପାଦକମାନେ ସେତେବେଳେ ଏହି ଦାୟିତ୍ୱ ବହନ କରିଥିଲେ ।

 

(୧)

ଉତ୍କଳ ଦୀପିକା-୩୦।୫।୧୮୭୮

 

ମାତୃଭାଷାର ଉନ୍ନତି ସମ୍ପର୍କରେ ଏ ଦେଶର ଜନତାକୁ ସଚେତନ କରିବା ଲକ୍ଷ୍ୟରେ ଗୌରୀଶଙ୍କର ଆହୁରି ଲେଖିଥିଲେ, ‘‘ପୂର୍ବେ ଆମ୍ଭମାନଙ୍କ ମାତୃଭାଷାରେ ଗଦ୍ୟମୟ କୌଣସି ପୁସ୍ତକ ପ୍ରକାଶିତ ହୋଇ ନଥିଲା । ମୁଦ୍ରାଯନ୍ତ୍ର ସ୍ଥାପିତ ହେଲା ଦିନଠାରୁ ଏଣିକି କ୍ରମେ କ୍ରମେ ଗଦ୍ୟମୟ ପୁସ୍ତକମାନ ପ୍ରକାଶିତ ହେଉଅଛି । କେବଳ ଆମ୍ଭମାନଙ୍କ ମାତୃଭାଷାରେ କିପାଇଁ ? ବଙ୍ଗଳା, ହିନ୍ଦୀ ପ୍ରଭୃତି ଭାଷାରେ ସୁଦ୍ଧା ଅଳ୍ପଦିନ ହେଲା ଗଦ୍ୟମୟ ପୁସ୍ତକ ପ୍ରକାଶିତ ହୋଇଅଛି । ବଙ୍ଗାଳୀମାନେ ଗଦ୍ୟମୟ ପୁସ୍ତକର ଭାଷାକୁ ଯେଉଁ ପରିମାଣରେ ଗଦ୍ୟମୟ ରୂପରେ ଉନ୍ନତ କରିଅଛନ୍ତି, ଆମ୍ଭେମାନେ ଆମ୍ଭମାନଙ୍କର ପଦ୍ୟମୟ ପୁସ୍ତକର ଭାଷାକୁ ସେହି ପରିମାଣରେ ଗଦ୍ୟମୟ ଭାଷା ରୂପେ ଯେ ଉନ୍ନତ କରିପାରିନାହୁଁ, ଏଥିର ମୂଳ କାରଣ ଏହି ଯେ, ବଙ୍ଗାଳୀମାନେ ମୁଦ୍ରାଯନ୍ତ୍ର ସାହାଯ୍ୟରେ ଭାଷାକୁ ଉନ୍ନତ କରିବା ବିଷୟରେ ପ୍ରାୟ ୩୦।୩୫ ବର୍ଷ ହେଲା ସାଧ୍ୟାନୁସାରେ ଚେଷ୍ଟା କରୁଅଛନ୍ତି । ଦୁଃଖର ବିଷୟ ଏହି ଯେ, ଆମ୍ଭେମାନେ ଆମ୍ଭମାନଙ୍କ ମାତୃଭାଷାର ଉନ୍ନତି ବିଷୟରେ କିଛି କରିପାରୁ ନାହୁଁ ।’’ (୨) ସମସାମୟିକ ପ୍ରାନ୍ତୀୟ ସାହିତ୍ୟର ଏକ ତୁଳନାତ୍ମକ ବିବରଣୀ ଦେଇ ଏଠାରେ ଉତ୍କଳଭାଷାର ଉନ୍ନତି ନିମନ୍ତେ ଯେଉଁ ଆହ୍ୱାନ ଦିଆଯାଇଛି, ତହିଁରୁ ସମ୍ପାଦକଙ୍କର ମହଦୁଦ୍ଦେଶ୍ୟର ସ୍ପଷ୍ଟ ପରିଚୟ ମିଳିଥାଏ ।

 

(୨)

ଉତ୍କଳ ଦୀପିକା-୩୦।୫।୧୮୭୮

 

ଏ ଦେଶରେ ଇଂରେଜ ଶାସନ ପ୍ରତିଷ୍ଠା ଲାଭ କଲାପରେ, ବିତ୍ତଲୋଭୀ ଏବଂ କୌଳିନ୍ୟବର୍ଜିତ ଯେଉଁ ବ୍ୟକ୍ତିଗଣ ହଠାତ୍‌ କାଞ୍ଚନ କୌଳିନ୍ୟର ବିଭ୍ରାନ୍ତିଦ୍ୱାରା ସମାଜର ଉଚ୍ଚଚୂଡ଼ାରେ ସ୍ଥାନ ପାଇଲେ, ସେମାନେ ଜୀବନାଦର୍ଶର ଏତେ ନିମ୍ନସ୍ତରରେ ଅବସ୍ଥିତ ହେଲେ ଯେ, ପୁରାତନ ବ୍ୟବସ୍ଥାର ଅନୁକଳ୍ପସ୍ୱରୂପ କୌଣସି ଶିକ୍ଷା ବା ସଂସ୍କୃତି ନୂତନ ରୂପରେ ପ୍ରବର୍ତ୍ତନ କରିବା ନିମନ୍ତେ ଏମାନେ ଆଦୌ ସଚେଷ୍ଟ ହେଲେ ନାହିଁ । ଅନ୍ୟ ପକ୍ଷରେ ଇଂରେଜ ଶିକ୍ଷାର ପ୍ରସାର ଫଳରେ ଯେଉଁ ନୂତନ ମଧ୍ୟବିତ୍ତ ଶ୍ରେଣୀ ହଠାତ୍‌ ଆତ୍ମପ୍ରକାଶ କଲେ ସଂସ୍କୃତି କ୍ଷେତ୍ରରେ ସେଇମାନେ ହିଁ ନେତୃତ୍ୱ ଗ୍ରହଣ କରିବାକୁ ଆଗେଇ ଆସିଲେ । ଏଇମାନେ ହିଁ ସମାଜ ରୂପରେ ନୂତନ ବ୍ୟକ୍ତିତ୍ୱର ଶକ୍ତି ସଂଚାର କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରିଥିଲେ । ଏଇମାନଙ୍କୁ ଲକ୍ଷ୍ୟ କରି କୁହାଯାଇଛି, ‘‘the renaissance or the awakening of the 19th century, moving on the axis of the upper stratum alone of the society, the Bhadvalokas-’’ (୩) ଉଭୟ ସାମାଜିକ ଏବଂ ବୌଦ୍ଧିକ ସ୍ତରରେ ଏଇମାନେ ହିଁ ନୂତନଶକ୍ତି ସଂଚାର କରିବା ପାଇଁ ଚେଷ୍ଟା କରିଥିଲେ ।

 

(୨)

Aspects of Social History P. Sinha - P. 92

 

ଏମାନଙ୍କ ଉଦ୍ୟମରେ ଯେଉଁ ସାହିତ୍ୟ ସୃଷ୍ଟି ହେଲା, ତହିଁରେ ସମକାଳୀନ ସମାଜର ଅନ୍ତର୍ନିହିତ ଦ୍ୱନ୍ଦ୍ୱ ଓ ସଂସ୍କାରପ୍ରବଣତା ହିଁ ମୁଖ୍ୟ ସ୍ଥାନ ଲାଭ କଲା । ବ୍ୟକ୍ତିୟ ଜୀବନ-ସଙ୍କଟ ଅପେକ୍ଷା ସମାଜ ଜୀବନର ସାମଗ୍ରିକ ସଙ୍କଟ ହିଁ, ଏଥିରେ ଅଧିକ ସ୍ପଷ୍ଟ । ସଙ୍କଟର ଅନ୍ତର୍ନିହିତ ରୂପ କିମ୍ୱା ସତ୍ତାର ପ୍ରକୃତି ଯାହା ହେଉନା କାହିଁକି, ଏକାନ୍ତ ବାସ୍ତବ ଓ ପ୍ରତ୍ୟକ୍ଷ ସମସ୍ୟା ହିଁ ଥିଲା ଏହାର ଅବଲମ୍ୱନ । ବଙ୍ଗଳା ସାହିତ୍ୟର ପ୍ରଖ୍ୟାତ ଆଲୋଚକ ଡଃ ସୁକୁମାର ସେନ୍‌ ବଙ୍ଗ ସାହିତ୍ୟର ତଦାନୀନ୍ତନ ପ୍ରବୃତ୍ତି ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ଓଡ଼ିଆ ସାହିତ୍ୟ ପାଇଁ ମଧ୍ୟ ପ୍ରଜୁଯ୍ୟ ଭାବି ଏଠାରେ ତାହା ଉଦ୍ଧାର କରାଯାଉଛି । ତାଙ୍କ ମତରେ ‘‘ଇଂରେଜୀ ଶିକ୍ଷାର ପ୍ରଥମ ସକ୍ରିୟ ଫଳ ସମାଜ ସଂସ୍କାର ମାଧ୍ୟମରେ ଆତ୍ମପ୍ରକାଶ କରିଥିଲା । ପୂର୍ବରୁ ଯାତ୍ରାଦିରେ ସମାଜ ବା ଶ୍ରେଣୀବିଶେଷର ବ୍ୟଙ୍ଗ ଚିତ୍ର ଜନସାଧାରଣଙ୍କର ଚିତ୍ତ ବିନୋଦନର ଗୋଟିଏ ପ୍ରଧାନ ଉପକରଣ ହୋଇ ରହିଥିଲା । ସାଧୁବେଶୀ ପାଷଣ୍ଡର ଭଣ୍ଡାମି, ମୂର୍ଖର ଧନଗର୍ବ ଓ କୁଳାଭିମାନ, ପଣ୍ଡିତର ବିଦ୍ୟାମଦ, ମାତାଲର ଲାଞ୍ଛନା, ଧନୀର ଲାମ୍ପଟ୍ୟ, କୁଟ୍ଟିଣୀର ଛଳନା, ଅସତୀର ବିଡ଼ମ୍ୱନା ଏବଂ ସତୀର ଦୁର୍ଦ୍ଦଶା-ଏହା ହିଁ ଥିଲା ସାଧାରଣ ଯାତ୍ରାଦିର ପ୍ରଧାନ ବିଷୟ । ବଙ୍ଗଳା ନାଟକର ଆବିର୍ଭାବ-ସମୟରେ କୌଣସି ନା କୌଣସି ସହୃଦୟ ବ୍ୟକ୍ତିଙ୍କର ମନେ ହୋଇଥିଲା, ନାଟକରେ ଏଇ ଭାବରେ ସପରିଣାମ ସମାଜଚିତ୍ର ଦେଖାଇ ପାରିଲେ, ସାଧାରଣ ଜନତାର ଜ୍ଞାନୋଦୟ ହୋଇପାରେ ।’’ (୪)

 

(୪)

ବଙ୍ଗଳା ସାହିତ୍ୟର ଇତିହାସ-୨ୟ ଖଣ୍ଡ

 

ବଙ୍ଗଳାରେ ଊନବିଂଶ ଶତାଦ୍ଦୀର ମଧ୍ୟଭାଗରେ ଏହି ଧରଣର ଯେଉଁ ଉଦ୍ୟମ ହୋଇଥିଲା, ପରବର୍ତ୍ତୀ କାଳରେ ଓଡ଼ିଶାରେ ମଧ୍ୟ ତାହାର ସମାନ୍ତରାଳ ରୂପ ଦେଖିବାକୁ ମିଳୁଛି । ରାମଶଙ୍କର, ଭିକାରିଚରଣ, ଜମନ୍ମୋହନ, ବୀରବିକ୍ରମ ପ୍ରମୁଖ ସେ କାଳର ନାଟ୍ୟକାରମାନଙ୍କର ରଚନାରେ ଅନ୍ତତଃ ଏହିଭଳି ଦୃଷ୍ଟାନ୍ତର ପ୍ରାଚୁର୍ଯ୍ୟ ଦେଖିବାକୁ ମିଳେ ।

 

ଯାହା ହେଉ, ଓଡ଼ିଆ ନାଟକର ପ୍ରଥମ ପର୍ଯ୍ୟାୟର ଏହି ଯେଉଁ ସଂସ୍କାରପ୍ରବଣତା, ତାହାର ପ୍ରଭାବ ପ୍ରାୟ ଅର୍ଦ୍ଧଶତାଧିକ ବର୍ଷ ପର୍ଯ୍ୟନ୍ତ ରହିଥିବାର ଦେଖିବାକୁ ମିଳୁଛି । କ୍ରମଶଃ ଏହାର ପ୍ରଚାରଧର୍ମୀ ରୂପ, ଆମୋଦ-ପ୍ରବଣତାକୁ ଘୋଡ଼ାଇ ପକାଇବାରୁ ଦର୍ଶକମାନେ ଏଥିପ୍ରତି ଆଉ ବିଶେଷ ଆଗ୍ରହୀ ହେଲେ ନାହିଁ । ଛତ୍ରିଶ ମସିହା ବେଳକୁ ଓଡ଼ିଆମାନେ ଗୋଟିଏ ନୂତନ ପ୍ରଦେଶ ପାଇଯିବା ପରେ ନବଲବ୍‌ଧ ଜାତୀୟତା ସେମାନଙ୍କ ପ୍ରାଣରେ ଯେଉଁ ଆବେଗ-ପ୍ରବଣତା ସୃଷ୍ଟି କଲା, ତାହାର ସୁଯୋଗ ନେବାକୁ ଆଗେଇ ଆସିଲେ ଅଶ୍ୱିନୀକୁମାର ଏବଂ କାଳୀଚରଣ । ଅଶ୍ୱିନୀକୁମାର ଏତେବେଳକୁ ଜଣେ ନାଟ୍ୟକାର ରୂପେ ଖ୍ୟାତି ଲାଭ କରିସାରିଥିଲେ, ତାଙ୍କର ଐତିହାସିକ ଏବଂ ପୌରାଣିକ ନାଟକଗୁଡ଼ିକ ମାଧ୍ୟମରେ । ତେବେ କାଳୀଚରଣ ଏତେବେଳେ ସୁଦ୍ଧା କେବଳ କେତେଗୁଡ଼ିଏ ଲୀଳା, ନାଟକ ବ୍ୟତୀତ ଯଥାର୍ଥ କୌଣସି ମଞ୍ଚନାଟକ ରଚନା କରି ନଥାନ୍ତି । ଲୋକ ଚରିତ୍ର ସମ୍ପର୍କରେ ଯଥେଷ୍ଟ ଅଭିଜ୍ଞତା ସଂଗ୍ରହ କରିସାରିବା ପରେ ସେ ଯେଉଁ ପ୍ରଥମ ମଞ୍ଚ ନାଟକ ଖଣ୍ଡିକ ଲେଖିଲେ, ତାହାର ନାମ ହେଉଛି ‘ପ୍ରତିଶୋଧ’ ।

 

କାଳୀଚରଣ ଏ ଦେଶର ଜଣେ ପ୍ରତିଭାଧର ନାଟ୍ୟକାର । ଚଳିତ ଶତାଦ୍ଦୀର ଚତୁର୍ଥ ଦଶକରେ ଓଡ଼ିଆ ନାଟକ ପାଇଁ ସେ ଯେଉଁ ପଥ ପ୍ରସ୍ତୁତ କରିଦେଇ ଯାଇଥିଲେ, ତଥାକଥିତ ଆବସର୍ଡ଼ ନାଟକ ମଧ୍ୟ ତାହାକୁ ଅତିକ୍ରମ କରିପାରିଲା ନାହିଁ । ଯେଉଁ କାରଣରୁ କାଳୀଚରଣଙ୍କର ନାଟକାବଳୀ ଅଦ୍ୟାବଧି ଅନତିକ୍ରମ୍ୟ ହୋଇ ରହିଛି, ସେ ଗୁଡ଼ିକ ହେଉଛି :-

 

(କ)

ସୂକ୍ଷ୍ମ ଚାତୁର୍ଯ୍ୟ ସହିତ ଘଟଣା ସୃଷ୍ଟିର ପ୍ରବଣତା ।

(ଖ)

ଚରିତ୍ର ଓ ସଂଳାପ ମୁଖ୍ୟତା

(ଗ)

ଚାତୁର୍ଯ୍ୟପୂର୍ଣ୍ଣ ନାଟ୍ୟ ପରିବେଶ-ସୃଷ୍ଟିର ଗୁରୁତ୍ୱ ।

(ଘ)

ହାସ୍ୟରସର ଜୀବନଧର୍ମୀ ପ୍ରୟୋଗ ।

(ଚ)

ପ୍ରାଣସ୍ପର୍ଶୀ ସଙ୍ଗୀତର ଯାଦୁକରୀ ସ୍ପର୍ଶ ।

(ଛ)

ଜାତୀୟତାର ଆବେଗ ଧର୍ମୀ ପ୍ରାଣସ୍ପନ୍ଦନ ।

(ଜ)

ସମସାମୟିକ ସମାଜଜୀବନର ବିଭିନ୍ନ ସମସ୍ୟାର ଯଥାଯଥ ରୂପାୟନ ।

 

ନାଟକକୁ ଜୀବିକା ରୂପରେ ଗ୍ରହଣ କରିନେଇଥିବା ହେତୁ କାଳୀଚରଣ ଏହାକୁ କମ୍ୟୁନିକେଟିଭ୍‌ କରିବା ନିମନ୍ତେ ଆନ୍ତରିକ ଉଦ୍ୟମ କରିଥିଲେ । ସେଥିପାଇଁ ‘‘ଜାତୀୟତା ଭାବ, ଲୋକସେବା, ଦେଶାତ୍ମବୋଧ, ସମୟର ରୁଚି ଓ ଦେଶଜାତିର ଅବସ୍ଥାକୁ ଜନତା ଆଗରେ ଉପସ୍ଥାପିତ କରିବାଟା ହେଲା (ତାଙ୍କର ନାଟ୍ୟକାର ଜୀବନର ବଡ଼ ଲକ୍ଷ୍ୟ’’ (୫) ଭାତ, ବେକାର, ରକ୍ତମାଟି, ଫଟା ଭୂଇଁ, ଜୟଦେବ, ଅଭିଯାନ ପ୍ରଭୃତି ନାଟକରେ ଏହି ଆଭିମୁଖ୍ୟ ହିଁ ପ୍ରତିଫଳିତ ହୋଇଛି । ମନେରଖିବାକୁ ହେବ ଯେ, ସେତେବେଳେ ଗାନ୍ଧୀଙ୍କର ନେତୃତ୍ୱରେ ସମଗ୍ର ଭାରତ ସ୍ୱାଧୀନତାର ନୂତନ ସ୍ୱପ୍ନରେ ବିଭୋର । ଆକୁମାରୀହିମାଚଳ ଏକ ଅଭିନବ ପ୍ରାଣୋଚ୍ଛଳତାରେ ଆଲୋଡ଼ିତ । ଜାତୀୟତା, ଲୋକସେବା ପ୍ରଭୃତି ଜାତୀୟ-ଜୀବନରେ ଖୁବ୍‌ ପ୍ରସାରିତ ହେଉଥାଏ । ସାଧାରଣ ଜନତା ମଧ୍ୟ ଆବେଗପ୍ରବଣତାରେ ଉଚ୍ଛଳ ହୋଇ ପଡ଼ିଥାଆନ୍ତି । କାଳୀଚରଣ ଏହାର ସୁଯୋଗ ଗ୍ରହଣ କରିଛନ୍ତି ମାତ୍ର । ଏହି କାରଣରୁ ହିଁ ସେ ‘ଅଭିଯାନ’ (୧୯୪୬) ନାଟକରେ କହିଛନ୍ତି ‘‘ଗୋଟାଏ ଜାତି ଭିଖ ମାଗି ଆକାଂକ୍ଷା ପୂରଣର ଆଶା ଯେଉଁଦିନ କରିବ, ସେହିଦିନ ସେ ହେବ ପରାଧୀନ, ପଦାନତ । ଭିଖ ମାଗି କେବେ କେହି ବଡ଼ ହୋଇନାହିଁ, ହେଇଚି ଦାବୀ କରି, ବିଦ୍ରୋହ କରି, ବିପ୍ଳବ କରି ।’’ (୬)

 

(୫)

କୁମ୍ଭାର ଚକ : ପୃ : ୨୬୯

(୬)

ଅଭିଯାନ : ପୃ : ୭୮

 

ଅବଶ୍ୟ ଆମୋଦଧର୍ମିତାକୁ କାଳୀଚରଣ ନାଟକର ମୂଳ ଲକ୍ଷ୍ୟ ବୋଲି ସ୍ୱୀକାର କରିନାହାନ୍ତି । ସେ କହନ୍ତି, ‘‘ନାଟକାଭିନୟ କେବଳ ମନୋରଞ୍ଜନ ବା ରଙ୍ଗରହସ୍ୟ ଉଦ୍ଦେଶ୍ୟରେ ନୁହେଁ, ଲୋକ ଶିକ୍ଷା ଓ ସଂସ୍କୃତି ସଂରକ୍ଷଣ ଇତ୍ୟାଦିର ଏହା ପ୍ରକୃଷ୍ଟ ପ୍ରଚାର ଏବଂ ପ୍ରସାର ମାଧ୍ୟମ ।’’ (୭) ତେବେ ନିଜ ଦର୍ଶକ ଗୋଷ୍ଠୀର ଚାହିଦାକୁ ଆଖିରେ ରଖି କାଳୀଚରଣ ‘ଆନନ୍ଦଦାନ’କୁ ନିଜ ନାଟକର ପ୍ରଧାନ ପ୍ରବୃତ୍ତି ରୂପରେ ଗ୍ରହଣ କରି ନେଇଥିବାର ଦେଖିବାକୁ ମିଳୁଛି । ଏହି କାରଣରୁ ହିଁ ତାଙ୍କ ନାଟକର ପରିଣତିରେ ‘କାବ୍ୟିକ ନ୍ୟାୟ’ (Poetic justice) ହିଁ ଅଧିକ ଗୁରୁତ୍ୱ ପାଇଛି । ସାମାଜିକ ସମସ୍ୟାର ସମାଧାନ ପାଇଁ ନାଟ୍ୟକାର ଯେଉଁ ପଥ ଗ୍ରହଣ କରିନେଇଛନ୍ତି, ତହିଁରେ ‘ବାସ୍ତବ’ ଅପେକ୍ଷା ‘ଆଦର୍ଶ’ର ପରିମାଣ ଅଧିକ । ଏ ଦୃଷ୍ଟିକୋଣଟି ଏକାନ୍ତ ପାରମ୍ପରିକ ଏବଂ ଏଠାକାର ଦର୍ଶକମାନଙ୍କର ଦର୍ଶନ ସହିତ ଏହାର ରହିଛି ନିବିଡ଼ ସମ୍ପର୍କ । ବାସ୍ତବତା ସହିତ ମଣିଷର ସମ୍ପର୍କ ପ୍ରତିନିୟତ ଘଟୁଛି, ଆଦର୍ଶ ସହିତ ତାହାର ଯୋଗାଯୋଗ ସ୍ୱପ୍ନରେ, କଳ୍ପନାରେ, ଯାହା ତାହାର ଜୀବନପୁଷ୍ପଟିକୁ ଜୀବନଯନ୍ତ୍ରଣାର ଶତ ଝଡ଼ଝଞ୍ଜା ମଧ୍ୟରେ ତଥାପି ସତେଜ କରି ରଖିଛି । ଅନୁଭୂତିରୁ କାଳୀଚରଣ ଏହା ଭଲ ଭାବରେ ଜାଣିଥିବାରୁ ହିଁ ଦୃଶ୍ୟକାବ୍ୟ ମାଧ୍ୟମରେ ‘ଆନନ୍ଦଲୋକ’ର ସଫଳ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ।

 

(୭)

କୁମ୍ଭାର ଚକ : ପୃ. ୨୬୯ ।

 

ଏଥିପାଇଁ ଆମର ତତ୍କାଳୀନ ସମାଜ-ଜୀବନର ଭୂମିକା ମଧ୍ୟ କମ୍‌ ନୁହେ । ୧୯୩୫ ମସିହା ବେଳକୁ ଗୋଟିଏ ବିଶ୍ୱଯୁଦ୍ଧର ପରିସମାପ୍ତି ଘଟି, ଦ୍ୱିତୀୟଟି ପାଇଁ ପ୍ରସ୍ତୁତି ଚାଲିଥିଲେହେଁ, ଏଠାକାର ସମାଜଜୀବନ ତଥାପି ନିସ୍ତରଙ୍ଗ ରହିଥିଲା । ଜାତୀୟ ଜୀବନର ମୂଳସ୍ରୋତ ସହିତ ଓଡ଼ିଶାର ସାଧାରଣ ଜୀବନ ନିବିଡ଼ ଭାବରେ ସଂପୃକ୍ତ ହୋଇ ପାରିନଥିଲା । ବଣ ପାହାଡ଼, ନଦୀ ଉପତ୍ୟକା ଗୋଟିଏ ସମୟରେ ତାକୁ ବାହାର-ଜଗତ୍‌ଠାରୁ ଯେମିତି ବିଚ୍ଛିନ୍ନ କରି ରଖିଥିଲା, ଏହି ସମୟରେ ମଧ୍ୟ ସେ ଅବସ୍ଥାର ଖୁବ୍‌ ବେଶୀ ପରିବର୍ତ୍ତନ ହୋଇନଥିଲା । ଓଡ଼ିଆମାନେ ଚିରଦିନ ଘରପଶା ଜାତି । ସୁଦୂର ଅତୀତରେ ବାଣିଜ୍ୟ, ବ୍ୟବସାୟ, ଯୁଦ୍ଧବିଗ୍ରହ ନିମନ୍ତେ ସାମୟିକ ଭାବରେ ଦୂର ଦେଶକୁ ଯିବାକୁ ପଡ଼ୁଥିଲେହେଁ, ଜଗନ୍ନାଥହିଁ ସେମାନଙ୍କର ପ୍ରାଣର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି-। ଏ ଜାତିର ଶକ୍ତି ଏବଂ ଦୁର୍ବଳତାର କେନ୍ଦ୍ର ମଧ୍ୟ ସେ । ନିର୍ଭରଶୀଳତାର ଅଟଳ ଦୁର୍ଗଭଳି ଜଗନ୍ନାଥ ଓଡ଼ିଆଙ୍କୁ ଏପରି ନିବିଡ଼ ଭାବରେ ଘେରି ରହିଛନ୍ତି ଯେ, ତାଙ୍କୁ ଏଡ଼ାଇ ଦୁଃସାହସିକ କୌଣସି ଅଭିଯାନରେ ବାହାରି ପଡ଼ିବା ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହୋଇନାହିଁ । ସଂଘର୍ଷହୀନ ଏକ ସାଧାରଣ ଜୀବନ ମଧ୍ୟରେ ଏ ଜାତିର ଦର୍ଶନ ବାସ୍ତବବିମୁଖ ଆଦର୍ଶବାଦୀ ହୋଇ ପଡ଼ିବା ସ୍ୱାଭାବିକ । ସାହିତ୍ୟରେ ତେଣୁ କଳ୍ପନାପ୍ରଧାନ ‘ଆନନ୍ଦଲୋକ’ର ସୃଷ୍ଟିହିଁ ହୋଇଛି, ଏ ଜାତିର ସ୍ରଷ୍ଟାମାନଙ୍କର ଧ୍ୟେୟ । ସାରଳାଦାସ କିନ୍ତୁ ଦେଖିଥିଲେ ଗୋଟିଏ ସଂଘର୍ଷପୂର୍ଣ୍ଣ ସ୍ଥିତିକାମୀ ଜାତିର ଚଳମାନ ଜୀବନକୁ । ତାଙ୍କ ସାହିତ୍ୟରେ ତାହାର ସ୍ୱାକ୍ଷର ଦେଖିବାକୁ ମିଳେ ।

 

ଯାହାହେଉ, ଚଳିତ ଶତକର ଚତୁର୍ଥଦଶକ ବେଳକୁ ରୋମାଣ୍ଟିକ୍‌ ଚେତନାହିଁ ଥିଲା ଏଠାର ସାହିତ୍ୟକାରମାନଙ୍କର ପ୍ରଧାନ ସମ୍ୱଳ । ଶାସକ-ସଂପ୍ରଦାୟର ସାମୟିକ ସମର୍ଥନ ପାଇନଥିଲେ, ସ୍ୱତନ୍ତ୍ର ପ୍ରଦେଶ ଲାଭର ସ୍ୱପ୍ନ କେବେ ସଫଳ ହୋଇଥାଆନ୍ତା, ତାହା କହି ହେଉନାହିଁ । ନାଟ୍ୟକାର କାଳୀଚରଣ ଏ ଜାତିର ପ୍ରତ୍ୟାଶାକୁ ଭଲ ଭାବରେ ବୁଝିପାରି ଥିବାରୁ ନିଜ ସୃଷ୍ଟିରେ ତଦନୁରୂପ ବ୍ୟବସ୍ଥା କରିଥିଲେ । ତାଙ୍କ ପରେ ରାମଚନ୍ଦ୍ର ମିଶ୍ର, ଭଞ୍ଜକିଶୋର ପଟ୍ଟନାୟକ ଏବଂ ଗୋପାଳ ଛୋଟରାୟ ପ୍ରମୁଖ ଯେଉଁ ଅଜସ୍ର ପାରିବାରିକ ନାଟକ ସୃଷ୍ଟି କଲେ, କାଳୀଚରଣଙ୍କ ପ୍ରବର୍ତ୍ତିତ ନୀତିନିୟମ ହିଁ ହେଲା ସେମାନଙ୍କର ଧ୍ୟେୟ । ସମସାମୟିକ ସମସ୍ୟା ଯଥା :- ବେକାରୀ, ଦାରିଦ୍ର୍ୟ, ଯୌତୁକ, ଜାତିଭେଦ, ଶିକ୍ଷା ପ୍ରଭୃତି ଏମାନଙ୍କର କୃତିରେ ସ୍ଥାନ ପାଇଲା, ମାତ୍ର ସ୍ରଷ୍ଟାର ଦୃଷ୍ଟି ଓ ଦର୍ଶନରେ ସେଭଳି କୌଣସି ଅଭିନବ ପ୍ରବୃତ୍ତି ଦେଖିବାକୁ ମିଳିଲା ନାହିଁ, ଯାହା ଇତିପୂର୍ବରୁ ଦେଖାଯାଇ ନଥିଲା । ଆଧୁନିକ ଓଡ଼ିଆ ନାଟକର ସୃଷ୍ଟିଲଗ୍ନରେ ‘ବାବାଜୀ’ ନାଟକର ରଚନା-ଓଡ଼ିଆ ନାଟ୍ୟକାରଙ୍କର ବାସ୍ତବାନୁରାଗର ଯେଉଁ ପରିଚୟ ଦିଏ, ତାହା ପରବର୍ତ୍ତୀକାଳରେ ବଜାୟ ରହିପାରିଲା ନାହିଁ । ଜାତୀୟତାର ଆବେଗ ଏବଂ ସଂସ୍କାରଲିପ୍‌ସା ଏଗୁଡ଼ିକୁ ପ୍ରଚାରଧର୍ମୀ କରିପକାଇଛି । ଆଦର୍ଶ ଆସିଛି ଏବଂ ସତ୍ୟ ଅବହେଳିତ ହୋଇଛି । ଏହି ସମୟର ନାଟ୍ୟ ପ୍ରବୃତ୍ତିକୁ ନିମ୍ନଭାବରେ ପ୍ରକାଶ କରାଯାଇପାରେ । ‘‘ନାଟ୍ୟକାରମାନେ ପୌରାଣିକ, ଐତିହାସିକ, ରୋମାଣ୍ଟିକ୍‌ ଏବଂ ସାମାଜିକ ନାଟକ ରଚନା କରୁଥିବାରୁ ଏ ସବୁର ଗଢ଼ଣ (Form)ରେ ଥିବା ମୌଳିକ ପାର୍ଥକ୍ୟକୁ ଉପେକ୍ଷା କରିଗଲେ । ସାମାଜିକ ନାଟକଗୁଡ଼ିକରେ ଏଠାକାର ସମାଜ ଯଥାଯଥ ଭାବରେ ପ୍ରତିଫଳିତ ହୋଇ ପାରିଲା ନାହିଁ । X X ମଞ୍ଚରେ ଏହା ସାମୟିକ ଉତ୍ତେଜନା ସୃଷ୍ଟି କରିଛି, ମାତ୍ର ନାଟ୍ୟ ସାହିତ୍ୟରେ କୌଣସି ସ୍ଥାୟୀ ପ୍ରଭାବ ସୃଷ୍ଟି କରିପାରିନାହିଁ ।’’ (୮) ନାଟକକୁ କୁହାଯାଇପାରେ ‘ସବୁ କାଳର ସବୁ ସମାଜର ଏକ ଶାଶ୍ୱତ ମାନସିକ ବୃତ୍ତି, ଯାହା ଜୀବନ ଭଳି ସୁନ୍ଦର, ପ୍ରେମ ଭଳି ମଧୁର, ମୃତ୍ୟୁ ଭଳି ସତ୍ୟ’ । ଓଡ଼ିଆ ନାଟକର ‘ସୁବର୍ଣ୍ଣଯୁଗ’ (୧୯୫୦-୬୦)ରେ କିନ୍ତୁ ଏଭଳି ଚିରକାଳୀନ ନାଟକ ପରିମାଣ ଦୃଷ୍ଟିରୁ ଖୁବ୍‌ ନଗଣ୍ୟ ରୂପରେ ସୃଷ୍ଟି ହୋଇଛି । ‘ମୁକୁର’ ଲେଖିଥିଲେ, ‘‘The best drama must be the truest replica of every day happenings in the World. Representation of some things which can never happen in actual life renders the drama absund-’’ (୯) ସମସାମୟିକତା ଅର୍ଥାତ୍‌ ଚଳନ୍ତି ସମାଜ ହିଁ ହେବ ନାଟ୍ୟକାରମାନଙ୍କର ଗବେଷଣାର କ୍ଷେତ୍ର । ସମାଜଜୀବନର ସୁଖ ଦୁଃଖ, ଆଶା ନିରାଶାର ବିବରଣୀ କଳାତ୍ମକ ରୂପରେ ନାଟକରେ ସ୍ଥାନ ପାଇଲେହିଁ ନାଟକ ସଫଳ ହେବ । ମନେ ରଖିବାକୁ ହେବ ଯେ, ‘Truest replica’ କହିବା ଦ୍ୱାରା ଏଠାରେ ଜୀବନର ଫଟୋଗ୍ରାଫିକ୍‌ ଚିତ୍ରକୁ ମାତ୍ର ବୁଝାଯାଇ ନାହିଁ । ଯାହା ଘଟିନାହିଁ, ଅଥଚ ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି, ଏ ସବୁ ଘଟଣା ମଧ୍ୟ ପୂର୍ବୋକ୍ତ ମନ୍ତବ୍ୟର ଅନ୍ତର୍ଭୁକ୍ତ ।

 

(୮)

ଓଡ଼ିଆ ନାଟକର ବିକାଶଧାରା-୩ୟ ଖଣ୍ଡ-ପୃ. ୧୪୨ ।

(୯)

ମୁକୁର-୯ମ ଭାଗ-୪, ୫, ୬ଷ୍ଠ ସଂଖ୍ୟା-୧୯୧୫, ପୃ. ୧୩୧ ।

 

ଏହି ମନ୍ତବ୍ୟର ପରିପ୍ରେକ୍ଷୀରେ ଆଲୋଚ୍ୟ କାଳର ନାଟକକୁ ଆଲୋଚନା କଲେ ଅବଶ୍ୟ ସମ୍ପୂର୍ଣ୍ଣ ଭାବରେ ନିରାଶ ହେବାକୁ ପଡ଼ିବ ନାହିଁ । ବିଦେଶୀ ଶାସନର କବଳରୁ ମୁକ୍ତିଲାଭ ହେଉଛି, ଏହି ସମୟର ପ୍ରଧାନ ଘଟଣା । ସ୍ୱାଧୀନତା ପରବର୍ତ୍ତୀ କାଳରେ ଏ ଦେଶର ସମାଜଜୀବନରେ ଯେଉଁ ନବନବ ସମସ୍ୟାର ଉଦ୍‌ଭବ ହୋଇଛି, ତାହାଦ୍ୱାରା ଜୀବନର ପାରମ୍ପରିକ ମୂଲ୍ୟବୋଧ ପ୍ରାୟ ଆମୂଳ ବଦଳିଗଲା କହିଲେ ଚଳେ । ଯୁଗ ପରିବର୍ତ୍ତନର ଏହି ସ୍ୱାକ୍ଷର ଏ କାଳର ନାଟ୍ୟକାରମାନଙ୍କର ରଚନାରେ ଊଣାଅଧିକେ ରହିଛି । ଭାରତୀୟ ପରିବାର, ଶିକ୍ଷା, ଦୀକ୍ଷା, ସଭ୍ୟତା, ସଂସ୍କୃତି, ଧର୍ମ, ଦର୍ଶନ, ରାଜନୀତି, ସମାଜନୀତି ପ୍ରଭୃତି ବିଭିନ୍ନ ବିଷୟକୁ ନେଇ ଏହି ସମୟର ନାଟକ ରଚିତ ହୋଇଛି । ନାଟ୍ୟକାରମାନେ ସବୁବେଳେ ଯେ ଯୁଗ ପ୍ରଭାବର ଅନୁବର୍ତ୍ତୀ ହୋଇ ନିଷ୍କ୍ରିୟ ଭାବେ ରହିଛନ୍ତି, ଏ କଥା ମଧ୍ୟ କୁହାଯାଉନାହିଁ । ବରଂ କେତେକ ନାଟ୍ୟକାର ମୌଳିକ ଚିନ୍ତା ଏବଂ ସୃଷ୍ଟିର ବିଶେଷତ୍ୱ ଦ୍ୱାରା ଯୁଗକୁ ପ୍ରଭାବିତ କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି । ଏହି କାରଣରୁ ସମାଜର ମନୋଭୂମିରେ ଅବସ୍ଥାନ କରି ନାଟ୍ୟକାରମାନେ କେତେବେଳେ ପ୍ରତ୍ୟକ୍ଷ ସମାଜ ସମସ୍ୟା ସହିତ ନିଜକୁ ଜଡ଼ିତ କରିଛନ୍ତି କେତେବେଳେ ଅବା ଜାତୀୟ ଧର୍ମାଦର୍ଶର ପରିପ୍ରେକ୍ଷୀରେ ଆଧ୍ୟାତ୍ମିକତାର କୁହେଳୀ-ମଣ୍ଡିତ ନାଟ୍ୟାଦର୍ଶ ସୃଷ୍ଟି କରିଛନ୍ତି । ଶେଷୋକ୍ତ ନାଟ୍ୟାଦର୍ଶର ପ୍ରଭାବ ଅର୍ଥାତ୍‌ ‘ଧର୍ମର ଜୟ ଏବଂ ପାପର କ୍ଷୟ’ ଆଦର୍ଶର ପ୍ରାଧାନ୍ୟ ହିଁ ଏମାନଙ୍କର ନାଟକଗୁଡ଼ିକୁ ମୁଖ୍ୟତଃ ନିୟନ୍ତ୍ରିତ କରିଛି । ପରିଣାମ ସ୍ୱରୂପ ତେଣୁ ଏହି କାଳର ନାଟକଗୁଡ଼ିକ କେତେକ କ୍ଷେତ୍ରରେ ବାସ୍ତବତାଠାରୁ ଦୂରେଇଯିବାକୁ ବାଧ୍ୟ ହୋଇଛନ୍ତି । ଏଥିପାଇଁ ଅବଶ୍ୟ ନାଟ୍ୟକାରମାନଙ୍କୁ ଅଭିଯୁକ୍ତ କରାଯାଉ ନାହିଁ । କାରଣ ଏମାନଙ୍କ ମଧ୍ୟରୁ ଅଧିକାଂଶ ନାଟକ ଲେଖିଛନ୍ତି ବ୍ୟବସାୟୀ ରଙ୍ଗମଞ୍ଚ ନିମନ୍ତେ । ମଞ୍ଚର ଦର୍ଶକମାନଙ୍କର ଚାହିଦା ଏ ଦେଶର ସନାତନ ଦର୍ଶନ ଦ୍ୱାରା ହିଁ ମୁଖ୍ୟତଃ ନିୟନ୍ତ୍ରିତ । ଦର୍ଶକ-ପ୍ରତ୍ୟାଶାର ଏହି ଦୁର୍ଲଂଘ୍ୟ ଲକ୍ଷ୍ମଣଗାର ଅତିକ୍ରମ କରି ସ୍ୱାଧୀନ ଭାବରେ ପଥ ଚାଲିବାର କୌଣସି ଉପାୟ ସେମାନଙ୍କ ପାଇଁ ନ ଥିଲା ।

 

ଜାତୀୟ ଚରିତ୍ର ନିର୍ମାଣରେ ନାଟକ ଓ ରଙ୍ଗମଞ୍ଚର ଭୂମିକା ସମ୍ପର୍କରେ ବଙ୍ଗଦେଶର ପ୍ରଥିତନାମା ଅଭିନେତା ଓ ନାଟ୍ୟକାର ଗିରୀଶ ଘୋଷ ଲେଖିଥିଲେ, ‘‘ପ୍ରତ୍ୟେକ ଦେଶର ଇତିହାସ ପଢ଼ିଲେ, ଗୋଟିଏ ବିଶେଷ ସତ୍ୟ ଦେଖିବାକୁ ମିଳିବ । ରଙ୍ଗାଳୟ ଦେଶର ଜାତି ଓ ସମାଜକୁ ଉନ୍ନତତର ସ୍ତରକୁ ଉଠାଇ ନେବାକୁ କେତେ ସାହାଯ୍ୟ କରିଛି, ସାଧାରଣ ଜନତା ପ୍ରାଣରେ ଏକ ନୂତନ ପ୍ରେରଣା ସୃଷ୍ଟି କରିବା ନିମନ୍ତେ କିଭଳି ଉଦ୍ୟମ କରିଛି, ତାହାର ପରିଚୟ ଏଥିରୁ ମିଳିବ । X X ଗୋଟାଏ ଜାତିର ଜୀବନ ଯେ ରଙ୍ଗାଳୟର ନାଟ୍ୟାଭିନୟ ମାଧ୍ୟମରେ ପ୍ରକାଶିତ ହୁଏ, ଏହି ସତ୍ୟଟିକୁ ବୁଝାଇବା ନିମନ୍ତେ X X ମୁଁ ନାଟକ ଲେଖିଛି ।’’ (୧୦) ଏହି ମନ୍ତବ୍ୟକୁ ଆଖି ଆଗରେ ରଖି ଆଲୋଚ୍ୟ କାଳର ନାଟ୍ୟକାରମାନଙ୍କର କୃତିଗୁଡ଼ିକୁ ବିଚାର କଲେ ସମ୍ପୂର୍ଣ୍ଣ ନିରାଶ ହେବାକୁ ପଡ଼ିବ ନାହିଁ । କାରଣ ଦୋଷତୃଟିହୀନ ଏକ ସମ୍ପୂର୍ଣ୍ଣ ସୁସ୍ଥ ସମାଜ ଗଢ଼ିବାର ଆବେଗକୁ ସମ୍ବଳ କରି ହିଁ ଏ କାଳର ନାଟ୍ୟକାରମାନେ ନାଟକ ରଚନା କରିଛନ୍ତି । ସମାଜ ଜୀବନର ସଂକୀର୍ଣ୍ଣତା, ହୀନମନ୍ୟତାକୁ ଖୋଲି ଦେଖାଇ ଦେଇ ତାହାକୁ କଳଙ୍କମୁକ୍ତ କରିବା ନିମନ୍ତେ ଉଦ୍ୟମ କରିଛନ୍ତି । ତେବେ ଯାହା ଇତିପୂର୍ବରୁ କୁହାଯାଇଛି, ଆମୋଦଧର୍ମିତାର ପୁଟହିଁ ଏଗୁଡ଼ିକୁ ଅଧିକାଂଶ କ୍ଷେତ୍ରରେ ଲଘୁ କରିଦେଇଛି ଏବଂ ଏହି କାରଣରୁ ହିଁ ଜାତୀୟ ଜୀବନକୁ ପ୍ରଭାବିତ କରିବା ଭଳି ଶକ୍ତି ଏମାନେ ପୂର୍ଣ୍ଣମାତ୍ରାରେ ସଂଗ୍ରହ କରିପାରିନାହାନ୍ତି । ବ୍ୟବସାୟୀ ମଞ୍ଚର ଦାବୀ ନାଟ୍ୟକାରର ସ୍ୱାଧୀନ ଚିନ୍ତାକୁ ନିୟନ୍ତ୍ରିତ କରୁଥିବାରୁ ଏଠାରେ ବାସ୍ତବ ଆଦର୍ଶଦ୍ୱାରା ପ୍ରଭାବିତ ହେବାକୁ ବାଧ୍ୟ ହୋଇଛି ।

 

(୧୦)

ବାଂଲାନାଟ୍ୟ ବିବର୍ଦ୍ଧନେ ଗିରୀଶଚନ୍ଦ୍ର : ଅଭୀନ୍ଦ୍ର ଚୌଧୁରୀ

 

ପ୍ରସଙ୍ଗ କ୍ରମେ ଗୋଟିଏ କଥା ଏଠାରେ ଉଲ୍ଲେଖ କରାଯାଇପାରେ । ନଗର ଏବଂ ପଲ୍ଲୀ ସଂସ୍କୃତିରେ ଆଦର୍ଶଗତ ଦୂରତ୍ୱ ସମାଜ-ଜୀବନରେ ବହୁ ଜଟିଳତା ସୃଷ୍ଟି ନିମନ୍ତେ ଦାୟୀ ହୋଇଥାଏ-। ସ୍ୱାଧୀନତା ପରେ ଏ ଦେଶରେ ଶିଳ୍ପ ବାଣିଜ୍ୟ ନଗରକେନ୍ଦ୍ରିକ ହୋଇ ଉଠିବାରୁ ଏବଂ ସମଗ୍ର ପଲ୍ଲୀ ନଗରାଭିମୁଖୀ ହୋଇପଡ଼ିବାରୁ ଦେଶର ସମାଜ-ଜୀବନ ଅଧିକ ସମସ୍ୟାସଙ୍କୁଳ ହୋଇ ଉଠିଲା । ଫଳରେ ଦେଶର ସାମାଜିକ ଓ ଅର୍ଥନୈତିକ ଜୀବନର ମାନଦଣ୍ଡରେ ମଧ୍ୟ ଲକ୍ଷ୍ୟଣୀୟ ପରିବର୍ତ୍ତନର ସୂଚନା ଦେଖା ଦେଲା । ସହର-କେନ୍ଦ୍ରିକ ଅର୍ଥନୀତି ଗ୍ରାମୀଣ ଅର୍ଥନୈତିକ ଭିତ୍ତିକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଲା କହିଲେ ଚଳେ । ପରିଣାମରେ ବୈଜ୍ଞାନିକ ଚିନ୍ତା ଓ ବ୍ୟକ୍ତି-ସ୍ୱାତନ୍ତ୍ର୍ୟବୋଧର ବାଣୀ ସନାତନ ଦେଶାଚାର ଏବଂ କୁସଂସ୍କାରକୁ ପର୍ଯ୍ୟୁଦସ୍ତ କରିବାକୁ ଲାଗିଲା । ବ୍ୟକ୍ତି-ସ୍ୱାତନ୍ତ୍ର୍ୟ, ଶାସ୍ତ୍ର ଓ କୁସଂସ୍କାରର ନିଗଡ଼ ମଧ୍ୟରୁ ମାନବ ମନର ମୁକ୍ତି, ବ୍ୟକ୍ତିର ମୁକ୍ତି ଅପେକ୍ଷା ସମଷ୍ଟିର କଲ୍ୟାଣକୁ ଉଚ୍ଚ ସ୍ଥାନ ଦେବା-ପ୍ରଭୃତି ଏହି ସମୟର ଆଦର୍ଶ ରୂପରେ ଆତ୍ମପ୍ରକାଶ କଲା । ନଗରଜୀବନର ଅର୍ଥନୀତି ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇ ଉଠିବାରୁ, ବିଳାସବୃତ୍ତି ସମାଜ-ଜୀବନକୁ ଶିଥିଳ କରିଦେବାରେ ଲାଗିଲା । ମଦ୍ୟପାନ, ଜୈବ ଆକର୍ଷଣ ଉପଭୋଗ ଜନିତ ବ୍ୟଭିଚାର ଏବଂ ନୈତିକ ଶିଥିଳତା ଏହି ସମୟର ସମାଜ-ଜୀବନରେ ବହୁ ସମସ୍ୟା ସୃଷ୍ଟି କରିଥିଲା । ପୂର୍ବେ ଯେଉଁ ବ୍ୟାପାରଗୁଡ଼ିକ ସଂସ୍କାର ଅଭିଧାରେ ଏ ଦେଶର ଜାତୀୟ ଜୀବନଠାରୁ ଦୂରବର୍ତ୍ତୀ ହୋଇ ରହିଥିଲା, ଆଧୁନିକ ଶିକ୍ଷାର ପ୍ରସାର ଫଳରେ ସେଗୁଡ଼ିକ ପୁଣି ‘କୁସଂସ୍କାର’ ନାମରେ ନଗରଜୀବନର ପ୍ରାଣ-କେନ୍ଦ୍ରରେ ଲାଳିତ ହେବାକୁ ଲାଗିଲା । କହିବା ବାହୁଲ୍ୟ ଯେ, ପଲ୍ଲୀ ସମାଜ ନିଜର ସମସ୍ତ ଶୁଚିବାଦିତା ସତ୍ତ୍ୱେ ଏହି ସଂକ୍ରମଣ ମଧ୍ୟରୁ ଆତ୍ମରକ୍ଷା କରିପାରିଲା ନାହିଁ । ଏହାର ପ୍ରଭାବରେ ପଲ୍ଲୀର ନିସ୍ତରଙ୍ଗ ଶାନ୍ତ ଜୀବନ ମଧ୍ୟ ବିକ୍ଷୁବ୍‌ଧ ହେବାକୁ ଲାଗିଲା ।

 

ସ୍ୱାଧୀନତା ପରବର୍ତ୍ତୀକାଳରେ ରାମଚନ୍ଦ୍ର ମିଶ୍ର, ଭଞ୍ଜ କିଶୋର ପଟ୍ଟନାୟକ ଏବଂ ଗୋପାଳ ଛୋଟରାୟ ପ୍ରମୁଖ ଯେଉଁ ନାଟକଗୁଡ଼ିକ ରଚନା କଲେ, ସେଗୁଡ଼ିକରେ ନଗର ଏବଂ ପଲ୍ଲୀର ଏହି ମାନସିକ ଦୂରତ୍ୱର କାହାଣୀ ହିଁ ମୋଟା ମୋଟି ଭାବରେ ସ୍ଥାନ ପାଇଛି । ଅବଶ୍ୟ ସ୍ୱାଧୀନତା ପୂର୍ବରୁ ମଧ୍ୟ ଏଇ ପ୍ରବୃତ୍ତି ଓଡ଼ିଆ ନାଟକରେ ଆତ୍ମପ୍ରକାଶ କରିସାରି ଥିଲା । ବର୍ତ୍ତମାନ ଏହା ଅଧିକ ସ୍ପଷ୍ଟ ହେଲା । ସମସ୍ୟାର ଅବତାରଣାରେ ଏହି କାଳର ନାଟ୍ୟକାରମାନେ କୌଣସି କାର୍ପଣ୍ୟ କରିନାହାନ୍ତି । ମୂଲିଆ, ଘରସଂସ୍କାର, ଜୟମାଲ୍ୟ, ଅତିଥି, ନଷ୍ଟ ଉର୍ବଶୀ, ଫେରିଆ ପ୍ରଭୃତି ନାଟକରେ ଏହି ଧରଣର ବହୁ ସମସ୍ୟା ରୂପାୟିତ ହୋଇଛି । ନାଟ୍ୟକାରମାନେ ଅତ୍ୟନ୍ତ ସଫଳଭାବେ ଏହାର ଜଟିଳ ଦିଗଟିକୁ ଦର୍ଶକମାନଙ୍କ ନିକଟରେ ଦେଖାଇ ଦେଇଛନ୍ତି । ମାତ୍ର ସମାଧାନ ନିମନ୍ତେ ଯେଉଁ ଉପାୟ ଗ୍ରହଣ କରାଯାଇଛି, ବ୍ୟବସାୟୀ ମଞ୍ଚର ତର୍ଜନୀ ସଙ୍କେତର ସ୍ପଷ୍ଟ ସୂଚନା ଏ ସବୁଥିରେ ଦେଖିବାକୁ ମିଳୁଛି । ଏ ପ୍ରସଙ୍ଗରେ ‘କାବ୍ୟିକ ନ୍ୟାୟ’ ପ୍ରସଙ୍ଗକୁ ମଧ୍ୟ ସ୍ମରଣ କରିବାକୁ ପଡ଼ୁଛି । ଏଥିରୁ କେବଳ ଏତିକି ପ୍ରମାଣିତ ହେଉଛି ଯେ, ବିଧି ନିଷେଧର ବନ୍ଧନ ମଧ୍ୟରେ ସ୍ରଷ୍ଟାର ସ୍ୱାଧୀନ ଚିନ୍ତାକୁ ବାନ୍ଧି ରଖିଲେ, ତାହାର ଫଳ କେବେ ଶୁଭଙ୍କର ହୁଏ ନାହିଁ ।

 

ଏହାପରେ ଆସୁଛି ଓଡ଼ିଶାର ନବନାଟ୍ୟ ପ୍ରସଙ୍ଗ, ଯାହାର ପ୍ରାରମ୍ଭ ହୋଇଥିଲା ମନୋରଞ୍ଜନଙ୍କ ନେତୃତ୍ୱରେ ୧୯୬୦ ମସିହା ପରେ । ଆଧୁନିକ ଓଡ଼ିଆନାଟକରେ ପାଶ୍ଚାତ୍ୟ ନାଟ୍ୟ ଶୈଳୀର ଅନୁପ୍ରବେଶ ଘଟାଇ, ତାହାକୁ ଯଥାର୍ଥବାଦୀ ପାଶ୍ଚାତ୍ୟ ନାଟକର ସମକକ୍ଷ କରିବା ନିମନ୍ତେ ମନୋରଞ୍ଜନ ଉଦ୍ୟମ ଆରମ୍ଭ କରିଥିଲେ ସେଇ ପଚାଶ ଦଶକରୁ । କୁହାଯାଉଛି ଯେ, ସାମ୍ପ୍ରତିକ ଓଡ଼ିଆ ନାଟକରେ ଐତିହ୍ୟ ଏବଂ ପରମ୍ପରା ସମ୍ପର୍କରେ ଯେଉଁ ନିସ୍ପୃହତା ଦେଖାଯାଉଛି, ମନୋରଞ୍ଜନଙ୍କ କ୍ରମାଗତ ଉଦ୍ୟମ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ । ମାତ୍ର ତଳେଇ କରି ବିଚାର କଲେ ଦେଖାଯିବ ଯେ, ଯୁଦ୍ଧୋତ୍ତର କାଳରେ ବହିର୍ମୁଖୀ ସମାଜ ଜୀବନରେ ଯେଉଁ ଲକ୍ଷ୍ୟଣୀୟ ପରିବର୍ତ୍ତନର ଧାରା-ପ୍ରବାହ ଛୁଟିଲା, ତାହା ସହିତ ଏହାର ନିବିଡ଼ ସମ୍ପର୍କ ରହିଛି । ସମାଜ ଜୀବନର ନିଷ୍ଠୁର ସତ୍ୟ ଦିଗହିଁ ଏହି ସବୁ ନାଟକରେ ପ୍ରତିଫଳିତ ହୋଇଛି । ପ୍ରତ୍ୟକ୍ଷ ଜୀବନ ସମସ୍ୟାର ରୂପାୟନ ସହିତ ସୂକ୍ଷ୍ମ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ତାଙ୍କର ନାଟକରେ ସ୍ଥାନ ପାଇବା ଫଳରେ ଜୀବନର ପରିବ୍ୟାପ୍ତ ବାସ୍ତବ ଦିଗଟି ପ୍ରତି ଆମର ଦୃଷ୍ଟି ଆକୃଷ୍ଟ ହୋଇଛି । ସାମ୍ପ୍ରତିକ ନାଟକ ତେଣୁ ଉଭୟ ଆଙ୍ଗିକ ଏବଂ ଆତ୍ମିକ ଦୃଷ୍ଟିରୁ ବିଶ୍ୱ ନାଟ୍ୟଚେତନାର ଏକ ଅଂଶ ହୋଇ ପଡ଼ିଛି ।

 

ନବନାଟକର ଲକ୍ଷ୍ୟ ସମ୍ପର୍କରେ କୁହାଯାଇଛି, ‘‘The New Theatre in short has in both its positive and negative phases immediate social implications. It is not as some believe an offensively bragging frivolity, a ‘send up’ by aesthetic ruffians, but a mirror reflecting a disturbed world turning a dangerous corner-’’ (୧୧) ସମସ୍ୟା-କଣ୍ଟକିତ ସମସାମୟିକ ପୃଥିବୀର ରୁଗ୍‌ଣ ରୂପଟିକୁ ହିଁ ଆଜିର ମଞ୍ଚରେ ପ୍ରତିଫଳିତ କରିବା ନିମନ୍ତେ ଉଦ୍ୟମ କରୁଛନ୍ତି ନାଟ୍ୟକାରମାନେ । ଅବଶ୍ୟ ଜୀବନର ଯେଉଁ ନିରାନନ୍ଦମୟ ଭୟାବହ ରୂପଟି ତହିଁରେ ପରିଦୃଷ୍ଟ ହେଉଛି, ତାହା ସାଧାରଣ-ଜନତାର ମାନସରାଜ୍ୟରେ ଆତଙ୍କ ସୃଷ୍ଟି କରୁଥିବାରୁ କୌଣସି ବ୍ୟବସାୟୀ ମଞ୍ଚରେ ଏହିସବୁ ନାଟକ ପରିବେଷିତ ହେବା ସମ୍ଭବପର ହୋଇପାରୁ ନାହିଁ । ମନୋରଞ୍ଜନଙ୍କର ଏହି ଧରଣର ସମସ୍ତ ନାଟକ ସୌଖିନ ମଞ୍ଚରେ ପରିବେଷିତ ହୋଇଥିବାରୁ ଏହି ମନ୍ତବ୍ୟର ସତ୍ୟତା ଉପଲବ୍‌ଧି କରିହେବ । ସାଧାରଣ ଦର୍ଶକ ନାଟକରୁ ଖୋଜନ୍ତି ଆମୋଦ । ତାହାର ପରିମାଣ ଏହିସବୁ ନାଟକରେ ନିଶ୍ଚିତ ଭାବରେ କମ୍‌ । ସେମାନଙ୍କର ପଳାୟନବାଦୀ ମନୋବୃତ୍ତି ସହିତ ଏହିସବୁ ନାଟକର ଦର୍ଶନ ଆଦୌ ଖାପ୍‌ ଖାଉନାହିଁ । ଜୀବନର ରୂଢ଼ ନିର୍ମମ ସତ୍ୟ ସହିତ ମୁହାଁମୁହିଁ ହେବାର ସାହସ ଆମ୍ଭମାନଙ୍କର ପ୍ରାୟ ନଥାଏ । ଆମେ ସବୁ ସେଥିରୁ ମୁହଁ ଫେରାଇନେଇ ଆପାତରମ୍ୟତାର ଏକ କଚ୍ଛପୀୟ ଆବରଣ ମଧ୍ୟରେ ମୁହଁ ଲୁଚାଇ ଆତ୍ମରକ୍ଷା କରିବାକୁ ଚାହୁଁ । ମାତ୍ର ତାହାଦ୍ୱାରା ସତ୍ୟର ନିର୍ମମ ରୂପକୁ ଅସ୍ୱୀକାର କରି ହୁଏନାହିଁ । ଯେଉଁ ପାପବୋଧ ଏବଂ ହତାଶାର ବେଦନା ଆଜିର ଜୀବନର ଶିରାପ୍ରଶିରାରେ ପ୍ରବାହିତ, ନାଟକରେ ତାହାର ପ୍ରକୃତ ରୂପଟି ପ୍ରକାଶ ପାଇବା ହିଁ ସ୍ୱାଭାବିକ । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟକାରମାନେ ସେମାନଙ୍କର ନାଟକରେ ଦର୍ଶନୀୟ ପ୍ରତ୍ୟାଶାର ପରିଣାମ ସ୍ୱରୂପ ଯେଉଁସବୁ ‘ୟୁଟୋପିଆ’ ଗଢ଼ିଦେଉଥିଲେ, ଏହା ସହିତ ତାହାର କୌଣସି ସମ୍ପର୍କ ନାହିଁ ।

 

(୧୧)

The New Theatre : Harold Clurman

 

ମନୋରଞ୍ଜନ ଏ ଦେଶର ଜଣେ ଶକ୍ତିଧର ନାଟ୍ୟକାର । ସାଧାରଣ ଜୀବନର ଯେଉଁସବୁ ମୁହୂର୍ତ୍ତଗୁଡ଼ିକ ଆମର ମନକୁ ଜୀବନ ରହସ୍ୟର ଭାବନାରେ ଉଦ୍‌ବେଳିତ କରି, ଶିଳ୍ପସୁଲଭ ଅନୁଭୂତି ସୃଷ୍ଟି କରିବା ନିମନ୍ତେ ସକ୍ଷମ ହୁଏ, ଯାହା ପୁଣି ଅନ୍ୟ କୌଣସି ସ୍ଥାନ ନିମନ୍ତେ, ଅନ୍ୟ କୌଣସି କାଳ ପାଇଁ ଅବଶ୍ୟମ୍ଭାବୀ ପରିବର୍ତ୍ତନ ପାଇଁ ଆମକୁ ଉନ୍ମୁଖ କରି ରଖେ, ସେଇ ସବୁ ଦୁର୍ଲଭ ମୁହୂର୍ତ୍ତଗୁଡ଼ିକ ସମ୍ପର୍କରେ ନାଟ୍ୟକାର ଅତ୍ୟନ୍ତ ସଚେତନ । ନାଟକରେ ପୁଣି ‘କୌତୁହଳ’ ସୃଷ୍ଟି ବ୍ୟାପାରରେ ମନୋରଞ୍ଜନ ଅପ୍ରତିଦ୍ୱନ୍ଦୀ । ତାଙ୍କ ନାଟକରେ କିଛି ଘଟେ ନାହିଁ, କୌଣସି କୌତୂହଳ ଜାଗ୍ରତ ହୋଇ ରୁହେ ନାହିଁ-ଏହା ନୁହେଁ । ଯେତେବେଳେ କିଛି ଘଟୁ ନାହିଁ, ସେତେବେଳେ ସୁଦ୍ଧା ଦର୍ଶକମାନଙ୍କୁ ଉତ୍କଣ୍ଠିତ କରି ରଖିବା-ଏଇ ସାଙ୍ଗେ ସାଙ୍ଗେ କିଛି ଘଟିଯିବ-ଏହି ପ୍ରତ୍ୟାଶାରେ ସେମାନଙ୍କର କୌତୂହଳ ଜାଗ୍ରତ କରି ରଖିବା-ମନୋରଞ୍ଜନ ନିଜ ନାଟକରେ ଏହା କରିବାରେ ସମ୍ପୂର୍ଣ୍ଣ ସଫଳ । ସାଧାରଣ ଦର୍ଶକଙ୍କର ମାନସରାଜ୍ୟରେ ସଙ୍କେତର ଏହି ଭାବବ୍ୟଞ୍ଜନା ସହଜରେ ପ୍ରତିଫଳିତ ହୋଇପାରେ ନାହିଁ ବୋଲି ମନୋରଞ୍ଜନଙ୍କ ନାଟକର ଦର୍ଶକ ମଧ୍ୟ ସ୍ୱତନ୍ତ୍ର । କାବ୍ୟ, କବିତା, ଗଳ୍ପ ଉପନ୍ୟାସରେ ଷାଠିଏ ଦଶକ ବେଳକୁ ବୌଦ୍ଧିକତାର ଯେଉଁ ଝଙ୍କାର ସୃଷ୍ଟି ହୋଇଥିଲା, ନାଟକରେ ମନୋରଞ୍ଜନ ତାହାହିଁ ପରିବେଷଣ କରିଛନ୍ତି ।

 

ସାମ୍ପ୍ରତିକ ଜୀବନର ଜଟିଳ ସମସ୍ୟାକୁ ନେଇ ମନୋରଞ୍ଜନଙ୍କର ନାଟକ । ସେଇ ସବୁ ସମସ୍ୟା, ଯାହା ଜୀବନ ଧାରାରୁ ଉଦ୍‌ଭୂତ, ତାକୁ ନେଇ ନାଟ୍ୟକାର ଏଭଳି ଏକ ଭାବର ଜଗତ୍‌ ସୃଷ୍ଟି କରନ୍ତି, ଯାହା ଦର୍ଶକମାନଙ୍କ ନିକଟରେ ଅର୍ଥପୂର୍ଣ୍ଣ । ଏ କ୍ଷେତ୍ରରେ ନାଟ୍ୟକାରଙ୍କର ସମସ୍ୟା, ଦର୍ଶକମାନଙ୍କର ବୋଧଶକ୍ତି ଏଡ଼ାଇ ଯିବା ନୁହେଁ, ବରଂ ଦର୍ଶକମାନଙ୍କର ଭୁଲବୁଝାମଣାକୁ ଯଥାସମ୍ଭବ ଦୂର କରି ସେମାନଙ୍କୁ ସମସାମୟିକ ସମାଜର ବାସ୍ତବ ରୂପ ସହିତ ପରିଚିତ କରାଇ ଦେବା । ପ୍ରାଥମିକ ପର୍ଯ୍ୟାୟରେ ମନୋରଞ୍ଜନଙ୍କ ନାଟକ ସହିତ ଦର୍ଶକ ସମାଜର ଆନ୍ତରିକ ଯୋଗାଯୋଗ ପ୍ରତିଷ୍ଠାରେ ଯେଉଁ ଦୂରତ୍ୱ ଦେଖା ଦେଇଥିଲା, ତାହାର ମୂଳ କାରଣ ‘ପୂର୍ବ ସଂସ୍କାର’ ଅଥବା ‘ପ୍ରିଜୁଡିସ୍‌’ । ଯେଉଁ ନିର୍ଦ୍ଦିଷ୍ଟ ଧାରଣା ନେଇ ଦର୍ଶକମାନେ ନାଟକ ଦେଖିବାକୁ ଯାଆନ୍ତି, ସେ ସବୁର ଘୋର ଅଭାବ ଆଧୁନିକ ନାଟକରେ ଦେଖିବାକୁ ପାଇ ସେମାନେ ପ୍ରଥମେ ପ୍ରଥମେ ଏହାଠାରୁ ମୁହଁ ଫେରାଇ ନେବା ସ୍ୱାଭାବିକ । ପ୍ରଚଳିତ ଅର୍ଥରେ ଯାହାକୁ ‘Well made play’ କୁହାଯାଏ, ଆଧୁନିକ ନାଟକ ତାହା ନୁହେଁ । ତେଣୁ ଦର୍ଶକ ତାହା ପ୍ରତି ନିସ୍ପୃହ ହୋଇ ପଡ଼ିବା ସ୍ୱାଭାବିକ । ଅଭିନୟ ଦେଖିବାକୁ ଯାଆନ୍ତି ଯେଉଁମାନେ, ସେମାନଙ୍କର ମୂଳ ଲକ୍ଷ୍ୟ ଥାଏ କିଛି ‘ଆମୋଦ’ ସଂଗ୍ରହ । କହିବା ବାହୁଲ୍ୟ ଯେ, ଆଧୁନିକ ନାଟକରେ ଏ ସୁଯୋଗ ବଡ଼ କମ୍‌ ।

 

ମନୋରଞ୍ଜନ ଦୂରଦର୍ଶୀ ନାଟ୍ୟକାର । କ୍ରମଶଃ ସେ ନିଜ ନାଟକ ପ୍ରତି ଦର୍ଶକମାନଙ୍କର ଅନୁରକ୍ତି ବଢ଼ାଇ ପାରିଛନ୍ତି । ଏହା ସମସ୍ତେ ସ୍ୱୀକାର କରିବେ ଯେ, ବିଭ୍ରାନ୍ତି ହେଉଛି ଯେ କୌଣସି ସଫଳତାର ସବୁଠାରୁ ବଡ଼ ଶତ୍ରୁ । ନୂତନ ନାଟକ ଦେଖୁଥିବାବେଳେ ଦର୍ଶକ ସମାଜ ଟିକିଏ ବିଭ୍ରାନ୍ତ ହୋଇ ପଡ଼ିବା ସ୍ୱାଭାବିକ । କ’ଣ ସବୁ ଘଟିଗଲା, କିଛି ବୁଝିହେଲା ନାହିଁ-ଏଇ ଧରଣର ମନୋଭାବ ସେମାନଙ୍କ ପାଇଁ ସ୍ୱାଭାବିକ । ମନୋରଞ୍ଜନ ଦର୍ଶକ ସମାଜର ଏଇ ସବୁ ପୂର୍ବ ସଂସ୍କାର କଟାଇବା ପାଇଁ ବିଚିତ୍ର ଧରଣର ଜଗତ୍‌ ଓ ଚରିତ୍ରର ଆମଦାନୀ କରିଛନ୍ତି । ବାସ୍ତବତାର ଏକମାତ୍ର ଶାଣିତ ଅସ୍ତ୍ର ହାତରେ ଧରି ସେ ଦର୍ଶକମାନଙ୍କୁ ସଂସ୍କାରର ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରୁ ଉଦ୍ଧାର କରିବା ନିମନ୍ତେ ଅତନ୍ଦ୍ର ଉଦ୍ୟମ ଚଳାଇ ଯାଇଛନ୍ତି । ଗତାନୁଗତିକ ଚରିତ୍ର ବଦଳରେ ରକ୍ତମାଂସର ବାସ୍ତବ ନରନାରୀ ଗୁଡ଼ିଏ ପାଦପ୍ରଦୀପ ସମ୍ମୁଖରେ ଛାଡ଼ି ଦେଇଛନ୍ତି । କ୍ରମଶଃ ଦର୍ଶକ ଏମାନଙ୍କୁ ଚିହ୍ନିଛନ୍ତି, ଜାଣିଛନ୍ତି ଏବଂ ଏମାନଙ୍କ ସହିତ ଏକାତ୍ମ ମଧ୍ୟ ହୋଇ ଯାଇଛନ୍ତି । କହିବା ବାହୁଲ୍ୟ, ଏହି ରୀତିଟିକୁ ମନୋରଞ୍ଜନ ସଂଗ୍ରହ କରିଛନ୍ତି, ପାଶ୍ଚାତ୍ୟ ନାଟ୍ୟଚେତନା କ୍ଷେତ୍ରରୁ, ଅନ୍ତତଃ ବର୍ଣ୍ଣାଡ଼ ସ’ ଇବ୍‌ସେନ୍‌ ପ୍ରମୁଖ ହିଁ, ଏ ଦିଗରେ ତାଙ୍କୁ ପ୍ରାଥମିକ ପ୍ରେରଣା ଯୋଗାଇଥିବାର ଦେଖାଯାଉଛି ।

 

ଆଧୁନିକ ନାଟକର ଲକ୍ଷ୍ୟ ସମ୍ପର୍କରେ ବର୍ଣ୍ଣାଡ଼ସ୍‌ ଚଳିତ ଶତାଦ୍ଦୀର ପ୍ରଥମଭାଗରେ ଘୋଷଣା କରିଥିଲେ, ‘‘It will be seen that only in the problem-play is there any real drama, because drama is mere setting up of the camera to nature, it is the presentation inparable of the conflict between Man’s will and his environment; in a word, of problem.’’ (୧୨) ଅର୍ଥାତ୍‌ ସମସ୍ୟାମୂଳକ ନାଟକରେ ହିଁ ନାଟକୀୟତ୍ୱର ଖାଣ୍ଟି ରୂପଟି ବ୍ୟକ୍ତ ହୁଏ, କାରଣ ନାଟକରେ କେବଳ ପ୍ରକୃତିର ଚିତ୍ର ଦେଖାଇ ଦିଆଯାଏ ନାହିଁ । ବରଂ ନାଟକ ହେଉଛି ଗଳ୍ପାକାରରେ ପରିବେଶ ସହିତ ମଣିଷର ଇଚ୍ଛାଶକ୍ତିର ସଂଗ୍ରାମର ଜୀବନ୍ତ ରୂପ : ଗୋଟିଏ କଥାରେ ଏଥିରେ ବାସ୍ତବ ଜୀବନର ସମସ୍ୟା ହିଁ ଉପସ୍ଥାପିତ ହୋଇଥାଏ ।’’ ମନୋରଞ୍ଜନ ନିଜ ନାଟକ ପାଇଁ ଏଇ ଆଦର୍ଶକୁ ଗ୍ରହଣ କରି ନେଇଛନ୍ତି ।

 

(୧୨)

Apology from Mrs. Warren’s profession, 1902

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ମନୋରଞ୍ଜନଙ୍କ ନାଟକରେ ଯେଉଁ ସବୁ ସମସ୍ୟା ଯଥା :- ହତାଶା, ନୈରାଶ୍ୟ, ବ୍ୟକ୍ତିକୈନ୍ଦ୍ରିକତା, ଅସ୍ଥିରତା ପ୍ରଭୃତି ରୂପାୟିତ ହୋଇଛି, ସେସବୁ ସ୍ଥାନୀୟ ସମସ୍ୟା କିମ୍ୱା ନୁହେଁ । ଅନ୍ନ ଏବଂ ବସ୍ତ୍ରର ସମସ୍ୟାକୁ ନେଇ ପୂର୍ବେ ମଣିଷ ଯେମିତି ବ୍ୟାକୁଳ ହୋଇ ପଡ଼ୁଥିଲା, ବର୍ତ୍ତମାନ ତାହାର ସମସ୍ୟା କେବଳ ମାତ୍ର ସେତିକିରେ ସୀମିତ ହୋଇ ରହିନାହିଁ । ବରଂ ଭାବଜଗତର ବହୁ ଜଟିଳ ସମସ୍ୟା ତାହାର ମାନସିକ ସ୍ଥିରତାକୁ ନଷ୍ଟକରି ସମଗ୍ର ସମାଜକୁ ଅବକ୍ଷୟ ପଥରେ ଆଗେଇ ନେଉଛି, ମନୋଜଗତର ଭୟଙ୍କର ସମସ୍ୟାହିଁ ଆଜିର ମଣିଷକୁ ଅନ୍ତଃସାରଶୂନ୍ୟ କରି ପକାଇଛି । ଏହାର କାରଣ ହେଉଛି ସାମ୍ପ୍ରତିକ ସଭ୍ୟତା, ଯାହା ମୁଖ୍ୟତଃ ଯନ୍ତ୍ର ଓ ଶିଳ୍ପଦ୍ୱାରା ନିୟନ୍ତ୍ରିତ ହୋଇଛି । ପାରମ୍ପରିକ କୃଷିସଭ୍ୟତା ସମାଜକୁ ଯେଉଁ ସହନଶୀଳତା ଏବଂ ଅଖଣ୍ଡ ଧୈର୍ଯ୍ୟ ଶିଖାଉଥିଲା, ଗୋଷ୍ଠୀ ଜୀବନର ପରିବ୍ୟାପ୍ତି ବ୍ୟକ୍ତିଗତ ଦୁଃଖକୁ ଯେଉଁଭଳି ସାମୂହିକ ଦୁଃଖର ମର୍ଯ୍ୟାଦା ଦେଇ, ଏହାକୁ ଲଘୁ କରିଦେଉଥିଲା, ଆଧୁନିକ ନିଃସଙ୍ଗ ଏବଂ ଏକକ ଜୀବନରେ ସେ ସୁଯୋଗ ରହିଲା ନାହିଁ । ସମସାମୟିକ ସମାଜର ପାରିବେଶିକ ପ୍ରଭାବ, ଏହାର ଆପାତରମ୍ୟ ଭୌତିକଦିଗ, ଲାଳସା ଏବଂ ଭୋଗ-ପ୍ରବଣତା ମାନବିକ ମୂଲ୍ୟବୋଧର ପରିପନ୍ଥୀ । ଫଳରେ ଆଜିର ସମାଜ ଏହାରି ପ୍ରଭାବରେ ରୁଗ୍‌ଣ ଏବଂ ଅଶାନ୍ତ । ସଭ୍ୟତାର ଦ୍ରୁତ ପ୍ରସାର, ଯୋଗାଯୋଗର ଉତ୍ତମ ବ୍ୟବସ୍ଥା ଏହି ଅବସ୍ଥାକୁ ସୀମାବଦ୍ଧ କରି ରଖିପାରିନାହିଁ । ଏହି ସବୁ ବ୍ୟାଧିରୁ ସ୍ଥାନୀୟ ସମାଜକୁ ମୁକ୍ତ ରଖିବା ନିମନ୍ତେ ଆମର ସମାଜ ବିଜ୍ଞାନୀମାନେ ସେଭଳି କୌଣସି କଡ଼ା ‘କ୍ଵାରେଣ୍ଟାଇନ୍‌’ର ବ୍ୟବସ୍ଥା ମଧ୍ୟ କରିପାରିନାହାନ୍ତି । ତେଣୁ ଏକଦା ଏହା ପାଶ୍ଚାତ୍ୟ ଜଗତ୍‌ରୁ ଆରମ୍ଭ ହୋଇ ଅତି ଦ୍ରୁତଗତିରେ ଭାରତରେ ଏବଂ କ୍ରମଶଃ ଆମ ଏଠାରେ ମଧ୍ୟ ପ୍ରସାରିତ ହୋଇଛି ।

 

ମନୋରଞ୍ଜନ ଭଲଭାବରେ ଜାଣିଥିଲେ, ସମାଜର ପାରମ୍ପରିକ ସଂହତି ଯେତେବେଳେ ଦ୍ରୁତଗତିରେ ବିପର୍ଯ୍ୟସ୍ତ ହୋଇପଡୁଛି, ସେତେବେଳେ ପୂର୍ବରୀତିର ‘well made play’ ଆଉ ଦର୍ଶକମାନଙ୍କର ପ୍ରତ୍ୟାଶା ପୂରଣ କରିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ । ଆଜିର ବିଚ୍ଛିନ୍ନ ଏବଂ ଜଟିଳ ଜୀବନକୁ ଯଥାର୍ଥ ଭାବରେ ବିଶ୍ଲେଷଣ କରି ତାହାରି ଭିତରୁ ଜୀବନଚେତନାର ଯଥାର୍ଥ ସ୍ୱରୂପଟିକୁ ଉଦ୍‌ଘାଟନ କରିବାକୁ ତେଣୁ ସେ ନିଜର ଦାୟିତ୍ୱ ରୂପେ ଗ୍ରହଣ କରି ନେଇଛନ୍ତି । ଅନୁଭୂତି ପ୍ରସୂତ ଦର୍ଶନ ଏବଂ ଜୀବନ ପ୍ରତି ଏକ ଘନିଷ୍ଠ କବିସୁଲଭ ଅନ୍ତର୍ଦୁଷ୍ଟିକୁ ସମ୍ୱଳ କରି ନାଟ୍ୟକାର ନାଟକ ପରେ ନାଟକ ରଚନା କରିଯାଇଛନ୍ତି । ଏ ଅନୁଭୂତି ପୁଣି କୌଣସି ବାହ୍ୟ ଅନୁଭୂତି ନୁହେଁ, ବରଂ ଜୀବନର ଅଭ୍ୟନ୍ତରରୁହିଁ ସଂଗୃହୀତ ।

 

ପ୍ରଚଳିତ ରୀତିଠାରୁ ଦୂରେଇଯାଇ ମନୋରଞ୍ଜନ ଏ ଯେଉଁ ନୂତନ ପଦ୍ଧତି, ନାଟକ କ୍ଷେତ୍ରରେ ପ୍ରୟୋଗ କଲେ, କ୍ରମଶଃ ବହୁ ନାଟ୍ୟକାର ତାହାର ଅନୁସରଣ କରିବାରୁ ଅଚିରେ ତାହା ଏକ ପରମ୍ପରାର ରୂପ ନେଇଛି । ନାଟ୍ୟକାର ବିଜୟ ମିଶ୍ର, ଅକ୍ଷୟ ମହାନ୍ତି, ରମେଶ ପାଣିଗ୍ରାହୀ ପ୍ରମୁଖ ବହୁ ପ୍ରବୀଣ ଓ ତରୁଣ ନାଟ୍ୟକାର ଏହି ପରମ୍ପରାର ବାହକ ହୋଇଛନ୍ତି । ଓଡ଼ିଆ ଭାଷାରେ ‘ଆବ୍‌ସଡ଼୍‌’ ନାଟକ ସୃଷ୍ଟି ହୋଇଛି କିମ୍ୱା ନାହିଁ, ଏ ସମ୍ପର୍କରେ ବହୁ ପ୍ରଶ୍ନ ଉଠୁଛି । ସାଧାରଣ ଦର୍ଶକ ଏବଂ ପାଠକଙ୍କୁ ବାଦ୍‌ ଦେଲେ ସୁଦ୍ଧା କେତେକ ବୁଦ୍ଧିଜୀବୀ ମଧ୍ୟ ସତୁରୀ ଦଶକରେ ସୃଷ୍ଟ ପରୀକ୍ଷାଧର୍ମୀ ନାଟକଗୁଡ଼ିକୁ ‘ଆବ୍‌ସର୍ଡ଼୍‌’ ନାଟକ ବୋଲି ପରିଚିତ କରାଉଛନ୍ତି । ଏହି ଆବ୍‌ସର୍ଡ଼ ନାଟକ ଗୋଟିଏ ସମୟରେ ସମଗ୍ର ପୃଥିବୀରେ ଖ୍ୟାତିଲାଭ କରିଥିବାରୁ, ଏଠାକାର କେତେକ ନାଟ୍ୟକାର ମଧ୍ୟ ନିଜ ନିଜର ନାଟକଗୁଡ଼ିକୁ ଏହି ସଂଜ୍ଞାରେ ଚିହ୍ନିତ କରାଇବା ନିମନ୍ତେ ବ୍ୟଗ୍ର ହୋଇପଡ଼ିଥିଲେ । ସୁଖର ବିଷୟ ଯେ, ବିଶ୍ୱନାଟକ କ୍ଷେତ୍ରରୁ ‘ଆବସର୍ଡ଼ିଟି’ର ହାଓ୍ୟା ଚାଲିଯିବା ପରେ ଏବଂ ସେଠାରେ ପରମ୍ପରା ପ୍ରତି ଆଗ୍ରହ ପ୍ରକାଶ ପାଇବା ପରେ ଏଠାରୁ ମଧ୍ୟ ସେ ସମ୍ପର୍କୀୟ ଦୁର୍ବଳତା ଦୂର ହୋଇଯାଉଛି । ସେ ଦେଶରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହ ପରିଣତିର ଫଳସ୍ୱରୂପ ‘ଆବ୍‌ସର୍ଡ଼’ ନାଟ୍ୟ ପରମ୍ପରାର ସୃଷ୍ଟି ହୋଇଥିଲା ଏବଂ ଅଚିରେ ଏହା ତକ୍ରତ୍ୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ମଧ୍ୟ କରିପାରିଥିଲା । ସାମୁଏଲ ବେକେଟ୍‌, ବ୍ରେଖ୍‌ଟ, ଆଏନେସ୍ଲୋ, ଜୀନେତ୍‌ ପ୍ରମୁଖ ନାଟ୍ୟକାରମାନେ ନାଟକରେ ଆବସର୍ଡ଼ିଟିର ପ୍ରବକ୍ତା ଥିଲେ ।

 

ଅନୁଭୂତିର ଯେଉଁ ସ୍ତରରୁ ଆବସର୍ଡ଼ିଟିର ସମ୍ଭବ ହୋଇପାରେ, କେବଳ ଓଡ଼ିଶାରେ କାହିଁକି ସମଗ୍ର ଭାରତବର୍ଷରେ ମଧ୍ୟ ସେଭଳି ପରିବେଶ ସୃଷ୍ଟି ହୋଇନାହିଁ । ସେ ଦେଶର ନାଟ୍ୟକାର ଆଡାମୋଭ ‘ଆବସର୍ଡ଼’ ନାଟକ ରଚନାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ୱୀକାର କରିଥିଲେ, ‘‘ମୋ ନିଜ ବିଷୟରେ ମୁଁ ଏତିକି ଜାଣେ ଯେ, ମୁଁ ଯନ୍ତ୍ରଣାଗ୍ରସ୍ତ ଏବଂ ମୁଁ ଯଦି ଆଜି ଯନ୍ତ୍ରଣା ଭୋଗୁଥାଏ, ତା’ର କାରଣ ମୋର ସତ୍ତାର ମୂଳରେ ବିଭକ୍ତି ଓ ବିଚ୍ଛିନ୍ନତା ରହିଛି-’’ମାନସିକ ଚେତନାର ଏହି ଜଟିଳତା, ଜୀବନ ଯନ୍ତ୍ରଣାର ଏହି ଅନୁଭୂତି ଏଠାରେ ପାରିବେଶିକ କାରଣରୁ ହିଁ ସମ୍ଭବ ହୋଇନାହିଁ ଏବଂ ଏ ସମ୍ପର୍କରେ ଯାହା ଯେଉଁଠି କୁହାଯାଇଛି, ତାହା କେବଳ ରୋମାଣ୍ଟିକ୍‌ କଳ୍ପନା ମଧ୍ୟରୁ ହିଁ ଉଦ୍‌ଭୂତ ହୋଇଛି । ଭାରତରେ ‘ଆବସର୍ଡ଼’ ନାଟକ ନିମନ୍ତେ ଯେ ଉଦ୍ୟମ ହୋଇନାହିଁ, ଏକଥା ନୁହେଁ । ତେବେ ବଂଗୀୟ ନାଟ୍ୟକାର ବାଦଲ୍‌ ସରକାର ତାଙ୍କର ‘ଏବଂ ଇନ୍ଦ୍ରଜୀତ୍‌’ ନାଟକରେ ‘ଆବସର୍ଡ଼ ନାଟକ’ର ଆଙ୍ଗିକ ଏବଂ ଆତ୍ମିକ ରୂପକୁ କେତେକ ପରିମାଣରେ ପରିସ୍ଫୁଟ କରାଇବାରେ ସଫଳ ହୋଇପାରିଥିଲେ । ମାନସିକ ସ୍ଥିତିର ଜଟିଳତାର ଘନ ଅରଣ୍ୟ ମଧ୍ୟରେ ଅସହାୟ ମାନବାତ୍ମାର ଯନ୍ତ୍ରଣାମୟ ଆର୍ତ୍ତନାଦ, ‘ଏକ ଅସହ୍ୟ-ଅବିଚ୍ଛିନ୍ନ ଅମୁକ୍ତ ଅବସ୍ଥା’ର ଗଭୀର ଅନ୍ଧକୂପ ମଧ୍ୟରେ ତାହାର ମର୍ମସ୍ପର୍ଶୀ ଚିତ୍କାର କେବଳ ଏହି ନାଟକରେ ଅନେକଟା ପ୍ରତିଫଳିତ ହୋଇଛି । ଅବଶ୍ୟ ସ୍ୱୀକାର କରିବାରେ ଅସୁବିଧା ନାହିଁ ଯେ, ସତୁରୀ ଦଶକରେ ଏ ଦେଶରେ ଯେଉଁସବୁ ପରୀକ୍ଷାଧର୍ମୀ ନାଟକ ସୃଷ୍ଟି ହେଲା, ତାହାପଛରେ ବିଗତ କୋଡ଼ିଏ ବର୍ଷର ‘ଆବସର୍ଡ଼ ନାଟକ’ର ପରମ୍ପରା ସକ୍ରିୟ ଭାବରେ ଉପସ୍ଥିତ ରହିଲା । ତେବେ କେବଳ ମାତ୍ର ସେତିକି-

 

ଭାରତରେ ‘ଆବସର୍ଡ଼ ନାଟକ’ର ସୃଷ୍ଟି ଏବଂ ବିକାଶରେ ଆମେ ଅନ୍ୟତ୍ର ଯାହା କହିଛୁ, ଏଠାରେ ତାହାକୁ ହିଁ ଉଦ୍ଧାର କରୁଛୁ । ‘‘ଆବସର୍ଡ଼ ନାଟକ ଏ ପର୍ଯ୍ୟନ୍ତ ମଧ୍ୟ ଭାରତୀୟ ପାଣି, ପବନରେ ସ୍ୱାଭାବିକ ଭାବରେ ଗଢ଼ିଉଠିବାର ସମୟ ଆହୁରି ଆସିନାହିଁ । x x ଆବସର୍ଡ଼ ନାଟକ ବହୁ ବିପରୀତ ପ୍ରକୃତିର ଏକ ନିତ୍ୟ ଲୀଳାକ୍ଷେତ୍ର ହୋଇଥିବାରୁ ଏଥିରୁ କୌଣସି ନିର୍ଦ୍ଦିଷ୍ଟ ଦର୍ଶନର ସନ୍ଧାନ ପାଇବା ପ୍ରାୟ ଅସମ୍ଭବ ବ୍ୟାପାର । x x କଳାର ଏକ ଅଭିନବ ରୂପ ଭାବରେ ଆବସର୍ଡ଼ ନାଟକ ନିକଟ ଭବିଷ୍ୟତରେ ଭାରତୀୟ ମାଟିରେ ଲୋକପ୍ରିୟ ହେବାର କୌଣସି ସମ୍ଭାବନା ଆମେ ଦେଖୁନାହୁଁ ।’’ (୧୩)

 

(୧୩)

ବନହଂସୀ : ଏକ ଅଧ୍ୟୟନ : ପୃ. ୫୩-୫୪ ।

 

ଓଡ଼ିଆ ଭାଷାରେ ପୂର୍ବୋକ୍ତ କାରଣରୁ ହିଁ କୌଣସି ‘ଆବସର୍ଡ଼’ ନାଟକ ରଚିତ ହୋଇ ନାହିଁ, ଏହା ଦୃଢ଼ ଭାବରେ କୁହାଯାଇ ପାରିବ । ଏଠାରେ ନାଟକ କ୍ଷେତ୍ରରେ କେବଳ କେତେକ ପରୀକ୍ଷା ନିରୀକ୍ଷାର ଉଦ୍ୟମ ହୋଇଛି ମାତ୍ର । ତେବେ ଚିନ୍ତା ଓ ଚେତନା ଦୃଷ୍ଟିରୁ ଏହିସବୁ ନାଟକ ହିଁ ଓଡ଼ିଆ ନାଟକକୁ ବିଶ୍ୱନାଟ୍ୟ କ୍ଷେତ୍ରରେ ସମତା ପ୍ରଦାନ କରିବା ନିମନ୍ତେ ଯଥେଷ୍ଟ ବୋଲି କୁହାଯାଇ ପାରିବ ।

 

୧୯୩୬ ମସିହା ଏପ୍ରିଲ୍‌ ପହିଲାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ସ୍ଥିତିଲାଭ କଲା । ଏହି ସମୟରେ ସମଗ୍ର ଓଡ଼ିଶାରେ ଜାତୀୟତାର ଯେଉଁ ଆବେଗପ୍ରବଣ ସ୍ୱର ଉତ୍ତୋଳିତ ହୋଇଥିଲା, କଳା ଏବଂ ସାହିତ୍ୟରେ ତା’ର ପ୍ରତିଫଳନ ଘଟିବା ସ୍ୱାଭାବିକ । ତେବେ ଏହି ଅର୍ଦ୍ଧଶତାବ୍ଦୀ ମଧ୍ୟରେ (୧୯୩୬-୧୯୮୬) ଓଡ଼ିଆ ନାଟକ କ୍ଷେତ୍ରରେ ମୁଖ୍ୟତଃ ଦୁଇଟି ଧାରାର ଝଙ୍କାର ଶୁଣାଯାଇଥାଏ ! ଗୋଟିଏ ହେଉଛି କାଳୀଚରଣଙ୍କଦ୍ୱାରା ସୃଷ୍ଟ ପାରମ୍ପରିକ ନାଟ୍ୟଧାରା ଏବଂ ଅପରଟି ହେଉଛି ମନୋରଞ୍ଜନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ନବନାଟ୍ୟ ଧାରା । ଆଲୋଚ୍ୟକାଳର ସମସ୍ତ ନାଟ୍ୟକାର ମୋଟାମୋଟି ଭାବରେ ଏହି ଦୁଇଟି ଧାରା ଦ୍ୱାରା ହିଁ ପ୍ରଭାବିତ ହୋଇଛନ୍ତି ।

 

ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ପୂର୍ବରୁ ଜାତୀୟତାର ଯେଉଁ ପ୍ରାଣସ୍ପନ୍ଦନ ଏ ଜାତିକୁ ଏକ ରୋମାଣ୍ଟିକ୍‌ ଆବେଗରେ ପରିଚାଳିତ କରୁଥିଲା, ସ୍ୱତନ୍ତ୍ର ପ୍ରଦେଶ ହୋଇଯିବା ପରେ ସେଥିରେ ଶୂନ୍ୟତା ଆସିଗଲା । ମଧୁସୂଦନ ଏ ଜାତିକୁ ଉଦ୍‌ବୋଧନ ଦେଇ କହୁଥିଲେ, ‘‘Culture of land is agriculture and culture of hand is industry.’’ ଦେଶକୁ ଶିଳ୍ପଭିତ୍ତିକ କରି ଗଢ଼ିବାର ଯେଉଁ ନୂତନ ସ୍ୱପ୍ନ ଏ ଜାତି ଦେଖିବାକୁ ଆରମ୍ଭ କଲା, ତାଙ୍କର ପରିଣାମ ସ୍ୱରୂପ ସାମ୍ୟ, ମୈତ୍ରୀ ଏବଂ ପ୍ରୀତି ବଦଳରେ ଆସିଲା ବ୍ୟକ୍ତିକୈନ୍ଦ୍ରିକତା । ଏହାହିଁ ଇତିହାସର ନିର୍ଦ୍ଦେଶ । ତଥାପି ସାହିତ୍ୟରେ କେତେଦିନ ପର୍ଯ୍ୟନ୍ତ ଉଦାରତା, ସୌଭ୍ରାତୃତ୍ୱ ଏବଂ ତିତିକ୍ଷାର ଭାବ-ଚେତନା ସ୍ଥାନ ପାଇବାକୁ ଲାଗିଲା । ମାତ୍ର ସାମାଜିକ ପ୍ରଭାବରେ ଏ ସବୁ କ୍ରମଶଃ ଅସ୍ପଷ୍ଟ ହୋଇଯାଇ, ସ୍ଥିତିବାଦ ଗୁରୁତ୍ୱ ଲାଭ କଲା । କାଳୀଚରଣ ନାଟକ ଆରମ୍ଭ କରିଥିଲେ ଆମୋଦ ପରିବେଷଣ ସହିତ ଏ ଜାତିକୁ ମୂଲ୍ୟବୋଧ ଶିକ୍ଷା ଦେବାର ଏକ ମହତ୍‌ ଆଦର୍ଶକୁ ସମ୍ବଳ କରି । ସେତେବେଳେ ତାଙ୍କ ଆଖି ଆଗରେ ଥିଲା ଏ ଦେଶର ମହାନ୍‌ ପରମ୍ପରା, ଐତିହ୍ୟ, ମାତ୍ର ମନୋରଞ୍ଜନ ଆଉ ନିଜକୁ କୌଣସି ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ବାନ୍ଧି ରଖିବାକୁ ଚାହିଁଲେ ନାହିଁ । ନିଜ ନାଟକଗୁଡ଼ିକୁ ସେ ‘ୟୁନିଭର୍ସାଲ୍‌’ (Universal) ପୃଷ୍ଠଭୂମି ଉପରେ ଗଢ଼ିବାକୁ ଚାହିଁଲେ । ତେଣୁ ତାଙ୍କ ନାଟକର ‘ଚରିତ୍ର’ କେବଳ ଓଡ଼ିଶା ମଧ୍ୟରେ ସୀମାବଦ୍ଧ ହୋଇ ରହିଲେ ନାହିଁ । ସମଗ୍ର ମାନବ ସମାଜ ହିଁ ହେଲା ମନୋରଞ୍ଜନଙ୍କର ଗବେଷଣାର କ୍ଷେତ୍ର । ପୂର୍ବେ ନାଟକଗୁଡ଼ିକରେ ଯେଉଁଭଳି ଗୋଟିଏ ବଳିଷ୍ଠ କାହାଣୀ ଏବଂ କିଛି ନାଟକୀୟ ଚରିତ୍ର ସ୍ଥାନ ପାଉଥିଲେ, ସାମ୍ପ୍ରତିକ ନାଟକରେ ତାହାର ବ୍ୟତିକ୍ରମ ପରିଲକ୍ଷିତ ହେଲା । ନାଟକର ବିଷୟବସ୍ତୁରେ କୌଣସି ନୈତିକ ଉପଦେଶ ସ୍ଥାନ ପାଇଲା ନାହିଁ । ଇତିପୂର୍ବରୁ ନାଟକରେ ଯେଉଁ ବର୍ଣ୍ଣନାଧର୍ମୀ କିନ୍ତୁ ତଥାପି ପାତ୍ରୋପଯୋଗୀ ସଂଳାପ ସ୍ଥାନ ପାଉଥିଲା, ମନୋରଞ୍ଜନ ହିଁ ତାହାର ପ୍ରକୃତିକୁ ବଦଳାଇ ଦେଲେ-। କ୍ରମଶଃ ନାଟକରେ ବୁଦ୍ଧିଦୀପ୍ତ, କ୍ଳୁପ୍ତ, କାବ୍ୟିକ, ଚିତ୍ରଧର୍ମୀ ଏବଂ ଦାର୍ଶନିକ ସଂଳାପ ସ୍ଥାନପାଇ ଲୋକପ୍ରିୟ ହେବାକୁ ଲାଗିଲା । ଚରିତ୍ର ବଦଳିଗଲେ ଘଟଣା ବଦଳିଗଲା ଏବଂ ପରିବେଶ ମଧ୍ୟ ଅଭିନବ ହେଲା । କହିବା ବାହୁଲ୍ୟ ଯେ, ଏସବୁ ପରିବର୍ତ୍ତନ ସହିତ ଆମର ପରିବର୍ତ୍ତିତ ମୂଲ୍ୟବୋଧର ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ଏ ସବୁକୁ କୌଣସି ଶୂନ୍ୟତାର ସୃଷ୍ଟି ବୋଲି କହିହେବ ନାହିଁ ।

 

ଆଲୋଚ୍ୟ କାଳରେ ଆମ ନାଟ୍ୟ ସାହିତ୍ୟରେ ମୁଖ୍ୟତଃ ଯେଉଁ ଦୁଇଟିଧାରା ଆତ୍ମପ୍ରକାଶ କରିଛି ସମାଜଧାରା ସହିତ ତାହାର ନିବିଡ଼ ସମ୍ପର୍କ ରହିଛି । ଚତୁର୍ଥ ଦଶକରେ ଏ ଦେଶର ସାହିତ୍ୟରେ ‘ଆଦର୍ଶବାଦ’ର ଯେଉଁ ଗୁରୁତ୍ୱଥିଲା, ଅଷ୍ଟମ ଦଶକରେ ତାହା ‘ବାସ୍ତବବାଦ’ରେ ରୂପାନ୍ତରିତ ହୋଇଛି । ନାଟକରେ ଏହି ବାସ୍ତବତା କେଉଁଠି ସମୟହୀନତାର ବାର୍ତ୍ତା ପ୍ରଚାର କରୁଛି, କେଉଁଠି ଅବା ଏହା ବ୍ୟକ୍ତିତ୍ୱ ଅବଲୁପ୍ତି (Loss of identity) ର ସଂକେତ ଦେଉଛି, କେଉଁଠି ପୁଣି ଏହା ବିଚ୍ଛିନ୍ନତାର ଉପଲବ୍‌ଧି-ଜ୍ଞାପକ ହୋଇଛି । ପ୍ରଥମ ଧାରାର ପାରମ୍ପରିକ ନାଟକ, ଏହାର ଗଢ଼ଣ (form) ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ, ଶେଷ ଧାରାର ପରୀକ୍ଷାଧର୍ମୀ ନାଟକ ଆତ୍ମିକ ଉପଲବ୍‌ଧିର ବିଶ୍ଲେଷଣ ଉପରେ ଅଧିକ ଜୋର ଦେଇଛି । ଏହି ନାଟକ ସମ୍ପର୍କରେ କୁହାଯାଉଛି, ‘‘This new form of drama forces the audience out of its familiar orientation. It creates a vaccum between the play and the audience so that the later is compelled to experience something itself -’’ (୧୪) ଦୃଶ୍ୟ ଏବଂ ଦର୍ଶକ ମଧ୍ୟରେ ଶୂନ୍ୟତା ସୃଷ୍ଟିରେ ଯେଉଁ ନାଟ୍ୟକାର ଯେତେ ଚମତ୍କାର କଳାତ୍ମକତା ଫୁଟାଇ ପାରୁଛନ୍ତି, ତାଙ୍କ ନାଟକ ସେତେ ସଫଳ ହେଉଛି । ଆତ୍ମିକ ଉପଲବ୍‌ଧିର ସୁବିନ୍ୟାସ ହିଁ ଏଗୁଡ଼ିକୁ କଳା ରୂପରେ ପ୍ରତିଷ୍ଠା ଦେଇଛି, ଏହା ସ୍ଵୀକାର କରିବାକୁ ଆମେ ବାଧ୍ୟ ।

 

(୧୪)

Reflection on Samuel Beckett’s plays. Journal of Analytical Psychology, London-Jan 1960-Eva Metman.

 

ହାରାମଣି ନିବାସ

ଦେଉଳ ସାହି

କଟକ-୮

***

 

୧୯୩୬ ଖ୍ରୀଷ୍ଟାବ୍‌ଦରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଣ୍ୟ ହୁଏ । ସେତେବେଳକୁ ଓଡ଼ିଆ-ସାହିତ୍ୟ ସମାଲୋଚନାର ଭିତ୍ତି ପ୍ରସ୍ତୁତ ହୋଇସାରିଥାଏ । ରଙ୍ଗରେଖା ଉକୁଟି ଉଠିଥାଏ । ପଣ୍ଡିତ ଗୋପୀନାଥ ନନ୍ଦ, ଶ୍ୟାମସୁନ୍ଦର ରାଜଗୁରୁ ଓ ମୃତ୍ୟୁଞ୍ଜୟ ରଥ ଓଡ଼ିଆ ଭାଷାତତ୍ତ୍ୱ ଓ ଛନ୍ଦ ବିଶ୍ଲେଷଣ କାମ ଆରମ୍ଭ କରିସାରିଥାନ୍ତି । କବି ଜୀବନୀ ଅନୁସନ୍ଧାନ ଓ ସାହିତ୍ୟ କୃତିର ମୂଲ୍ୟାଙ୍କନ କ୍ଷେତ୍ରରେ ବିଧିବଦ୍ଧ ଗବେଷଣାର ସୂତ୍ରପାତ କରିଦେଇଥାନ୍ତି ।

 

Unknown

ଓଡ଼ିଆ ସାହିତ୍ୟ ସମାଲୋଚନା

୧୯୩୬ ରୁ ୧୯୮୬

ଶ୍ରୀ ଦାଶରଥି ଦାସ

 

ଐତିହାସିକ ଭିତ୍ତିରେ କବିଙ୍କ ଜନ୍ମକାଳ ନିରୂପଣ ଓ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣୟନର ସମ୍ଭାବନା ଫୁଟିଉଠିଥାଏ । ଉତ୍କଳ ସାହିତ୍ୟ, ମୁକୁର ଓ ସତ୍ୟବାଦୀ ଆଦି ସାହିତ୍ୟ ପତ୍ରିକା ସମାଲୋଚନାର ସମ୍ୱର୍ଦ୍ଧନ ଓ ପଲ୍ଲବନ ପାଇଁ ଉତ୍ସାହ ଦେଇଥାନ୍ତି ଓ ସହଯୋଗ କରିଥାନ୍ତି । ଭୂମି ଓ ବର୍ଷଣ ସବୁ ସୁଲଭ, ଅଧିକନ୍ତୁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମେଧାବୀ ନେତୃତ୍ୱରେ ପ୍ରାଚୀ ସମିତି ‘ଜାତୀୟ ସାହିତ୍ୟର ଉଦ୍ଧାର ଓ ପ୍ରକାଶ’ କାର୍ଯ୍ୟ କେବଳ ଅବ୍ୟାହତ ରଖି ନଥାଏ, ଜାତିର ଦୃଷ୍ଟି ଆକର୍ଷଣ କଲାଭଳି ବିପୁଳ କାମ ମଧ୍ୟ କରିସାରିଥାଏ । ପ୍ରାଚୀ ୧୯୫୩ରେ ଅକାଳ ବିଲୟ ଭଜିଲା ବେଳକୁ ସର୍ବମୋଟ ଯେଉଁ ୫୪ଟି ଗ୍ରନ୍ଥ ସମ୍ପାଦନା କରିଛନ୍ତି ତନ୍ମଧ୍ୟରୁ ୪୯ଟି ସେତେବେଳକୁ ପ୍ରକାଶିତ ହୋଇସାରିଥାଏ, textual criticism ବା ପାଠଲୋଚନାର ସ୍ୱାଦୁ ଦୁର୍ଲଭ ବସ୍ତୁ ହୋଇନଥାଏ। ଏ ମଧ୍ୟରେ ଅର୍ଦ୍ଧଶତାବ୍ଦୀ ଅତିକ୍ରାନ୍ତ, କାଳ ସମୁପାଗତ କଳିବାକୁ ଓଡ଼ିଆ ସାହିତ୍ୟ ସମାଲୋଚନାର ଅଗ୍ରଗତି, ପରିମାଣ ବଢ଼ିଛି ନିଶ୍ଚୟ । କିନ୍ତୁ ଗୁଣାତ୍ମକ କିଛି ଉତ୍କର୍ଷ ସାଧିତ ହୋଇଛି କି ? ସୁନ୍ଦର ସେ ଦିନର ସେହି ଭିତ୍ତିଭୂମିରୁ ଓଡ଼ିଆ ସମାଲୋଚନା ଏ ପର୍ଯ୍ୟନ୍ତ ଯେଉଁ ପଥ ଅତିକ୍ରମ କରିଛି ସେଥିରେ ବଳିଷ୍ଠତା ଓ ନିଷ୍ଠା ପ୍ରତିପତ୍ତି ଫୁଟିଛି କି ନାହିଁ ତାହା ଆଜି ବିଚାର୍ଯ୍ୟ । ବିଚାରର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ପଚାଶ ବର୍ଷର ଇତିହାସକୁ ଆମେ ଦୁଇଟି ଅଧ୍ୟାୟରେ ବିଭକ୍ତ କରିପାରିବା । ପ୍ରଥମ ଅଧ୍ୟାୟ ୧୯୩୬ରୁ ୧୯୫୩; ଦ୍ୱିତୀୟ ଅଧ୍ୟାୟ ୧୯୫୪ରୁ ଅଦ୍ୟାବଧି କାଳ-। ଏପରି ବିଭାଗ ଅବଶ୍ୟ ଯଦୃଚ୍ଛ ନୁହେଁ । ୧୯୫୩ରେ ‘ପ୍ରାଚୀ ସମିତି’ର କରୁଣ ବିଲୁପ୍ତି ଘଟେ । ସେହି ପ୍ରାଚୀ ସମିତି ସହିତ ମୌଳିକ ଅପକ୍ଷପାତ କୌତୂହଳର ଗବେଷଣା ଶେଷହୁଏ । ଶୁଣାଯାଏ ଛାତ୍ର ଶୁଶ୍ରୂଷା ଉଦ୍ଦେଶ୍ୟରେ ପଣ୍ଡିତ ନୀଳକଣ୍ଠଙ୍କର ‘ଓଡ଼ିଆ ଭାଷା ଓ ସାହିତ୍ୟ’ ସମାଲୋଚନା ସଙ୍କଳନ ପ୍ରକାଶିତ ହୁଏ ୧୯୫୪ରେ । ସଙ୍କଳନର କୌଣସି ପ୍ରବନ୍ଧ ଅବଶ୍ୟ ବିଦ୍ୟାର୍ଥୀର ହିତୈଷଣାରୁ ଲେଖାଯାଇ ନଥିଲା । ସଂଗୃହୀତ ହୋଇ ପ୍ରକାଶିତ ହେଲା କିନ୍ତୁ ହିତୈଷଣାରୁ ତାହାରି ପ୍ରକାଶ ସହିତ ସମାଲୋଚନାର ଛାତ୍ର ଶୁଶ୍ରୂଷା ଆରମ୍ଭ ହୁଏ । ଦ୍ୱିତୀୟ ଅଧ୍ୟାୟର ସୂତ୍ରପାତ ଘଟେ । ‘ଓଡ଼ିଆ ଭାଷା ଓ ସାହିତ୍ୟ’ କିନ୍ତୁ ପଣ୍ୟ ବସ୍ତୁ ନୁହେଁ । ତାହା ପ୍ରଥମ ଅଧ୍ୟାୟର ସମ୍ପଦ । ସେଥିରେ ନିଷ୍ଠା ଓ ଅନ୍ତର୍ଦୃଷ୍ଟିର ବଳିଷ୍ଠ ସ୍ୱାକ୍ଷର ବର୍ତ୍ତମାନ । ରେଭେନ୍‌ସା କଲେଜ ଓ ବିଶ୍ୱଭାରତୀରେ ଯଥାକ୍ରମେ ୧୯୪୬ ଓ ୧୯୪୭-୪୮ରେ ଓଡ଼ିଆ ଏମ. ଏ. ପଢ଼ା ଆରମ୍ଭ ହୁଏ । ଓଡ଼ିଆ ପାଠ୍ୟକ୍ରମର ବ୍ୟବସ୍ଥା ରହେ । ଅଧ୍ୟାପନା ଓ ଅଧ୍ୟୟନ ପାଇଁ ସମାଲୋଚନାର ଚାହିଦା ଦେଖାଦିଏ । ତେଣୁ ଓଡ଼ିଆ ଅଧ୍ୟାପକମାନେ ସମାଲୋଚନା ଲେଖନ୍ତି । ସେହିଦିନ ଠାରୁ ଓଡ଼ିଆ ଅଧ୍ୟାପକ ମାତ୍ରେ ସୁସମାଲୋଚକ । ଏବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିର୍ବୋଧ ବ୍ୟବସ୍ଥାରୁ ଅଧ୍ୟାପନା ସହିତ ଗବେଷଣାକୁ ଛନ୍ଦି ଦିଆଯାଇଛି । ସୁ-ସମାଲୋଚକମାନେ ଅବଲୀଳାକ୍ରମେ ସୁ-ଗବେଷକ ହୋଇପାରିଛନ୍ତି । ଦ୍ୱିତୀୟ ଅଧ୍ୟାୟଟି ତେଣୁ ଛାତ୍ର ଶୁଶ୍ରୂଷା ଓ ବୃତ୍ତିଗତ ଗବେଷଣାର ଅଧ୍ୟାୟ । ଏଣିକି ସମାଲୋଚକମାନେ ଗବେଷଣାତ୍ମକ ପ୍ରବନ୍ଧ ଲେଖନ୍ତି । ପ୍ରଥମ ଅଧ୍ୟାୟଟି ଯେବେ ନିଷ୍ଠା ଓ ଅନ୍ତର୍ଦୃଷ୍ଟିର ଅଧ୍ୟାୟ ହୁଏ ତେବେ ଦ୍ୱିତୀୟ ଅଧ୍ୟାୟଟି ମୁଖ୍ୟତଃ ବୃତ୍ତି ଓ ହିସାବୀବୁଦ୍ଧିର ଅଧ୍ୟାୟ । ସମାଲୋଚନା ସାହିତ୍ୟ ଥିଲା ସାଧନାଧନ୍ୟ, ହୋଇଛି ସହଜ ପଣ୍ୟ ।

 

ପ୍ରଥମ ଅଧ୍ୟାୟ (୧୯୩୬-୧୯୫୩) ନିଷ୍ଠା ଓ ଅନ୍ତର୍ଦୃଷ୍ଟିର ଅଧ୍ୟାୟ । ଏହି ଅଧ୍ୟାୟରେ ଦୁଇଜଣ ମନସ୍ୱୀ ସମାଲୋଚକ ଆମର ଶ୍ରଦ୍ଧା ଓ ସମ୍ମାନ ଦାବୀ କରନ୍ତି । ତନ୍ମଧ୍ୟରୁ ଜଣେ ହେଉଛନ୍ତି ଡଃ ଆର୍ତ୍ତବଲ୍ଲଭ ମହାନ୍ତି ଓ ଅନ୍ୟଜଣକ ପଣ୍ଡିତ ନୀଳକଣ୍ଠ ଦାସ । ଦୁହିଁଙ୍କ ବିଚାର ଓ ଦୃଷ୍ଟିଭଙ୍ଗୀରେ ବ୍ୟବଧାନ ଅନାୟସ ଲକ୍ଷ୍ୟ, ଅଥଚ ଦୁହେଁ ମନୀଷା ଓ ସଂସ୍କୃତି ଚେତନା କ୍ଷେତ୍ରରେ ପରସ୍ପରର କିଛି କମ୍‌ ନିକଟବର୍ତ୍ତୀ ନୁହନ୍ତି । ଦୁହେଁ ବିଦ୍ୱାନ, ଦୁହେଁ ଶ୍ରଦ୍ଧାବାନ, ଦୁହେଁ ଐତିହ୍ୟ ସଚେତନ, ଅଧ୍ୟବସାୟୀ ଓ ଦାୟିତ୍ୱଶୀଳ । ଦହିଁଙ୍କର ଜାତିପ୍ରୀତି ଓ ଭାଷାପ୍ରୀତି ମଧ୍ୟ ସୁଗଭୀର । ସାଧନାର ପଥ କିନ୍ତୁ ଭିନ୍ନ । ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣୟନ କ୍ଷେତ୍ରରେ ଉପକରଣଗୁଡ଼ିକର ଇତସ୍ତତ ବିକ୍ଷିପ୍ତତା ଓ ଅପ୍ରାପ୍ତିର ମୁକାବିଲା କରନ୍ତି ଡଃ ଆର୍ତ୍ତବଲ୍ଲଭ ମହାନ୍ତି । ପୋଥି ସଂଗ୍ରହ ଓ ସମ୍ପାଦନା ଦାୟିତ୍ୱ ତାଙ୍କର । ମୁଦ୍ରାଯନ୍ତ୍ର ପ୍ରସାଦରୁ ଆଧୁନିକ ସାହିତ୍ୟ ସୃଷ୍ଟି ଏକ ସ୍ଥାୟୀ ଓ ନିର୍ଦ୍ଦିଷ୍ଟ ରୂପ ପାଇଛି । ତାହାର ଆଲୋଚନାରେ ତ୍ୱରାନ୍ୱିତ ନ ହେଲେ ଚଳେ । ପୋଥି ଉଦ୍ଧାର; କିନ୍ତୁ ବିଳମ୍ବ ସହ୍ୟ କରି ନପାରେ । ଯେଉଁ ବିପୁଳ କୀଟଦଷ୍ଟ ପୋଥି ଅବଜ୍ଞା ଓ ଅବହେଳା ଭିତରେ ଅବଲୁପ୍ତିର ସମ୍ମୁଖୀନ, ତାହା ସମ୍ୱନ୍ଧରେ ତେଣୁ ସେ ଦ୍ରୁତ ବ୍ୟବସ୍ଥାର ଆଶୁ ପ୍ରୟୋଜନ ଲକ୍ଷ୍ୟ କରିଛନ୍ତି । ଆପେ ଦାୟିତ୍ୱ ନେଇଛନ୍ତି ପୋଥି ସଂଗ୍ରହ, ପୋଥି ନିର୍ବାଚନ ଓ ଶୁଦ୍ଧ ପାଠନିର୍ଣ୍ଣୟ ଠାରୁ ଆରମ୍ଭ କରି ଗ୍ରନ୍ଥ ପ୍ରକାଶ ଓ ପ୍ରସାର ପର୍ଯ୍ୟନ୍ତ ସବୁ କଥା ସେ ଯତ୍ନର ସହିତ ବୁଝିଛନ୍ତି । ପାଠାଲୋଚନା ବା ‘textual criticism’ର ଯେଉଁ ଅଭିଜାତ ପଦ୍ଧତିଟି ବିଷୟରେ ଆଜି ଶୁଣାଯାଉଛି ତାହାଠାରୁ ତାଙ୍କ ସାହିତ୍ୟ ପ୍ରଚେଷ୍ଟା ବିଶେଷ ଦୂରବର୍ତ୍ତୀ ନ ଥିଲା । ଆଜିର ଚାରୋଟି ପ୍ରକ୍ରିୟା ହେଉଛି : ୧-Heuristics (ସାମଗ୍ରୀ ସଙ୍କଳନ), ୨-Recensio (ପାଠଚୟନ), ୩-Emendatio (ଶୁଦ୍ଧପାଠ ନିର୍ଣ୍ଣୟ) ଓ ୪-Higher Criticism (ଉଚ୍ଚତର ସମାଲୋଚନା) ସେ ହୁଏତ ଏସବୁ ପଦ୍ଧତି ସମ୍ୱନ୍ଧରେ ସଚେତନ ନ ଥିଲେ, କିନ୍ତୁ ତାଙ୍କର ନିଷ୍ଠା, ଅନ୍ତର୍ଦୃଷ୍ଟି ଓ କାଣ୍ଡଜ୍ଞାନ ତଥା ସହୃଦୟ ହୃଦୟ ସମ୍ବେଦନା ତାଙ୍କୁ ଠିକ୍‌ ବାଟରେ ନେଇଛି । ତାଙ୍କୁ ଅନେକେ ଭୁଲ୍‌ ବୁଝନ୍ତି, କାରଣ ତାଙ୍କୁ ବୁଝିବାର କ୍ଷମତା ଅନେକଙ୍କର ନାହିଁ । ସଙ୍କଳନ, ସମ୍ପାଦନା ଓ ଶୁଦ୍ଧପାଠ ନିର୍ଣ୍ଣୟକୁ ସମାଲୋଚନା କୁହାଯାଏ ବୋଲି ଅନେକଙ୍କୁ ଜଣାନାହିଁ । ସମାଲୋଚନା ଯେବେ ମୂଲ୍ୟାୟନ ହୁଏ ତେବେ ଆର୍ତ୍ତବଲ୍ଲଭଙ୍କ ସମାଲୋଚନା ଶକ୍ତିରେ ସନ୍ଦେହ କରିବାର କିଛି ନାହିଁ । ଏବେ ଅନେକଙ୍କର ଧାରଣା ହୋଇଛି ଯାହା ପୋଥିରେ ଅଛି ତାହା ଉପାଦେୟ ଓ ମୂଲ୍ୟବାନ । ତେଣୁ ସମ୍ପାଦନା ଆବର୍ଜନା ସଂଗ୍ରହରେ ପର୍ଯ୍ୟବସିତ ନ ହୋଇ ରହିପାରିନାହିଁ । ଏପରି ନିର୍ବୋଧ ବିଚାରଠାରୁ ଡଃ ମହାନ୍ତି ଥିଲେ ବହୁ ଦୂରରେ । ତେଣୁ ସେ ପୋଥି ସଂଗ୍ରହ କରୁ ନ ଥିଲେ, ଆବର୍ଜନା ଭିତରୁ ମଣିମୁକ୍ତା ଖୋଜୁ ଥିଲେ । ଯେଉଁ ପୋଥି ସମ୍ପାଦନା କଲେ ଜାତୀୟ ସାହିତ୍ୟର ସମ୍ମାନ ବଢ଼ିବ, ତାହା ସେ ନିରୂପଣ କରୁଥିଲେ ପ୍ରଥମେ । ଉଷାଭିଳାଷ, ରହସ୍ୟମଞ୍ଜରୀ, ଭୀମଭୋଇଙ୍କ ଭଜନମାଳା, ପ୍ରେମ ପଞ୍ଚାମୃତ ଓ ଖାଡ଼ଙ୍ଗା ଭାଗବତ ସେହି ଅନ୍ୱେଷଣର ଫସଲ । ସୁସମାଲୋଚକଙ୍କର ଅନେକ ଗୁଣ ତାଙ୍କର ଥିଲା, ଥିଲା ସାହିତ୍ୟ ଶାସ୍ତ୍ରଜ୍ଞାନ, ବିଶ୍ଳେଷଣାତ୍ମକ ବୁଦ୍ଧି, ସହଜ ସହାନୁଭୂତି ଓ ତନ୍ମୟୀଭବନ କ୍ଷମତା, ଥିଲା ମଧ୍ୟ ନିର୍ବାଚନ ଦକ୍ଷତା ଓ ସୌନ୍ଦର୍ଯ୍ୟବୋଧ । ନିଷ୍ଠା ଓ ଅଧ୍ୟବସାୟ ବି କିଛି କମ୍‌ ନ ଥିଲା । ବାର୍ଦ୍ଧକ୍ୟରେ ସାରଳା ମହାଭାରତ ସମ୍ପାଦନା ଦାୟିତ୍ୱ କିପରି ସେ ତୁଲାଇଛନ୍ତି ତାହା ସମସ୍ତେ ଜାଣନ୍ତି । ସେ ଓଡ଼ିଆ ଜାତିର ସାହିତ୍ୟବୋଧ ଶକ୍ତି ବଢ଼ାଇ ଦେଇଯାଇଛନ୍ତି । ‘ପ୍ରାଚୀ ମୁଖବନ୍ଧ’ରେ ତାଙ୍କର ବିଦ୍‌ବତା ଓ ରୁଚିଜ୍ଞାନ ସ୍ୱାକ୍ଷରିତ । ତାଙ୍କ ପ୍ରଦର୍ଶିତ ମାର୍ଗ ଅବଲମ୍ୱନ ନ କଲେ ଓଡ଼ିଆ ସାହିତ୍ୟର ଇତିହାସ ରଚନା ସମ୍ଭବପର ହେବ ନାହିଁ । ତାଙ୍କ ମୁଖବନ୍ଧ ନ ପଢ଼ିଲେ ଓଡ଼ିଆ ସାହିତ୍ୟକୁ ବୁଝିହେବ ନାହିଁ । ଏବେ ଧୂର୍ତ୍ତ ଅଧ୍ୟାପକଗଣ ତାଙ୍କ ସମ୍ପାଦିତ ଗ୍ରନ୍ଥଗୁଡ଼ିକୁ ମୁଖବନ୍ଧରୁ ବିଚ୍ଛିନ୍ନ କରି ଯେପରି ନିଜ ନିଜ ନାମରେ ଚଳାଇ ନେଉଛନ୍ତି ତାହା ଜାତୀୟ ଅପରାଧ ଭିନ୍ନ ଅନ୍ୟ କିଛି ନ ହୋଇପାରେ । ଡଃ ମହାନ୍ତିଙ୍କର ଦୁର୍ବଳତା ନ ଥିଲା ନୁହେଁ, ଥିଲା । ସେ ଅତିମାତ୍ରାରେ ଥିଲେ ବୈଷ୍ଣବ ଧର୍ମ ଦର୍ଶନ ପ୍ରତି ଅନୁରକ୍ତ । ଏହି ଆସକ୍ତି ତାଙ୍କ ମୂଲ୍ୟବୋଧକୁ ଅନେକତ୍ର ବିଭ୍ରାନ୍ତ କରିଛି-। ସେଥିପାଇଁ ହୁଏତ ବିଧାତା ବିଚାରର ଭାରସାମ୍ୟ ରଖିବାକୁ ତାଙ୍କର ସମକାଳରେ ପ୍ରଚଣ୍ଡ ବୈଷ୍ଣବ ବିଦ୍ୱେଷୀଟିଙ୍କୁ ଓଡ଼ିଆ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଅବତୀର୍ଣ୍ଣ କରାଇଦେଲେ । ପଣ୍ଡିତ ନୀଳକଣ୍ଠ ରାଜନୀତିରୁ ଓଡ଼ିଆ ସାହିତ୍ୟ ସମାଲୋଚନାକୁ ଫେରି ଚାହିଁଲେ । ଲେଖାଗଲା ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ର ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ । ପ୍ରକାଶ ପାଇଲା ‘ଓଡ଼ିଆ ଭାଷା ଓ ସାହିତ୍ୟ’ । ସେ ସାହିତ୍ୟ ସମାଲୋଚନା ଛାଡ଼ିଥିଲେ ଅନେକଦିନୁ, କିନ୍ତୁ ଛାଡ଼ି ନ ଥିଲେ ସ୍ୱଦେଶାନୁରାଗ କି ସାହିତ୍ୟ ପ୍ରୀତି । ଏବେ ସେ ଫେରିଲେ ପୂର୍ବକ୍ଷେତ୍ରକୁ ନୂଆ ବିଚାର, ମନସ୍ୱିତା ଓ ଅନ୍ତର୍ଦୃଷ୍ଟି ଘେନି । ଡଃ ଆର୍ତ୍ତବଲ୍ଲଭ ଖୋଜୁ ଥିଲେ ପୋଥିରୁ ଓଡ଼ିଆ ସାହିତ୍ୟର ଐତିହ୍ୟ, ପଣ୍ଡିତ ମହୋଦୟ ଖୋଜିଲେ ଏବେ ଓଡ଼ିଆ ସଂସ୍କୃତିର ଐତିହ୍ୟ । ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ ଲେଖାଯାଇ ନ ଥିଲେ ଓଡ଼ିଆ ସଂସ୍କୃତି ବୋଲି ଏତେବଡ଼ ଗୋଟାଏ ପୁରାଣ ବ୍ୟାପାର ଅଛି ବୋଲି କିଏବା ଜାଣିଥାନ୍ତା ସେତେବେଳେ ? ସଂସ୍କୃତି ଚେତନା, ଇତିହାସବୋଧ ଓ ଐତିହ୍ୟ ସଂପ୍ରୀତି ତାଙ୍କ ସମାଲୋଚନାର ମୂଳ କଥା, ଅଧିକନ୍ତୁ ସେ ଥିଲେ ଅଦ୍ଭୁତ ଭାବରେ ମୌଳିକ ଓ ସୂକ୍ଷ୍ମଦର୍ଶୀ । ସାହିତ୍ୟରେ ସେ ଖୋଜିଛନ୍ତି ଓଡ଼ିଆ ଜାତିର ସ୍ୱଧର୍ମଚେତନା । ସାହିତ୍ୟର ବିଷୟବସ୍ତୁ ଓ ଶିଳ୍ପଜ ସମ୍ବେଦନାରେ ଅନୁସନ୍ଧାନ କରିଛନ୍ତି ଆମର ଅନନ୍ୟ ଜାତୀୟ ବୈଶିଷ୍ଟ୍ୟ, ଶୁଚିମନ୍ତ ଗୃହସ୍ଥତା ଓ ସ୍ୱକୀୟ ପ୍ରତିଷ୍ଠା । ସେଥିପାଇଁ ସାରଳା ଦାସ ତାଙ୍କର ହିରୋ । ଭାଷା ଓ ଭଙ୍ଗୀରେ ସେ ଯେପରି ଓଡ଼ିଆ ଠିକ୍‌ ସେପରି ସଂସ୍କୃତିବୋଧରେ ବି ଖାଣ୍ଟି ଓଡ଼ିଆ । ହୀନମନ୍ୟତା ତାଙ୍କୁ ଆଦୌ ସ୍ପର୍ଶ କରିନାହିଁ । ବଳିଷ୍ଠତା ତାଙ୍କର ଓଡ଼ିଆପ୍ରାଣତା । ଉପେନ୍ଦ୍ର ଅବଶ୍ୟ ଭାଷା ଓ ଭଙ୍ଗୀରେ ଅପେକ୍ଷାକୃତ ଦୁର୍ବଳ, କିନ୍ତୁ ସ୍ୱଧର୍ମଚେତନାରେ କିଛି କମ୍‌ ମହାନ୍‌ ନୁହନ୍ତି । ପଣ୍ଡିତ ଏ ଦୁହିଁଙ୍କ ବିଷୟରେ ଆଲୋଚନା କରିଛନ୍ତି ସବୁଠୁଁ ବେଶି, ଦୁହିଁଙ୍କୁ ଅନ୍ତରର ସହିତ ଶ୍ରଦ୍ଧା କରିଛନ୍ତି, ସମ୍ମାନ ଦେଇଛନ୍ତି । ବୈଷ୍ଣବ କବିମାନଙ୍କୁ ସେ ଶ୍ରଦ୍ଧା କରିପାରନ୍ତି ନାହିଁ । ତାଙ୍କ ଭାକ୍ତିକ ମିଥ୍ୟାଯୋଗୁ ବିଶେଷତଃ ଗୌଡ଼ୀୟ ବୈଷ୍ଣବମାନେ ତାଙ୍କର ଜାତଶତ୍ରୁ । ଯେହେତୁ ସେମାନେ ଓଡ଼ିଆ ସଂସ୍କୃତିର ଅନ୍ୟଥା କରିଥାନ୍ତି । ଏହି ସୂତ୍ରେ ତାଙ୍କର ବଙ୍ଗ ବିଦ୍ୱେଷ ପ୍ରକାଶ ପାଇଥାଏ । ମଧୁ, ରାଧାନାଥ ମଧ୍ୟ ନିନ୍ଦିତ, କାରଣ ସେ ଦୁହେଁ ଯଥାକ୍ରମେ ଓଡ଼ିଆ ଧର୍ମସାହିତ୍ୟ ଓ କାମ ସାହିତ୍ୟକୁ କେବଳ ଅକ୍ଷୁଣ୍ଣ ରଖିନାହାନ୍ତି, ପରାଧୀନତାର ପ୍ରତିସ୍ପର୍ଦ୍ଧା ଓ ଜ୍ଞାତ ଅଜ୍ଞାତ ଅନୁକରଣକୁ ନାନା ଭାବରେ ଉତ୍ସାହିତ କରିଛନ୍ତି । ସଂସ୍କୃତି ଚେତନାରେ ସ୍ୱକୀୟତା, ଭାଷା ଓ ଭଙ୍ଗୀରେ ମୌଳିକତା ତଥା ପ୍ରାଣଧର୍ମରେ ବଳିଷ୍ଠ ସ୍ୱାଧୀନତା ହିଁ ଯେକୌଣସି ସାହିତ୍ୟ ସୃଷ୍ଟିର ଉତ୍କର୍ଷ ପ୍ରତିପାଦନ କରିଥାଏ । ଅନ୍ୟଥା ହେଲେ ପଣ୍ଡିତ ମହୋଦୟ କ୍ଷମା କରିପାରିବେ ନାହିଁ । ନନ୍ଦକିଶୋର ଓ ଫକୀରମୋହନଙ୍କର ଶ୍ରଦ୍ଧାହିଁ ଓଡ଼ିଶା ସଂସ୍କୃତି ସହିତ ନାଡ଼ିର ଯୋଗ ଅଛି, ଜୀଅନ୍ତା ଓଡ଼ିଆ ଭାଷା ସହିତ ଦୁହିଁଙ୍କ ସାହିତ୍ୟ ସୃଷ୍ଟିର ଅନ୍ତରଙ୍ଗତା ଅଛି । ଓଡ଼ିଆ ସଂସ୍କୃତିର ଉଦାରତା, ପରିବର୍ତ୍ତନଶୀଳତା ଓ ବହୁଗ୍ରାହିତା ସମ୍ୱନ୍ଧରେ ପଣ୍ଡିତ ମହାଶୟ ଆଉଟିକେ ଶ୍ରଦ୍ଧା ପ୍ରକାଶ କରିଥିଲେ ମନ୍ଦ ହୋଇ ନଥାନ୍ତା । ସେ କିନ୍ତୁ ତାଙ୍କ ସାହିତ୍ୟ ମୂଲ୍ୟାୟନର ପ୍ରତିମାନ ଏତେଟିକେ ଏପଟ ସେପଟ କରିପାରିବେ ନାହିଁ । ସ୍ୱଜାତି, ସ୍ୱଦେଶ ସ୍ୱଭାଷା ଓ ସ୍ୱସାହିତ୍ୟ ଘେନି ତାଙ୍କର ଗର୍ବବୋଧକୁ ସେ କ୍ଷୁର୍ଣ୍ଣ କରିପାରିବେ ନାହିଁ । ସବୁଠିଁ ସେ ବିଶୁଦ୍ଧ ଶୁଚିତା ଖୋଜନ୍ତି, ମୌଳିକତା ଓ ଆନ୍ତରିକତା ଅନୁସନ୍ଧାନ କରନ୍ତି । ଡଃ ମହାନ୍ତି ଓ ପଣ୍ଡିତ ମହୋଦୟ ଦୃଷ୍ଟିରେ ଭିନ୍ନ । କିନ୍ତୁ ଇତିହାସଚେତନା ଓ ଐତିହ୍ୟ ଏଷଣାର ନିଷ୍ଠାରେ ଏକ । ପ୍ରଥମ ଅଧ୍ୟାୟର ସାହିତ୍ୟ ସମାଲୋଚନା ପ୍ରାଚୁର୍ଯ୍ୟ ଲାଞ୍ଛିତ ନୁହେଁ, ମାତ୍ର ଏ ଦୁଇ ମନୀଷୀଙ୍କ ପ୍ରସାଦରୁ ବଡ଼ ଗଭୀର, ଚାରିତ୍ରିକ ସ୍ୱକୀୟତାରୁ ମଧ୍ୟ ମହାନ୍ । ଏହି ଅଧ୍ୟାୟର ଆଉ ତିନିଜଣ ସାହିତ୍ୟ ସମାଲୋଚକଙ୍କୁ ସ୍ମରଣ ନ କଲେ କେହି କ୍ଷମା କରିବେ ନାହିଁ । ସେ ତିନିଜଣ ପାଶ୍ଚାତ୍ୟ ସାହିତ୍ୟ ସମାଲୋଚନା ନିଷ୍ପାତ ସାହିତ୍ୟିକ: ଗିରିଜାଶଙ୍କର ରାୟ, ମାୟାଧର ମାନସିଂହ ଓ ଗୋପୀନାଥ ମହାନ୍ତି । ଓଡ଼ିଆ ସାହିତ୍ୟ ଯେଉଁଠି ବହିର୍ବିଶ୍ୱର ସାହିତ୍ୟ ସହିତ ଯୁକ୍ତ ହେବାକୁ ବ୍ୟଗ୍ର ଓ ପ୍ରସାରିତ ବାହୁ, ସେ କ୍ଷେତ୍ରରେ ସମାଲୋଚନା ନିଜର ଅଳଙ୍କାର ଶାସ୍ତ୍ର କି ସଂସ୍କୃତିକୁ କେବଳ ଅନାଇ ବସିଲେ ଚଳିବ ନାହିଁ; ଓଡ଼ିଆ ସାହିତ୍ୟର ଦିଗଦିଗନ୍ତ ଯେତେବେଳେ ମୁକୁଳିତ ହୋଇଯାଉଛି ସେତେବେଳେ କେବଳ ପ୍ରାଚୀନ ସାହିତ୍ୟକୁ ଅନୁଧାବନ କଲେ ସମାଲୋଚନାକୁ ଶୋଭା ପାଇବ ନାହିଁ । ଗିରିଜାଶଙ୍କର ଲେଖନ୍ତି ‘ଓଡ଼ିଆ ନାଟ୍ୟକଳା’ (୧୯୪୩) । ଗ୍ରନ୍ଥଟି ଓଡ଼ିଆ ନାଟକ ମୂଲ୍ୟାଙ୍କନ କ୍ଷେତ୍ରରେ ଏବେ ବି ଅନତିକ୍ରମଣୀୟ ହୋଇ ରହିଛି । ମାୟାଧର ମାନସିଂହ ଲେଖନ୍ତି ଆଧୁନିକ କବିମାନଙ୍କ ଉପରେ ଇଂରାଜୀ ଢାଞ୍ଚାରେ ‘Studies in Appreciation’। ପ୍ରବନ୍ଧଗୁଡ଼ିକ କବିମନର ରସସ୍ପର୍ଶ ଓ ସ୍ୱଚ୍ଛ ପ୍ରତିବିମ୍ୱନରେ ଏପରି ମନୋଜ୍ଞ ହୋଇଛି ଯେ ଚିତ୍ତାକର୍ଷଣ ନ କରି ରହିପାରେ ନାହିଁ । ଗୋପୀନାଥଙ୍କ କୃତିତ୍ୱ କିଛି କମ୍‌ ନୁହେଁ । ସାହିତ୍ୟତତ୍ତ୍ୱ ସଂକ୍ରାନ୍ତ ସେଦିନର ତାଙ୍କ ପ୍ରବନ୍ଧାବଳୀ ଏବେ ‘କଳାଶକ୍ତି’ ଗ୍ରନ୍ଥରେ ସଙ୍କଳିତ ହୋଇଛି-। ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱକୁ ଖାଣ୍ଟି ଓଡ଼ିଆ ଭାଷା ଓ ଖାଣ୍ଟି ଓଡ଼ିଆ ଜୀବନାନୁଭୂତି ଭିତରେ କିପରି ପ୍ରକାଶ କରାଯାଇ ପାରେ, କଳାଶକ୍ତି ନ ପଢ଼ିଲେ ତାହା ବୁଝିହେବ ନାହିଁ । ସାହିତ୍ୟିକ ଅଭିରୁଚି ଗଢ଼ିବାରେ ତାହାର ଦାନ ଅକଳନୀୟ । ପଢ଼ାକଥାକୁ ଜୀଅନ୍ତା ସାହିତ୍ୟବୋଧରେ ପରିଣତ କରିଛନ୍ତି ଶ୍ରୀ ଗୋପୀନାଥ । ସାହିତ୍ୟ ପତ୍ରିକାଗୁଡ଼ିକୁ ସ୍ମରଣ କରିବାକୁ ହେବ । ସହକାର, ନବଭାରତ, ଆଧୁନିକ, ଶଙ୍ଖ ଓ ଚତୁରଙ୍ଗ ପ୍ରଥମ ଅଧ୍ୟାୟର ସମ୍ଭ୍ରାନ୍ତ ପତ୍ରିକା । ସେଦିନର ଉଭୟ ସମାଲୋଚକ ଓ ସମ୍ପାଦକଙ୍କ ପାଇଁ ସମାଲୋଚନା ଏକ ସଂସ୍କୃତିବାନ ମନନଶୀଳ କର୍ମରୂପେ ବିବେଚିତ ହେଉଥିଲା । ସମସ୍ତଙ୍କର ଶକ୍ତି ଯଥାସମ୍ଭବ ଥିଲା ଶିକ୍ଷିତ ଓ ପରିଶୀଳିତ । ‘ଆଧୁନିକ’ ପତ୍ରିକାର ଟିକିଏ ବିଶେଷତ୍ୱ ଅଛି । ତାହାରି ମାଧ୍ୟମରେ ସମାଜତାତ୍ତ୍ୱିକ ସମାଲୋଚନାର ସୂତ୍ରପାତ ହୁଏ । ତେବେ ସବୁ ପତ୍ରିକାଗୁଡ଼ିକ ସୁଦକ୍ଷ ସମ୍ପାଦକମାନଙ୍କ ହାତରେ ଏପରି ଯୋଗ୍ୟତା ଅର୍ଜିଛନ୍ତି ଯେ ଓଡ଼ିଆ ସହିତ୍ୟ ଇତିହାସରେ ଅବଶ୍ୟ ସ୍ଥାନ ପାଇବେ । ଓଡ଼ିଆ ସମାଲୋଚନାର ଶ୍ରୀ ସମ୍ପାଦିବା କ୍ଷେତ୍ରରେ ସେଗୁଡ଼ିକର ଦାନ ଅନସ୍ୱୀକାର୍ଯ୍ୟ ।

 

ଏବେ ଦ୍ୱିତୀୟ ଅଧ୍ୟାୟର କଥା । ଓଡ଼ିଆରେ ଏମ.ଏ. ଖୋଲିଛି । କଲେଜ ସ୍ତରରେ ବାଧ୍ୟତାମୂଳକ ଓ ଇଚ୍ଛାଧୀନ ଓଡ଼ିଆ ପଢ଼ା ଚାଲିଛି । ଶିକ୍ଷାର ଦ୍ରୁତ ପ୍ରସାର ଫଳରେ ଏହି ଅଧ୍ୟାୟ (୧୯୫୪-୮୬) ରେ ଓଡ଼ିଆ ଅଧ୍ୟାପକଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଛି । ଓଡ଼ିଆ ସମାଲୋଚନା ମୁଖ୍ୟତଃ ଓଡ଼ିଆ ଅଧ୍ୟାପକଙ୍କ କୃତିତ୍ୱରେ ପରିଣତ ହୋଇଛି । ଓଡ଼ିଆ ଅଧ୍ୟାପକ ମାତ୍ରେ ସୁବକ୍ତା, ସୁଲେଖକ ଓ ସୁସମାଲୋଚକ । ଅଧିକାଂଶ ପୁଣି ଏକାଧାରରେ କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନ୍ୟାସିକ ଓ ଗବେଷକ । ଏପରି କ୍ଷେତ୍ରରେ ଓଡ଼ିଆ ସାହିତ୍ୟ ସମାଲୋଚନାର ପରିସର ଯେବେ ଆଶାତୀତ ଭାବରେ ବଢ଼ିଥାଏ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ପରିସରର ବ୍ୟାପକତା ଅବଶ୍ୟ ସବୁବେଳେ ଗଭୀରତା ମୁଖାପେକ୍ଷୀ ନୁହେଁ, ଅଗ୍ରଗତି ଅବଶ୍ୟମ୍ଭାବୀ ଭାବରେ ପ୍ରଗତିର ଲକ୍ଷଣ ନୁହେଁ । ସମାଲୋଚନା ସାହିତ୍ୟ ମୂଳତଃ ପ୍ରଚାରଧର୍ମୀ ଓ ସଚେତନ ଉଦ୍ଦେଶ୍ୟ ମୂଳକ । ମାତ୍ର ଛାତ୍ରଙ୍କ କଲ୍ୟାଣସାଧନ ତାହାର ଉଦ୍ଦେଶ୍ୟ ନୁହେଁ କି ଚାକିରୀରେ ପଦୋନ୍ନତି ବ୍ୟବସ୍ଥା ତାହାର ଆଭିମୁଖ୍ୟ ନୁହେଁ । ଓଡ଼ିଆ ଅଧ୍ୟାପକମାନେ କାହିଁକି ସମାଲୋଚନ ଲେଖନ୍ତି ଓ ଗବେଷଣା କରନ୍ତି, ତାହା ସେମାନେ ଜାଣନ୍ତି । ଅଥଚ ଛଳନାର ସୀମା ନଥାଏ । ଛଳେ ଦୁର୍ବଳର ବଳ । ତାହା ଅନ୍ୟକୁ ପ୍ରତାରିତ କରେ ଆତ୍ମରକ୍ଷା ପାଇଁ, ନିଜକୁ ପ୍ରତାରିତ କରେ ଆତ୍ମପ୍ରସାଦ ପାଇଁ । ଆତ୍ମପ୍ରବଞ୍ଚନାଠାରୁ ବଳି ଆତ୍ମଘାତୀ ଆଉ କ’ଣ ଅଛି ? ତେଣୁ ଓଡ଼ିଆ ସାହିତ୍ୟ ସମାଲୋଚନାର ପ୍ରାଚୁର୍ଯ୍ୟ ତାହାର ପ୍ରବୀଣତାର ପ୍ରମାଣ ବହନ କରିନଥାଏ । ସମାଲୋଚନା ସାହିତ୍ୟର ଉଦ୍ଦେଶ୍ୟ ସାହିତ୍ୟଶିଳ୍ପର ଉଜ୍ଜ୍ୱଳ ବ୍ୟାଖ୍ୟା ଓ ରୁଚିମାର୍ଜନା-The elucidation of works of art and the correction of taste, (Eliot)। ଅଭିଜ୍ଞତା ଅଭିଜ୍ଞତା ଭିତରେ ଥିବା ତାରତମ୍ୟ ବିଚାର ଓ ମୂଲ୍ୟାୟନ ସେଠାରେ ବଡ଼ କଥା । ସେଠାରେ ଅନେକ ଜିନିଷ ଦରକାର-ଦାର୍ଶନିକ ଅନୁଶୀଳନ ଠାରୁ ସତ୍‌ ଅସତ୍‌ ବିଚାରବୋଧ ପର୍ଯ୍ୟନ୍ତ । ନିର୍ବାଚନ ଓ ମୂଲ୍ୟାୟନ ଶେଷ କଥା । ଜ୍ଞାନ, ରୁଚି ଓ ଉପଲବ୍‌ଧି ପ୍ରଶସ୍ତ ଓ ପ୍ରଶିକ୍ଷିତ ହୋଇନଥିଲେ ଆଉ ଯାହା କରିହୁଏ ସିନା ସାହିତ୍ୟ ସମାଲୋଚନା ଲେଖି ହୁଏ ନାହିଁ । ସମାଲୋଚନା ଶକ୍ତି ପ୍ରଶିକ୍ଷିତ ଓ ପରିଶୀଳିତ ନ ହେଲେ ନ ଚଳେ । ସମାଲୋଚକଙ୍କୁ ସାହିତ୍ୟ-ଶିଳ୍ପ ଓ ଜୀବନ ସମ୍ୱନ୍ଧରେ ବିସ୍ତିର୍ଣ୍ଣ ଅଭିଜ୍ଞତା ଅର୍ଜିବାକୁ ପଡ଼େ, ଜ୍ଞାନ ବିଜ୍ଞାନରେ ଦିଗଦିଗନ୍ତ ସମ୍ୱନ୍ଧରେ ପ୍ରତୁଳ ପାଣ୍ଡିତ୍ୟ ଲାଭ କରିବାକୁ ହୁଏ, ସମ୍ୱେଦନା ଓ ସହାନୁଭୂତି ଶକ୍ତିକୁ ତୀକ୍ଷ୍‌ଣ ଓ ଶାଣିତ କରିନେବାକୁ ପଡ଼େ । ତାଙ୍କପାଇଁ ଅନ୍ତର୍ଦୃଷ୍ଟି, ମାତ୍ରାଜ୍ଞାନ, ନିଷ୍ଠା ଓ ଆନ୍ତରିକତା ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହନ୍ତି । ଏ ସବୁ ମଧ୍ୟରୁ ଯେ କୌଣସି ଗୋଟିକର ଅଭାବ ଘଟିଲେ ସାହିତ୍ୟର ସ୍ୱାଦ, ସୌନ୍ଦର୍ଯ୍ୟ ଓ ତାତ୍ପର୍ଯ୍ୟ ଅନୁଦ୍‌ଘାଟିତ ରହିଯିବାର ଆଶଙ୍କା ଅଛି । ଦ୍ୱିତୀୟ ପର୍ବର ଓଡ଼ିଆ ସମାଲୋଚନାରେ ନିଷ୍ଠା ଓ ପ୍ରତିପତ୍ତି ଦୂରର କଥା; ଜ୍ଞାନ ରୁଚି ଓ ସମ୍ୱେଦନା ମଧ୍ୟ ଠିକ୍‌ ଦେଖିବାକୁ ମିଳେ ନାହିଁ । ଫଳତଃ ସମାଲୋଚନା ନାମରେ ଯାହାସବୁ ପ୍ରକାଶ ପାଇଛି ସେଥିରେ କେଉଁଠି ଧର୍ମ କି ଦର୍ଶନ ପନ୍ଥା ଆଲୋଚିତ ହୋଇଥାଏ ତ ଆଉ କେଉଁଠି ବିଷୟବସ୍ତୁର ସାର ସଂକଳିତ ହୋଇଥାଏ, ଆଉ କେଉଁଠି ବା ଭାବବସ୍ତୁ ବିଶ୍ଳେଷଣ କରାଯାଇଥାଏ । ଏ ସବୁଠିଁ ଠିକ୍‌ କଥା କୁହାଯାଇଥିବ ବୋଲି ମଧ୍ୟ କୌଣସି ପ୍ରକାର ଗ୍ୟାରେଣ୍ଟି ନାହିଁ । ବୁଦ୍ଧି ପ୍ରାୟ ଅପରିଣତ । କେଉଁଠି କେମିତି ଜ୍ଞାନ ଥିଲେ ବି କାଣ୍ଡଜ୍ଞାନ ପ୍ରାୟ ନାହିଁ । ଅଭିଜ୍ଞତା ଅଭିଜ୍ଞତା ଭିତରେ ଥିବା ତାରତମ୍ୟ ବିଚାର ପ୍ରଶ୍ନ ଉଠୁ ନାହିଁ । ଏଣୁ ଏବେ ଓଡ଼ିଆ ସାହିତ୍ୟ ସମାଲୋଚନା କିଛି ଅଛି ବୋଲି ଅନେକେ ବିଶ୍ୱାସ କରନ୍ତି ନାହିଁ । ପ୍ରକାଶିତ ସମାଲୋଚନାରୁ ଅଧିକାଂଶ ହାସ୍ୟକର ଓ ଅପାଠ୍ୟ, ଅବ୍ୟାପ୍ତି କି ଅତିବ୍ୟାପ୍ତି ଦୋଷଦୁଷ୍ଟ । ଦୃଷ୍ଟିଭଙ୍ଗୀ ଅସ୍ୱଚ୍ଛ ନ ହେଲେ ସଂକୀର୍ଣ୍ଣତା ସମାଚ୍ଛନ୍ନ; ପକ୍ଷପାତଦୁଷ୍ଟ ନ ହେଲେ ତୋଷାମଦପ୍ରବଣ । ଅବସ୍ଥା ଶୋଚନୀୟ । ଅନେକଙ୍କ ଭାଷାଜ୍ଞାନ ଏତେ ଦୁର୍ବଳ ଯେ, ବର୍ଣ୍ଣାଶୁଦ୍ଧିହୀନ ବ୍ୟାକରଣଗତ ଶୁଦ୍ଧ ବାକ୍ୟ ଖୋଜିଲେ ନ ମିଳିପାରେ । ଅଧିକନ୍ତୁ ଅଛି ପୁଣି ହିନ୍ଦୀ ଓ ବଙ୍ଗଳା ସମାଲୋଚନାର ପ୍ରଭାବ । ସମସ୍ତେ ପ୍ରାୟ ଇଂରାଜୀ ଉଦ୍ଧୃତି ବ୍ୟବହାର କରନ୍ତି, ପାଶ୍ଚାତ୍ୟ ସମାଲୋଚକଙ୍କୁ ବିନା ବିଚାରରେ ମାନନ୍ତି । ଏସବୁ ଦେଖି ଯେଉଁମାନେ ବିଚଳିତ ହୋଇ ପଡ଼ନ୍ତି ତାଙ୍କପାଇଁ ଓଡ଼ିଆ ସମାଲୋଚନା ସାହିତ୍ୟର ଅସ୍ତିତ୍ୱ ନ ଥାଏ । କିନ୍ତୁ ଆଶ୍ୱସ୍ତ ହେବାର ଅନେକ କିଛି ଉପାଦାନ ଅଛି । ସବୁ ଅଧ୍ୟାପକ ଅକ୍ଷମ କି ଅଭାଜନ ନୁହନ୍ତି । ଓଡ଼ିଆ ଅଧ୍ୟାପକମାନଙ୍କ ଭିତରେ ପରିଶ୍ରମୀ, ବହୁପାଠୀ, ବିଜ୍ଞ ଓ ଗୁଣଗ୍ରାହୀ ସମାଲୋଚକ ଅଛନ୍ତି, ହେଉନା ପଛେ ସେମାନଙ୍କ ସଂଖ୍ୟା ଯେତେ ମୁଷ୍ଟିମେୟ । ସେମାନେ ମୂଲ୍ୟାୟନ କରି ଜାଣନ୍ତି, ରସାସ୍ଵାଦନ କରି ଶିଖନ୍ତି । ସେମାନଙ୍କ ଯତ୍ନ ଓ ଅଧ୍ୟବସାୟରୁ ଏହି ଦ୍ୱିତୀୟ ଅଧ୍ୟାୟରେ ସାହିତ୍ୟର ଧର୍ମ ଓ ରୂପ ବିଷୟକ କେତୋଟି ଭଲ ଭାବୟିତ୍ରୀ ପ୍ରବନ୍ଧ ଲେଖାଯାଇଛି, ବିଶେଷ ବିଶେଷ ଯୁଗ କି ଗ୍ରନ୍ଥ ସମ୍ୱନ୍ଧରେ ଦୂରସ୍ପର୍ଶୀ ଆଲୋଚନା କରାଯାଇଛି । ସାହିତ୍ୟର ଏକ ଏକ ବିଭାଗ ବିଷୟରେ ମନନଶୀଳ ତଥ୍ୟନିଷ୍ଠ ବିଚାର ଉପସ୍ଥାପିତ ହୋଇଛି । ସଦୁଦ୍ୟମ ସବୁବେଳେ ଅଛି । ବୃତ୍ତିଗତ ଉଦ୍ଦେଶ୍ୟ ଅନୁପସ୍ଥିତ ନ ଥିଲେ ହେଁ କେତେକ ବିଦ୍ୱାନ ଗବେଷଣା କ୍ଷେତ୍ରରେ ଅସାମାନ୍ୟ କୃତିତ୍ୱ ଅର୍ଜିଛନ୍ତି । ଏହି ସବୁ ବିରଳ ବ୍ୟକ୍ତିତ୍ୱଙ୍କୁ ସମସ୍ତେ ଜାଣନ୍ତି । ତନ୍ମଧ୍ୟରୁ ଏଠାରେ ମାତ୍ର ଉଦାହରଣାର୍ଥ ଅଗ୍ରଗଣ୍ୟ କେତେକଙ୍କ ନାମୋଲ୍ଲେଖ କରାଯାଉଛି । ଡଃ କୁଞ୍ଜବିହାରୀ ଦାଶ ଓ ଡଃ ନଟବର ସାମନ୍ତରାୟ ଓଡ଼ିଆ ସାହିତ୍ୟର ଦୁଇଟି ବିଭାଗ ଉପରେ ମୌଳିକ କାମ କରିଛନ୍ତି । ତେଣୁ ତାଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ । ଲୋକଗୀତ ଓ କାହାଣୀ ଅଧ୍ୟୟନ ଯୋଗୁ ଡଃ ଦାଶ ସ୍ମରଣୀୟ ରହିବେ । ଶ୍ରୀ ଚକ୍ରଧର ମହାପାତ୍ର ଉତ୍କଳ ଗାଉଁଲି ଗୀତ ସଂଗ୍ରହ କରିଛନ୍ତି ନିଶ୍ଚୟ । ସମ୍ମାନ ତାଙ୍କର ପ୍ରାପ୍ୟ । କିନ୍ତୁ ଡଃ ଦାଶଙ୍କ କୃତିତ୍ୱ କିଛି କମ୍‌ ନୁହେଁ । ସେ ଏପର୍ଯ୍ୟନ୍ତ ସଂଗ୍ରହ ଅବ୍ୟାହତ ରଖିଛନ୍ତି, ଲୋକବାଣୀ ସଞ୍ଚୟନ ପ୍ରକାଶିତ ହୋଇ ଚାଲିଛି । ସେ ଲୋକଗୀତ ଓ କାହାଣୀର ଯେଉଁ ବୈଜ୍ଞାନିକ ବିଶ୍ଳେଷଣ କରିଛନ୍ତି, ତାହା ନିକଟରେ ମ୍ଲାନ ହେଉ ନାହିଁ । ଶ୍ରମ, ସାଧନା, ନିଷ୍ଠା ଓ ଆନ୍ତରିକତା ସହିତ ଅନ୍ତର୍ଦୃଷ୍ଟି ଘେନି ଆମ ସାହିତ୍ୟର ଏ ଯେଉଁ ସୁବିଶାଳ ଦିଗଟିକୁ ସେ ଆଲୋକିତ କରିଛନ୍ତି; ତାହା ତାଙ୍କୁ ସ୍ମରଣୀୟ କରି ରଖିବ । କବି କୁଞ୍ଜବିହାରୀଙ୍କ ଠାରୁ ବି ସମୀକ୍ଷକ କୁଞ୍ଜବିହାରୀ ମହାନ୍‌ । ଡଃ ସାମନ୍ତରାୟ ଆଧୁନିକ ଓଡ଼ିଆ ସାହିତ୍ୟ (୧୮୭୦-୧୯୨୦)ର ଦିଗଦିଗନ୍ତ ଫେଡ଼ି ଦେଖିଛନ୍ତି ,ଆମ ପାଇଁ ତା’ର ପ୍ରାମାଣିକ ଇତିହାସଟିଏ ପ୍ରସ୍ତୁତ କରିଛନ୍ତି । ତାଙ୍କର ନିଷ୍ଠା, ଅନ୍ତର୍ଦୃଷ୍ଟି ଓ ଅଧ୍ୟବସାୟ ଅବିସମ୍ୱାଦିତ । ତାଙ୍କ ବିଚାର ସବୁଠିଁ ଇତିହାସ ମୂଲ୍ୟାୟନଶୀଳ ହୋଇଥିବାରୁ ଅନେକେ ତାଙ୍କୁ ଭୁଲ ବୁଝନ୍ତି । ଇତିହାସ କେବେ ସମାଲୋଚନା ନୁହେଁ ଅବଶ୍ୟ, ତାହା ସମାଲୋଚନାର ଅନ୍ୟତମ ପ୍ରକରଣ ମାତ୍ର । ତେଣୁ ଇତିହାସର ମାନଦଣ୍ତ ଶୈଳ୍ପିକ ନୁହେଁ । ତାହା ସାହିତ୍ୟର ପରିପାର୍ଶ୍ୱ ଘେନି ବରଂ ବେଶି ବ୍ୟସ୍ତ ରହେ-। ଡଃ ସାମନ୍ତରାୟ କିନ୍ତୁ କେବଳ ଇତିହାସକୁ ଅବଲମ୍ୱନ କରି କ୍ଷାନ୍ତ ହୁଅନ୍ତି ନାହିଁ । ସେ ମଧ୍ୟ ରସବୋଧ ଓ ବୈଦଗ୍‌ଧ୍ୟକୁ ସମ୍ମାନ ଦିଅନ୍ତି । ଚିନ୍ତାରେ ତାଙ୍କର ଇତିହାସବୋଧ ପ୍ରଭାବଶାଳୀ, ଉପଲବ୍‌ଧିରେ; କିନ୍ତୁ ସକ୍ରିୟ ରସବୋଧ ଓ ବୈଦଗ୍‌ଧ୍ୟ । ସେଥିପାଇଁ ତାଙ୍କ ସମାଲୋଚନାର ଗୁଣଗ୍ରାହିତା ଓ ମୂଲ୍ୟାୟନ ସବୁଠିଁ ତଥ୍ୟାନୁଗ ଓ ଯୁକ୍ତିସମ୍ମତ, କେବେ ଭାବୋଚ୍ଛ୍ୱାସ ନୁହେଁ । ସେ ସମାଲୋଚନାର ଅପ୍ରୀତିକର ଦାୟିତ୍ୱଟିକୁ ଶ୍ରଦ୍ଧାରେ ତୁଲାଇବାକୁ ଯେକୌଣସି ମୂଲ୍ୟଦେବାକୁ ପ୍ରସ୍ତୁତ ରହିଥାନ୍ତି । ଅପକ୍ଷପାତ ମୂଲ୍ୟ ନିର୍ଦ୍ଧାରଣ ଓ ନିର୍ଭୀକ ଦୋଷ ଉଦ୍‌ଘାଟନ କ୍ଷେତ୍ରରେ ତାଙ୍କ କୃତିତ୍ୱ ଅସାମାନ୍ୟ । ଆଉ ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ସ୍ମରଣ ନ କଲେ ଅନ୍ୟାୟ ହେବ । ସେ ହେଉଛନ୍ତି ସୁଧୀ ସମୀକ୍ଷକ ଶ୍ରୀ ଚିନ୍ତାମଣି ବେହେରା । ଡଃ ମାୟାଧର ମାନସିଂହଙ୍କ ଉତ୍ତର ସାଧକ ଭାବରେ ତାଙ୍କୁ ଶ୍ରଦ୍ଧା କରିବାକୁ ହୁଏ । ସମାଲୋଚନାର ଉତ୍କର୍ଷ ଯେଉଁ ସୂକ୍ଷ୍ମ ସ୍ଵଚ୍ଛ ଅନୁଭବ ଶକ୍ତି ଉପରେ ନିର୍ଭର କରେ, ସମାଲୋଚନାର ମାଧୁର୍ଯ୍ୟ କାବ୍ୟକବିତାର ମର୍ମୋଦ୍‌ଘାଟନରେ ଯେଉଁ ସହଜ ପଟୁତା ଉପରେ ପର୍ଯ୍ୟବସିତ ଥାଏ, ସେ ସବୁ ତାଙ୍କର ଅଛି । ସମାଲୋଚନା ଲେଖିବା ବ୍ୟାପାର ମାତ୍ର ନୁହେଁ, ବହି ପଢ଼ି ଜାଣିବା କଥା-It is his reading that we judge a critic by, not his writing. The most impressive thing about the good critic is the fact that he does respond to the true nature and qualities of a work of art - not always, but often, (Randak Jarrell) ଶ୍ରୀ ବେହେରାଙ୍କ ଆଲୋଚନା ନବ୍ୟପଦ୍ଧତିନିଷ୍ଠ ନୁହେଁ, କିନ୍ତୁ ସେ କବି ଓ କବିତାର ଏପରି ମର୍ମୋଦ୍‌ଘାଟନ କରିପାରନ୍ତି ଯେ, ଯାହାକୁ ଭଲ ନ ପାଇ ରହିହୁଏ ନାହିଁ । ଅଧିକନ୍ତୁ ସେ ସେହି ସାଧ୍ୟ ପଦ୍ଧତି ସାହାଯ୍ୟରେ ରୁଚିର ସେହି ବୈଦଗ୍‌ଧ୍ୟ ଓ ମୂଲ୍ୟାୟନର ସେହି କ୍ଷମତା ପ୍ରକାଶ କରିପାରନ୍ତି, ଯାହା ଆଧୁନିକ ପଦ୍ଧତିନିଷ୍ଠ ସମାଲୋଚନାର ଏକାନ୍ତ କାମ୍ୟ । ଏହି ଦ୍ୱିତୀୟ ପର୍ବରେ ଆଉ ତିନିଜଣ ସମୀକ୍ଷକଙ୍କୁ ଆମେ ସ୍ମରଣ କରିପାରିବା । ଏମାନେ ଓଡ଼ିଆ ଅଧ୍ୟାପକ ନ ହୋଇ ବି ସମୀକ୍ଷକ । ଅଗ୍ରଗଣ୍ୟ ଶ୍ରୀ ସୁରେନ୍ଦ୍ର ମହାନ୍ତି । ସେ ଆମର ଶ୍ରଦ୍ଧେୟ କଥାକାର, ସମାଲୋଚନାରେ ତାଙ୍କର ଦକ୍ଷତା କିନ୍ତୁ କିଛି କମ୍ ନୁହେଁ । ବିଶେଷତଃ ‘ଫକୀରମୋହନ ସମୀକ୍ଷା’ ତାଙ୍କର ଅନନ୍ୟ, ତାହା କଥାକାର ଫକୀରମୋହନଙ୍କର ଉଜ୍ଜ୍ୱଳନ୍ତ ଏକ ଭାବମୂର୍ତ୍ତି ନିର୍ମାଣ କରିଛି, ଯାହା ଜାତିଚିତ୍ତରୁ କେବେ ଅସ୍ତ ହେବ ନାହିଁ । ସମାଲୋଚନା ସୃଷ୍ଟିଶୀଳ ସାହିତ୍ୟକୁ ଦିଗଦର୍ଶନ ଦିଏ ନାହିଁ । କୌଣସି ବିଶିଷ୍ଟ କବି କି ଔପନ୍ୟାସିକ ସମାଲୋଚନା ପଢ଼ି କିଛି ଶିଖିଛନ୍ତି ବୋଲି ଆମକୁ ଜଣାନାହିଁ । ସମାଲୋଚନା କିନ୍ତୁ ସୃଷ୍ଟିଶୀଳ ସାହିତ୍ୟର ପ୍ରିୟ ସଖୀ, ଶୁଭୈଷଣୀ ପରିଚର୍ଯ୍ୟାକାରିଣୀ, ତାହା ତାକୁ ପୁନଃନିର୍ମାଣ କରେ, ପାଠକର ଚିତ୍ତରେ ତା’ର ବୋଧଗମ୍ୟ ପ୍ରଭାବକୁ ଚିରସ୍ଥାୟୀ କରାଏ । ଶ୍ରୀ ମହାନ୍ତିଙ୍କ ସମୀକ୍ଷା ତାହା କରିପାରିଛି । ଏହା କିଛି କମ୍‌ କଥା ନୁହେଁ । ଦ୍ୱିତୀୟରେ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ନାମ ସ୍ମର୍ତ୍ତବ୍ୟ, ଶ୍ରୀ ଦାସ ବଡ଼ ବିଦ୍ୱାନ । ସତ୍‌ ସମାଲୋଚନାର ଉପଯୁକ୍ତ ଶୁଶ୍ରୂଷାପାଇଁ ଯେଉଁ ବିଦ୍ୟା, ବୁଦ୍ଧି ଓ ବୈଦଗ୍‌ଧ୍ୟ ପ୍ରୟୋଜନ ତାହା ଶ୍ରୀ ଦାସଙ୍କ ପାଣ୍ତିତ୍ୟ ତୁଳନାରେ ଅତି ସାମାନ୍ୟ- ପିଲାଳିଆ ବ୍ୟାପାର ମାତ୍ର । ଅଧ୍ୟୟନର ପରିସର ତାଙ୍କର ଯେତିକି ବିରାଟ, ବୋଧର କ୍ଷିପ୍ରତା ବି ସେତିକି ପ୍ରଚଣ୍ତ । ବିଦ୍ୟାବୁଦ୍ଧିର ଅନ୍ୟାନ୍ୟ ଅନେକ ବ୍ୟାପାର ଛାଡ଼ି ସେ ବେଳେ ବେଳେ ଓଡ଼ିଆ ସମାଲୋଚନା ସାହିତ୍ୟ ପ୍ରତି ସଦୟ ହୁଅନ୍ତି । ଓଡ଼ିଆ ସାହିତ୍ୟର ସାଂସ୍କୃତିକ ଇତିହାସ ରଚନାରେ ଅନେକ ତାଙ୍କର ଦକ୍ଷତା ଲକ୍ଷ୍ୟ କରିଥିବେ । ସଂସ୍କୃତି ଦୃଷ୍ଟିରୁ ଐତିହାସିକ ତଥ୍ୟର ପୁନର୍ବିନ୍ୟାସ କେଡ଼େ ଯୁକ୍ତିସମ୍ମତ ନ ହୋଇଛି ! ସେ ଅଜସ୍ର ସମାଲୋଚନାତ୍ମକ ପ୍ରବନ୍ଧ ଲେଖିଛନ୍ତି । ଓଡ଼ିଶାର ଧର୍ମ, ଦର୍ଶନଠାରୁ ଆରମ୍ଭ କରି ଆଧୁନିକ ଗଳ୍ପ, କବିତା ଉପନ୍ୟାସ ପର୍ଯ୍ୟନ୍ତ ଯେକୌଣସି ବିଷୟରେ ଚାହିଁଲେ ସେ ସମୀକ୍ଷାତ୍ମକ ସୁନ୍ଦର ପ୍ରବନ୍ଧ ଲେଖିପାରନ୍ତି । ତାଙ୍କର ଗୋଟିଏ ମୁଦ୍ରାଦୋଷ ପାଠକଙ୍କୁ ପୀଡ଼ା ଦିଏ । ପାଠକଙ୍କ ଶକ୍ତିରେ ସେ ଅବଶ୍ୟ ସବୁବେଳେ ସନ୍ଦେହ ପୋଷଣ କରନ୍ତି । ସବୁ କଥା ତାଙ୍କୁ ବୁଝାଇ କହିବାକୁ ହୁଏ । ଏହା କିନ୍ତୁ ଧର୍ତ୍ତବ୍ୟ ନୁହେଁ । ଧର୍ତ୍ତବ୍ୟ ହେଉଛି କୌଣସି ବ୍ୟକ୍ତି କି ଗ୍ରନ୍ଥର ନାମ ନ ଧରି ଆଧୁନିକ ସାହିତ୍ୟର ଦୁର୍ବଳତାକୁ ତାଙ୍କର ଇଙ୍ଗିତ କରିବା ଭଙ୍ଗୀ, ତାଙ୍କ ଦୂରସ୍ପର୍ଶୀ ଚେତନା ସ୍ତରରୁ ଚାହିଁଲେ ଅବଶ୍ୟ ଶ୍ରଦ୍ଧା କଲାଭଳି କାହିଁ କେଉଁଠି କିଛି ଦିଶିବ ନାହିଁ-ତଥାପି ସମାଲୋଚନାରେ ଉଦାରତାର ସ୍ଥାନ ଅଛି । ତୃତୀୟ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର । ସେ ଜଣେ ସୌଖୀନ ସମୀକ୍ଷକ । ସତ୍ୟ ତାଙ୍କର ଏକମାତ୍ର ଧ୍ୟେୟ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରବେଶ ବେଶ୍‌ ସୁଗଭୀର । ସେ ଗ୍ରନ୍ଥବିଶେଷର ଐତିହାସିକ ମୂଲ୍ୟ ଯେପରି ନିରୂପଣ କରିପାରନ୍ତି ସେପରି ତା’ର ଶିଳ୍ପଗୁଣ ବି ଅନୁଧାବନ କରିପାରନ୍ତି । ପୋଥି ସମ୍ପାଦନାରେ ତାଙ୍କର କୃତିତ୍ୱ ବି ଅଛି-। ‘ବିଚିତ୍ର ରାମାୟଣ’ ତାଙ୍କର ଏକ ବିଶିଷ୍ଟ ଆବିଷ୍କାର । ଏସବୁ ସତ୍ତ୍ୱେ ସେ ସ୍ୱମତବିଳାସୀ, ଶିଥିଳ ଦାୟିତ୍ୱ ସମାଲୋଚକଙ୍କୁ ନାନା ସମସ୍ୟାର ସମ୍ମୁଖୀନ କରାଇ ପାରନ୍ତି । ଶେଷରେ ଆଉ ଜଣେ ଅଧ୍ୟାପକଙ୍କୁ ସ୍ମରଣ କରିବା । ସେ ଇଂରାଜୀ ବିଭାଗର ଅଧ୍ୟାପକ, ମାତ୍ର ଓଡ଼ିଆ ସାହିତ୍ୟ ଘେନି ଅନୁଭାବିତ ହୁଅନ୍ତି ଯଥେଷ୍ଟ । ଅନୁବାଦ, ସଂକଳନ, ସମ୍ପାଦନା ଓ ଗ୍ରନ୍ଥସମୀକ୍ଷା କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ପ୍ରତିପତ୍ତି ଅଛି । ସେ ହେଉଛନ୍ତି ସୁଧୀ ସମୀକ୍ଷକ ଶ୍ରୀ ଯତୀନ୍ଦ୍ର ମୋହନ ମହାନ୍ତି । ତାଙ୍କର ନିର୍ବାଚନ ଅଛି, ମୂଲ୍ୟାୟନ ଅଛି, ଉପଲବ୍‌ଧ ସତ୍ୟଟିକୁ ଠିକ୍‌ ଭାବରେ ପାଠକର ମର୍ମତଟରେ ପହଞ୍ଚାଇ ଦେବାର ଦକ୍ଷତା ବି ଅଛି । ସମାଲୋଚନାର କିନ୍ତୁ ଆଉ ଗୋଟିଏ ଗୁଣର ପ୍ରୟୋଜନ, ତାହା ଦୃଷ୍ଟିଭଙ୍ଗୀର ସ୍ୱଚ୍ଛତା । ନାମ ସଂଗ୍ରହ କରିବାକୁ ବସିଲେ ଏହି ଅଧ୍ୟାୟରେ ସମାଲୋଚକଙ୍କର ଆଦୌ ଅଭାବ ନାହିଁ । କୌଣସି ତାଲିକା ପ୍ରସ୍ତୁତ ନ କରି ଏତିକି କହିହେବ ଯେ, ବହୁ ଜ୍ଞାନୀ, ଗୁଣୀ ଓ ଗୁଣଗ୍ରାହୀଙ୍କ ପ୍ରସାଦରୁ ଓଡ଼ିଆ ସମାଲୋଚନା କିଛିଟା ପ୍ରବୀଣତା ଅର୍ଜିଛି । ପାଠଯୋଗ୍ୟ ଓଡ଼ିଆ ସମାଲୋଚନା ଯଥେଷ୍ଟ ଅଛି । ତେବେ ତାହାର ପଦ୍ଧତିଗତ ଅନଗ୍ରସରତା ଅନାୟାସଲକ୍ଷ୍ୟ । ତାହା ଆଜିର ନବ୍ୟପନ୍ଥା ଠିକ୍‌ ଅନୁସରଣ କରିପାରି ନାହିଁ । ଯେ କୌଣସି କର୍ମ ପ୍ରଚେଷ୍ଟାର ପଦ୍ଧତି ପରି ସମାଲୋଚନାର ପଦ୍ଧତି କାଳୋପଯୋଗୀ ହେବା ବାଞ୍ଛନୀୟ । ଏବେ ବିଶ୍ୱର ସମାଲୋଚନା କ୍ଷେତ୍ରରେ ଆଙ୍ଗିକୀ, ଆର୍କିଟାଇପାଲ, ମନସ୍ତାତ୍ତ୍ୱିକ, ଶୈଳୀତାତ୍ତ୍ୱିକ ଓ ଷ୍ଟ୍ରକ୍‌ଚରାଲିଜମ୍‌ ପ୍ରଭୃତି ବହୁ ନୂଆ ପଦ୍ଧତି ପ୍ରଚଳିତ । ଓଡ଼ିଆ ସମାଲୋଚନାକୁ ବଞ୍ଚିବାକୁ ହେଲେ ତା’ର ନୂଆ ପଦ୍ଧତି ଅବଶ୍ୟ ଅବଲମ୍ୱନୀୟ । ଆମର ଅଳଙ୍କାର ଶାସ୍ତ୍ରକୁ ମଧ୍ୟ ଉପେକ୍ଷା କରାଯାଇନପାରେ । ସାହିତ୍ୟର ଧ୍ୟାନବସ୍ତୁ ସବୁଦିନେ ଅପରିବର୍ତ୍ତନୀୟ । ତେଣୁ ଅଳଙ୍କାର ଶାସ୍ତ୍ରୀୟ ପଦ୍ଧତି ତା’ ପାଇଁ ନିଷ୍ପ୍ରୟୋଜନ ନୁହେଁ, ତାହା ମଧ୍ୟ ଚିରନ୍ତନ ସାହିତ୍ୟର ମୂଲ୍ୟ କଳି ପାରେ । ଆମେ ନୂଆ ପାଖରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିବା ନାହିଁ କି ନୂଆକୁ ସଂପୂର୍ଣ୍ଣ ପ୍ରତିରୋଧ କରିବା ନାହିଁ । ଅଗ୍ରଗମନ ପାଇଁ ସବୁଦିନେ ସନ୍ତୁଳିତ ମଧ୍ୟପନ୍ଥା ଶ୍ରେୟସ୍କର । ଆମେ ନୂଆ ପୁରୁଣାକୁ ମିଶାଇ ନେଲେ ସମାଲୋଚନାର କଲ୍ୟାଣ ହେବ ।

 

ଏହି ଅଧ୍ୟାୟର ସମାଲୋଚନାକୁ ଓଡ଼ିଆ ପତ୍ରପତ୍ରିକାର ଦାନ ଅବିସ୍ମରଣୀୟ । ବିଶେଷତଃ ୧୯୪୯ରୁ ‘ଝଙ୍କାର’ ଆମ ସମାଲୋଚନା ସହିତ ସହଯୋଗ କରିଆସିଛି, ନୂଆ ସମାଲୋଚକଙ୍କୁ ଉତ୍ସାହ ଦେଇଛି, ପ୍ରବୀଣମାନଙ୍କୁ ପୁରସ୍କୃତ କରିଛି । ଏତଭିନ୍ନ ସମାବେଶ, ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର କୋଣାର୍କ ତଥା ଇସ୍ତାହାର, ଏଷଣା ଓ ମୂଲ୍ୟାୟନକୁ ମଧ୍ୟ ଶ୍ରଦ୍ଧାରେ ସ୍ମରଣ କରିବାକୁ ହୁଏ । ସବୁଗୁଡ଼ିକର ଉଦ୍ଦେଶ୍ୟ ମହତ । ମୂଲ୍ୟାୟନ ଓ ସଦ୍‌ରୁଚିର ବିସ୍ତାର-ସ୍ପୃହା ସବୁଠି ସକ୍ରିୟ । କିନ୍ତୁ ସେଗୁଡ଼ିକଠାରୁ ଯେଉଁ ନିଷ୍ଠା ଓ ନିପୁଣତା ଆକାଙ୍‌କ୍ଷ, ତାହା ଏବେ ବି କେହି ହାସଲ କରିନାହାନ୍ତି । କାରଣ ସ୍ପଷ୍ଟ । ଉଦ୍ଦେଶ୍ୟକୁ ଉପାୟ ପଣ୍ତ କରେ । ସମ୍ପାଦକମାନେ ପ୍ରାୟ ସମ୍ପାଦନା କରନ୍ତି ନାହିଁ, ପ୍ରାପ୍ତ ରଚନାଗୁଡ଼ିକୁ ନାନା ଅସାହିତ୍ୟିକ କାରଣରୁ ଯଦୃଚ୍ଛ ଆଗପଛ କରି ସଜାଇ ଛାପନ୍ତି । ତେଣୁ ଝଙ୍କାର ସମେତ ଅନ୍ୟାନ୍ୟ ପତ୍ରପତ୍ରିକାଗୁଡ଼ିକରେ ଏବେ ଯାହା ପ୍ରକାଶ ପାଏ ତାକୁ ସମାଲୋଚନା ନ କହି ସମାଲୋଚନାର ପ୍ରସ୍ତୁତି କହିଲେ ଯଥେଷ୍ଟ ହେବ ।

 

ପ୍ରତିବର୍ଷ ଏଣିକି ନୂଆ ନୂଆ ସମାଲୋଚକ ଆତ୍ମପ୍ରକାଶ କରୁଛନ୍ତି । ସମାଲୋଚନା ପ୍ରତି ଆଗ୍ରହ ବଢ଼ୁଛି । ମାତ୍ର କୀର୍ତ୍ତି ଅପ୍ରଚୁର । ପ୍ରବୀଣତା କମ୍‌ । କିନ୍ତୁ ମନେ ରଖିବାକୁ ହେବ ଓଡ଼ିଆ ସମାଲୋଚନା ସାହିତ୍ୟ ନିଷ୍ପ୍ରାଣ ନୁହେଁ । ଅତୀତରୁ ଭବିଷ୍ୟତକୁ ଚାହିଁଲେ ବରଂ ଆଶାନ୍ୱିତ ହେବାକୁ ହୁଏ, ତା’ର ଉଦ୍ୟମ ଅଛି, ଅଗ୍ରଗମନ ପାଇଁ ବ୍ୟାକୁଳତା ଅଛି, ଅଛି ବି ପ୍ରସ୍ତୁତି ।

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ

ରେଭେନ୍‌ସା କଲେଜ, କଟକ

 

 

‘‘ହାୟ କି ଅଭାଗ୍ୟ କାହାର କାହାର

ଜାତୀୟ ମମତା ନାହିଁ,

ଜନମକାଳରୁ ଜାତୀୟଜୀବନ

ଗ୍ରନ୍ଥି ଦିଅନ୍ତି ଫିଟାଇ । ’’

(ଅପୂର୍ବ ସ୍ୱପ୍ନ)

***

 

ଏ ସ୍ୱପ୍ନ ହେଉଛି ଊନବିଂଶ ଶତାବ୍‌ଦୀର ଜଣେ କବିର ସ୍ୱପ୍ନ । ଏ କବି ଜୀବନର ତରୁଣ ବୟସରୁ ଜାତିର ଉନ୍ନତି ପାଇଁ ସ୍ୱପ୍ନ ଦେଖିଛନ୍ତି । ପୁଣି ଜାତୀୟଜୀବନର ବିକାଶ ପାଇଁ କବିଙ୍କର ଆହ୍ୱାନ ମଧ୍ୟ କିଛି କମ୍‌ ନୁହେଁ । ଜାତିପ୍ରତି ପ୍ରଚଣ୍ତ ଅନୁରାଗରୁ ତାଙ୍କର ଏଇ କବିତାର ସୃଷ୍ଟି । ରେଭେନ୍‌ସା କଲେଜର ସେ କାଳର ତରୁଣ ଛାତ୍ର କାମପାଳ ମିଶ୍ର ଏଇପରି ଜାତିର ଦୁଃଖ-ଦୁର୍ଦ୍ଦଶା ସମ୍ପର୍କୀୟ ଏକ ସ୍ୱପ୍ନ ଦେଖିଥିଲେ । ଯାହାକୁ ସେ କବିତା ଆକାରରେ ରୂପ ଦେଇଥିଲେ ‘ଅପୂର୍ବ ସ୍ୱପ୍ନ’ କାବ୍ୟରେ । ‘ଅପୂର୍ବ ସ୍ୱପ୍ନ’ କାବ୍ୟଟିରେ ଊନବିଂଶ ଶତାବ୍‌ଦୀ ଓଡ଼ିଆ ଜାତିର ଜାତୀୟଜୀବନର ଦୁର୍ବିପାକର ଚିତ୍ର ସ୍ପଷ୍ଟ ସୂଚିତ । ଏ ସକାଶେ କବିଙ୍କର ଅନୁଶୋଚନାର ସୀମା ନାହିଁ । ତଥାପି କବି କାମପାଳ ଭବିଷ୍ୟତରେ ଜାତୀୟଜୀବନର ଉନ୍ନତି ଘଟିବ, ଏ ଆଶାରେ ଥିଲେ ଆଶାବାଦୀ ।

 

କାମପାଳ ମିଶ୍ରଙ୍କ ସାହିତ୍ୟରେ ସ୍ୱତନ୍ତ୍ରଉତ୍କଳ ଭାବନା

ଡକ୍‌ଟର ବାଉରୀବନ୍ଧୁ କର

 

କାମପାଳ ମିଶ୍ରଙ୍କ ‘ଅପୂର୍ବ ସ୍ୱପ୍ନ’ କାବ୍ୟଟି ୧୮୯୬ ମସିହାରେ ରଚିତ ହୋଇଥିଲା । ସେ ସମୟରେ କାମପାଳ ଓ ତାଙ୍କର କେତେକ ବନ୍ଧୁ ମିଶି ‘ଅବ୍‌ଜରଭର କ୍ଲବ’ ନାମରେ ଏକ କ୍ଲବ ଗଠନ କରିଥିଲେ । ଏଇ ବନ୍ଧୁମାନଙ୍କ ମଧ୍ୟରେ ଗୋପାଳଚନ୍ଦ୍ର ପ୍ରହରାଜ, ଅଭିରାମ ଭଞ୍ଜ, ଗୋପବନ୍ଧୁ ଦାସ, ବ୍ରଜସୁନ୍ଦର ଦାସ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । କାମପାଳ ଅପୂର୍ବ ସ୍ୱପ୍ନ କାବ୍ୟଟି ରଚନା କରି ପ୍ରଥମେ ‘ଅବ୍‌ଜରଭର କ୍ଲବ’ରେ ଏକ ଆଲୋଚନାଚକ୍ରରେ ଏହାକୁ ପଢ଼ି ତାଙ୍କର ବନ୍ଧୁମାନଙ୍କୁ ଶୁଣାଇଥିଲେ । ତାଙ୍କର ବନ୍ଧୁମାନେ ମୁକ୍ତକଣ୍ଠରେ ଏହାର ପ୍ରକାଶ ପାଇଁ ସ୍ୱୀକୃତି ଦେବାରୁ ସେ ଏହାକୁ ପ୍ରଥମେ ବାଲେଶ୍ୱରରୁ ପ୍ରକାଶିତ ହେଉଥିବା ‘ଓଡ଼ିଆ ଓ ନବସମ୍ୱାଦ’ ନାମକ ପତ୍ରିକାରେ ପ୍ରକାଶ କରିଥିଲେ । ପରେ ଏହା ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକଟି ବାମଣ୍ଡାର ରାଜା ସାର୍‌ ବାସୁଦେବ ସୁଢ଼ଳଦେବଙ୍କୁ ଉତ୍ସର୍ଗ କରାଯାଇଥିଲା ଓ ଭକ୍ତକବି ମଧୁସୂଦନ ରାଓ ଏହାର ମୁଖବନ୍ଧ ଲେଖିଥିଲେ । ପ୍ରସଙ୍ଗକ୍ରମେ ଏଇ କ୍ଷୁଦ୍ର କାବ୍ୟଟିକୁ ପ୍ରଶଂସା କରି ଭକ୍ତକବି ମଧୁସୂଦନ ରାଓ ଲେଖିଥିଲେ, “ଉତ୍କଳ ସାହିତ୍ୟାକାଶରେ ନବୀନ କବି କାମପାଳ ମିଶ୍ରଙ୍କର ଶୁଭୋଦୟ ଦେଖି ଅତ୍ୟନ୍ତ ପ୍ରୀତ ହେଲି । ‘ଅପୂର୍ବ ସ୍ୱପ୍ନ’ ତାହାଙ୍କର ପ୍ରଥମ ପ୍ରୟାସର ଫଳ-। ଅଳ୍ପ ବୟସରେ ପ୍ରଥମୋଦ୍ୟମରେ କବି ଯେଉଁ କୃତିତ୍ୱ ଦେଖାଇଅଛନ୍ତି, ତାହା ତାଙ୍କର ଶକ୍ତିମତ୍ତା ଏବଂ ଭାବି ଯଶ ଓ ଗୌରବର ପରିଚାୟକ ଅଟେ ।’’ ଏ କାବ୍ୟରେ ଉତ୍କଳର ସ୍ୱତନ୍ତ୍ର ସ୍ଥିତି ପାଇଁ କବିଙ୍କର ବ୍ୟାକୁଳତା ଅନେକତ୍ର ପରିଲକ୍ଷିତ ।

 

‘ଅପୂର୍ବ ସ୍ୱପ୍ନ’ ଏକ କ୍ଷୁଦ୍ର କାବ୍ୟ । ଏ କାବ୍ୟଟିରେ କବି ମୁଖ୍ୟତଃ ମାତା, ପୁତ୍ରର ସମ୍ପର୍କକୁ ନେଇ ଲେଖିଛନ୍ତି । ଏଠାରେ ମାତା ଉତ୍କଳ ଜନନୀ । ପୁତ୍ର ହେଉଛନ୍ତି ସମସ୍ତେ ଉତ୍କଳବାସୀ । ଉତ୍କଳବାସୀ ପୁତ୍ରର ଅଭାବ ଅସୁବିଧା ଦେଖି ମାତା ଉତ୍କଳ ଜନନୀ ଦୁଃଖରେ ଅଶ୍ରୁବର୍ଷଣ କରିଛନ୍ତି-। ପରାଧୀନତାର ଅନ୍ଧକାର ମଧ୍ୟରେ କବି ଏ କାବ୍ୟରେ ଖାଲି ଦେଖିଛନ୍ତି ଉତ୍କଳର ଦୁରବସ୍ଥା । ପୁତ୍ରର ଏ ଅବସ୍ଥା ଦେଖି ମାତାର ଲୋତକ ଗଡ଼ାଇବା ବ୍ୟତୀତ ଉପାୟ କିଛି ନାହିଁ । କବି ଉତ୍କଳ ମାତାର ଏଇ ଅଶ୍ରୁଳ ପରିବେଶକୁ ତାଙ୍କ କାବ୍ୟରେ ରୂପ ଦେଇ ଲେଖିଛନ୍ତି :

 

‘‘ନାନା ଦେଶ ନାରୀଗଣ ମଧ୍ୟେ ତୋର

 

ଉତ୍କଳ ଜନନୀ ସେହି,

କାନ୍ଦେ ଅବିରତ ତୁନି କରିବାକୁ

 

ଜଗତେ ନାହାନ୍ତି କେହି ।’’

 

କବି ଊନବିଂଶ ଶତାବ୍ଦୀରେ ଉତ୍କଳର ଦୁର୍ଗତି ପାଇଁ ଉତ୍କଳୀୟମାନଙ୍କୁ ଦାୟୀ କରିଛନ୍ତି । କାରଣ ସେମାନଙ୍କର ଜାତୀୟ ଜୀବନ ଦୃଢ଼ ନୁହେଁ । ଜାତୀୟ ବନ୍ଧନକୁ ସେମାନେ ଆପଣାର ସୁଖ ଭୋଗ ପାଇଁ ଛିନ୍ନ କରିବାକୁ ସଙ୍କୋଚବୋଧ କରନ୍ତି ନାହିଁ । ଆଳସ୍ୟ ଜୀବନ ଯାପନ କରି ସେମାନେ ଏକାବେଳେକେ ନିଜର କାର୍ଯ୍ୟ କରିବା ଶକ୍ତି ହରାଇ ବସିଛନ୍ତି । ଅନ୍ୟର ଦୋଷକୁ ଦେଖିବାକୁ ଯାଇ ସେମାନେ କେବେହେଲେ ଆପଣାକୁ ନିରେଖି ଦେଖି ନାହାନ୍ତି । କବି କାମପାଳ ଅପୂର୍ବ ସ୍ୱପ୍ନ କାବ୍ୟରେ ଏ କଥାଟିକୁ ବଡ଼ ପ୍ରାଞ୍ଜଳ ଭାବରେ ବ୍ୟକ୍ତ କରିଛନ୍ତି :

‘‘ଉନ୍ନତି ସୋପାନ କଲେ ଆରୋହଣ

 

କି ହେବ ବୋଲି କହିଣ,

ବିଜ୍ଞ ସୁତ ତୋ’ର କାଳ କାଟୁଛନ୍ତି

 

ହୋଇ ଉଦ୍ୟମ ବିହୀନ ।

ନିଜ ଭାଷାବଳ ବୁଦ୍ଧି ବା କୌଶଳ

 

ପୋଷାକ ଚାଲି ଚଳଣ

ଯଶ ଆଦି ସର୍ବ କରନ୍ତି ତା’ ହୃଦେ

 

ହେୟ ଅନଳ ଜ୍ୱଳନ ।

ଥରେ ଅଧେ ଥରେ ଭଦ୍ର ମଣ୍ଡଳୀରେ

 

ଭଲକୁ ଭଲ କହନ୍ତି

ଖୋଜି ଖୋଜି ଯେବେ ମିଳେ କିଛି ଦୋଷ

 

ତିଳକୁ ତାଳ କରନ୍ତି ।

ଏହିପରି କେତେ କେତେ ବଢ଼ିଛନ୍ତି

 

ତନୟ ଉତ୍କଳ କୋଳେ,

ସହୋଦର ଯଶ ଅପଯଶ ବୋଲି

 

ମଣନ୍ତି ଅଜ୍ଞତା ଭୋଳେ ।’’

କବି କାମପାଳ ମିଶ୍ର ଅପୂର୍ବ ସ୍ୱପ୍ନ କାବ୍ୟରେ ଉତ୍କଳୀୟମାନଙ୍କ ସ୍ୱଭାବ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି । କୌଣସି ଜାତି ନିଜର ସ୍ୱାତନ୍ତ୍ର୍ୟ କେବଳ ଆପଣାର ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଦ୍ୱାରା ପ୍ରକାଶ କରିପାରେ । ଜୀବନରେ କୌଣସି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ମଣିଷ ସବୁବେଳେ ଆପଣାର ଉଦ୍ୟମକୁ ଅବ୍ୟାହତ ରଖିବା ଉଚିତ । ଉଦ୍‌ଯୋଗୀ ପୁରୁଷହିଁ ଜୀବନରେ କର୍ମଦ୍ୱାରା ଅସମ୍ଭବକୁ ସମ୍ଭବ କରିଥାଏ । ଉତ୍କଳୀୟମାନେ ଦୃଢ଼ ପ୍ରତିଜ୍ଞ ହୋଇ କର୍ମ ପଥରେ ଅଗ୍ରସର ହେଲେ, ନିଶ୍ଚିତ ଭାବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ବ୍ୟକ୍ତିଗତ ଜୀବନର ଦୋଷ-ତ୍ରୁଟିକୁ ସଜାଡ଼ି ନେଲେ ଜାତୀୟଜୀବନ ଆପେ ଆପେ ଦୃଢ଼ ହୋଇଯିବ ବୋଲି କାମପାଳ ସବୁବେଳେ କହୁଥିଲେ । କାମପାଳ ସେ ସକାଶେ ଉତ୍କଳବାସୀ ପ୍ରତି ଜନସାଧାରଣଙ୍କୁ ଉତ୍କଳ ଜନନୀର ଦୁଃଖ ଘୁଞ୍ଚାଇବା ପାଇଁ ନିଜକୁ ଆତ୍ମପରୀକ୍ଷାର ସମ୍ମୁଖୀନ ହେବାକୁ କହିଛନ୍ତି । ଉତ୍କଳ ଜନନୀର ଦୁଃଖ କେବଳ ଏହାର ଉତ୍କଳବାସୀ ସୁ-ସୁତମାନଙ୍କ ଦ୍ୱାରା ଘୁଞ୍ଚି ପାରିବ । ଆଉ କାହାରି ଦ୍ୱାରା ନୁହେଁ । ଏଇ ଭାବନାକୁ ସୁନ୍ଦର ରୂପେ କବି କାମପାଳ ମିଶ୍ର ତାଙ୍କର ଅପୂର୍ବ ସ୍ୱପ୍ନ କାବ୍ୟରେ ବୁଝାଇଛନ୍ତି । ତାଙ୍କର ଏଇ ଭାବନାରେ ସ୍ୱଦେଶ ପ୍ରୀତି ସହିତ ଜୀବନ ପ୍ରତି ରହିଥିବା ଦୃଷ୍ଟିକୋଣ ପ୍ରକାଶ ପାଇଛି । ସେ ସବୁର ସ୍ୱରୂପ ଦେଖନ୍ତୁ ।

‘‘ଦୀନନାଥ ପ୍ରଭୁ ଦେଇଛନ୍ତି ସବୁ

 

ହସ୍ତ, ପଦ, ଆଖି, କାନ

ସଂସାରେ ଉଦ୍ୟମ କଲେ ଦୟାମୟ

 

କରନ୍ତି କରୁଣା ଦାନ ।

ଜୀବନରେ କିଛି ଉଦ୍ଦେଶ୍ୟ ସାଧନ

 

କରିବା ପାଇଁ ଯତନେ

ଅତି ଦୃଢ଼ ମନେ ଉଦ୍ୟମ ବୀଜକୁ

 

ରୋପିବ ଅନ୍ତଃକରଣେ !

ନିନ୍ଦୁକ ବଚନ ନ ଶୁଣିବ କାନେ

 

ଶୁଣିଲେ ବା କି ହୋଇବ,

ବରଂ ଉପକାର ହୋଇ ଅପାର

 

ମନ କେଭେ ନଟଳିବ ।

ସହୁଛି ପାଦପ ଆତପ ସନ୍ତାପ

 

ଶିଶିର ଝଡ଼ ବରଷା,

ଉନ୍ନତ ହେବାରେ ତେଜୁଅଛି କି ସେ

 

ସକଳ ଆଶା ଭରସା ।

ସତେକି ଘୁଞ୍ଚିବ ତୋହର ଉତ୍କଳ

 

ଜନନୀ ମନ ବେଦନା,

କୋଳେ ଆଉଜାଇ ସୁସୁତ ସତେକି

 

ସୁଖୀ ହେବ ସୁଲୋଚନା ।’’

 

କାମପାଳ ମିଶ୍ରଙ୍କ ଅପୂର୍ବ ସ୍ୱପ୍ନ କାବ୍ୟର ଏଇ ସ୍ୱତନ୍ତ୍ର ଉତ୍କଳ ଭାବନା ତତ୍କାଳରେ ପରାଧୀନ ଓଡ଼ିଆମାନଙ୍କ ପ୍ରାଣରେ ଜାତୀୟ ଭାବଚେତନା ସୃଷ୍ଟି କରିବାରେ ଅନେକାଂଶରେ ସହାୟକ ହୋଇଥିଲା । ନିରାନନ୍ଦ ମଧ୍ୟରେ ଆନନ୍ଦର, ନିରାଶା ମଧ୍ୟରେ ଆଶାର ସଞ୍ଚାର କରି ଜାତି ନିର୍ମାଣରେ ଅଗ୍ରସର ହେବାକୁ କାମପାଳ ଊନବିଂଶ ଶତକରେ ଯେଉଁ ଆହ୍ୱାନ ଦେଇଯାଇଥିଲେ, ତାହା ଏବେ ମଧ୍ୟ ପାଠକକୁ ଉଦ୍‌ବୁଦ୍ଧ କରେ । ‘ଅପୂର୍ବସ୍ୱପ୍ନ’ ଏକ କ୍ଷୁଦ୍ର କାବ୍ୟ ହେଲେ ସୁଦ୍ଧା, ସେ କାବ୍ୟରେ ସେଦିନର ତରୁଣ ଛାତ୍ର କାମପାଳ ଏଥିରେ ଯେଉଁ ଜାତୀୟତାର ବୀରବାଣୀ ଶୁଣାଇଛନ୍ତି, ତାହା ବାସ୍ତବିକ ସାର୍ବକାଳୀନ ।

 

କାମପାଳ ମିଶ୍ର କେବଳ ଯେ କାବ୍ୟ-କବିତାରେ ଜାତୀୟ ଜାଗରଣର ଆହ୍ୱାନ ଦେଇଥିଲେ, ତାହା ନୁହେଁ । ସେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଜାତି ଉଦ୍ଦେଶ୍ୟରେ ବହୁ କାର୍ଯ୍ୟ କରିଯାଇଛନ୍ତି । ଉତ୍କଳର ବିଚ୍ଛିନ୍ନାଞ୍ଚଳରେ ସେ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷାପାଇଁ ବହୁବିଧ ଉଦ୍ୟମ କରିଥିଲେ । ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ଉତ୍କଳ ସମ୍ମିଳନୀର ବାର୍ତ୍ତା ପ୍ରଚାର କରିଥିଲେ । ସୁଦୂର ଷଢ଼େଇକଲା ଖରସୁଆ ଅଞ୍ଚଳରେ ସେ ଯାଇ ଉତ୍କଳ ସମ୍ମିଳନୀର ବାର୍ତ୍ତା ପ୍ରଚାର କରିଥିଲେ । ସୁଦୂର ଷଢ଼େଇକଳା ଖରସୁଆ ଅଞ୍ଚଳରେ ସେ ଯାଇ ଉତ୍କଳ ସମ୍ମିଳନୀର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ । ଏ ସମ୍ପର୍କରେ ଉତ୍କଳ ଦୀପିକାରେ ଉଲ୍ଲେଖ ଅଛି, ‘‘କାମପାଳ ଖରସୁଆ ଶାଖା ସମିତି ସ୍ଥାପନ କରି ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ପ୍ରଚାର କରିଥିଲେ । ଏହି ସଭାରେ ଯୁଗଳକିଶୋର ତ୍ରିପାଠୀ ସଭାପତିତ୍ୱ କରିଥିଲେ ।’’ (ଉତ୍କଳ ଦୀପିକା-୩୯/୫୦-ତା ୨୪-୧୨-୧୯୦୪-ପୃ ୫୬୯) କାମପାଳ ମିଶ୍ର ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଉତ୍କଳ ସମ୍ମିଳନୀର ଶାଖାମାନ ପ୍ରତିଷ୍ଠା କରିଥିଲେ, ଏ ବିଷୟରେ ଉତ୍କଳ ଦୀପିକାରେ ଉଲ୍ଲେଖ ଅଛି ‘‘କାମପାଳ ମୟୂରଭଞ୍ଜର ବ୍ରାହ୍ମଣଘାଟି ଅନ୍ତର୍ଗତ ବାହଳଦାଠାରେ ମଧ୍ୟ ଏକ ଶାଖା ସମିତି ସ୍ଥାପନ କରିଥିଲେ । ଏହି ସଭାରେ ରାଜକିଶୋର ତ୍ରିପାଠୀ ସଭାପତି, କାମପାଳ ମିଶ୍ର ସମ୍ପାଦକ ଓ ବାବୁ ରଙ୍ଗଲାଲ ବସୁ ସହସମ୍ପାଦକ ଥିଲେ ।’’ (ଉତ୍କଳ ଦୀପିକା-୪୦/୩-ତା ୨୧-୧-୧୯୦୫-ପୃ ୨୭) କାମପାଳ ମିଶ୍ର ଉତ୍କଳ ସମ୍ମିଳନୀର ଅଧିବେଶନମାନଙ୍କରେ ଯୋଗଦାନ କରି ଆଲୋଚନାରେ ମଧ୍ୟ ଅଂଶ ଗ୍ରହଣ କରୁଥିଲେ । ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଧରାକୋଟ ରାଜା ମଦନମୋହନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସାମାଜିକ ସଂସ୍କାର ଆନୟନ ସକାଶେ ଯେଉଁ କମିଟି ଗଢ଼ାଯାଇଥିଲା, ସେଥିରେ କାମପାଳ ମିଶ୍ର, ଗୋପୀନାଥ ନନ୍ଦ, ଗୋପାଳବଲ୍ଲଭ ଦାସ ସଦସ୍ୟ ଥିଲେ । ଉତ୍କଳ ସମ୍ମିଳନୀ ଦ୍ୱିତୀୟ ଅଧିବେଶନ ଏକାଦଶ ଅଧିକରଣରେ ଏହି କମିଟି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା । (ଉତ୍କଳ ଦୀପିକା-୩୯/୫୧-ତା ୩୧-୧୨-୧୯୦୪ ,ପୃ ୫୮୬-୫୮୭)

 

କାମପାଳ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ସ୍ୱପ୍ନ ଦେଖିବାକୁ ଭୁଲି ନ ଥିଲେ, ତାଙ୍କର ବିଶ୍ୱାସ ଥିଲା ବିଭିନ୍ନ ଅଞ୍ଚଳର ଭାଷାକୁ ନେଇ ଏକ ଅଭିଧାନ ପ୍ରଣୟନ କରାଗଲେ, ଜାତିର ପ୍ରକୃତ ସ୍ୱରୂପ ପ୍ରକାଶ ପାଇବ । ସେପାଇଁ ସେ ଗଡ଼ଜାତ ଅଞ୍ଚଳ ବୁଲି ଓଡ଼ିଆ ଭାଷାର ବିଭିନ୍ନ ଶବ୍ଦ ସଂଗ୍ରହ କରିଥିଲେ । ‘‘ଉତ୍କଳସାହିତ୍ୟ ସମାଜ ପକ୍ଷରୁ ବିଶୁଦ୍ଧ ଓଡ଼ିଆ ଶଦ୍ଦକୋଷ ପ୍ରଣୟନ ନିମିତ୍ତ ଯେଉଁ ଉଦ୍ୟମ ହୋଇଥିଲା ସେଥିରେ କାମପାଳ ମିଶ୍ର, ଫକୀରଚରଣ ସାହାଣୀ, ଲୋକନାଥ ପଟ୍ଟନାୟକ, ଶ୍ୟାମସୁନ୍ଦର ନନ୍ଦ ଓଡ଼ିଶା ଗଡ଼ଜାତ ଶବ୍ଦ ସଂଗ୍ରହ ପାଇଁ ଦାୟିତ୍ୱ ନେଇଥିଲେ ।’’ (ଉତ୍କଳ ସାହିତ୍ୟ ଅଷ୍ଟମଭାଗ/ଦଶମ ସଂଖ୍ୟା-ପୃ ୨୯୧) କାମପାଳଙ୍କର ଏ ଉଦ୍ୟମ ପଛରେ ଉତ୍କଳ ଗୌରବ ମଧୁସୂଦନ ଓ ତାଙ୍କର ବନ୍ଧୁ ଅଭିରାମ ଭଞ୍ଜଙ୍କର ଯଥେଷ୍ଟ ପ୍ରେରଣା ରହିଥିଲା ।

 

କାମପାଳ ଅଧୁନା ଓଡ଼ିଆ ସାହିତ୍ୟରେ ଏକ ବିସ୍ମୃତ ପ୍ରତିଭା, ମାତ୍ର ସେ ତାଙ୍କର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଏ ଜାତିକୁ ପ୍ରାଣଭରି ଭଲ ପାଇଥିଲେ । ଜାତିପାଇଁ ତାଙ୍କର ତ୍ୟାଗ ଅବିସ୍ମରଣୀୟ । ଯେଉଁ ସମୟରେ ବ୍ରିଟିଶ ରାଜଶକ୍ତିର ଅଧୀନରେ ଏ ଜାତି ନିର୍ଯ୍ୟାତୀତ, ଅବହେଳିତ, ବ୍ୟଥିତ ଓ ବିପର୍ଯ୍ୟସ୍ତ ଅବସ୍ଥାରେ କାଳାତିପାତ କରୁଥିଲା, ସେ କାଳରେ କାମପାଳ ସ୍ୱତନ୍ତ୍ର ଉତ୍କଳ ଭାବନାରେ ବିଭୋର ହୋଇ ଜାତିକୁ ଆଶାର ଆବାହନୀ ଶୁଣାଇଛନ୍ତି । ସେଇ ସକାଶେ ଆଜି ତାଙ୍କୁ ସ୍ମରଣ କରିବାର ଯଥେଷ୍ଟ ତାତ୍ପର୍ଯ୍ୟ ରହିଛି । ଉତ୍କଳଜନନୀ ପ୍ରତି ଭକ୍ତି ଅର୍ଘ୍ୟ ବାଢ଼ି ଏଇ ପ୍ରତିଭାଟି ଅକାଳରେ ଝରିପଡ଼ିଥିଲା । ତାଙ୍କରି ଭାଷାରେ କହିଲେ-

 

‘‘ଆହା କେତେ କେତେ କାନନ ମଲ୍ଲିକା

ଫୁଲ ବଦନେ ବିକଶି,

ଅନ୍ତିକ-ପାଦପେ ଜଣାଇ ସୌରଭ

ଭୂତଳେ ପଡ଼ନ୍ତି ଖସି ।’’

 

* କାମପାଳ ମିଶ୍ର ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ବିସ୍ମୟକର ପ୍ରତିଭା । ଓଡ଼ିଆ ସାହିତ୍ୟର ଇତିହାସରେ ଜଣେ ଯଶସ୍ୱୀ ନାଟ୍ୟକାର, ସଫଳ କବି, ମୌଳିକ ପ୍ରବନ୍ଧ ଲେଖକ ଓ ଗାଳ୍ପିକ ଭାବରେ ତାଙ୍କର କୀର୍ତ୍ତି ସଂଜୀବିତ । ସେ ତରୁଣ ବୟସରୁ ନିଜର ସାହିତ୍ୟ ସାଧନାର ପରିଚୟ ଦେଇଛନ୍ତି । ସେ ସାହିତ୍ୟରେ ସର୍ବତ୍ର ନିଜର ଦୁଃସାହସିକ ଚିନ୍ତାଧାରାକୁ ବ୍ୟକ୍ତକରି ଯାଇଛନ୍ତି । ସେ ଇହଲୋକରେ ଅଳ୍ପ ସମୟ ରହିଥିଲେ ସୁଦ୍ଧା ସ୍ୱକୀୟ ସାହିତ୍ୟ ସାଧନା ସକାଶେ ଏବେ ମଧ୍ୟ ସ୍ମରଣୀୟ । ପୁଣି ଏଇ ସାହିତ୍ୟ ସାଧକ କାମପାଳ ତାଙ୍କ ଜୀବଦ୍ଦଶାରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପାଗଳ ହୋଇଯାଇଥିଲେ । ମାତ୍ର ଓଡ଼ିଆ ସାହିତ୍ୟରେ ଏଇପରି ଏକ ପ୍ରତିଭାଶାଳୀ ଲେଖକଙ୍କ ସମ୍ପର୍କରେ ବିଶେଷ ରୂପେ ଆଲୋଚନା କରାଯାଇ ନାହିଁ ।

 

କାମପାଳ ମିଶ୍ର ପୁଣ୍ୟପୀଠ ବୈତରଣୀ ତୀର୍ଥ, ବିରଜାକ୍ଷେତ୍ର ଯାଜପୁରର ସପନପୁର ବ୍ରାହ୍ମଣ ଶାସନରେ ପ୍ରସିଦ୍ଧ ବିଦ୍ୟାବାଗୀଶ ପରିବାରରେ ଦାମୋଦର ମିଶ୍ର ବିଦ୍ୟାବାଗୀଶଙ୍କର ଏକମାତ୍ର ପୁତ୍ର ରୂପେ ତା ୭-୮-୧୮୭୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେକାଳରେ କାମପାଳ ଜଣେ ଗ୍ରାଜୁଏଟ୍‌ ଭାବରେ ଓଡ଼ିଶାରେ ନାମ ଅର୍ଜ୍ଜନ କରିଥିଲେ । ମୟୂରଭଞ୍ଜର ବାମନଘାଟି ସବ୍‌ଡ଼ିଭିଜନରେ ଅଳ୍ପକାଳ ସକାଶେ ଆସିଷ୍ଟାଣ୍ଟ ଏସ୍‌.ଡ଼ି.ଓ. ଓ ବାରିପଦାରେ ଆସିଷ୍ଟାଣ୍ଟ ଦେଓ୍ୱାନ ଥିଲେ । ଉତ୍କଳ ସମ୍ମିଳନୀର ଆହ୍ୱାନରେ ଓ ତାଙ୍କର ସହଧ୍ୟାୟୀ ବନ୍ଧୁ ଅଭିରାମ ଭଞ୍ଜଙ୍କ ପ୍ରେରଣାରେ ସେ ରାଜବୃତ୍ତି ତ୍ୟାଗ କରି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଜାତି ଉଦ୍ଦେଶ୍ୟରେ ନିଜକୁ ନିୟୋଜିତ କରିଥିବା ଏଇ ସ୍ୱଦେଶପ୍ରେମୀ କାମପାଳ କିଛିଦିନ ପରେ ହେଲେ ପାଗଳ । ବୋଧହୁଏ ପରିବାରର ଆର୍ଥିକ ଅନାଟନ ଓ ତାଙ୍କର ପ୍ରିୟବନ୍ଧୁ ଅଭିରାମ ଭଞ୍ଜଙ୍କ ବିୟୋଗ ତାଙ୍କ ମସ୍ତିଷ୍କ ବିକୃତିର କାରଣ ଥିଲା । ପାଗଳ ଅବସ୍ଥାରେ ସେ ରାସ୍ତାରେ ବୁଲି ବୁଲି ସେକ୍‌ସପିୟରଙ୍କ ‘ଅଥେଲୋ’, ‘ହାମଲେଟ’, ‘ମାକବେଥ୍‌’ ପ୍ରଭୃତି ନାଟକ ଓ କାଳିଦାସଙ୍କ ‘ରଘୁବଂଶମ୍‌’, ‘କୁମାର ସମ୍ଭବମ୍‌’ ପ୍ରଭୃତି କାବ୍ୟ ଅନର୍ଗଳ ଆବୃତ୍ତି କରୁଥିଲେ । କାମପାଳ ମିଶ୍ର ଇହଲୋକରୁ ତା ୨୧-୧୧-୧୯୨୭ ମସିହାରେ ବିଦାୟ ନେଇଥିଲେ ।

 

କାମପାଳ ମିଶ୍ର ତରୁଣ ବୟସରୁ ନିଜର ସୃଜନୀଶକ୍ତିର ପରିଚୟ ଦେଇଥିଲେ । ଏ ଯାବତ୍‌ ଆବିଷ୍କୃତ ତାଙ୍କ ରଚନାବଳୀର ସୂଚନା ନିମ୍ନରେ ପ୍ରଦାନ କରାଗଲା ।

 

କବିତା

(କ)

ଖଣ୍ତକାବ୍ୟ- ସୀତାବନବାସ (୧୮୯୩), ବସନ୍ତ ବିଜୟ (୧୮୯୫), ‘ଅପୂର୍ବ ସ୍ୱପ୍ନ ’ (୧୮୯୬) ।

 

(ଖ)

ଅଷ୍ଟମୀ ଜହ୍ନ, କାଳ, ଆଶା, କାଳଚକ୍ର, ବନେ ବନମଲ୍ଲୀ, ଉଷା ଓ ଗୋଲାପ, ଧବଳେଶ୍ୱର, ଶନ୍ତିମନ୍ଦିର, ମଲ୍ଲୀଫୁଲ ଉଲ୍ଲାସ, ଉପେନ୍ଦ୍ରଭଞ୍ଜ।

 

ନାଟକ

ସୀତାବିବାହ (୧୮୯୯), ହରିଶ୍ଚନ୍ଦ୍ର (୧୯୦୨), ବସନ୍ତଲତିକା (୧୯୩୩), ଦୁର୍ଗାଶର୍ବରୀ (ଅପ୍ରକାଶିତ) ।

ଦୀର୍ଘଗଳ୍ପ

ଅମ୍ୱିକା (୧୮୯୮) ।

ପ୍ରବନ୍ଧ

ଶିକ୍ଷା ଓ ସମାଲୋଚନା (୧୮୯୮) *

 

***

 

Unknown

ଲେଖକ ପରିଚିତି :

ଶ୍ରୀ ସୁରେନ୍ଦ୍ର ମହାନ୍ତି

ଶ୍ରୀ ମହାନ୍ତି ଓଡ଼ିଆ ସାହିତ୍ୟ ଜଗତର ଏକ ମହାନ୍‌ ସାଧକ । ସେ ଏକାଧାରରେ ରାଜନୀତିଜ୍ଞ, ଗାଳ୍ପିକ, ଔପନ୍ୟାସିକ ତଥା ପ୍ରାବନ୍ଧିକ । ତାଙ୍କର ‘ନୀଳଶୈଳ’ ପୁସ୍ତକ ଲାଗି ସେ କେନ୍ଦ୍ର ସାହିତ୍ୟ ଏକାଡେମୀଠାରୁ ପୁରସ୍କାର ପାଇ ଅଛନ୍ତି । ସଂପ୍ରତି ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ‘ସମ୍ବାଦ’ ଦୈନିକ ପତ୍ରିକାର ମୁଖ୍ୟ ସମ୍ପାଦକରୂପେ କାର୍ଯ୍ୟ କରୁଛନ୍ତି ।

 

ଡଃ ଶ୍ରଦ୍ଧାକର ସୂପକାର

ଡଃ ସୂପକାର ଓଡ଼ିଶାର ବିଶିଷ୍ଟ ସାହିତ୍ୟ ସମାଲୋଚକ, ପ୍ରାବନ୍ଧିକ, ଶିକ୍ଷାବିତ୍‌ ଓ ରାଜନୀତିଜ୍ଞ ଭାବରେ ସୁପରିଚିତ । ସାହିତ୍ୟ ସମାଲୋଚନା ସମ୍ପର୍କୀୟ ତାଙ୍କର ବହୁ ଉଚ୍ଚକୋଟୀର ପ୍ରବନ୍ଧ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ । ସଂପ୍ରତି ସେ ଓଡ଼ିଶା ବିଧାନସଭାର ସଭ୍ୟ ଅଛନ୍ତି ।

 

ଡଃ ହରିହର କାନୁନ୍‌ଗୋ

ଡଃ କାନୁନ୍‌ଗୋ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ-। ତାଙ୍କର ବହୁ ଉଚ୍ଚକୋଟୀର ସମାଲୋଚନାମୂଳକ ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ସ୍ଥାନ ପାଇଛି । ସଂପ୍ରତି ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ଓଡ଼ିଆ ବିଭାଗର ଅଧ୍ୟାପକ ଅଛନ୍ତି ।

 

ଡଃ ସତ୍ୟନାରାୟଣ ରାଜଗୁରୁ

ଡଃ ରାଜଗୁରୁ ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ଜଣେ ନିରବଚ୍ଛିନ୍ନ ସାଧକ । ଓଡ଼ିଶାର ଜଣେ ବିଶିଷ୍ଟ ଗବେଷକ, ସମାଲୋଚକ, ପ୍ରାବନ୍ଧିକ ଏବଂ ଶିକ୍ଷାବିତ୍‌ ଭାବରେ ସେ ସୁପରିଚିତ । ସାହିତ୍ୟ ସମାଲୋଚନା ସମ୍ପର୍କୀୟ ତାଙ୍କର ବହୁ ଉଚ୍ଚକୋଟୀର ପ୍ରବନ୍ଧ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ । ସେ ମଧ୍ୟ ବହୁ ଗବେଷଣାତ୍ମକ ପୁସ୍ତକର ରଚୟିତା । ତାଙ୍କର କୃତି ଲାଗି ସେ ପଦ୍ମଶ୍ରୀ ଉପାଧି ପାଇଅଛନ୍ତି । ସଂପ୍ରତି ରାଜ୍ୟ ସଂଗ୍ରହାଳୟର ଅବସରପ୍ରାପ୍ତ କ୍ୟୁରେଟର ହିସାବରେ ସେ ପାରଳାଖେମୁଣ୍ଡିରେ ତାଙ୍କର ଅବସର-ଜୀବନ କଟାଉଛନ୍ତି ।

 

ଶ୍ରୀ ସର୍ବେଶ୍ଵର ଦାଶ

ଜଣେ ସୁପ୍ରାବନ୍ଧିକ ଭାବରେ ସାହିତ୍ୟ କ୍ଷେତ୍ରରେ ସୁପରିଚିତ । ସମାଲୋଚନାମୂଳକ ଗ୍ରନ୍ଥ ଏବଂ ପ୍ରବନ୍ଧ ରଚନା କରିବାରେ ସେ ସିଦ୍ଧହସ୍ତ । ସମାଲୋଚନା ସାହିତ୍ୟରେ ତାଙ୍କର ‘ଯୁଗସ୍ରଷ୍ଟା ଫକୀରମୋହନ’ ଆଦି କେତୋଟି ଉତ୍କୃଷ୍ଟ ପୁସ୍ତକ ରହିଛି । ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଭାବରେ ସେ ପୁରୀରେ ଅବସର-ଜୀବନ ଯାପନ କରୁଅଛନ୍ତି ।

 

ଶ୍ରୀ ବନମାଳୀ ମିଶ୍ର

ଶ୍ରୀ ମିଶ୍ର ଜଣେ ସୁପ୍ରାବନ୍ଧିକ । ସେ ରାଜ୍ୟର ନୀଳକଣ୍ଠ ସ୍ମୃତି-ସମିତି ସହିତ ସଂପୃକ୍ତ ଅଟନ୍ତି-

 

ଡଃ ଶ୍ୟାମସୁନ୍ଦର ମିଶ୍ର

ଶ୍ରେଷ୍ଠ ପ୍ରାବନ୍ଧିକ ଭାବରେ ସୁପରିଚିତ । ତାଙ୍କର ଅନେକ ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇଛି । ସଂପ୍ରତି ସେ ରେଭେନ୍‌ସା ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନାରତ ।

 

ଶ୍ରୀ ରାଧାମୋହନ ଗଡ଼ନାୟକ

ଜଣେ ବିଶିଷ୍ଟ କବି-ପ୍ରତିଭାରୂପେ ଶ୍ରୀ ଗଡ଼ନାୟକ ସାରସ୍ଵତକ୍ଷେତ୍ରରେ ସୁପରିଚିତ । ପ୍ରବନ୍ଧ ଲେଖିବାରେ ସିଦ୍ଧହସ୍ତ । ବହୁ ପ୍ରବନ୍ଧ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ । ସେ “ସୂର୍ଯ୍ୟ ଓ ଅନ୍ଧକାର” ପୁସ୍ତକ ଲାଗି କେନ୍ଦ୍ର ସାହିତ ଏକାଡେମୀ ପୁରସ୍କାର ପାଇଅଛନ୍ତି । ସଂପ୍ରତି ଶ୍ରୀ ଗଡ଼ନାୟକ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ଭାବେ ଅବସ୍ଥାପିତ ହୋଇଛନ୍ତି ।

 

ଶ୍ରୀ କାର୍ତ୍ତିକେଶ୍ଵର ପାତ୍ର

ଓଡ଼ିଆ ନାଟ୍ୟ ସାହିତ୍ୟରେ ଜଣେ ବିଶିଷ୍ଟ ନାଟ୍ୟକାର ତଥା ପ୍ରାବନ୍ଧିକ । ରାଜନୀତି କ୍ଷେତ୍ରରେ ରହି ମଧ୍ୟ ସେ ନିଜକୁ ସର୍ବଦା ସାହିତ୍ୟ ସାଧନାରେ ଉତ୍ସର୍ଗ କରିଛନ୍ତି । ଗତ ମନ୍ତ୍ରୀମଣ୍ଡଳର ସେ ବିଧାୟକ ଥିଲେ । ସଂପ୍ରତି ସେ ଓଡ଼ିଶା କୃଷିଶିଳ୍ପ ନିଗମର ସଭାପତି ଭାବରେ ଅବସ୍ଥାପିତ ।

 

ଶ୍ରୀ ଅମରେନ୍ଦ୍ର ବୋଷ

ଶ୍ରୀ ବୋଷ ଜଣେ ସାମ୍ବାଦିକ ଥାଇ ମଧ୍ୟ ସାହିତ୍ୟ କ୍ଷେତ୍ରରେ ସୁପ୍ରତିଷ୍ଠା ଲାଭ କରିଅଛନ୍ତି । ତାଙ୍କର ବହୁ ଉଚ୍ଚକୋଟୀର ଗବେଷଣାତ୍ମକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ସଂପ୍ରତି ସେ ‘ସମ୍ବାଦ’ର ସମ୍ବାଦ ପ୍ରତିନିଧି ଭାବେ ବାରିପଦାରେ କାର୍ଯ୍ୟ କରୁଅଛନ୍ତି ।

 

ଶ୍ରୀ ଶଇଳେନ୍ଦ୍ର ଲେଙ୍କା :

ସାହିତ୍ୟ କ୍ଷେତରେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ତଥା ସମାଲୋଚକ ଭାବରେ ସୁପରିଚିତ । ଲେଖକଙ୍କର ବହୁ ପ୍ରବନ୍ଧ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ସମ୍ପ୍ରତି ଶ୍ରୀ ଲେଙ୍କା ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ଗବେଷଣା ବିଭାଗରେ ଗବେଷକ ଭାବରେ କାର୍ଯ୍ୟ କରୁଛନ୍ତି ।

 

ଡଃ ବଂଶୀଧର ମହାନ୍ତି

ଡଃ ମହାନ୍ତି ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟ-ସମାଲୋଚକ, ପ୍ରାବନ୍ଧିକ ଏବଂ ଶିକ୍ଷାବିତ୍‌ ଭାବରେ ସୁପରିଚିତ । ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କୀୟ ଦୁଇଗୋଟି ପୁସ୍ତକ ତାଙ୍କ ଶ୍ରେଷ୍ଠକୃତି ମଧ୍ୟରୁ ଅନ୍ୟତମ । ଏତଦ୍‌ବ୍ୟତୀତ ତାଙ୍କର ଅନେକ ଉଚ୍ଚକୋଟୀର ସମାଲୋଚନାମୂଳକ ପ୍ରବନ୍ଧ ପୁସ୍ତକ ଆକାରରେ ପ୍ରକାଶ ପାଇଛି । ବର୍ତ୍ତମାନ ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟପଦବୀରୁ ଅବସର ନେବା ପରେ ଭୁବନେଶ୍ଵରଠାରେ ଅବସର ଜୀବନଯାପନ କରୁଛନ୍ତି ।

 

ଶ୍ରୀ ବୈଷ୍ଣବ ଚରଣ ସାମଲ

ସାହିତ୍ୟ ସମୀକ୍ଷା ବା ସାହିତ୍ୟ ସମାଲୋଚନାରେ ନିଜକୁ ସର୍ବଦା ନିୟୋଜିତ କରି ଆସିଛନ୍ତି । ବହୁ ସୃଜନଶୀଳ ମୌଳିକ ଗ୍ରନ୍ଥଗୁଡ଼ିକର ସମାଲୋଚନା ସେ କରିଛନ୍ତି । ସମାଲୋଚନା ସାହିତ୍ୟରେ ଜଣେ ସୁସମାଲୋଚକ ଭାବେ ଅଗ୍ରଗଣ୍ୟ । ତାଙ୍କର କେତୋଟି ବଳିଷ୍ଠ ସମାଲୋଚନାମୂଳକ ପ୍ରବନ୍ଧ “ସାହିତ୍ୟ ସମ୍ବାଦ” ପୁସ୍ତକରେ ପ୍ରକାଶିତ ହୋଇଅଛି । ସଂପ୍ରତି ସେ ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଛନ୍ତି ।

 

ଶ୍ରୀ ଶତ୍ରୁଘ୍ନ ପାଣ୍ଡବ

ଶ୍ରୀ ପାଣ୍ଡବ ଅନେକ ମୌଳିକ ଗବେଷଣାତ୍ମକ ପ୍ରବନ୍ଧର ସ୍ରଷ୍ଟା । ସଂପ୍ରତି ସେ ଜଟଣୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପକ ଅଛନ୍ତି ।

 

ଡଃ ନିତ୍ୟାନନ୍ଦ ଶତପଥୀ

ଡଃ ଶତପଥୀ ଜଣେ ସୁପ୍ରାବନ୍ଧିକ । ଗବେଷଣାଧର୍ମୀ ପ୍ରବନ୍ଧ ଲେଖିବାରେ ସିଦ୍ଧହସ୍ତ । ତାଙ୍କର ସମ୍ପାଦନାରେ ଏକ ତ୍ରୈମାସିକ ସାହିତ୍ୟପତ୍ର ‘ଇସ୍ତାହାର’ ପ୍ରକାଶ ପାଉଛି । ସଂପ୍ରତି ସେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ବିଭାଗରେ ପ୍ରାଧ୍ୟାପକ ଅଛନ୍ତି ।

 

ଡଃ ହେମନ୍ତ କୁମାର ଦାସ

ଡଃ ଦାସ ଜଣେ ନିରବଚ୍ଛିନ୍ନ ସାହିତ୍ୟ-ସାଧକ । ବହୁ ପ୍ରବନ୍ଧ, ତଥା ଗଳ୍ପ ରଚନା କରିବାରେ ସିଦ୍ଧହସ୍ତ । ତାଙ୍କର ବହୁ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ସଂପ୍ରତି ସେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ।

 

ଶ୍ରୀ ଦାଶରଥି ଦାସ

ଶ୍ରୀ ଦାସ ଓଡ଼ିଆ ସାହିତ୍ୟରେ ଜଣେ ସୁପ୍ରାବନ୍ଧିକ ତଥା ସମୀକ୍ଷକ । ସଂପ୍ରତି ସେ ରେଭେନ୍‌ସା ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପକ ଅଛନ୍ତି ।

 

ଡଃ ବାଉରୀବନ୍ଧୁ କର

ଡଃ କର ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ଅନୁଶୀଳନକାରୀ ପ୍ରାବନ୍ଧିକ ତଥା ସୁସମାଲୋଚକ । ସଂପ୍ରତି ସେ ରେଭେନ୍‌ସା ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଛନ୍ତି ।

 

ଭ୍ରମଣର ଆନନ୍ଦ ସହ ଓଡ଼ିଶାର ଜନଜୀବନ, ଧର୍ମଧାରା, ଶିଳ୍ପକଳା, ବନ୍ୟ ସମ୍ପଦ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବା ପାଇଁ-

*

କଳା ଭାସ୍କର୍ଯ୍ୟପୂର୍ଣ୍ଣ ପୁରୀ, ଭୁବନେଶ୍ଵର, ଯାଜପୁର, ଖିଚିଙ୍ଗ ତଥା ଏହିପରି ଅନେକ ସ୍ଥାନର ପ୍ରଚୀନ କୀର୍ତ୍ତି ।

*

ହୀରାପୁର ଓ ରାଣୀପୁର-ଝରିଆଲର ଚଉଷଠି ଯୋଗିନୀ ମନ୍ଦିର ।

*

ଲଳିତଗିରି, ରତ୍ନଗିରି, କୁରୁମ, ଧଉଳୀ ଓ ଅଯୋଧ୍ୟାର ବୌଦ୍ଧାବଶେଷ ।

*

ଅଟ୍ରି, ତପ୍ତପାଣି ଓ ଦେଉଳଝରୀର ଉଷ୍ଣ ପ୍ରସ୍ରବଣ ।

*

ଗୋପାଳପୁର, ଚାନ୍ଦିପୁର, ଆର୍ଯ୍ୟପଲ୍ଲୀ ତଥା ପୁରୀ ଓ କୋଣାର୍କର ବେଳାଭୂମି ।

*

ଶିମିଳିପାଳ, ନନ୍ଦନକାନନ, ଟିକରପଡ଼ା, ଉଷାକୋଠି ଓ ଭିତର କନିକାର ଅଭୟାରଣ୍ୟ ।

*

ହରିଶଙ୍କର, ଯୋରନ୍ଦା, ବରେହିପାଣି, ଖଣ୍ଡାଧାର, ବାଗ୍ରା ତଥା ପ୍ରଧାନପାଟର କୁଳୁ କୁଳୁ ନାଦରେ ଝଂକୃତ ଝରଣା ।

ଆପଣଙ୍କୁ ସ୍ଵାଗତ କରନ୍ତି

 

ଓଡ଼ିଶା ପର୍ଯ୍ୟଟନ

 

ସୁରୁଚି ପରିଧେୟ ପାଇଁ ସୁପରିଚିତ

“ଓଡ଼ିଶୀ”

 

ଓଡ଼ିଶାର ଗୌରବ

କୁଶଳୀ ବୁଣାକାର ଓ ଦେଶବାସୀଙ୍କର ସେବାରେ ନିୟୋଜିତ

 

ଏଠାରେ ସମସ୍ତପ୍ରକାର ହସ୍ତତନ୍ତ ବସ୍ତ୍ର ଯଥା-ଶିଲକ୍‌, ଟସର ବାପ୍ତା ଓ ସୂତା ଶାଢ଼ୀ, ବିଛଣା ଚାଦର, ପୋଷାକ କପଡ଼ା ଏବଂ ଜନତା ଧୋତି, ଶାଢ଼ୀ ଇତ୍ୟାଦି ସୁଲଭ ମୂଲ୍ୟରେ ମିଳେ ।

 

ବିଶେଷ ଆକର୍ଷଣ

ପଲିବସ୍ତ୍ର, ସୁଟିଂ ଓ ସାର୍ଟିଂ

ପର୍ବପର୍ବାଣୀମାନଙ୍କରେ

୨୦% ସରକାରୀ ରିହାତିର ସୁଯୋଗ ନିଅନ୍ତୁ ।

 

ଓଡ଼ିଶା ରାଜ୍ୟ ହସ୍ତତନ୍ତ ଉନ୍ନୟନ ନିଗମ ଲିଃ

ହସ୍ତତନ୍ତ ଭବନ

ଜନପଥ, ସହୀଦନଗର, ଭୁବନେଶ୍ଵର-୭୫୧୦୦୭

 

ଫୋନ : ୫୩୦୮୩

୫୦୦୯୨

Gram : “HANDFAB”

TELEX-675-277-OHDC

 

ଓଡ଼ିଶା : ପ୍ରଗତି ଓ ସମୃଦ୍ଧିର ଏକ ନୂତନ ଅଧ୍ୟାୟ

 

 

ସହଯୋଗ ଅଗ୍ରଗତିକୁ ତ୍ଵରାନ୍ଵିତ କରିବ ।

ସୂଚନା ଓ ଲୋକସଂପର୍କ, ଓଡ଼ିଶା

***